ଚିତ୍ତବୋଧ ବା ଚିତ୍ତବିନୋଦ ପ୍ରଥମ ଭାଗ

 

 

 

 

 

 

 

 

 

 

ଚିତ୍ତବୋଧ ବା ଚିତ୍ତବିନୋଦ

(ପ୍ରଥମ ଭାଗ)
ଅଚ୍ୟୁତାନନ୍ଦ ଦାସ

 

ସୂଚୀପତ୍ର

 

ବିଷୟ

.

ମଙ୍ଗଳାଚରଣ

.

ବନ୍ଦନା

.

ଗ୍ରନ୍ଥ ସୂଚନା

.

ଶ୍ରୀରାଧାଙ୍କ ମୋହନବେଶ ଧାରଣ

.

ଅକ୍ରୂରର ଗୋପପୁରକୁ ଗମନ

.

ଲଳିତା ବିଶାଖାଙ୍କର କଥୋପକଥନ

.

ଗୋପପୁରରେ ଅକ୍ରୂର ମନଭାବନା ବିଷୟ

.

ଶ୍ରୀକୃଷ୍ଣଙ୍କର ରାଧାବେଶ

.

ରାଧାକୃଷ୍ଣଙ୍କ ପୂର୍ବଜନ୍ମ ବୃତ୍ତାନ୍ତ

୧୦.

ଗୋପୀଙ୍କ ପୂର୍ବଜନ୍ମ ବୃତ୍ତାନ୍ତ

୧୧.

ଲଳିତାର ପୂର୍ବଜନ୍ମ ବୃତ୍ତାନ୍ତ

୧୨.

ମୋହନ ବଂଶୀର ଉତ୍ପତ୍ତି କଥନ

୧୩.

ଶ୍ରୀରାଧାଙ୍କ ଜନ୍ମ ବୃତ୍ତାନ୍ତ

୧୪.

ଶ୍ରୀକୃଷ୍ଣଙ୍କର ଜନ୍ମ ବୃତ୍ତାନ୍ତ

୧୫.

ଚୌରାଶୀ ସସ୍ର ସଖୀ ଜନ୍ମ

୧୬.

ସୃଷ୍ଟି ସର୍ଜନାର ବିଷୟ

୧୭.

ବୃନ୍ଦାବତୀଙ୍କ ଫୁଲତୋଳା

୧୮.

ବସ୍ତ୍ର ହରଣ

୧୯.

ରାସଲୀଳା

୨୦.

ଶ୍ରୀକୃଷ୍ଣ ମାଧୁରୀ ରାଧାବେଶ

୨୧.

ଅକ୍ରୂରକୁ ଦେଖି ଗୋପୀଙ୍କର ଭାବନା କୃଷ୍ଣଙ୍କ ବ୍ରାହ୍ମଣୀ ଦତ୍ତ ଅନ୍ନ ଭୋଜନ

୨୨.

କୃଷ୍ଣଙ୍କର ବ୍ରାହ୍ମଣୀ ଦାନ ଅନ୍ନ ଭକ୍ଷଣ, ବ୍ରାହ୍ମଣୀଙ୍କୁ ଜ୍ଞାନ ଦାନ

୨୩.

କୃଷ୍ଣଙ୍କ ବିହୁନେ ରାଧାଙ୍କର ଶୋକ

୨୪.

କୃଷ୍ଣ ବିରହେ ରାଧା ସନ୍ନ୍ୟାସିନୀ

୨୫.

କୃଷ୍ଣଙ୍କର ଗୋପୀ ପ୍ରବୋଧ

୨୬.

ଅକ୍ରୂର ରାମ-କୃଷ୍ଣଙ୍କୁ ରଥରେ ନେଇ ମଧୁପୁର ଗମନ କାଳରେ
ଶ୍ରୀକୃଷ୍ଣଙ୍କୁ ସ୍ନାନ ବେଳେ ଦେଖି ଚିନ୍ତିତ

୨୭.

ମଥୁରାକୁ ରଥ ବାହିବା

୨୮.

ମଧୁବନରେ ଗୋପାଳଙ୍କ ସହ ରାମ କୃଷ୍ଣଙ୍କ ଗମନ

୨୯.

ରାଧାଙ୍କ ନାମର ଚରିତ

୩୦.

ରାଧା ମନ୍ତ୍ର

୩୧.

ବୃନ୍ଦା ସଖୀର ଭାବନା ଓ ମୋହ

 

ମଙ୍ଗଳାଚରଣ

ଖର୍ବ ସ୍ଥୂଳତନୁଂ ଗଜେନ୍ଦ୍ର ବନ୍ଦନଂ ଲମ୍ବୋଦରଂ ସୁନ୍ଦରଂ

ପ୍ରସ୍ୟନ୍ଦନ୍‌ମଧୂଗନ୍ଧ ଲୁବ୍‌ଧ ମଧୁପ ବ୍ୟାଲୋଳ ଗଣ୍ଡସ୍ଥଳଂ

ଦନ୍ତାଘାତବିଦାରିତାରିରୁଧିରୈଃ ସିନ୍ଦୂରଶୋଭାକରଂ

ବନ୍ଦେ ଶୈଳସୁତାସୁତଂ ଗଣପତିଂ ସିଦ୍ଧିପ୍ରଦଂ କାମଦଂ

ଯତୋନନ୍ତ ଶକ୍ତି ଶେଷୋବଭୂବଃ

ଧରାଧାରେଣେନେକରୂପେ ଚ ଶକ୍ତଃ

ଯତୋନେକଧା ସ୍ଵର୍ଗଲୋକାହି ନାନା

ସଦା ତଂ ଗଣେଶଂ ନମାମୋ ଭଜାମଃ

କସ୍ତୁରୀତିଳକଂ ଲଲାଟପଟଳେ ବକ୍ଷସ୍ଥଳେ କୌସ୍ତୁଭଂ

ନାସାଗ୍ରେ ଗଜମୌକ୍ତିକଂ କରଃତଳେ ବେଣୁ କରେ କଙ୍କଣଂ

ସର୍ବାଙ୍ଗେ ହରିଚନ୍ଦନଂ ସୁଲଳିତଂ କଣ୍ଠେ ଚ ମୁକ୍ତାବଳଂ

ଗୋପ-ସ୍ତ୍ରୀ ପରିବେଷ୍ଟିତଂ ବିଜୟତେ ଶ୍ରୀଗୋପାଳଚୂଡ଼ାମଣି

ଦେବୋ ପାତୁ ଯଦି ଅତକ୍ଷ୍‌ଣ ନଖରେ ଦୈତ୍ୟାଧିପୋରାଜସେ

ଯସ୍ୟ ଶ୍ରୀଚରଣାମ୍ବୁ ବ୍ରଜେ ସୁରନଦୀ ଗୋବର୍ଦ୍ଧନଂ ଯତ୍‌କରେ

ଦନ୍ତାଗ୍ରେ ଧରଣୀ ସ୍ୱଲୋକ ନିବହା ମାୟା ଯଦି ଆସିତ୍

ଜମ୍ବୁବତ୍ ଜଳବିନ୍ଦୁବତ୍ ଜମ୍ବାଳବତ୍ ଜାଲବତ୍

ବନ୍ଦେ ଦେବ ଉମାପତିଃ ସୁରଗୁରୁଂ ବନ୍ଦେ ଜଗତ୍‍ କାରଣଂ

ବନ୍ଦେ ପନ୍ନ ଭୂଷଣଂ ମୃଗଧରଂ ବନ୍ଦେ ପଶୁନାଂ ପତିଂ

ବନ୍ଦେ ସୂର୍ଯ୍ୟ-ଶଶାଙ୍କ-ବହ୍ନି-ନୟନଂ ବନ୍ଦେ ମୁକୁନ୍ଦପ୍ରିୟଂ ।

ବନ୍ଦେ ଭକ୍ତ ଜନାଶ୍ରୟଂଚ ବରଦଂ ବନ୍ଦେ ଶିବଂ ଶଙ୍କରଂ

ପ୍ରଭୁମଶୀ ମନୀଶ ମହେଶ ଗୁଣଂ ଗୁଣହୀନ ମହୀଶଗଳାଭରଣଂ

ରଣ-ନିର୍ଜିତ-ଦୁର୍ଜୟ ଦୈତ୍ୟପୁରଂ ପ୍ରଣମାମି ଶିବଂ ଶିବକଳ୍ପତରୁଂ ।

ଗିରିରାଜସୁତାନ୍ୱିତବାମତନୁ ତନୁ ନିନ୍ଦିତ ରାଜିତ କୋଟି ବିଧୁଂ

ବିଧିବିଷ୍ଣୁଶିବାନୁତ ପାଦଯୁଗଂ ପ୍ରଣମାମି ଶିବଂ ଶିବକଳ୍ପତରୁଂ

ପୂର୍ଣ୍ଣ ବକ୍‌ତ୍ର ସୁରାଣାଂ ଯମ ମହିଷ ମହାଶୃଙ୍ଗମାଦୟ ପାଶୌ

କୃତାବ୍ୟୋ ବନ୍ଦ୍ୟମାନଃ ପ୍ରଳୟା ମୁଦିତୟା ଭୈରବଃ କାଳରାତ୍ର୍ୟା

ଗର୍ବନ୍ତୀଚାସ୍ଥଖଣ୍ଡ ପ୍ରକଟତରରଟ ସେବ୍ୟସଂଘାତମୁଗ୍ରଂ

କୁର୍ବାଣଂ ପ୍ରେତ ମଧ୍ୟେ କହ କହ କଳସାଂ ହସଂସୁପ୍ରୀ କୃଶାଙ୍ଗୀ

ବାମ କର୍ଣ୍ଣେ ମୃଗାଙ୍କଃ ପ୍ରଳୟ ପରିଣତଂ ଦକ୍ଷିଣେ ସୂର୍ଯ୍ୟ ବିମ୍ବଂ

କଣ୍ଠେ ନକ୍ଷତ୍ର ହାରଂ କରବିକଟଜଟାଜୂଟକେ କେତୁମାଳା

ସ୍କନ୍ଧେ କୃତ୍ୱେରଗେନ୍ଦ୍ର ଧ୍ୱନିନିକର ଭୁଜଂ ବ୍ରହ୍ମକଙ୍କାଳହାରଂ

ସଂହାରେ ଧାରୟନ୍ତି ହରତୁ ମମ ଭୟ ଭଦ୍ରକାଳୀ କପାଳୀ ।

ସପ୍ତାଶ୍ଵ ରଥମାରୁଢ଼ଂ ପ୍ରଚଣ୍ଡଂ କଶ୍ୟପାତ୍ମଜଂ

ଶ୍ୱେତପଦ୍ମଧରଂ ଦେବଂ ତଂ ସୂର୍ଯ୍ୟଂ ପ୍ରଣମାମ୍ୟହଂ

ବନ୍ଧକ ପୁଷ୍ପସଂକାଶଂ ହାର କୁଣ୍ଡଳ ଭୂଷିତଂ

ଏକ ଚକ୍ରଧରଂ ଦେବଂ ତଂ ସୂର୍ଯ୍ୟଂ ପ୍ରଣମାମ୍ୟହଂ ।।

 

ବନ୍ଦନା

ଜୟ ଜୟ ଗଣନାଥ ପାର୍ବତୀନନ୍ଦନ

ଅଯୋନି ସମ୍ଭୂତ ଦେବ ମୂଷିକବାହନ ।

ମହାଯୋଗେଶ୍ଵର ଦେବ ଅଟ ବ୍ରହ୍ମବେତ୍ତା

ଶୋଭା ପାଏ କପାଳରେ ସିନ୍ଦୂରର ଚିତା ।

ଜ୍ଞାନୀମାନଙ୍କର ଗୁରୁ ବିଦ୍ୟାରେ ସାଗର

ସର୍ବ ଦେବ ଅଗ୍ରତରେ ପୂଜା ଯେ ତୁମ୍ଭର ।

ସର୍ବସିଦ୍ଧି ଦାତା ପ୍ରଭୁ କାଳ କାମଜୟୀ

ଅମୃତ ଲଡ଼ୁ ଭକ୍ଷିଲ ଶିବଠାରୁ ନେଇ ।

ଏକଦନ୍ତ ମହାକାୟ ବିଘ୍ନବିନାଶକ

ତବ ଶ୍ରୀ ପଦରେ ମୋର ମାଗୁଣି ଏତେକ ।

ଶ୍ରୀକୃଷ୍ଣଙ୍କ ଗୋପଲୀଳା କରିବି ବର୍ଣ୍ଣନ

ଭିକ୍ଷା କରେ ସୁଦୟା କରିବ ଗଜାନନ ।

ଜୟ ହେ ମଧୁସୂଦନ ଦେବ ଜଗତ୍‌ପତି

ଆଜାନୁଲମ୍ବିତ ବାହୁ ଚତୁର୍ଦ୍ଧା ମୂରତି ।

ଗଜାର୍ତ୍ତନାଶନ ଦେବ ଅହଲ୍ୟାତାରଣ

ମୃଗୁଣୀର ବିପତ୍ତିକୁ କରିଛ ହରଣ ।

ସୁଦାମା ଦାରିଦ୍ର୍ୟହରା ତ୍ରୈଲୋକ୍ୟ ଈଶ୍ଵର

କୀଟୁ ବ୍ରହ୍ମ ପରିଯନ୍ତେ ସୃଜନ ତୋହର ।

ମତ୍ସ୍ୟ କଚ୍ଛ ବରାହ ହେ ବାମନାବତାର

ନରସିଂହ ପର୍ଶୁରାମ ଶ୍ରୀରାମ ଶରୀର ।

ବସୁଦେବର ନନ୍ଦନ ବୁଦ୍ଧ ଅବତାର

କଳିଯୁଗ ଶେଷେ କଳ୍‌କୀ ନାମ ହେବ ସାର ।

ମୌନ ଅବତାର ହୋଇ ଶ୍ରୀନୀଳ କନ୍ଦରେ

ବାହୁ ମେଲି ବସିଅଛ ଚକାବଇଠିରେ ।

ବଳିୟାର ଭୁଜ ପ୍ରଭୁ ଦେଇଛ ମେଲାଇ

ଭକ୍ତଜନମାନଙ୍କ ପାତକ ନାଶ ପାଇଁ ।

ଲକ୍ଷ୍ମୀହୃଦୟମଣ୍ଡନ ଆହେ ଜଗତ୍‍ପତି

ଏ ହୀନ ପାମର ପାଦେ କରଇ ପ୍ରଣତି ।

ଶ୍ରୀକୃଷ୍ଣଙ୍କ ତତ୍ତ୍ୱ କିଛି କରିବି ବର୍ଣ୍ଣନ

ଦୟାକର ପଦ ଦୃଶ୍ୟ ହେଉ ନାରାୟଣ ।

ଜୟ ଜୟ ପଶୁପତି ପାର୍ବତୀଙ୍କ ବର

ଜୟ ଜୟ ବ୍ୟୋମକେଶ ପ୍ରଭୁ ଦିଗମ୍ବର ।

ଜୟ ଜୟ ପିନାକୀ ହେ ତ୍ରିଭୁବନ କର୍ତ୍ତା

ଜୟ ଜୟ କଇଳାସବାସୀ ପ୍ରଭୁ ତ୍ରାତା ।

କାଳ-କାମଜୟୀ ପ୍ରଭୁ ମହା ଯୋଗୀବର

ମୃତ୍ୟୁଞ୍ଜୟ ନୀଳକଣ୍ଠ ଦେବ ବିଶ୍ଵମ୍ଭର ।

ତୋର ଦୟାବଳେ ପ୍ରଭୁ ହୀନ ମୂଢ଼ ପ୍ରାଣୀ

ପାପ-ତାପୁ ତରିଯାଏ ଆହେ ଶୂଳପାଣି ।

ଅକର୍ମା ଦାନୀ ହେ ପ୍ରଭୁ ସଂହାର ମୂରତି

ତୁମ୍ଭ ପାଦପଦ୍ମ ତଳେ କରଇ ପ୍ରଣତି ।

ହରିହର ଏକ ତୁମ୍ଭେ ନାହିଁ ଭିନ୍ନାଭିନ୍ନ

ଶ୍ରୀକୃଷ୍ଣଙ୍କ ଖେଳା ଲୀଳା କରିବି ବର୍ଣ୍ଣନ ।

ଦୟାକର ବିଶ୍ଵନାଥ ଅଭୟ ବରଦ

ଦୀନ ହୀନ ଆଶା ପୂର୍ଣ୍ଣ କର ଦେବରାଜ ।

ଜୟ ମା ଜଗଜ୍ଜନନୀ ଅତ୍ରାହିଭଞ୍ଜନୀ

ତବଠାରୁ ଚରାଚର ସୃଜିଛି ମେଦିନୀ ।

ମହା ଯୋଗେଶ୍ୱରୀ ମାତା ଅପର୍ଣ୍ଣା ଅମ୍ବିକା

ନାରାୟଣୀ ଜଗଦ୍ଧାତ୍ରୀ ଦୁର୍ଜନ ନାଶିକା ।

ସର୍ଜ୍ଜନ ପାଳିନୀ ମାତା ସଂହାର କାରିଣୀ

ବ୍ରହ୍ମା ବିଷ୍ଣୁ ମହେଶାଦି ଦେବଙ୍କ ବନ୍ଦିନୀ ।

ଆଦ୍ୟା ସନାତନୀ ମାତା ମହିଷା ନାଶିନୀ

ଚଣ୍ଡ ମୁଣ୍ଡ ବିନାଶିନୀ ପ୍ରକୃତି ରୂପିଣୀ ।

ଅଷ୍ଟଚଣ୍ଡୀ ରୂପେ ମାତ ଜଗତ ବିଦିତ

ତବ ଦୟାବଳେ ମୂର୍ଖ ହୁଅଇ ପଣ୍ଡିତ ।

ଶ୍ରୀକୃଷ୍ଣ ଗୋପପୁରରେ କଲେ ଯେଉଁ ଲୀଳା

ତାହା ବର୍ଣ୍ଣିବାକୁ ତବ ନାମ କରେ ମାଳା ।

ଦୟା କରି ଭଗବତୀ କଣ୍ଠେ ବିଜେ କର

ପଦମାନ ଦୃଶ୍ୟ ହେଉ ଲଳିତ ଛନ୍ଦର ।

ଏତିକି ମାଗୁଣି ମାତା ଶ୍ରୀଚରଣେ ତବ

ତବ ନାମ ଧ୍ୟାୟି ଚାଲିଯାଉ ମୋର ଜୀବ ।

ଜୟ ହେ ସଂଜ୍ଞାବଲ୍ଲଭ ଧର୍ମ ନିରଞ୍ଜନ

ସପ୍ତାଶ୍ୱ ରଥରେ ଦେବ ତୋହର ଭ୍ରମଣ ।

ସର୍ବଲୋକ ପିତାମହ ମହାପାପହର

ସର୍ବ ଗ୍ରହରାଜ ପ୍ରଭୁ ତାପ ନାଶ କର ।

ଏକଚକ୍ର ରଥେ ଦେବ ତୋହର ଭ୍ରମଣ

ସଂସାର ପାଳକ ଦେବ ଛାୟାର ରମଣ ।

ସମ୍ବରାସୁର ନାଶକ ଦୀନେ ଦୟା କର

ଶ୍ରୀକୃଷ୍ଣ ଲୀଳା ଲେଖିବି ଭାବିଛି ମନର ।

ହୃଦୟ ମଧ୍ୟରେ ବିଜେ କରନ୍ତୁ ଆପଣ

ଅକ୍ଳେଶରେ ଦୃଶ୍ୟ ହେଉ ଛନ୍ଦପଦମାନ ।

ଏତିକି ଜଣାଣ ଦେବ ଶ୍ରୀପୟରେ ତବ

ଦୀନ ଅଚ୍ୟୁତକୁ ଉଦ୍ଧରିବ ଛାୟାଦେବ ।

 

ଗ୍ରନ୍ଥ ସୂଚନା

ସର୍ପାଘାତେ ପରୀକ୍ଷିତ ହୋଇଣ ଅଧୀର

ଶୁକକୁ କୁହନ୍ତି କୁହ କୃଷ୍ଣଲୀଳା ସାର ।

ଭକ୍ତିଭରେ ପ୍ରେମଅଶ୍ରୁ ହୁଅଇ ନିର୍ଗତ

ହସ୍ତ ପାତି ବିନୟେ ପୁଚ୍ଛନ୍ତି ନରନାଥ ।

ପରୀକ୍ଷିତଙ୍କ କାକୁସ୍ଥେ ଶୁକ ମହାମୁନି

ମନ ମଧ୍ୟେ ଚିନ୍ତାକରି ପ୍ରଭୁ ଚକ୍ରପାଣି ।

ପରୀକ୍ଷିତ ଆଗରେ କହନ୍ତି ଶୁକଦେବ

ଚିତ୍ତବୋଧ ଗ୍ରନ୍ଥ ହରିବଂଶରୁ ସମ୍ଭବ ।

ବିହ୍ୱଳିତ ବାଣୀ ଏହି ଅପୂର୍ବ କାହାଣୀ

ଚିତ୍ତବୋଧ ହେବ ଏହୁ ଗ୍ରନ୍ଥ ଯେହୁ ଶୁଣି ।

ଏଥୁ ଅନନ୍ତରେ ଜନେ କୃଷ୍ଣକଥା ଶୁଣ

ଶ୍ରୀମତୀ ସନ୍ନ୍ୟାସୀ ବେଶ ଅକ୍ରୂର ଗମନ ।

କୃଷ ମଧୁପୁର ଯିବେ ବୃନ୍ଦା ମୂର୍ଚ୍ଛା ଯିବେ

ଭାବେ ପ୍ରିୟବତୀ ନାମ ନାରୀକି ତାରିବେ ।

ମଧୁପୁରେ କଂସ ମାରି ମାଈଁକି ବୁଝାଇ

ଉଗ୍ରସେନକୁ କରିବେ ତହିଁ ନରସାଇଁ ।

ଗୋପାଳଙ୍କୁ ଘେନି ନନ୍ଦ ଗୋପକୁ ଫେରିବେ

ମାରି ଦୁଷ୍ଟ ନିଶାଚର ଧରା ଉଶ୍ୱାସିବେ ।

ଲଙ୍ଘିବାକୁ ସାଗର ମୁଁ କରିଛି ସାହସ

ପରସନ୍ନ ହୁଅ ମୋତେ କମଳାବିଳାସ ।

ରାଧା କୃଷ୍ଣ ବେଶ କୃଷ୍ଣ ରାଧା ବେଶ ହେବେ

ଏହି ଲୀଳା ଶୁଣି ନରେ ସଂସାରୁ ତରିବେ ।

 

ଶ୍ରୀରାଧାଙ୍କ ମୋହନବେଶ ଧାରଣ

ଏକଦିନେ ରାଧାଦେବୀ ମନେ ବିଚାରିଲେ

ମୋହନର ବେଶ ଆଜ ଧରିବେ ବୋଇଲେ ।

ଶ୍ରୀକୃଷ୍ଣ ଅଙ୍ଗକୁ ଶୋଭେ ଯେଉଁ ଅଳଙ୍କାର

ଯେପରି ବସନ କୃଷ୍ଣ ଅଙ୍ଗକୁ ସୁନ୍ଦର ।

ସେ ସମସ୍ତ ଘେନି ରାଧା ବୃନ୍ଦାବନେ ଗଲେ

କଦମ୍ବ ମୂଳରେ ଯାଇଁ ପ୍ରବେଶ ହୋଇଲେ ।

ନିଜ ଦେହ ଅଳଙ୍କାର ନିଜ ହସ୍ତେ ଫେଇ

କଦମ୍ବ ବୃକ୍ଷରେ ତାହା ରଖିଲେ ଲୁଚାଇ ।

ତାଳୁରେ ବାନ୍ଧିଲେ ଚୂଳକେଶ ଦିବ୍ୟବେଣୀ

ପାଦରେ ନୂପୁର ଖଞ୍ଜା ନାସାର ବସଣି ।

ଅଙ୍ଗୁଳିରେ ମୁଦ୍ରିକା ହେ ଶ୍ରୀହସ୍ତେ କଙ୍କଣ

କଟିରେ କିଙ୍କିଣୀ ସାଜେ ବାଜେ ରୁଣଝୁଣ ।

କଣ୍ଠେ ଲମ୍ବେ ବ୍ୟାଘ୍ରନଖ ବାହୁରେ ବାହୁଟି

ଭାଲେ ଗୋରଚନା ଟୋପି ତିଳକର ପଟି ।

ସରୁ ଝୀନ ପୀତାମ୍ବର ପରିଧାନ କଲେ

ନାନାଜାତି ପୁଷ୍ପମାଳ କଣ୍ଠେ ଲମ୍ବାଇଲେ ।

କେ ମୁଖେ କହିବ ରାଧା ଛଦ୍ମ କୃଷ୍ଣବେଶ

ଶୂନ୍ୟେ ଥାଇ ଦେବଗଣ ହୋଇଲେ ହରଷ ।

ସାକ୍ଷାତେ ପରମ ଲକ୍ଷ୍ମୀ ରାଧା ଠାକୁରାଣୀ

ମୋହନ ବେଶରେ ଉଭା ତ୍ରିଭଙ୍ଗିମା ଠାଣି ।

ପୟରେ ପୟର ଛନ୍ଦି ତେରଛେ ଅନାଇଁ

ପକ୍ୱ ବିମ୍ବାଧରେ ମନ୍ଦହାସ ପ୍ରକାଶଇ ।

ମୋହନ ମୁରଲୀ ଧରି ନୀପମୂଳେ ରହି

ସଧୀରେ ବଜାନ୍ତି ରାଧା ଅଧରେ ଲଗାଇ ।

ଆସ କୃଷ୍ଣ କରିବା ଏ ବନେ ରସକେଳି

ଅଦଭୂତେ ବାଜେ ବଂଶୀ ଆସ ଚନ୍ଦ୍ରାବଳୀ ।

ପୁଣିହିଁ ଦ୍ୱିତୀୟ ରନ୍ଧ୍ରେ ବଜାନ୍ତି ଶ୍ରୀମତୀ

ଆସ ଆସ କୃଷ୍ଣଚନ୍ଦ୍ର କରିବ ସୁରତି ।

କୃଷ୍ଣନାମ ହୁଡ଼ି ବଂଶୀ ବୋଲେ ରାଧେ ରାଧେ

ଆସ ପ୍ରାଣେଶ୍ୱରୀ ବୋଲି ବଜାଇ ଆନନ୍ଦେ ।

ଶୁଣି ବଂଶୀସ୍ୱନ ରାଧା ବିଷାଦ ଭଜିଲେ

ଫେରାଇ ଆରେକ ରନ୍ଧ୍ରେ ପୁଣି ବଜାଇଲେ

ବୋଇଲେରେ ବଂଶୀ ଘେନ ମୋହର ଆଦେଶ

କୃଷ୍ଣ କର୍ଣ୍ଣେ ପଶି କର ବିହ୍ୱଳମାନସ ।

ବୋଲେ ଆସ ଆସ କୃଷ୍ଣ ବୃନ୍ଦାବନେ ଆସ

ଡାକେ ନିଜ ଦାସୀ ତବ ଅଙ୍କେ ଆସି ବସ ।

ଏତେ ଭାଷି ରାସେଶ୍ୱରୀ ଫୁଙ୍କିଲେ ମୁରଲୀ

କେଭେ ନ ବାଜଇ ବଂଶୀ କୃଷ୍ଣ କୃଷ୍ଣ ବୋଲି

କୃଷ୍ଣନାମ ଛାଡ଼ି ଡାକେ ଆସ ଚନ୍ଦ୍ରାବଳୀ

ଆଶ୍ଚର୍ଯ୍ୟ ହୋଇଲେ ଶୁଣି ରାଧିକା ସୁନ୍ଦରୀ ।

ଆର ରନ୍ଧ୍ରେ ପୁଣି ରାଧା ମୁରଲୀ ଫୁଙ୍କିଲେ

କେଭେ କୃଷ୍ଣନାମ ନ ବାଜଇ ମୁରଲୀରେ ।

ବାରମ୍ବାର ବଦଳାଇ ବଜାଇ ମୁରଲୀ

ବନେ ଆସ କୃଷ୍ଣଚନ୍ଦ୍ର ଡାକେ ଚନ୍ଦ୍ରାବଳୀ ।

କୃଷ୍ଣ ନାମ ଛାଡ଼ି ରାଧା ନାମରେ ବଜାଇ

ଉଚ୍ଚେ ଡାକେ ଆସ ଆସ ଆଗୋ ପ୍ରିୟସହୀ ।

ଫେରାଇ ପଞ୍ଚମ ରନ୍ଧ୍ରେ ପୁଣିହିଁ ମୁରଲୀ

ବଜାନ୍ତି କ୍ରୋଧରେ ରାଧା ଆସ ବନମାଳୀ ।

କୃଷ୍ଣ ନାମେ କେତେବେଳେ ମୁରଲୀ ନ ବାଜେ

କୃଷ୍ଣ ନାମେ ବଜାଇଲେ ରାଧା ନାମେ ବାଜେ ।

ଶୁଣିଣ ଆଶ୍ଚର୍ଯ୍ୟ ହୋଇ ବୋଲନ୍ତି କିଶୋରୀ

ଭଲା ଶିଖାଇଛି କୃଷ୍ଣ ମୋ ନାମକୁ ଧରି ।

ଯେତେ ବଜାଇଲେ କୃଷ୍ଣ ନାମ ନ ବାଜଇ

ନିରନ୍ତରେ ମୋର ନାମ ଧରି ଏ ଡାକଇ ।

ଯେବେ ନ ମାନିଲା ମୋର କଥା ଗୋଟି ଏହି

କିମ୍ପାଇଁ ଏହାକୁ ହସ୍ତେ ଧରିବିଟି ମୁହିଁ ।

ଏତେ ବୋଲି ମୁରଲୀକି ତଳେ ଥୋଇଦେଲେ

ପାଶରୁ ଅନ୍ତର ହୋଇ ଦୂରରେ ରହିଲେ ।

ସେ ମୁରଲୀ ରନ୍ଧ୍ରେ ବାୟୁ ପଶିଣ ବାଜିଲା

କେ ବଂଶୀ ବାଉଛି ବୋଲି ଜାଣି ନ ହୋଇଲା ।

ଅତି ଆଚମ୍ବିତ ହୋଇ ବାଜୁଛି ମୁରଲୀ

ଆସ ଆସ ରାଧେ ଗୋ କରିବା ରସକେଳି ।

କର୍ଣ୍ଣେ ଶୁଣି ରାଈ ହୃଦେ ବାଜେ ପଞ୍ଚଶର

କାତରେ ଉଠାଇ ବଂଶୀ ଘେନିଲେ ହସ୍ତର ।

ହସ୍ତର ମୁଠାରେ ତା ରନ୍ଧ୍ରକୁ ରୁଦ୍ଧ କଲେ

ତା ମୁଖରେ ଅନ୍ୟ କର ଅଙ୍ଗୁଳି ଭରିଲେ ।

ବିହ୍ୱଳିତଚିତ୍ତ ହୋଇ ଭାବୁଛନ୍ତି ରାଈ

ଯେତେ ନିବାରିଲେ ସେ ନିବାରି ହେଲା ନାହିଁ ।

ଏହି ବଂଶୀ ଖଣ୍ଡ ମୋର ମହତ୍ତ୍ୱ ସାରିଲା

ଏହି ବଂଶୀ ଖଣ୍ଡ ସବୁ ମାନ ବୁଡ଼ାଇଲା ।

ଏହି ବଂଶୀ ଖଣ୍ଡ ମୋର ଧୈର୍ଯ୍ୟ କଲା ଭଙ୍ଗ

ଏହି ବଂଶୀ ଖଣ୍ଡ ଜୀର୍ଣ୍ଣ ଶୀର୍ଣ୍ଣ କଲା ଅଙ୍ଗ ।

ଏହି ବଂଶୀ ଖଣ୍ଡ ମୋର ସାରିଲା ସକଳ

ଏହି ବଂଶୀ ଖଣ୍ଡ ଯୋଗୁ ସଦା ହରବର ।

ଏହି ବଂଶୀ ଖଣ୍ଡ ମୋର ମନ ଭ୍ରମ କଲା

ଏହି ବଂଶୀ ଖଣ୍ଡ ମୋର ଜାତି ବୁଡ଼ାଇଲା ।

ଏହି ବଂଶୀ ଖଣ୍ଡ ସର୍ବ କଲା ମୋର ନାଶ

ଏହି ବଂଶୀ ଖଣ୍ଡ ଯୋଗୁ ନିଶ୍ଚେ ହେବି ଧ୍ୱଂସ ।

ଏ ବଂଶୀ ଯାହାର ତାକୁ ଆଜି ନ ଦେଖିଲେ

ଏ ଜୀବନ ମୋର ଆଉ ନ ରଖିବି ଭଲେ ।

କୃଷ୍ଣ ନ ଦେଖିଲେ ଆଜ ଗୋପକୁ ନ ଯିବି

ଏହିଠାରେ ରହି ପଛେ ଜୀବନ ହାରିବି ।

ଏ ମୋହନ ବେଶ ମୋର ନ ଦେଖିଲେ ହରି

କାହିଁପାଇଁ ଯିବି ଆଉ ଗୋପପୁର ଫେରି ।

ଏମନ୍ତ ବିଚାରି ରାଈ ନୀପମୂଳେ ବସି

ବୋଲନ୍ତି ନ ବାଜୁ କିମ୍ପା କୃଷ୍ଣ ନାମେ ବଂଶୀ

ପରୀକ୍ଷିତଙ୍କୁ କହନ୍ତି ଶୁକ ନାମେ ଯତି

ଏ ଉତ୍ତର ଯାହା ହେଲା ଶୁଣ ହେ ନୃପତି ।

ରାଧା କୃଷ୍ଣ ଲୀଳା ଏ ଯେ ଅପୂର୍ବ କାହାଣୀ

ଯାହା ଶୁଣି ଭବ କୂପୁ ତରିଥାଏ ପ୍ରାଣୀ ।

ସେହି ଚରିତ ମୁଁ ତୁମ୍ଭ ଆଗରେ କହୁଛି

ରାଧାକୃଷ୍ଣଙ୍କର ଲୀଳା ଯେପରି ହୋଇଛି ।

ତଳେ ଥୋଇଥିଲେ ସିନା କୃଷ୍ଣଙ୍କ ମୁରଲୀ

କୃଷ୍ଣ ନାମ କହି ଫୁଙ୍କି ଦେଲେ ହସ୍ତେ ଧରି ।

କୃଷ୍ଣ କୃଷ୍ଣ ହୋଇକରି ମୁରଲୀ ବାଜିଲା

ସେ ଶବଦ ଗୋଟି ତିନିପୁରକୁ ଶୁଭିଲା ।

ତ୍ରିପୁରର ଲୋକ ଶୁଣି ଚକିତ ହୋଇଲେ

କୃଷ୍ଣ କୃଷ୍ଣ ବୋଲି ବଂଶୀ ବାଜେ ଉଚ୍ଚସ୍ୱରେ ।

ମଥୁରାରେ କଂସ ରାଜା କର୍ଣ୍ଣକୁ ଶୁଭିଲା

ସେ ନାମ ଶୁଣି ଅଜ୍ଞାନେ ଭୂମିରେ ପଡ଼ିଲା ।

ପୁଣି କ୍ଷଣେ ଚେତା ଲଭି ଭାବଇ ରାଜନ

ଶ୍ରୀକୃଷ୍ଣ ବଜାଏ ବଂଶୀ ରହି ବୃନ୍ଦାବନ ।

କାଳ ସର୍ପ ତୁଲ୍ୟ ଦଂଶେ ଯାର ବଂଶୀସ୍ଵନ

ଯା ନାମ ଶୁଣିଲେ କମ୍ପେ ମୋ ପଞ୍ଚପରାଣ ।

ଦେବଙ୍କର ଛଳେ ମୋତେ ମାରିବାର ପାଇଁ

ଜନମ ଲଭି ଶ୍ରୀକୃଷ୍ଣ ଅଛି ବ୍ରଜସାଇଁ ।

ମାରିବା ପାଇଁକି ତାକୁ ନାନା କଥା କଲି

ପୂତନାକୁ ଅଷ୍ଟମଲ୍ଲ ଗୋପକୁ ପେଶିଲି ।

କେହି ନ ଫେରିଲେ ସମସ୍ତଙ୍କୁ ସେ ମାଇଲା

ଏତେ ଭାଳି କଂସାସୁର ମନେ ଭୟ କଲା ।

 

ଅକ୍ରୂରର ଗୋପପୁରକୁ ଗମନ

କି କରିବି ନିଶ୍ଚେ ମୋର ହୋଇଲା ମରଣ

ବିଶ୍ଵାସେ ଅକ୍ରୂର ରାଇ ବୋଲଇ ବଚନ ।

ହେ ମନ୍ତ୍ରୀ ଅକ୍ରୂର ତୁହି ଗୋପପୁରେ ଯିବୁ

ଗୋପ ନୃପ ନନ୍ଦ ପାଶେ ମୋର ଲେଖା ଦେବୁ

ରାମକୃଷ୍ଣ ବେନିଭାଇ ଆସିବେ ଯେମନ୍ତେ

ତେମନ୍ତ ଉପାୟ କରି ଘେନିଆସ ଏଥେ ।

ଉପାୟ କରିଣ ବହୁ ପ୍ରକାର ଏଠାରେ

ଦୁଇଭାଇଙ୍କୁ ମାରିବି କୀଟ ପରକାରେ ।

ତାହାଙ୍କୁ ଯଦ୍ୟପି ମୁହଁ ମାରି ନ ପାରିବି

କେମନ୍ତେ ରାଜାଧିରାଜ ମୁହିଁ ବୋଲାଇବି ।

ସେ ଦୁଇ ବାଳକ ମୋର ହୃଦେ ହେଲେ ଶର

ଯାଅ ବେଗେ ଅକ୍ରୂର ହେ ଆଣ ନନ୍ଦବାଳ ।

ଏତେ ବୋଲି ନିଜ ହସ୍ତେ ଚିଟାଉ ଲେଖିଲା

ମୁଦିକରି ମନ୍ତ୍ରୀ କରେ ତତକାଳେ ଦେଲା ।

ଦିବ୍ୟରଥ ଏକ ସଜ କରାଇ ଆଣିଲା

ସୁଖେ ଯାଅ ବୋଲି ରଥେ ନେଇ ବସାଇଲା ।

କଂସର ଚିଟାଉ ଘେନି ଅକ୍ରୂର ହସ୍ତରେ

ରଥରେ ବସିଲା ଯାଇ ମହା ଆନନ୍ଦରେ ।

ରାଜା ଆଜ୍ଞା ମାନି ମନ୍ତ୍ରୀ ରାଜଦାଣ୍ଡେ ଚଳି

ଦେଖି ପୁର ନର-ନାରୀମାନେ ମନେ ଭାଳି ।

ବୋଲନ୍ତି ଦେଖ ଅକ୍ରୂର ଯାଏ ଗୋପପୁର

ଆଣିବ ରାମକୃଷ୍ଣଙ୍କୁ ପେଶେ କଂସାସୁର ।

ସତେ ସେ ବେନି ଭାଇଙ୍କି ନୟନେ ଦେଖିବା

ଆମ୍ଭର ପାପ ଜୀବନ ସଫଳ କରିବା ।

ଧୀରେ ଧୀରେ ରଥ ବାହି ଚଳଇ ଅକ୍ରୂର

ମନେ ବିଚାରଇ ଆଜ ଯିବି ଗୋପପୁର ।

ଧନ୍ୟ ମୋର ପିତାମାତା ଧନ୍ୟ ମୋ ଜୀବନ

ଅଶେଷ ଜନ୍ମର ପାପ କରିବି ଦହନ ।

ବ୍ରହ୍ମା ଚନ୍ଦ୍ର ରୁଦ୍ର ଇନ୍ଦ୍ର କୁବେର ବରୁଣ

ଅନୁକ୍ଷଣେ ଧାଉଛନ୍ତି ଯାହାଙ୍କ ଚରଣ ।

ସେହି ପାଦ ରଜ ଆଜ ଅଙ୍ଗେ ହେବି ବୋଳି

ବିଚାରି ଅକ୍ରୂର ଏହା ବୃନ୍ଦାବନେ ଚଳି ।

ଦେଖିଲେ ସେ ବୃନ୍ଦାବନ ଅତି ମନୋହର

ଗୋବର୍ଦ୍ଧନ ଗିରିବର ଦିଶଇ ସୁନ୍ଦର ।

ବହଇ ବସନ୍ତ ସଦା ତହିଁ ଘନ ଘନ

ରାତ୍ର ଦିବା ଦୁଇ ତହିଁ ନହୁଏ ବାରିଣ ।

ଯେଉଁ ବନେ ନିଶାଚର ସର୍ବଦା ଉଦୟ

ଯେଉଁ ବୃନ୍ଦାବନେ ନାହିଁ ହିଂସ୍ରଜନ୍ତୁ ଭୟ ।

ଯେଉଁ ବନ ସୀମା ଛୁଏଁ ନାହିଁ ବୈଶ୍ଵାନର

ଯହିଁ କାଳ ଜାଣି ବୃଷ୍ଟି କରେ ପୁରନ୍ଦର ।

ଯେଉଁ ବୃନ୍ଦାବନ ରଜ ଘେନିଲେ ମୁଣ୍ଡରେ

ନ ପଡ଼ଇ ପ୍ରାଣୀ କେଭେ ଶମନ ଦଣ୍ଡରେ ।

ଅମର ଔଷଧ ଯେଉଁ ବନେ ଅଛି ରହି

ଯେଉଁ ବନେ ଥିଲେ ଭୋକ ଶୋକ ବାଧେ ନାହିଁ ।

କ୍ଷୁଧା ତୃଷା ନ ଲାଗଇ ଯେ ବନେ ପଶିଲେ

କରନ୍ତି ଅମରେ ଲୋଭ ଯାହାକୁ ଦେଖିଲେ

ନିତ୍ୟ ରାସସ୍ଥଳୀ ଯେହୁ ବ୍ରହ୍ମାଣ୍ଡ ନାଥର

ବଲ୍ଲଭ ଯୁବତୀ ତହିଁ କରନ୍ତି ବିହାର ।

ଯହିଁ ରାଧ। ନାମ ବହି ଲକ୍ଷ୍ମୀ କରେ ବାସ

ଅଚ୍ୟୁତ ଦାସର ମନ ତହିଁ କରୁ ବାସ ।

ସେହି ବନେ ଅକ୍ରୂର ଯେ ପ୍ରବେଶ ହୋଇଲା

ରାମକୃଷ୍ଣ ଗୋପାଳଙ୍କୁ ଦୂରୁ ଅନାଇଲା ।

ଦେଖିଲା ଗୋପାଳମାନେ ନାନାରଙ୍ଗେ ଖେଳି

ଶିଙ୍ଗ। ବେଣୁ ବଜାଇଣ ଚରାନ୍ତି ବାଛୁରୀ ।

ଗୀତ ଗାଉଅଛି କେହୁ ବୋଲି ହରି ହରି

କେହୁ ବାଡ଼ି ବୁଲାଇ କେ ଯାଏ ଚିରାମାରି ।

ଆସୁଅଛନ୍ତି ତାହାର ସଙ୍ଗେ କାମପାଳ

କାଦମ୍ବରୀ ପାନେ ସଦା ହୋଇ ମତିଭୋଳ

ଅଛନ୍ତି ମାଧବୀଲତା ତଳେ ବନମାଳୀ

ସଙ୍ଗତରେ ନାହିଁ କେହି ବଜାନ୍ତି ମୁରଲୀ ।

କଦମ୍ବ ମୂଳେ କିଶୋରୀ କୃଷ୍ଣବେଶ ହୋଇ

ତ୍ରିଭଙ୍ଗୀ ଛନ୍ଦରେ ଉଭା ମୁରଲୀ ବଜାଇ ।

ରାଈର ମୋହନ ରୂପ ଦେଖି ସେ ଅକ୍ରୂର

ମୂର୍ଚ୍ଛିତ ହୋଇଣ ପଡ଼େ ରଥର ଉପର ।

କାଳିନ୍ଦୀ ସଞ୍ଚାରି ମନ୍ଦ ସମୀର ପରଶେ

କିଛିକ୍ଷଣେ ଚେତା ଲଭି ରଥପରେ ବସେ ।

କିଶୋରୀ ମୋହନ ରୂପ ତ୍ରିଭୁବନ ମୋହେ

ପଲକଶୂନ୍ୟ ନୟନେ ତେଣୁ ରଥେ ଚାହେଁ ।

ମାଧବୀ ଲତାର ତଳେ କୃଷ୍ଣଙ୍କୁ ନିରେଖି

ରାଧାର ମୋହିନୀ ରୂପ ନୀପମୂଳେ ଦେଖି ।

ଅକ୍ରୂର ମନେ ବିଚାରେ କି ବୁଦ୍ଧି କରିବି

ୟାଙ୍କ ମଧ୍ୟେ କିଏ କୃଷ୍ଣ କେମନ୍ତେ ଚିହ୍ନିବି ।

ଅଛନ୍ତି କଦମ୍ବ ମୂଳେ କୃଷ୍ଣ ବିଜେ କରି

ପୁଣି ଲତା ତଳେ ସେହୁ ବଜାନ୍ତି ମୁରଲୀ ।

ଏମନ୍ତ ବିଚାରି ଦେଲା ଗୋଷ୍ଠକୁ ଅନାଇ

ଦେଖିଲା ଗୋପାଳ ଛନ୍ତି କୃଷ୍ଣ ରୂପ ବହି ।

ଧବଳ ମୂରତି ରାମ ସୁନ୍ଦର ଦିଶନ୍ତି

ଗୋପସୁତ ମେଳେ ଧେନୁ ଚରାଉ ଅଛନ୍ତି ।

ଧୂଳିରେ ଧୂସର ଅଙ୍ଗ ଦିଶେ ସପ୍ତଫଣୀ

ଚରାନ୍ତି ଗୋପାଳବୃନ୍ଦ ସଙ୍ଗେ ବତ୍ସା ଘେନି ।

ଏମନ୍ତ ଦେଖି ଅକ୍ରୂର ହୋଇଲା ଚକିତ

ମନେ ବିଚାରଇ ଏତ ବଡ଼ ଅଦଭୂତ ।

ମାଧବୀର ତଳେ କୃଷ୍ଣ ନୀପମୂଳେ କୃଷ୍ଣ

ପୁଣି ଦେଖିଅଛି ଧେନୁ ଚରାନ୍ତି ଶ୍ରୀକୃଷ୍ଣ ।

କେବଳ ଦେଖିଛି ଯାର ମୂରତି ଧବଳ

ଶିରେ ସପ୍ତଫେଣୀ ସାଜେ ଶ୍ରୀଭୁଜେ ମୂଷଳ ।

ସେହି ସିନା କାମପାଳ ରୋହିଣୀ ନନ୍ଦନ

ଆଉ ସେ ଅଛନ୍ତି ଯେତେ ସକଳେ ସମାନ ।

ସର୍ବେ ଚତୁର୍ଭୁଜଧାରୀ ଘନ ନୀଳକାନ୍ତି

ତେଜୋମୟ ଦିଶନ୍ତି ସେ ସବୁରି ମୂରତି ।

କାହାକୁ ଚିହ୍ନିବି ଏବେ କୃଷ୍ଣ ବୋଲିକରି

ମାତ୍ରକ ଶୁଣିଛି କୃଷ୍ଣ ସଦା ବଂଶୀଧାରୀ ।

ତେବେ ଦୁଇଜଣ ଏଥେ ଛନ୍ତି ବଂଶୀଧର

ଜଣେ ନୀପମୂଳେ ଜଣେ ମାଧବୀର ତଳ ।

କଦମ୍ବ ମୂଳରେ ଯେହୁ କରେ ବଂଶୀ ସ୍ଵନ

ତା’ପରି ସୁନ୍ଦର ଦେଖି ନଥିଲା ନୟନ ।

ତପତ କାଞ୍ଚନ ଜିଣି ଗୌର ରୂପଧାରୀ

ଶୁଣିଛି ଶ୍ରୀକୃଷ୍ଣ କାନ୍ତି ନୀଳଘନ ପରି ।

ମାଧବୀ ଲତାର ତଳେ ଯେହୁ ଅଛି ରହି

ଚିକ୍‌କଣ କାଳିଆ ରୂପ ତାହାର ଅଟଇ ।

କୋଟିଚନ୍ଦ୍ର ଜିଣି ମୁଖ ଦିଶଇ ସୁନ୍ଦର

ଆଜାନୁଲମ୍ବିତ ବାହୁ କିବା ମନୋହର ।

କି ବିଶାଳ ବକ୍ଷସ୍ଥଳ ରତ୍ନମାଳେ ପୂରି

କେକୀ ପୁଚ୍ଛ ବାଙ୍କଚୂଳ ଦିଶେ କି ମାଧୁରୀ ।

ରାଧା ରାଧାବୋଲି ସେ ଯେ କରେ ବଂଶୀସ୍ଵନ

ଉଛୁଳେ ଯମୁନା ନଈ କମ୍ପେ ବୃନ୍ଦାବନ ।

କେମନ୍ତେ ଚିହ୍ନିବି କୃଷ୍ଣ ଗୋପବାଳ କେହୁ

ଏମନ୍ତ ଭାବି ଚିତ୍ତରେ ଚିନ୍ତେ ମହାବାହୁ ।

ବୋଇଲେ ଆରତତ୍ରାଣ ଆରତନାଶନ

ହେ ପଦ୍ମଲୋଚନ ପ୍ରଭୁ ପତିତପାବନ ।

ହେ ଲକ୍ଷ୍ମୀ ନାୟକ ଦେବ ଯଶୋଦାନନ୍ଦନ

କାଳୀୟଗଞ୍ଜନ ପ୍ରଭୁ ଯାମଳାଭଞ୍ଜନ ।

କରୁଣାସାଗର ବୋଲି ଘୋଷଇ ସଂସାର

ମାୟାଧର ନାମ ପୁଣି ଜଗତେ ପ୍ରଚାର ।

ଦୈତ୍ୟାରି ମାଧବ ବିଷ୍ଣୁ କେଶବ ଅନନ୍ତ

ଭକ୍ତବତ୍ସଳ ଗୋବିନ୍ଦ ଗୋପୀ-ପ୍ରାଣନାଥ ।

ମୁକୁନ୍ଦ ମାଧବ ମଧୁସୂଦନ ମୁରାରୀ

ଶ୍ରୀକର ଶ୍ରୀଧର ସୀତାକାନ୍ତ ରାବଣାରି ।

ବନମାଳୀ ସୁଦର୍ଶନ ଶ୍ରୀପତି ମୋହନ

ବିମ୍ବାଧର ବଇକୁଣ୍ଠ ବକାବିମର୍ଦ୍ଦନ ।

ପରମାନନ୍ଦ ହେ ପଦ୍ମନାଭ ଚକ୍ରଧାରୀ

ଶ୍ରୀକୃଷ୍ଣ ବାଳମୁକୁନ୍ଦ ବରଜବିହାରୀ ।

କଳାକାହ୍ନୁ କାମଦେବ ପୁଣି ସତ୍ୟବାଦୀ

ଶ୍ରୀରାମ ରାଘବ ରଘୁରାଣ ଅଘ ଛେଦି ।

ବାମନ ପରଶୁରାମ ରାଜୀବଲୋଚନ

ଶ୍ୟାମସୁନ୍ଦର ଗରୁଡ଼ଧ୍ୱଜ ଜନାର୍ଦ୍ଦନ ।

ଖରରିପୁ ଦାଶରଥି କୌଶଲ୍ୟାନନ୍ଦନ

ଯଦୁ କଉରବ ଇନ୍ଦ୍ର ଦେବକୀନନ୍ଦନ ।

କରୁଣାକର କେଶବ କୌମୋଦକୀଧାରୀ

ଦୈତ୍ୟରିପୁ ଗୋପୀନାଥ ଗୋକୁଳବିହାରୀ

ଘନଶ୍ୟାମ ନୀଳକାନ୍ତି ନୟନାଭିରାମ

ମୁହଁକି ବର୍ଣ୍ଣିବି ତବ ରୂପ ଗୁଣଧାମ ।

ଅଜ୍ଞାନୀ ଅଧମ ମୂଢ଼ ଅଟେ ସିନା ମୁହିଁ

ଜାଣି କି ପାରିବି ତବ ମାୟା ଭାଗଗ୍ରାହୀ ।

ଏହିରୂପେ ମନ୍ତ୍ରୀବର ସ୍ତୁତି ଆରମ୍ଭିଲା

ଏକଲୟ ହୋଇ କୃଷ୍ଣପାଦେ ଧ୍ୟାନ କଲା ।

ରୁଦ୍ଧହେଲା କଣ୍ଠ ପ୍ରେମେ ହୋଇ ଗଦଗଦ

ନୟନୁ ଲୋତକ ଗଡ଼ି ତିନ୍ତିଯାଏ ପାଦ ।

ପ୍ରେମେ ପୁଲକିତ ତନୁ ଭାବାବେଶେ ତାର

କମ୍ପୁଛି ସର୍ବାଙ୍ଗ ତାର ହୋଇ ଥରହର ।

କରଯୋଡ଼ି ବୋଲେ ତ୍ରାହି କର ଜନାର୍ଦ୍ଦନ

ତୁମ୍ଭ ପାଦପଦ୍ମେ ମୁହିଁ ଗଲିଟି ଶରଣ ।

ଏମନ୍ତ କହି ଅକ୍ରୂର ହତଜ୍ଞାନ ହେଲା

ପୁଣି ଚେତା ପାଇ ସେହି ତାଙ୍କୁ ଯେ ବୋଇଲା

ଅନନ୍ତ କୋଟି ବ୍ରହ୍ମାଣ୍ଡ ତୋର ଗର୍ଭେ ଲୀନ

ତୋ ପାଦ ଚିନ୍ତନ୍ତି ଯୋଗୀ ଯୋଗେ ହୋଇ ମଗ୍ନ

ବ୍ରହ୍ମା ରୁଦ୍ର ଇନ୍ଦ୍ର ଚନ୍ଦ୍ର ତୋର ସ୍ତୁତି ଭଣି

ତୋର ନଖକୋଣେ ବାସ କରେ ମନ୍ଦାକିନୀ ।

ତୋହର ମାୟାକୁ ଦେବେ ନ ପାରନ୍ତି ଜାଣି

ମୁଁ କାହୁଁ ଜାଣିବି ଅଟେ ପାଷାଣ୍ଡ ଅଜ୍ଞାନୀ ।

ତୋ କୋଳେ କମଳା ଥାଇ ନ ଜାଣେ ତୋ ମାୟା

ଆହେ ପ୍ରଭୁ ଚକ୍ରଧର କର ମୋତେ ଦୟା ।

ଜନ୍ମେ ଜନ୍ମେ ତୋର ପାଦେ ଅଟଇ ମୁଁ ଦାସ

ଯେବେ ହେଲି ଅପରାଧୀ କମଳାବିଳାସ ।

ଯାହାକୁ କରୁଣା ତୁହି କରୁ ଭାବଗ୍ରାହୀ

ସେହି ତୋର ପାଦପଦ୍ମେ ବିଲୀନ ହୁଅଇ ।

ଯାହାକୁ ତୁ କ୍ରୋଧବହି କରୁ ଶିରଚ୍ଛେଦ

ବୈକୁଣ୍ଠେ ବସାଇ ତାକୁ ଦେଉ ବ୍ରହ୍ମପଦ ।

ପରାପର ତୋହଠାରେ ଭିନ୍ନାଭିନ୍ନ ନାହିଁ

ଏଣୁ ତୋ ପରମାନନ୍ଦ ନାମ ଭାବଗ୍ରାହୀ ।

ସ୍ଥାବର ଜଙ୍ଗମ କୀଟ ପତଙ୍ଗ ମଧ୍ୟରେ

ଶରୀର ପ୍ରାଣରେ ତୁହି ବସୁ ସର୍ବଠାରେ ।

ନ ଜାଣି ବା ଅପରାଧ ଯେବେ କଲି ମୁହିଁ

ଦାସ ଦୋଷ କ୍ଷମା କର ବ୍ରହ୍ମାଣ୍ଡ ଗୋସାଇଁ ।

କଂସର ଆଦେଶ ମାନି ମଥୁରାରେ ଥାଏ

ଯେତେବେଳେ ଯହିଁ ପେଶେ ତହିଁକି ମୁଁ ଯାଏ ।

ସେ କଂସ ଅସୁର ବଳେ ବଳୀୟାନ ହେଲା

ମତ୍ତ ଗରବରେ ଭଲ ମନ୍ଦ ନ ଜାଣିଲା ।

ଯେତେବେଳେ ଯେ ଆଦେଶ କରଇ ପ୍ରଦାନ

ମାନିବାକୁ ତାହା ବାଧ୍ୟ ଯେଣୁ ତା ଅଧୀନ ।

ପୂତନା ସହିତେ ଯେତେ ଅସୁର ପେଶିଲା

କେ କାହିଁ ମଲେ ହଜିଲେ ବାରତା ନ ଗଲା ।

ତେଣୁ ଧନୁ ମହୋତ୍ସବ ଅଛିଟି ଭିଆଇ

ତୁମ୍ଭଙ୍କୁ ନେବାକୁ ମୋତେ ଦେଇଛି ପଠାଇ ।

ବୋଲିଛି ରାମ-କୃଷ୍ଣଙ୍କୁ ବହନ ଆଣିବୁ

ଏ ଲେଖାକୁ ନେଇ ନନ୍ଦ ହସ୍ତରେ ତୁ ଦେବୁ

ଧନୁ ଉତ୍ସବର କଥା ତାହାକୁ କହିଣ

ରାମକୃଷ୍ଣ ବେନିଭାଇ ଆଣିବୁ ବହନ ।

ବିଶ୍ୱାସେ ମୋତେ ପେଶନ୍ତି କଂସ ନରସାଇଁ

କି କଥା କହିବି ଏଣେ ବୁଦ୍ଧି ଦିଶୁନାହିଁ ।

ଭୃତ୍ୟଭାବେ ସେବା କରିଅଛି ନିରନ୍ତରେ ।

ରାଜଦ୍ରୋହୀ ହେବି ନିଶ୍ଚେ ତା ଆଜ୍ଞା ଭାଙ୍ଗିଲେ ।

ପ୍ରଭୁର ଆଦେଶ ଯେବେ ସେବକ ମେଣ୍ଟଇ

ମାତା ପିତା ବାକ୍ୟ ଯେବେ ପୁତ୍ର ନ ପାଳଇ ।

ପତ୍ନୀ ଯେବେ ସ୍ୱାମୀ ଆଜ୍ଞା କରଇଟି ଆନ

ଗୁରୁ ଆଜ୍ଞା ଶିଷ୍ୟ ଯେବେ କରଇ ଲଙ୍ଘନ ।

ବ୍ରାହ୍ମଣ ବୈଷ୍ଣବ ଅବା ଯୋଗୀ ବୟୋଜ୍ୟେଷ୍ଠ

ଏମାନଙ୍କ ଆଦେଶ ଯେ କରଇଟି ନଷ୍ଟ ।

ଯାହାଠାରୁ ଯେବା ଦିନେ ଅନ୍ନ ଖାଇଥାଇ

ସେ ଯାହା ବୋଇଲେ ତାହା ମେଣ୍ଟି ତ ନୁହଇ

ବେଦଶାସ୍ତ୍ର ପୁରାଣକୁ ମୁଖେ ଯେ ନିନ୍ଦଇ

ସୁଜନମାନଙ୍କୁ ଯେ କୁତ୍ସିତ କଥା କହି ।

ଅନୁକ୍ଷଣେ ପର ସଙ୍ଗେ ବାଦ ଯେହୁ କରେ

ଗର୍ବପଣ ଗୋଟି ଯେହୁ ବହେ ହୃଦୟରେ ।

ଅତିଥି ଦେଖିଲେ ଯେହୁ ଭର୍ତ୍ସନା କରନ୍ତି

ପରହିଂସା ପରକୁତ୍ସା କରଇ ଯେ ନିତି ।

ପରଧନ ପରନାରୀ କରେ ଯେ ହରଣ

ପରର ଅନିଷ୍ଟ ଚିନ୍ତା କରେ ଯେହୁ ପୁଣ ।

ଏମନ୍ତ ଜନ ହୁଅଇ ଦୁଃଖରେ ପୀଡ଼ିତ

ମରଣ କାଳରେ ବାନ୍ଧିନିଏ ଯମ ଦୂତ ।

ଦରିଦ୍ର ହୁଅଇ ସେହୁ ସାତ ଜନ୍ମଯାଏ

ଯହିଁ ଗଲେ ତହିଁ ହୁଏ ତାର ଅପଚୟେ ।

ସ୍ୱାମୀଠାରେ ନାରୀ ଯେବେ ଭକତି ନ କରେ

ବୈଧବ୍ୟ ଦୁଃଖ ଲଭେ ସେ ଜନ୍ମଜନ୍ମାନ୍ତରେ ।

ତୀର୍ଥବ୍ରତ ଧର୍ମ କର୍ମ ସବୁ ତାର ନଷ୍ଟ

ହରି ଅଭକତ ଜନ ଭୋଗେ ନାନା କଷ୍ଟ ।

କୁମ୍ଭୀପାକେ ପଡ଼ି ନାନା ଯାତନା ଲଭଇ

କେବେହେଁ ଗତି ମୁକତି ତାହାରଟି ନାହିଁ ।

ତେଣୁକରି କଂସ ଆଜ୍ଞା ଲଙ୍ଘି ନ ପାରିଲି

ତାର ଲେଖା ଘେନି ହରି ତୋ ପାଶେ ଅଇଲି

ଖଡ଼ଗ ଉଞ୍ଚାଇ କ୍ରୋଧେ ହୋଇଲା ପ୍ରଚଣ୍ଡ

ବୋଇଲା ଆଜ୍ଞା ଲଙ୍ଘିଲେ କାଟିବି ତୋ ମୁଣ୍ଡ ।

କଂସ କ୍ରୋଧ ଦେଖି ମୁଁ ଯେ ଭୟରେ ଆସିଲି

ଭାଗ୍ୟେ ବୃନ୍ଦାବନେ ତବ ପ୍ରବେଶ ହୋଇଲି ।

କଂସ ଲେଖା ଧରି ଆସିଅଛି ଭାବଗ୍ରାହୀ

ଚିହ୍ନି ନ ପାରଇ ତୋତେ ବ୍ରହ୍ମାଣ୍ଡ ଗୋସାଇଁ

ଶିଙ୍ଗା ବାଡ଼ି ହସ୍ତେ ଘେନି ପ୍ରଭୁ କାମପାଳ

ଚରାଉଛନ୍ତି ବାଛୁରୀ ହୋଇ ମତିଭୋଳ ।

ଗୋପାଳ ଅଛନ୍ତି ଯେତେ ତବ ରୂପ ବହି

ମାଧବୀ ଲତାର ତଳେ କୃଷ୍ଣେକ ଅଛଇ ।

ନୀପମୂଳେ ଏକ କୃଷ୍ଣ ଦୀପ୍ତ ହେମ କାନ୍ତି

ରାଧେ ରାଧେ ବୋଲି ବଂଶୀ ବଜାଉ ଅଛନ୍ତି ।

ଚିହ୍ନି ନ ପାରି ମୁଁ ତୋତେ ପଡ଼ିଛି ବିପଦେ

ଚିହ୍ନା ଦେଇ ନାଥ ମୋଦ ଜନ୍ମାଅ ମୋ ହୃଦେ ।

ମାୟାଧର ଯେବେ ମାୟା କରିବୁ ମୋଠାରେ

ଚିହ୍ନି ନ ପାରି ମୁଁ ଫେରିଗଲେ ମଧୁପୁରେ ।

ନିଶ୍ଚେ ଦୁଷ୍ଟ କଂସ ମୁଣ୍ଡ କାଟିବ ମୋହର

ହତ୍ୟାରେ କାରଣ ତୁହି ହେବୁ ଚକ୍ରଧର ।

ପାପୀହସ୍ତେ ଦାସ ଯେବେ ମରେ ମହାବାହୁ

ଭକତବତ୍ସଳ ନାମ ରହିବ ତୋ କାହୁଁ ।

କଂସଦୂତ ବୋଲି ଯେବେ ଘୃଣା କରୁ ତୁହି

ଚକ୍ରଦ୍ୱାରା ତୋର ମୁଣ୍ଡ ନ କାଟୁ କିମ୍ପାଇଁ ।

ଅକ୍ରୂର ଏମନ୍ତ ଭାବେ କାର୍ପଣ୍ୟ ଆଚରି

କରଯୋଡ଼ି ବିନୟରେ ଅର୍ଦ୍ଧମୃତ ପରି ।

ଅକ୍ରୂର ମନକୁ ଜାଣି ପ୍ରଭୁ ଭାବଗ୍ରାହୀ

ବିଚାରନ୍ତି ଆସିଛି ଏ ମୋତେ ନେବା ପାଇଁ ।

ମାୟା କରି ଯେବେ ମୁହଁ ନ ଦେବି ଦର୍ଶନ

ଜୀବନ ହାରିବ ନିଶ୍ଚେ ସଫଳାନନ୍ଦନ ।

ନ ଗଲେ ମୁଁ ମଧୁପୁରୀ ନ ମରିବ କଂସ

ଧରଣୀର ଭାରା କାହୁଁ ହେବ ବା ଉଶ୍ୱାସ ।

ସୁସ୍ଥରେ ରହିବେ କାହିଁ ଅମରେ ଅମର

ଆଜୀବନେ ପିତାମାତା ଥିବେ କାରାଗାର ।

ପରମ ଭକତ ମୋର ସଫଳା ନନ୍ଦନ

ଦେଖି ମୋ ଲାବଣ୍ୟ ରୂପ ତୋଷ କରୁ ମନ ।

ଗୋପକୁ ପଠାଇଦେବି ନନ୍ଦ ଆଗେ କହୁ

କଂସର ଆଦେଶ ଗୋପ ନଗରେ ଜଣାଉ ।

ମୋ ନାମେ ରାଧା ମୁରଲୀ ଫୁଙ୍କେ ଘନ ଘନ

ମୁଁ ଗଲେ ଏକ୍ଷଣି ରାଧା ତେଜିବ ଜୀବନ ।

ତାକୁ ବୋଧକରି ପଛେ ଗୋପପୁରେ ଯିବି

ସେ ମୋର ପ୍ରେମପସରା ପରାଣ ବାନ୍ଧବୀ ।

ଏତେ ବୋଲି ମାଧବୀର ମୂଳେ ଭାବଗ୍ରାହୀ

ଆସ ହୋ ଅକ୍ରୂର ବୋଲି ମୁରଲୀ ବଜାଇ ।

ଧୀରେ ଧୀରେ ଗୋପିନାଥ କରନ୍ତି ଗମନ

ରଥପରେ ଥାଇ ଦେଖେ ସଫଳାନନ୍ଦନ ।

ମନେ ମନେ ବିଚାରନ୍ତି ନିଶ୍ଚେ ଭଗବାନ

ଅନ୍ତର୍ଯ୍ୟାମୀ ପୁରୁଷ ହେ ଜାଣି ମୋର ମନ ।

ବଂଶୀସ୍ୱନେ ଡାକି ଡାକି କରନ୍ତି ଗମନ

ରଥପରେ ଥାଇ ଦେଖେ ସଫଳାନନ୍ଦନ ।

ପରମପୁରୁଷ ପ୍ରଭୁ ଦେବକୀନନ୍ଦନ

ନିଶ୍ଚୟ ହରିବ ଏହୁ ଧରାର କଷଣ ।

ଏ ପାପ ନୟନ ଆଜି ପବିତ୍ର ହୋଇଲା

କେଉଁ ଜନ୍ମେ କେତେ ପାପ ଅବା କରିଥିଲା ।

ଏମନ୍ତ ବିଚାରି ରଥୁ ଓହ୍ଲାଇ ଅକ୍ରୂର

ହା ନାଥ ବୋଲିଣ ଲୋଟେ ଧରଣୀ ଉପର ।

ପୁଣ ପୁଣ ଉଠି ପାଦେ ପଡ଼ଇ ଅକ୍ରୂର

ବୋଇଲା ମୋ ପୂର୍ବଜନ୍ମ ପାପ ହେଲା ଦୂର ।

ଜନମ ସଫଳ ହେଲା ତବ ପାଦ ଦେଖି

ପବିତ୍ର ହୋଇଲା ନେତ୍ର ଶ୍ରୀମୁଖ ନିରେଖି ।

ଜନ୍ମେ ଜନ୍ମେ ତୁମ୍ଭର ମୁଁ ଅଟେ ନିଜ ଦାସ

ମୋର ଅପରାଧ କ୍ଷମା କର ପୀତବାସ ।

ଏତେ ବୋଲି ପାଦତଳେ ପଡ଼େ ପୁଣ ପୁଣ

ଅକ୍ରୂର ଭାବରେ ବଶ ହୋଇ ନାରାୟଣ ।

କୋଳକରି ଅକ୍ରୂରକୁ ବସାଇ ସଧୀରେ

ମନ୍ଦ ମନ୍ଦ ହସି ବାଣୀ ଭାଷନ୍ତି ମଧୁରେ ।

ତୁମ୍ଭେ ମୋର ଗୁରୁଜନ ଅଟ ପୂଜନୀୟ

ତୁମ୍ଭ ବଂଶେ ଜନ୍ମ ମୋର ଅଟଇ ନିଶ୍ଚୟ ।

ତୁମ୍ଭେ ଜାତ ହେଲେ ମୁଁ ନିଶ୍ଚୟ ହୁଏ ଜାତ

ଏଥିରେ ସଂଶୟ କିଛି ନାହିଁଟି ହୋ ତାତ ।

ରାକ୍ଷସମାନେ ଜନମି ପ୍ରବଳ ହୋଇଲେ

ଦେବତାଏ ତାଙ୍କ ଯୋଗୁ କଷଣ ଲଭିଲେ ।

ତେଣୁ ସିନା ଜନମ ହୋଇଲି ଏଥେ ମୁହିଁ

ଦେବତାଙ୍କ ଆକୁଳ ମୁଁ ନ ପାରଇ ସହି ।

ତାହା କି ନ ଜାଣୁ ତୁହି ଭକତ ଅଗ୍ରଣୀ

ଏବେ କହ ପିତାମାତାଙ୍କର ଶୁଭବାଣୀ ।

ଅଜା ଉଗ୍ରସେନ ବୁଢ଼ା ଅଛି କି କୁଶଳେ

ମଧୁନଗରକୁ ମାମୁଁ ପାଳେଟିକି ଭଲେ ।

ଭଲେ ଛନ୍ତିଟିକି ମଧୁପୁର ପ୍ରଜାଗଣ

ମାମୁଁ ମୋର ସୁଖରେ ଛନ୍ତିଟି କହ ପୁଣ ।

ମାଈଁମାନେ କୁଶଳରେ ଛନ୍ତି ନା ମୋହର

ଯଦୁକୁଳ ବାସୀଙ୍କର କୁହ ହେ ଖବର ।

ପାତ୍ର ଅମାତ୍ୟ ଯେ ସୁଖେ ଅଛନ୍ତିଟି ରହି

ମୋ କଥାକି ମାଈଁଙ୍କର ମନେପଡ଼େ ନାହିଁ ।

ମାମୁଁଙ୍କର ଆଜ୍ଞା ତୁମ୍ଭେ ନ ପାର ହେ ଟାଳି

ତାର ଆଜ୍ଞା ଘେନି ତେଣୁ ଆସିଛ ସଙ୍ଖାଳି

ଅନ୍ତୋଡ଼ିଶାଳେ ସଙ୍ଖୋଳି ଆସିଲା ପୂତନା

ସ୍ତନପାନ କରୁ ତାର ଫାଟିଲା ମୂର୍ଦ୍ଧନା ।

ଷଣ୍ଢା ଯେ ଶକଟା ଆଦି ବକା ଅଘାସୁର

ଏମାନେ ସଙ୍ଖୋଳି ମୋତେ ଗଲେ ଯମପୁର

କାଳିନ୍ଦୀ ହ୍ରଦରୁ ପଦ୍ମ ମୋତେ ତୋଳାଇଲା

ଶତେ ଭାର ପଦ୍ମ ମାଈଁ ଲାଗି ନେଇଗଲା ।

ଇନ୍ଦ୍ର ଛଳେ ଗୋବର୍ଦ୍ଧନ ଧରିଲି ମୁଁ କରେ

ସେକଥା କହିଲେ ଚାରେ ମୋ ମାମୁଁ ଆଗରେ

ବିଜୁଳି କହିଲା ମାଈଁ ତାହା ପାଶୋରିଲା

ନାରଦ କହିବା କଥା ମିଛ କି ମଣିଲା ।

ଜାଣିଲି ମୋ ମାମୁଁ କରେ ବଡ଼ ଅବିଚାର

ଶୁଣିଲା କଥାକୁ ମନେ ନ ଧରେ ତାହାର ।

ଯେଉଁ କଥା ଗୋଟି ମାମୁଁ ନେତ୍ରେ ନ ଦେଖଇ

ସେ କଥା ଗୋଟିକୁ ମାମୁଁ ପ୍ରତେ ନ କରଇ ।

ଏବେ ହୋ ଅକ୍ରୂର ତୁମ୍ଭେ କହ ସତ୍ୟବାଣୀ

କିମ୍ପାଇ ପେଶିଲା ତୋତେ ବ୍ରଜଧାମେ ପୁଣି

ଏହା ଶୁଣିଣ ଅକ୍ରୂର ଯୋଡ଼ି ବେନିକର

ମହାଭୟେ ଅଙ୍ଗ ତାର କମ୍ପେ ଥରହର ।

ମନେ ବିଚାରଇ ମୁଁ ଯେ ମନ୍ଦକର୍ମ କଲି

କଂସର ବଚନେ ଯାହା ଗୋପକୁ ଆସିଲି ।

ଯେତେକ ପେଶିଲା ଦୂତ ଦୁଷ୍ଟ କଂସାସୁର

କେହି ଜଣେ ହେଲେ ଫେରି ନାହିଁ ମଧୁପୁର ।

ଏବେ ମୁଁ ଜାଣିଲି କଂସ ପ୍ରାଣେ ହେବ ନାଶ

ଯେବେ ମଥୁରାକୁ ଯିବେ କମଳାବିଳାସ ।

ବୋଲଇ ଅକ୍ରୂର କୃଷ୍ଣ ଶ୍ରୀମୁଖକୁ ଚାହିଁ

ଦେଇଛି ଚିଟାଉ ରାଜା ପଢ଼ ଭାବଗ୍ରାହୀ ।

କହିଛି ମୋର ଭଣଜା କୃଷ୍ଣ ହଳଧର

ଆଣିବୁ ତାହାଙ୍କୁ ସଙ୍ଗେ ଘେନି ମଧୁପୁର ।

ମୋହର ଶ୍ରୀମୁଖ କଥା ନନ୍ଦ ପାଶେ ଦେବୁ

ବିଳମ୍ବ ନ କରି ରାମ କୃଷ୍ଣଙ୍କୁ ଆଣିବୁ ।

ସେହି ଲେଖା ଘେନି ଏଥେଁ ଆସିଅଛି ମୁହିଁ

ଏଥିରେ ମୋହର ଦୋଷ ନାହିଁଟି ଗୋସାଈଁ ।

ଅକ୍ରୂର ବଚନେ କୃଷ୍ଣ ବୋଲନ୍ତି ଉତ୍ତର

ଦେବକାର୍ଯ୍ୟ ଅର୍ଥେ ନିଶ୍ଚେ ଯିବି ମଧୁପୁର ।

ଯାଅ ହେ ଅକ୍ରୂର ପିତା ନନ୍ଦଙ୍କ ଛାମୁକୁ

କଂସର ଶ୍ରୀମୁଖ ଲେଖା ଦେବ ସିନା ତାଙ୍କୁ ।

ବୁଝାଇ କହିବ ଯେହ୍ନେ ଯିବେ ସେ ବିଶ୍ୱାସ

କଂସ କହି ପଠାଇଛି ଯେବଣ ସନ୍ଦେଶ ।

ଯେଉଁପରି ଗୋପୀମାନେ ନ କରନ୍ତି ଦ୍ୱନ୍ଦ୍ୱ

ବୁଝିବା ପ୍ରକାରେ ତୁହୋ କର କୂଟ ଛନ୍ଦ ।

ନନ୍ଦ ଯଶୋଦାଙ୍କୁ ତୁହି ବିଶ୍ୱାସେ ଡାକିବୁ

ଛନ୍ଦକଥା କହି ତାଙ୍କ ମନ ଭୁଲାଇବୁ ।

ବିଶ୍ୱାସ ନ କଲେ ତୁମ୍ଭ କହିବା କଥାକୁ

କଦାଚନ ଛାଡ଼ିବେନି ମୋତେ ମଥୁରାକୁ ।

ଗୋପପୁରେ କୋଳାହଳ ଯେହ୍ନେ ନ ପଡ଼ିବ

ତେସନ ଗୋପୀମାନଙ୍କୁ ଭୁଲାଇ କହିବ ।

କୃଷ୍ଣର ବଚନ ଶୁଣି ଅକ୍ରୂର ଆନନ୍ଦ

କରପତ୍ର ଯୋଡ଼ି ବୋଲେ ଶୁଣ ହୋ ଗୋବିନ୍ଦ

ତୁମ୍ଭ ଆଜ୍ଞା ଘେନିକରି ଗୋପପୁରେ ଯିବି

ନନ୍ଦ ଯଶୋଦା ଗୋପୀଙ୍କି ବୁଝାଇ କହିବି ।

ଅଛନ୍ତି ପରମଲକ୍ଷ୍ମୀ ରାଧା ଗୋପପୁରେ

ମୋତେ ଯେବେ ଶାପ ଦେବେ ନ ବୁଝି କୋପରେ

ମହାଲକ୍ଷ୍ମୀ ଶାପ କେଭେଁ ନ ଯାଏ ଖଣ୍ଡନ

ଏ କଥାକୁ ଭୟ ମୋତେ ଲାଗେ ଭଗବାନ ।

କୃଷ୍ଣ ବୋଲନ୍ତି ନ ହେବ ତୋତେ ଶାପ ବାଧା

ଥିବେ ଯହିଁ କୃଷ୍ଣ ତହିଁ ଥିବେ ସିନା ରାଧା ।

ଅଛି ଗୋପପୁରେ ରାଧା ନ ଥିବେ ଅକ୍ରୂର

କୃଷ୍ଣବାଣୀ ଶୁଣି ମନ୍ତ୍ରୀ ଯୋଡ଼ି ବେନି କର ।

ବୋଲଇ ମୁଁ ନିଜେ ଦାସ ଅଟଇ ତୋହର

କଥା ଏକ ପଚାରିବି କହ ଦାମୋଦର ।

ଯେତେବେଳେ ମଥୁରାରୁ ଆସି ବୃନ୍ଦାବନେ

ଚିହ୍ନି ନ ପାରିଲି ତୋତେ ଖୋଜି ମନେ ମନେ

ସମସ୍ତ ଗୋପାଳ ତୋର ସମାନ ଦିଶିଲେ

ତୁହି ସିନା ଥିଲୁ ନାଥ ମାଧବୀର ତଳେ ।

ଶିଙ୍ଗା ବେଣୁ ହସ୍ତେ ଧରି ଗୋଷ୍ଠେ କାମପାଳ

ଦେଖିଲି ନୟନେ ମୋର ଶୁଣ ନନ୍ଦବାଳ ।

ଆବର କଥାଏ ତହିଁ ଦେଖିଲି ମୁରାରୀ

କଦମ୍ବତଳେ କେ ଥିଲା କୃଷ୍ଣରୂପ ପରି ।

ତପତ କାଞ୍ଚନ ଜିଣି ବର୍ଣ୍ଣ ତା ଦିଶଇ

ଚମ୍ପକ ଚପଳା ଜ୍ୟୋତି ସମାନ ନୁହଇ ।

ହସ୍ତରେ କିଙ୍କିଣୀ ତାର ପୟରେ ନୂପୁର

କଟିରେ କିଙ୍କିଣୀଦାମ ବାଜଇ ମଧୁର ।

ଲଲାଟରେ ଗୋରଚନା ଚିତା ଶୋଭା ପାଏ

ନୟନେ କଜ୍ଜ୍ୱଳ ରେଖା ଜଗଜ୍ଜନ ମୋହେ ।

ସୁଝୀନ ପୀତ ପତନୀ ଅଙ୍ଗେ ଅଛି ଜଡ଼ି

ବାରି କେ ପାରନ୍ତା ନାହିଁ ନଥିଲେଟି ଧରି ।

ମଖମଲ ଝୁମ୍ପା ବେଶୀ ଚରଣେ ଲମ୍ବିଛି

ପକ୍ୱ ରମ୍ଭାଦଳେ କଳାନାଗ କି ଖେଳୁଛି ।

ହାସ ପ୍ରକାଶିଲେ ଜଣାଯାଉଛି ଏସନ

ଚନ୍ଦ୍ରମା କି ସୁଧା ଧାରା କରେ ବିତରଣ ।

ଅଙ୍ଗୁଳିରେ ରତ୍ନମୁଦି ପାଉଅଛି ଶୋଭା

ନାସାରେ ବସଣୀ ନିନ୍ଦେ ଶୁକ୍ରତାରା ପ୍ରଭା ।

କେକୀପୁଚ୍ଛ ବାଙ୍କଚୂଳ ତାଳୁରେ ଶୋଭୁଛି

ତ୍ରିଭଙ୍ଗୀ ଠାଣିରେ ନୀପମୂଳେ ରହିଅଛି ।

ମନ୍ଦ ମନ୍ଦ ମୁରଲୀ ବଜାଏ ଘନଘନ

ନିରତେ ଡାକଇ ରାଧେ ଆସ ବୃନ୍ଦାବନ ।

ଭକତର ବନ୍ଧୁ ଯେବେ ଅଟୁ ଜଗନ୍ନାଥ

ମାୟା ନ କରି ମୋଠାରେ କହ ପ୍ରଭୁ ସତ ।

ତବ କାନ୍ତି ଦିଶେ ଇନ୍ଦ୍ର ନୀଳମଣି ପରି

ନୀପମୂଳିଆର କାନ୍ତି ଦଗ୍‌ଧ ହେମ ସରି

ବିଜୁଳିର ତେଜ ଯେହ୍ନେ ଝଟକେ ଆକାଶେ

ସେହିପରି ପ୍ରଭା ମୋତେ ନୀପମୂଳେ ଦିଶେ ।

ନୟନେ ପଡ଼ିଲା ଯହୁଁ ନ ଚଳିଲା ପାଦ

କେଉଁ କୃଷ୍ଣ ଅଟେ ସେହୁ ଚିହ୍ନାଅ ଗୋବିନ୍ଦ

ସଦୟ ହୃଦୟେ ମୋତେ କହ ଦାମୋଦର

ଏମନ୍ତ ଭାଷି ଅକ୍ରୂର ଯୋଡ଼ି ବେନି କର ।

କାଞ୍ଚନ ବରନ କୃଷ୍ଣ କଥା ମୋତେ କହ

ଅକ୍ରୂର ବଚନେ କୃଷ୍ଣ ହସି ଟହ ଟହ ।

ବୋଇଲେ ଅକ୍ରୂର ଶୁଣ ମୋହର ବଚନ

ଯାହା ପଚାରିଲୁ ତୁହି ହୋଇ ଏକମନ

ହେମକାନ୍ତି କୃଷ୍ଣ ଗୁଣ କେ କହି ପାରିବ

ଯା ରୂପକୁ ଭାବି ନ ପାରନ୍ତି ସଦାଶିବ ।

ଦଶବାର ଅବତାର ହେଲି ଏ ମହୀରେ

କାଞ୍ଚନ ବରନ କୃଷ୍ଣ ଦେଖି ନାହିଁ ଥରେ ।

ଭାଗ୍ୟବଳେ ଦେଖିଲୁ ତୁ ମୋର ନେତ୍ର ଯୁଗେ

ଆବର କଥାଏ ଶୁଣ କହୁଛି ତୋ ଆଗେ ।

ଦୁଷ୍ଟ ଦାନବକୁ ନାଶି ଦ୍ଵାରକାକୁ ଯିବି

ସେଠାରେ କାଞ୍ଚନ କୃଷ୍ଣ କଥାକୁ କହିବି ।

ଏବେ ସେ କୃଷ୍ଣର କଥା ମୋତେ ନ ପଚାର

ବିଳମ୍ବ ନ କରି ତୁହୋ ଯାଅ ଗୋପପୁର ।

ଅକ୍ରୂରକୁ ମାୟାଧର ମାୟା ଲଗାଇଲେ

ଯା ମାୟାକୁ ବ୍ରହ୍ମା ଶିବ ଜାଣି ନ ପାରିଲେ ।

ଅକ୍ରୂର ସେ ମାୟା କାହିଁ ପାରିବଟି ଜାଣି

ମୋହିତ ହୋଇଲେ ତହୁଁ କୃଷ୍ଣ କଥା ଶୁଣି ।

ଆଜ୍ଞା ଶିରେ ଧରି ରଥେ ଚଢ଼ିଲା ଅକ୍ରୂର

ଧୀରେ ଧୀରେ ବୃନ୍ଦାବନୁ ହୋଇଲା ବାହାର ।

ଦୂରୁ ଦେଖି ଗୋପପୁର ହୋଇ ଚମତ୍କାର

ବୋଲେ ଧନ୍ୟ ବିଶ୍ୱକର୍ମା ଗଢ଼ିଲୁ ଏ ପୁର ।

ଅମରାବତୀ ଏ ପୁର ସଙ୍ଗେ ନୋହେ ସରି

ନିର୍ମାଣିଛି ବିଶ୍ଵକର୍ମା କେତେ ଯତ୍ନ କରି ।

ସବୁଦିନ ବସନ୍ତର କ୍ରୀଡ଼ାଭୂମି ଏହି

ମନ୍ଦ ମରୁତ ମଳୟ ନିରତେ ବହଇ ।

ପ୍ରଜାଙ୍କର ମନ ଜାଣି ପାଳଇ ମଘବା

ଦୁର୍ଭିକ୍ଷ ଏଠାରେ ସ୍ଥାନ ପାଇବ କାହିଁବା ।

ସାତବାରରେ ଏଥିରେ ଭ୍ରମେ ଲୋକମାତା

ଗୁପତେ ଶୁଣନ୍ତି ଦେବେ ରହି କୃଷ୍ଣ କଥା ।

ଏ ଗୋପ ସୀମାରେ ବହେ ଯମୁନାର ଧାର

ଏ ପୁରେ ଯମର କେଭେ ନାହିଁ ଅଧିକାର ।

ଏ ପୁରେ ଅଛନ୍ତି ରାମ ବଳେ ବଳିୟାର

ହେଉଅଛି ଧର୍ମ ଚର୍ଚ୍ଚା ଏଥି ନିରନ୍ତର ।

ଘରେ ଘରେ ପୁରେ ପୁରେ ଗୋପରେ ଆନନ୍ଦ

ସକଳେ ବୋଲନ୍ତି ମୁଖେ ଶ୍ରୀରାମ ଗୋବିନ୍ଦ ।

କେଉଁ ଗୋପୀ ଗୃହେ ଅନ୍ନ କରଇ ରନ୍ଧନ

ମୁଖେ ବୋଲୁଅଛି ତ୍ରାହି ନନ୍ଦର ନନ୍ଦନ ।

କେଉଁ ଗୋପୀ ନୟନରେ ଘେନଇ ଅଞ୍ଜନ

ମୁଖେ ତାର କରୁଅଛି ହରିନାମ ଗାନ ।

କେ ତାମ୍ବୁଳ ଭାଙ୍ଗି ରଖି ହୁଅଇ ଆନନ୍ଦ

ଆଜ ମୋ ପୁରକୁ ବିଜେ କରିବେ ଗୋବିନ୍ଦ ।

କେହି ଦଧି ମନ୍ଥେ କୃଷ୍ଣ ନାମେ ଗୀତ ଗାଇ

ପଲଙ୍କେ ଶୋଇଣ କେହୁ ବୋଲେ ଭାବଗ୍ରାହୀ ।

ବାଳକ ଖେଳାଇ କେହୁ ବୋଲେ ଢଗଗୀତ

ଗୋ ଦୋହନ କରି କେହୁ ବୋଲଇ ଅଚ୍ୟୁତ

ଶୁକସାରୀକି ପଢ଼ାନ୍ତି କେହୁ ଉଚ୍ଚସ୍ୱରେ

ପଢ଼ ଶୁକସାରୀ ତୁମ୍ଭେ ରାମକୃଷ୍ଣ ହରେ ।

ପକ୍ଷୀ ଜନମରୁ ଯେବେ ହୋଇବରେ ପାରି

ମୁଖେ ଉଚ୍ଚାରଣ କର ମୁକୁନ୍ଦ ମୁରାରୀ ।

ମଞ୍ଜାରୀ ମୁଖେ କେ ନେଇ ଦେଇ ଦୁଧଭାତ

ବୋଲେ ବୋଲରେ ମଞ୍ଜାରୀ ମୁଖେ ଗୋପୀନାଥ ।

କହି ନିଜ ସ୍ୱାମୀ ସଙ୍ଗେ କରି କଳି ଦ୍ଵନ୍ଦ

ବିକଳେ କାନ୍ଦଇ ମୋତେ ରଖ ହେ ଗୋବିନ୍ଦ ।

ସୁଖରେ ବସି କେ ମୁଖେ କୃଷ୍ଣ କୃଷ୍ଣ ବୋଲେ

କେ କୃଷ୍ଣ ବୋଲଇ ଥାଇ ଗୃହର ଜଞ୍ଜାଳେ ।

ଯହିଁ ଚଳଇ ଅକ୍ରୂର ତହିଁ ହରି ଧ୍ୱନି

ଶୁଣିକରି ଚକିତେ ଭାଳଇ ମନ୍ତ୍ରୀମଣି ।

ଏ ପୁର ଗୋଟିକ ଅଟେ ଦେବଙ୍କ ଦୁର୍ଲ୍ଲଭ

ଧନ୍ୟ ଧନ୍ୟ ଗୋପପୁର ନରନାରୀ ସର୍ବ ।

ଏପରି ଭୁବନ କାହିଁ ଦେଖି ମୁଁ ନ ଥିଲି

କଂସ ଯୋଗୁ ଏ ପୁରକୁ ସିନା ମୁଁ ଦେଖିଲି ।

ପୁଣି ରହୁବରେ ଚଢ଼ି ବୁଲେ ସାହି ସାହି

ଆନନ୍ଦ ଲଭଇ ମନେ ଗୋପୀଙ୍କି ଅନାଇ ।

 

ଲଳିତା ବିଶାଖାଙ୍କର କଥୋପକଥନ

ଶୁକଦେବ କହୁଛନ୍ତି ପରୀକ୍ଷେ ଅନାଇ

ଏଥୁଅନ୍ତେ ଯାହା ହେଲା ଶୁଣ ମନଦେଇ ।

ଲଳିତା ଗୃହେ ବିଶାଖା ଧୀରେ ଧୀରେ ଯାଇଁ

ବୋଲନ୍ତି ଶୁଣ ଗୋ ସଖୀ କଥା ଏକ ତୁହି

ଦକ୍ଷିଣ ନୟନ ମୋର ସ୍ଫୁରେ ଘନ ଘନ

କେଜାଣି ଗୋପେ କି ଆଜ ପଡ଼ିବ କଷଣ ।

ପୁରୁଷଙ୍କ ବାମ ନେତ୍ର ଯେବେ ଗୋ ସ୍ଫୁରଇ

ଅବଶ୍ୟ ବିପତ୍ତି ତାକୁ ଅଚିରେ ଘୋଟଇ ।

ନାରୀର ସ୍ଫୁରଇ ଯେବେ ଦକ୍ଷିଣ ନୟନ

ଅବଶ୍ୟ ସଜନୀ ତାକୁ ପଡ଼ଇ କଷଣ ।

ଏ କଥା ପଣ୍ଡିତ ମୁଖୁ ଅଛି ମୁହିଁ ଶୁଣି

ତେଣୁକରି ମନେ ମୋର କରଇ ଭାଳେଣି ।

ବିଶାଖାର ବାଣୀ ଶୁଣି ଲଳିତା ବୋଲଇ

ଗୋପପୁରେ କୃଷ୍ଣ ଥିଲେ ବିପତ୍ତି ଗୋ ନାହିଁ ।

ଆସିଥିଲା ପୂତନା ଗେ। ବହୁ ଗର୍ବ କରି

ବେନି ସ୍ତନ ମଧ୍ୟେ ଦୁଗ୍‌ଧ କାଳକୂଟ ଭରି ।

ଅନ୍ତୁଡ଼ିଶାଳେ କୃଷଙ୍କୁ କ୍ଷୀର ଖୁଆଇଲା

କ୍ଷୀରପାନ କରାଇଣ ନିଜେ ନାଶ ହେଲା ।

କ୍ଷୀର ସଙ୍ଗେ ତା ପ୍ରାଣକୁ ଶୋଷିଲେ ଗୋବିନ୍ଦ

ସେ କୃଷ୍ଣ ଥିଲେ ଆମର କେଭେ ନାହିଁ ମନ୍ଦ

ଯାମଳାର୍ଜ୍ଜୁନେ ଅସୁର ଗୁପ୍ତେ ରହିଥିଲା

ଯଶୋଦା ରାଣୀ ତହିଁରେ କୃଷ୍ଣଙ୍କୁ ବାନ୍ଧିଲା ।

ଭାଙ୍ଗିଲେ ଯାମଳାର୍ଜ୍ଜୁନେ ରକ୍ଷ ପଡ଼ି ମଲା

ପୁଣି ହିଁ ଶକଟ ରୂପେ ଦୈତ୍ୟେକ ଅଇଲା ।

ମାଇଲେ ତାହାକୁ କୃଷ୍ଣ ଏ ଗୋପ ନଗରେ

ବେନି ଫାଳ କଲେ ପୁଣି ଧରି ବକାସୁରେ ।

ଅଘା ଅଇଲା ମାଇଲେ ତାକୁ ଦେବ ହରି

ତାହାର ବାରତା କଂସ ନ ପାଇଲା ଫେରି ।

ଷଣ୍ଢା ତନୁ ବହି ପୁଣି ରାକ୍ଷସେ ଅଇଲା

ବୃନ୍ଦାବନେ ବତ୍ସା ମେଳେ ଗୁପ୍ତେ ରହିଥିଲା ।

ଚିହ୍ନି ମାଇଲେ ତାହାକୁ ସେହି ନନ୍ଦବଳା

ଗୋପପୁରେ ଗୋପାଳଙ୍କ ଭୟ ଦୂର ହେଲା ।

ବତ୍ସାସୁରକୁ ଆବର ସେହି ତ ମାଇଲା

ଯେତେକ ପେଶିଲା କଂସ କେହି ନ ଫେରିଲା

ହରିର କରରୁ କେହି ନାହାନ୍ତି ବରତି

ସେଥିରେ ଗୋପରେ କାହୁଁ ପଡ଼ିବ ବିପତ୍ତି ।

ଜାଣିଲେଣି ମଧୁପୁର ନରନାରୀମାନେ

ଗୋପେ ଗଲେ ଆଉ ନ ଫେରିବେ ରକ୍ଷମାନେ

ଏଣୁ ଉପାୟ କରିଣ ଦିଅନ୍ତି ପଠାଇ

ମନ ଜାଣି ତାହାକୁ ମାରନ୍ତି ଭାବଗ୍ରାହୀ ।

ନ ଆସିଲେ ନିଶାଚରେ କଂସ କରେ ରୋଷ

ଆସିଲେ ଗୋପକୁ କୃଷ୍ଣ କରନ୍ତି ବିନାଶ ।

ବୃନ୍ଦାବନେ କୃଷ୍ଣଚନ୍ଦ୍ର ଛନ୍ତି ପଣକରି

ଯେତେକ ଦୈତ୍ୟ ପେଶିବେ କଂସ ଗୋପପୁରୀ

ଅବଶ୍ୟ ମାରିବି ସତ୍ୟ ସତ୍ୟ ଗୋ ମୋହର

ତୁମ୍ଭେ ଗୋପୀମାନେ କିଛି ଭୟ ହେ ନ କର

କୃଷ୍ଣର ବଚନ କେଭେ ଅସତ୍ୟ ନୁହଇ

ସେହି ଭୟରେ ହେ ଆଉ ଆସିଲେଟି ନାହିଁ ।

ଲଳିତା ବୋଲଇ ସଖୀ ଶୁଣ ମୋ ବଚନ

ଦକ୍ଷିଣ ନୟନ ଯେବେ ସ୍ଫୁରେ ଘନ ଘନ ।

ଶ୍ରୀକୃଷ୍ଣର ନାମ ତୁହି ନିରନ୍ତରେ ଭାବ

ନାମେ ଆଶ୍ରା କଲେ ତୋର ବିପତ୍ତି ଘୁଞ୍ଚିବ ।

ସେ କୃଷ୍ଣ ଅଟନ୍ତି ଆମ୍ଭ ଜୀବନର ନାଥ

ତେଣୁ ସିନା ନାମ ବହିଛନ୍ତି ଗୋପୀନାଥ ।

ଆମ୍ଭର ସକଳ କଥା ତାହାଙ୍କୁ ଲାଗଇ

ସେଥିରେ ବିପଦ ପୁଣି କି କରି ପାରଇ ।

ବିଶାଖା ଲଳିତା ଏହି ରୂପେ କୁହାକୁହି

ହୋଇବାର ବେଳେ ବୃନ୍ଦା ତହିଁ ମିଳିଯାଇ ।

ବୋଇଲେକ କଥା ଏକ କହିବଇଁ ମୁହିଁ

ଶୁଣିବଟି ଦୁଇ ସଖୀ ସାବଧାନ ହୋଇ ।

କୃଷ୍ଣ ଆଜି ମୋର ପୁରେ ବିଜେ କରିଥିଲେ

ଗୁପତ ଭାବରେ ମୋତେ କଥାଏ କହିଲେ ।

ବୋଇଲେ ଲୋ ବୃନ୍ଦାବତୀ ଶୁଣ ମୋ ବଚନ

ଆଜି ଫୁଲ ତୋଳି ତୁଗୋ ଯିବୁ ବୃନ୍ଦାବନ ।

ସୁବାସ କୁସୁମମାନ ତୋଳି ତୁ ଆଣିବୁ

ଯତ୍ନକରି ତାହା ନେଇ ପୁରେ ରଖିଥିବୁ ।

ଗୋପୀଗଣ ସଙ୍ଗେ ନେଇ ଆସିବଇଁ ଆଜ

କୁସୁମରେ ତାହାଙ୍କୁ ମୁଁ ସଜାଇବି ସଜ ।

ସୁବାସ କୁସୁମ ଦେବୁ ବେଣୀ ମୁଁ ସାଜିବି

ବାଛି ଚମ୍ପକ କଳିକା ଲଲାଟେ ଖଞ୍ଜିବି ।

ଗଳାରେ ମୁଁ ଲମ୍ବାଇବି ସେବତୀର ମାଳ

ରଙ୍ଗଣୀର ଗୁଚ୍ଛେ କର୍ଣ୍ଣ ସାଜିବ କେବଳ ।

ବାହୁରେ ନିଆଳୀ ଫୁଲେ ବାହୁଟି କରିବି

ଜାଇଯୂଈ ମାଳ ନେଇ ହୃଦେ ଲମ୍ବାଇବି ।

ନାନାଜାତି ପୁଷ୍ପେ ଆଜ ଗୋପୀଙ୍କି ମଣ୍ଡିବି

ଆଜି ମୁଁ ତାଙ୍କରି ପଞ୍ଚ ପରାଣ ତୋଷିବି ।

ଏହିରୂପେ ମୋତେ କହି ସେ ନାଗରମଣି

ଧେନୁ ଚରାଇଣ ଗଲେ ରାମ ସଙ୍ଗେ ଘେନି ।

ମନେ ମୁଁ ବିଚାର କରି ଗତ କଥାମାନ

କୃଷ୍ଣ ନିକି ମୋତେ ପୁଣ ଦେବେ ଅପମାନ ।

ଏହିରୂପେ ଥରେ ଡାକି କୁଞ୍ଜବନେ ନେଲେ

କନ୍ଧରେ ବସାଇ ତଳେ କଚାଡ଼ି ସେ ଦେଲେ ।

ସେହି କଥାମାନ ମୋର ମନରେ ପଡ଼ିଲା

ତେଣୁ କୃଷ୍ଣ କଥାରେ ମୋ ବିଶ୍ୱାସ ନ ହେଲା ।

ବିଚାରିବାକୁ ସେ କଥା ଯୋଗୁଁ ମୁଁ ଅଇଲି

ମନକୁ କିପରି ଆସେ କହ ମୋତେ ଆଳି ।

ମନରେ ବିଚାର ଗୋ କେମନ୍ତ କଥା ଏହୁ

ମାୟାଧର କୃଷ୍ଣ ମାୟା କରିବେ କି ଆଉ ।

ପାସୋର ନ ଯାଏ ମନୁ ଗତକଥା ଯେତେ

ତୁମ୍ଭେ ଗୋପୀମାନେ ଦେଖିଅଛ ନେତ୍ରପଥେ

ତୁମ୍ଭେ ସମସ୍ତେ ଯେ କଲ ଶୁଣି ମୋ ରୋଦନ

ତୁମ୍ଭ ଯୋଗେ ସଖୀ ସିନା ପାଇଲି ଜୀବନ ।

ସେହୁ କଥାମାନ ଶୁଣି ମନେ ଲାଗେ ଡର

ଆଉ ଯେତେ କଥା କଲେ ସେ ନଟ ନାଗର

ଆମ୍ଭର ପାଲଟା ବାସ ଚୋରାଇଣ ନେଲେ

କଦମ୍ବ ଡାଳରେ ନେଇ ତାହାକୁ ବାନ୍ଧିଲେ ।

ଭୂତ ହୋଇକରି ଦିନେ ରାଧାକୁ ଲାଗିଲେ

ଗୁଣିଆ ରୂପରେ ପୁଣି ଆସି ଛଡ଼ାଇଲେ ।

ମୂଷା ହୋଇକରି ଖୋଷା କାଟିଲେ ମାଧୋଇ

ମଞ୍ଜାରୀ ରୂପକୁ ଧରି ଦହି ଦୁଧ ଖାଇ ।

ସୁଶୀଳା ଘରୁ ଲବଣୀ ଦିନେ କଲେ ଚୋରି

ଦେଖି ବାନ୍ଧି ପକାଇଲା ସେ ସୁଶୀଳା ନାରୀ ।

ଗମ୍ଭୀରି ମଧ୍ୟରେ ତାଙ୍କୁ ପୂରାଇ ରଖିଲା

କବାଟ କିଳି ସୁଶୀଳା ନନ୍ଦପୁରେ ଗଲା ।

ଯଶୋବନ୍ତୀଙ୍କୁ ଡାକିଲା ଯାଇ କ୍ରୋଧଭରେ

ଡାକ ଶୁଣି ଗୋପୀମାନେ ଧାଇଁଲେ ସତ୍ଵରେ ।

ତର୍ଜନ ଗର୍ଜନ କରି ଡାକଇ ସୁଶୀଳା

ବେଗେ ଆସି ନନ୍ଦରାଣୀ ଦେଖ ତୋର ବଳା

ତୋ ପୁତ୍ର ନିତି ଲବଣୀ ଖାଏ ଚୋରି କରି

କ୍ରୋଧ ହେଉଥାଉ ପରା କରିଲେ ଗୁହାରି ।

ଗୋପପୁରେ ଷଣ୍ଢ କିଲୋ ହୋଇଛି ତୋ ପୁଅ

କଂସ ରାଜାକୁ କି ତାର ତିଳେ ନାହିଁ ଭୟ ।

ତାର ଲାଗି ବାଟଘାଟ ଚାଲି ନ ପାରିଲି

ଶାଶୁ ନଣନ୍ଦଙ୍କଠାରୁ ଗଞ୍ଜଣା ପାଇଲି ।

ଏଡ଼େ ଦୁଷ୍ଟ ପୁତ୍ର ଜାତ କଲୁ ତୁ କାହିଁକି

ବିଧାତାକି ଅଣାଇଲା ଆମ୍ଭରି ପାଇଁକି ।

ବନ୍ଧାହୋଇ ଗମ୍ଭୀରିର ମଧ୍ୟେ ଅଛି ପଡ଼ି

ଆଜି ତୋର ପୁତ୍ରକୁ ଲୋ ନ ଦେବି ମୁଁ ଛାଡ଼ି ।

ନ ରହିଲେ ଗୋପ ପଛେ ଯିବି ଆନ ଦେଶ

ଆସ ଆସ ଯଶୋବନ୍ତୀ ତୋର ପୁତ୍ର ପାଶ ।

ସବୁଦିନେ ଏହିପରି ଖାଉଛି ଚୋରାଇ

କହିଲେ ତ ମିଛ ମଣୁ ଏବେ ଦେଖ ଯାଇଁ ।

ସୁଶୀଳାର ଏହି କଥା ଶୁଣି ନନ୍ଦରାଣୀ

କୃଷ୍ଣଙ୍କୁ କାଖେ ଘେନିଣ ବାହାରିଲେ ପୁଣି ।

ବଳରାମଙ୍କର ହସ୍ତ ଧରିଣ ଅଛନ୍ତି

ଏପରି ଭାବେ ଯଶୋଦା ବାହାରି ଆସନ୍ତି ।

ସୁଶୀଳାକୁ ବୋଲନ୍ତି ସେ ଅତି କ୍ରୋଧ ହୋଇ

କାହିଁକି ଏପରି ରାଗ ହେଉଛୁ ଲୋ ତୁହି ।

ମୋର ପୁତ୍ରେ ଆଜି ଘରୁ ନାହାନ୍ତି ବାହାରି

କିପରି ଭାବେ ଲବଣୀ ଖାଇଲେ ତୋହରି ।

ମୋର କଥା ଶୁଣିଥାଅ ସର୍ବ ଗୋପୀମାନେ

ମୋ ପୁତ୍ର ନାମେ ମିଛ ଏ କହୁଛି କେସନେ ।

ଦେଖଲୋ ଅଛନ୍ତି ରାମ କୃଷ୍ଣ ମୋର ପାଶେ

ଅକାରଣେ କୋପ ହୋଇ କହୁଛି ଅଦୋଷେ ।

ଏହିପରି ସବୁଦିନେ ଗାଳି ଦେଉଥାଏ

କେତେ ତପ କରି ମୁଁ ଲୋ ପାଇଛି ତନୟେ ।

ସୁଶୀଳା ଦେଖିଲା ଯଶୋଦାଙ୍କ ନିକଟରେ

କୃଷ୍ଣ ବଳରାମ ଛନ୍ତି କାଖରେ କ୍ରୋଡ଼ରେ ।

ଏହା ଦେଖି ସୁଶୀଳା ଯେ କିଛି ନ କହିଲା

ଆଶ୍ଚର୍ଯ୍ୟ ହୋଇଣ ତହୁଁ ଲେଉଟି ଅଇଲା ।

ନିଜ ମନ୍ଦିରେ ଆସିଣ ପ୍ରବେଶ ହୋଇଲା

କବାଟ ଫେଡ଼ି ଗମ୍ଭୀରି ଘରକୁ ଚାହିଁଲା ।

ଦେଖିଲା ଆପଣା ପୁତ୍ର ବନ୍ଧା ହୋଇଅଛି

ଲାଜରେ କାହାରେ ଆଉ ନ କହିଲା କିଛି ।

ଦେଖ କୃଷ୍ଣ ମାୟାଧର କି ମାୟା ଜାଣନ୍ତି

ଯା ମାୟାରେ ଯୋଗୀଜନେ ପଡ଼ି ଭ୍ରମୁଛନ୍ତି ।

ଅଙ୍ଗରେ ଜ୍ୱର ଆସିଣ ହୋଇଲେ ପ୍ରବଳ

ରୋଗକୁ ଚିହ୍ନି ଔଷଧ ଦିଏ ନନ୍ଦବାଳ ।

ଦଧି ବିକି ଗଲାବେଳେ ସାଧଇ ସେ ଘାଟ

ନେବା ପାଇଁ ତାହା ପୁଣି କରେ କେତେ ନାଟ ।

ନିକୁଞ୍ଜ ବନରେ ବସି କରେ ବଂଶୀସ୍ଵନ

ପତିବରତାର ବ୍ରତ କରଇ ଖଣ୍ଡନ ।

ବ୍ୟାଘ୍ର ରୂପ ହୋଇ କୁଞ୍ଜବନରେ ଡରାଇ

ଷୋଳ ସହସ୍ର ଗୋପୀଙ୍କୁ ଏକା ସେ ରମଇ ।

ଖର୍ବକଲେ ଗର୍ବ ବହିବାରୁ ବେଦବର

ଇନ୍ଦ୍ର ଦର୍ପ ଚୂର୍ଣ୍ଣ କଲେ ତୋଳି ଗିରିବର ।

କାଳୀଦର୍ପ ଦଳି ପଦ୍ମପୁଷ୍ପ ସେ ତୋଳିଲେ

ଜଳେ ନନ୍ଦ ବୁଡ଼ିଥିଲେ ତାହାଙ୍କୁ ଆଣିଲେ ।

ଆବର ଯେତେକ କର୍ମ କଲେ ଦାମୋଦର

ଗୋପପୁର ଲୀଳାସବୁ ଦେବେ ଅଗୋଚର ।

ବୃନ୍ଦାର ବଚନ ଶୁଣି ଲଳିତା ବିଶାଖା

ବୋଇଲେ ଗୋ ବୃନ୍ଦାବନେ ଯାଅ ଏକା ଏକା ।

ସୁବାସ କୁସୁମମାନ ତୋଳିଣ ଆଣିବ

ଶ୍ରୀକୃଷ୍ଣ କହିବା କଥା କେ ଆନ କରିବ ।

ଆଜି ରଜନୀରେ କୃଷ୍ଣ ତୋ ପୁରକୁ ଯିବେ

ଗୋପୀମାନଙ୍କୁ ଫୁଲରେ ସୁବେଶ କରିବେ ।

ଆମ୍ଭେମାନେ ତାହାଙ୍କର ବାଙ୍କଚୂଳେ ନେଇ

ନାନା ସୁବାସ କୁସୁମ ଖୋସିବା ଗୋ ସହୀ ।

ଜଗମୋହନ ରୂପକୁ ବସି ସଜାଇବା

ତେବେ ସିନା ସହୀ ତାଙ୍କ ମନକୁ ତୋଷିବା ।

ବେଗେ ଯାଅ ସଖୀ ତୁ ଲୋ ବିଳମ୍ବ ନ କର

ଯହିଁକି କରନ୍ତି ଶ୍ରଦ୍ଧା ଯଶୋଦାକୁମର ।

ମାତା ପିତା ପତି ପୁତ୍ର ଆଉ ଗୁରୁଜନ

ଜାତିକୁଳ ସହିତରେ ନନ୍ଦର ନନ୍ଦନ ।

ବିଶାଖା ବଚନ ଶୁଣି ବୃନ୍ଦା ତରତରେ

ସଖୀଙ୍କି ମେଲାଣି ମାଗି ଚଳିଲା ସ୍ଵପୁରେ ।

ସୁଝୀନ ନୀଳ ପତନୀ ଶାଢ଼ୀଏ ପିନ୍ଧିଲା

କୁଙ୍କୁମେ ମର୍ଦ୍ଦିଣ ତନୁ ସୁବେଶ ହୋଇଲା ।

ଶ୍ରୀକୃଷ୍ଣ ସୁମରି ବନେ ବିଜେ କଲା ବାଳା

ଅକ୍ରୂର ରଥରେ ବସି ସବୁ ଶୁଣୁଥିଲା ।

ଗୋପୀମାନଙ୍କର ଭାବ ଦେଖିଣ ସେ ବୀର

ଭାବେ ଗଦଗଦ ନେତ୍ର ବହେ ଅଶ୍ରୁଧାର ।

ବୋଲେ ଧନ୍ୟ ଗୋପୀମାନେ ଜୀବନ ତୁମ୍ଭର

ଭାବେ ବଶ କଲ ତେଣୁ ବ୍ରହ୍ମାଣ୍ଡ ଠାକୁର ।

ଯେତେକ ଗୋପୀଗୋପାଳେ ଗୋପେ ଛନ୍ତି ରହି

ସମସ୍ତେ ଅଛନ୍ତି କୃଷ୍ଣ ପାଦେ ମନ ଦେଇ ।

କେମନ୍ତେ ତେଜିବେ କୃଷ୍ଣ ଭାବ ଏହାଙ୍କର

ଭାବ ଘେନି ଭାବଗ୍ରାହୀ ନାମଟି ଯାହାର ।

ମନେ ପ୍ରତେ ନୁହେ କୃଷ୍ଣ ଗୋପିଙ୍କି ତେଜିବେ

କଂସକୁ ମାରିବା ପାଇଁ ମଧୁପୁରେ ଯିବେ ।

ଗୋପୀମାନଙ୍କର ଭାବ ଦେବେ ଅଗୋଚର

ଏହା ତେଜି କୃଷ୍ଣ କିମ୍ପା ଯିବେ ମଧୁପୁର ।

ମନରେ ମୋହର ଏହା ପରତେ ନୁହଇ

ଜାଣିଛି ନିଶ୍ଚେ କଂସକୁ ନାଶିବେ ମାଧୋଇ ।

ଏହିପରି ଅକ୍ରୂର ଯେ ମନରେ ଭାବଇ

ଆପଣାକୁ ଧନ୍ୟ ବୋଲି ପୁଣି ହିଁ ଭାବଇ ।

ଅଚ୍ୟୁତ ଦାସ ଗୋପୀଙ୍କ ପାଦପଦ୍ମ ଧ୍ୟାୟି

ଭାବେ ଏ ଚିତ୍ତବିନୋଦ ଗୀତକୁ ଲେଖଇ ।

 

ଚିତ୍ତବୋଧ ବା ଚିତ୍ତବିନୋଦ ପ୍ରଥମ ଭାଗ

ଗୋପପୁରରେ ଅକ୍ରୂର ମନଭାବନା ବିଷୟ

ଶୁକଦେବ କହୁଛନ୍ତି ପରୀକ୍ଷ ଅଗ୍ରତେ

ଏ ଉତ୍ତାରୁ ବିଷୟ ହୋ ଶୁଣ ଏକଚିତ୍ତେ ।

ଯେଉଁ ପାଦପଦ୍ମ ଚିନ୍ତା କରେ ପଦ୍ମୋଦ୍ଭବ

ଯେଉଁ ପାଦେ ଦିବାନିଶି ଧାନ କରେ ଶିବ ।

ଯେଉଁ ପାଦେ ମନ୍ଦାକିନୀ ଗୁପ୍ତ ହୋଇଥିଲା

ବହୁ ତପେ ଭଗୀରଥ ନୃପତି ଆଣିଲା ।

ସେହି ପାଦପଦ୍ମରୁ ଯେ ବହେ ସୁଧା ଧାର

ଭାଲେ ବୋଳି ଗୋପୀମାନେ କରନ୍ତି ବିହାର

ନିଜ ସ୍ୱାମୀ ତେଜି କୃଷ୍ଣ ପ୍ରୀତି କଲେ ଆଶ

ଭୁଞ୍ଜନ୍ତି ଶ୍ରୀକୃଷ୍ଣ ମୁଖେ ଆଦରେ ଗୋରସ ।

କୃଷ୍ଣ ଘେନି ବୃନ୍ଦାବନେ କରୁଛନ୍ତି କେଳି

କୃଷ୍ଣ ମୁଖେ ଚୁମ୍ବ ଦାନ କରନ୍ତି ଗୁଆଳୀ ।

ଗୋପୀ ଅଙ୍ଗ ପୁଷ୍ପ କୃଷ୍ଣ ଅଙ୍ଗରେ ଲଗାଇ

କେତେ ତପେ ଏମାନେ ଯେ ଗୋପେ ହେଲେ ଗୋଈ ।

କୃଷ୍ଣ ଅଙ୍ଗେ ଲାଗିଥିଲା ଗୋପୀଙ୍କ ସିନ୍ଦୂର

ନୀଳନଭେ ବାଳଭାନୁ ଉଦୟ ପ୍ରକାର ।

ଗୋପୀଙ୍କ ଗଣ୍ଡରେ କୃଷ୍ଣ ଭାଲରୁ କସ୍ତୁରୀ

ଲାଗିଥଲେ ଦିଶୁଥିବ ଏମନ୍ତ କସ୍ତୁରୀ ।

ସୂର୍ଯ୍ୟମୁଖୀ ଫୁଲରୁ କି କଳା ଷଟପଦ

ପାନ କରୁଅଛି ମଧୁ ହୋଇଣ ଆନନ୍ଦ ।

କୃଷ୍ଣ ମୁଖରୁ ତାମ୍ବୁଳ ଗୋପୀ ମୁଖେ ନେଇ

ସୁରତି ରସରେ ପ୍ରେମେ ହେଉଥିବେ ମୋହି ।

ସର୍ବ ଗୋପୀ ନବଯୁବା ଲକ୍ଷ୍ମୀ ଅଂଶେ ଜାତ

ତେଣୁକରି ବଶକଲେ ବ୍ରହ୍ମାଣ୍ଡର ନାଥ ।

ତେଣୁକରି ଗୋପୀମାନେ କୃଷ୍ଣର ବିଶ୍ଵାସ

କରିଛି ଅଚ୍ୟୁତ ଦାସ କୃଷ୍ଣପଦେ ଆଶ ।

ହରିବଂଶ ବାଣୀ ଏ ଯେ ଅପୂର୍ବ କାହାଣୀ

ଚିତ୍ତ ବୋଧ କର ନରେ ଚିତ୍ତବୋଧ ଶୁଣି ।

ବାଛି କେତେଗୋଟି ଭାବ କଲି ଗ୍ରନ୍ଥସାର

ସୁଦୟା କରିଲେ ମୋତେ ଯହୁଁ ଚକ୍ରଧର ।

କଣ୍ଠେ ବସି ପଦ ମୋତେ ଯହୁଁ ଦେଲେ କହି

ତେଣୁକରି ଚିତ୍ତବୋଧ ଗୀତ କଲି ମୁହିଁ ।

ଶୁକପତି ବୋଲନ୍ତି ହେ ଶୁଣ ପରୀକ୍ଷିତ

ଭକତ ବତ୍ସଳ ଯେଣୁ ପ୍ରଭୁ ଜଗନ୍ନାଥ ।

ଅକ୍ରୂର ଚିଟାଉ ଧରି ଗୋପକୁ ଅଇଲା

ଶ୍ରୀକୃଷ୍ଣର ପାଦପଦ୍ମ ନୟନେ ଦେଖିଲା ।

ଯଦୁବଂଶେ ଜାତ ଯେଣୁ ଅଟେ ସେ ଅକ୍ରୂର

ତେଣୁକରି ବିଶ୍ଵାସୀ ସେ ଅଟଇ କୃଷ୍ଣର ।

କୃଷ୍ଣରେ ଅକ୍ରୂର ଭାବଭରେ ଧ୍ୟାନ କରି

ବୋଇଲା ମୋ ଭାଗ୍ୟେ ଥିଲା ଦେଖିଲି ଏ ପୁରୀ ।

କଂସରାଜା ଦୂତପଣେ ନ ପେଶିଲେ ମୋତେ

ଗୋପୀଙ୍କର ଭାବ କାହିଁ ଦେଖନ୍ତି ମୁଁ ନେତ୍ରେ

ଧନ୍ୟ ମୋ ନୟନ ଆଜ କୃଷ୍ଣଙ୍କୁ ଦେଖିଲା

କୋଟି ଜନ୍ମର ପାତକ ଅଙ୍ଗୁ କ୍ଷୟ ହେଲା ।

ଏସନ ଭାବି ଅକ୍ରୂର କୃଷ୍ଣପାଦ ସ୍ମରେ

ଭାବେ ବେନି ନୟନରୁ ଅଶ୍ରୁଜଳ ଝରେ ।

ଧୀର ଧୀର କରି ରହୁବର ସେ ବାହିଲା

ନନ୍ଦ ସିଂହଦ୍ୱାରେ ଯାଇ ପ୍ରବେଶ ହୋଇଲା ।

ଅକ୍ରୂରକୁ ଦେଖି ଦ୍ଵାରପାଳେ ଲଭି ତ୍ରାସ

ଭୟରେ ନ ଗଲେ କେହି ତାହାଙ୍କର ପାଶ ।

ଦୂରେ ଥାଇ ଦ୍ଵାରପାଳେ ବୋଲନ୍ତି ବଚନ

କେଉଁ ଦେଶୁ ଆସିଲ ହେ ଯିବ କେଉଁ ସ୍ଥାନ ।

କେଉଁ ଦେଶ ନୃପତିର ଅଟ ତୁମ୍ଭେ ଚର

କେଉଁ କାର୍ଯ୍ୟେ ଅବା ଆସିଅଛ ଗୋପପୁର ।

କେ ତୁମ୍ଭର ମାତା ପିତା କହ ସତ୍ୟକରି

କେଉଁ କୁଳଗୋତ୍ର ଜନ୍ମ ଅଟଇ ତୁମ୍ଭରି ।

କିବା ବାଟବଣା ହୋଇ ଗୋପକୁ ଆସିଲ

ରାମକୃଷ୍ଣଙ୍କୁ ଦେଖିବା ପାଇଁ କି ଭାବିଲ ।

ଶୁଣି ନାହଁ କିହେ ଗୋପେ ଛନ୍ତି ହଳଧାରୀ

ଶୁଣି ନାହଁ କିବା ଗୋପେ କୃଷ୍ଣ ଅବତରି ।

ଶୁଣି ନାହଁ କିବା କଂସ ପେଶେ ଯେତେ ଚାର

ସମସ୍ତଙ୍କୁ ବିନାଶିଲେ କୃଷ୍ଣ ହଳଧର ।

ସମସ୍ତେ ହାରିଲେ ପ୍ରାଣ ବାରତା ଦେବାକୁ

କେହି ନ ଫେରିଲେ ଜଣେ ମଧୁନଗରକୁ ।

ଜନମ ଦିନରୁ ଆଠ ବରଷ ପ୍ରମାଣେ

ପାଳିଲେ ଗୋପପୁରକୁ ଶ୍ରୀକୃଷ୍ଣ ଆପଣେ ।

ଯେତେକ ଅସୁର କୃଷ୍ଣ ହସ୍ତେ ଗଲେ ନାଶ

ଏବେ ତାଙ୍କ ଭାଗ୍ୟେ ପଡ଼ିଅଛି ରାଜା କଂସ ।

ଏଣିକି ପାଳିବେ ଦଶ ବର୍ଷ ହଳଧର

ନାହିଁ ତାଙ୍କଠାରେ ଭଲ ମନ୍ଦର ବିଚାର ।

ଶୁଣନ୍ତେ ଅକ୍ରୂର ମନେ ଭୟ ଗଲା ତାର

ବିଚାରଇ ହଳଧର ରୁଦ୍ର ଅବତାର ।

କାଦମ୍ବରୀ ପାନେ ଭୋଳ ଅତି ବଳୀୟାର

ତାଙ୍କରି ଭାଗରେ ଏବେ ଅଛି ଗୋପପୁର ।

ଭଲ ଅବା ମନ୍ଦେ ଯେବେ ଆସେ ଦୂତପଣେ

ନିଶ୍ଚେ ହଳଧର ତାକୁ ନାଶିବେ ପରାଣେ ।

ଯାହାର କ୍ରୋଧକୁ ଭୟ କରନ୍ତି ଅମର

ତା ଭାବେ ପଡ଼ିଲି ଏବେ ନାହିଁ ମୋ ନିସ୍ତାର ।

ଶ୍ରୀହରି ସେବକ ଏ ତ ନ କହନ୍ତି ମିଛ

ନିଶ୍ଚେ ମାରିବେ ଶ୍ରୀକୃଷ୍ଣ ଉଗ୍ରସେନ ବଂଶ ।

ଅସୁର ବିନାଶିବାକୁ ହୋଇଛନ୍ତି ଜାତ

ଦ୍ଵାରପାଳଙ୍କ ବଚନ ଅଟଇ ନିଶ୍ଚିତ ।

ଏମନ୍ତ ବିଚାରି ଭାବି ଆନନ୍ଦ ମନରେ

ରାମକୃଷ୍ଣ ନିଶ୍ଚେ ଯିବେ ମଥୁରା ନଗରେ ।

ପୁଣି ବୋଲେ ଆହେ ନନ୍ଦ ଦ୍ଵାରପାଳ ଶୁଣ

କହୁଅଛୁ ଆମ୍ଭ ଆଗମନର କାରଣ ।

କଂସ ଶ୍ରୀମୁଖ ଚିଟାଉ ଆମ୍ଭେ ଅଛୁ ଆଣି

ଧନୁ ଉତ୍ସବ କରୁଛି ସେହି ବୀରମଣି ।

ଦଧି ଦୁଗ୍‌ଧ ଘୃତ ସର ଶତେ ଭାର ଧରି

ରାମକୃଷ୍ଣ ବେନିଭାଇ ଯିବେ ମଧୁପୁରୀ ।

ନବଦିନ ରହି ଧନୁ ଉତ୍ସବ ଦେଖିବେ

ଶାଢ଼ୀ ସୁନାବଳା ରାଜା ଉପହାର ଦେବେ ।

ସହୋଦର ଭଣଜା ଯେ ତାର ରାମହରି

ନେତ୍ର ପୁରାଇ ଦେଖିବ କଂସ ଦଣ୍ଡଧାରୀ ।

ବେଗେ ଯାଇ ନନ୍ଦ ଆଗେ କୁହ ହେ ସନ୍ଦେଶ

ଶୁଣି ଦ୍ଵାରପାଳଙ୍କର ଉଡ଼ିଲା ସାହସ ।

ପୁଣି ବୋଇଲେ ଅକ୍ରୂର ଶୁଣ ଦ୍ଵାରପାଳ

ଯାହା ପଚାରିଲ ତୁମ୍ଭେ କେଉଁ ରାଜା ଚାର ।

କଂସ ରାଜା ଚାର ମୁହଁ ସଫଳାର ସୁତ

ଅକ୍ରୂର ନାମ ମୋହର ଯଦୁବଂଶେ ଜାତ ।

ଘର ମଧୁପୁରେ ଇଷ୍ଟ କୃଷ୍ଣ ହଳଧର

ଅଟନ୍ତି ଯେ ବେନିଭାଇ ଦେବକୀକୁମର ।

ଯାଇ ଦ୍ୱାରପାଳ ବେଗେ କହ ନନ୍ଦ ପାଶ

ବିଳମ୍ବ ହୋଇଲେ କଂସ କରିବ ଯେ ରୋଷ

ଅକ୍ରୂର ବଚନ ଶୁଣି ଦ୍ଵାରପାଳଗଣ

ନନ୍ଦ ଆଗେ ଜଣାଇଲେ ଯାଇ ତତକ୍ଷଣ ।

 

ଶ୍ରୀକୃଷ୍ଣଙ୍କର ରାଧାବେଶ

ଶୁକଙ୍କୁ ପୁଚ୍ଛନ୍ତି ପରୀକ୍ଷିତ ନୃପମଣି

କହ ମୁନି କାନନେ କି କଲେ ବେଣୁପାଣି ।

ମୁନି ବୋଲନ୍ତି ଶୁଣ ହେ ଅର୍ଜ୍ଜୁନର ନାତି

ରାଧାର ମୋହନ ରୂପ ଚିନ୍ତି ଶିରୀପତି ।

ବିଚାରନ୍ତି ନୀପମୂଳେ ଚାହିଁଛି ସୁନ୍ଦରୀ

ନିଜ ରୂପ ତେଜି ସଖୀ ମୋର ରୂପ ଧରି ।

ମୋ ନାମରେ ମୁରଲୀ ହେ ପ୍ରେମେ ବଜାଉଛି

ମୋତେ ନଦେଖିଲେପ୍ରାଣ ତେଜିବ ମୃଗାକ୍ଷୀ ।

କୃଷ୍ଣ ରୂପ ତାଜି ରାଧା ରୂପ ମୁଁ ହୋଇବି

ମୋହନ ବାଜା ବଜାଇ ନୀପମୂଳେ ଯିବି ।

ମୋହନବଂଶୀକୁ ରାଧା ବଜାଏ ମୋ ନାମେ

ମୋହନ ବାଜା ମୁଁ ବଜାଇବି ତାର ନାମେ ।

ଏମନ୍ତ ବିଚାରି କୃଷ୍ଣ ଦୂତୀକୁ ସୁମରି

ବ୍ରଜପୁରେ ଥାଇ ତାହା ଜାଣି ସେ ସୁନ୍ଦରୀ ।

ବୃନ୍ଦାବନେ କୃଷ୍ଣ ପାଶେ ହୋଇଲେ ପ୍ରବେଶ

ଶ୍ରୀମୁଖ ଦର୍ଶନ କରି ଲଭିଲେ ସନ୍ତୋଷ ।

କୃଷ୍ଣବୋଲନ୍ତି ଗୋ ଦୂତୀ ରାଧା ମୋର ବେଶେ

ମୋହ ନାମେ ବଂଶୀ ବଜାଉଛି ପ୍ରୀତି ଆଶେ

କଦମ୍ବ ମୂଳରେ ଉଭା ହୋଇଛି ସଜନୀ

ତାର ବଂଶୀ ଶୁଣି ମୋର ହୃଦ ହୁଏ ହାଣି ।

ଶୁଣି ଦୂତୀ ବୋଲେ ତୁମ୍ଭେ ଅନ୍ତର୍ଯ୍ୟାମୀ ନାଥ

ତୁମ୍ଭ ମାୟାର କେ କରିପାରେ ଆଦି ଅନ୍ତ ।

ଶ୍ରୀକୃଷ୍ଣ ବୋଲନ୍ତି ଶୁଣ ଦୂତୀ ମୋ ବଚନ

ମୋହ ରୂପ ବହି ରାଧା ମୋହେ ତ୍ରିଭୁବନ ।

ମୋହନ ମୁରଲୀ ମୋର ନେଲା ସେ ଚୋରାଇ

ମୋ ନାମେ କଦମ୍ବ ମୂଳେ ବଜାଉଛି ରହି ।

ମୋ ମୋହନ ବେଶ ମୋତେ ପଞ୍ଚବାଣ ହୋଇ

ମାରୁଅଛି ପାଞ୍ଚଶର ତୁହାଇ ତୁହାଇ ।

ଏବେ ମୋତେ ରାଧାବେଶ କର ଗୋ ଦୂତିକା

ଯେଉଁପରି ମୋତେ ଚିହ୍ନି ନ ପାରେ ରାଧିକା ।

ସେହି ପରକାରେ ଦୂତୀ ମୋତେ ବେଶ କର

ଶ୍ରୀକୃଷ୍ଣ ବଚନେ ଦୂତୀ ଯୋଡ଼ି ବେନି କର ।

ବୋଲେ ପ୍ରଭୁ ନୀଳବର୍ଣ୍ଣ ଅଟେ ତୁମ୍ଭ ଦେହ

କେମନ୍ତେ କାଞ୍ଚନ ବର୍ଣ୍ଣ କରିବି ମୁଁ କହ ।

ଦୂତୀର ବଚନେ ନୀଳକାନ୍ତି କରି ଗୋପ୍ୟ

କାଞ୍ଚନ ବରନ କୃଷ୍ଣ ହୋଇଲେ ପ୍ରତ୍ୟକ୍ଷ ।

ଦେଖି ଦୂତିକା ମନରେ ହୋଇଲା ହରଷ

କଲା ସେ କୃଷ୍ଣଙ୍କୁ ନିଜେ ଅଳଙ୍କାରେ ବେଶ ।

ଅଙ୍ଗରେ କୁଙ୍କୁମ ବୋଳି ଲଲାଟେ ସିନ୍ଦୂର

ବେନି ନୟନରେ ଦେଲା କଜଳର ଗାର ।

ସାଜିଲା ଅଳକା ପାଟୀ ଅତି ଯତ୍ନ କରି

ଯଥାସ୍ଥାନେ ମଥାମଣି ଖଞ୍ଜିଲା ସୁନ୍ଦରୀ ।

କର୍ଣ୍ଣେ କାପ ମଲ୍ଲୀକଢ଼ି ଫିରିଫିରା ଦେଇ

ଯତନେ ମୁକୁତା ମାଳି କଣ୍ଠରେ ଲମ୍ବାଇ ।

ବାହୁରେ ବାହୁଟି ବିଦମାଳୀ ସେ ଖଞ୍ଜିଲା

ଝମକ ଝୁଣ୍ଟିଆ କୃଷ୍ଣ ପ୍ରପଦରେ ଦେଲା ।

ବେନି ପୟରେ ଖଞ୍ଜିଲା ବାଜେଣୀ ନୂପୁର

କଟିତଟେ କ୍ଷୁଦ୍ର ଘଣ୍ଟି ନାଦ ସୁମଧୁର ।

କର ଅଙ୍ଗୁଳିରେ ଦେଲା ରତନ ମୁଦ୍ରିକା

ମରକତ ଚୁଡ଼ି ଭୁଜେ ପିନ୍ଧାଏ ରସିକା ।

ମୁକୁତାର ମାଳି କଣ୍ଠେ ଲମ୍ବାଇଣ ଦେଲା

ହୃଦୟରେ ତାରା ପ୍ରାୟ ଜ୍ୟୋତି ପ୍ରକାଶିଲା ।

ନୀଳମେଘୀ ଝୀନପାଟ ପିନ୍ଧାଇଲା ନେଇ

କନକର ସ୍ତମ୍ଭେ ଯଥା ତମାଳ ରାଜଇ ।

ମୋହିନୀର ବେଶେ କୃଷ୍ଣ ଦିଶନ୍ତି ସୁନ୍ଦର

ଯେଉଁ ରୂପେ ଭୋଳ ହୋଇଥିଲେଟି ଶଙ୍କର

ବ୍ରହ୍ମାଣ୍ଡର ନାଥ କୃଷ୍ଣ ହେଲେ ରାଧାରୂପ

ନିଜର ମୂରତି ପ୍ରଭୁ କରିଛନ୍ତି ଗୋପ୍ୟ ।

ଏକେ ମାୟାଧର କୃଷ୍ଣ ଯଶୋଦାର ବଳା

କିଶୋରୀ ରୂପକୁ ପୁଣି ଶରଧା ବଳିଲା ।

ଯେଉଁ ଭୂଷଣରେ କୃଷ୍ଣଙ୍କର ଇଚ୍ଛା ହୁଏ

ଦୂତୀ ସେହି ଭୂଷଣରେ କୃଷ୍ଣଙ୍କୁ ସଜାଏ ।

ଅବିକଳ ରାଧାରୂପ କୃଷ୍ଣଙ୍କୁ କରିଲା

ପୁଣି ମାଳତୀର ମାଳା ହୃଦେ ଲମ୍ବାଇଲା ।

ତାମ୍ବୁଳ ଭାଙ୍ଗି କୃଷ୍ଣଙ୍କ ମୁଖରେ ସେ ଦେଲା

ଦର୍ପଣରେ ଶ୍ରୀକୃଷ୍ଣଙ୍କ ମୁଖ ଦେଖାଇଲା ।

ନିଜେ କୃଷ୍ଣ ଦର୍ପଣରେ ମୁଖକୁ ଦେଖିଲେ

ତୋଷ ହୋଇ ଲଳିତାକୁ ବହୁ ପ୍ରଶଂସିଲେ ।

ଧନ୍ୟ ଗୋ ଲଳିତା ତୋହ ସମ ନାହିଁ ଜଣେ

ସଫଳ ଜୀବନ ତୋର ଜାତ ସୁଲକ୍ଷଣେ ।

ଯେ ରୂପକୁ ବେଦବର ଅଷ୍ଟନେତ୍ର ବହି

କଳପି ନ ପାରେ ବସି ଯୁଗେ ଯୁଗେ ଚାହିଁ ।

ରୁଦ୍ର ଇନ୍ଦ୍ର କୁବେରାଦି ସର୍ବ ଦେବଗଣ

ଭାବି ନ ପାରନ୍ତି ଯେଉଁ ରୂପ କରି ଧ୍ୟାନ ।

ଅବିକଳ ସେହି ରୂପ କଲୁ ତୁ ଘଟନ

ଏବେ ଗୋ ଦୂତିକା ଶୁଣ ମୋହର ବଚନ ।

ଆଉ କଥା ଏକ ତୋତେ ପଚାରୁଛି କହ

ରାଧାର ମୁରଲୀ ସ୍ୱନେ କମ୍ପେ ମୋର ଦେହ

ମାଧବୀ ଲତାର ତଳେ ବଂଶୀ ରଖିଥିଲି

ଭ୍ରମରେ ହୁଡ଼ିଣ ତାହା ଧେନୁ ଘେନି ଗଲି ।

ସେହି ବଂଶୀ ରାଧା କରେ ପଡ଼ିଛି ଗୋ ସହୀ

କଦମ୍ବ ମୂଳରେ ତେଣୁ ମୋର ବେଶ ହୋଇ

ତ୍ରିଭଙ୍ଗୀ ଛନ୍ଦରେ ଉଭା ବଂଶୀ ଧରି କରେ

ବଜାଉଛି ପ୍ରାଣେଶ୍ଵରୀ ମୋହରି ନାମରେ ।

ସେ ମୁରଲୀ ଏବେ ମୁହିଁ କେମନ୍ତ ମାଗିବି

ଚିହ୍ନା ତ ପଡ଼ିବି ନିଶ୍ଚେ କି ବୁଦ୍ଧି କରିବି ।

ନ ମାଗିଲେ ବଂଶୀ ଆଉ କାହୁଁ ବା ପାଇବି

କେଉଁ ବାଦ୍ୟ ବଜାଇ ମୁଁ ରାଧାକୁ ମୋହିବି ।

ରାଧା ପଚାରିଲେ ନାମ କି ବୋଲି କହିବି

ଯାହା କହିବୁ ଗୋ ଦୂତୀ ସେ କଥା କରିବି ।

ଏ କଥାକୁ କହ ମୋତେ ବିଚାରି ମନର

ଶ୍ରୀକୃଷ୍ଣ ବଚନେ ଦୂତୀ ଯୋଡ଼ି ବେନି କର ।

ବୋଇଲା ଭୋ ନାଥ କିସ ଅଗୋଚର ତୋତେ

କେଉଁ ବୁଦ୍ଧି ବତାଇବି ପଚାରୁଛ ମୋତେ ।

ଦିନେ ମୋହନ ବାଜାକୁ ବଜାଇଣ ଗଲ

ଭ୍ରମରେ ତାହା ବି ଛାଡ଼ି ମୋପୁରେ ଆସିଲ ।

ସେହି ମୋହନ ବାଜାକୁ ଯତ୍ନେ ଅଛି ଥୋଇ

ଆଜ୍ଞା ଦେଲେ ଏହିକ୍ଷଣି ଆଣିଦେବି ମୁହିଁ ।

ସେ ମୋହନ ବାଜା ତୁମେ ବଜାଇବ ଯେବେ

ସ୍ୱର୍ଗ ମର୍ତ୍ତ୍ୟ ପାତାଳ ଯେ ସ୍ଥିର ହେବ ତେବେ

ଦୂତୀର ବଚନ ଶୁଣି ବୋଇଲେ ଅଚ୍ୟୁତ

ଯାଅ ସଖୀ ସେ ବାଜାକୁ ଆଣ ଗୋ ତୁରିତ

ଶ୍ରୀକୃଷ୍ଣ ବଚନେ ଦୂତୀ ଯାଇ ନିଜ ପୁର

ମୋହନ ବାଜାକୁ ଧରି ଆସିଲା ସତ୍ଵର ।

ଅତି ଆନନ୍ଦରେ ତାହା କୃଷ୍ଣ କରେ ଦେଲା

ରାଧା ପଚାରିଲେ ଏହା କହିବ ବୋଇଲା ।

କିସ ନାମ ବୋଲି ଦେବୀ ପଚାରିବ ଯେବେ

ମୋ ନାମ ମାଧୁରୀ ରାଧା କହିବଟି ତେବେ ।

ମଧୁ ନଗରେ ଜନମ ହୋଇଅଛୁ ଯହୁଁ

ମୋ ନାମ ମାଧୁରୀ ରାଧା ନାମ ଦେଲେ ତହୁଁ

ଏବେ ମୁଁ କୃଷ୍ଣଙ୍କୁ ଦେଖି ଆସିଛି ଏ ପୁରେ

ଦେଖିଛି ତ କୃଷ୍ଣ ବିଜେ କଦମ୍ବ ମୂଳରେ ।

ଏମନ୍ତ କହି ମୋହନ ବାଜା ବଜାଇବ

ବଂଶୀ ଛାଡ଼ି ରାଜା ତେବେ ଅଜ୍ଞାନ ହୋଇବ ।

ଏତେ ବୋଲିଣ ଲଳିତା କୃଷ୍ଣ ପାଦେ ପଡ଼ି

ଉଠି ପୁଣି ଉଭା ହେଲେ ବେନି କର ଯୋଡ଼ି ।

ଦୂତୀ ଭାବ ଦେଖି କୃଷ୍ଣ ହୋଇ ତୋଷଭର

ବୋଇଲେ ଗୋ ସଖି ଯାଅ ଏବେ ଗୋପପୁର

ଏହି କଥାମାନ ସଖି ନ କହିବୁ କାହିଁ

ମୋହର ଶପଥ ଯାଅ ଯାଅ ବେଗ ହୋଇ ।

କୃଷ୍ଣର ଆଦେଶେ ଦୁତୀ ରହିଲେ ମନ୍ଦିରେ

ଏଥୁଅନ୍ତେ କୃଷ୍ଣ ଚଳିଗଲେ ଧୀରେ ଧୀରେ ।

ମୋହନ ବାଜା ବଜାଇ ନାଚନ୍ତି ଶ୍ରୀହରି

ମୋହନ ରୂପରେ ଯହିଁ ଅଛନ୍ତି କିଶୋରୀ ।

ସେଠାରେ ଶ୍ରୀକୃଷ୍ଣ ବିଜେ ରାଧା ରୂପ ଧରି

ବଜାଇ ମୋହନ ବାଜା କୃଷ୍ଣ କୃଷ୍ଣ ବୋଲି ।

ଶୁଣ ରାଧାର ମୁରଲୀ ବାଜେ ଘନ ଘନ

ରାଧା ରାଧା ରାଧା ବୋଲି ଶୁଭୁଅଛି ସ୍ୱନ ।

କଦମ୍ବ ମୂଳରେ ରାଧା କୃଷ୍ଣ ହେଲେ ଭେଟ

ଶ୍ରୀକୃଷ୍ଣ ମୋହନ ବାଦ୍ୟେ ହୋଇଲେ ଉଚ୍ଚାଟ

ତାଙ୍କ ବଂଶୀସ୍ୱନେ କୃଷ୍ଣ ହୋଇଲେ ଅଜ୍ଞାନ

ଯେଉଁ ବଂଶୀ ବେଦବର କରିଛି ଭିଆଣ ।

ସେ ମୋହନ ବଂଶୀ ଧରି ବଜାନ୍ତି କିଶୋରୀ

ପଞ୍ଚମ ରନ୍ଧ୍ରେ ଶ୍ରୀକୃଷ୍ଣ ନାମକୁ ଉଚ୍ଚାରି ।

ମୁରଲୀ ବଜାନ୍ତି ରାଈ ହତଜ୍ଞାନ ହୋଇ

ମୋହନ ବାଦ୍ୟ ବଜାଇ ନାଚନ୍ତି କହ୍ନାଇ ।

ରାଧାକୃଷ୍ଣ ନୃତ୍ୟରଙ୍ଗେ ଧରା ଟଳମଳ

ମୋହନ ବାଦ୍ୟେ କମ୍ପିଲେ ଦଶଦିଗପାଳ ।

ସ୍ଵର୍ଗେ ଦେବଗଣ କମ୍ପି ହତଜ୍ଞାନ ହୋଇ

ସୁରପତି ଆଗରେ ସେ କହିଲେକ ଯାଇ ।

ଶୁଣିକରି ଦେବରାଜ ଦେବଗଣ ଘେନି

ବେଦବର ନିକଟକୁ ଗଲେ ସେହିକ୍ଷଣି ।

ବୋଇଲେ ଭୋ ତାତ ବାଦ୍ୟନାଦ ଶୁଣି ଡର

ଲାଗୁଅଛି ଧାଡ଼ି କିବା ଦିଏ କଂସାସୁର ।

ଦେବଙ୍କ ବଚନେ ଧାତା ଧ୍ୟାନରେ ଜାଣିଲେ

ରାଧାକୃଷ୍ଣ ଳୀଳା ହୁଏ କଦମ୍ବ ମୂଳରେ ।

କୃଷ୍ଣ ରୂପ ହୋଇ ରାଧା ବଜାନ୍ତି ମୁରଲୀ

ରାଧା ରୂପେ ନୃତ୍ୟ କରୁଛନ୍ତି ବନମାଳୀ ।

ମୋହିନୀ ବାଦ୍ୟକୁ କୃଷ୍ଣ ବଜାଉ ଅଛନ୍ତି

ସେ ବାଦ୍ୟନାଦେ ତ୍ରିପୁର ଉଛୁଳଇ ଅତି ।

କ୍ଷଣେ ମାତ୍ର ବ୍ରହ୍ମା ସ୍ତମ୍ଭୀଭୂତ ଯେ ହୋଇଲେ

କଦମ୍ବ ମୂଳକୁ ଯୋଗଧ୍ୟାନରେ ଦେଖିଲେ ।

ତାଣ୍ଡବ କରନ୍ତି ଯେହ୍ନେ ଦେବ ତ୍ରିଲୋଚନ

କଦମ୍ବ ମୂଳେ ତେସନ ରାଧା ଭଗବାନ ।

ଦେଖନ୍ତେ ବ୍ରହ୍ମା ମନରୁ ଛାଡ଼ିଲେ ସଂଶୟ

ବୋଇଲେ ହେ ଦେବଗଣ ଛାଡ଼ ମନୁ ଭୟ ।

ମର୍ତ୍ତ୍ୟପୁରେ ରାଧାକୃଷ୍ଣ କରନ୍ତି ବିହାର

ରାଧାର ରୂପକୁ ଧରିଛନ୍ତି ଚକ୍ରଧର ।

ମୋହନ ବାଦ୍ୟ ବଜାଉଛନ୍ତି ଆନନ୍ଦରେ

ସେହି ବାଦ୍ୟ ଘୋଷ ଶୁଭୁଅଛି ତିନିପୁରେ ।

ଜଗତର କର୍ତ୍ତା ଯେହୁ ସେ ଲୀଳା କରନ୍ତି

ସେ ବାଦ୍ୟ ଶବଦେ ଉଛୁଳଇ ବସୁମତୀ ।

କୃଷ୍ଣ ରୂପେ ରାଧା ତହିଁ ଛନ୍ତି ଉଭା ହୋଇ

ମୋହନ ବଂଶୀକୁ ନେଇ ଅଛନ୍ତି ଚୋରାଇ ।

ସେହି ମୋହନ ମୂରଲୀ ବାଜେ ଘନ ଘନ

ରାଧାର ମୂରଲୀ ସ୍ୱନେ କମ୍ପେ ତ୍ରିଭୁବନ ।

ଆନନ୍ଦେ କଦମ୍ବ ମୂଳେ କରୁଛନ୍ତି ଲୀଳା

ଯାଅ ଦେବଗଣ ଏବେ ତୁମ୍ଭ ଭୟ ଗଲା ।

ବିଧାତାଙ୍କ ବାଦ୍ୟ ଶୁଣି ବୋଲନ୍ତି ଅମରେ

ଚାଲ ଚାଲ ତାତ ଆମ୍ଭେ ଯିବା ମର୍ତ୍ତ୍ୟପୁରେ ।

ରାଧାକୃଷ୍ଣ ଲୀଳା ତହିଁ ଦେଖିବୁ ନୟନେ

କୋଟିଯୁଗ ଗତ ହେଲା ଦେଖି ନାହୁଁ ଦିନେ ।

ଆମ୍ଭେ ତୁମ୍ଭର ଦୟାରୁ ଦେଖିବୁ ନୟନେ

କୋଟିକୋଟି ପାପ ଆମ୍ଭେ କାଟିବୁ ଦର୍ଶନେ ।

ଦେବତାଙ୍କ ବାକ୍ୟ ଶୁଣି ବୋଲନ୍ତି ବିଧାତ

ନୁହଇ ତୁମ୍ଭର ଏହା ବିଚାର ଉଚିତ ।

ବ୍ରହ୍ମାଣ୍ଡ ଠାକୁର କୃଷ୍ଣ ଜଗତର କର୍ତ୍ତା

ତେଣୁକରି ସେ ବୋଲାଇଛି ଜଗତ ପିତା ।

ଜଗତର ମାତା ରାଧା ରୂପେ ଅବତାର

ଯେଣୁ ମାତା ପିତା ସେହି ତ୍ରିଲୋକ ମଧ୍ୟର ।

ମାତା ପିତା ରସକେଳି ଦେଖିବା ନୟନେ

ଅବେଭାର କଥା ତୁମ୍ଭେ କହୁଛ କେସନେ ।

ବ୍ରହ୍ମାର ବଚନେ ଦେବେ ହୋଇଲେ ସ୍ତବଧ

ବୋଇଲେ ହେ ବେଦପତି କଲୁ ଅପରାଧ ।

ଆହୁରି କଥାଏ ଆମେ ପଚାରୁଛୁ ଏବେ

କୃଷ୍ଣ ଯେବେ ଲୀଳା କରି ନିଶ୍ଚିନ୍ତ ହୋଇବେ ।

ଗୋପୀମାନଙ୍କର ଭାବ ଛାଡ଼ି ନ ପାରିବେ

ତାଙ୍କ ପ୍ରେମେ ବଶ ହୋଇ ଗୋପରେ ରହିବେ ।

ଗୋପୀମାନଙ୍କର ଭାବ ମୁଖେ ନୁହେଁ କହି

ଭାବେ ବଶ ହେବାରୁ ଯେ ନାମ ଭାବଗ୍ରାହୀ ।

କେମନ୍ତେ ଅସୁର ବଳ ବିନାଶିବେ ହରି

କିପରି ରହିବୁ ସୁସ୍ଥେ ଆମ୍ଭେ ସ୍ଵର୍ଗପୁରୀ ।

ଦେବଙ୍କ ଏସନ ବାକ୍ୟ ଶୁଣି କୁଶପାଣି

ବୋଲନ୍ତି ଅମରେ ଆଉ ନ କର ଭାଳେଣି ।

ଆଜି ସିନା କୃଷ୍ଣଚନ୍ଦ୍ର ମଧୁପୁର ଯିବେ

ନିଶ୍ଚୟ କଂସାସୁରକୁ ବିନାଶ କରିବେ ।

ମଧୁପୁର ଭାର ଉଗ୍ରସେନକୁ ଯେ ଦେବେ

ଉଗ୍ରସେନ ମୁଣ୍ଡେ ରାଜପାଟ ବନ୍ଧାଇବେ ।

ଜରାସନ୍ଧ ଶୁଣି କଂସ ମରଣ ଖବର

କୃଷ୍ଣଙ୍କୁ ମାରିବା ପାଇଁ ପାଞ୍ଚିବ ମନର ।

ଅଷ୍ଟାଦଶ ବାର ସେହୁ ଧାଡ଼ି ନିଶ୍ଚେ ଦେବ

ଅତ୍ୟନ୍ତ ପ୍ରଚଣ୍ଡ ପଣ ସେହୁ ଯେ ବହିବ ।

ତାହାର ପ୍ରତାପ ସହି ନ ପାରିଣ ଜାଣ

ସମୁଦ୍ର ମଧ୍ୟେ କରିବେ ଦ୍ଵାରାକାଭୁବନ ।

ଦ୍ଵାରାକାପୁରରେ କୃଷ୍ଣ ରାମ ଯେ ରହିବେ

ଗୋଟି ଗୋଟି କରି ଅସୁରଙ୍କୁ ସେ ନାଶିବେ ।

ପାଣ୍ଡବଙ୍କ ସାହାପକ୍ଷ ଶ୍ରୀକୃଷ୍ଣ ହୋଇବେ

ଦୁର୍ଯ୍ୟୋଧନ ପକ୍ଷ ହେବେ ସ୍ଵୟଂ ବଳଦେବେ ।

କୁରୁ-ପାଣ୍ଡବଙ୍କ ଯୁଦ୍ଧ ହେବ ଘୋରତର

କୌରବଙ୍କୁ ନାଶି ଉଶ୍ଵାସିବେ ମହୀଭାର ।

ଯଦୁକୁଳଙ୍କ ଉତ୍ପାତପଣ ସେ ଦେଖିବେ

ତାହାଙ୍କୁ ସଂହାର କରି ବୈକୁଣ୍ଠେ ଆସିବେ ।

ଶ୍ରୀରାଧାଙ୍କୁ ମଧ୍ୟ ସଙ୍ଗତରେ ସେ ଆଣିବେ

ଏହିପରି ନାନା କଥା ହେବ ଶୁଣ ଦେବେ ।

ବ୍ରହ୍ମାଙ୍କ ମୁଖୁ ଏମନ୍ତ ଶୁଣି ଦେବଗଣ

ଆନନ୍ଦେ ଚଳିଲେ ସର୍ବେ ଯେ ଯାହା ଭୁବନ ।

ମୋହନ ବାଦ୍ୟେ କମ୍ପିଲା ପାତାଳ ଭୁବନ

ମୋହନ ମୁରଲୀ ସ୍ଵନେ ଛନ୍ନ ପ୍ରାଣିଗଣ ।

ମୋହନ ମୁରଲୀ ସ୍ଵନେ ବ୍ରହ୍ମାଣ୍ଡ କମ୍ପିଲା

ଭୟକରି ଜଳପତି ପଳାଇଣ ଗଲା ।

ବଳି କି ଯେ ସ୍ଥାନେ ପ୍ରଭୁ ଅଛନ୍ତି ରଖାଇ

ସ୍ୱୟଂ ନାରାୟଣ ବିଜେ ଚକ୍ରଧାରୀ ଯହିଁ ।

ସେଠାରେ ପ୍ରବେଶ ଯାଇଁ ହୋଇଲା ବରୁଣ

ମୁରଲୀ ନାଦ ଶୁଣିଣ ମନେ ମହାଚ୍ଛନ୍ନ ।

ମହା ତେଜୋମୟ ମୂର୍ତ୍ତି ପ୍ରଭୁଙ୍କର ଚାହିଁ

କରଯୋଡ଼ି ଉଭାହେଲେ ବରୁଣ ଯେ ତହିଁ ।

ବରୁଣକୁ ଏମନ୍ତ ଦେଖିଣ ନାରାୟଣ

ଶାନ୍ତ ହୋଇ ପଚାରିଲେ ସକଳ କାରଣ ।

କାହାକୁ ଭୟ କରିଣ ଯାଉଛୁ ପଳାଇ

କା’କୁ ଜଳପତି ଭୟ ନ କର ହେ ତୁହି ।

ବରୁଣ ଶୁଣି ପ୍ରଭୁଙ୍କ ପାଦପଦ୍ମେ ପଡ଼ି

ଭୟେ ଥରହର ହୋଇ କହେ କରଯୋଡ଼ି ।

ଶୁଣନ୍ତୁ ପାତାଳେ ଘୋଷ ଶୁଭଇ କାହାର

ଯୁଝି ଆସନ୍ତି ଅସୁରେ କରିବେ ସମର ।

ବରୁଣ ବଚନ ଶୁଣି ବୋଲନ୍ତି ଶ୍ରୀହରି

ଭୟ ନ କରି ବରୁଣ ଯାଅ ନିଜପୁରୀ ।

ରାଧାକୃଷ୍ଣ ଲୀଳା କରୁଛନ୍ତି ବୃନ୍ଦାବନେ

ବ୍ରଜନାରୀ ମର୍ତ୍ତ୍ୟପୁରେ ଯମୁନା ପୁଳିନେ ।

ବଜାନ୍ତି ମୋହନ ବାଜା ମୋହନ ମୁରଲୀ

ଦୁହେଁ ଦୁହିଁଙ୍କର ବେଶ ପାଲଟାଇ କରି ।

ସେ ଶବଦେ ତିନିପୁର ଯାଉଛି ଉଛୁଳି

ଅସୁର ମାରିବା ପାଇଁ ଛନ୍ତି ଅବତରି ।

ଶୁଣିଣ ବରୁଣ ମନେ ହୋଇ ମହା ତୋଷ

ବୋଲି ଅନ୍ୟ ମଞ୍ଚେ ଜାତ ଯେତେକ ମନୁଷ୍ୟ

ରାଧାକୃଷ୍ଣଙ୍କର ଲୀଳା ଦେଖିବେ ନୟନେ

ଶ୍ରୀକୃଷ୍ଣ ନାମ କୀର୍ତ୍ତନ ଶୁଣିବ ଶ୍ରବଣେ ।

ତୁଣ୍ଡରେ ଶ୍ରୀକୃଷ୍ଣ ନାମ କରିବେ ଗାୟନ

ଯା ରୂପକୁ ନ ଦେଖନ୍ତି ଧ୍ୟାନେ ମୁନିଗଣ ।

ଯାହାକୁ ଚିନ୍ତନ୍ତି ସୁରଗଣେ ନିରନ୍ତରେ

ମଞ୍ଚପୁର ଜନେ ବିହରନ୍ତି ତା ସଙ୍ଗରେ ।

ଏମନ୍ତ ଭାବି ବରୁଣ ସ୍ୱପୁରେ ଫେରିଲା

ନିରାକାରଙ୍କ କଥାରେ ଭୟ ଦୂର କଲା ।

ନିର୍ଭୟ ମନରେ କଲା ମଞ୍ଚରେ ପ୍ରବେଶ

ବାଦ୍ୟନାଦ ଶୁଣି ମନେ ଲଭି ମହା ତୋଷ ।

ପୁଣି ବାସୁକି ମୋହନ ବାଦ୍ୟ କର୍ଣ୍ଣେ ଶୁଣି

ମନେ ବିଚାରେ ଅସୁରେ ଆସିବେ ଏକ୍ଷଣି ।

ଏମନ୍ତ ଭାବି ବାସୁକି ଅନନ୍ତଙ୍କ ତଳେ

ଯାହାଙ୍କର ପାଦ ଲକ୍ଷ୍ମୀ ଚାପୁଛନ୍ତି ଭୋଳେ ।

ସେହି ପାଦପଦ୍ମ ତଳେ ରହେ ଭୟ ପାଇ

ମୋହନ ବାଦ୍ୟ ନାଦକୁ ଶ୍ରୁତି ଡେରିଥାଇ ।

ଚକିତ ହୋଇଲେ ଲକ୍ଷ୍ମୀ ଛାଡ଼ି ପଦ୍ମପାଦ

ବିଚାରିଲେ ଶୁଭୁଅଛି ଏ କେଉଁ ଶବଦ ।

ରାକ୍ଷସେ କି ଯୋଗନିଦ୍ରା ଭାଙ୍ଗିବେ ପ୍ରଭୁର

ଏମନ୍ତ ବିଚାରି ଲକ୍ଷ୍ମୀ ଭୟେ ଥରହର ।

ଲକ୍ଷ୍ମୀଙ୍କର ଭୟ ଦେଖି ବାସୁକି ଥରିଲା

ନିଦ୍ରା ଭାଜିଯିବ ବୋଲି ଫଣା ନ ଚାଳିଲା ।

ମନେ ମହାଭୟ କରି ସ୍ଥିର ଭାବେ ରହି

ମନେ ମନେ ନାନା କଥା ବିଚାର କରଇ

କ୍ଷୀରାବ୍‍ଧିରେ କରିଛନ୍ତି ଅନନ୍ତଶୟନ

ବହୁଦିନୁ ଦେବେ କରି ନାହାନ୍ତି ଦର୍ଶନ ।

ଦରଶନ ଇଚ୍ଛା କିବା ମନେ କଲେ ସେହି

ତେଣୁ ଆସୁଅଛନ୍ତି ବା ଏ ବାଜା ବଜାଇ ।

କି ଅବା ଦୁଷ୍ଟ ରାକ୍ଷସ ଏଠାକୁ ଆସିଣ

ପ୍ରଭୁଙ୍କ ସଙ୍ଗେ ଯୁଝିବେ ନିଦ୍ରା ଭଙ୍ଗାଇଣ ।

ଏତେ ବିଚାରି ବାସୁକି ହେଲା ସ୍ତମ୍ଭୀଭୂତ

ଲକ୍ଷ୍ମୀ ସରସ୍ୱତୀ ମଧ୍ୟ ହୋଇଲେ ଚକିତ ।

ଲକ୍ଷ୍ମୀ ବୋଇଲେ ଯେ ତୁମ୍ଭେ ସରସ୍ୱତୀ ଶୁଣ

ଗାନ୍ଧର୍ବୀୟ ରାଗେ ଗୀତ ଗାଅ ହେ ବହନ ।

ଗୀତ ଗାଇ ସଖି ତୁମ୍ଭେ ବଜାଅ ଗୋ ବୀଣା

ସକଳ କଥା ତେବେଟି ହୋଇବ ଗୋ ଜଣା

ନିଦ୍ରା ଭାଙ୍ଗିଯିବ ପ୍ରଭୁଙ୍କରଟି ନିଶ୍ଚୟ

ସଚେତ ହେଲେ ଠାକୁରେ ନାହିଁ କିଛି ଭୟ ।

ଏହା ଶୁଣି ସରସ୍ଵତୀ ଗୀତ ଆରମ୍ଭିଲେ

ଉଠ ଉଠ ପ୍ରଭୁ ବୋଲି ଲକ୍ଷ୍ମୀ ଡାକ ଦେଲେ ।

ସରିଲା ଏ ପୁର ଦୈତ୍ୟଗଣେ ଦେଲେ ଧାଡ଼ି

କର୍ଣ୍ଣ ଡେରି ଶୁଣ ନାଥ ଶୁଭେ ଘୋର ରଡ଼ି ।

ନିଦ୍ରା ନ ଭାଜିଲେ ତୁମ୍ଭ ସରିଲା ଜଗତ

ଉଠ ଉଠ ଯୋଗନିଦ୍ରା ତେଜି ପ୍ରାଣନାଥ ।

ସପ୍ତସ୍ୱରେ ଧରି ବାଣୀ ବୀଣା ବଜାଇଲେ

କୋକିଳ ସୁସ୍ୱରେ ଯହୁଁ ଗାନ ଆରମ୍ଭିଲେ ।

ଭୟେ ବେନି ସଖୀ ଯହୁଁ ହୋଇଲେ ଆକୁଳ

ଜାଣିଲେ ଯୋଗନିଦ୍ରାରେ ଥାଇ ଆଦିମୂଳ ।

ନିଦ୍ରା ତେଜି ନାରାୟଣ ଲକ୍ଷ୍ମୀଙ୍କି ଚାହିଁଲେ

ପଦ୍ମାଳୟା ମୁଖପଦ୍ମ ଶୁଖିଛି ଦେଖିଲେ ।

ବୋଇଲେ କିମ୍ପାଇଁ ସଖୀ ମନେ ଭୟ କଲ

ନିଜେ କଲା କଥା ସବୁ ପାସୋରି କି ଦେଲ ।

ଅସୁର ହୋଇଲେ ଯହୁଁ ମହୀରେ ପ୍ରବଳ

ମୋର ଅଂଶେ କୃଷ୍ଣ ହେଲେ ମଞ୍ଚେ ଅବତାର

ଜନମିଲେ ମଧୁପୁରେ ଦେବକୀ ଉଦରେ

ବଢ଼ିଲେ ଅଷ୍ଟ ବରଷ ରହି ଗୋପପୁରେ ।

ତୁମ୍ଭ ଅଂଶ ଘେନି ରାଧା ଅଛି ଜାତ ହୋଇ

ଗୋପେ ବୃଷଭାନୁ ଘରେ ବଢ଼ିଥିଲା ରହି ।

ସେହି ରାଧାକୃଷ୍ଣ ଏବେ କ୍ରୀଡ଼ା କରୁଛନ୍ତି

ଗୋପପୁରେ ବୃନ୍ଦାବନେ ପ୍ରେମରସେ ମାତି ।

ବଜାନ୍ତି ମୋହନ ବାଜା ମୋହନ ମୁରଲୀ

ସେହି ଘୋଷେ ଆଜି କମ୍ପୁଅଛି ନିଜ ପୁରୀ ।

ଏଥୁ ଅନନ୍ତରେ ପରୀକ୍ଷିତ ମହାରାଜା

ଶୁକମୁନି ଚରଣରେ କରି ଦିବ୍ୟପୂଜା ।

ବୋଇଲେ ଭୋ ମୁନି ଯେବେ ପ୍ରସନ୍ନ ହୋଇଲ

ଗୁପତ କରିଣ କିମ୍ପା କଥାକୁ ରଖିଲ ।

କିମ୍ପାଇ ଗୋପାଳ ଘରେ ଶ୍ରୀକୃଷ୍ଣ ରହିଲେ

ଜଗତଜନନୀ କିମ୍ପା ଗୋପେ ଜନମିଲେ ।

ଏହା ମୋତେ ଫେଡ଼ି କରି କହ ମହାମୁନି

ଦୂର ହେଉ ମୋ ସଂଶୟ ତବ ମୁଖୁ ଶୁଣି ।

ସକଳ ଶାସ୍ତ୍ରର ଜ୍ଞାତା ଅଟନ୍ତି ଆପଣ

କୃପା କରି କହ ମୋତେ ବ୍ୟାସଙ୍କ ନନ୍ଦନ ।

ମୁନି ବୋଲନ୍ତି ହେ ରାଜା ଶୁଣ ମନଦେଇ

ବୋଇଲେ ଅଚ୍ୟୁତାନନ୍ଦ ହରିପାଦ ଧ୍ୟାୟି ।

ଲକ୍ଷ୍ମୀ ଆଗେ କହିଲେ ଯା ବ୍ରହ୍ମାଣ୍ଡ ଗୋସାଇଁ

ଭାଗବତେ ରାଧା ନାମ ଦେଖିଲି ତ ନାହିଁ ।

 

ତେଣୁ ହରିବଂଶ ଖୋଜି କଲି ମୁଁ ବାହାର

ସନ୍ଥ ଭକ୍ତଜନେ ମୋର ଦୋଷ କ୍ଷମା କର ।

 

ରାଧାକୃଷ୍ଣଙ୍କ ପୂର୍ବଜନ୍ମ ବୃତ୍ତାନ୍ତ

କହନ୍ତି ପରମଲକ୍ଷ୍ମୀ କହ ପ୍ରାଣନାଥ

ରାଧାକୃଷ୍ଣ କିମ୍ପା ଗୋପପୁରେ ହେଲେ ଜାତ

ଏଥିରେ ସଂଶୟ ମୋର ହୋଇଲା ଗୋସାଇଁ

ବ୍ରହ୍ମାଣ୍ଡର ନାଥ କିମ୍ପା ଚରାଇଲେ ଗାଈ ।

ଏ ବଚନ ଶୁଣି ହସି କହନ୍ତି ଅନନ୍ତ

ଶୁଣ ପ୍ରାଣସହୀ ରାଧା-କୃଷ୍ଣଙ୍କ ବୃତ୍ତାନ୍ତ ।

ତ୍ରେତୟା ଯୁଗରେ ରାମ ଅବତାରେ ମୁହିଁ

ସୀତାରୂପେ ଅବତରି ଥିଲୁ ତୁ ଗୋ ସହୀ ।

ଭୁଞ୍ଜିବା ପାଇଁକି ଅନ୍ନ ଦେଉଥିଲୁ ମୋତେ

ଭକ୍ତ ହନୁମାନ ଦେଖି ଭାଳିଲା ତା ଚିତ୍ତେ ।

ଅଟନ୍ତି ଏ ଦେବୀ ନାରୀକୁଳେ ମହାସତୀ

ଏପରି ପରଷୁଥାନ୍ତେ ଅନ୍ନ ମୋତେ ନିତି ।

ମୁଁ ତାଙ୍କ ସେବକ ହୋଇ ଖଟୁଥାନ୍ତି ପାଦେ

ତାଙ୍କ ଶ୍ରୀମୁଖ ବଚନ ପାଳୁଥାନ୍ତି ମୋଦେ ।

ସେହି ଶ୍ରୀମୁଖ ଅନାଇ ହରୁଥାନ୍ତି ଦିନ

ଏମନ୍ତ ବିଚାରି ହନୁ ହୋଇଲା ମଉନ ।

ତାର ମନ ଜାଣି ମୁହିଁ ଦେଲି ତାକୁ ବର

ମୋହର ବଚନ ଶୁଣ ହନୁମାନ ବୀର ।

ମନମଧ୍ୟେ ଅଭିଳାଷ କରିଲୁ ତୁ ଯାହା

ଅବଶ୍ୟ କାଳେ ପ୍ରାପତ ହେବ ତୋତେ ତାହା ।

ଏ ଜନ୍ମରେ ନ ପାଇବୁ ଶୁଣ ବୀରବର

ଦ୍ଵାପରେ ହୋଇବି ମୁହିଁ କୃଷ୍ଣ ଅବତାର ।

ତୁହି ଜନମିବୁ ଚନ୍ଦ୍ରସେଣା ନାମ ବହି

ଏହି ସୀତା ରାଧାରୂପେ ଜନମିବେ ତହିଁ ।

ଦୈବବଳେ ହୋଇବେ ଏ ପ୍ରିୟବତୀ ତୋର

ଭୃତ୍ୟପଣେ ଖଟୁଥିବୁ ପାଶେ ତାହାଙ୍କର ।

ଅନ୍ନ ବ୍ୟଞ୍ଜନାଦି ନିତି ପରଷିବେ ତୋତେ

ନ ଥିବ ଅନ୍ୟ ବିକାର ଲବେ ତୋର ଚିତ୍ତେ ।

ଏହିପରି ଆଜ୍ଞା ତାକୁ ଦେଲିରେ ସଙ୍ଗାତ

ଚନ୍ଦ୍ରସେଣା ହୋଇଅଛି ସେହୁ ହନୁମନ୍ତ ।

ଏମନ୍ତ ଶୁଣି କମଳା ଯୋଡ଼ି ବେନି ହସ୍ତ

ବୋଇଲେ କଥାଏ ଆଉ କହ ଜଗନ୍ନାଥ ।

ଗୋପାଳ ଗୃହରେ ତୁମ୍ଭେ ରହିଲ କିମ୍ପାଇଁ

ତବ ମୁଖୁଁ ଶୁଣି ଏହା ଆଶ୍ଚର୍ଯ୍ୟ ମଣଇ ।

ସଂଶୟ ଯାଉ ମୋହର ହୋଇବ କାରଣ ।

ଲକ୍ଷ୍ମୀଙ୍କ ବଚନେ କହୁଛନ୍ତି ଦାମୋଦର

ଶୁଣ ଆଗୋ ଦେବୀ ତୁମ୍ଭେ ମନ କରି ସ୍ଥିର ।

ବ୍ରହ୍ମା ଇନ୍ଦ୍ର ରୁଦ୍ରଙ୍କୁ ଏ ଅଟେ ଅଗୋଚର

ଅତ୍ୟନ୍ତ ଗହନ କଥା ଶୁଣି ମନ କଲ ।

ମୁହିଁ ତ୍ରେତା ଯୁଗେ ରଘୁବଂଶେ ହେଲି ଜାତ

ବନବାସ କଲି ମୁଁ ଗୋ ପାଳି ପିତା ସତ୍ୟ ।

ଲକ୍ଷ୍ମଣ ରୂପେ ଅନନ୍ତ ସୀତା ରୂପେ ତୁହି

ଜନମି ମୋ ସଙ୍ଗେ ବନବାସ କଲ ଯାଇ ।

ପଞ୍ଚବଟୀ ବନେ ଆମ୍ଭେ ରହିଲଇଁ ଯାଇ

ସୁସ୍ଥରେ ରହିଲି ତହିଁ ଫଳମୂଳ ଖାଇ ।

କନକ ମୃଗକୁ ସଖି ରାବଣ ପେଶିଲା

ସେ ମାୟାମୃଗରେ ତୋର ଶରଧା ବଳିଲା ।

ତୁ ବୋଇଲୁ ପ୍ରଭୁ ମୋତେ ଦିଅ ମୃଗ ମାରି

ନ ଭାଙ୍ଗି ତୋ ଶ୍ରଦ୍ଧା ଗଲି ଧନୁଶର ଧରି ।

ଲକ୍ଷ୍ମଣ ସଙ୍ଗତେ ଥିଲୁ ତୁ ପର୍ଣ୍ଣକୁଟୀରେ

ମୃଗ ପଛେ ଗୋଡ଼ାଇଲି ମୁଁ ଯେ ଅତି ଖରେ ।

କେତେଦୂର ଅନ୍ତରେ ମୁଁ କଲି ମୃଗ ନାଶ

ମୃଗ ମଲା କହି ‘ତ୍ରାହି ଲକ୍ଷ୍ମଣ’ ଏ ଭାଷ ।

ମୃଗ ଡାକ ଶୁଣି ମୁଁ ଯେ ଆଶ୍ଚର୍ଯ୍ୟ ହୋଇଲି

ବିପରୀତ ବାଣୀ କେବେ ଶୁଣି ଯା ନଥିଲି ।

ଶୁଣି ସେ ବଚନ ତୁମ୍ଭେ ଲକ୍ଷ୍ମଣେ ପେଶିଲ

ଅସୁରଙ୍କ ମାୟା ତୁମ୍ଭେ ଜାଣି ନ ପାରିଲ ।

କପଟେ ରାବଣ ତହୁଁ ଯୋଗୀବେଶ ହୋଇ

ବଳେ ଲଙ୍କାପୁରେ ନେଲା ତୁମ୍ଭଙ୍କୁ ଚୋରାଇ ।

ବାଟେ ତା ସଙ୍ଗେ ଜଟାୟୁ ଦ୍ୱନ୍ଦ ଆରମ୍ଭିଲା

ବେନି ଡେଣା ତାହାର ଯେ ରାବଣ କାଟିଲା ।

ପର୍ଣ୍ଣକୁଟୀରରେ ଆସି ହେଲି ମୁଁ ପ୍ରବେଶ

ତୁମ୍ଭଙ୍କୁ ନ ଦେଖି ମୁଁ ଗୋ ହୋଇଲି ହତାଶ ।

ସେ ସ୍ଥାନରେ ତୁମ୍ଭଙ୍କୁ ନ ଦେଖିଲି ମୁଁ ଯହୁଁ

ବନେ ବୁଲି ନାନା ସ୍ଥାନେ ଖୋଜିଲି ଗୋ ତହୁଁ ।

ଦଇବେ ଭେଟିଲି ଯାଇ ଜଟାୟୁର ପାଶ

ସେ ମୋତେ ଖବର କହି ଲଭିଲା ବିନାଶ ।

ହସ୍ତୀଭଙ୍ଗା କାଷ୍ଠ ଆଣି ତାକୁ ଦଗ୍‌ଧ କଲୁ

ରତ୍ନଗିରି ଭ୍ରମି ଭ୍ରମି କାତର ହୋଇଲୁ ।

ତୃଷାହିଁ ପୀଡ଼ିଲା କାହିଁ ନ ପାଇଲୁ ଜଳ

ଲକ୍ଷ୍ମଣ ଗମିଲେ ଦୂରେ ଦେଖି ଗାଭୀପଲ ।

ବିନୟରେ ଗୋପାଳଙ୍କୁ ବୋଇଲେ ଲକ୍ଷ୍ମଣ

କ୍ଷୀର ଦିଅ ରାମଚନ୍ଦ୍ର ତୃଷାରେ ଅଜ୍ଞାନ ।

କ୍ଷୀରପାନ କଲେ ସେହୁ ଶାନ୍ତ ଯେ ହୋଇବେ

ଦୁଃଖ ଲଭିଲେଣି କ୍ଷୁଧା ତୃଷାର ପ୍ରଭାବେ ।

ଏମନ୍ତ ବଚନ ଶୁଣି ସେ ଦୁଷ୍ଟ ଗୋପାଳେ

କୁଭାଷା କହିଲେ ଶୁଣି ସୌମିତ୍ରୀ କୋପିଲେ

ବୋଇଲେ ରେ ଦୁଷ୍ଟ ତୁମ୍ଭେ ନ ଚିହ୍ନ ରାମଙ୍କୁ

କ୍ଷୀର ନ ଦେଇ କହୁଛ କୁଭାଷା ଆମ୍ଭଙ୍କୁ ।

ଆଜିଠାରୁ ଯେବେ କ୍ଷୀର ଦୋହନ କରିବ

ସେ ସବୁ କ୍ଷୀର ତୁମ୍ଭର ରକତ ହୋଇବ ।

ଏମନ୍ତ ଭାଷି ଲକ୍ଷ୍ମଣ ମୋ ପାଶକୁ ଯାଇ

ବୋଇଲେ ଦେବ ଗୋପାଳ କ୍ଷୀର ଦେଲେ ନାହିଁ ।

ତାହାଙ୍କର ବାକ୍ୟ ଶୁଣି ମଉନ ହୋଇଲି

ପୁଣି ତବ ଗୁଣ ଗୁଣି କର୍ମ ଆଦରିଲି ।

ଏମନ୍ତ ଗୋପାଳମାନେ କଲେ ଗୋଦୋହନ

ଲକ୍ଷ୍ମଣର ଶାପେ କ୍ଷୀର ହେଲା ରକ୍ତବର୍ଣ୍ଣ ।

ତା ଦେଖି ଗୋପାଳମାନେ ଭୟରେ ଧାଇଁଲେ

ମୋର ବେନି ପାଦତଳେ ଆସିଣ ପଡ଼ିଲେ ।

ବୋଇଲେ ଅପ୍ରାଧ କଲୁ ଆହେ ଯୋଗୀମାନେ

ସବୁ କ୍ଷୀର ରକ୍ତ ହେଲା ତୁମ୍ଭର ବଚନେ ।

କ୍ଷମା କର ଆମ୍ଭ ଦୋଷ ମନରେ ନ ଧର

ଜାତିରେ ଗଉଡ଼ ଆମ୍ଭେ ଅଟୁ ବନଚର ।

କ୍ଷୀର ଦୁହିଁ ଦଧି ଘୃତ ଜାତ କରୁ ତହୁଁ

ତାହା ବିକି ନିଜ ନିଜ ଜୀବିକା ଚଳାଉ ।

ଏହା ଛଡ଼ା ଅନ୍ୟ ବୃତ୍ତି ନାହିଁ ତ ଆମର

ଏବେ କି କରିବୁ କହ ଆହେ ଯୋଗୀବର ।

କୁଟୁମ୍ବ କିପରି ଆମ୍ଭେ ପାଳିବୁ ହେ କହ

ପାଦେ ପଡୁଅଛୁ ସ୍ୱାମୀ ବାଟ କହିଦିଅ ।

ନ କହିଲେ ଆମ୍ଭର ଯେ ବଂଶ ଯିବେ ନାଶ

ହୀନ ଲୋକ ମାରି ତୁମ୍ଭେ ଅର୍ଜିବ କି ଯଶ ।

ଯହୁଁ ସେ ଗୋପାଳମାନେ ଏମନ୍ତ କହିଲେ

ଜାଣିଲି ଲକ୍ଷ୍ମଣ ତାଙ୍କୁ ଅଭିଶାପ ଦେଲେ ।

ବୋଇଲି ଗୋପାଳେ କଲ ବଡ଼ ଅବିଚାର

ତୃଷାର୍ତ୍ତ ଲୋକଙ୍କୁ ଦୂରୁ କଲ ମାର ମାର ।

ନାରୀକି ହଜାଇ ଆମ୍ଭେ ବୁଲୁ ବନ ବନ

କ୍ଷୁଧାତୃଷାରେ ଆତୁର ହେଲା ଆମ ପ୍ରାଣ ।

ଗୋଷ୍ଠ ଦେଖିଣ ଲକ୍ଷ୍ମଣ ଯେ କ୍ଷୀର ମାଗିଲେ

ନିରାଶ ହୁଅନ୍ତେ ସେ ଯେ ଅଭିଶାପ ଦେଲେ

ଦୋହନ କର ଯା ଏବେ ସ୍ରବିବ ସେ କ୍ଷୀର

ତୃଷାର୍ତ୍ତ ଜନରେ ଆଉ ନୋହିବ ନିଷ୍ଠୁର ।

ନିରାଶ ନ କରି ଦେଉଥିବ କ୍ଷୀର ଦାନ

ଯାଅରେ ଗୋପାଳେ ଗୋରୁ କରରେ ଦୋହନ ।

ଏହା ଶୁଣି ଗୋପାଳେ ଯେ ଗୋ-ଗୋଷ୍ଠକୁ ଗଲେ

ଗୋରୁଙ୍କୁ ଦୋହନ କରି କ୍ଷୀର ଆଣି ଦେଲେ ।

ସେହି କ୍ଷୀର ପାନ କରି ତୋଷ କଲୁ ମନ

ଏକାଳେ ବୃଦ୍ଧ ଗୋପାଳ ଅଳି କଲା ଜାଣ ।

ବେନିକର ଯୋଡ଼ିଣ ସେ ପାଦେ ପଡ଼ି ମୋର

ବୋଇଲା ମାଗୁଛି ଯାହା ଦିଅ ମୁନିବର ।

ତାର ମନୋଗତ ଭାବ ଜାଣିକରି ମୁହିଁ

ବୋଇଲି ଗୋପାଳ ତୁହୋ ଶୁଣ ମନଦେଇ ।

ଯାହା ତୁ ମାଗିବୁ ବାବୁ ମୁଁ ତାହା ଜାଣଇଁ

ଦ୍ଵାପର ଯୁଗରେ ତୋର ପୁତ୍ର ହେବି ମୁହିଁ ।

ଏ ଜନମେ ପୁତ୍ର ତୋର ନୋହିବ ଗୋପାଳ

ଛାଡ଼ିଦେ ବାଟ ଆମ୍ଭଙ୍କୁ ନକର ଜଞ୍ଜାଳ ।

କ୍ଷୀର ମୋତେ ଦେଇତୋଷ କଲୁ ମୋର ମନ

ଶୁଝିବି ମୁଁ ଯେବେ ତୋର ହୋଇବି ନନ୍ଦନ ।

ଦ୍ଵାପର ଯୁଗରେ ଗୋପପୁରେ ହେବି ଜାତ

କୃଷ ନାମେ ତୋର ପୁତ୍ର ହେବି ମୁହିଁ ଖ୍ୟାତ

ଶୁଣିଲୁ ଗୋ ପ୍ରାଣସହି କହିଲି ଯା ତୋତେ

ଗୋପେ ଜନମିଲି ସତ୍ୟ ପାଳନ ନିମନ୍ତେ ।

ମୋର ବଚନ ଗୋପାଳ ଶୁଣି ହେଲା ତୋଷ

ସେହି ଏବେ ହୋଇଅଛି ଗୋପରେ ନରେଶ

ତାହାର କୁମର ସିନା ହୋଇଅଛି ମୁହିଁ

ତୁମ୍ଭେ ରାଧା ରୂପ ହୋଇ ଗୋପେ ଅଛ ରହି ।

ଶୁଣି ପରୀକ୍ଷ ବୋଲନ୍ତି ଆହେ ବ୍ରହ୍ମବେତ୍ତା

ସଂଶୟ ଫିଟାଇ ମୋତେ କହ ସର୍ବ କଥା ।

ଭାଗବତେ ଶ୍ରୀକୃଷ୍ଣର ଚରିତ ଶୁଣିଲି

ରାଧା ନାମ ନ ଶୁଣି ମୁଁ ବିଚିତ୍ର ମଣିଲି ।

ଶୁକ ବୋଇଲେ ହେ ରାଜା ଶୁଣ ମନ ଦେଇ

ଜାହ୍ନବୀ ତୀରରେ ତୋତେ ସତ୍ୟ ମୁଁ କରାଇ ।

ବ୍ରହ୍ମଭାଗ ଭାଗବତ କହିଲି ମୁଁ ତୋତେ

ପ୍ରେମଭାଗ ଭାଗବତ ରଖିଲି ଗୁପତେ ।

ପ୍ରେମଭାଗେ ପ୍ରେମମୟୀ ରାଧାନାମ ମୂଳ

ବ୍ରହ୍ମଭାଗେ ଶୁଣନ୍ତୁରେ କାହୁଁ ନରପାଳ ।

ବ୍ରହ୍ମଭାଗେ ପ୍ରେମଭାଗ ଥିଲେଟି ମିଶାଇ

ପ୍ରେମରେ ମଜ୍ଜିଣ ବ୍ରହ୍ମ ନ ଘେନନ୍ତୁ ତୁହି ।

ବ୍ରହ୍ମଭାଗ ପ୍ରେମଭାଗ ପୃଥକ ପୃଥକ

କେତେବେଳେ କେଉଁକାଳେ ନ ହୁଅଇ ଏକ ।

ତେଣୁ ସେ ବେଳରେ ବ୍ରହ୍ମଭାଗ ଥିଲି କହି

ପ୍ରେମଭାଗ ଗୁପତରେ ରଖିଥିଲି ମୁହିଁ ।

ରାଧାର ନାମକୁ ଯେବେ କହିଥାନ୍ତି ତୋତେ

ପ୍ରେମରେ ଅଜ୍ଞାନ ହୋଇଥାନ୍ତୁ ତୁ ନିରତେ ।

କେମନ୍ତ ଶୁଣନ୍ତୁ ସାତଦିନେ ଭାଗବତ

ଏଣୁ ଏହି ପ୍ରେମଭାଗ କରିଥିଲି ଗୁପ୍ତ ।

 

ଗୋପୀଙ୍କ ପୂର୍ବଜନ୍ମ ବୃତ୍ତାନ୍ତ

ଏଥୁ ଅନନ୍ତରେ ତୁହୋ ଶୁଣ ନରସାଇଁ

କହିବି ଆନ ଚରିତ ତୁମ୍ଭ ଆଗେ ମୁହିଁ ।

ପୁଣି ଲକ୍ଷ୍ମୀ ବୋଲୁଛନ୍ତି ପ୍ରଭୁ ମୁଖ ଚାହିଁ

ଆଉ କିଛି ପଚାରିବି କୁହନ୍ତୁ ଗୋସାଇଁ ।

ମୁହିଁ ରାଧା ରୂପେ ହେଲି ଗୋପରେ ଜନମ

ଗୋପୀମାନେ କାହୁଁ ପୁଣି ହୋଇଲେ ଉତ୍ପନ୍ନ ।

ହସି କହନ୍ତି ଶ୍ରୀହରି ଶୁଣ ପ୍ରାଣସହୀ

ରାମ ଅବତାରେ ଚିତ୍ରକୂଟେ ଗଲି ମୁହିଁ ।

ତହିଁ ମୁନିମାନେ ଥିଲେ ଯୋଗଧ୍ୟାନେ ବସି

ଅନନ୍ତ କାଳରୁ ମୋର ନାମ ମୁଖେ ଘୋଷି ।

ଚିତ୍ରକୂଟେ ତୋର ସଙ୍ଗେ ମୋର ଲୀଳା ଦେଖି

ମନେକଲେ ହୋଇଥିଲେ ଆମେ ରାମ ସଖୀ ।

ନିଶ୍ଚେ ଅଙ୍ଗ ସଙ୍ଗ ଲାଭ ହୁଅନ୍ତା ରାମର

ନାନା ରସେ ମତ୍ତ ହୋଇ କରନ୍ତୁ ବିହାର ।

ବନଗିରି ମଧ୍ୟେ ରାମ ସୀତା ସଙ୍ଗେ ଘେନି

ବିହରନ୍ତି କେତେ ତପ କଲା ଏ କାମିନୀ ।

ଏହି ସୀତା ପରି ରାମ ସଙ୍ଗେ ବିହରନ୍ତୁ

ନାନାଜାତି ପୁଷ୍ପମାଳେ ରାମଙ୍କୁ ମଣ୍ଡାନ୍ତୁ ।

ବେଶ ଶେଷେ ମୁଖେ ଦେଇ ଅମୃତ ଭୋଜନ

ଧରି ମନୋରମ ସ୍ଥାନେ କରନ୍ତୁ ଭ୍ରମଣ ।

କେତେବେଳେ ରାମ ଅଙ୍କେ ବସି ପଲ୍ୟଙ୍କରେ

ଅଧରୁ ଅମୃତ ପାନ କରନ୍ତୁ ମୋଦରେ ।

ଅଙ୍ଗସଙ୍ଗ କ୍ରୀଡ଼ାରେ ସନ୍ତୋଷ ହୋନ୍ତା ମନ

ଏସନେ ଆମ୍ଭର ଭାଗ୍ୟ ହେବ କେଉଁଦିନ ।

ଏସନ ବିଚାରି ମନେ ସର୍ବ ଯୋଗୀଜନ

ମୋର ପାଦେ ସମର୍ପଣ କଲେ ପଞ୍ଚପ୍ରାଣ ।

ଜାଣି ମୁହିଁ ମୁନିମାନଙ୍କର ମନ କଥା

ବୋଇଲି ହେ ଯୋଗୀମାନେ ଯାହା କଲ ଚିନ୍ତା

ନ ପାଇବ ଏ ଜନମେ କହୁଅଛୁ ଆମ୍ଭେ

ଦ୍ଵାପରେ ଜନ୍ମିବ ଗୋପେ ଗୋପୀରସେ ତୁମ୍ଭେ ।

ଏହି ସୀତା ରାଧା ରୂପେ ହେବ ଅବତାର

ମୁଁ ଯେ କୃଷ୍ଣ ରୂପେ ଜାତ ହେବି ସେ କାଳର ।

ତେତେବେଳେ ମନବାଞ୍ଛା କରିବି ପୂରଣ

ଏ ଜନମେ ତପସ୍ୟାରେ ତୋଷ କର ମନ

ଏ ବଚନେ ମୁନିମାନେ ତୃପତି ଲଭିଲେ

ମୋ ପାଦରେ ମନଦେଇ ଯୋଗଧ୍ୟାନ କଲେ ।

 

ଲଳିତାର ପୂର୍ବଜନ୍ମ ବୃତ୍ତାନ୍ତ

ଆହୁରି କଥାଏ ତୁ ଗୋ ଶୁଣ କମଳିନୀ

ଅଯୋଧ୍ୟାପୁରରେ ମୁହିଁ ହେଲି ନୃପମଣି ।

ତୋତେ ସଙ୍ଗେ ଘେନି ସିଂହାସନରେ ବସିଲି

କିଛିଦିନ ସେହି ପୁରେ ସୁଖେ ବିଳସିଲି ।

ଦିନେକ ଅନ୍ଧାରୀ ବିଜେ କରିଗଲି ମୁହିଁ

ପ୍ରଜାଙ୍କର ମନୋଭାବ ବୁଝିବାର ପାଇଁ ।

ଯାଉଁ ଯାଉଁ ବୁଲି ମୁହିଁ ନଗର ମଧ୍ୟରେ

ରଜକ ରଜକୀ କଳି ବାଜିଲା କର୍ଣ୍ଣରେ ।

ଶୁଣିଣ ମୁଁ ଦଣ୍ଡେ ତହିଁ ସ୍ଥିର ହୋଇକରି

ରଜକ ବୋଲେ ରଜକୀ ହୋଇଲୁ ଦୋଚାରୀ

ମୋତେ ନ କହିଣ ପିତାଘରେ ଥିଲୁ ଯାଇ

କିପରି ବିଶ୍ୱାସ ତୋତେ କରିବି ଲୋ ମୁହିଁ ।

କାଲି ରାତି ଗୋଟିକ ତୁ ତହିଁ କଟାଇଲୁ

ମୋତେ ନ କହିଣ ତୁ ସହଜେ ଯାଇଥିଲୁ ।

ଯେବେ ଯାଇଥିଲୁ କାଲି କିମ୍ପାଇ ନଇଲୁ

ବାସି ଶୁଆ ଶୋଇକରି ଆଜି ତୁ ଆସିଲୁ ।

ତୋତେ ମୋର ବିଶ୍ବାସ ନୁହଁଇ କଦାଚନ

ଜାଣି ଜାଣି ଅରଜିଲୁ ଦୋଚାରୁଣୀ ଗୁଣ ।

ମୋର ଘରୁ ବାହାରି ତୁ ଯାଅ ଏହିକ୍ଷଣ

ତୋର ମୁଖ ଚାହିଁବା ମୋ ନାହିଁ ପ୍ରୟୋଜନ ।

ଦୋଚାରୁଣୀ ହୋଇଅଛୁ ମୋର ଘରୁ ଯାଇଁ

ଏପରି କଥା ଭାର୍ଯ୍ୟାକୁ ରଜକ ବୋଲଇ ।

ରଜକ ମୁଖରୁ ଶୁଣି ଏଭଳି ବଚନ

ରଜକୀ ବୋଲଇ ଏବେ ମୋର କଥା ଶୁଣ ।

ରାବଣ ପୁରରେ ଯାଇଁ ସୀତାଦେବୀ ଥିଲେ

ଦୋଚାରୁଣୀ ବୋଲି ରାମ ମନେ ନ ଭାବିଲେ ।

ତାଙ୍କଠାରୁ ବଡ଼ ଜାତି ହୋଇଲୁ କି ତୁହି

ଦୋଚାରୁଣୀବୋଲି ମୋତେ ଦେଉଅଛୁ କହି ।

ଶୁଣିଲି ତା କଥା ମୁଁ ଯେ ଦାଣ୍ଡେ ଉଭା ହୋଇ

ତେଣୁ ବନେ ନିବେଶିଲି ତୋତେ ପ୍ରାଣସହୀ

ମୂରୁଛି ନ ପାରି ତୋତେ ବହୁ ବିଳପିଲି

ସୁବର୍ଣ୍ଣେ ସୀତା ଗଢ଼ାଇ ଦିନ ମୁଁ ବଞ୍ଚିଲି ।

ଏବେ ସେ ସୁବର୍ଣ୍ଣ ସୀତା ଗୋପପୁରେ ଜାତ

ଲଳିତା ନାମରେ ସେହୁ ହୋଇଛି ବିଖ୍ୟାତ ।

ଲକ୍ଷ୍ମୀ ବୋଲୁଛନ୍ତି ଯେତେ କହିଲ ଅନନ୍ତ

ସେ ସକଳ ଶୁଣି ମୁହିଁ ହେଲି ଆଚମ୍ବିତ ।

ପୁରୁଷ ଜନମ ମୁନି ନାରୀ ହେଲେ କାହୁଁ

ଫିଟାଇ ଏ କଥା କହ ସଂଶୟ ମୋ ଯାଉ ।

ଲକ୍ଷ୍ମୀଙ୍କ ବଚନେ କହୁଛନ୍ତି ପଦ୍ମଆଖି

ଯାହା ପଚାରିଲ ତାହା ଶୁଣ ପ୍ରାଣସଖୀ ।

ଦିନେ ବଇକୁଣ୍ଠେ ଏକାହୋଇ ତୁ ମନ୍ଦିରେ

କୁଙ୍କୁମ ଲାଗି ହୋଇଣ ଛଡ଼ାଇ ହସ୍ତରେ ।

ତବ ହସ୍ତ ଘାତ ତବ ଲୋମ ନ ସହିଲେ

କୁଙ୍କୁମ ସଙ୍ଗରେ ଝଡ଼ି ତଳେ ପଡ଼ିଗଲେ ।

ଏମନ୍ତ ସମୟେ ତହିଁ ପ୍ରବେଶିଲି ମୁହିଁ

ଅଙ୍ଗେ ନ ଥିବାରୁ ବାସ ତରତର ହୋଇ ।

ପଳାଇ ପଶିଲୁ ସଖି ଗମ୍ଭୀରି ଭିତରେ

ଦାସୀମାନେ ନ ଥିଲେ ତ କେହି ସଙ୍ଗତରେ ।

ଅଳପ ଅଳପ ହସି ମୋତେ ଅନାଇଲୁ

ବିବସନୀ ଥିବା ହେତୁ ପାଖକୁ ନ ଗଲୁ ।

ସଖୀଙ୍କି ନ ଦେଖି ଛଡ଼ା କୁଙ୍କୁମକୁ ଦେଖି

ଡାକିଲି କେ ଜଣେ ଆସି ଝାଡ଼ିଦିଅ ସଖି ।

ନଥିବାରୁ ସେଠାରେ କେ ନ ଆସିଲେ ଜଣେ

ତୋ ଅଙ୍ଗ ଛଡ଼ା କୁଙ୍କୁମ ଝାଡ଼ିଲି ଆପଣେ ।

ସେ କୁଙ୍କୁମ ସଙ୍ଗେ ତୋର ଅଙ୍ଗୁ ଲୋମମାନେ

ପଡ଼ିଥିଲେ ଯହିଁ ସଖୀ ନ ଦେଖି ନୟନେ ।

ଧୀରେ ଧୀରେ ତାହା ନେଇ ଦେଲି ମୁଁ ପକାଇ

ମଳି ସଙ୍ଗେ ଲୋମମାନେ ପଡ଼ିଗଲେ ତହିଁ ।

ଲେଉଟି ତୋ ଅଙ୍ଗେ ଆଉ ଲୋମ ନ ଲାଗିଲେ

ମୋ କର ଲାଗିଲା ଯେଣୁ ମର୍ତ୍ତ୍ୟେ ଜନ୍ମ ହେଲେ ।

ଭିନ୍ନ ଭିନ୍ନ ରୂପ ଧରି ପୁରୁଷ ହୋଇଲେ

କାହୁଁ ଜାତ ହେଲୁ ବୋଲି ଜାଣି ନ ପାରିଲେ ।

କୁଳ ଗୋତ୍ର ନ ଥିବାରୁ ରାଜ୍ୟ ନ ରହିଲେ

ନାରୀ ଅଙ୍ଗ ଲୋମ ହେତୁ ନାରୀ ନ ଛୁଇଁଲେ

ଚିତ୍ରକୂଟେ ରହିଲେ ଯେ ମୁନିରୂପ ଧରି

ଅହୋରାତ୍ର ତୁମ୍ଭ ପାଦପଦ୍ମ ଧ୍ୟାନ କରି ।

ତହୁଁ ସୀତାରୂପେ ତୁମ୍ଭେ ହେଲ ଅବତାର

ଚିତ୍ରକୂଟେ ରହି କଲ ମୋ ସଙ୍ଗେ ବିହାର ।

ଦେଖିଲେ ତୋ ଦେହ ଲୋମଜାତ ମୁନିଗଣ

ଶୂନ୍ୟ ହୋଇଅଛି ସବୁ ତାଙ୍କ ଥିବା ସ୍ଥାନ ।

ମୋ ସଙ୍ଗେ ଥିବାରୁ ଭୟେ ତୋ ସଙ୍ଗେ ନ ଗଲେ

ପୂର୍ବେ ତୋର ଅଙ୍ଗେ ଥାଇ ମୋତେ ଭୋଗୁଥିଲେ ।

ଯହୁଁ ତୋର ମୋର ଲୀଳା ଦେଖିଲେ ନୟନେ

ପୂର୍ବକଥା ତାହାଙ୍କର ପଡ଼ିଲାଟି ମନେ ।

ତହୁଁ ପ୍ରେମାଧୀନ ହୋଇ ସର୍ବ ମୁନିବର

ଚିନ୍ତା କଲେ ନିଜ ନିଜ ପୂରୁବ ଶରୀର ।

ରାଧା ସଖୀ ହୋଇ କୃଷ୍ଣ ସଙ୍ଗେ ବିହରିବେ

କିଛିଦିନେ ତବ ଅଙ୍ଗ ଲୋମ ସେ ହୋଇବେ ।

ରହିବେ ସେ ଯେ ଯାହାର ସ୍ଥାନେ କମଳିନୀ

ଶୁଣିଲୁଟି ଗୋପୀଜନ୍ମ ପରାଣ ସଙ୍ଗିନୀ ।

ଯାହା ପଚାରିଲୁ ତାହା କହିଲିରେ ସହୀ

ଏବେ କଥାଏ କହୁଛି ଶୁଣ ମନଦେଇ ।

ତୁ ଏବେ ରାଧା ରୂପକୁ ଗୁପ୍ତକରି ସହୀ

ଆସୁଛୁ ବୃନ୍ଦାବନକୁ ଗୋପୀଙ୍କୁ ନ କହି ।

ମୋହନ ରୂପକୁ ଧରି କରୁ ବଂଶୀଧ୍ୱନି

ସେ ଧ୍ୱନି ଶୁଣି କମ୍ପନ୍ତି ସୁର ନର ମୁନି ।

ସେ କପଟ ରୂପ ତୋର ମୋହେ ତ୍ରିଭୁବନ

ଯୋଗକୁ ତେଜି ଅଜ୍ଞାନ ହେବେ ଯୋଗୀଜନ

ତୁମ୍ଭେ ନାରୀଜାତି ଛନ୍ଦ ଜାଣ ଗୋ ବହୁତ

ନାରୀ ମାୟାରେ ମୋହିତ ହୋଇଛି ଜଗତ ।

କୃଷ୍ଣ ରୂପ ଛାଡ଼ି ମୁହିଁ ରାଧା ରୂପ ଧରି

ମୋହନ ବାଦ୍ୟ ବଜାଏ ଧୀର ଧୀର କରି ।

ସେହି ବଂଶୀ ସେହି ବାଜା ଭୟଙ୍କର ନାଦ

ଉଛୁଳନ୍ତେ ତିନିପୁର ହୋଇଛି ସ୍ତବଧ ।

ତୁମ୍ଭର ମୋହନ ବେଶ କେ କହିପାରିବ

କୋଟିନେତ୍ର ହେଲେ ଅବା କେ ଅନ୍ତ କରିବ ।

ସେ ମୋହନ ରୂପ ତାର ଦେଖି ମୁଁ ନୟନେ

କପଟେ ତୋହରି ରୂପ ଦେଖିଛି ଯତନେ ।

ଯେ ମୋହନ ବାଦ୍ୟନାଦ ଶୁଣୁଛୁରେ ସହୀ

ସେ ବାଦ୍ୟ ବଜାଏ ମୁହିଁ ରାଧା ସଙ୍ଗେ ରହି ।

ଶୁଣି ସେ ମୁରଲୀନାଦ ଭୟ କଲୁ ତୁହି

ତାହାକୁ ତୁ ବଜାଉଛୁ ରାଧାରୂପ ହୋଇ ।

 

ମୋହନ ବଂଶୀର ଉତ୍ପତ୍ତି କଥନ

ପ୍ରଭୁଙ୍କ ବଚନେ ଲକ୍ଷ୍ମୀ ବୋଲୁଛନ୍ତି ପୁଣ

ଯେବେ ହୋଇଲା ସୁଦୟା ମୋତେ ଭଗବାନ ।

କଥାଏ ପୁଚ୍ଛଇ ଆଉ ତବ ପାଦ ତଳେ

କେହୁ କଲା ବଂଶୀ ଜାତ ରାଧା କାହୁଁ ହେଲେ

କେମନ୍ତ ମୁରଲୀ ସ୍ଵନ ଜଗତ ମୋହଇ

କହ ନାଥ ମୋର ହୃଦୁ ସଂଶୟ ଫିଟାଇ ।

ଶୁଣ ପ୍ରାଣପ୍ରିୟା ବୋଲି ବୋଇଲେ ଅଚ୍ୟୁତ

ଯଜ୍ଞ କୁଣ୍ଡରୁ ବାଂଶେକ ହୋଇଥିଲା ଜାତ ।

ସେହି ବାଂଶ ଚିହ୍ନି ବ୍ରହ୍ମା ଖଣ୍ଡ ଖଣ୍ଡ କଲେ

ଅଗ୍ରଭାଗ ଖଣ୍ଡକ ଯେ ଯତ୍ନେ ରଖିଥିଲେ ।

ମୁଁ ଜାତ ହୋଇଲି ଯହୁଁ ଗୋପେ ନନ୍ଦଘରେ

ବାଳକ୍ରୀଡ଼ା କରିବାକୁ ପାଞ୍ଚିଲି ମନରେ ।

ତୁମ୍ଭେ ଥିଲ ରାଧାରୂପେ ଗୋପୀଗଣ ଧରି

କେଳି କରିବାକୁ ତୁମ୍ଭ ସଙ୍ଗେ ଶ୍ରଦ୍ଧା କରି ।

ନ ଚିହ୍ନିଣ ତୁମ୍ଭେ ମୋତେ କହିଲ ଧିକ୍‌କାରି

ତେଣୁ ଜଗିଲି ତୁମ୍ଭଙ୍କୁ ନାନାରୂପ ଧରି ।

ତୁମ୍ଭ ପାଇଁ ଜଗେ ବସି ଯମୁନାର ଘାଟ

ନ ମାନି ଦୂତୀ ବଚନ କଲେ ମଧ୍ୟ ହଟ ।

ଦଇବେ ପଡ଼ିଲେ ଭେଟ ବାଟ ଭାଙ୍ଗିଯାଉ

ବିନୟେ କହିଲେ ପୁଣି କେତେ ଗାଳିଦେଉ ।

ବେନିହସ୍ତ ବେନିପାଦ ଧରି ଜଣାଇଲି

ବିନୟ କରି ତୁମକୁ ବହୁତ କହିଲି ।

ଦିନୁଦିନ ପୀଡ଼ିଲା ମୋ ଅଙ୍ଗେ ପଞ୍ଚଶର

ସହି ନ ପାରି ମୁଁ ବଳେ ଗଲି ତୋର ପୁର ।

ପଦାଘାତ କରି ମୋତେ କ୍ରୋଧଭର ହୋଇ

ସେ ଘାତେ ପଲ୍ୟଙ୍କୁ ଗଡ଼ିପଡ଼ିଲି ଯେ ମୁହିଁ ।

ପୁଣି ବିନୟ ହୋଇ ତୋ ପାଦ ମୁଁ ଧରିଲି

ହସ୍ତେ ଫିଙ୍ଗିଦେଲେ ଯହୁଁ ନିରାଶ ହୋଇଲି ।

ନ ରହି ଗୋପେ ମୁଁ ତହୁଁ ବୃନ୍ଦାବନ ଗଲି

ତୋହର ବିଚ୍ଛେଦେ ସବୁ ବିଷ ମୁଁ ମଣିଲି ।

ମନେ ବିଚାରିଲି କିମ୍ପା ଗୋପପୁରେ ଥିବି

ସକଳ ବରଜି ଘୋର ବନରେ ପଶିବି ।

ମୁନି ବ୍ରତ ଧରି ତହିଁ ବଞ୍ଚିବି ମୁଁ ଦିନ

ରାଧାର ପ୍ରେମକୁ ଯେବେ ନୋହିଲ ଭାଜନ ।

ବ୍ରହ୍ମା ସିନା ମୋତେ ଏଥି ଜାତ କରାଇଛି

ଜାଣିଲି ବିବେକ ତାର ହୃଦେ ନାହିଁ କିଛି ।

ମୋତେ ସେ କହିଲା ଗୋପଲୀଳା ତୁ କରିବୁ

ଅସୁର ବିନାଶି ଧରା ଭାରା ଉଶ୍ୱାସିବୁ ।

ତେବେ ଦେବେ ରହିବୁଟି ସ୍ଵର୍ଗ ସୁଖ ପାଇ

ଧାତାର ବଚନ ସତ୍ୟ ହୋଇଲା ବା କାହିଁ ।

ଯାଉଛି ମୁଁ ଯୋଗୀହୋଇ ବିଷ୍ଣୁଙ୍କୁ ଧ୍ୟାୟିବି

ତାହାଙ୍କୁ ସେବିଲେ ମୁହିଁ ଆନନ୍ଦେ ରହିବି ।

ବିଧିର ସଂସାର ଏଥି ମୋର କାର୍ଯ୍ୟ ନାହିଁ

ମୁଁ ଯାଉଛି ଧାତା ଏବେ ପାଳୁ ତାର ମହୀ

କେମନ୍ତେ ପୃଥିବୀ ଭାରା ହୋଇବ ଉଶ୍ୱାସ

କେମନ୍ତେ ଦୁଷ୍ଟ ଅସୁରେ ଭଜିବେ ବିନାଶ ।

କେହ୍ନେ ନିର୍ଭୟେ ରହିବେ ସ୍ୱର୍ଗେ ଦେବଗଣ

ଦେଖିବି ବିଧାତା ଅଟେ କେଡ଼େ ବିଚକ୍ଷଣ ।

ଏମନ୍ତ ବିଚାରି ଯୋଗେ ବସିଲି ଯେ ମୁହିଁ

ଦେଖୁଥିଲେ ନାରଦ ତା ଶୂନ୍ୟମାର୍ଗେ ରହି ।

ତକ୍ଷଣେ ସେ ଯାଇ ବ୍ରହ୍ମା ଆଗରେ କହିଲେ

ବେନିକର ଯୋଡ଼ିଣ ସେ ସବୁ ଜଣାଇଲେ

ନାରଦଙ୍କ ମୁଖୁ ଶୁଣି ସକଳ ବୃତ୍ତାନ୍ତ

ମଉନେ ରହିଲେ କ୍ଷଣେ ସାବିତ୍ରୀର ନାଥ ।

ଯେଉଁଠାରେ ବସି କରୁଥିଲି ଯୋଗଧ୍ୟାନ

ସେଠାରେ ମିଳିଲେ ଯାଇ ଚତୁର ଆନନ ।

ଡାକିଲେ ବିନୟେ ଯୋଗ ରଖ ଦଇତାରି

ତୁ ହୋଇଲେ ଯୋଗୀ ନାଶ ଯିବ ସ୍ଵର୍ଗପୁରୀ ।

କରିବେ ଦୁଷ୍ଟ ଅସୁରେ ତିନିପୁର ନାଶ

ଭାଜିବ ଏ ଖେଳଘର ତୋର ପୀତବାସ ।

ସାକ୍ଷାତେ ତୁ ନାରାୟଣ କୃଷ୍ଣରୂପେ ଜାତ

ତୁଁ ଥାଉଁ ସଂସାର ଯେବେ ନାଶିବେ ଦଇତ ।

ତୁହି ସିନା ସ୍ଵର୍ଗ ମର୍ତ୍ତ୍ୟ ପାତାଳ ରଚିଲୁ

ଛପନ କୋଟି ଜୀବଙ୍କୁ ତୁହି ଜାତ କଲୁ ।

ସତ୍ୟ ତ୍ରେତୟା ଦ୍ୱାପର କଳି ଭିଆଇଲୁ

ସ୍ଵର୍ଗରେ ଦେବଗଣଙ୍କୁ ତୁହି ଯେ ସ୍ଥାପିଲୁ ।

ରଖ ଏବେ ସେହି ଯୋଗ ଆହେ ଦାମୋଦର

ଅସୁର ମାରି ମର୍ତ୍ତ୍ୟରେ କରିବ ବିହାର ।

ଏମନ୍ତେ ବ୍ରହ୍ମାର ବାକ୍ୟ ଶୁଣି ଭାବଗ୍ରାହୀ

ଯୋଗାସନ ତ୍ୟାଗ କରି ବ୍ରହ୍ମା ମୁଖ ଚାହିଁ ।

ବୋଇଲି ହେ ପିତାମହ ଶୁଣ ମୋ ବଚନ

ଭାରା ଉଶ୍ୱାସିବା ପାଇଁ ହୋଇଲି ଜନମ ।

ରାଧାଙ୍କୁ କେବେ ମୁଁ କରି ନ ପାରିଲି ବଶ

କେମନ୍ତେ ରାକ୍ଷସକୁଳ କରିବି ବିନାଶ ।

ରାଧାକୁ ଯେବେ ମୁଁ ବଶ ନ ପାରିବି କରି

ମର୍ତ୍ତ୍ୟପୁରେ କାହିଁକି ମୁଁ ଥିବି ଦେହ ଧରି ।

ତୁମ୍ଭେ କହୁଥିଲ ମୋତେ ଗୋପେ କୃଷ୍ଣ ହୋଇ

ବିଳସିବୁ ଷୋଳସସ୍ର ଗୋପୀଙ୍କି ମନାଇ ।

ରୁକ୍ମିଣୀ ଯେ ସତ୍ୟଭାମା ଜାମ୍ବବତୀ ନାରୀ

ଅଷ୍ଟପାଟବଂଶୀ ତୋର ହେବେ ମନୋହାରୀ

ଆବର ହୋଇବେ ଷାଠିଏ କୋଟି କୁମର

ଆମ୍ଭେ ଦେବେ ରହିବୁ ଯେ ଆଜ୍ଞାରେ ତୋହର ।

ପାଣ୍ଡବଙ୍କୁ ଘେନି କୁରୁବଳ ବିନାଶିବୁ

ମେଦିନୀର ଭାରା ନାଶି ନିଜ ଧାମେ ଯିବୁ ।

ସେହି କଥାମାନ ତୋର ମିଥ୍ୟା ତ ଅଟଇ

ମନରେ ବିଚାର ଦେଖି ସାବିତ୍ରୀର ସାଇଁ ।

ଆଜି ରାଧା ନିକଟକୁ ଦୂତୀକି ପେଶିଲି

ବୁଝାଇ କହିଲା ଯେତେ ନ ବୁଝିଲା ବାଳୀ ।

ସହି ନ ପାରି ମୁଁ ଗଲି ତାହାର ମନ୍ଦିରେ

ଦେଖିଲି ପଲ୍ୟଙ୍କେ ବାଳୀ ଅଜ୍ଞାନ ନିଦ୍ରାରେ ।

ରୂପ ଦେଖି ହୃଦୟକୁ ମୋର ପଞ୍ଚଶର

ପ୍ରଚଣ୍ଡରେ ପ୍ରହାରିଣ କଲା ଜରଜର ।

ବହୁତ ଚାଟୁବଚନ ତାହାକୁ କହିଲି

ବେନିହସ୍ତେ ତୋଳି ତାଙ୍କୁ ଅଙ୍ଗରେ ଧରିଲି ।

ଯେତେ ଚାଟୁ କଲି ପଦେ ନ ଦେଲା ଉତ୍ତର

ପାଷାଣେ ଗଠିତ କିବା ହୃଦୟ ତାହାର ।

ଉଠି କର ଯୋଡ଼ି ପୁଣି ବିନୟରେ ମୁହିଁ

ଯେତେ ବୁଝାଇଲି ତାହା ନ ଶୁଣିଲା ସେହି ।

ନିରାଶ ହୋଇ ବାହୁଡ଼ି ଅଇଲି ମୁଁ ଯହୁଁ

ବିଚାରିଲି କିମ୍ପା ଗୋପପୁରେ ଥିବି ଆଉ ।

ବୃନ୍ଦାବନେ ଯାଇଁ ଯୋଗ ସାଧିବି ମୁଁ ବସି

ଏହା ଭାବି ଯୋଗ ସାଧୁଅଛି ଅହର୍ନିଶି ।

ତୁ ଆଜି ଜଞ୍ଜାଳ କିମ୍ପା କରୁ କୁଶପାଣି

ନିଜ ଧାମ ଯିବି ନିଶ୍ଚେ ପାଳ ତୋ ମେଦିନୀ ।

ଶୁଣି ବେଦବର ନମି ବିନୟେ କହଇ

ତ୍ରିପୁରେ ତୋର ମାୟା କେ ଜାଣି ନ ପାରଇ ।

ମାୟା କରି ଦେବ ସିନା ଭୁଲାଉଛୁ ମୋତେ

ଯେ ରାଧା ସେ କୃଷ୍ଣ ବୋଲି ଜାଣେ ମୁଁ ଯୁକତେ

ଏକା ଅଙ୍ଗ ରାଧାକୃଷ୍ଣ ନୁହେଁ ଭିନ୍ନାଭିନ୍ନ

ମୋଠାରେ କିମ୍ପାଇ ମାୟା କରୁ ନାରାୟଣ ।

ଏବେ ମୁଁ କହୁଛି ତୋତେ ଶୁଣ କମ୍ବୁପାଣି

ଯେମନ୍ତେ ତୋଠାରେ ବଶ ହେବେ କମଳିନୀ ।

ଯଜ୍ଞକୁଣ୍ଡରୁ ବାଂଶେକ ସମ୍ଭୂତ ହୋଇଲା

ତାର ଅଗ୍ରଖଣ୍ଡ ରଖିଅଛି ନନ୍ଦବଳା ।

କେତେକାଳୁ ଯତ୍ନକରି ତାହାକୁ ଥୋଇଛି

ତୋତେ ଦେବାପାଇଁ ସେହି ବଂଶୀ ଭିଆଇଛି

ପ୍ରଥମ ରନ୍ଧ୍ରେ ଫୁଙ୍କିଲେ କରେ ଉଚ୍ଚାଟନ

ଦ୍ୱିତୀୟ ରନ୍ଧ୍ରେ ଫୁଙ୍କିଲେ କରାଏ ସ୍ତମ୍ଭନ

ତୃତୀୟ ରନ୍ଧ୍ରେ ଫୁଙ୍କିଲେ ଜଗତ ସେ ମୋହେ

କଳ୍ପଋଷି ହେଲେ ମଧ୍ୟ ବିଚଳିତ ହୁଏ ।

ଚତୁର୍ଥ ରନ୍ଧ୍ରରେ ମର ଅମର ପାଗଳ

ପାଷାଣ ସହିତେ ଶୁଣି ହୁଅନ୍ତି ତରଳ ।

ପଞ୍ଚମ ରନ୍ଧ୍ରରେ ଯେବେ ବାଜିବ ମୁରଲୀ

ଯା ନାମେ ବାଜିବ ତାର ଧୈର୍ଯ୍ୟ ଯାଏ ଟଳି ।

ମାତା ପୁତ୍ର ପତି ପିତା ସକଳ ସେବିବ

ଅବହେଳେ ଗୁରୁଜନ ବଚନ ଲଙ୍ଘିବ ।

ଯା ନାମେ ଏ ବଂଶୀ ଧରି ବଜାଇବୁ ହରି

ଆସିଲେ ତୋ ପାଶେ ଗୃହେ ରହି ସେ ନପାରି

କୃଷ୍ଣ ହସ୍ତେ ବଂଶୀ ଦେଇ ଅନ୍ତର୍ଦ୍ଧାନ ହେଲେ

ସେ ମୁରଲୀ ଧରି କୃଷ୍ଣ ରାସଲୀଳା କଲେ ।

ଆଜି ସେ ବଂଶୀକୁ ଧରି ବୃନ୍ଦାବନେ ହରି

ଗୋପାଳଙ୍କ ସଙ୍ଗେ ଗଲେ ଚରାଇ ବାଛୁରୀ ।

ମାଧବୀର ତଳେ ତାକୁ ରଖି ବନମାଳୀ

ଆନନ୍ଦେ ଚରାନ୍ତି ଧେନୁ ବନେ ବନେ ବୁଲି ।

ଗୋପାଳଙ୍କ ସଙ୍ଗେ ମାତି ବଂଶୀ ପାଶୋରିଲେ

ଏହି ସମୟେ ସ୍ନାନକୁ ରାଧା ବାହାରିଲେ ।

ସୁବର୍ଣ୍ଣ ଝରୀକ ଥୋଇ କଦମ୍ବ ମୂଳରେ

ମାଧବୀ ଲତାକୁ ଦେବୀ ନିରେଖି ଚାହିଁଲେ ।

ଦେଖି ତହୁଁ ପୁଷ୍ପରାଜି ହୋଇଲେ ଆନନ୍ଦ

ଚହଟି ଉଠଇ ଚାରିଆଡ଼େ ତା ଆମୋଦ ।

ବିଚାରିଲେ ଏହି ଫୁଲ ତୋଳିନେବି ଆଜ

କରାଇବି ମୋ ପୁରକୁ ବିଜେ ଦେବରାଜ ।

ଏମନ୍ତ ବିଚାରି ରାଧା ଲତା ତଳେ ମିଳି

ଫୁଲ ତୋଳୁ ତୋଳୁ ତହିଁ ଦେଖିଲେ ମୁରଲୀ ।

ଚଉଦିଗେ ଚାହିଁ ଦେଖି ହୋଇଲେ ଚକିତ

କେମନ୍ତେ ମୁରଲୀ ଛାଡ଼ି ଗଲେ ଗୋପୀନାଥ

କିବା ଲୁଚିଛନ୍ତି ମାୟା କରି ଦେବ ହରି

ବୃନ୍ଦାକୁ ଏହି ବନରେ କଲେ ଯେଉଁପରି ।

ମୋତେ ନିକି କୃଷ୍ଣଚନ୍ଦ୍ର କରିବେ ତେମନ୍ତ

ବିଚାରୁ ଏମନ୍ତ ଛନ୍ନ ଛନ୍ନ ହେଲା ଚିତ୍ତ ।

ପୁଣି ବିଚାରିଲେ ସେ ତ କପଟିଆ ହରି

ବାଳକାଳୁ ନାନା ହଟ କଲେ ବଂଶୀଧାରୀ ।

ଦିନେକ ପାଲଟା ବାସ ଆମ୍ଭର ଚୋରାଇ

ବାନ୍ଧିଲେ କଦମ୍ବ ଡାଳେ ନ ଦେଖିଲୁ କେହି

ଆଜି ତ ମୋହନ ବଂଶୀ ଅଛି ଏହା ତଳେ

କେମନ୍ତେ ବୁଝିବି କୃଷ୍ଣ ନାହାନ୍ତି ଏଠାରେ ।

କ୍ଷଣେ ନ ଛାଡ଼ନ୍ତି କରୁ ମୋହନ ମୁରଲୀ

କେମନ୍ତେ ପାଶୋରି ଆଜ ଦେଲେ ବନମାଳୀ

ଏମନ୍ତ ବିଚାରି ରାଧା ହସି ମନ୍ଦ ମନ୍ଦ

ଡାକନ୍ତି ଲୁଚିଛ କାହିଁ ଆସ ହେ ଗୋବିନ୍ଦ ।

ପୁଣିହିଁ ଡାକ ଦିଅନ୍ତି ଆସ ହେ ଶ୍ରୀପତି

ଆସ କୃଷ୍ଣଚନ୍ଦ୍ର ଆସ ଆସ ଯଦୁପତି ।

ନାହାନ୍ତି ତ ତହିଁ କୃଷ୍ଣଚନ୍ଦ୍ର କେ ଶୁଣିବ

ପୁଣିହିଁ ଡାକିଲେ ରାଧା ଆସ ହେ ମାଧବ ।

ବାରବାର ଚଉଦିଗେ ଚାହାନ୍ତି ନିରେଖି

କାହିଁ ଦେଖି ନ ପାରିଲେ ଯହୁଁ ପଦ୍ମଆଖି ।

ମୁରଲୀ କି କରେ ଧରି ନୀପମୂଳେ ଗଲେ

ସେଠାରେ ମଧ୍ୟ କୃଷ୍ଣଙ୍କୁ ବହୁତ ଖୋଜିଲେ ।

ଆଜି ମୁଁ ଏ ରୂପ ତେଜି କୃଷ୍ଣରୂପ ହେବି

ମୋହନ ମୁରଲୀ ନାଦେ କୃଷ୍ଣଙ୍କୁ ମୋହିବି ।

ଏମନ୍ତ ବିଚାରି ନିଜ ରୂପ ଗୋପ୍ୟ କରି

କପଟେ ଶ୍ରୀକୃଷ୍ଣ ରୂପ ଧଇଲେ କିଶୋରୀ ।

ତ୍ରିଭଙ୍ଗୀ ଛନ୍ଦରେ ଉଭା ହୋଇ ବଂଶୀସ୍ୱନେ

ଡାକନ୍ତି ହେ କୃଷ୍ଣଚନ୍ଦ୍ର ଆସ ବୃନ୍ଦାବନେ ।

ନିଜ ନାମେ ଘନଘନ ବାଜଇ ମୁରଲୀ

ବୃନ୍ଦାବନେ ଥାଇ ତାହା ଜାଣି ବନମାଳୀ ।

ମାୟାକରି ଗୋପାଳଙ୍କ ମନ ଭୁଲାଇଲେ

ଧୀରେ ଧୀରେ ନୀପମୂଳ ଆଡ଼କୁ ଆସିଲେ ।

କାଳିନ୍ଦୀ କୂଳରେ ଉଭା ହୋଇ ଶିରୀପତି

ଦେଖିଲେ କଦମ୍ବ ମୂଳେ ବିଚିତ୍ର ମୂରତି ।

ନିଜ ରୂପ ତେଜି ରାଧା କୃଷ୍ଣରୂପ ହୋଇ

ଡାକନ୍ତି ମୁରଲୀ ସ୍ୱନେ ଆସରେ କହ୍ନାଇ ।

କୃଷ୍ଣଚନ୍ଦ୍ର ଆସିବାର ନିମନ୍ତରେ ରାଈ

ଘନଘନ କରି ବଂଶୀ ଅଛନ୍ତି ସେ ବାଈ ।

ଏମନ୍ତ ଦେଖିଣ କୃଷ୍ଣ ହରଷ ମନରେ

ଭାବିଲେ ଏ ରୂପେ ବଶ ରାଧା ଏତେବେଳେ

ସେହି ରାଈ ରୂପ ହୋଇ ତାଙ୍କ ପାଶେ ଯିବି

ଭଲ ମନ୍ଦ ଭାବ ତହିଁ ଯାଇଣ ବୁଝିବି ।

କେମନ୍ତେ ଚିହ୍ନିବ ମୋତେ ସେ ରାଈକିଶୋରୀ

ଏମନ୍ତେ ବିଚାରି ରାଧାରୂପ ହୋଇ ହରି ।

ମୋହନ ବାଜା ବଜାଇ ଧୀରେ ଧୀରେ ଗଲେ

କଦମ୍ବ ମୂଳରେ ଯାଇ ପ୍ରବେଶ ହୋଇଲେ ।

ଦେଖି ମୋହନ ମୁରଲୀ ବଜାନ୍ତି କିଶୋରୀ

ଆନନ୍ଦରେ ତାଳେ ତାଳେ ନାଚନ୍ତି ଶ୍ରୀହରି ।

କୃଷ୍ଣଙ୍କ ମୋହନ ବାଦ୍ୟ ରାଧାଙ୍କ ମୁରଲୀ

ଶବଦରେ ତିନିପୁର ଯାଉଛି ଉଛୁଳି ।

ରାଧାଙ୍କୁ କହିଲେ କୃଷ୍ଣ ହରଷ ମନରେ

ତୁମ୍ଭଯୋଗେ କେତେ କଷ୍ଟ ଲଭିଲି ଅଙ୍ଗରେ ।

ସେ ମୋହନ ବାଦ୍ୟ ଶୁଣି ତୁମ୍ଭେ ଭୟ କଲ

ଯୋଗନିଦ୍ରା ଭାଙ୍ଗି ମୋର ମୋତେ ପଚାରିଲ

ଏବେ ତୁମ୍ଭ ମନୁ ଚିନ୍ତା ତେଜ ଗୋ ସଜନୀ

ନରନାରାୟଣ କ୍ରୀଡ଼ା କରନ୍ତି ମେଦିନୀ ।

ଏହାଶୁଣି କୃଷ୍ଣପାଦେ ପଡ଼ି କମଳିନୀ

ବୋଲନ୍ତି ସୁଦୟା ଯେବେ ହେବ ଚକ୍ରପାଣି ।

ଆବର କଥାଏ ପ୍ରଭୁ ପଚାରଇ ତୋତେ

ମାୟା ନ କରି ହୃଦୟେ କହିବଟି ମୋତେ ।

କିପରି ବା କୃଷ୍ଣ ଅଙ୍ଗେ ରାଧା ହେଲେ ଲୀନ

କେଉଁପରି ନାରୀଅଙ୍ଗ ହେଲେ ଭଗବାନ ।

କେଉଁରୂପେ ପୃଥିବୀରେ ରାଧା ହେଲେ ଜାତ

ଏକଥା ସଂକ୍ଷେପି ମୋତେ କହ ଜଗନ୍ନାଥ ।

କରଯୋଡ଼ି ବୋଲେ ପୁଣି ରାଜା ପରୀକ୍ଷିତ

ରାଧା କୃଷ୍ଣଙ୍କର ଲୀଳା କହ ବ୍ୟାସସୁତ ।

ଚିତ୍ତବୋଧ ଗୀତ ଏ ଯେ ସୁଧାମୟ ବାଣୀ

ଅଚ୍ୟୁତ ଦାସକୁ ରଖ ଆହେ ଚକ୍ରପାଣି ।

 

ଶ୍ରୀରାଧାଙ୍କ ଜନ୍ମ ବୃତ୍ତାନ୍ତ

ଲକ୍ଷ୍ମୀ ବଚନେ କହନ୍ତି ପ୍ରଭୁ ପଦ୍ମପାଣି

ବାଛି ବାଛି ଗଣ୍ଠି କଥା ପଚାରୁ ସଜନୀ ।

ନର ନାରାୟଣ ଲୀଳା ଶୁଣିବୁ କର୍ଣ୍ଣର

କହିବା ସଂଶୟ ତୋର ଯେହ୍ନେ ହେବ ଦୂର ।

ଶୁଣ ଆଗେ କମଳିନୀ ହୋଇ ଏକ ଚିତ୍ତ

ମାନବ ବିଷ୍ଣୁର ଲୀଳା ଅଟଇ ଯେମନ୍ତ ।

ଗୋଲୋକ ମଣ୍ଡଳେ ସଖୀ ଅଛନ୍ତି ଯେ ହରି

ତାହାଙ୍କର ଆଦିଅନ୍ତ ନାହିଁଟି ସୁନ୍ଦରୀ ।

ସେହି ବିଷ୍ଣୁ ଲୋମମୂଳୁ ସର୍ବେ ହେଲେ ଜାତ

ଗୋଲୋକ ମଣ୍ଡଳ ସେ ଯେ ରହିଥାନ୍ତି ନିତ୍ୟ ।

ଦେବେ ସେ ଗୋଲୋକ ଧାମେ ନପାରନ୍ତି ଯାଇ

ବହୁ ପ୍ରଳୟରେ ଯାର ବିନାଶ ନୁହଇ ।

ଯହିଁ ମୋହ ମାୟା କ୍ଷୁଧା ତୃଷା ନାହିଁ କିଛି

ବ୍ରହ୍ମରେ ଜୀବ ପରମ ଯହିଁ ମିଶିଅଛି ।

ଯହିଁ ଜଳ ସ୍ଥଳ ନାହିଁ ନାହିଁ ଯେ ଆକାଶ

ଯହିଁ ଲାଗିଅଛି ସଦା କଉତୁକ ରାସ ।

ତହିଁରେ ସର୍ବଦା ନିଦ୍ରା ବିଷ୍ଣୁ ଛନ୍ତି ରହି

ତିନିପୁରେ ସେହି ଲୀଳା କରନ୍ତିଟି ଯାଇ ।

ଛପନ କୋଟି ପ୍ରାଣୀଙ୍କୁ ସେହି କଲେ ଜାତ

ବ୍ରହ୍ମା ବିଷ୍ଣୁ ମହେଶ୍ୱର ସେ କଲେ ସଂଭୂତ ।

ଯେଉଁ ମହୀପରେ ମୁନି କରୁଛନ୍ତି ଧ୍ୟାନ

ଯହିଁ ମାନବେ କରନ୍ତି ବିଷ୍ଣୁର କୀର୍ତ୍ତନ ।

ଯହିଁ ବିହାର କରନ୍ତି ନିତ୍ୟ ଦେବଗଣେ

ନାନା ଦ୍ରବ୍ୟ ଭୋଗ ଇଚ୍ଛା ବିଚାରିଣ ମନେ ।

ଏମନ୍ତ ପୁରେ ଅସୁର ହେଲେ ଯହୁଁ ଜାତ

ସ୍ୱର୍ଗ ମର୍ତ୍ତ୍ୟ ପାତାଳକୁ କଲେ ଅସ୍ତବ୍ୟସ୍ତ ।

ଅସୁରଙ୍କ ଉପଦ୍ରବ ବାରମ୍ବାର ସହି

ସ୍ୱର୍ଗରେ ଦେବତାମାନେ ନ ପାରିଲେ ରହି ।

ଆତଙ୍କେ ବିଷ୍ଣୁଙ୍କ ପାଦପଦ୍ମେ ଧ୍ୟାନ କଲେ

ଗୋଲୋକରେ ନିଦ୍ରାବିଷ୍ଣୁ ମନରେ ଜାଣିଲେ

ସେହି ରାହାସ ମଣ୍ଡଳ ଷୋଳକଳା ହରି

ଚାରିଭାଗ ମର୍ତ୍ତ୍ୟେ ହୋଇ ପେଶିଲେ ମୁରାରୀ ।

ବୋଇଲେ ମନରେ ହୁଅ ତୁମ୍ଭେ ଅବତାର

ଦୁଷ୍ଟ ଦାନବକୁ ମାରି ମହୀ ଭାର ହର ।

ବିଷ୍ଣୁଙ୍କ କଳାରୁ କୃଷ୍ଣ ଅବତାର ହେଲେ

ସେହି କୃଷ୍ଣ ଗୋପମଣ୍ଡଳରେ ରାସ କଲେ ।

ଯହୁଁ ମର୍ତ୍ତ୍ୟପୁରେ କୃଷ୍ଣ ହୋଇଲେ ସମ୍ଭୂତ

ପୁତନାଦି ଅଷ୍ଟମଲ୍ଲ ପ୍ରାଣ କଲେ ହତ ।

ତେଣୁ ବିଚାରିଲେ ପାପ କଲି ମୁଁ ବହୁତ

ବିଷ୍ଣୁଙ୍କ ଦର୍ଶନେ ପାପୁ ହୋଇବି ମୁକତ ।

ନିଶ୍ଚେ ଆଜ ଯିବି ମୁହିଁ ଗୋଲୋକ ଭୁବନ

ଏମନ୍ତ ବିଚାରି ମନେ ଯଶୋଦାନନ୍ଦନ ।

ଯହିଁ ନିତ୍ୟ ହୁଏ ରାସ ନୃତ୍ୟଗୀତ ବାଦ୍ୟ

ଯହିଁ ନିତ୍ୟ ଶୁଭେ ତ୍ରାହି ତ୍ରାହି ବିଷ୍ଣୁନାଦ ।

ସେହିଠାରେ କୃଷ୍ଣ ଯାଇ ପ୍ରବେଶ ହୋଇଲେ

ଶବଦ ଶୁଣନ୍ତେ ଦ୍ୱାରେ ଚକିତେ ରହିଲେ ।

ଗୋଲୋକରେ ଥାଇ ତାହା ତ୍ରିପୁରା ଜାଣିଲା

ନର ବା ମାନବ ବିଷ୍ଣୁ ଆସିଛି ଭାବିଲା ।

ବିଷ୍ଣୁଙ୍କୁ ଦର୍ଶନ କରି ଯିବେ ମର୍ତ୍ତ୍ୟପୁରୀ

ବିଷ୍ଣୁ ଅଂଶରୁ ଏ କୃଷ୍ଣ ଅଛି ଅବତରି ।

ତେଣୁକରି ଗୋଲୋକକୁ ଆସି ସେ ପାରିଲେ

ଭୟେ ନ ଆସି ଭିତର ଦ୍ଵାରେ ସେ ରହିଲେ

ଏତେ ବିଚାରି ତ୍ରିପୁରା ହୋଇ ହସ ହସ

କୃଷ୍ଣ ଯହିଁ ଥିଲେ ତହିଁ ହୋଇଲେ ପ୍ରବେଶ

ବୋଇଲେ କାହୁଁ ଅଇଲୁ ନାମ ତୋର କିସ

ଜ୍ୱଳନ୍ତା ଅନଳେ କିମ୍ପା ଆସି ଦେଲୁ ଝାସ ।

ବ୍ରହ୍ମର୍ଷିଙ୍କୁ ଅଗୋଚର ଅଟେ ଏହି ପୁର

କେ ତୋତେ ଆଣିଲା କହ କାହିଁ ତୋର ଘର

ତ୍ରିପୁରା ବଚନେ କୃଷ୍ଣ ହୋଇଣ କାତର

ଭୟରେ କହନ୍ତି ତୁମ୍ଭେ ଶୁଣ ମୋ ଉତ୍ତର ।

ମଞ୍ଚପୁରେ ବିଷ୍ଣୁକଳା ଘେନି ହେଲି ଜାତ

ଅଳପ ଦିନରେ ପାପ କରି ମୁଁ ବହୁତ ।

ସେ ପାପୁ ପାରି ହେବାକୁ କରିବି ଦର୍ଶନ

ସେଥିପାଇଁ ଆସିଅଛି ଗୋଲୋକ ଭୁବନ ।

ମୋତେ ଦୟା ଯେବେ ତୁହି କରିବୁରେ ସଖୀ

ବିଷ୍ଣୁଙ୍କୁ ଦର୍ଶନ କରି ଶୁଦ୍ଧ ହେବ ଆଖି ।

ସମସ୍ତ ପାତକ ଯିବ ବିଷ୍ଣୁଙ୍କ ଦର୍ଶନେ

ଦେଖାଅ ଶରଣ ଗଲି ସଖୀ ତୋ ଚରଣେ ।

କର ମୋତେ ସୁଦୟା ଗୋ କହେ କରଯୋଡ଼ି

ବିନୟ ହୋଇ ତ୍ରିପୁରା ପାଦେ କୃଷ୍ଣ ପଡ଼ି ।

ତ୍ରିପୁରା କହଇ ଦେଖି ଶ୍ରୀକୃଷ୍ଣ ଆକୁଳ

ବିଷ୍ଣୁ ଦରଶନ ନିଶ୍ଚେ ହୋଇବ ତୁମ୍ଭର ।

ଗୋଲୋକ ରାସ ଦେଖିବ ପୁରା ନେତ୍ରଯୁଗେ

କରିବ ବିଷ୍ଣୁ ଆଜ୍ଞାରେ ଲୀଳା ଭୂମିଭାଗେ ।

କୃଷ୍ଣଙ୍କୁ ତ୍ରିପୁରା ଏତେ କହି ଗୁପ୍ତ ହେଲେ

ସଖୀରୂପ କରିଣ ସେ ଗୋଲୋକକୁ ନେଲେ ।

ଶ୍ରୀକୃଷ୍ଣ ଗୋଲୋକ ଦେଖି ହେଲେ କୃତ୍ୟକୃତ୍ୟ

ଦେଖିଲେ କରନ୍ତି ବିଷ୍ଣୁ ସଖୀସଙ୍ଗେ ନୃତ୍ୟ ।

ମନେ ବିଚାରିଲେ ଧନ୍ୟ ଜୀବନ ମୋହର

ଦେଖିଲି ଗୋଲୋକ ରାସ ଆଜି ମୁଁ ବିଷ୍ଣୁର ।

ଧନ୍ୟ ଗୋ ତ୍ରିପୁରା ମୋତେ କଲୁ ପ୍ରତିକାର

ତୋର ଦୟାରୁ ଦେଖିଲି ବିଷ୍ଣୁଙ୍କ ପୟର ।

ସଖୀରୂପ କରି ମୋତେ ଗୋଲୋକେ ଆଣିଲୁ

ନର ନାରାୟଣ ବୋଲି ଭୟ ତୁ ନ କଲୁ ।

ଲକ୍ଷ୍ମୀଆଦି ଜାତ ତୁମ୍ଭେ ଯେତେ ସଖୀଗଣ

ଲକ୍ଷ୍ମୀଠାରୁ ରୂପବତୀ ଅଟୁ ତୁ ଦ୍ୱିଗୁଣ ।

ଧନ୍ୟ ତ୍ରିପୁରା ତୋ ଋଣ ଶୁଝି ନ ପାରିବି

ତୋର ପାଦତଳେ ମୁହିଁ କିଙ୍କର ହୋଇବି ।

ତୋହର ନାମକୁ ନିତ୍ୟ କରି ଜପାମାଳି

ତୋର ନାମ ହେବ ମୋର ଜୀବନ ସଙ୍ଖାଳି ।

ତୋହର ସଙ୍ଗରେ ମୁହିଁ କେହ୍ନେ ବିହରିବି

ତୋର ନାମ ଯୁଗେ ଯୁଗେ କେମନ୍ତେ ରଖିବି

ଆଗେ ତୋ ନାମ ବିଖ୍ୟାତ କରି ତିନିପୁରେ

ମୋ ନାମକୁ ରଖିବି ତୋ ନାମର ପଛରେ ।

ତୁ ଯେବେ ସଜନୀ ମୋର କଲୁ ଉପକାର

ତୋ ପ୍ରସାଦେ ଦେଖିଲି ମୁଁ ବିଷ୍ଣୁର ପୟର ।

ଏମନ୍ତ ଭାବି ବିଷ୍ଣୁଙ୍କୁ କୃଷ୍ଣ କଲେ ଧ୍ୟାନ

ଅନ୍ତର୍ଯ୍ୟାମୀ ନାଥ ବିଷ୍ଣୁ ଜାଣି କୃଷ୍ଣ ମନ ।

କହନ୍ତି ବଚନ ସଖୀଗଣ ମଧ୍ୟେ ଥାଇ

ମର୍ତ୍ତ୍ୟରୁ ସେ ସଖୀ ଆସି ଏଥେ ଅଛି ରହି ।

ମାନବ ଶରୀର ତୋର ଅଛି ଗୁପ୍ତ କରି

ଭୟ ନ କରିଣ ମୋତେ କହ ସତ୍ୟ କରି ।

କହ କେଉଁ ସଖୀ ଆସିଅଛି କି ନିମନ୍ତେ

ସତ୍ୟ କଥା ଗୋଟି କହ ନ ରଖି ଗୁପତେ ।

କିମ୍ପା ନିଜ ରୂପ ତୁମ୍ଭେ ଗୋପନ କରିଲ

ସଖୀ ଅଙ୍ଗ ବହି କେହ୍ନେ ଗୋପନେ ଆସିଲ ।

ବିଷ୍ଣୁଙ୍କ ବଚନ ଶୁଣି କୃଷ୍ଣପାଦେ ପଡ଼ି

ବିନୟ ଭାବେ କହନ୍ତି ବେନିକର ଯୋଡ଼ି ।

ବୋଲନ୍ତି ଭୋ ପ୍ରଭୁ ଦୋଷ କ୍ଷମାକର ମୋର

ତବ ଅଂଶୁ ଜନ୍ମି ମୁହିଁ ଗଲି ମର୍ତ୍ତ୍ୟପୁର ।

ମର୍ତ୍ତ୍ୟରେ ପାତକ ଯହୁଁ ବହୁତ ହୋଇଲା

ସେ ପାପ ବହୁତ ପୀଡ଼ା ଆସି ମୋତେ ଦେଲା

ତେଣୁ ତବ ଦର୍ଶନକୁ ମୁହିଁ ଯେ ଆସିଲି

ମର୍ତ୍ତ୍ୟପୁରେ ପାପ ହେତୁ ଚଳି ନ ପାରିଲି ।

ଜାଣି ତ୍ରିପୁରା ହୋଇଲେ ଦ୍ଵାରେ ପରବେଶ

ଶୁଣିଲେ ମୋଠାରୁ ସେହି ସକଳ ରହସ୍ୟ ।

ଯେଉଁ ତ୍ରିପୁରା ଅଟନ୍ତି ସତ ରଜ ତମ

ଯେଉଁ ତ୍ରିପୁରା ପରମ ଜୀବ କରେ ଜନ୍ମ ।

ସେ ତ୍ରିପୁରା ସ୍ଵର୍ଗ ମର୍ତ୍ତ୍ୟ ପାତାଳ ଅଟଇ

ତ୍ରିପୁରା ନ ଥାଇ ସ୍ଥାନ ଆଉ କାହିଁ ନାହିଁ ।

ସେହି ତ୍ରିପୁରାଙ୍କୁ ଯହୁଁ ଦ୍ୱାରେ ମୁଁ ଦେଖିଲି

ବିନୟ ଭାବେ ସକଳ ଦୁଃଖ ଜଣାଇଲି ।

ଜାଣେ ମୁଁ ତ୍ରିପୁରା ଦେବୀ ଅଟେ ଆଦ୍ୟାଶକ୍ତି

ତେଣୁ ତାଙ୍କ ପାଦେ କଲି ବହୁତ ବିନତି ।

ମୋତେ ଦେଖନ୍ତେ ତ୍ରିପୁରାଦେବୀ ଦୟା କଲେ

ସଖୀ ଅଙ୍ଗ ଦେଇକରି ଏଠାକୁ ଆଣିଲେ ।

ତାଙ୍କ ଯୋଗୁଁ ତବ ପାଦ ଦର୍ଶନ ପାଇଲି

ମର୍ତ୍ତ୍ୟର ସକଳ ପାପ ଏବେ ମୁଁ ନାଶିଲି ।

ନ ରହିବି ମର୍ତ୍ତ୍ୟପୁରେ କରୁଛି ଦୟିନୀ

ଏମନ୍ତେ ବୋଲି ପଡ଼ିଲେ ପାଦେ ଚକ୍ରପାଣି ।

ବୋଲୁଛନ୍ତି ନଦ୍ରାବିଷ୍ଣୁ ଶୁଣ ନରହରି

ଯାଅ ଆସିବ ମର୍ତ୍ତ୍ୟରୁ ଭାରା ନାଶ କରି ।

କ୍ଷଣେ ନ ରହିଣ ତୁମ୍ଭେ ଯାଅ ମର୍ତ୍ତ୍ୟପୁର

ଦୁଷ୍ଟ ଦାନବମାନଙ୍କୁ ଶୀଘ୍ର ନାଶ କର ।

ଅଛନ୍ତି ବହୁତ ଭକ୍ତ ତହିଁ ଶାପ ପାଇ

ଉଦ୍ଧାର କର ତାହାଙ୍କୁ ମୋକ୍ଷ ବାଟ କହି ।

ଯହୁଁ ରସେ ମାତି ଉଜାଡ଼ିଲେ ତ୍ରିଭୁବନ

ଭୟରେ ମୋ ଆଶ୍ରା ନେଲେ ଆସି ଦେବଗଣ

ପୃଥ୍ୱୀଭାରା ନାଶିବାକୁ ଚାରି ଭାଗ ହେଲି

କୃଷ୍ଣରୂପେ ସିନା ମୁହିଁ ମର୍ତ୍ତ୍ୟରେ ରହିଲି ।

ଆବର ଭାଗେ ସକଳ ଘଟେ ଅଛି ପୁରି

ଭାଗେ ଗୋଲୋକେ ରହିଛି ବିଷ୍ଣୁରୂପ ଧରି ।

ପାତାଳେ ଅନନ୍ତ ରୂପେ ନିରାକାର ମୁହିଁ

ଲକ୍ଷ୍ମୀ ସରସ୍ଵତୀ ବେନି ଯୋଗନିଦ୍ରା ଯାଇ ।

ଏହିପରି ଷୋଳକଳା ହୋଇଛି ପ୍ରକାଶ

ଏକା ନିରାକାର ତହିଁ ଷୋଳକଳା ବାସ ।

ବିଷ୍ଣୁଙ୍କ ମୁଖରୁ ଯହୁଁ ଏମନ୍ତ ଶୁଣିଲେ

ଆନନ୍ଦ ମନରେ ତାଙ୍କ ଚରଣେ ଲୋଟିଲେ ।

ପୁଣିହିଁ ଡାକିଲେ ବିଷ୍ଣୁ ଆସ ଗୋ ତ୍ରିପୁରା

ମାନବ ବିଷ୍ଣୁରେ ତୋର ଶରଧା ବଳିଲା ।

ବିଷ୍ଣୁଙ୍କ ମାୟା ତ୍ରିପୁରା ନ ପାରିଲେ ଜାଣି

ଭୁଲିଗଲେ ସେହି ହୋଇ ତ୍ରିପୁର ଜନନୀ ।

ବୋଇଲେ ତ୍ରିପୁରା ତୁହି କୃଷ୍ଣଙ୍କୁ ଆଣିଲୁ

ସଖୀବେଶ କରାଇ ତୁ ରାସ ଦେଖାଇଲୁ ।

ଯେବେ ସଖାରୂପେ ତାଙ୍କୁ ଆଣିଲୁ ଗୋ ତୁହି

ତାଙ୍କଠାରେ କଲୁ ଭାବ ଆମ୍ଭଙ୍କୁ ଲୁଚାଇ ।

ମର୍ତ୍ତ୍ୟପୁରେ କରି ଭୋଗ ବହୁ ତୋର ଶ୍ରଦ୍ଧା

ସେହି ମଞ୍ଚପୁରେ ଯାଆ ନାମ ହେଉ ରାଧା ।

ରହିବୁ ଶ୍ରୀକୃଷ୍ଣ ସଙ୍ଗେ ସଖୀଅଙ୍ଗ ବହି

ସଖୀ କଲୁ ତାହାକୁ ସେ ତୋତେ ଥାଉ ବହି ।

ରହିବୁ ରାଧିକା ନାମ ବହି ଗୋପପୁର

ଏ ମାନବ ବିଷ୍ଣୁ ମୋର ଦେହୁଁ ଅବତାର ।

ତୋତେ ସତ୍ୟ କହିଲି ମୁଁ ଯାଅ ବେଗହୋଇ

ନ ରହ ଆଉ ଏଠାରେ ଦଣ୍ଡେ ମାତ୍ର ତୁହି ।

ରାଧା କୃଷ୍ଣ ନାମ କେଭେ ନୁହେଁ ଭିନ୍ନାଭିନ୍ନ

କୃଷ୍ଣ ନାମ ନରମାନେ କରିବେ କୀର୍ତ୍ତନ ।

ରାଧା କୃଷ୍ଣ ନାମ ନିତି ବୋଲିବେ ଯେ ମୁଖେ

ଭବଜଳଧିରୁ ସେହୁ ତରିଯିବେ ସୁଖେ ।

ସ୍ତ୍ରୀହତ୍ୟା ଗୋହତ୍ୟା ବ୍ରହ୍ମହତ୍ୟା ପାପମାନ

ବିଶ୍ୱାସଘାତକ ମିତ୍ରଦ୍ରୋହୀ ଆଚରଣ ।

ବ୍ରହ୍ମପତ୍ନୀ ଗୁରୁପତ୍ନୀ ରାଜପତ୍ନୀମାନ

ଚାଣ୍ଡାଳୁଣୀ ସଙ୍ଗେ ସେ ବା କରଇ ରମଣ ।

ଶୋଭା ଦେଖି ପରନାରୀ ହରେ ବଳାତ୍କାରେ

କାମେ ମତ୍ତ ହୋଇ ଜାତିକୁଳ ନ ବିଚାରେ ।

ପରର ବିତ୍ତକୁ ଯେହୁ କରନ୍ତି ହରଣ

ନିଜର ଦୋଷକୁ ଯେ ଲୁଚାନ୍ତି ଅନୁକ୍ଷଣ ।

କପଟୀ ଲମ୍ପଟୀ ଅବା ପର ନିନ୍ଦାକାରୀ

ଯେଉଁମାନେ ବଡ଼ପଣେ ଗର୍ବ ମନେ ଧରି ।

ପ୍ରାଣୀ ହିଂସା କରନ୍ତି ଧର୍ମକୁ ନ ମାନନ୍ତି

ମିଛକହି ପରଘର ଭାଙ୍ଗି ଯେ ଦିଅନ୍ତି ।

ସେମାନେଟି କୁମ୍ଭୀପାକେ ପଡ଼ନ୍ତି ନିଶ୍ଚୟ

ଆୟୁଶେଷ ନାନାଦୁଃଖ ଲଭେ ତାଙ୍କ କାୟ ।

ସେମାନେ ଯେବେ କଥାଏ ପାରିବେଟି କରି

କୃଷ୍ଣର ନାମକୁ ଦୃଢ଼େ ହୃଦେ ଥିବେ ଧରି ।

ଜ୍ଞାନେ ବା ଅଜ୍ଞାନେ ଯେତେ ପାପ କରିଥିବେ

ରାଧାକୃଷ୍ଣ ବୋଲି ଯେବେ ଅନ୍ତରେ ଭାବିବେ

ନିଶ୍ଚୟ ତ୍ରିପୁରା ସେ ମୋ ଅଙ୍ଗେ ଲୀନହେବ

ସତ୍ୟ ସତ୍ୟ ଏହି କଥା ଅଟଇଟି ଧ୍ରୁବ ।

ଯାଅ କୃଷ୍ଣ ସଙ୍ଗେ ତୁହି ମଞ୍ଚେ ବିହରିବୁ

ସେ ପୁରେ ରାଧା ରୂପରେ ଜନମ ହୋଇବୁ ।

ସାକ୍ଷାତରେ ଲକ୍ଷ୍ମୀ ତୁହି ଅଟୁ ଗୋ ତ୍ରିପୁରା

ଅଯୋନି ସମ୍ଭୂତେ ଜାତ ହୁଅ ବସୁନ୍ଧରା ।

ଦେବକାର୍ଯ୍ୟେ ଯେଣୁ ନାରୀ ରୂପେ ହେବୁ ଜାତ

ସର୍ବଦା ଗୋ ଲକ୍ଷ୍ମୀ ତୁହି ଅଯୋନି ସମ୍ଭୂତ ।

ଯେଣୁଟି କୃଷ୍ଣର ତୁମ୍ଭେ ଅର୍ଦ୍ଧଅଙ୍ଗ ହେବ

ତେଣୁଟି ପୁତ୍ର ଦୁହିତା ଜନ୍ମ ନ କରିବ ।

ଯାଅଗୋ ତ୍ରିପୁରା ତୁମ୍ଭେ ନ ଥା ଗୋଲୋକରେ

ବିଷ୍ଣୁ ଆଜ୍ଞାରେ ତ୍ରିପୁରା ଚଳେ ଧୀରେ ଧୀରେ

ଗୋଲୋକୁ ଚଳେ ତ୍ରିପୁରା ଅତି ତୋଷ ମନେ

ଗୋପେ ଆସି ଭେଟିଲା କାଳିନ୍ଦୀ ପଦ୍ମବନେ

ଦେଖି ପଦ୍ମବନ ମନେ ହରଷ ହୋଇଲା

ନିଜ ଅଙ୍ଗ ଗୋପ୍ୟ କରି କ୍ଷୁଦ୍ର ଅଙ୍ଗ ହେଲା ।

ଯବେକ ପ୍ରମାଣେ ମୂର୍ତ୍ତି ଧରିଣ ତ୍ରିପୁରା

ପଦ୍ମକେଶର ମଧ୍ୟରେ ରହି କରେ ଲୀଳା ।

ପୂର୍ବଦିଗେ ଦିନମଣି ପ୍ରକାଶିଲେ ଯହୁଁ

ପଦ୍ମବନେ ପ୍ରଫୁଲ୍ଲିତ ହୋଇଲାକ ତହୁଁ ।

ପଦ୍ମକେଶରରୁ ରାଧା ହୋଇଲେ ଉଦିତ

ବିଷ୍ଣୁ ଆଜ୍ଞାରେ ସେ ରାଧା ନାମେ ହେଲେ ଖ୍ୟାତ

ଯହୁଁ ପଦ୍ମବନୁ ରାଧା ହୋଇଲେ ଉତ୍ପନ୍ନ

ପ୍ରଫୁଲ୍ଲିତ ପଦ୍ମବନ ଦିଶଇ ଶୋଭନ ।

ରାଧାରୂପେ ଲକ୍ଷ୍ମୀ ଗୋପେ କଲେ ଯହିଁ ବିଜେ

ଦ୍ୱିତୀୟ ବୈକୁଣ୍ଠ ପ୍ରାୟେ ଗୋପପୁର ରାଜେ ।

କାଳିନ୍ଦୀକୁ ବୃଷଭାନୁ ସ୍ନାନ କରି ଗଲା

ପଦ୍ମଫୁଲ ଦେଖି ମନେ ଆନନ୍ଦ ହୋଇଲା ।

ବିଷ୍ଣୁଠାରେ ପଦ୍ମଫୁଲ ଆଜି ଚଢ଼ାଇବି

ଫୁଟିଛି ସୁନ୍ଦର ପଦ୍ମ କାଳିନ୍ଦୀରୁ ନେବି ।

ଏ ଫୁଲେ ସନ୍ତୁଷ୍ଟ ନିଶ୍ଚେ ହେବେ ଭଗବାନ

କେମନ୍ତେ ତୋଳିବି ବୋଲି ବିଚାରଇ ମନ ।

ପୁଣି ବିଚାରଇ ଏଥେ କାଳୀୟର ବାସ

ପ୍ରବେଶିଲେ ନିଶ୍ଚେ କାଳେ ପ୍ରାଣେ ହେବି ନାଶ

ପୁଣିହିଁ ଭାବଇ ମନେ ଆଜି ସତ୍ୟ କଲି

ନଦେଲେ ଫୁଲ ମୁଁ ସତ୍ୟଭଗ୍ନେ ଦୋଷୀ ହେଲି

ଚିତ୍ତେ କଳ୍ପିଲି ବିଷ୍ଣୁଙ୍କୁ ଦେବି ପଦ୍ମ ତୋଳି

ପଦ୍ମବଦନ ସୁନ୍ଦର ଦିଶିବ ଏ ବୋଲି ।

ସେ କଳ୍ପନା ମୋର ଏବେ ବିଫଳ ହୋଇବ

କାଳୀୟ ଦଂଶିଲେ ନିଶ୍ଚେ ମୋର ପ୍ରାଣ ଯିବ

ଯେ ଦ୍ରବ୍ୟ ବିଷ୍ଣୁଙ୍କୁ ଦେବି ବୋଲି କଳପିଲା

ସେ ଦ୍ରବ୍ୟ କେମନ୍ତେ ମୂଢ଼ ବିଷ୍ଣୁଙ୍କୁ ନ ଦେଲା

ଏମନ୍ତେ ଦିଅନ୍ତି ନାନା ଶାସ୍ତି ଯମଦୂତେ

କଳ୍ପିଲି ବିଷ୍ଣୁଙ୍କୁ ପଦ୍ମଫୁଲ ଦେବି ଚିତ୍ତେ ।

ଏମନ୍ତ ବିଚାରି ବୃଷଭାନୁ ମନେ ଭାଳି

କେମନ୍ତେ ଆଣିବି ପଦ୍ମଫୁଲ ମୁହିଁ ତୋଳି ।

କାଳୀ ପଛେ ଦଂଶୁ ପଦ୍ମଫୁଲ ମୁଁ ତୋଳିବି

ନିଶ୍ଚୟ ବିଷ୍ଣୁର ପଦ୍ମପାଦେ ସମର୍ପିବି ।

ଫୁଲ ତୋଳୁ ତୋଳୁ ଯେବେ କାଳୀ କରେ ନାଶ

ଅବଶ୍ୟ ସନ୍ତୁଷ୍ଟ ମୋତେ ହେବେ ପୀତବାସ ।

ଏମନ୍ତ ବିଚାରି ମନେ ହ୍ରଦରେ ପଶିଲା

ପଞ୍ଚମନ ବିଷ୍ଣୁପାଦେ ସମର୍ପଣ କଲା ।

ଛାଡ଼ିଲା କାଳୀୟ ଭୟ ପଶିଲା ଝସାଇ

ତୋଳଇ ପଦ୍ମକୁସୁମ ମନେ ଭୟ ନାହିଁ ।

ଯେ ପଦ୍ମଫୁଲେ ଶୟନ ରାଧା ଥିଲେ କରି

ସେ ଫୁଲି ଆଣିଲା ବୃଷଭାନୁ ହସ୍ତେ ତୋଳି ।

ଫୁଲକୁ ଆଣନ୍ତେ ପଦ୍ମକେଶର ଦେଖିଲା

ଅନାଇ ନ ପାରି ବେନି ନୟନ ବୁଜିଲା ।

ପୁଣିହିଁ ପଦ୍ମ କେଶରେ ନୟନେ ଅନାଇ

ଦେଖିଲା ଯବ ପ୍ରମାଣ ଲକ୍ଷ୍ମୀ ଛନ୍ତି ଶୋଇ ।

ଦେଖି ବୃଷଭାନୁ ମନେ ଆଶ୍ଚର୍ଯ୍ୟ ହୋଇଲା

ଚକିତ ଚିତ୍ତରେ ଚଉଦିଗକୁ ଚାହିଁଲା ।

ନୟନେ ଦେଖଇ ତାର ମୁଖ ନ ଫିଟାଇ

ସୁନ୍ଦର ପଣେ ଉପମା ତିନିପୁରେ ନାହିଁ ।

ରକ୍ତପଦ୍ମ ପ୍ରାୟେ କରପଲ୍ଲବ ଦିଶଇ

ବେନିପାଦ ରକ୍ତବର୍ଣ୍ଣ ଶୋଭା ଅଛି ବହି ।

ପ୍ରଫୁଲ୍ଲ ଅମ୍ବୁଜ ଜିଣି ଶ୍ରୀମୁଖ ବିରାଜେ

ଚପଳା ଚମ୍ପକ ଜିଣି ଅଙ୍ଗ ଜ୍ୟୋତି ରାଜେ ।

ପୂର୍ବଦିଗେ ଅରୁଣ କି ହୋଇଛି ଉଦୟ

ପଦ୍ମ ମଧ୍ୟେ ରାଧାଦେବୀ ତେସନେ ବିଜୟ ।

ନ ଫିଟେ ତାହାଙ୍କ ମୁଖ ନେତ୍ରେ ନ ଚାହାନ୍ତି

ପୟର ନୂପୁର ଆଦି କିଛି ନ ହଲାନ୍ତି ।

ନାସାଦ୍ୱାରେ ମାତ୍ର ବାୟୁ ବହେ ଘନଘନ

ଏମନ୍ତ ରୂପରେ କରିଅଛନ୍ତି ଶୟନ ।

ପୁଣି ସେହି ରୂପେ ଦେଖି ନୟନ ବୁଜିଲା

ଲକ୍ଷ୍ମୀକି ଘେନିଣ ନିଜ ମନ୍ଦିରେ ମିଳିଲା ।

ଡାକିଲା ଚଞ୍ଚଳା ଆଗେ ବେଗ ହୋଇ ଆସ

ଅପୂର୍ବ ପଦାର୍ଥ ନିଅ ମନ କରି ତୋଷ

ଏହାକୁ ଲୁଚାଇ ଧାତା ଧନ୍ୟ ରଖିଥିଲା

ମୋର ମନ ଜାଣି ମୋତେ ସମର୍ପିଣ ଦେଲା

ଏହାକୁ ପ୍ରତିପାଳନ ନେଇ ସଖୀ କର

ପୁତ୍ର ଦୁହିତା କିଛିହିଁ ନାହିଁ ତ ଆମ୍ଭର ।

ବୃଷଭାନୁ ଡାକ ଶୁଣି ଚଞ୍ଚଳା ଯେ ଆସି

ଦେଖିଲା ଧରିଛି ବୃଷଭାନୁ ଶୁଭ୍ରକେଶୀ ।

ଆନନ୍ଦେ ଚଞ୍ଚଳା ବୃଷଭାନୁ ହସ୍ତ ତୋଳି

ରାଧାଙ୍କୁ ଧରି ସୁନ୍ଦରୀ ମନେ ମନେ ଭାଳି ।

ବୋଇଲେ ରାଜନ ଦେଖ ଦେଖ ଏ ଦୁହିତା

ନ ଚାହେଁ ନୟନେ କିମ୍ବା ନ କହଇ କଥା ।

ଅତି କୋମଳ ସୁନ୍ଦର ଅଙ୍ଗ ତ ଏହାର

ଉପମା ଦେବାକୁ କାହିଁ ନ ଥିବେ ତ୍ରିପୁର ।

ଶଚୀ ଯେ ସାବିତ୍ରୀ ଆଦି ଯେତେ କନ୍ୟାମାନେ

ଏହାର ସଙ୍ଗେ ସମାନ ନୋହିବେ ସେମାନେ

ପାର୍ବତୀହିଁ ସଙ୍ଗେ ୟାର ନୋହିବେ ସମାନ

କିମ୍ପାଇଁ ନ ଚାହେଁ ଏହୁ ନକରେ ରୋଦନ ।

ଚଞ୍ଚଳାର ବାକ୍ୟ ଶୁଣ ବୃଷଭାନୁ କହି

ଆଜି କାଳିନ୍ଦୀକି ଯାଉଥିଲି ମୁଁ ଗାଧୋଇ ।

ପଦ୍ମଫୁଲ ଦେଖି ମୋର ଶରଧା ବଳିଲା

ସ୍ନେହେ ତୋଳିଲି ପଙ୍କଜ ତହିଁରେ ଏ ଥିଲା ।

ମନେ ବିଚାରିଲି ପଦ୍ମଫୁଲ ମୁଁ ତୋଳିବି

ନେଇଣ ତାହାକୁ ବିଷ୍ଣୁ ପାଦେ ଚଢ଼ାଇବି ।

ବିଷ୍ଣୁ ନାମ ଧରି ଯହୁଁ ହ୍ରଦେ ମୁଁ ପଶିଲି

ଆଣିଲି କୁସୁମ ତୋଳି ନ ଦଂଶିଲା କାଳୀ ।

ଶୁଣରେ ସଖୀ ତୁ ଏବେ ଏ ଦୁହିତା ନେଇ

ଗମ୍ଭୀରା ଭିତରେ ରତ୍ନ ପଲଙ୍କ ବିଛାଇ ।

ତହିଁରେ ଏହାକୁ ନେଇ ଶୟନ କରାଅ

ଅତି ଯତନ କରି ତୁ ଏହାକୁ ରଖାଅ ।

ବୃଷଭାନୁର ବଚନେ ରାଧାଙ୍କୁ ସେ ଧରି

ଗମ୍ଭିରୀ ଘରେ ପଶିଲା ତକ୍ଷଣେ ସୁନ୍ଦରୀ ।

ଗଜଦନ୍ତ ପଲ୍ୟଙ୍କକୁ ଯତନେ ବିଛାଇ

ତଥିପରେ ରାଧାକୁ ସେ ଶୁଆଇଲା ନେଇ ।

ଦେଖିଲା ଦିଶିଲା ଗୃହ ତା ତେଜେ ଉଜ୍ଜ୍ୱଳ

ନିଶାକାଳେ ଚନ୍ଦ୍ର ତେଜେ ଯଥା ଧରାତଳ ।

ନୟନେ ଦେଖନ୍ତି ତହିଁ ନ ଫିଟେ ବଦନ

ଖେଳନ୍ତି ପଲ୍ୟଙ୍କେ ଚାଳି ଅବୟବମାନ ।

କ୍ଷୁଧା ତୃଷା ନିଦ୍ରା ନାହିଁ ତାହାଙ୍କ ଶରୀରେ

ଦେଖି ଚଞ୍ଚଳା ବିଷାଦ ଭରିଲା ମନରେ ।

କବାଟ ଦେଇ ବାହାର ତହୁଁ ରାଜାରାଣୀ

ପଲ୍ୟଙ୍କେ ଶୟନ କରିଛନ୍ତି ଠାକୁରାଣୀ ।

ଏ ତ ରାଧା ଜନ୍ମ କଥା ଶୁଣିଲୁ ଗୋ ସହୀ

ଯେଣୁ ପଚାରିଲୁ ତାହା କହିଦେଲି ମୁହିଁ ।

ରାଧା ଜନ୍ମିଥିଲା ଯହୁଁ କହିଲେ ଅନନ୍ତ

ପୁଣି ପଚାରିଲେ ଲକ୍ଷ୍ମୀ ଯୋଡ଼ି ବେନି ହସ୍ତ ।

ତୁମ୍ଭେ ତ କହିଲ ରାଧା ଜନମ ହୋଇଲେ

କିମ୍ପା ନ ଫିଟେ ନୟନ କଥା ନ କହିଲେ ।

ଏ କଥା ସଂକ୍ଷେପି ମୋତେ କହ ଭାବଗ୍ରାହୀ

ତବ ମୁଖୁଁ ଶୁଣିବାକୁ କୌତୁକ ଜନ୍ମଇ ।

ନ ହୋଇଲା କ୍ଷୁଧା ତୃଷା ତାହାକୁ କିମ୍ପାଇ

କହନ୍ତୁ ଏ କଥା ନାଥ ଦାସୀକୁ ଫିଟାଇ ।

ଲକ୍ଷ୍ମୀଙ୍କ ଆଗରେ ଯାହା ନାରାୟଣ ଭଣି

ପରୀକ୍ଷିତ ଆଗେ ତାହା କହେ ଶୁକମୁନି ।

ଏଥି ଉତ୍ତାରେ କହନ୍ତି ଦେବ ନାରାୟଣ

ଯାହା ପଚାରିଲୁ ସଖୀ ମନଦେଇ ଶୁଣ ।

ଯେ ଦିନ ଜନ୍ମିଲେ ଲକ୍ଷ୍ମୀ ରାଧା ରୂପ ଧରି

ସେଦିନ ନଥିଲେ କୃଷ୍ଣ ମର୍ତ୍ତ୍ୟେ ଅବତରି ।

ତେଣୁ ଗୋ ରାଧିକା ତାଙ୍କ ମନ ଦୁଃଖ କଲେ

କୃଷ୍ଣ ଜନମିବା ଯାଏ ମଉନେ ରହିଲେ ।

ନ କହି ବଚନ କିମ୍ବା ନ ଦେଖି ନୟନେ

କୃଷ୍ଣର ଚରଣ ଭାବୁଅଛନ୍ତି ଶୟନେ ।

 

ଶ୍ରୀକୃଷ୍ଣଙ୍କର ଜନ୍ମ ବୃତ୍ତାନ୍ତ

ଶୁକଦେବ କହୁଛନ୍ତି ଶୁଣ ହେ ରାଜନ

ଯହୁଁ ଜନ୍ମିବେ ମଥୁରାପୁରେ ନାରାୟଣ ।

ବସୁଦେବ ଆଣି କୃଷ୍ଣ ଗୋପରେ ଛାଡ଼ିଲେ

ସେଦିନ ନାରଦ ଆସି ଗୋପପୁରେ ଥିଲେ ।

ନନ୍ଦଙ୍କ ମନ୍ଦିରେ ଆସି ହୋଇଲେ ପ୍ରବେଶ

ମୁନିଙ୍କି ଦେଖିଣ ନନ୍ଦ ହୋଇଲେ ହରଷ ।

ଗଙ୍ଗାଜଳେ ପାଦଧୋଇ ନମସ୍କାର କଲେ

ଆସନେ ବସାଇ ଆଣି କୃଷ୍ଣ କୋଳେ ଦେଲେ

କୃଷଙ୍କୁ କୋଳରେ ଧରି କହନ୍ତି ନାରଦ

ଏ ପୁତ୍ରର ଦେବକାର୍ଯ୍ୟ ହୋଇବ ହେ ନନ୍ଦ ।

ଏତେ ବୋଲି ଶ୍ରୀକୃଷ୍ଣଙ୍କୁ ନନ୍ଦ ହସ୍ତେ ଦେଲେ

ତଦନ୍ତେ ଜଟିଳା ପୁରେ ପ୍ରବେଶ ହୋଇଲେ ।

ଦେଖିଣ ଜଟିଳା ସଖୀ ପାଦରେ ପଡ଼ିଲା

ବେନିକର ଯୋଡ଼ିଣ ସେ ମୁନିଙ୍କ ପୂଜିଲା ।

ବୋଲଇ ଦେଖ ଆମ୍ଭର ନବଯଉବନ

କୃଷଙ୍କୁ ଚାହିଁ ଆମର ବିଅର୍ଥ ଜୀବନ ।

ମୁନି କହୁଛନ୍ତି ତୁମ୍ଭେ ଶୁଣ ଗୋ ଜଟିଳା

ଏତେଦିନେ ଆସି ତୁମ୍ଭ ଦୁଃଖ ଦୂର ହେଲା ।

ଅଳପ ଦିନେ କୃଷ୍ଣଙ୍କୁ ପାଇବ ବୋଇଲେ

ତଦନ୍ତରେ ଯାଇ ବୃନ୍ଦା ଗୃହେ ପ୍ରବେଶିଲେ ।

ମୁନିଙ୍କି ଦେଖିଣ ବୃନ୍ଦା ବହୁ ପୂଜା କଲେ

ରାଧାଙ୍କୁ ନ ଦେଖି ମୁନି ତହୁଁ ଚଳିଗଲେ ।

ବିଶାଖା ମନ୍ଦିରେ ଯାଇ ହୋଇଲେ ପ୍ରବେଶ

ତାହାର ଭାବ ଦର୍ଶନେ ହେଲେ ଅତି ତୋଷ ।

ସେଠାରୁ ଲଳିତା ଗୃହେ ନାରଦ ଚଳିଲେ

ତାର ରୂପ ଦେଖି ମନେ ଆନନ୍ଦ ହୋଇଲେ ।

ତହୁଁ ହେଲେ ବୃଷଭାନୁ ମନ୍ଦିରେ ପ୍ରବେଶ

ରାଧାଙ୍କୁ ନ ଦେଖି ମନେ ହୋଇଲେ ବିରସ ।

ସେଠାରୁ ନାରଦ ଚମ୍ପା ସୁଚିତ୍ରା ସୁରେଖା

ସଖୀଙ୍କ ଗୃହରେ ପଶି ଖୋଜନ୍ତି ରାଧିକା ।

ନ ପାଇ ନାରଦ ମୁନି ଦୂତୀପୁରେ ଯାଇ

ପ୍ରବେଶିଲେ ଦୂତୀ ଦେଖି ପ୍ରମାଣ କରଇ ।

ପଚାରେ ଭୋ ମୁନିବର କିବା ଆଗମନ

କିମ୍ପାଇଁ ବିରସ ଆଜି ଦିଶୁଛି ବଦନ ।

ଶୁଣି ନାରଦ ବୋଲନ୍ତି ଶୁଣ ଗୋ ଦୂତିକା

ଗୋପରେ ତ ନ ଦେଖିଲି କାହିଁ ମୁଁ ରାଧିକା ।

ଅବତରି ରାଧାଦେବୀ ରହିଲେ ଗୋ କାହିଁ

ଦର୍ଶନ ନିମନ୍ତେ ଖୋଜି ଖୋଜି ମୁଁ ବୁଲଇ ।

ମୁନିଙ୍କ ବଚନେ ଦୂତୀ କହନ୍ତି ଉତ୍ତର

ଅତୀତ ଆଗତ ତୁମ୍ଭେ ଜାଣ ମୁନିବର ।

ମାୟାକରି ପଚାରୁଛ କିମ୍ପା ମୁନି ମୋତେ

ବୃଷରାୟ ଗୃହେ ରାଧା ଅଛନ୍ତି ଗୁପତେ ।

ନ ଦେଖନ୍ତି ନୟନେ ସେ ନ କହନ୍ତି ବାଣୀ

ନିଶ୍ଚଳ ପ୍ରତିମା ପ୍ରାୟେ ହୋଇ ଠାକୁରାଣୀ ।

କ୍ଷୁଧା ତୃଷା ନାହିଁ ତାଙ୍କୁ ପଦ୍ମବନୁ ଜାତ

ତୁମେ କି ନ ଜାଣ ତାହା ବ୍ରହ୍ମାଙ୍କର ସୁତ ।

ଦୂତୀର ବଚନ ଶୁଣି ନାରଦ ଫେରିଲେ

ବୃଷଭାନୁ ପୁରେ ଯାଇ ପ୍ରବେଶ ହୋଇଲେ ।

ନାରଦଙ୍କୁ ବୃଷଭାନୁ ଦେଖି ପ୍ରଣମଇଁ

ଗଙ୍ଗାଜଳେ ପାଦ ଧୋଇ ଆସନେ ବସାଇ ।

ବେନିକର ଯୋଡ଼ିଣ ସେ କହଇ ବଚନ

ବାରମ୍ବାର ମୋ ପୁରକୁ କିମ୍ବା ଆଗମନ ।

ଆଜ ଦିନ ବଡ଼ ଭାଗ୍ୟ ମୋହର ଦିଶିଲା

ତବ ପାଦ ରେଣୁ ଯେଣୁ ମୋ ପୁରେ ପଡ଼ିଲା ।

ଏକାଳେ ପ୍ରବେଶି ଯହୁଁ ବୃଷଭାନୁ ନାରୀ

ମୁନିଙ୍କର ପାଦେ ପଡ଼ି କହେ କରଯୋଡ଼ି ।

ଆହେ ତ୍ରିକାଳଜ୍ଞ ମୁନି ବେଦବର ସୁତ

ଭାଗ୍ୟ ଦୋଷରୁ ମୋହର ନାହିଁ କନ୍ୟା ପୁତ୍ର

ଆଜି କାଳିନ୍ଦୀକି ସ୍ଵାମୀ ସ୍ନାନ କରି ଗଲେ

ବିଷ୍ଣୁଙ୍କ ପୂଜା ନିମନ୍ତେ ପଦ୍ମେକ ତୋଳିଲେ ।

ସେହି ପଦ୍ମ ମଧ୍ୟେ ଥିଲା ଏକଇ ଦୁହିତା

ତାକୁ ସ୍ନେହେ ଆଣି ମୋତେ ଦେଇଛନ୍ତି ଭର୍ତ୍ତା ।

ବୋଇଲେ ରେ ସଖୀ ଏହା ପ୍ରତି ଯତ୍ନ କର

ସଙ୍ଖାଳି ହୋଇବ ଏହୁ ଜୀବନେ ଆମ୍ଭର ।

ସ୍ୱାମୀଙ୍କ ବଚନେ ତାକୁ ମନ୍ଦିରକୁ ନେଲି

ରତ୍ନ ଖଟେ ଯତ୍ନକରି ଶେଯେ ଶୁଆଇଲି ।

କି କହିବି ମୁନିବର ତା ରୂପ ମାଧୁରୀ

ସ୍ୱର୍ଗ ମର୍ତ୍ତ୍ୟ ପାତାଳେ କେ ନଥିବ ତାପରି ।

ମାତ୍ର ଏଡ଼େ ଭାଗ୍ୟହୀନ ଅଟେ ଦେବ ମୁହିଁ

ଗୋଟାଇଲା ଧନ ପ୍ରାପ୍ତ ଯୋଗ ମୋତେ ନାହିଁ

ନ ଫିଟେ ନୟନ ତାର ନ କହେ ବଚନ

କିଛି ନ ଭୁଞ୍ଜିଣ କନ୍ୟା କରିଛି ଶୟନ ।

ଆହେ ମୁନିବର ମୋତେ କହ ପ୍ରତିକାର

କିପରି କହିବ କନ୍ୟା ବଚନ ମୋହର ।

କେମନ୍ତେ ଫିଟିବ ତାର ମୁଦ୍ରିତ ନୟନ

କୃପାକରି କହ ମୋତେ ଆହେ ତପୋଧନ ।

କେଉଁପରି କ୍ଷୁଧା ତୃଷା ହୋଇବ ତାହାର

କରଯୋଡ଼ି ମାଗେ ମୁନି କର ପ୍ରତିକାର ।

ଶୁଣିକରି ନାରଦ ଯେ ଆନନ୍ଦ ହୋଇଲେ

ଆଗୋ ମାଏ କଥା ଏକ କର ତୁ ବୋଇଲେ

ଯେଉଁ ଘରେ ଅଛୁ ତୁହି ଦୁହିତାକୁ ରଖି

ସେ ଘରକୁ ଆଉ କେହି ନ ଯିବେଟି ଦେଖି ।

ଅଉଷଧି ଦେବି ତାର ଫିଟିବ ନୟନ

ଅତି ଚଞ୍ଚଳରେ ସେହୁ କହିବ ବଚନ ।

ପଦ୍ମବନରୁ ସେ ଯେଣୁ ହୋଇଅଛି ଜାତ

ପଦ୍ମିନୀ ନାୟିକା ସେଟି ଅଯୋନି ସଂଭୂତ ।

ତୋହର ଗୃହେ ଅଛନ୍ତି ଆଜି ଯେତେ ଜନ

ବାହାର କରାଅ ତାଙ୍କୁ ମାନି ମୋ ବଚନ ।

ମୁନିଙ୍କ ବାକ୍ୟେ ଚଞ୍ଚଳା ପ୍ରବେଶିଲା ଘରେ

ଯେତେ ଲୋକ ଥିଲେ ତାଙ୍କୁ ତଡ଼ିଲା ବାହାରେ ।

କେହି ନ ରହିଲେ ଜଣେ ସଙ୍ଗେ ତହୁଁ ଗଲେ

ଯେଉଁ ଗୃହେ ଲକ୍ଷ୍ମୀଦେବୀ ରାଧାରୂପେ ଥିଲେ

ସେଠାରେ ନାରଦ ଋଷି ହୋଇଲେ ପ୍ରବେଶ

କବାଟ ଫିଟାଇ ଚାହିଁଦେଲେ ହୋଇ ତୋଷ

ଚାହିଁ ନ ପାରିଣ ମୁନି ନୟନ ବୁଜିଲେ

ପୁଣି ବହୁ କଷ୍ଟେ ମୁନି ନିରେଖି ଚାହିଁଲେ ।

ଦେଖିଲେ ରାଧିକା ରହିଅଛନ୍ତି ଶୟନେ

କୋଟି ଚନ୍ଦ୍ର ଉଦୟ କି ହୋଇଛି ସେ ସ୍ଥାନେ ।

ତ୍ରାହି ତ୍ରାହି ବୋଲି ମୁନି ରାଧା ପାଦେ ପଡ଼ି

ଉଠି ଉଭା ହୋଇ ପୁଣି କରିପତ୍ର ଯୋଡ଼ି ।

ନାନା ସ୍ତୁତି ପଢ଼ି ହୋଇ ଭାବେ ଗଦଗଦ

ବେନିକର ଯୋଡ଼ି ଶିରେ କହନ୍ତି ନାରଦ ।

ଜୟ ଜୟ ରାଧିକା ଗୋ ଜଗତଜନନୀ

ଜୟ ଜୟ ମହାଲକ୍ଷ୍ମୀ ଜଗତପାଳିନୀ ।

ଜୟ ଜୟ ତ୍ରିପୁରା ଗୋ ଜୟ ଆଦିମାତ

ଜୟ ଜୟ ତ୍ରିପୁର ପାଳିନୀ ଗୋ ସଂଭୂତ ।

ଜୟ ପଦ୍ମବାସିନୀ ଗୋ ପଦ୍ମବନୁ ଜାତ

ନେତ୍ର ଫେଡ଼ି ଚାହିଁଦିଅ ଜଗତର ମାତ ।

ଜୟ ସଙ୍କଟତାରିଣୀ ବିଷ୍ଣୁଙ୍କ ଘରଣୀ

ଭାରା ଉଶ୍ୱାସିବା ପାଇଁ ଜନ୍ମିଛ ଧରଣୀ ।

ଅବତାର ଘେନି କୃଷ୍ଣ ହୋଇଲେଣି ଜାତ

ସଂଶୟ ନକର ମନେ କହୁଅଛି ସତ୍ୟ ।

ତାଙ୍କୁ ଘେନି ଗୋପେ ଲୀଳା କର କମଳିନୀ

ଉଠ ଉଠ ଜନନୀ ଗୋ ସଂସାରତାରିଣୀ ।

କୃଷ୍ଣରୂପେ ବିଷ୍ଣୁ ଜନ୍ମି ଦେବକୀ ଉଦରେ

ଏ ଗୋପକୁ ଆସି ରହିଛନ୍ତି ନନ୍ଦଘରେ ।

ଦେଖ ତୁ ସ୍ୱାମୀକୁ ତୋର ନୟନ ପୁରାଇ

ତବ ଲୀଳା ଦେଖି ମାଗୋ ନିସ୍ତରୁ ଏ ମହୀ

ସାଧୁସନ୍ଥ ଭକ୍ତଜନେ ତବ ଲୀଳା ଦେଖି

ନିସ୍ତାର ଲଭିବେ ଭବୁ ହୋଇ ମହାସୁଖୀ ।

ମହାଦୁଷ୍ଟ ଦୈତ୍ୟକୁଳ ଭଜିବେ ବିନାଶ

ସ୍ୱର୍ଗରେ ଦେବତାମାନେ ହୋଇବେ ହରଷ ।

ମାତ ଦୟାକରି ନିଜ ରୂପ ତୋର ଧର

ଯେଉଁ ରୂପ ଦେଖି ତୃପ୍ତି ଭଜିବ ସଂସାର ।

ଏହିରୂପ ସ୍ତୁତି ଯହୁଁ ନାରଦ ବଖାଣି

ଅନ୍ତର୍ଗତେ ଜାଣିଲେ ତା ଦେବୀ କମଳିନୀ ।

ଫିଟାଇ ନୟନ ଦେବୀ କହିଲେ ବଚନ

ପଦ୍ମ ପୁଷ୍ପ ପ୍ରାୟ ତାଙ୍କ ଦିଶିଲା ବଦନ ।

ବସିଣ ପଲ୍ୟଙ୍କେ ଚଉଦିଗେ ଅନାଇଲେ

ପ୍ରମାଣ କରି ନାରଦ ତହୁଁ ଚଳିଗଲେ ।

ଅନ୍ତର୍ଦ୍ଧାନ ହେଲେ ଯହୁଁ ବ୍ରହ୍ମାଙ୍କ କୁମର

ଗମ୍ଭିରୀ ଘରୁ ରାଧିକା ହୋଇଲେ ବାହାର ।

ରାଧାଙ୍କୁ ଦେଖି ଚଞ୍ଚଳା ବେଗେ କୋଳକରି

ବୃଷଭାନୁ ଆନନ୍ଦ କେ ମୁଖେ କହିପାରି ।

କହିଲେ ଅନନ୍ତ ଶୁଣ ଶୁଣ ଠାକୁରାଣୀ

ମଉନରେ ଥିଲେ ରାଧା କହିଲେ ସେ ବାଣୀ ।

ପୁଣି ମହାଲକ୍ଷ୍ମୀ ପ୍ରଭୁ ପାଦତଳେ ପଡ଼ି

ବିନୟ ହୋଇ କହନ୍ତି ପୁଣି କରଯୋଡ଼ି ।

ତୁମ୍ଭେ ତ କହିଲେ ଲୋମୁ ରାଧା ହେଲେ ଜାତ

ପୁଣି ତ କହିଲ ହେଲେ ଗୋଲକୁ ସମ୍ଭୂତ ।

କହିଲ ପାତାଳ ମର୍ତ୍ତ୍ୟ ସ୍ଵର୍ଗ ତିନିପୁର

ପୁଣିହିଁ ବୋଇଲ ଅଛି ଗୋଲୋକ ମଣ୍ଡଳ ।

ଯେବେଟି ସୁଦୟା ମୋତେ କଲ ଭଗବାନ

ସଂଶୟ ବିନାଶି କିମ୍ପା ନ କହ ବଚନ ।

ଏଥିରେ ବହୁ ସଂଶୟ ଜନମିଲା ମୋର

ଅନୁଗ୍ରହ କରି କୁହ ଏହି ସମାଚାର ।

ଲକ୍ଷ୍ମୀଙ୍କ ବଚନ ଶୁଣି କହନ୍ତି ଅଚ୍ୟୁତ

ଗଣ୍ଠି କଥାମାନ ସଖୀ ପଚାରୁଛୁ ତୁ ତ ।

ଗୋଲୋକର ଲୀଳା ଯାହା ପଚାରୁଛୁ ମୋତେ

ତିନିପୁର ବାହାର ସେ ନାହିଁ ଏ ଜଗତେ ।

ଯହିଁ ନାହିଁ ଜଳସ୍ଥଳ ଅନଳ ପବନ

ଚନ୍ଦ୍ର ସୂର୍ଯ୍ୟ ନ କରନ୍ତି ଯେ ପୁରେ ଗମନ ।

ଦେବଗଣଙ୍କୁ ଯେ ପୁର ଅଟେ ଅଗୋଚର

ଶୂନ୍ୟ ଶୂନ୍ୟ ମହାଶୂନ୍ୟ ସେ ଗୋଲୋକ ପୁର

ନାହିଁ ଧର୍ମ ନାହିଁ କର୍ମ ଅଟେ ସେ ଗୋଲକ

ସେହି ଗୋଲୋକ ପୁରର ନାହିଁ ରୂପରେଖ ।

ସେ ଗୋଲକ ପୁରେ ବିଷ୍ଣୁ କରୁଛନ୍ତି ଲୀଳା

ତୁମ୍ଭେ ତ ଗୋଲୋକେ ଅଛ ଶୁଣ ଗୋ କମଳା

ଚୌରାଶୀ ସହସ୍ର ସଖୀ ତବ ଲୋମୁ ଜାତ

ଶତଗୁଣେ ତୁମ୍ଭଠାରୁ ଅଛନ୍ତି ଦୀପିତ ।

କରନ୍ତି ସେ ମୋରି ପାଦେ ସେବା ନିରନ୍ତର

ତୋ ଅଙ୍ଗୁ ଜାତ ମୋ ସଙ୍ଗେ କରନ୍ତି ବିହାର ।

ଗୋଲୋକ ମଣ୍ଡଳେ ନିତ୍ୟ କରନ୍ତି ରାହାସ

ସ୍ଵୟଂ ବିଷ୍ଣୁ ସେହିଠାରେ କରୁଛନ୍ତି ବାସ ।

ତୁହି ଗୋ କମଳା ତହିଁ ସଖିଗଣ ସଙ୍ଗେ

ରାସମଣ୍ଡଳେ ବିହାର କରୁ ନାନାରଙ୍ଗେ ।

ଶୁକମୁନି କହନ୍ତି ଯେ ପରୀକ୍ଷ ନୃମଣି

ଚିତ୍ତବୋଧ ଗୀତ ଏ ଅମୃତମୟ ବାଣୀ ।

ଅଚ୍ୟୁତ ଦାସ କହଇ ଧ୍ୟାୟି କୃଷ୍ଣ ପାଦ

ପ୍ରସନ୍ନ ହେବାରୁ ହରି କଲ ଚିତ୍ତବୋଧ ।

 

ଚୌରାଶୀ ସସ୍ର ସଖୀ ଜନ୍ମ

କହନ୍ତି ଶ୍ରୀ ନାରାୟଣ ଶୁଣ କମଳିନୀ

ମନ୍ଦିରେ କୁଙ୍କୁମ ଦିନେ ଘେନିଲୁ ସଜନୀ ।

କୁଙ୍କୁମ ମଳି ସହିତେ ତୋ ଲୋମୁ ଝଡ଼ିଲେ

ଜଳରେ ପଡ଼ନ୍ତେ ଖସି ବିରାଗ ହୋଇଲେ ।

ବିବର୍ଣ୍ଣ ମଳି କୁଙ୍କୁମେ ହୋଇ ଲୋମାବଳୀ

ପୁଣି ତବ ଅଙ୍ଗେ ସେ ଯେ ନ ପାଇଲେ ଝଳି

ତବ ଶ୍ରୀମୁଖକୁ ଚାହିଁ ନ ପାରନ୍ତି ଚଳି

ଆପଣାର ସ୍ଥାନ ଶୂନ୍ୟ ଦେଖି ଲୋମାବଳୀ ।

ଲକ୍ଷ୍ମୀ ଅଙ୍ଗେ ଥାଇ ଭୋଗ କରୁ ଭଗବାନ

ଏବେ ଶ୍ରୀଅଙ୍ଗ ଆମ୍ଭଙ୍କୁ ହୋଇବ ସ୍ୱପନ ।

ଏତେ ବୋଲି ଲୋମେ ନବପାଦେ କଲେ ଧ୍ୟାନ

କଲୁ ତାଙ୍କୁ ଦୟା ଜାଣି ତାହାଙ୍କର ମନ ।

ବୋଇଲୁ ଆଶ୍ଵାସି ଲୋମମାନଙ୍କୁ ଅନାଇଁ

ମୋର ଅଙ୍ଗ ଲୋମ ତୁମ୍ଭେ ନିରାଶ କିମ୍ପାଇଁ ।

ଚୌରାଶୀ ସହସ୍ର ସଖୀ ହୁଅ ଲୋମାବଳୀ

ମୋର ସଙ୍ଗେ ଥାଇ ବିଷ୍ଣୁ ଅଙ୍ଗେ କର କେଳି

ତୋ ଆଜ୍ଞାରେ ତବ ଲୋମେ ସଖୀଗଣ ହେଲେ

ତୋହଠାରୁ ଶତେଗୁଣ ସୁନ୍ଦର ଦିଶିଲେ ।

ମହାଶୂନ୍ୟ ପୁରେ ଶୂନ୍ୟ ପୁରେକ କରାଇ

ସେହି ସଖୀଗଣ ଧରି ରହିଲୁ ଗୋ ସହୀ ।

ବୀଣାତନ୍ତ୍ରେ ବଂଶୀରନ୍ଧ୍ରେ ମଧୁ ସ୍ୱନ କରି

ବଜାନ୍ତି ଅପ୍‌ସରାମାନେ ମଙ୍ଗଳ ମହୁରୀ ।

ନାନାଜାତି ବାଦ୍ୟସହ ସଖୀଗଣ ଘେନି

ସେହି ପୁରେ ଲୀଳା କରୁଥିଲା ଗୋ ସଜନୀ ।

ଏମନ୍ତ ସମୟେ ମୁହିଁ ସେଠାରେ ପ୍ରବେଶ

ଦ୍ଵାରପାଳଙ୍କୁ ପୁଚ୍ଛିଲି କାହିଁର ଏ ଘୋଷ ।

ସେ ବୋଇଲେ ଆମ୍ଭଦ୍ଵାରେ ଯାଇନାହିଁ କେହି

କେମନ୍ତ କହିବୁ ପ୍ରଭୁ କାହିଁ ଏ ଶୁଭଇ ।

ତହୁଁ ତବ ପାଶେ ମୁହିଁ ହୋଇଲି ପ୍ରବେଶ

ସଖୀମାନେ ମୋତେ ଦେଖି ହେଲେ ହସହସ

ନୃତ୍ୟଗୀତ ବାଦ୍ୟ ଛାଡ଼ି ମୋ ପାଦେ ପଡ଼ିଲେ

ଲଜ୍ଜାବତୀ ହୋଇ ତୋର ପଛରେ ରହିଲେ ।

ସେ ସଖୀମାନଙ୍କୁ ଦେଖି ପଚାରିଲି ତୋତେ

କହିଲୁ ତାଙ୍କର ଜନ୍ମ ଗଲି ମୁଁ ପରତେ ।

ବିଚାରିଲି ଲକ୍ଷ୍ମୀ ଅଙ୍ଗୁ ଏମାନେ ବାହାର

ଶତଗୁଣେ ଲକ୍ଷ୍ମୀଠାରୁ ଦିଶନ୍ତି ସୁନ୍ଦର ।

ଏଠାରେ ଅଗମ୍ୟ ପୁରେ ବାସ ମୁଁ କରିବି

ତେବେ ଅଗୋଚର ସ୍ଥାନ ସୁଖେ ବିହରିବି ।

ନ ଶୁଭିବ ଏ ସ୍ଥାନକୁ ଶବଦ କାହାର

ନୋହିଲେ ଏ ପୁରେ ଉଦେ ଚନ୍ଦ୍ର ଦିବାକର ।

ଏ ସଖୀଗଣକୁ ଧରି କରିବଇଁ ରାସ

ମନରେ ଏମନ୍ତ ଭାବି ହୋଇଲେ ହରଷ ।

ତୋତେ ମୁଁ ହୋଇଲି ସଖୀ ଶୁଣ ମୋ ବଚନ

ନିତ୍ୟେ ମୁଁ କରିବି ରାସକ୍ରୀଡ଼ା ଏ ଭୁବନ ।

ଏହି ସଖୀମାନେ ତବ ଅଙ୍ଗରୁ ପ୍ରକାଶ

ଏଣୁ ମୁଁ ଏହାଙ୍କ ସଙ୍ଗେ କରିବି ରାହାସ ।

ତ୍ରିପୁର ବାହାର ନାମ ଏହାର ଗୋଲୋକ

ଯହିଁ ଏ ପୁରର କିଛି ନାହିଁ ରୂପରେଖ ।

ତବ ଅଙ୍ଗୁ ଜାତ ଯେହୁ ହୋଇଥିବ ସହୀ

ଯେ ଅବା ବିଷ୍ଣୁକଳାରେ ଥିବ ଜାତ ହୋଇ ।

ଯେ ଅବା ପାଶରେ ମୋର ହୋଇବ ପ୍ରଧାନ

ସେମାନେ ଏ ପୁରେ ସିନା କରିବେ ଗମନ ।

ଏତେ ବୋଲି ତବ ଲୋମ ସଖୀଗଣ ଘେନି

ନିତ୍ୟେ ମୁଁ ଗୋଲୋକେ ରାସ କରଇ ସଜନୀ

ନ ଜାଣଇ କଳ୍ପଯୁଗ ଅବା ରାତ୍ରଦିନ

ତବ ଲୀଳାରେ ମୋହର ମୋହୁଅଛି ମନ ।

ତୁହି ପରା ସଖୀ ମୋର ସଙ୍ଗେ ସଙ୍ଗେ ଥାଇ

ତୋ ଲୋମ ସଖୀମାନଙ୍କୁ ନାମ ଦେଲୁ ତୁହି ।

ତ୍ରିପୁରା ନାମ ଯାହାତୁ ଦେଲୁ କିରେ ସହୀ

ସେ ତ୍ରିପୁରା ରାଧା ନାମେ ଜନ୍ମିଅଛି ଏହି ।

ସୁନ୍ଦର ପଣରେ ସେ ଗୋ ମୋହୁଛି ଜଗତ

ଯେଣୁ ସେ ଲୋମରୁ ତବ ହୋଇଅଛି ଜାତ ।

ଶୁଣିଲୁଟି ପ୍ରାଣସହୀ ମୋହର ମହିମା

ନ ପାରଇ ଅନ୍ତ କରି ଯାହା ଦେବବ୍ରହ୍ମା ।

ଏମନ୍ତ ବିଷ୍ଣୁର ମୁଖୁ ମହାଲକ୍ଷ୍ମୀ ଶୁଣି

ବୋଲନ୍ତି କଥାଏ ଆଉ କହି ଚକ୍ରପାଣି ।

ତୁମ୍ଭେ କହିଥିଲ ବିଷ୍ଣୁ ଅଟନ୍ତି ଯେ ଏକ

ଏବେ ତ ବୋଲୁଛ ବିଷ୍ଣୁ ଅଟନ୍ତି ଅନେକ ।

ଶଂସୟ ହୁଅଇ ମନେ ଶୁଣି ଏ ବଚନ

ବୋଇଲା ଯେ ବୈକୁଣ୍ଠରେ ଛନ୍ତି ଭଗବାନ ।

ପୁଣି ବୋଇଲେ ମର୍ତ୍ତ୍ୟରେ ଛନ୍ତି ନରହରି

ଅନନ୍ତରୂପେ ପାତାଳପୁରେ ବିଜେ କରି ।

ନିତ୍ୟ କରୁଅଛ ରାସଲୀଳା ଗୋଲୋକରେ

ତବ ମୁଖୁ ଶୁଣି ଜାତ ସଂଶୟ ମନରେ ।

ହେ ନାଥ ମୋଠାରେ ଯେବେ କରିଛ ସୁଦୟା

ସଂଶୟ ଫିଟାଇ କହ ନ କରିଣ ମାୟା ।

ଏମନ୍ତ ଶୁଣି ଅନନ୍ତ ହସି ଟହ ଟହ

ବୋଲନ୍ତି ବିଷ୍ଣୁଙ୍କ କଥା ଶୁଣିବାର ସ୍ନେହ ।

ଜନ୍ମିଅଛି ବଡ଼ ତେଣୁ ପଚାରୁ ସଜନୀ

ସେ ବିଷ୍ଣୁ ମାୟାକୁ ମୁହିଁ ନ ପାରଇ ଜାଣି ।

ଯେଉଁ ବିଷ୍ଣୁ ପାତାଳରେ ବୋଲାନ୍ତି ଅନନ୍ତ

ତାହାଙ୍କଠାରୁ ଅନେକ ବିଷ୍ଣୁ ହେଲେ ଜାତ

ସେ ବିଷ୍ଣୁ କଳାରେ କୃଷ୍ଣ ମଞ୍ଚରେ ଜନମ

ଅଷ୍ଟକଳା ଧରି କଲେ ଲୀଳା ଗୋପଧାମ ।

ସେ ବିଷ୍ଣୁର ଅଷ୍ଟକଳା ବଇକୁଣ୍ଠ ହରି

ଲୀଳା କରୁଛନ୍ତି ସେ ଯେ ଦେବଗଣ ଧରି ।

ସେ ଗୋଲୋକ ବିଷ୍ଣୁକଳା ମର୍ତ୍ତ୍ୟପୁରେ ଧରି

ଯୁଗକୁ ଯୁଗ ହୁଅନ୍ତି ହରି ଅବତାରୀ ।

ଦୁଷ୍ଟ ଦାନବକୁ ନାଶ କରିବା ନିମନ୍ତେ

ମାନବ ରୂପରେ ହରି ଜନ୍ମନ୍ତି ଜଗତେ ।

ପୁଣି ସେ ମାନବ ବିଷ୍ଣୁ ପ୍ରଳୟ କାଳରେ

ବିହାର କରନ୍ତି ଯାଇ ଅନନ୍ତ ଶରୀରେ ।

ଆହୁରି କଥାଏ ତୁହି ଶୁଣ ଆରେ ସହି

ଷୋଳକଳା ଧରି ଯେଉଁ ବ୍ରହ୍ମ ଯେ ଅଟଇ ।

ସେ ବ୍ରହ୍ମ ମୋହର ଦେହେ କରୁଅଛି ଲୀଳା

ପୁଣି ତୁମ୍ଭ ଦେହରେ ସେ କରୁଅଛି ଖେଳା ।

ଅଛନ୍ତି ଛପନ କୋଟି ଜୀବ ଏ ଜଗତେ

ସେ ବ୍ରହ୍ମ ଅଛନ୍ତି ରହି ସର୍ବ ହୃଦଗତେ ।

ବ୍ରହ୍ମାଦି ଯେତେକ ଦେବ ଛନ୍ତି ଅବତରି

ସର୍ବଘଟେ ଅଛନ୍ତି ସେ ବ୍ରହ୍ମ ବିଜେ କରି ।

ଆହୁରି କଥାଏ ପୁଣି ଶୁଣ କମଳିନୀ

ତିନିପୁରେ ତାହାଙ୍କୁ କେ ନ ପାରଇ ଚିହ୍ନି ।

ତାହାଙ୍କର ପାଦ ପାଣି ଚକ୍ଷୁ ନାସା ନାହିଁ

ଆହାର ନ କରି ନିରାହାରୀ ସେ ବୋଲାଇ ।

ପଞ୍ଚ ଇନ୍ଦ୍ରିୟାଦି କିଛି ନାହିଁଟି ତାଙ୍କର

ତେଣୁକରି ବୋଲନ୍ତି ସେ ବିଷ୍ଣୁ ନିରାକାର ।

ସଖି ଗୋ ସେ ବିଷ୍ଣୁରଟି ନାହିଁ ଆଦିଅନ୍ତ

ତେଣୁ ସେ ବିଷ୍ଣୁର ନାମ ହୋଇଲା ଅନନ୍ତ ।

ଉତ୍ପତ୍ତି କରଇ ସେହି କରଇ ପାଳନ

ଯୁଗଶେଷେ ପ୍ରଳୟରେ ସବୁ କରେ ଲୀନ ।

ପୁଣି ପଚାରନ୍ତି ଲକ୍ଷ୍ମୀ ଶୁଣ ମହାବାହୁ

କିମ୍ପାଇଁ ଏମନ୍ତ ମାୟା କରି ମୋତେ କହୁ ।

କହିଛି ଯୁଗ ପ୍ରଳୟ ଯୁଗରେ ହୁଅଇ

ବ୍ରହ୍ମା ପ୍ରଳୟରେ ସିନା ସବୁ ନାଶଯାଇ ।

ଆହୁରି କଥାଏ ମଧ୍ୟ ଗୁପତେ କହିଲ

ତୋର ଅଙ୍ଗଲୋମ ଅଟେ ତ୍ରିପୁରା ବୋଇଲ ।

ମୋର ଅଙ୍ଗେଲୋମ ଯେବେ ତ୍ରିପୁରା ହୋଇଲା

ମୋଠାରୁ ଅଧିକ କିମ୍ପା ସେହୁ ବୋଲାଇଲା ।

ତ୍ରିପୁରାର ଜନ୍ମ କୁହ ମୋ ଆଗେ ଅନନ୍ତ

ମାୟା ନ କରି କହ ହେ ଭ୍ରାନ୍ତି ହେଉ ହତ ।

ଲକ୍ଷ୍ମୀର ମୁଖୁଁ ଏମନ୍ତ ଶୁଣି ଭଗବାନ

ବୋଲନ୍ତି ଶୁଣ ଗୋ ସଖି ନିଗମ ବଚନ ।

ପ୍ରଳୟ ହୁଅଇ ଯୁଗ ଯେବେ ଆଗ ସହି

ପୁଣି ହିଁ ଆରେକ ଯୁଗ ଉତ୍ପନ୍ନ ହୁଅଇ ।

ଏହିରୂପେ ଚାରିଯୁଗ ହୁଏ ଆତଯାତ

ଯୁଗକୁ ଯୁଗ ପ୍ରଳୟ ଜଳ କରେ ହତ ।

ବାଳମୁକୁନ୍ଦ ରୂପରେ ରହନ୍ତି ମୁରାରୀ

ପୁଣିହିଁ ସଂସାର ଯୁଗ କରନ୍ତି ବିଚାରି ।

ମାନବ ରୂପରେ ହରି କରନ୍ତି ବିହାର

କେତେଯୁଗ ଅନ୍ତେ ବ୍ରହ୍ମପ୍ରଳୟ ବା ସାର ।

ପୃଥ୍ୱୀ ବାୟୁ ଆକାଶ ଯେ ଶୂନ୍ୟ ମହାଶୂନ୍ୟ

ସ୍ଥାବର ଜଙ୍ଗମ କୀଟ କରଇ ବହନ ।

ସ୍ୱର୍ଗ ମର୍ତ୍ତ୍ୟ ପାତାଳାଦି ଜନ୍ମିଥିଲେ ଯେତେ

ବ୍ରହ୍ମ ପ୍ରଳୟରେ ନାଶ ଲଭିଲେ ସମସ୍ତେ ।

ବ୍ରହ୍ମା ବିଷ୍ଣୁ ମହେଶ୍ୱର ଆଦି ଦେବଗଣ

ଏହି ପ୍ରଳୟରେ ସର୍ବେ ହୋଇଲେଟି ଲୀନ ।

ସକଳ ନାଶି ପ୍ରଳୟ ହୋଇଲା ସ୍ଥକିତ

ସେ ପ୍ରଳୟ ଜଳୁଁ ମହାଧୂମ ହେଲା ଜାତ ।

କେବଳ ପ୍ରଳୟ ଜଳ ଘୋର ନାଦ କରେ

ଅନ୍ଧକାର ଦିଶେ ମିଶେ ସେ ଧୂମ ଜଳରେ ।

ପ୍ରଳୟରେ ଧୂମଜଳ ହେଲେ ମିଶାମିଶି

କେବଳ ଗର୍ଜନ ଶବ୍ଦ ଚଉପାଶେ ଘୋଷି ।

 

ଚିତ୍ତବୋଧ ବା ଚିତ୍ତବିନୋଦ ପ୍ରଥମ ଭାଗ

ସୃଷ୍ଟି ସର୍ଜନାର ବିଷୟ

ଶୁଣ ଆଗୋ କମଳିନୀ ହୋଇ ଏକଚିତ୍ତ

ପୁଣି ସୃଷ୍ଟି ସର୍ଜନା ଗୋ ହୋଇଲା ଯେମନ୍ତ ।

ନିଗମ ବଚନ ଏହୁ ନ ଜାଣନ୍ତି କେହି

ଯହୁଁ ପଚାରିଲୁ ମୋତେ କହୁଅଛି ମୁହିଁ ।

ବ୍ରହ୍ମପ୍ରଳୟ ଜଳେ ଯେ ଶବଦ ହୋଇଲା

ସେ ଶବହୁ ଆଦିମାତା ଜନମ ହୋଇଲା ।

ଦେଖିଲେ ଜଳ ଭିତରେ ଆଦିମାତା ରହି

ବିଚାର କଲେ ପ୍ରଳୟ ସବୁ ଗଲା ଦହି ।

ବିଷ୍ଣୁ ଆଦି ଦେବଗଣ ସର୍ବେ ନାଶଗଲେ

ଆପଣାର ତନୁ କେହି ରଖି ନ ପାରିଲେ ।

ବ୍ରହ୍ମପ୍ରଳୟକୁ ବ୍ରହ୍ମା ନ ପାରିଲେ ଜାଣି

ଏବେ ସଂସାର ରଚନା କରିବି ମୁଁ ପୁଣି ।

ବ୍ରହ୍ମା ପ୍ରଳୟ ହୋଇଛି ଏତ ଉପସ୍ଥିତ

ତେଣୁ ସିନା ଏ ସକଳ ହୋଇଛି ବିଧ୍ୱସ୍ତ ।

ଏମନ୍ତ ବିଚାରି ଜଳେ ଥାଇ କଲେ ଧ୍ୟାନ

ଭାବିଲେ ପୃଥିବୀ ଶୂନ୍ୟ ହୋଇଲାଟି ଜାଣ ।

ଆପଣାର ହୃଦୟରୁ କାଢ଼ିଲେ ପରମ

ବୋଇଲେ ସଂସାର ପୁଣି କରାଅ ଜନମ ।

ଏମନ୍ତ ବୋଲି ପରମ ପୁରୁଷକୁ ଧରି

ଛାଡ଼ିଲେ ଜଳ ମଧ୍ୟରେ ବିଷ୍ଣୁଙ୍କୁ ସୁମରି ।

ଭାସିଲେ ଜଳ ମଧ୍ୟରେ ପରମପୁରୁଷ

ନ ପାଇଣ ସ୍ଥାନ କାହିଁ ନ କରନ୍ତି ବାସ ।

ପୁଣି ଆଦିମାତା ମନେ କରନ୍ତି ବିଚାର

ଏକ ପରମରେ କାହିଁ ହୋଇବ ସଂସାର ।

ପୁଣିହିଁ ମନରୁ ଜାତ କଲେ ମହାମାୟୀ

ସଞ୍ଚିଲେ ନିଜ ଜୀବନ ତାହାଠାରେ ନେଇ ।

ଗଭୀର ପ୍ରଳୟ ଜଳେ ତାକୁ ଦେଲେ ମେଲି

ବୁଡ଼ିଗଲେ ଜଳେ ପଡ଼ି ତକ୍ଷଣେ ସେ ବାଳୀ ।

ବୋଇଲେ ଗୋ ମହାମାୟୀ ବିଷ୍ଣୁ ପାଦେ ସେବ

ତୋର ଅଙ୍ଗ ତିନିପୁର କର ଗୋ ଉଦ୍ଭବ ।

ସଦାକାଳେ ବିଷ୍ଣୁଙ୍କର ହେବୁ ତୁ ଘରଣୀ

କୋଳେ ଧରି ବିଷ୍ଣୁ ତୋତେ କରିବେ ଭ୍ରମଣି ।

ତିନିପୁରକୁ ଯେଣୁ କରିବୁ ଅଙ୍ଗୁ ଜାତ

ତେଣୁ ତ୍ରିପୁରା ତୋ ନାମ ହୋଇବ ବିଖ୍ୟାତ ।

ଆଦିମାତା ଅଙ୍ଗୁ ଜୀବ ପରମକୁ କାଢ଼ି

ପ୍ରଳୟ କାଳରେ ତାକୁ ଦେଲେ ତହୁଁ ଛାଡ଼ି ।

କରୁଥିଲା ଗର୍ଜନ ଯେ ପ୍ରଳୟର ଜଳ

ଦଶଦିଗ ଥିଲା ଧୂମମୟ ଅନ୍ଧକାର ।

ଆଦିମାତା ଅଙ୍ଗ ଯହୁଁ ବିଷ୍ଣୁ କଲେ ଜାତ

ପୁଣିହିଁ ଲକ୍ଷ୍ମୀଦେବୀଙ୍କି କଲେ ସେ ସମ୍ଭୂତ ।

ଯେଉଁ ପରମାୟା ତାଙ୍କ ଶରୀରରୁ ଗଲେ

ପ୍ରଳୟ ଜଳ ମଧ୍ୟରେ ବିଶ୍ରାମ ସେ କଲେ ।

ସେ ମହାପ୍ରଳୟ ଜଳ ଶବଦ ରହିଲା

ଶୂନ୍ୟ ହୋଇ ଜଳ ରାଶି ଉଜ୍ଜ୍ୱଳ ଦିଶିଲା ।

ପୁଣି ଅଦିମାତା ସଙ୍ଗେ ଲୀନ ହେଲେ ଯାଇ

ବିଷ୍ଣୁଙ୍କୁ ଦେଖି ପ୍ରଳୟ ଉପରେ ନ ବହି ।

ସଂହାରିଲେ ପ୍ରଳୟକୁ ଗର୍ଭ ଆଦିମାତ

ବେନିପଦ ରସାତଳେ ଲାଗିଲା ତ୍ୱରିତ ।

ରସାତଳେ ଯହୁଁ ବେନି ଚରଣ ଲାଗିଲା

ଆଦିମାତା ବଚନକୁ ସୁମରି କମଳା ।

ମର ଅମର ପାତାଳ ଭିଆଣ ସେ କଲା

ପ୍ରଳୟ ଜଳରାଶି ଯେ କ୍ଷଣକେ ଶୁଖିଲା ।

ଆଦିମାତ ଅଙ୍ଗରୁ ଯେ ନିଜ ଜୀବ କାଢ଼ି

ମହାପ୍ରଳୟର ଜଳେ ଦେଇଥିଲେ ଛାଡ଼ି ।

ସେହି ଜୀବ ସିନା ତୁହି ଅଟୁ କମଳିନୀ

ଆଦିମାତା ବଚନେ ତୁ କଲୁ ପୁର ତିନି ।

ଯହୁଁ ତିନିପୁର ତୋର ଅଙ୍ଗୁ ଜାତ କଲୁ

ତ୍ରିପୁରା ବୋଲିଣ ନାମ ତହୁଁ ତୁ ବହିଲୁ ।

ସେ ଆଦିମାତା ଜୀବନ ଅଟୁ ସିନା ତୁହି

ଏବେ ତୋତେ ପାତାଳେ ମୁଁ ଧରିଅଛି ରହି ।

ସେହି ପରମ ସିନାଟି ଅଟଇ ଗୋ ମୁହିଁ

ଶୁଣିଲୁଟି ଯାହା ପଚାରିଲୁ ପ୍ରାଣସହୀ ।

ସେହିଦିନୁ ପାତାଳେ ଗୋ ନିଜ ବାସ ମୋର

ତୋର ସଙ୍ଗେ ଥାଇ ମୁଁ ଯେ କରଇ ବିହାର ।

ମୋର ଲୋମମୂଳୁ ତହୁଁ ଲକ୍ଷ୍ମୀ ହୋନ୍ତି ଜାତ

ତୋ ଅଙ୍ଗ ଅନେକ ସଖୀ ଜଗତ ବିଖ୍ୟାତ ।

ଶୁଣିଲୁଟି ପ୍ରିୟସହୀ ଜଗତ ସର୍ଜନା

ତ୍ରିପୁରା ଜନ୍ମ ବୃତ୍ତାନ୍ତ ଆଗୋ ସୁଲୋଚନା

ଯେ ଅଟେ ତ୍ରିପୁରା ସଖୀ ସେହି ସିନା ତୁହି

ଯେ ବିଷ୍ଣୁ ଅଟନ୍ତି ସେହି ଅଟଇ ଗୋ ମୁହିଁ ।

ମୋଠାରୁ ସକଳ ଦେବେ ହୋଇଛନ୍ତି ଜାତ

ସର୍ବ ଘଟେ ବାସ କରି ଚାଳେ ମୁଁ ଜଗତ ।

ମୁଁ ପରମ ବ୍ରହ୍ମ ତୁମେ ଜୀବ ଅଟ ସହୀ

ମୁଁ ଯହିଁ ଥିବି ଗୋ ତୁମ୍ଭେ ତହିଁ ଥିବ ରହି ।

ଜୀବ ପରମର କିଛି ନାହିଁ ଭେଦାଭେଦ

ପୁରିଣ ସକଳ ଘଟେ କରିବା ଆନନ୍ଦ ।

ତୁମ୍ଭେ ଜୀବ ହୋଇ ସଖୀ ସର୍ବଘଟେ ଥିବ

ମୌନଭାବେ ରହି ନାନାସୁଖେ ବିଳସିବ ।

ମୁଁ ପରମବ୍ରହ୍ମ ସବୁ କରିବି ରଚନା

ସର୍ବ ଘଟେ ସାକ୍ଷୀରୂପେ ଦେଖୁଥିବି ସିନା ।

ସର୍ବଘଟେ ସାକ୍ଷୀରୂପେ ଦେଖୁଥିବି ମୁହିଁ

ମୋତେ ନୟନରେ ସଖି ଦେଖିନାହିଁ କେହି ।

ଏମନ୍ତ ଶୁଣିଣ ଲକ୍ଷ୍ମୀ ଯୋଡ଼ି ବେନିକର

ବୋଇଲେ ସଂଶୟ ପ୍ରଭୁ ନ ଗଲା ମୋହର ।

ସକଳ ଘଟରେ ଯେବେ ପୂରିଅଛୁ ତୁହି

ତୁ ଦେଖୁନାହୁଁ କି ତୋତେ ନ ଦେଖନ୍ତି କେହି ।

କେ ଯେବେ ତୁମ୍ଭଙ୍କୁ କରି ନାହାନ୍ତି ଦର୍ଶନ

କିପରି ବା କଲେ ତୁମ୍ଭ ରୂପ ନିରୂପଣ ।

ଏଥିରେ ସଂଶୟ ମୋର ଚିତ୍ତେ ଜନମଇ

କହ କହ ପ୍ରଭୁ ମୋତେ ସକଳ ଫିଟାଇ ।

ତବ ମୁଖୁ ଶୁଣି ଚିତ୍ତ ହୋଇବ ନିର୍ମଳ

କୁହ ଯେବେ ଦୟା ମୋତେ ଆହେ ଆଦିମୂଳ

ଶୁଣି ଆନନ୍ଦେ କହନ୍ତି ଦେବ ଚକ୍ରପାଣି

କେତେ ଛନ୍ଦକଥା ମୋତେ ପଚାର ସଜନୀ ।

କେବଳ ବିଷ୍ଣୁଙ୍କ ଭକ୍ତ ବିଷ୍ଣୁଙ୍କୁ ଚିହ୍ନନ୍ତି

ଭକ୍ତ ବିନା କେହି ତାଙ୍କୁ ଚିହ୍ନିଣ ନାହାନ୍ତି ।

ତେଣୁଟି ଭକ୍ତବତ୍ସଳ ନାମ ତାହାଙ୍କର

ଭକ୍ତଙ୍କର ହିତେ ବହିଥାନ୍ତି କଳେବର ।

ଭକ୍ତ ବିନା ଅନ୍ୟ ବଶ ନୁହନ୍ତିଟି ହରି

ଭକ୍ତପଦ ଚିହ୍ନି ସ୍ନେହେ ଛନ୍ତି ହୃଦେ ଧରି ।

ଭକ୍ତ କଥା ସିନା ତାଙ୍କୁ ରଖଇ ବନ୍ଧନେ

ଭକ୍ତବିନା ଅନ୍ୟ କେହି ତାହାଙ୍କୁ ନ ଚିହ୍ନେ ।

ଭକ୍ତ ତାଙ୍କୁ ଦେଖେ ଆନ ନ ଦେଖଇ କେହି

ଭକ୍ତ ପ୍ରେମ ଭାବ ଆଦି ତୋହଠାରେ ନାହିଁ ।

ଏବେ ବିଷ୍ଣୁଙ୍କ କଳାରେ କୃଷ୍ଣ ହେଲେ ଜାତ

ତ୍ରିପୁରା ହୋଇଲେ ରାଧା ନାମରେ ବିଖ୍ୟାତ ।

ଯେ ରୂପେ ହୋଇଲେ ରାଧାକୃଷ୍ଣ ଏକ ଅଙ୍ଗ

ଶୁଣିଲୁଟି ସଖୀ ତାହା କହିଲି ତୋ ଆଗ ।

ତୁମ୍ଭରି ଲୋମରୁ ଜାତ ହୋଇଲା ତ୍ରିପୁରା

ସେ ତ୍ରିପୁରା ରାଧା ରୂପ ଧରି ବିହରିଲା ।

ସଂସାରେ ରାକ୍ଷସେ ଯେଣୁ ପ୍ରବଳ ହୋଇଲେ

ଦେବତାଏ ଭୟ ପାଇ ମୋତେ ସୁମରିଲେ ।

ତାହାଙ୍କ ଆକୁଳ ମୁହିଁ ସହି ନ ପାରିଲି

ତେଣୁ କୃଷ୍ଣରୂପ ଧରି ଗୋପେ ଜନମିଲି ।

ରାଧା ଯେହ୍ନେ ଜାତ ହେବେ ଶୁଣିଲୁ ମୃଗାକ୍ଷୀ

କୃଷ୍ଣରୂପେ ସେହୁ ରାଧା ନୀପମୂଳେ ଅଛି ।

ମୋହନ ମୁରଲୀ ଧରି ଫୁଙ୍କେ ଘନ ଘନ

ସେହି ମୁରଲୀ ଶବଦ ମୋହେ ତ୍ରିଭୁବନ ।

ବଜାଉଛି ମୁଁ ମୋହନ ବାଦ୍ୟ ରାଧା ରୂପେ

ମର ଅମର ପାତାଳ ସେହି ଘୋଷେ କମ୍ପେ ।

ଏବେ ତୋ ମନରୁ ଭୟ ଛାଡ଼ କମଳିନୀ

ସେହି ରାଧାକୃଷ୍ଣ ଲୀଳା କରନ୍ତି ମେଦିନୀ ।

ଲକ୍ଷ୍ମୀଙ୍କି ଏମନ୍ତ କହି ଯୋଗନିଦ୍ରା ଗଲେ

ଶୁଣନ୍ତେ କମଳା ମନୁ ଭୟ ଦୂର କଲେ ।

ପୟର ଚାପନ୍ତି ଲକ୍ଷ୍ମୀ ଧୀର ଧୀର କରି

ଅନନ୍ତ ପରେ ଶୟନ କଲେ ଦେବହରି ।

ବୀଣା ଧରି ସରସ୍ଵତୀ କଲେ ନୃତ୍ୟ ଗୀତ

ନିଶ୍ଚିନ୍ତେ ଶୟନ କଲେ ପ୍ରଭୁ ଜଗନ୍ନାଥ ।

ବାସୁକୀ ପଦ୍ମଚରଣ ତଳେ ରହିଥିଲା

ବିଷ୍ଣୁ ମୁଖୁଁ ଶୁଣି ମନୁ ଭୟ ଦୂର କଲା ।

ଏଥୁଅନ୍ତେ ପରୀକ୍ଷିତ ନୃପ ଚୂଡ଼ାମଣି

ଶୁକମୁନି ପାଦତଳେ ପଡ଼ି କହେ ବାଣୀ ।

ହରିବଂଶ ବାଣୀ ଏ ଯେ ଚିତ୍ତବୋଧ ଗୀତ

ଶୁଣିଲେ ତୃପତ ନିଶ୍ଚେ ହେଉଅଛି ଚିତ୍ତ ।

ରାଧା ନାମ ଏଥେ ମୁନି ହୋଇଛି ଭକତ

ସୁର ନରେ ଦୁର୍ଲ୍ଲଭ ଏ ସାକ୍ଷାତ ଅମୃତ ।

ସୁଧାମୟ ବାଣୀ ଏ ଯେ କହିଲ ହେ ମୁନି

କୃତାର୍ଥ ହୋଇଲି ଆଜି ତବ ମୁଖୁଁ ଶୁଣି ।

ଅଚ୍ୟୁତ ଦାସ କହଇ ପ୍ରେମ ଭକତିରେ

ପଢ଼ିଶୁଣି ଚିତ୍ତବୋଧ କର ସୁଜ୍ଞ ନରେ ।

ସ୍ଵର୍ଗର ଅମୃତ ୟାକୁ ସମାନ ନୁହଇ

ଗତି ମୁକତି ନିଶ୍ଚୟ ଏଥିରେ ମିଳଇ ।

 

ବୃନ୍ଦାବତୀଙ୍କ ଫୁଲତୋଳା

ଶୁକଙ୍କୁ ପରୀକ୍ଷ ରାଜ ପୁଣିହିଁ ପଚାରେ

ଆହେ ମହାଯତି ମୋ ସଂଶୟ ଫେଡ଼ ବାରେ ।

ଫୁଲ ତୋଳି ବୃନ୍ଦାବନେ ଗଲେ ବୃନ୍ଦାବତୀ

ତଦନ୍ତେ କି ହେଲା ମୋତେ କହ ମହାଯତି ।

ମୁନି ବୋଲନ୍ତି ହେ ଶୁଣ ଅର୍ଜ୍ଜୁନର ନାତି

ବୃନ୍ଦାବତୀ ଫୁଲ ତୋଳି ବନେ ବିହରନ୍ତି ।

କୃଷ୍ଣଙ୍କୁ ସୁମରି ଦେବୀ ତୋଳେ ଫୁଲମାନ

କୃଷ୍ଣର ମୋହନ ବାଦ୍ୟ ଶୁଣି ହେଲା ଛନ୍ନ ।

ସେ ମୋହନ ବାଦ୍ୟ ନାମେ ତରୁ ଶୁଷ୍କ ହେଲା

ପ୍ରଫୁଲ୍ଲ କୁସୁମମାନ ମଳିନ ଦିଶିଲା ।

ଡେମ୍ଫରୁ ଖସି ସେମାନେ ଅଧୋଗାମୀ ହେଲେ

ବନଜୀବମାନେ ସର୍ବେ ଆକୁଳେ ଧାଇଁଲେ ।

ମଳିନ ଦିଶିଲେ ଆକାଶରେ ତାରାଗଣ

ଅଗ୍ନିଦେବ ଶିଖାମାନ ଦିଶିଲା ମଳିନ ।

ଯମୁନା ନଦୀର ଜଳ ସବୁ ଶୁଖିଗଲା

ବିପରୀତ କଥାମାନ ସବୁ ଦେଖାଗଲା ।

ଏସନ ଘଟଣା ଦେଖି ବେଗେ ବୃନ୍ଦାବତୀ

ମନରେ ବିଚାରେ କିବା ପଡ଼ିବ ବିପତ୍ତି ।

ଏମନ୍ତ ବାଦ୍ୟ ତ କେବେ ଶୁଣି ମୁଁ ନ ଥିଲି

ଆଜି କର୍ଣ୍ଣପୁଟେ ତାହା ଶ୍ରବଣ କରିଲି ।

ଏହିପରି କଥା ମନେ ମନେ ବିଚାରଇ

ମୋହନ ବଂଶୀର ନାଦ ପୁଣି ସେ ଶୁଣଇ ।

ମୋହନ ମୁରଲୀ ସ୍ୱନ ଅତିହିଁ ମଧୁର

ବୃନ୍ଦାବତୀ ଶୁଣି ଚିତ୍ତ ହେଲା ତା ଅସ୍ଥିର ।

ସେ ମୁରଲୀ ନାଦେ ଶୁଷ୍କ ତରୁ ପଲ୍ଲବିଲେ

ଝାଉଁଳିବା ବୃକ୍ଷମାନ ପ୍ରଫୁଲ୍ଲିତ ହେଲେ ।

ଝଡ଼ିଥିବା ଫୁଲମାନ ବୃକ୍ଷରେ ଲାଗିଲେ

ବନ ଜୀବମାନେ ନାଚି ଆନନ୍ଦ ହୋଇଲେ ।

ଯମୁନା ଜଳ ଉଛୁଳି ବହେ ଘନ ଘନ

ଦେଖିକରି ବୃନ୍ଦାବତୀ ତୋଷ କଲା ମନ ।

ମନେ ବିଚାରଇ କୃଷ୍ଣ ମୁରଲୀ ବଜାନ୍ତି

ମୋହନ ବାଦ୍ୟରେ ବେଳେବେଳେ ସ୍ୱନ ଦ୍ୟନ୍ତି

ଆଜି ଏ ମୋହନ ବାଜା ମୋହନ ମୁରଲୀ

ଧରି ମୋ ପୁରକୁ ପରା ଯିବେ ବନମାଳୀ ।

ତେଣୁ ଫୁଲ ତୋଳିବାକୁ ପଠାଇଲେ ଆଜ

ଅଙ୍କେ ବସାଇବେ ଆଜି ପ୍ରଭୁ ଦେବରାଜ ।

ମନରେ ଏମନ୍ତ ବୃନ୍ଦାବତୀ ବିଚାରିଲା

ସୁବାସ କୁସୁମମାନ ବାଛି ସେ ତୋଳିଲା ।

ମାଧବୀ ମଲ୍ଲିକା ଜାଈ ଚମ୍ପକ ମାଳତୀ

ପାରିଜାତ ଗନ୍ଧରାଜ ନିଆଳୀ ସେବତୀ

କିଆ କେତକୀ ଯେ ଜୁଈ ତରାଟ ଟଗର

କାଞ୍ଚନ ଗୋଲାପ ଛୁରୀଅନା ନାଗେଶ୍ଵର ।

କୁନ୍ଦ ରଜନୀଗନ୍ଧା ଯେ ସୁବାସିତ ଅତି

ବୃନ୍ଦାବତୀ ବନୁ ଫୁଲ ତୋଳି ନାନା ଜାତି ।

ବିଚାରେ କରିବି ପୂର୍ଣ୍ଣ ମୋ କାମନା ଆଜ

ଆଜ୍ଞା ଦେଇଛନ୍ତି ମୁଖେ ମୋତେ ଦେବରାଜ ।

ଆଜି ମୋ ମନ୍ଦିରେ ବିଜେ କରିବେ ମାଧୋଇ

ରତନ ପଲ୍ୟଙ୍କେ ତାଙ୍କୁ ବସାଇବି ନେଇ ।

ସୁବାସ କୁସୁମ ନେଇ ଶେଯରେ ପାତିବି

ଖଣ୍ଡ ଶର୍କରା ଲବଣୀ ଦଧି ଭୁଞ୍ଜାଇବି ।

ନାନା ଫୁଲମାନ ତାଙ୍କ ଚୂଳରେ ଖଞ୍ଜିବି

ପିନ୍ଧାଇ ଝୀନ ବସନ ବେଶ ମୁଁ କରିବି ।

କର୍ପୂର ଚନ୍ଦନ ତାଙ୍କ ଅଙ୍ଗରେ ବୋଳିବି

ବିଡ଼ିଆ ଭାଙ୍ଗି ଶ୍ରୀମୁଖେ ଲାଗି କରାଇବି ।

ବିମ୍ବାଧର ଚୁମ୍ବି ମଧୁ ଆନନ୍ଦେ ପିଇବି

ବିବିଧ ରସରେ ଆଜି କୃଷ୍ଣଙ୍କୁ ମୋହିବି ।

ଏମନ୍ତ ବିଚାରି ବୃନ୍ଦା ତୋଳେ ଫୁଲମାଳ

ନ ଶୁଭଇ ବାଦ୍ୟ ଘୋଷ ପୁଣି ବଂଶୀସ୍ଵନ ।

ତାର ମନ ଯହୁଁ କୃଷ୍ଣ ପ୍ରେମରେ ମଜ୍ଜିଲା

ତେଣୁକରି ଶ୍ରୁତିରେ ତା କିଛି ନ ବାଜିଲା ।

ବୃନ୍ଦା ଫୁଲ ତୋଳଇ କୃଷ୍ଣଙ୍କୁ ମନେ ଧ୍ୟାୟି

ଗୋପପୁର କଥା କିଛି ମନେ ନ ପଡ଼ଇ ।

ରାଧା ରୂପକୁ ଅଚ୍ୟୁତ ଦାସ ଭାବେ ମନେ

ସତେ କି ଭାବିବ ରାଧା ରୂପକୁ ନୟନେ ।

କଦମ୍ବ ମୂଳେ ମୋହନ ରୂପେ ରାଧା ଠିଆ

ରାଧା ରୂପରେ ହୋଇଛି ଉଭା ସେ କାଳିଆ ।

ମୋହନ ମୁରଲୀ ରାଧା ବଜାନ୍ତି ସୁସ୍ୱରେ

ମୋହନ ବାଜା ବଜାନ୍ତି କୃଷ୍ଣ ଧୀରେ ଧୀରେ

ନାଚନ୍ତି ରାଧିକା କୃଷ୍ଣ ପ୍ରେମେ ଭୋଳ ହୋଇ

କେତେବେଳକୁ ଚେତନା ପାଇଲେଟି ରାଈ ।

ଦେଖି ଶ୍ରୀକୃଷ୍ଣଙ୍କୁ ରାଧା ହୋଇଲେ ଚକିତ

କୃଷ୍ଣରୂପ ଦେଖି ରାଧାରୂପେ ନନ୍ଦସୁତ ।

ମାୟା କଲେ କୃଷ୍ଣ ରାଧା ଚିହ୍ନି ନ ପାରିଲେ

ବେନିକର ଯୋଡ଼ି ତେଣୁ ଚରଣେ ପଡ଼ିଲେ ।

ବୋଇଲେ ବଜାଉ କେଉଁ ବାଦ୍ୟ କୁତୁହଳେ

କେଉଁ କାର୍ଯ୍ୟରେ ଆସିଲୁ ଏ କଦମ୍ବ ମୂଳେ ।

କେଉଁ ଦେଶେ ଘର ତୋର ଜାତ ହେଲୁ କାହିଁ

କେତେ ଯୁଗ ବସି ତୋତେ ଗଢ଼ିଥିଲା ବିହି ।

କେ ତୋହର ପିତା ମାତା କହ ମୋତେ ସଖି

କେବା ତୋତେ ଯୋଗ୍ୟ ଭାର୍ଯ୍ୟା ରୂପେ ଅଛି ରଖି ।

ତୋର ନାମ ସତ୍ୟ କରି କହ ଗୋ ସୁନ୍ଦରୀ

ଗୋପ ନଗରେ ରହିବୁ କିନା ଘର କରି ।

କପଟ ନ କରି ମୋତେ କହ ସତ୍ୟ କରି

କେଉଁ କଥା ଗୋଟି ମନେ ଅଛୁ ତୁ ବିଚାରି ।

ତୋତେ ଦେଖି ଏ ଶରୀରୁ ଜୀବ ଯାଏ ଛାଡ଼ି

ପିଞ୍ଜରା ମଧ୍ୟରୁ ପକ୍ଷୀ ଗଲା ପ୍ରାୟ ଉଡ଼ି ।

ମାୟାକୃଷ୍ଣ କଥା ଶୁଣି କହେ ମାୟା ରାଈ

ଯାହା ପଚାରିଲ ତାହା ଶୁଣ ମନ ଦେଇ ।

ମଧୁସୂଦନ ମୋ ବର ମଧୁପୁରେ ଘର

ମଧୁହାରୀ ରାଧା ନାମ ଅଟଇ ମୋହର ।

ରାଜ ଜ୍ୟେଷ୍ଠ ଭଗିନୀ ମୋ ଅଟେ ନିଜ ମାତା

ନିରତେ ମୁଁ କରୁଥାଏ ରାଧା ନାମେ ଚିନ୍ତା ।

ଗୋପେ ରାଧା ଅଛି ବୋଲି ଯହୁଁ ମୁଁ ଶୁଣିଲି

କାହାକୁ ନ କହି ଗୋପପୁରକୁ ଆସିଲି ।

ମଧୁପୁରୀ ବାଜା ଏ ଯେ ଅଟଇ ମୋହରି

ବନରେ ବଜାଇ ଆସୁଥିଲି ଭୟ କରି ।

ଷୋଳ ସହସ୍ର ନାଗରୀ ମୋ ତହୁଁ ସୁନ୍ଦରୀ

ସେମାନଙ୍କୁ ଲୁଚି ମୁହିଁ ଆସିଛି ଏ ପୁରୀ ।

ଆସିଲା ବେଳରେ ମାତା କହିଲେ ମୋହର

ରାଧା ନାମେ ତୋର ମିତ ଅଛି ଗୋପପୁର ।

ବୃଷଭାନୁ ତାର ପିତା ଚଞ୍ଚଳା ତା ମାତା

ଚନ୍ଦ୍ରସେଣା ଗଉଡ଼ର ଅଟେ ସେ ବନିତା ।

ଦେଖିଲେ ତାହାକୁ ତୁହି କରିବୁ ଦର୍ଶନ

ନ ଚିହ୍ନିଲେ ପଚାରିବୁ ଦେଖି ଗୋପଜନ ।

ତାକୁ ଦେଖି ଆଗ ହୋଇ କରିବୁ ତୁ ମାନ୍ୟ

ପାଦରେ ପଡ଼ିବୁ ଯାଇ ବୟସରେ ସାନ ।

ପିଲାକାଳୁ ମିତ ସେ ଲୋ ଅଟଇ ତୋହର

ସେ ଯେବେ ଡାକିବ ତୋତେ ଯିବୁ ତାର ଘର

ମନ ଆନନ୍ଦିତ ହେଲା ତା ମୁଖରୁ ଶୁଣି

ଆସିଲି ଗୋପକୁ ଯେବେ ଦେଖିବି ମିତଣୀ ।

ବାଟେ ଆସୁ ବଂଶୀସ୍ଵନ କର୍ଣ୍ଣରେ ଶୁଣିଲି

ମୋହନ ବାଜା ବଜାଇ ଏଠାରେ ମିଳିଲି ।

କହ ତୁମ୍ଭେ ଗୋପେ ରାଧା ରହିଛନ୍ତି କାହିଁ

ଦେଖିବାକୁ ମଧୁପୁରୁ ଆସିଅଛି ମୁହିଁ ।

ମିତକୁ ଦର୍ଶନ କଲେ ଫଳ ଗୋ ବହୁତ

ସାକ୍ଷାତେ ଦର୍ଶନ ଯଥା ହେଲେ ଜଗନ୍ନାଥ ।

ତାହାକୁ ଦର୍ଶନ ଯେବେ କରନ୍ତି ମୁଁ ନିତି

ଗୁରୁ ଦରଶନ ଫଳ ଲାଭ ମୁଁ କରନ୍ତି ।

ତୁମ ଆଗରେ ଯେବେ ମୁଁ କହୁଥିବି ମିଛ

ଶରୀରେ ଭୋଗିବି କଷ୍ଟ ପାଇ ନାନା ଦୁଃଖ ।

ତୁମ୍ଭ ପାଶେ ଯେବେ ମୋର ଥିବଟି କପଟ

କୁମ୍ଭୀପାକେ ପଡ଼ି ମୁଁ ହୋଇବି ଛଟପଟ ।

ମାଧୁରୀ ରାଧିକାଠାରୁ ଏ ବଚନ ଶୁଣି

ବୋଲନ୍ତି ମୋହନ ରାଧା ଶୁଣ ମୋର ବାଣୀ

ତୋ ରୂପକୁ ରାଧିକା ଗୋ ସମାନ ନ ହେବ

ତୋ ପରି ସୁନ୍ଦରୀ ଜଣେ ଏ ଗୋପେ ନ ଥିବ

ଧନ୍ୟ ତୁ ମାଧୁରୀ ରାଧା ମଥୁରାକୁ ଗଲେ

କ୍ଷଣେନ ଛାଡ଼ିବେ ତୋତେ ଶ୍ରୀକୃଷ୍ଣ ଦେଖିଲେ

ତୋ ତହୁଁ ସୁନ୍ଦରୀ ବେଶୀ ହେବେ ମଧୁନାରୀ

ନ ଦେଖିବୁ ରାଧା ଆଜି ଯାଅ ଗୃହେ ଫେରି

ତୋର ଆଗେ ସତ୍ୟ କରି କହୁଅଛି ମୁହିଁ

କାଲି ମୁଁ ରାଧାକୁ ନିଶ୍ଚେ ଦେବି ଗୋ ପଠାଇ

କାଲି ଦଧି ବିକି ରାଧା ମଥୁରାକୁ ଯିବେ

ରାଜନଗ୍ରେ ଯାଇ ଦଧି ଲବଣୀ ବିକିବେ ।

ସେଠାରେ ରାଧାଙ୍କ ରୂପ ଦେଖିବୁ ନୟନେ

ନ ଯାଅ ଗୋପକୁ ଏଥି ନ ଥାଅ ଗୋ କ୍ଷଣେ ।

ଶ୍ରବଣେ ମାଧୁରୀ ରାଧା ବୋଲନ୍ତି ବଚନ

ତୁମେ କାହିଁ ପାଇଁ ମୋତେ କହୁଛ ଏମାନ ।

ଗୋପେ ରାଧା ବାଳିକାକୁ ମିତଟି ମୋହର

ମିତ ହୋଇଥିଲୁ ଆମେ ଯମୁନାର ତୀର ।

ନୟନେ ମିତକୁ ଯେବେ ମୁହଁ ନ ଦେଖିବି

ମଧୁନାରୀ ପଚାରିଲେ କି ବୋଲି କହିବି ।

ତୁମ୍ଭଙ୍କୁ ଦେଖିଲେ ମିତ ମୋର ପଚାରିବେ

ମୋହର ଅଇଲା ତୁମ୍ଭ ମୁଖରୁ ଶୁଣିବେ ।

ମିତ ବୋଲି ଶୁଣିଲେ ସେ ହୋଇବେ ବିମୁଖ

ମିତର ବିମୁଖେ ନାଶ ଯିବ ସବୁ ସୁଖ ।

ମିତକୁ ଯେବେ ମୋହର ଗୋପେ ନ ଦେଖିବି

ନିଶ୍ଚୟ କଦମ୍ବ ମୂଳେ ଦର୍ଶନ ପାଇବି ।

ଦିନେକ ଯମୁନା କୂଳେ ସଖୀଗଣ ଘେନି

ମିତ ମୋର ପୂଜୁଥିଲେ ଶଙ୍କର ଭବାନୀ ।

ସ୍ଥାପି ବାଲୁକାରେ ଲିଙ୍ଗ ପୂଜି ଗୌରୀହର

ନିଜ ଅଭିଳାଷ ମାଗି ଯୋଡ଼ି ବେନିକର ।

ଏହିରୂପେ ଗତ ହେଲା କେତେ ସମ୍ବତ୍ସର

ପ୍ରସନ୍ନ ହୋଇଣ ବର ଦେବେ ଉମା ହର ।

ନନ୍ଦନବନକୁ ବର ମାଗିଲେ ମୋ ମିତ

ଦୂରୁ ଥାଇ ଦେଖିଲି ମୁଁ ଜନନୀ ସହିତ ।

 

ଅସ୍ତୁ କହି ହରଗୌରୀ ହେଲେ ଅନ୍ତର୍ଦ୍ଧାନ

ମୋର ମିତ ସଙ୍ଗେ ଥିଲେ ଯେତେ ଗୋପୀଗଣ ।

 

ବସ୍ତ୍ର ହରଣ

କାଳିନ୍ଦୀ ଜଳକୁ ଦେଖି ହୋଇଲେ ହରଷ

କୂଳେ ଥୋଇ ସଖୀମାନେ ଯେ ଯାହାର ବାସ

ଉଲଗ୍ନ ହୋଇ କାଳିନ୍ଦୀ ଜଳରେ ପଶିଲେ

ମନରେ ଆନନ୍ଦ ହୋଇ ଜଳକ୍ରୀଡ଼ା କଲେ ।

ମିତ ମୋହର ରାଧିକା ତହିଁ ଥିଲେ ମିଶି

ଦେଖୁଥିଲୁ ଆମ୍ଭେମାନେ ଲତା ତଳେ ବସି ।

କେହି ସଖୀ ବେନିକର ଉର୍ଦ୍ଧ୍ୱେ ଟେକିଧରି

କରପଲ୍ଲବ ମୁଦ୍ରିକା ଯେହ୍ନେ ପଦ୍ମକଢ଼ି

ମୋର ମିତ ରାଧା ବୋଲେ ଦେଖ ଦେଖ ସଖୀ

ମୋର ଊରେ ରହିଛନ୍ତି ଚକ୍ରବାକ ପକ୍ଷୀ ।

ଆଜ ଚକ୍ରବାକ ପକ୍ଷୀ ଦିବସରେ ମେଳ

ରାତ୍ରରେ ନ ହୋଇ ମେଳ ହୁଅନ୍ତି ବିକଳ ।

ଯଉବନେ ଭରା ସର୍ବେ ଅଟନ୍ତି ଷୋଡ଼ଶୀ

କେ କାହାର ମୁଖେ ପାଣି ସିଞ୍ଚେ ହସି ହସି ।

କେହୁ ଉଠନ୍ତି ଉପରେ ଉର୍ଦ୍ଧ୍ୱମୁଖ ହୋଇ

ଜଳରେ କ୍ରୀଡ଼ା କରନ୍ତି ମନେ ଭୟ ନାହିଁ ।

କେ କେଶ ମୁକୁଳା କରି କୁଚପରେ ଥୋଇ

ବୋଲଇ ଦେଖ ସଖୀ ମୋ ଊରେ ଉମାସାଇଁ

କେ ବୋଲଇ ମୁଁ ଭ୍ରମଇ ଅଛି କୋଳେ ଧରି

କେହୁ ଫୁଫୁକାର କରେ ମୁଖେ ଜଳ ଧରି ।

କେହୁ ସଖୀ କରେ କର ଛନ୍ଦାଛନ୍ଦି ହୋଇ

କୁମ୍ଭୀର ପରାୟେ ବୁଡ଼ି ପୟର ଛନ୍ଦଇ ।

ମାତ୍ର ମୋର ଊରେ ଯେଉଁ ଚକୋର ଅଛନ୍ତି

କେତେବେଳେ କାହାକୁ କେ ଛାଡ଼ି ନପାରନ୍ତି

କେହୁ ବୋଲେ ସଖି ବଡ଼ ପାଇଲି କଷଣ

ମୋ ଊରେ ପର୍ବତ ବେନି ବଢ଼େ ଦିନୁଦିନ ।

ଐରାବତ ରୂପେ କୃଷ୍ଣ ରଚିଲେ ଏ ଗିର

ବହିବ ପ୍ରେମଜାହ୍ନବୀ ଏଥୁ ଝର ଝର ।

କେ ବୋଲଇ ସଖି ଆଗୋ ଶୁଣ ମୋ ବଚନ

ପାର୍ବତୀପତି ଶଙ୍କର କରି ବିଷପାନ ।

ନ ପାରିଲେ ସହି ଯେଣୁ ଶରୀର ଜଳଇ

ମୋର ଊରେ ରହି ତେଣୁ ହେଲେ ଜଳଶାୟୀ ।

ଆନନ୍ଦରେ ଗୋପୀଗଣ କରନ୍ତି ବିହାର

ମତ୍ତଭରେ କେଉଁ କଥା ନକରି ବିଚାର ।

ଉଲଗ୍ନ ଜଳରେ ପଶି କାମେ ଭୋଳ ହେଲେ

ଅନ୍ତର୍ଯ୍ୟାମୀ କୃଷ୍ଣ ତାହା ମନରେ ଜାଣିଲେ ।

କାଳିନ୍ଦୀର କୂଳେ ଆସି ହୋଇଲେ ପ୍ରବେଶ

ଜଳରେ ଗୋପୀଙ୍କି ଦେଖି ହେଲେ ହସ ହସ

ଦୂରୁ ଦେଖିଲେ ବସନ କୂଳେ ଛନ୍ତି ରଖି

ଉଲଗ୍ନରେ କାଳିନ୍ଦୀରେ ପଶିଛନ୍ତି ସଖୀ ।

ମନରେ ବିଚାରି କୃଷ୍ଣ ମାୟା ଆରମ୍ଭିଲେ

ପବନକୁ ଡାକି ପ୍ରଭୁ ତହୁଁ ଆଜ୍ଞାଦେଲେ ।

ବୋଇଲେ ଗୋପୀଙ୍କ ଶାଢ଼ୀ ଉଡ଼ାଇ ତୁ ନେବୁ

ନ ଜାଣିବେ କେହି ନେଇ ଶାଖାରେ ବାନ୍ଧିବୁ ।

କୃଷ୍ଣ ମାୟାରେ ତକ୍ଷଣେ କୁହୁଡ଼ି ଘୋଟିଲା

ମନ୍ଦ ପବନ ଶାଢ଼ୀକି ଉଡ଼ାଇଣ ନେଲା ।

ବାନ୍ଧିଲା କଦମ୍ବ ଡାଳେ ଯତ୍ନେ ତାହା ନେଇ

ଦରଶନେ କୃଷ୍ଣଚନ୍ଦ୍ର ପ୍ରମୋଦିତ ହୋଇ ।

ନ ଜାଣନ୍ତି ଗୋପୀମାନେ ହୋଇ ମତ୍ତଭୋଳି

ଉଠିଲେ କଦମ୍ବ ତରୁପରେ ବନମାଳୀ ।

ଯହୁଁ ପବନ କୁହୁଡ଼ି ଗଲା ତହୁଁ ଛାଡ଼ି

କାଳିନ୍ଦୀ ଜଳରେ ଗାପୀମାନେ ଥିଲେ ବୁଡ଼ି ।

ପବନ କୁହୁଡ଼ି ଘାତ ନ ପାରିଲେ ସହି

ବାତେ ରମ୍ଭାପତ୍ର ପ୍ରାୟେ ଶରୀର କମ୍ପଇ ।

ଶୀତ ହେତୁ ଜଳ ମଧ୍ୟେ ରହି ନ ପାରିଲେ

ବେଗହୋଇ କୂଳକୁ ସେ ଉଠିଣ ଆସିଲେ ।

ଦେଖିଲେ କାହାରି ଶାଢ଼ୀ ନାହିଁ ସେ ସ୍ଥାନରେ

କେଣେ ଗଲା ବୋଲି ସର୍ବେ ଭାବିଲେ ମନରେ ।

ବୋଲନ୍ତି କେ ନେଲା ସବୁ ଆମ୍ଭ ବସ୍ତ୍ରମାନ

ତ୍ରସ୍ତ ହୋଇ ଚଉଦିଗେ ଚାହିଁ ଗୋପୀଗଣ ।

ସକଳେ ଦେଖିଲେ କୂଳେ ବୁଲି ଏଣେତେଣେ

ଶାଢ଼ୀ ନ ଦେଖି ବିକଳ ହେଲେ ସର୍ବେ ମନେ

କେହୁ ବୋଲଇ ପବନ ନେଲା ଗୋ ଉଡ଼ାଇ

କେହୁ ବୋଲଇ କଦାଚ ତାହା ହୋଇ ନାହିଁ ।

ଯେବେ ଗୋପବନେ ଶାଢ଼ୀ ଯାଇଥାନ୍ତା ଉଡ଼ି

ଖଣ୍ଡେ ଅଧେ ହେଲେ କୂଳେ ରହିଥାନ୍ତା ପଡ଼ି ।

କେହୁ ବୋଲେ ଚୋରାଇ କେ ଆମ୍ଭ ଶାଢ଼ୀ ନେଲା

କେ ବୋଲଇ ଚୋର କେଉଁବାଟେ ପଳାଇଲା

କେହୁ ବୋଲଇ ଗୋପାଳେ ଆଜି ଆସିଥିଲେ

ଆମ୍ଭର ଉଲଗ୍ନ ଦେଖି କ୍ରୋଧଭର ହେଲେ

ନ କହିଣ ଶାଢ଼ୀମାନ ନେଲେଟି ଗୋପାଳେ

ଗୋପକୁ ଗଲେ ଆମ୍ଭକୁ ଦଣ୍ଡିବେ ସକଳେ ।

କେ ବୋଲେ ଶାଶୁନଣନ୍ଦ ଥିଲେ ମୋତେ ଧରି

ଦେଖା ନ ଦେଇ ଆଣିଲି ଶାଢ଼ୀ ଚୋରିକରି ।

କେ ବୋଲଇ ଯିବା ଆସିବାର ଜନମାନେ

ଶାଢ଼ୀମାନ ଘେନି ଅବା ପଳାଇଲେ ବନେ ।

କେ ବୋଲଇ ଜଳେ ପଶି ଦେଖିଲି ଯେ ମୁହିଁ

ଏ ବାଟେ ଯିବା ଆସିବା କାହାରି ତ ନାହିଁ ।

କେ ବୋଲେ ବାବନାଭୂତ ନେଲା ଗୋ ଉଡ଼ାଇ

କେ ବୋଲଇ ସେ ତ ଏଠି ଜମା ଦେଖା ନାହିଁ

କେଜାଣେ ଆମ୍ଭର ଶାଢ଼ୀ କେ କେମନ୍ତେ ନେଲା

ପ୍ରାଣେ ନ ମାରି ସେ ଯାହା ଲୋକହସା କଲା ।

ମନେ ଯାହା ବାଞ୍ଛା ଥିଲା ଦଇବ ତା ଦେଲା

ହର ଦେବା ବର ଆଜ ସଫଳ ହୋଇଲା ।

ଏମନ୍ତ ବିଚାରି ଗୋପୀ କାଳିନ୍ଦୀରୁ ଉଠି

ଖୋଜନ୍ତି ବସନ ଚଉଦିଗେ ଦେଇ ଦୃଷ୍ଟି ।

ନ ଦେଖି ବସନ ଗୋପୀ ହୁଅନ୍ତି ବିକଳ

ଉଚ୍ଚେ ଡାକ ଦିଅନ୍ତି ଯେ ରଖ ଆଦିମୂଳ ।

ତୁମେ ନ ରଖିଲେ ଆମ୍ଭ ସରିଲା ମହତ

ଲଜ୍ଜା ନିବାରଣ କର ଅହେ ଗୋପୀନାଥ ।

ଶଙ୍ଖ ଚକ୍ର ଗଦା ପଦ୍ମ ଚତୁର୍ଭୁଜେ ଶୋହେ

ଇକ୍ଷ୍ମୀର ବଲ୍ଲଭ ତୁମ୍ଭେ ଅଟ ଦେବରାୟେ ।

ନ ଜାଣିଣ ନାରୀଜାତି ଅରଜିଲୁ ଦ୍ରୋହ

ଶିବ ପୂଜିବାରେ ମାଗିଅଛୁ ନନ୍ଦପୁଅ ।

ମତ୍ତଗର୍ବେ ଆମ୍ଭେ ସର୍ବେ ଭଲଗ୍ନ ହୋଇଲୁ

ପାପ ପୁଣ୍ୟ ନ ବିଚାରି ଜଳରେ ପଶିଲୁ ।

ନାରୀଜାତି ଆଗ ପଛ ନ କରୁ ବିଚାର

ପୁଣ୍ୟକୁ ଛାଡ଼ି ପାପରେ ହେଲୁ ଅଗ୍ରସର ।

ବିଶେଷେ ଷୋଡ଼ଶୀ ଆମ୍ଭ ଯଉବନ ଭାରି

ଯେ ଦିଏ ଆଶ୍ୱାସ ଆମ୍ଭେ ହେଉଛି ତାହାରି ।

ଏବେ ଆମ୍ଭ ବସନ କେ ନେଲା ଚୋରି କରି

ଉଲଗ୍ନେ ଆମ୍ଭେ କେମନ୍ତ ଯିବୁ ଗୃହେ ଫେରି ।

ଗୋପାଳେ ଏକ୍ଷଣି ବତ୍ସା ଘେନିଣ ଫେରିବେ

ଆମ୍ଭଙ୍କୁ ଉଲଗ୍ନ ଦେଖି କି ବୋଲି ବୋଲିବେ ।

ନନ୍ଦରାଜା ଦେଖିଲେ ଗୋପରୁ ତଡ଼ିଦେବ

କଂସ ରାଜା ଶୁଣିଲେ ତ ବାନ୍ଧି ଘେନିଯିବ ।

କୃଷ୍ଣ ଶୁଣିଲେ କି ଆଉ ଚାହିଁବେ ବଦନ

ଆରତେ ଡାକିଲେ ଗୋପୀ ରଖ ଭଗବାନ ।

ଅନ୍ତର୍ଯ୍ୟାମୀ କୃଷ୍ଣ ଗୋପୀଙ୍କର ମନ ଜାଣି

କଦମ୍ବ ଡାଳରେ ବସି କଲେ ବଂଶୀ ଧ୍ୱନି ।

ଚକିତ ହୋଇଲେ ଗୋପୀ ବଂଶୀ ଧ୍ୱନି ଶୁଣି

ଚାହିଁଲେ ନୀପମୂଳକୁ ସକଳ କାମିନୀ ।

ଦେଖିଲେ ବସନ ସବୁ ଅଛି ବୃକ୍ଷ ଡାଳେ

ଆନନ୍ଦେ ଦୋଳି ଖେଳନ୍ତି ତହିଁ ନନ୍ଦବାଳେ ।

ଦେଖି ଗୋପୀମାନେ ଅତି ଲଜ୍ଜାଭର ହୋଇ

ମନ୍ଦ ମନ୍ଦ ହସି ଜଳେ ପଶିଲେ ଯେ ଯାଇଁ ।

ଆକଣ୍ଠ ଜଳରେ ରହି ଚାହିଁଲେ ନିରେଖି

କଦମ୍ବ ବୃକ୍ଷରେ କୃଷ୍ଣ ଶାଢ଼ୀମାନ ରଖି ।

ଆନନ୍ଦ ମନରେ ତହିଁ ବସିଛନ୍ତି ସେହି

ରୂପକୁ ଯେ ପଟାନ୍ତର ତିନିପୁରେ ନାହିଁ ।

କୋଟିଏ କନ୍ଦର୍ପ ଜିଣି ତନୁ ଅଛି ବହି

ଗୋପାଙ୍ଗନା ଗଣକୁ କି ପକାଇବ ଦହି ।

ବିଚାରନ୍ତି ବାଳକ ଏ ଦିଶେ ଯୁବା ରୂପ

କି ଅବା ଆମ୍ଭରି ଆଜ ହରିବ ଏ ଦର୍ପ ।

ଏମନ୍ତ ବିଚାରି କୃଷ୍ଣ ରୂପକୁ ଅନାଇ

ବୋଲନ୍ତିରେ ଶାଢ଼ୀଚୋର ଯିବୁ ଆଜି କାହିଁ ।

ଶାଢ଼ୀ ଦିଅ ଆମ୍ଭର ତୁ ନ କର ଗୁମାନ

ବସନ ନ ଦେଲେ ତୋତେ କରିବୁ ବନ୍ଧନ ।

ଗୋପରେ ସରଲବଣୀ ଖାଉ ତୁ ଚୋରାଇ

ଏ କଥାକୁ ସେହି ପ୍ରାୟ ମଣିଲୁ କି ତୁହି ।

ଆଜି ତୋର ମାତା ଆଗେ କହିବୁରେ ଯାଇଁ

ତୋ ଚାଲାଖିପଣ ସବୁ ଦେବୁଟି ଛଡ଼ାଇ ।

ସବୁଦିନେ କରୁ ଚୋରି ତୁ ନନ୍ଦ ନନ୍ଦନ

ତୋହ ଯୋଗେ ଛାଡ଼ିଯିବୁ ଏ ଗୋପ ଭୁବନ ।

ଯାଇ ମଧୁପୁରେ କଂସ ରାଜାଙ୍କୁ କହିବୁ

ମାଡ଼ ମରାଇ ବସନେ ତୋତେ ବାନ୍ଧିନେବୁ ।

କହୁଛନ୍ତି କୃଷ୍ଣ ଶୁଣି ଗୋପିଙ୍କ ବଚନ

ବିନା ଦୋଷେ ମୋତେ କିମ୍ପା କରିବ ବନ୍ଧନ ।

ବୋଇଲେ ତ ମୋତେ ବସନରେ ବାନ୍ଧିନେବ

ଅନେକ ପ୍ରକାରେ ମାଡ଼ ଆଜ ମରାଇବ ।

ଗୋପପୁରରୁ ଏକ୍ଷଣି ଆସିଲି ଗୋ ସଖୀ

ମୋ ପିତା କି ମାତା ନାହାନ୍ତି ଗୋ ମୋତେ ଦେଖି

ତୁମ୍ଭ କହିଲା କଥାକୁ ସେ ଯିବେ କି ପରତେ

ଏକ୍ଷଣି ଆସିଲି ମୁହିଁ ଅଛନ୍ତି ସମସ୍ତେ ।

ନିତି ଆସି ମୁଁ କଦମ୍ବ ଶାଖାରେ ବସଇ

କେ ରଖିଲା ଶାଢ଼ୀ ଏଥେ ମୁଁ ତ ଦେଖି ନାହିଁ ।

କଂସ ରାଜା ଆଗେ ତୁମ୍ଭେ ଯେବେ ଗୋ କହିବ

ତୁମ କଥା ସତକରି ସେ କି ଧରିନେବ ।

ସୋଦର ଭଣଜା ତାର ଅଟଇ ଯେ ମୁହିଁ

ଜନମ ଦିନରୁ ମାମୁଁ ମୋ ଚିନ୍ତା କରଇ ।

ଦେଖିଛଟିକି ସେଦିନ ନୟନେ ତୁମ୍ଭର

ଯହୁଁ ଶୁଣିଲାଟି ମାମୁଁ ଜନମ ମୋହର ।

ମାଉସୀ ପୁତନାକୁ ସେ ଦେଲା ପଠିଆଇ

ଅନ୍ତୁଡ଼ିଶାଳରେ ମୋତେ ଦେଖିବାର ପାଇଁ ।

କୋଳେ ଧରି ମୋତେ କ୍ଷୀରପାନ କରାଇଲା

କ୍ଷୀର ପିଉ ପିଉ ମୋର ମାଉସୀଟି ମଲା ।

ଶୁଣିଲା ମରଣ ତାର ଯହୁଁ ମାମୁଁ ମୋର

ମୋତେ ଦେଖିବାକୁ ପୁଣି ପଠାଇଲା ଚାର ।

ଶଣ୍ଢା ଶକଟା ଯେ ବକା ଅଘା ଆଦି ଯେତେ

ସର୍ପ ଅଜଗର ତୃଣା ଯାମଳା ସହିତେ ।

ଦେଖିଲ ସେମାନେ ଆସି ମଲେଟି ଜୀବନେ

ଏକଥାମାନ କି ପଡ଼ି ନଥିବ ତା କର୍ଣ୍ଣେ ।

ତୁମ୍ଭ କଥାକୁ ସେ ସତ କରିବେ କିମ୍ପାଇଁ

ମୁଁ ତ ଗଲେ ମୋତେ ସୁଦ୍ଧା ଧରିନେବ ନାହିଁ ।

ଗୋଟିଏ ମାତ୍ର ଭଣଜା ମୁଁ ତାର ଅଟଇ

ମୋହଠାରୁ ମାମୁଁ ସ୍ନେହ ଛାଡ଼ିବେ ଗୋ ନାହିଁ ।

ବୋଲିବି ହେ ମାମୁଁ ଗୋପୀ ଅନାଚାର କଲେ

ଉଲଗ୍ନ ହୋଇ କାଳିନ୍ଦୀ ଜଳରେ ପଶିଲେ ।

ମୋତେ ବୋଲନ୍ତି ଚୋରାଇ ନେଲୁ ଶାଢ଼ୀ ତୁହି

କେମନ୍ତେ ଗୋପୀ ପାଲଟା ବୋହିଲଇ ମୁହିଁ

ଏହିରୂପେ କହିବି ମୁଁ ମାମୁଁର ଆଗରେ

ତା ଶୁଣି ତୁମ୍ଭଙ୍କୁ ସେ କି ରଖିବେ ଏ ପୁରେ ।

ଶାଢ଼ୀ ନେଇ କେ କଦମ୍ବ ଡାଳରେ ବାନ୍ଧିଲା

ନ ଦେଖିଲ କେହି ତୁମ୍ଭେ ସେ କେଣିକି ଗଲା ।

ମୋତେ କଦମ୍ବ ବୃକ୍ଷରେ ଦେଖିଲ ନୟନେ

ଭଲା ଶାଢ଼ୀଚୋର ବୋଲୁଅଛ ତୁମ୍ଭେମାନେ ।

ଯାଉଛି ମୁଁ ମାମୁଁ ଆଗେ ଏମନ୍ତ କହିବି

ଗୋପାଳଙ୍କୁ କହି ବହୁ ମାଡ଼ ମରାଇବି ।

କୃଷ୍ଣର ମୁଖୁଁ ଏମନ୍ତ ଶୁଣି ଗୋପୀମାନେ

ଜଳର ମଧ୍ୟରେ ଥାଇ ବିଚାରନ୍ତି ମନେ ।

କଥା କହିବାରୁ କୃଷ୍ଣ ମନେ ହେଲେ ରୁଷ୍ଟ

ବାଳୁତ ନନ୍ଦନ ସିନା ଅଟେ ବଡ଼ ଦୁଷ୍ଟ ।

ଏ ସମୟେ ଚନ୍ଦ୍ରରେଖା ନାମେ ଏକ ଗୋଈ

କୃଷ୍ଣ ମନ ମୋହିବାକୁ ଚାଟୁବାକ୍ୟ କହି ।

ବୋଇଲା ହେ କୃଷ୍ଣ ଦେଲେ ଆମ୍ଭରି ବସନ

କାଖକରି ନେବୁ ତୋତେ ଆମ୍ଭରି ସଦନ ।

ଆଦରେ ତୋତେ ଲବଣୀ ଦଧି ଭୁଞ୍ଜାଇବୁ

ରତନ ପଲଙ୍କେ ଧରି ଶୟନ କରିବୁ ।

ଏମାନ କିଛି ଯଶୋଦା ଆଗେ ନ କହିବୁ

ତୁ ଯାହା ମାଗିବୁ ତୋତେ ତାହା ଆଣିଦେବୁ ।

ଆମ୍ଭ ଯଉବନ ତୁମ୍ଭେ ସୁଖେ ଭୋଗକର

ଆଜୁ ଗୋପୀମାନେ ହେଲୁ ତୋହର କିଙ୍କର ।

ଯଉବନ ମଦେ ମତ୍ତ ସକଳେ ହୋଇଲୁ

ଉଲଗ୍ନ ହୋଇ କାଳିନ୍ଦୀ ଜଳରେ ପଶିଲୁ ।

ନାରୀଜାତି ଆମ୍ଭେ ପାପ ପୁଣ୍ୟ ନ ବିଚାରୁ

ମତ୍ତଗର୍ବେ ମାତି କୁଳଧର୍ମ ତ୍ୟାଗ କରୁ ।

ପତିପୁତ୍ର ଛାଡ଼ି ଆମେ ପର ପ୍ରେମେ ପଡ଼ି

ଅବଶେଷେ କଳଙ୍କ ସାଗରେ ମରୁ ବୁଡ଼ି ।

ତୁ ଯଶୋଦା ସୁତ ଆମ୍ଭେ ଗୋପାଳ ଘରଣୀ

ତୋତେ ତ ଦେଖି ନ ଛୁଉଁ ଆମ୍ଭେ ଅନ୍ନପାଣି ।

ଜୀବନ ପରାୟେ ତୋତେ ମଣୁ ଗୋପୀମାନେ

ଚିନ୍ତି ତୋର ରୂପ ରାତ୍ରେ ଦେଖୁଟି ସ୍ୱପନେ ।

ଏବେ ଆମ୍ଭ ଯଉବନ ଭୋଗକର ତୁହି

ତୋ ପାଇଁ ଜାତ ହୋଇଚୁ ଆମ୍ଭେ ଗୋପଗୋଈ ।

ଆଜି ଗୋପୀମାନେ ହର ଗଉରୀ ସେବିଲୁ

ସେ ପ୍ରସନ୍ନେ ଦେଲେ ବର ତୁମ୍ଭଙ୍କୁ ପାଇଲୁ ।

ନ ଟଳିଲା ଶିବ ଉମା ବର ଦେଲେ ଯାହା

ପ୍ରତ୍ୟକ୍ଷେ ଆମ୍ଭଙ୍କୁ ଲାଭ ହୋଇଲାକ ତାହା ।

ଆମ୍ଭର ମହତ୍ତ୍ୱ ଆଜି ରଖ ପୀତବାସ

ନିଶ୍ଚୟ ମରିବୁ ଯେବେ ନ ଦେବଟି ବାସ ।

ଲଜ୍ଜାଭରେ ମୁଖ ପୋତି ରାଧିକା କହନ୍ତି

ମନ୍ଦେ ହସି କୃଷ୍ଣ ମୁଖ ଚାହିଁ କୁନ୍ଦଦନ୍ତି ।

ଗୋପୀକୁଳେ ମାରି ତୁମ୍ଭେ ଅର୍ଜ୍ଜିବ କି ଯଶ

ଜୀବନ ଧରି କି ଆଉ ଯିବୁ ନିଜ ବାସ ।

ଗୋପାଳେ ଏକ୍ଷଣି ବତ୍ସା ଘେନିଣ ଫେରିବେ

ଆମ୍ଭମାନଙ୍କୁ ଦେଖିଲେ କି ବୋଲି ବୋଲିବେ ।

ହେ ନନ୍ଦ କହ୍ନାଇ କିମ୍ପା କର ବିଡ଼ମ୍ବନା

ଗୋପୀମାନେ ନେଲୁ ତୁମ୍ଭ ଚରଣେ ଶରଣ ।

ଦିଅ ଦିଅ ଆମ୍ଭ ଶାଢ଼ୀ ଆହେ ବନମାଳୀ

ପଦ୍ମ କଣ୍ଟା ଲାଗି ଦେହ ଯାଉଅଛି ଜଳି ।

ଆମ୍ଭ ଜାନୁ ଯଉବନ ହେଲା ଛିନ୍ନଭିନ୍ନ

କୂଳକୁ ଗଲେ ଆପଣ ଦେଖିବେ ନୟନ ।

କୋମଳତା ହେତୁ ମତ୍ସ୍ୟ କଚ୍ଛପ ଭକ୍ଷନ୍ତି

ଲାଜ ଭୟେ କୂଳେ ଉଠି ନ ଯାଉ ଯୁବତୀ ।

କେତେ ଦୁଃଖ ଆଉ ଆମ୍ଭେ ଜଳରେ ସହିବୁ

ନ ଦେଲେ ଶାଢ଼ୀ ଆମ୍ଭର ନିଶ୍ଚୟ ମରିବୁ ।

ଦନ୍ତେ ତୃଣ ଧରି କହୁଅଛୁ ଗୋପଗୋଈ

ଯାହା ମାଗିବ ଆମ୍ଭଙ୍କୁ ତା ଦେବୁ କହ୍ନାଇ ।

ଆମ୍ଭର ମାଗୁଣି ତୁମ୍ଭେ ଘେନ ନନ୍ଦବଳା

ନ ଦେଲେ ଶାଢ଼ୀ ଆମ୍ଭର ମହତ୍ତ୍ୱ ସରିଲା ।

ଶାଢ଼ୀ ଦିଅ ଆମ୍ଭର ହେ ବିଳମ୍ବ ନ କର

ହସନ୍ତି ରାଧା ବଚନ ଶୁଣି ଦାମୋଦର ।

ବୋଇଲେ ରାଧିକା ତୁମ୍ଭେ ପଦ୍ମବନୁ ଜାତ

ପଦ୍ମକଣ୍ଟା ତୁମ୍ଭଙ୍କୁ କେମନ୍ତେ କରେ ହତ ।

କନ୍ୟାକୁ କେମନ୍ତେ ମାତା କରିବ ଗୋ ନାଶ

ଏମନ୍ତ କହି ଶ୍ରୀକୃଷ୍ଣ ହେଲେ ହସ ହସ ।

ପୁଣି ରାଧା ମୁଖ ଚାହିଁ କହନ୍ତି କହ୍ନାଇ

କଥାଏ କହିବି ତୁମ୍ଭେ ଶୁଣ ଆଗ ଗୋଈ ।

ତୁମ୍ଭେ ସର୍ବ ଗୋପବାଳା ଅଧର୍ମ ଗୋ କଲ

ଉଲଗ୍ନ ହୋଇ କାଳିନ୍ଦୀ ମଧ୍ୟରେ ପଶିଲ ।

ଏ କାଳିନ୍ଦୀ ଅଟେ ସର୍ବ ତୀର୍ଥ ମଧ୍ୟେ ସାର

ଏହାର ଜଳେ ଶ୍ରୀବିଷ୍ଣୁ କରନ୍ତି ବିହାର ।

ଉଲଗ୍ନ ପଶିଲେ ଯହୁଁ ତୀର୍ଥ ଗଲା ନାଶ

ଉଲଗ୍ନ ପଶିଲେ ଜଳେ ଲାଗେ ବହୁ ଦୋଷ ।

ତେଣୁକରି ପାପ ହେଲା ତୁମ୍ଭର ବହୁତ

ଏ ପାପରୁ ହେବ ତୁମ୍ଭେ ସର୍ପକୁଳେ ଜାତ ।

ଅଧର୍ମ କଲେ ଶମନ ଦଣ୍ଡିବରେ ସହୀ

ପାରିବ ଯେବେ କଥାଏ କର ସର୍ବ ଗୋଈ ।

ଏକାବେଳେ ହୁଅ ସର୍ବେ ଜଳରୁ ବାହାର

ବେନିକର ଯୋଡ଼ି ଧର୍ମେ କର ନମସ୍କାର ।

ତେଣୁ ତୁମେମାନେ ସିନା ପାପୁ ହେବ ପାରି

ଏହାଠାରୁ ବଳି ପାପ ନାହିଁ ଗୋ ସୁନ୍ଦରୀ ।

ମୁଁ ଯାହା ଆସିଲି ଏଥେ ମୂଢ଼ପଣ କଲି

ତୁମ୍ଭ ପାପ କର୍ମ ସବୁ ନୟନେ ଦେଖିଲି ।

ତୁମ୍ଭ ଯୋଗୁ ଆଜି ପାପୀ ହୋଇଲି ଗୋ ମୁହିଁ

ମୁଁ କହିବା କଥା ତୁମ୍ଭେ କର ଗୋପ ଗୋଈ ।

ଶାଢ଼ୀ ଦେବି ମାନିଲେ ଗୋ ବଚନ ମୋହର

ନତୁବା ଜଳରେ ଥାଅ ଦୋଷ ନାହିଁ ମୋର ।

ନ ଜାଣେ ଶାଢ଼ୀ କେମନ୍ତେ ଅଛି ବନ୍ଧାହୋଇ

ପାଲଟା ବସନ କିମ୍ପା ଛୁଇଁବି ଗୋ ମୁହିଁ ।

ଗୋପପୁର ନାରୀମାନେ ଯେବେଗୋ ଶୁଣିବେ

ତୁମ୍ଭମାନଙ୍କୁ ବହୁତ ଭର୍ତ୍ସନା କରିବେ ।

ଏ ବଚନ କୃଷ୍ଣ ମୁଖୁ ଗୋପୀମାନେ ଶୁଣି

ବଜ୍ରପାତ ହେଲା ପ୍ରାୟ ମଣିଲେ ତରୁଣୀ ।

କ୍ଷଣକେ ଚକିତ ହୋଇ ଭାବନ୍ତି ମନର

ଦେଖିଲେ ଶ୍ରୀକୃଷ୍ଣ ଆମ ମଦନ ଭଣ୍ଡାର ।

ନିଶ୍ଚୟ ମରଣ ହେଲା ଆମ୍ଭଙ୍କୁ ଗୋ ସହୀ

ତାଙ୍କ କଥା ନ କଲେ ତ ଶାଢ଼ୀ ଦେବେ ନାହିଁ ।

ପୁଣ ଗୋପୀ ଏକ ତହିଁ ବୋଇଲା ଗୋ ଶୁଣ

କିମ୍ପାଇ ଡରୁଛ ଶୁଣି ଶ୍ରୀକୃଷ୍ଣ ବଚନ ।

ଆଜି ଗୋ ବର ଆମ୍ଭଙ୍କୁ ଦେଲେ ଉମାସାଇଁ

ସେ କଥା ବିଧାତା ଆଣି ଦେଲାକ ଘଟାଇ ।

ଏମନ୍ତ ବିଚାର କରି ନବାଙ୍ଗନାଗଣ

ମୁଖ ପୋତି କାଳିନ୍ଦୀରୁ ବାହାର ତକ୍ଷଣ ।

ମନ୍ଦ ମନ୍ଦ ହସି ବାଙ୍କେ କୃଷ୍ଣଙ୍କୁ ଅନାଇ

କଦମ୍ବ ତରୁର ତଳେ ଉଭାହେଲେ ଗୋଈ ।

ବାମକରେ ଆଚ୍ଛାଦିଲେ ମଦନ ଭଣ୍ଡାର

ଦକ୍ଷିଣ ହସ୍ତକୁ ନେଇ ଦେଲେ ମସ୍ତକର ।

ବୋଲନ୍ତି ହେ କୃଷ୍ଣଚନ୍ଦ୍ର ଆମ୍ଭ ଶାଢ଼ୀ ଦିଅ

ଜଳରେ ବୁଡ଼ି ଆମ୍ଭର କମ୍ପୁଅଛି ଦେହ ।

ଶ୍ରୀକୃଷ୍ଣ ବୋଲନ୍ତି ସଖୀ ହୋଇଲ କି ବାଇ

ବେନିକର ନ ଯୋଡ଼ିଲେ ପ୍ରଣାମ ନୁହଇ ।

ପ୍ରଣାମ ନ କଲେ ପାପ ନ ଛାଡ଼ିବ କେବେ

ବୁଝାଇ କହିଲେ କିମ୍ପା ନ ବୁଝ ଗୋ ତୁମ୍ଭେ ।

ନମସ୍କାର ନ କଲେ ମୁଁ ନ ଦେବି ବସନ

କେମନ୍ତେ ମୁଁ ତୁମ୍ଭ ପାପ କରିବି ଗୋପନ ।

ଏ କଥା ଯେବେ ତୁମ୍ଭର କହିବି ମୁଁ ଆନେ

କୁଳରୁ ବାହାର ତୁମ୍ଭେ ହେବ ଗୋପୀମାନେ ।

ପାପୀଠାରୁ ପାପ କଥା ଯେ ଶୁଣେ କର୍ଣ୍ଣରେ

ସେ ପାପ ସେ ନିଜେ ଭୋଗ କରଇ ଶରୀରେ

ଏଣୁକରି ନ ଦେଖିବ ପାପକୁ ନୟନେ

ପାପ କଥାମାନ କେବେ ନ ଶୁଣିବ କର୍ଣ୍ଣେ ।

ଦୂରୁ ଶୁଣିଲେ ଧର୍ମକୁ ମନେ ସୁମରିବ

ତେବେ ସିନା ସେ ପାପରୁ ନିସ୍ତାର ପାଇବ ।

ଅବୁଝା ଜାତି ତ ତୁମ୍ଭେ ସହଜେ ଅବଳା

ଯାହା କଲେ ଯାନ୍ତା ପାପ ତହିଁ କର ହେଳା ।

କୃଷ୍ଣର ବଚନେ ଗୋପୀ ହେଲେ କୁହାକୁହି

ଏତ ଅବୁଝା କହିଲେ କେଭେ ନ ଶୁଣଇ ।

ଜାଣିଲୁ ଗୋପିନୀ କୁଳ ନାଶିବାର ପାଇଁ

କୃଷ୍ଣ ରୂପେ ଜନମ ଲଭିଲା ଗୋପେ ଏହି ।

ଏଥିରୁ ଅଧିକ ଆଉ ଅଛି କି ମହତ

ହଟିଆ ନାଗର ହଟ ଜାଣଇ ବହୁତ ।

ଦେଖୁ ଏବେ ଯଉବନ ମଦନ ଭଣ୍ଡାର

ସନ୍ତୋଷ ମନରେ ଏବେ ଭୋଗ କରୁ ତାର ।

ଯେତେହେଲେ ଗୋପୀଗଣ ଅଟଇ ତାହାର

ଏଥିକି ମନରେ କିଛି ନ କର ବିଚାର ।

ଯେଉଁ କୃଷ୍ଣ ପାଇଁ ଚିନ୍ତା ରଜନୀ ଦିବସ

ଦିନେ ନ ଦେଖିଲେ ସବୁକଥା ମଣୁ ବିଷ ।

ଶାଶୁ ନଣନ୍ଦ ମୁଖରୁ କଟୁ ଭାଷା ସହୁ

ଅପକୀରତି ବାଜଣା ଦାଣ୍ଡରେ ବଜାଉ ।

ଗୋପାଳେ କରନ୍ତି ପ୍ରତିଦିନ ବଡ଼ ଗୋଳ

ସେ ଦୂଷଣ ଭାଷା ଆଜି ହୋଇଛି ସଫଳ ।

ଏମନ୍ତ ବିଚାରି ଗୋପୀ ଚାହିଁ କୃଷ୍ଣ ମୁଖ

ଡାକନ୍ତି ଆମ୍ଭ ମହତ ରଖ ପଦ୍ମ ମୁଖ ।

ଧର୍ମାଧର୍ମ ପାପ ପୁଣ୍ୟ ଆମ୍ଭେ ଯେ ନ ଜାଣୁ

ମାତା ପିତା ପତି ପୁତ୍ର ବୋଲି ତୋତେ ମଣୁ ।

ନ ଜାଣୁ ଗୁରୁଗୌରବ ଦେବତା ବ୍ରାହ୍ମଣ

ଯେ ଦିନୁ ତୋ ପାଦେ ଆମ୍ଭେ ପଶିଲୁ ଶରଣ

ଏତେ ବୋଲି ବେନିକର ମସ୍ତକରେ ଦେଲେ

କଦମ୍ବ ବୃକ୍ଷରେ ଥାଇ କୃଷ୍ଣ ତା ଦେଖିଲେ

ମନ୍ଦ ମନ୍ଦ ହସି କୃଷ୍ଣ ବୋଲନ୍ତି ବଚନ

ଆସ ଗୋପୀମାନେ ନିଅ ଯେ ଯାହା ବସନ

ଧନ୍ୟ ଧନ୍ୟ ଅଟନ୍ତି ସେ ବରଜ ତରୁଣୀ

ବ୍ରହ୍ମାଣ୍ଡ ନାଥଙ୍କୁ ବଶ କଲେ ପ୍ରେମେ ଜିଣି ।

ଯାର ପାଦପଦ୍ମ ଚିହ୍ନ ନ ପାଏ ତ୍ରିଶୂଳୀ

ତାହାକୁ ପ୍ରେମେ ବନ୍ଧନ କଲେ ଗୋପବାଳୀ ।

ଇଙ୍ଗିତ ମାତ୍ରକେ ଯେହୁ ବ୍ରହ୍ମାଣ୍ଡ ସୃଜିଲେ

ସେ ପୁଣି ଗୋପୀ ପାଲଟା ହସ୍ତେ ଫିଟାଇଲେ ।

କୃଷ୍ଣ ବୋଲନ୍ତି ଗୋ ବେଗେ ନିଅ ଶାଢ଼ୀ ଚିହ୍ନି

ଜାଣିଲି ନିଷ୍ପାପ ତୁମ୍ଭେ ଅଟ ଗୋ ଗୋପିନୀ ।

ଏ ବଚନ ଶୁଣି ଗୋପୀ ନୀପମୂଳେ ଗଲେ

ଲଜ୍ଜାଭରେ କୃଷ୍ଣମୁଖ ଚାହିଁ ନ ପାରିଲେ ।

ମୁଖପୋତି ହସନ୍ତି ସେ ବଜ୍ରଙ୍ଗନାଗଣ

କଟାକ୍ଷେ ଚାହାନ୍ତେ କୃଷ୍ଣ ହୋଇଲେ ଅଜ୍ଞାନ ।

ପଞ୍ଚଶରେ ଗୋପୀ ଅଙ୍ଗ ହୋଇଲା ପୀଡ଼ିତ

ଭାଷିଲା କୋକିଳ ସ୍ୱନ ହେଲେ ଉତ୍କଣ୍ଠିତ ।

ଲୋହିତ ବର୍ଣ୍ଣ ନୟନ ନ ପାରନ୍ତି ଚାହିଁ

ରମ୍ଭାତରୁ ପ୍ରାୟ ଜାନୁ ଯୁଗଳ କମ୍ପଇ ।

ନ ଚଳେ ଚରଣ ବେନି ଅଙ୍ଗ ସ୍ତମ୍ଭୀଭୂତ

ଚାହୁଁ ଚାହୁଁ ରୋମାବଳୀ ହେଲେ ପୁଲକିତ ।

ଗୋପୀମାନଙ୍କର ମନ ଶ୍ରୀକୃଷ୍ଣ ଜାଣିଲେ

ଶ୍ରୀହସ୍ତେ ଗୋପୀ ପାଲଟାବାସ ଫିଟାଇଲେ ।

ବ୍ରହ୍ମାଣ୍ଡ ହୁଅଇ ଚଳାଚଳ ଯା ଇଚ୍ଛାରେ

ସେ କୃଷ୍ଣ ବଶ ହୋଇଲେ ଗୋପୀଙ୍କ ପ୍ରେମରେ ।

ନିଜେ ସେ ପାଲଟା ଶାଢ଼ୀ ହସ୍ତେ ଫିଟାଇଲେ

ଯେ ଯାହାର ଶାଢ଼ୀ ଚିହ୍ନି ନିଅ ଗୋ ବୋଇଲେ ।

ଜଣେ ଜଣେ ନାମଧରି ଗୋପୀଙ୍କି ଡାକିଲେ

କୃଷ୍ଣ ଡାକ ଶୁଣି ଗୋପୀ ଆନନ୍ଦେ ଧାଇଁଲେ ।

ଶ୍ରୀକୃଷ୍ଣ ଡାକିଲେ ଯହୁଁ ଗୋପୀନାମ ଧରି

ତହୁଁ ଗୋପୀମାନେ ଲାଜ ଭୟ ଦୂର କରି ।

ଯେଉଁ ଡାଳେ ଥିଲେ କୃଷ୍ଣ ଶାଢ଼ୀ ଧରି କରେ

ଆସିଣ ମିଳିଲେ ଗୋପୀ ସେ ଡାଳ ତଳରେ

ଏକାବେଳେ ଡାକ ଯେ ଡାକିଲେ ଗୋପୀଗଣ

ଦିଅ ଦିଅ ଆମ୍ଭ ଶାଢ଼ୀ ହେ ନନ୍ଦନନ୍ଦନ ।

ବେନି ହସ୍ତ ଟେକି ଗୋପୀ ଶାଢ଼ୀ ଯେ ମାଗନ୍ତି

କାମଶରେ ତ୍ରସ୍ତ ହୋଇ କିଛି ନ ଜାଣନ୍ତି ।

ହସ୍ତଟେକି ଗୋପୀ ଯହୁଁ ମାଗିଲେ ବସନ

ଆନନ୍ଦିତ ହେଲେ କୃଷ୍ଣ ଦେଖି ଯଉବନ ।

କୃଷ୍ଣ ମାୟା କଲେ ଗୋପୀ ଜାଣି ନ ପାରିଲେ

ଏକାବେଳେ ସମସ୍ତଙ୍କ ହସ୍ତେ ଶାଢ଼ୀ ଦେଲେ ।

ଯେ ଯାହା ଶାଢ଼ୀ ସବୁରି ହସ୍ତରେ ପଡ଼ିଲା

ଖଣ୍ଡିଏ ଶାଢ଼ୀ କାହାର ବଦଳ ନ ହେଲା ।

ଷୋଳ ସହସ୍ର ଗୋପିନୀ ହୋଇଥିଲେ ମେଳ

ଏକାବେଳେ ଶାଢ଼ୀ ତାଙ୍କୁଦେଲେ ନନ୍ଦବାଳ ।

ଆନନ୍ଦେ ଯେଯାହା ଶାଢ଼ୀ ପିନ୍ଧିଲେ ଗୋପିନୀ

ବୋଲେ ଲୀଳାବତୀ ଏବେ ଶୁଣଗୋ ସଜନୀ ।

ଲୀଳା କରିବା କଦମ୍ବମୂଳେ ଆମ୍ଭେ ଆଜ

ନାହିଁଟି ଆମ୍ଭର ଆଉ ଗୋପୁପୁରେ କାର୍ଯ୍ୟ ।

ଯାହା ଥିଲା ମନେ ତାହା ଦଇବ ଗୋ କଲା

ଶିବ ଯେଉଁ ବର ଦେଲେ ତାହା ଗୋ ହୋଇଲା ।

କାମଜ୍ୱରେ ଗୋପୀମାନେ ହୋଇଲେ ଆତୁର

ଡାକନ୍ତି ହେ କୃଷ୍ଣ ଏହି ତାପୁଁ ପାରି କର ।

ତୁମ୍ଭେ ନ ରଖିଲେ ଭାସିଗଲୁ କାମଜଳେ

ଶରଣ ପଶିଲୁ ଗୋପୀ ତବ ପାଦଦଳେ ।

ଗୋପୀଗଣ ତବ ଦାସୀ ଜନ୍ମେ ଜନ୍ମେ ସିନା

ନ ଜାଣୁ କି ନାଥ ଆମ୍ଭ ମନର ବେଦନା ।

ଯେବେ ଆମ୍ଭ ଯଉବନ ଭୋଗ ନ କରିବୁ

ନିଶ୍ଚେ ନାରୀହତ୍ୟା ଦୋଷ ଆଜି ତୁ ପାଇବୁ ।

ଏମନ୍ତ ବୋଲି ଶ୍ରୀକୃଷ୍ଣ ପାଦତଳେ ପଡ଼ି

ବିନୟ ଭାବେ ଗୋପିନୀ ବେନି କରଯୋଡ଼ି ।

 

ରାସଲୀଳା

ଗୋପୀଙ୍କର ମନ ଜାଣି କୃଷ୍ଣ ଦୟା କଲେ

କୋଟି କାମଜିଣା ଯୁବା ଶରୀର ବହିଲେ ।

ମାୟାଧର ପୁରୁଷ ମାୟା ସେ ଆରମ୍ଭିଲେ

ଗୋପୀକେ ଶ୍ରୀକୃଷ୍ଣ ରୂପ ଧାରଣ କରିଲେ ।

କଦମ୍ବମୂଳେ ବିହାର କଲେ ଦେବ ହରି

ନାନାରସେ ଗୋପୀଙ୍କ ହୃଦୟ କଲେ ଚୋରୀ ।

ଷୋଳସସ୍ର ଗୋପୀ ଘେନି ରଙ୍ଗେ କଲେ ରାସ

ପ୍ରତ୍ୟେକ ଭାବନ୍ତି ଏକା କୃଷ୍ଣ ମୋର ବଶ ।

ଚଉଷଠି ବନ୍ଧେ କୃଷ୍ଣ ଗୋପୀଙ୍କୁ ମୋହିଲେ

ସମସ୍ତଙ୍କ ଚିତ୍ତ ଏକା ପ୍ରାୟେ ତୋଷକଲେ ।

ରାସକ୍ରୀଡ଼ା ଅନ୍ତେ ଗୋପୀ କୃଷ୍ଣ ମୁଖ ଚାହିଁ

ଦେଖିଲେ ଅଛନ୍ତି କୃଷ୍ଣ ଏକା ଉଭା ହୋଇ ।

କୋଟିଏ କନ୍ଦର୍ପ ଜିଣି ତେଜ ବିରାଜଇ

ଦେଖି ଗୋପୀଙ୍କର ହୃଦେ ମୋହ ଜନମଇ ।

ପ୍ରୀତି ସାରି ଆନନ୍ଦେ ବୋଇଲେ ଗୋପୀମାନେ

ଆଜୁ ତୁମ୍ଭର ସେବକ ହେଲୁ ଆମ୍ଭେମାନେ ।

ଏମନ୍ତ ଭାବରେ ଗୋପୀ ଆତ୍ମା ସମର୍ପିଲେ

ତାଙ୍କର ଅନ୍ତର କୃଷ୍ଣ ପ୍ରେମେ ମିଶାଇଲେ ।

ଆହା କି ଆଶ୍ଚର୍ଯ୍ୟ ସେହୁ ଜଗତକରତା

ତ୍ରିଭୁବନ ଅଧିପତି ଯେ ବିଶ୍ଵନିୟନ୍ତା ।

ସ୍ଥାବର ଜଙ୍ଗମ କୀଟ ପତଙ୍ଗ ଯେପରି

ରହିଥାଏ ସମାନରେ ଶୂନ୍ୟରୂପ ଧରି ।

ଠୁଳ ଶୂନ୍ୟ ପରେ ବାସ ଅଟଇ ଯାହାର

ଯାହାର ମାୟା ବ୍ରହ୍ମା ଶିବଙ୍କୁ ଅଗୋଚର ।

ରୂପରେଖ ନାହିଁ ଯାର ନାହିଁ ଆଦି ଅନ୍ତ

ମର୍ତ୍ତ୍ୟରେ ଶ୍ରୀକୃଷ୍ଣ ନାମେ ଜନ୍ମିଛନ୍ତି ସେ ତ ।

ତାଙ୍କ ସଙ୍ଗେ ପ୍ରେମଭାବ ଆଚରଣ କଲେ

ଧନ୍ୟ ସେ ସୁକୃତ କହି ନୋହିବ ମୁଖରେ ।

ସେ କୃଷ୍ଣର ମାୟା ଗୋପୀ ଜାଣିବେ ବା କାହିଁ

ରଙ୍ଗରସେ ମଜ୍ଜିଲେ ତା ନ ହୋଇବ କହି ।

ଶ୍ରୀକୃଷ୍ଣ ଗୋପୀମାନଙ୍କୁ କହିଲେ ସତ୍ଵରେ

ଏବେ ତୁମ୍ଭେମାନେ ସର୍ବେ ଯାଅ ଯେଝା ଘରେ ।

କୃଷ୍ଣଙ୍କୁ ପ୍ରମାଣ କରି ଗୋପୀଏ ଚଳିଲେ

ନିଜ ନିଜ ଗୃହେ ଯାଇଁ ପ୍ରବେଶ ହୋଇଲେ ।

ଶୁକ କହୁଛନ୍ତି ଶୁଣ ପରୀକ୍ଷ ରାଜନ

ଚିତ୍ତବୋଧ ଗୀତ ଏ ଯେ ଅମୃତ ସମାନ ।

ଏହା ଶୁଣି ଶୁଣାଇବେ ମର୍ତ୍ତ୍ୟେ ଯେଉଁ ନର

ତାଠାରୁ ସୁକୃତବନ୍ତ ନାହିଁ ଏ ସଂସାର ।

ଯେ ପାଠ କରିବ ଏହି ଚିତ୍ତବୋଧ ଗୀତ

ନିଶ୍ଚୟ କହୁଛି ତାର ତୋଷ ହେବ ଚିତ୍ତ ।

ହରିବଂଶ ଭାଗବତ ମଧ୍ୟରେ ବର୍ଣ୍ଣନ

ରାସରେ ଶ୍ରୀରାଧା ନାମ ନାହିଁ କାହିଁ ଜାଣ ।

ଏ ଚିତ୍ତବୋଧ ଗୀତରେ ଶ୍ରୀରାସଲୀଳାରେ

ରାଧା ରହିଥିଲେ ବୋଲି ଜାଣି ସୁଜ୍ଞନରେ ।

ରାଧାକୃଷ୍ଣ ଚରଣରେ ଦେଇ ଚିତ୍ତବୃତ

ଅଚ୍ୟୁତ ଦାସ ଲିଖନ କଲା ଏହୁ ଗୀତ ।

 

ଶ୍ରୀକୃଷ୍ଣ ମାଧୁରୀ ରାଧାବେଶ

ଶୁକଦେବ କହନ୍ତି ଶୁଣ ହୋ ପରୀକ୍ଷିତ

ମାଧୁରୀ ରାଧା ଯେ ହୋଇଛନ୍ତି ଗୋପୀନାଥ ।

କାଞ୍ଚନ କୃଷ୍ଣଙ୍କୁ ଚାହିଁ ବୋଲନ୍ତି ବଚନ

ମଧୁପୁର ମୁଁ ଯେ ଆସିଥିଲି ସେହି ଦିନ ।

ମାତା ସଙ୍ଗେ ଲତା ତଳେ ଯାଇ ଦେଖୁଥିଲି

କୃଷ୍ଣ ଗୋପୀ ସେହି ଦିନ କଲେ ରାସକେଳି ।

ଆଉଦିନେ ମୋ ମାତା ଆସିଲେ ଗୋପପୁରେ

ଗୋଡ଼ାଇ ମୁଁ ଆସିଥିଲି ତାହାଙ୍କ ସଙ୍ଗରେ ।

ବୃଷଭାନୁ ପୁରେ ମାତା ପ୍ରବେଶ ହୋଇଲେ

ଚଞ୍ଚଳପୁରେ ମୋ ମାତା ରାଧାଙ୍କୁ ଦେଖିଲେ ।

ମୋତେ ଦେଖି ଚଞ୍ଚଳା ଯେ ଅତି ସ୍ନେହ କଲେ

ସେ ରାଧା ସଙ୍ଗରେ ମୋତେ ମିତ କରାଇଲେ ।

ବୋଇଲେ ମୋ ଦୁହିତାର ନାମ ରାଧା ଅଟେ

ତୋ ନାମ ମାଧୁରୀ ରାଧା ବୋଲିତ ପ୍ରକଟେ ।

ଏଣୁ ଦୁହେଁ ଆଜିଠାରୁ ମିତ ହେଲ ଜାଣ

ଦ୍ୱନ୍ଦ୍ୱ ନ କରିବ କେବେ ମାନି ମୋ ବଚନ ।

ମାୟା ନ ରଖିବ ହୃଦେ ଦୁହିଁଙ୍କରଠାରେ

ଏହି ରୂପେ ଦୁହିଁଙ୍କୁ ଯେ ବୁଝାଇ କହିଲେ ।

ସେହି ଦିନୁ ମୋର ସଙ୍ଗେ ଗୋପ ରାଧା ମିତ

ମିଛ ନ କହି ତୁମ୍ଭଙ୍କୁ କହିଲି ମୁଁ ସତ ।

ଅନେକ ଦିନରୁ ଦେଖି ନାହିଁ ମୁଁ ମିତକୁ

ଆଜି ଶରଧା ବଳିଲା ଆସିକି ଗୋପକୁ ।

ବହୁତ ଦିନ ହୋଇଲା ନ ଚିହ୍ନିବେ ମିତ

ଦେଖିଥିଲି ଷୋଳସସ୍ର ଗୋପୀଙ୍କ ସହିତ ।

ମିତକୁ ମୋ ଦେଖିଥିଲି ଥାଇଣ ଦୂରରେ

ଦେଇଥିଲେ ଚିହ୍ନାଇଟି ଜନନୀ ସେଠାରେ ।

ତୁମ୍ଭେ ବୋଲ ରାଧା ଆଜ ଦେଖିବଟି ନାହିଁ

କାଲି ମଥୁରାକୁ ଦଧି ବିକି ଯିବେ ରାଈ ।

ଏମନ୍ତ କହିଲେ କି ମୁଁ ଫେରିଯିବି ଆଜ

ଲୋକ ଅପବାଦ ଶୁଣି ପାଇବି ମୁଁ ଲାଜ ।

ମାଧୁରୀ ରାଧା ଏମନ୍ତ କହିଲେକ ଯହୁଁ

କୃଷ୍ଣ ବୋଲି ଚିହ୍ନିଲେ ମୋହନ ରାଧା ତହୁଁ ।

ବୋଇଲେ ମାଧୁରୀ ରାଧା ଏବେ ତୁମ୍ଭେ ଶୁଣ

ଯାହା ପଚାରିବି ମିଛ ନ କହିବ ପୁଣ ।

ମୋ ଆଗରେ ଯେବେ ମିଛ କହିବ ଗୋ ଜାଣ

ସର୍ପାଘାତେ କ୍ଷତ ହେବ ତୋ ବେନି ଚରଣ ।

ଆହୁରି କଥାଏ ସଖି ପଚାରିବି ତୋତେ

ମାୟା ନ କରିଣ ସତ କହିବୁଟି ମୋତେ ।

ବୋଇଲୁ ମାତା ସଙ୍ଗତେ ଗୋପେ ଆସିଥିଲି

କଦମ୍ବର ମୂଳେ ରାସଲୀଳା ମୁଁ ଦେଖିଲି ।

ଗୋପୀ ଗୋଟିକେ ଗୋବିନ୍ଦ ଗୋଟିଏ ହୋଇଲେ

ପ୍ରତ୍ୟକ୍ଷରେ ଦେଖିଲି ମୁଁ ଥାଇ ଲତା ତଳେ ।

ଏକଥା ତୋ ମୁଖୁ ଶୁଣି ହୋଇଲି ଚକିତ

କୃଷ୍ଣ ବା ଷୋଳସହସ୍ର ହୋଇଲେ କେମନ୍ତ ।

ମୁହିଁ ତ ସେଦିନ ସଖୀ କାଳିନ୍ଦୀରେ ଥିଲି

ତୁ ଯାହା କହୁଛୁ ମୁଁ ତ ତାହା ନ ଦେଖିଲି ।

ଷୋଳସହସ୍ର ଗୋପିକା ଥିଲେ ନୀପମୂଳେ

ଏକା କୃଷ୍ଣ ତହିଁ ଥିଲେ ଦେଖିଛି ମୁଁ ଡୋଳେ ।

ଗୋଟିଏ କୃଷ୍ଣ କେମନ୍ତେ ନାନା ରୂପ ହେଲେ

ମଥୁରା ନାୟିକା ମିଥ୍ୟା କହ ସବୁକାଳେ ।

ଶ୍ରବଣେ ମାଧୁରୀ ରାଧା କହୁଛି ବଚନ

ଗୋପାଳେ ନ କହ ସତ ଶୁଣ ଗୋ ମୋହନ

ଆହୁରି କଥା ଏ ତୁମ୍ଭେ ଶୁଣ ମନଦେଇ

ଦଇବ ସର୍ଜନା ଯାହା ଦେବେ ଅଛି କହି ।

ନାରୀ ଗୋଟିକୁ ପୁରୁଷ ଏକଗୋଟି ଜାତ

ଏମନ୍ତ କରି ବିଧାତା ସର୍ଜିଲା ଜଗତ ।

ତୁମ୍ଭେ ତ କହୁଛ ଗୋପୀ ଷୋଳସସ୍ର ଥିଲେ

ଏକା କୃଷ୍ଣ ତାହାକୁ ବା କେମନ୍ତେ ରମିଲେ ।

ଏହି କଥାମାନ ତ ତୁମ୍ଭର ଅଟେ ସତ

ଆମ୍ଭେ ତ ମଥୁରା ନାରୀ ମିଥ୍ୟା କହୁଁ ସତ୍ୟ ।

ତୁମ୍ଭର ଗୋପୀମାନେ ଯେ ଯେତେ ଛନ୍ତି ରହି

ପର ପୁରୁଷର ମୁଖ ନିମିଷେ ନ ଚାହିଁ ।

ମଥୁରାପୁରରେ ଥାଇ ଶୁଣ ତାଙ୍କ କଥା

କୃଷ୍ଣ ସଙ୍ଗେ ମାତିଥାନ୍ତି ସକଳ ବନିତା ।

ଶୁଣ ଏବେ କଥା ଏକ କହୁଅଛି ମୁହିଁ

ସକଳ ଘଟରେ କୃଷ୍ଣ ଅଛନ୍ତିଟି ରହି ।

ଯହିଁ କୃଷ୍ଣ ନାହିଁ ତହିଁ ନାହିଁଟି ବିହାର

ସ୍ଥାବର ଜଙ୍ଗମ କୀଟ ସବୁ କୃଷ୍ଣ ଘର ।

ଜନ୍ମଇ ଆପେ ଶ୍ରୀକୃଷ୍ଣ ପୁଣି ଗୋ ମରଇ

ପୁଣିହିଁ ଜନମ କରେ ମାୟାତନୁ ହୋଇ ।

ସ୍ଵର୍ଗ ମର୍ତ୍ତ୍ୟ ପାତାଳରେ କୃଷ୍ଣ ଅଛି ପୁରି

ଶୂନ୍ୟରେ କୃଷ୍ଣ ଶବଦେ ପଡୁଛି ଉଛୁଳି ।

ତୁମ୍ଭ ଦେହେ ମୋର ଦେହେ କୃଷ୍ଣ ଅଛି ରହି

ପର ବା ଅପର ତାର ଭିନ୍ନାଭିନ୍ନ ନାହିଁ ।

ତୁମ୍ଭେ ତ ବୋଇଲ ଏକା କୃଷ୍ଣ ନୁହେଁ ଆନ

ସେ କୃଷ୍ଣର ରୂପରେଖ ନୁହେଁ ଭିନ୍ନାଭିନ୍ନ ।

ଯହିଁ କୃଷ୍ଣ ନାହିଁ ତହିଁ ତିଳେ ଠାବ ନାହିଁ

ତୁମ୍ଭେ ତ ବୋଇଲ ଏକା ଗୋପେ ଛନ୍ତି ରହି ।

ଷୋଳସହସ୍ର ଗୋପୀଙ୍କ ଷୋଳସସ୍ର ହେଲେ

ତା ନହେଲେ ଗୋପୀଏକା ସଙ୍ଗେ ବିହରିଲେ ।

ମାଧୁରୀ ରାଧା ବୋଲନ୍ତି ଶୁଣ ହେ ମୋହନ

ଗୋପୀ ଗୋବିନ୍ଦ ନୁହନ୍ତି କେବେ ଭିନ୍ନାଭିନ୍ନ ।

ମାୟା ମୋହନ କହନ୍ତି ମାୟା ରାଧା ଆଗେ

ମୋହନ ମୁରଲୀ ମୁହିଁ ଆଣିଛି ଚୋରାଇ

ବୋଲୁଛି ଗୋପୀ ଗୋବିନ୍ଦ ଭିନ୍ନାଭିନ୍ନ ନାହିଁ ।

ଶ୍ରବଣେ ମାଧୁରୀ ରାଧା ବୋଲୁଛନ୍ତି ବାଣୀ

ଯହିଁ ଥାଇ କୃଷ୍ଣ ତହିଁ ଚାହାନ୍ତି ଗୋପିନୀ ।

କଦମ୍ବ ମୂଳରେ ତୁମ୍ଭେ ଅଛ ଏକା ହୋଇ

ଗୋପୀ କି ଗୋପାଳ ତୁମ୍ଭ ସଙ୍ଗେ ଜଣେ ନାହିଁ ।

ତେଣୁ ସିନା ମନେ ମୋର ହୋଇଲା ସଂଶୟ

ବୋଇଲି ମୁରଲୀ ତୋତେ କିଏ ଦେଲା କହ ।

ପୁଣି ବୋଲୁଅଛି କୃଷ୍ଣ ଅଟୁ ଯେବେ ତୁହି

କହ ତୁ ମୁରଲୀ ଜନ୍ମ ସଂଶୟ ଫିଟାଇ ।

ଏ ବଚନ ଶୁଣି ରାଧା ହେଲେ ନିରୁତ୍ତର

କୃଷ୍ଣ ବୋଲନ୍ତି ଏ ବେଶ ଛାଡ଼ ନାରୀବର ।

ଏବେ ମାୟା ଛାଡ଼ି ମୋତେ ଦେଖା ନିଜ ତେଜ

ରାଧା ରୂପ ଛାଡ଼ି କିମ୍ପା ଏ ମୋହନ ସଜ ।

ମାୟା ମୋହନ ବୋଲନ୍ତି ଶୁଣ ମାୟା ରାଧା

ତୁମ୍ଭେ କୃଷ୍ଣ ରାଧା ରୂପେ ବଳାଇଛ ଶ୍ରଦ୍ଧା ।

କୃଷ୍ଣ ରୂପ ଛାଡ଼ି କିମ୍ପା ରାଧା ରୂପ ହେଲେ

ନାରୀ ପୁଂସେ ଉଭୟରୁ ବାହାର ହୋଇଲେ ।

ପୁରୁଷକୁ ନାରୀ ବେଶ ନୁହଇଟି ଭଲ

ପୁରୁଷ ହୋଇ କିମ୍ପାଇ ନାରୀ ବେଶ ହେଲ ।

ପୁରୁଷ ହୋଇ ଯେ ନାରୀ ରୂପକୁ ଧରଇ

ନରନାରୀ ରୂପରେ ଯେ ଗଣନା ନୁହଇ ।

ନୁହଇ ସେ ନାରୀ ପୁଣି ନୁହଇ ପୁରୁଷ

ତୁମ୍ଭେ ତ ପୁରୁଷ କିମ୍ପା ହେଲ ନାରୀ ବେଶ

ଆମ୍ଭେ ନାରୀଜାତି ଯେବେ ନାନାରୂପ ବହୁ

ନାରୀଠାରୁ ଭିନ୍ନ ବୋଲି ଗଣନୀୟ ନୋହୁ ।

ଏବେ ରାଧା ରୂପକୁ ମୁଁ ଦେଖିଲି ତୁମ୍ଭର

ନିସ୍ତରିଲି ନିସ୍ତରିଲି ବ୍ରହ୍ମାଣ୍ଡ ଠାକୁର ।

ସେ ରୂପକୁ ଏବେ ତେଜ ମୋର ବୋଲ କର

ନିଜ ରୂପ ଧରି ଆସ କରିବା ବିହାର ।

ଶ୍ରବଣେ ମାଧୁରୀ ରାଧା ହୋଇଲେ ହରଷ

ବୋଇଲେ ତୋ ପାଇଁ ସିନା ଧରେ ନାନାବେଶ

ତୁ ଯେ ରାଧା ରୂପ ଗୁପ୍ତ କରିଅଛୁ ସହୀ

ଏ ମୋହର ବେଶ ତୋର ମୋହୁଅଛି ମହୀ ।

ଏବେ ତୁ ମୋହନ ବେଶ କର ଆଲିଙ୍ଗନ

ହସ ହସ ହୋଇ ରାଧା ବୋଲନ୍ତି ବଚନ ।

ରାଧା ରୂପ ତେଜି ତୁମ୍ଭେ କୃଷ୍ଣ ରୂପ ହୁଅ

ରାଧା ରୂପ ଦେଖିବାକୁ କର ଯେବେ ସ୍ନେହ ।

ଏବେ ମୋର ନିଜ ରୂପ ଦେଖ ବନମାଳୀ

ଶ୍ରୀକୃଷ୍ଣ ରୂପ ଦେଖିଣ କର ରସକେଳି ।

ଶ୍ରୀକୃଷ୍ଣ ବୋଇଲେ ସଖୀ ଏମନ୍ତ ନୁହଇ

ତୁମ୍ଭେ କୃଷ୍ଣ ରୂପେ ଥାଅ ମୁଁ ହୋଇବି ରାଈ ।

ତେବେ ସିନା ସୁଖେ ଆଜି ହେବ ରସକେଳି

ଶୁଣି ମନ୍ଦ ମନ୍ଦ ଯେ ହସନ୍ତି ବନମାଳୀ ।

ମନେ ବିଚାରନ୍ତି କୃଷ୍ଣ ରଙ୍ଗିଆ ଅଟନ୍ତି

ନାନା ରସବନ୍ଧେ ସେହୁ ଜାଣନ୍ତି ସୁରତି ।

ନାସ୍ତି କଲେ ମୋ କଥା କି ଘେନିବ କହ୍ନାଇ

ହଟିଆ ନାଗର ବଡ଼ ହଟ ସେ ଜାଣଇ ।

ଏମନ୍ତ ଭାବି କୃଷ୍ଣକୁ ଯାଇ କୋଳ କଲେ

କୃଷ୍ଣରୂପ ହୋଇଣ ଯେ କୃଷ୍ଣଙ୍କୁ ମୋହିଲେ ।

କଦମ୍ବ ମୂଳରେ କେଳି କଲେ ମତ୍ତ ହୋଇ

ରତି ରସରେ କାହାର ଦେହେ ଜ୍ଞାନ ନାହିଁ ।

ରତି ସାରି ନିଜ ରୂପ ଧଇଲେ କିଶୋରୀ

କୃଷ୍ଣହିଁ ତକ୍ଷଣେ ନିଜ ରୂପେ ବିଜେ କରି ।

କୃଷ୍ଣ କହିଲେ ଗୋ ରାଈ ଯାଅ ଗୋପପୁରେ

ନ କହିବ ଏମାନଟି ଗୋପୀଙ୍କ ଆଗରେ ।

ଏକା ହୋଇ ରାଧିକେ ଗୋ କେଭେ ନ ଆସିବ

କଦମ୍ବ ମୂଳରେ ଭୂତ ଦେହ ପ୍ରବେଶିବ ।

ତୁମ୍ଭଙ୍କୁ ଲାଗନ୍ତେ ଭୂତ ମୁଁ କଷ୍ଟ ପାଇଲି

କେତେ କଷ୍ଟ କରି ମୁଁ ସେ ତ ଭୂତ ଛଡ଼ାଇଲି ।

ଶ୍ରୀକୃଷ୍ଣ ବଚନେ ରାଧା ମନ୍ଦ ମନ୍ଦ ହସି

ଧୀରେ ଧୀରେ ଗୋପକୁ ଚଳିଲେ ନୀଳକେଶୀ ।

ରାଧା ଯିବା ଦେଖି କୃଷ୍ଣ ବୃନ୍ଦାବନେ ଗଲେ

ନ ଜାଣିଲେ କେହି କୃଷ୍ଣ ଯହୁଁ ମାୟା କଲେ ।

ଯହିଁ ଗୋପସୁତେ ଧେନୁ ବତ୍ସାକୁ ଚରାନ୍ତି

ସେହିଠାରେ ଯାଇଣ ମିଳିଲେ ଯଦୁପତି ।

ବୋଲନ୍ତି ବଳରାମଙ୍କୁ ଚାହିଁ ଚକ୍ରଧର

ଚାଲନ୍ତୁ ଗୋପକୁ ଯିବା ହେଲାଣି ଉଛୁର ।

ଏଠାରେ ବହୁତ ତୃଣ ଅଛି ଜାତ ହୋଇ

କାଲି ଏ ସ୍ଥାନକୁ ଗୋରୁ ଆଣିବା ଚରାଇ ।

କୃଷ୍ଣ ବାକ୍ୟେ ଗୋପାଳଙ୍କୁ ଡାକି ହଳଧର

ବୋଲନ୍ତି ଫେରାଅ ଧେନୁ ଯିବା ଗୋପପୁର ।

ଧେନୁ ଘେନି କୃଷ୍ଣଚନ୍ଦ୍ର ଗୋପେ ବାହୁଡ଼ିଲେ

ନାନାରଙ୍ଗେ ଚାଲନ୍ତି ମୁରଲୀ ଧରି କରେ ।

ଗୋରଜ ପଡ଼ିଣ ଅଙ୍ଗ ଦିଶଇ ସୁନ୍ଦର

ବୃନ୍ଦାବନୁ ବାହାର ହୋଇଲେ ବେଣୁଧର ।

 

ଚିତ୍ତବୋଧ ବା ଚିତ୍ତବିନୋଦ ପ୍ରଥମ ଭାଗ

ଅକ୍ରୂରକୁ ଦେଖି ଗୋପୀଙ୍କର ଭାବନା

ଶୁକ ମୁନି କହନ୍ତି ପରୀକ୍ଷ ରାଜ ପାଶ

ଗୋପକୁ ବାହୁଡ଼ି ରାଧା ହୋଇଲେ ହରଷ ।

ଦୂରୁଁ ଦେଖିଲେ ପଡ଼ଇ ଗୋପେ ହୁଳହୁଳି

ଗୋପୀଏ ଡାକନ୍ତି ରାଧା ଆସ ବେଗ କରି ।

ବୋଲନ୍ତି ମଧୁ ନଗରୁ ଆସିଅଛି ରଥ

ରଥ ଉପରେ ବସିଛି ସଫଳାର ସୁତ ।

କେ ବୋଲଇ କଂସଦୂତ ସେହି ତ ଅଟଇ

ରାଜା ଆଜ୍ଞ। ଧରି ରହୁବରେ ଅଛି ରହି ।

ଦ୍ଵାରୀକି କହିଲେ ସେତ ଗଲା ଅନ୍ତ ପୁରେ

କି ଜାଣି କି କହୁଅଛି ନନ୍ଦର ଛାମୁରେ ।

କେହୁ ବୋଲେ ରାଧା ଚାଲ ଅନ୍ତଃପୁରେ ଯିବା

କି କି କହୁଅଛି ଦ୍ଵାରୀ ତା ମୁଖୁଁ ଶୁଣିବା ।

ଏହା ଶୁଣିକରି ରାଧା ତହୁଁ ଚଳିଗଲେ

ଯହିଁ ଥିଲା ରହୁବର ସେଠାରେ ମିଳିଲେ ।

ମନେ ବିଚାରଇ ଦେଖି ଅକ୍ରୂରର ତେଜ

ନିଶ୍ଚେ ଗୋପରେ ପ୍ରମାଦ ପଡ଼ିଲାଟି ଆଜ ।

ବିଷ୍ଣୁ ତେଜ ପୁରିଅଛି ଅକ୍ରୂର ଶରୀରେ

ଦେଖିକରି ରାଈ ଢଳି ପଡ଼ିଲେ ଧରାରେ ।

ହାହାକାର କରି ଗୋପୀ ତୋଳିଣ ଧଇଲେ

ଶୀତଳ ଜଳ ନେଇଣ ମୁଖରେ ସିଞ୍ଚିଲେ ।

ଚେତନା ଲଭିଣ ରାଈ ଗୋପୀଙ୍କୁ ଅନାଇ

ବୋଇଲେ ଗୋ ରହୁବର ଆଣିଛି କିମ୍ପାଇ ।

ଲେଖା ଧରି ଆସିଛି ସେ କହ କି କି କଥା

ଦିଶଇ ସାକ୍ଷାତେ ଯଥା ସେ କାଳ ଦେବତା ।

କେଉଁ ଦେଶରୁ ଆସିଛି ଅବା କୃଷ୍ଣ ଦେଖି

କି ଅବା ଗୋପକୁ କଂସ ଡଗର ପେଶିଛି ।

ରାଧାର ମୁଖୁଁ ଏମନ୍ତ ଶୁଣି ଗୋପୀଗଣ

ବୋଲନ୍ତି ଏ କଂସଦୂତ ସଫଳାନନ୍ଦନ ।

ଧନୁ ଉତ୍ସବ ଯାତ୍ରା ସେ ଭିଆଇଛି କଂସ

ବରଣ କରିଛି ନାନା ଦେଶର ନରେଶ ।

ଗୋପପୁରୁଁ ନେବ ଆଜ କୃଷ୍ଣ ହଳଧର

କଂସର ଲେଖା ଧରିଛି ଦେଖ ଗୋ ଅକ୍ରୂର ।

ନନ୍ଦ ଆଗରେ କହିଲା ଦ୍ୱାରୀ ବେଗେ ଯାଇଁ

ଶୁଣି ନନ୍ଦ ହତଜ୍ଞାନେ ଅବନୀ ଲୋଟଇ ।

ଅନ୍ତଃପୁର ଦାସୀମାନେ ହାହାରାବ କରି

ବଞ୍ଚେ କି ଯଶୋଦା ଆଉ ନନ୍ଦରାଜା ନାରୀ ।

କ୍ଷଣକେ ମଉନ ହୋଇ ରାଧିକା ରହିଲେ

ପୁଣି ଗୋପୀମାନଙ୍କୁ ସେ କହନ୍ତି ବିକଳେ ।

ଆଗୋ ସଖୀ କୃଷ୍ଣ ଯେବେ ମଥୁରାକୁ ଯିବେ

କି କରିବେ ଗୋପପୁରେ ଗୋପୀମାନେ ତେବେ ।

କୃଷ୍ଣ ଦେଖୁ ଦେଖୁ ଚାଲ ସର୍ବସଖୀ ଯିବା

ପ୍ରଚଣ୍ଡ ଅନଳ ଜାଳି ତହିଁରେ ପଶିବା ।

ଯେବେ ଅନଳ ଆମ୍ଭଙ୍କୁ ନ କରିବ ନାଶ

ଗଙ୍ଗାସାଗରରେ ତେବେ ସର୍ବେ ଦେବା ଝାସ ।

ତେବେ ଝାସିବା ଗୋ ଗଙ୍ଗାସାଗରରେ ଯାଇଁ

କାମନା କରିବା ଏହା ସର୍ବେ ଗୋପଗୋଈ ।

ବୋଲିବା ଗୋ ସୁରେଶ୍ୱରୀ ଏହି ଦୟା କର

ଜନ୍ମେ ଜନ୍ମେ ପତି ହେବ ନନ୍ଦର କୁମର ।

ତାଙ୍କ ପାଦତଳେ ସେବା କରୁଥିବୁ ଆମ୍ଭେ

କୃଷ୍ଣ ବିନୁ ଅନ୍ୟ ନ ମାଗିବା ତାଙ୍କ ଆଗେ ।

ସେହି ଫଳେ ଆର ଜନ୍ମେ କୃଷ୍ଣଙ୍କୁ ପାଇବା

ପତି ବରି ସଙ୍ଗେ ଘେନି ରଙ୍ଗେ ବିହରିବା ।

ଯେ ଯାହା ମନରେ ଭାବି ଗଙ୍ଗାରେ ଝାସଇ

ପରଜନ୍ମେ ନିଶ୍ଚେ ତାର କାମନା ପୁରଇ ।

ପୁଣି ଏକ ଗୋପୀ ମନେ ବିଚାରି ବୋଇଲା

ସେହି ଗଙ୍ଗା ଡରି କୃଷ୍ଣ ପାଦରେ ଲୁଚିଲା ।

ସେ ଆମ୍ଭମାନଙ୍କୁ କେଭେ ନ କରିବ ନାଶ

ଚାଲ ସର୍ବେ ରୁଣ୍ଡ ହୋଇ ଯିବା ମଧୁ ଦେଶ ।

ଧରିବା ପୁରୁଷ ବେଶ ସର୍ବେ ଗୋପନାରୀ

କରିବା ସେ ଦେଶେ ପଶି ନାନା ହୁରିଯୁରି ।

ଶୁଣି କଂସ କୋପଭରେ ପେଶିବ ରାକ୍ଷସ

ଆମ୍ଭଙ୍କୁ ଭକ୍ଷିଣ ମନ କରିବ ସନ୍ତୋଷ ।

ଗୋପୀମାନେ ଏରୂପେ ହୁଅନ୍ତେ କୁହାକୁହି

ରଥରେ ବସି ଅକ୍ରୂର ସକଳ ଶୁଣଇ ।

ମନେ ବିଚାରଇ ଏହାଙ୍କର ଜନ୍ମ ଧନ୍ୟ

ଧନ୍ୟ ୟାଙ୍କ ପିତାମାତା ଧନ୍ୟ ୟାଙ୍କ ପ୍ରାଣ ।

କି ପୁଣ୍ୟ ପୂର୍ବେ କରିଣ ଜନମି ଅଛନ୍ତି

କୃଷ୍ଣଙ୍କୁ ଛାଡ଼ିବା ପାଇଁ ମନ ନ କରନ୍ତି ।

ଆଦିନାଥ ଏଠାରେ ମାନବେ ଅବତରି

ଖେଳା କରୁଛନ୍ତି ଗୋପୀ ଗୋପାଳଙ୍କୁ ଧରି ।

ଧନ୍ୟ ଏହାଙ୍କର ଜନ୍ମ ଏହି ଗୋପକୁଳେ

ଆବର ଧନ୍ୟ ଅଟନ୍ତି ସମସ୍ତ ଗୋପାଳେ ।

କୃଷ୍ଣ ପ୍ରେମେ ବାଇ ହୋଇ ଖେଳ ଏ କରନ୍ତି

ପୂର୍ବ ଜନ୍ମରେ କେତେ ଏ ପୁଣ୍ୟ କରିଛନ୍ତି ।

ୟାଙ୍କ ପୁଣ୍ୟ ଅକଳନ କହିତ ନୁହଇ

ଅନୁକ୍ଷଣେ କୃଷ୍ଣ ପ୍ରେମେ ହୋଇଛନ୍ତି ବାଇ ।

ବ୍ରହ୍ମା ଇନ୍ଦ୍ରାଦି ସହିତେ ଯେତେ ଦେବଗଣ

ଗୋପୀଙ୍କ ସଙ୍ଗରେ କେହି ନୋହିବେ ସମାନ ।

ଯେଉଁ କୃଷ୍ଣ ଅବତାର ଅଟନ୍ତି ଅନନ୍ତ

ବ୍ରହ୍ମାଣ୍ଡ ଯା ଲୋମମୂଳୁଁ ହୋଇଛନ୍ତି ଜାତ ।

ଯାର ପାଦପଦ୍ମ ବ୍ରହ୍ମା କରୁଥାଇ ଧ୍ୟାନ

ଅହର୍ନିଶି ଯୋଗରେ ଭାବନ୍ତି ତ୍ରିଲୋଚନ ।

ଯାର ପାଦ ନଖ କୋଣେ ଗୁପ୍ତ ସୁରେଶ୍ଵରୀ

ଯାର ପାଦ ଲାଗି ମୋକ୍ଷ ଗଉତମ ନାରୀ ।

ଯାର ପାଦପଦ୍ମ ଶୂନ୍ୟ ମଣ୍ଡଳେ ଘୋଟିଲ।

ଯାର ପାଦ ନବଖଣ୍ଡ ମେଦିନୀ ବ୍ୟାପିଲା ।

ଯେ ପାଦେ ବଳୀକି ଛନ୍ତି ପାତାଳକୁ ଚାପି

ଯେ ପାଦପଦ୍ମକୁ ନିତ୍ୟ ଯୋଗୀଜନ ଜପି

ଯୁଗ ଯୁଗାନ୍ତରେ ବସି ଦେଖି ନ ପାରନ୍ତି

ତେଣୁ ସେ ଦାରୁଣ ଦୁଃଖସାଗରେ ମଜ୍ଜନ୍ତି ।

ସେହି ପାଦୋଦକ ଗୋପୀ କରୁଛନ୍ତି ପାନ

ବଶ କରିଛନ୍ତି ଯେଣୁ ନନ୍ଦର ନନ୍ଦନ ।

ସଙ୍ଗେ ଘେନି କୃଷ୍ଣଙ୍କୁ ସେ କରନ୍ତି ବିହାର

କୋଳରେ ଘେନି ଭୁଞ୍ଜାନ୍ତି ଦଧି ଦୁଗ୍‌ଧ ସର ।

କୃଷ୍ଣର ଅଧରାମୃତ କରୁଛନ୍ତି ପାନ

କୃଷ୍ଣ ସଙ୍ଗତେ ପଲଙ୍କେ କରନ୍ତି ଶୟନ ।

ନାନା ହାସ ପରିହାସ ଭାବେ ନ୍ୟନ୍ତି ଦିନ

ଧନ୍ୟ ଧନ୍ୟ ଗୋପୀ ଧନ୍ୟ ଏହାଙ୍କ ଜୀବନ ।

ଏମନ୍ତ ଭାବେ ଅକ୍ରୂର ବିଚାରଇ ମନେ

ଧନ୍ୟ ମୋର ଜନ୍ମ ୟାଙ୍କୁ ଦେଖିଲି ନୟନେ ।

ଭାବେ ରାଧା ରୂପେ ଲକ୍ଷ୍ମୀ ହୋଇଛନ୍ତି ଜାତ

ନାହିଁ ପଟାନ୍ତର ରୂପ ମୋହୁଛି ଜଗତ ।

ଗୋପୀଙ୍କ ସଙ୍ଗତେ ଲୀଳା କରୁଛନ୍ତି ହରି

କୃଷ୍ଣ ଗମନେ କାତର ହେଉଛନ୍ତି ବାଳୀ ।

ରାଧାଙ୍କ ଆକୁଳ ଦେଖି ମନ୍ତ୍ରୀ ମନେ ଗୁଣି

କିଅବା କରିବେ କୋପ ମୋତେ କମଳିନୀ ।

ଅକାରଣେ ମୋରେ କ୍ରୋଧ କରିବେ କିମ୍ପାଇ

ଯାହାର କ୍ରୋଧ ବିଧାତା ନ ପାରନ୍ତି ସହି ।

ଅବଳା ସ୍ଵଭାବେ ଯେବେ ନ କରି ବିଚାର

ଅଭିଶାପେ ମୋତେ ପଠାଇବେ ଯମପୁର ।

କଂସରାଜା ଯେତେ ଚାର ଗୋପକୁ ପେଶିଲା

ସର୍ବେ ମଲେ ଜଣେ କେହି ଫେରିତ ନ ଗଲା ।

ତାଙ୍କ ସଙ୍ଗେ ଗଣା ହେବି ଜଣାଯାଏ ମୋତେ

ପୁଣି ବିଚାରଇ ଏହା ଭାବିବି କେମନ୍ତେ ।

ମଥୁରାରେ ଶୁଣିଥିଲି କୃଷ୍ଣ କଥାମାନ

ଏବେ ତାହା ପ୍ରତ୍ୟକ୍ଷରେ କଲି ଦରଶନ ।

ଏ ତ ଇକ୍ଷ୍ମୀ ନାରାୟଣ ମାରିବେ ଦଇତ

ଭାରା ଉଶ୍ୱାସିବା ପାଇଁ ମର୍ତ୍ତ୍ୟପୁରେ ଜାତ ।

ମୁଁ ଯେ ମୂଢ଼ପଣ କରି ଗୋପକୁ ଅଇଲି

ରାମ କୃଷ୍ଣ ନଗଲେ ତ କଂସ ହସ୍ତେ ମଲି ।

ଏ ଗୋପୀମାନଙ୍କ ଭାବ କୃଷ୍ଣ ନ ତେଜିବେ

କୃଷ୍ଣ ନ ଦେଖିଲେ ଗୋପୀ ଜୀବନ ହାରିବେ ।

ଏତେ ବିଚାରି ଅକ୍ରୂର ଗୋପୀଗଣ ଦେଖେ

ରହୁବର ବେଢ଼ି ରହିଛନ୍ତି ସର୍ବେ ଦୁଃଖେ ।

ବିକଳ ହୋଇ ଗୋପୀଏ ବୋଲନ୍ତି ବଚନ

ଅକ୍ରୂର ବାହୁଡ଼ି ଯାଅ ମଥୁରା ଭୁବନ ।

କୃଷ୍ଣଙ୍କୁ ନ ଦେଖି କଂସ ଯେବେ କରେ ରୋଷ

ମଧୁପୁର ତେଜି ତୁହୋ ଗୋପପୁରେ ଆସ ।

ନନ୍ଦ ପାଦତଳେ ପଡ଼ି କହିବୁ ସକଳେ

ଯେମନ୍ତେ ସେ ତୋତେ ମନ୍ତ୍ରୀ କରେ ଏ ଗୋପରେ ।

ଯେବେ ମନ୍ତ୍ରୀ କରି ନନ୍ଦ ନ ରଖିବେ ତୋତେ

ପୁଣି କୃଷ୍ଣଙ୍କୁ କହିବୁ ଆମ୍ଭେ ଗୋପୀ ଯେତେ ।

କୃଷ୍ଣ ପାଦତଳେ ଆମେ ତୋ ପାଇଁ ପଡ଼ିବୁ

ନିଶ୍ଚୟେ ଗୋପରେ ତୋତେ ମନ୍ତ୍ରୀ କରାଇବୁ ।

ଅବଶ୍ୟ କୃଷ୍ଣ ଆମର ବଚନ ଘେନିବେ

ତାଙ୍କ ପାଦତଳେ ଦାସ କରିଣ ରଖିବେ ।

ଆମ୍ଭଠୁ ହୋଇବ ତୁମ୍ଭେ ଅଧିକ ଭକତ

କୃଷ୍ଣ ଅଙ୍ଗେ ଲୀନ ହେବ କହୁଅଛୁ ସତ ।

ତୋତେ ଯେବେ ନରଖିବେ ପାଦରେ ଶରଣ

ତୋହ ଲାଗି ଗୋପୀଗଣ ତେଜିବୁ ଜୀବନ ।

କହୁଅଛୁ ସତ୍ୟ ସତ୍ୟ ଶୁଣ ହେ ଅକ୍ରୂର

ଯେବେ ଆଜି ନ ଯିବୁଟି ଫେରି ମଧୁପୁର ।

ଆମ୍ଭେ ସକଳ ଗୋପିନୀ ମରିବୁ ତୋ ନାଁରେ

ନାରୀହତ୍ୟା ଦୋଷ ତୋର ଲାଗିବ ଅଙ୍ଗରେ ।

ନାରୀହତ୍ୟା ପାତକରେ ଘାଣ୍ଟି ତୁ ହୋଇବୁ

ତୋ ପୂର୍ବ ପୁରୁଷଙ୍କୁ ନର୍କରେ ମଡ଼ାଇବୁ ।

ତୋହ ଲାଗି ପିତୃଗଣ ନରକେ ପଡ଼ିବେ

ପୁତ୍ର ଜନ୍ମ କରିବାର ଫଳ ସେ ଲଭିବେ ।

ପୁତ୍ର ଜନ୍ମକରି ପିତୃ ଲଭନ୍ତି ତୃପତି

ତୋ ଲାଗି ପିତୃଗଣ ଲଭିବେ ଅଧୋଗତି ।

ଆହେ ଅକ୍ରୂର ନ କର ଏପରି କରମ

ଧାର୍ମିକ ଜନେ ପାଳନ୍ତି ସିନାଟି ଧରମ ।

ଧର୍ମବଳୁ ଧରଣୀ ରହିଛି ସ୍ଥିର ହୋଇ

ଧର୍ମ ନ ଥିଲାର ଭୂଇଁ କେଉଁଠାରେ ନାହିଁ ।

ଧର୍ମ ଘେନି ଚନ୍ଦ୍ର ସୂର୍ଯ୍ୟ ହୋନ୍ତି ଆତଯାତ

ଧର୍ମ ଘେନି ପ୍ରକାଶ ପାଉଛି ଦିବା ରାତ୍ର ।

ଧର୍ମକୁ ଛାଡ଼ିଲେ କାହିଁ ସ୍ଥାନ ନ ମିଳଇ

ଧର୍ମଚ୍ୟୁତ ବ୍ୟକ୍ତିକି ଧରଣୀ ନ ସହଇ ।

ଧର୍ମ ଥିଲେ ସକଳକୁ ସକଳ ମିଳଇ

ଧର୍ମହୀନ ଲୋକକୁ ଯେ ଚାହିଁ ନ ଯୋଗାଇ ।

ତୁହି ଅକ୍ରୂର ଅଟୁ ତ ଧର୍ମଜ୍ଞ ବିବେକ

କୃଷ୍ଣଙ୍କୁ ନେଇ କିମ୍ପାଇଁ ଜନ୍ମାଇବୁ ଦୁଃଖ ।

ଧାର୍ମିକ ଜନେ ଅନ୍ୟକୁ କ୍ଳେଶ ନ ଦିଅନ୍ତି

ନିଜ କର୍ମ କରି ସଦା ସୁଖେ ରହିଥାନ୍ତି ।

ତୁହି ତ ଅକ୍ରୂର ପାପ ପୁଣ୍ୟ କଥା ଜାଣୁ

ଆମ୍ଭ ଚିତ୍ତେ ଦୁଃଖ ଦେବୁ କେବଣ କାରଣୁ ।

ଏ ପ୍ରକାରେ ଗୋପୀମାନେ ସକଳ କହନ୍ତି

ଧର୍ମଜ୍ଞାନ ମହତ୍ତ୍ୱରେ ବୁଝାଇ ଦିଅନ୍ତି ।

ଗୋପୀଙ୍କ ବଚନ ଶୁଣି ଅକ୍ରୂର ମଉନ

ଅନ୍ତର୍ଗତେ କୃଷ୍ଣଙ୍କୁ ସେ କରୁଛନ୍ତି ଧ୍ୟାନ ।

କହି ନ ପାରିଣ କିଛି ଚାହେଁ ଜଳ ଜଳ

ଦେଖେ ଗୋପୀଙ୍କର ନେତ୍ରୁ ବହେ ଅଶ୍ରୂଜଳ ।

ଶୁଣି ଏକ ଗୋପୀ ତହୁଁ କ୍ରୋଧେ କହେ ବାଣୀ

କିମ୍ପାଇଁ ଅକ୍ରୂର ନାମ ଧର ଗୋ ସଜନୀ ।

ଯେତେ ଦୂତମାନେ ଗୋପପୁରକୁ ଅଇଲେ

କେହି ଜଣେ ପ୍ରାଣ ଘେନି ମଥୁରା ନ ଗଲେ ।

କୃଷ୍ଣ ସିନା ସମସ୍ତଙ୍କୁ ପ୍ରାଣେ ନାଶ କଲା

ଆମ୍ଭ ଭାଗ୍ୟେ ଏବେ ଆସି ଅକ୍ରୂର ପଡ଼ିଲା ।

ବିଳମ୍ବ ନ କରି ସଖୀ ମାର ଗୋ ଅକ୍ରୂର

ଖଣ୍ଡ ଖଣ୍ଡ କରି ତାର ଭାଙ୍ଗ ରହୁବର ।

କେ ବୋଲେ କେଶକୁ ଧରି ଆଣ ସହଚରୀ

ତଳେ ପକାଇଣ ତାର ବୁକୁ ଦେବା ଚିରି ।

ମାରି ତାହାକୁ ଯମୁନା ବାଲିରେ ପୋତିବା

କୃଷ୍ଣ ପଚାରିଲେ କେହି କିଛି ନ କହିବା ।

କେ ବୋଲଇ ରାଜଦୂତ ନ କର ଗୋ ନାଶ

ଶାଙ୍କୋଳି ପିନ୍ଧାଇ ବାନ୍ଧିନେବ ରାଜା କଂସ ।

କେ ବୋଲଇ ସଖୀ ରଥ କେଉଁଠି ରଖିବ

କେହି ବୋଲେ ବିଳମ୍ବ ନ କରି ଶିରଚ୍ଛେଦ ।

କେହୁ ବୋଲେ ଅତି ଉଚ୍ଚ ଅଟେ ରହୁବର

ଦେଖ ଗୋ ନିର୍ଭୟ ହୋଇ ବସିଛି ଅକ୍ରୂର ।

କେମନ୍ତେ ଚଢ଼ି ତାହାକୁ ଆଣିବା ଗୋ ଧରି

ଧରି ନ ପାରିଲେ ତାକୁ ପାରିବା କି ମାରି ।

କେ ବୋଲଇ କଥା ଏକ ମୋତେ ଦିଶୁଅଛି

ଶୁଖିଲା ପତର ଆଣି ରଥେ ଦେବା କିଛି ।

ଅନଳ ଆଣି ତହିଁରେ ଦେବା ଗୋ ଲଗାଇ

ଶୁଖିଲା ପତର ପୁଣି ପକାଇବା ତହିଁ ।

ପ୍ରଚଣ୍ଡ ତେଜରେ ଯହୁଁ ଜଳିବ ଅନଳ

ଅନଳର ତାପେ ଖସି ପଡ଼ିବ ସେ ତଳ ।

ତେବେ ସିନା ଅକ୍ରୂରର ଶିର ଗୋ କାଟିବା

ସେ ମଲେ ନିଶ୍ଚିନ୍ତେ ଆମ୍ଭେମାନେଟି ରହିବା ।

କେ ବୋଲେ ଉପାୟ ଅଛିଟିରେ ଏକ ସଖୀ

ପଥର ମାରିବା ଆସ ଅକ୍ରୂରକୁ ଲକ୍ଷି ।

ଶରୀରେ ବାଜିଲେ ଦେହ ହେବ ଖଣ୍ଡ ଖଣ୍ଡ

ସବୁ ଗୋପୀ ମିଳି ତାର ଭାଙ୍ଗିଦେବା ମୁଣ୍ଡ ।

ଷୋଳ ସହସ୍ର ଗୋପିନୀ ଏହି ଏକ ସିନା

କେ ଟାଣିବା କେଶ ତାର କେ ଟାଣିବା ଡେଣା ।

ପୋଡ଼ିଦେଲେ ରଥକୁ ସେ ଅକ୍ରୂର ମରିବ

ତେବେ ସଖୀ ଗୋପପୁର କଳଙ୍କ ସରିବ ।

ପଳାଇ ଯିବଟି ଯେବେ ରାଜାଙ୍କୁ କହିବ

ସେ ଶୁଣିଲେ ପୁଣି ମହାଦ୍ୱନ୍ଦ୍ୱ ଭିଆଇବ ।

କେ ବୋଲଇ ସଖୀମାନେ ଭାଳ କିମ୍ପା ଆଉ

ଚଉପାଶେ ବେଢ଼ ସର୍ବେ ଅକ୍ରୂର ନ ଯାଉ ।

ଶ୍ରୀକୃଷ୍ଣ ଆସିଲେ ସଖୀ ବୋଲିବେଟି ମନ୍ଦ

କଂସ ଦୂତର କିମ୍ପାଇଁ ନ କାଟିଲ ମୁଣ୍ଡ ।

ବୋଲିବେ ଚ୍ଛେଦନ ଯେବେ ନ ପାରିଲ କରି

ବୃନ୍ଦାବନେ ଗଲ ନାହିଁ ଗୋପପୁର ନାରୀ ।

ମୁହିଁ ଶୁଣିଥିଲେ ଆସି ନେଇଥାନ୍ତି ପ୍ରାଣ

ଗୋପପୁର କିମ୍ପା ସେ କରନ୍ତା ରଣଭଣ ।

ଅଧିକେ ଆମ୍ଭଙ୍କୁ ସେ ଗୋ କରିବେ ଧିକ୍‌କାର

ବିଳମ୍ବ ନ କରି ସଖୀ ଅକ୍ରୂରକୁ ମାର ।

ଗୋପୀମାନେ ଏହିପରି ଭୟ ଦେଖାଇଲେ

ଶୁଣିକରି କଂସଦୂତ ମହାଭୟ କଲେ ।

ମନେ ବିଚାରଇ ମୁହିଁ କରିବଇଁ କିସ

ନିଶ୍ଚୟ କରିବେ ଗୋପୀ ମୋର ପ୍ରାଣ ନାଶ ।

ପୁଣି ଚଳିଲେ ଅକ୍ରୂର ଗୋପୀଗଣେ ଚାହିଁ

ମନେ ଚିନ୍ତା କରଇ ହେ ରହି ଭାବଗ୍ରାହୀ ।

ରାଧାଙ୍କର ଶ୍ରୀମୁଖକୁ ଅନାଇ ଅକ୍ରୂର

ବିନୟେ କହଇ ମାଗୋ ମୋତେ ରକ୍ଷାକର ।

ଗୋପୀଙ୍କ ତର୍ଜନେ ରାଧା ବୋଲନ୍ତି ବଚନ

ରାଜଦୂତ ବଧିବାରେ ନ ବଳାଅ ମନ ।

ରାଜାର ଶ୍ରୀମୁଖ ଲେଖା ହସ୍ତେ ଅଛି ଧରି

ତାହାଙ୍କ ଆଜ୍ଞା ଘେନିଣ ଆସିଛି ଏ ପୁରୀ ।

କୃଷ୍ଣଙ୍କୁ ଦେଖିଲେ ଲେଖା ଦେବ ଗୋ ଅକ୍ରୂର

ରହୁବରେ ବସି ତେଣୁ କରଇ ବିଚାର ।

ଯେ ଦୂତ ବଧଇ ତାର ନାହିଁ ପ୍ରତିକାର

କିମ୍ପାଇ ବିଚାର କର ମାରିବା ଅକ୍ରୂର ।

ଇହପର ଲୋକେ ତାକୁ ଠାବ ନାହିଁ ସହୀ

ଜୀବନ ଶେଷେ ସେ କୁମ୍ଭୀପାକରେ ପଡ଼ଇ ।

ବିଷ୍ଣୁପାଦେ ଅପରାଧୀ ପାଏ ଯମଦଣ୍ଡ

ଶୃଗାଳ ଶକୁନି ବେଢ଼ି ଭକ୍ଷନ୍ତି ତା ପିଣ୍ଡ ।

ଯେ ଯାହାର ଅନ୍ନ ଖାଏ ସେ ସିନା ତା ଦାସ

ଆସିଛି ରାଜାର ବୋଲେ କିମ୍ପା କର ରୋଷ ।

ନିର୍ଦ୍ଦୋଷୀ ବଧିବା କେବେ ନୁହଇ ଉଚିତ

ତୁମ୍ଭେମାନେ ବଧିବ ଗୋ କିମ୍ପା ରାଜଦୂତ ।

ଆମ୍ଭମାନଙ୍କୁ ତ ଏହୁ କହୁ ନାହିଁ କିଛି

କି କି କହି ଦ୍ୱାରୀ ନନ୍ଦ ପାଶକୁ ପେଶିଛି ।

ବାରତା ନ ଶୁଣି ତୁମ୍ଭେ କିମ୍ପା କର ଦ୍ୱନ୍ଦ୍ୱ

କୃଷ୍ଣ ଶୁଣିଲେ ଆମ୍ଭଙ୍କୁ ବୋଲିବେଟି ମନ୍ଦ ।

ଯେତେ ଚାର ଏ ଗୋପକୁ ଆସିଥିଲେ ସହୀ

ଅକ୍ରୂର ପରାୟେ ଜଣେ କେବେ ଆସି ନାହିଁ ।

ଯେତେକ ଚାର କଂସର ଗୋପକୁ ଆସିଲେ

କୃଷ୍ଣ ଯହିଁ ଥିଲେ ତହିଁ ସେ ସମସ୍ତ ମଲେ ।

କୃଷ୍ଣ ସେମାନଙ୍କୁ ସହି ପ୍ରାଣେ କଲେ ନାଶ

ଜାଣିଲି ଅକ୍ରୂରେ କୃଷ୍ଣ କରନ୍ତି ବିଶ୍ୱାସ ।

ଆଉ ଯେତେ ଚାର ସବୁ କପଟେ ଆସିଲେ

କୃଷ୍ଣ ଜାଣି ସେମାନଙ୍କୁ ପ୍ରାଣେ ନାଶ କଲେ ।

ଯେବେ ଏ ଅକ୍ରୂର ଆସିଥିବ ମାୟା କରି

କୃଷ୍ଣ ଜାଣିଲେ ତାହାକୁ ପକାଇବେ ମାରି ।

ଏମନ୍ତ ବଚନ ରାଧାଙ୍କର ମୁଖୁଁ ଶୁଣି

ମଉନେ ରହିଲେ ସର୍ବେ ବରଜ ତରୁଣୀ ।

କୃଷ୍ଣଙ୍କୁ ଡାକିବା ପାଇଁ ଖଣ୍ଡେ ଦୂର ଗଲେ

କୃଷ୍ଣଙ୍କୁ ନ ଦେଖି ସର୍ବେ ବାହୁଡ଼ି ଅଇଲେ ।

ପୁଣି ଗୋପୀମାନେ କୃଷ୍ଣ ଫେରିବା ଚାହାନ୍ତି

ଗୋଧନ ବାହୁଡ଼ା ଦେଖି ନ ପାରି ଫେରନ୍ତି ।

କେଉଁ ଗୋପୀ ବୋଲେ କୃଷ୍ଣ ରହିଲେଗୋ କାହିଁ

ଏତେ ଉଛୁର ହୋଇଲା ଫେରିଲେତ ନାହିଁ ।

ରାଧା ସଙ୍ଗେ ଗୋପୀମାନେ ହୋଇଛନ୍ତି ଠୁଳ

କୃଷ୍ଣଙ୍କୁ ନ ଦେଖି ସର୍ବେ ହୁଅନ୍ତି ବିକଳ ।

ରାଧା ଗୋପୀଙ୍କର ଉକ୍ତି ଅକ୍ରୂର ଶୁଣିଲା

ରଥର ଉପରେ ଥାଇ ମନେ ବିଚାରିଲା ।

ଧନ୍ୟ ଜୀବନ ଦେଖିଲି ନେତ୍ରେ ଠାକୁରାଣୀ

ସର୍ବ ପାପ ଗଲା ଶୁଣି ଶ୍ରୀମୁଖର ବାଣୀ ।

ଗୋପୀମାନେ ମୋହଠାରେ ବହି ମହାରୋଷ

ରାଧା ନ ଥିଲେ ତ କରିଥାନ୍ତେ ପ୍ରାଣେ ନାଶ ।

ରାଧା ଗୋପୀଭାବ କୃଷ୍ଣ କେମନ୍ତେ ଛାଡ଼ିବେ

ମଥୁରା ନଗରେ କଂସ କେମନ୍ତେ ମାରିବେ ।

ରାଧା କୃଷ୍ଣ ବୋଲି ଜପୁଛନ୍ତି ସୁର ନର

କେମନ୍ତ ରାଧାକୁ ଛାଡ଼ିଯିବେ ଦାମୋଦର ।

ନ ଗଲେ ଅସୁରମାନେ ନୋହିବେ ନିପାତ

ଅସୁରେ ନ ମଲେ ପୃଥ୍ୱୀ ଭାରା ନୁହେଁ ହତ ।

ରଥରେ ଥାଇ ଅକ୍ରୂର ଚିତ୍ତରେ ଭାବଇ

କୃଷ୍ଣ ଭାବେ ନୟନରୁ ଅଶ୍ରୁ ଯାଏ ବହି ।

ଏ ସମୟେ ଗୋଧୂଳିରେ ଲୁଚି ଦିବାକର

ଧୂମ୍ରମୟ ହେଲା ଶୂନ୍ୟ ଦିଶିଲା ଅନ୍ଧାର ।

ରାଧାଙ୍କ ଆଗେ କହନ୍ତି ଯାଇଁ ଗୋପୀଗଣ

ଦେଖ ଗୋ ଉଡ଼ଇ ଧୂଳି ଆସନ୍ତି ମୋହନ ।

ଶୁଭୁଅଛି ବେଣୁ ଶିଙ୍ଘନାଦ ଘନ ଘନ

ଧେନୁ ବତ୍ସାମାନଙ୍କର ଶୁଭଇ ଗର୍ଜନ ।

ଏହିପରି ଗୋପୀମାନେ ହୋଇ କୁହାକୁହି

ଖଣ୍ଡେ ଦୂରରୁ ଗୋପକୁ ଦେଖି ହଳସାଇଁ ।

ବୋଇଲେକ କୃଷ୍ଣ ଆଜ ଦେଖ ଗୋପପୁର

କାହିଁ ପାଇଁ ଦିଶୁଅଛି ଅତି ଭୟଙ୍କର ।

କିମ୍ପାଇଁରେ ଗୋପପୁର ଧୂମ୍ରମୟ ଦିଶେ

ଗୃଧ୍ରପକ୍ଷୀମାନେ କିମ୍ପା ଉଡ଼ନ୍ତି ଆକାଶେ ।

ଶ୍ଵାନମାନେ ରାବ କରୁଛନ୍ତି ଘନ ଘନ

ଦିବସେ ଶୃଗାଳ କିମ୍ପା କରୁଛନ୍ତି ସ୍ୱନ ।

କାଳସର୍ପମାନେ ଦେଖା ଦିଅନ୍ତି ବହୁତ

ଦିବସରେ ଆକାଶେ ଯେ ଦିଶଇ ନକ୍ଷତ୍ର ।

ଧୂମ୍ରମୟ ଚଉଦିଗ କିମ୍ପାଇ ଦିଶଇ

ଗୋପରେ ଏପରି ଦିନେ ମୁଁ ତ ଦେଖି ନାହିଁ ।

ଗୋପଦାଣ୍ଡେ ରହୁବର ଦିଶଇ କାହାର

ହୁଳହୁଳି ଶବଦରେ କମ୍ପେ ଗୋପପୁର ।

କି ଅବା କଂସ ନୃପତି ଦେଇଅଛି ଧାଡ଼ି

ଆଜ ମୁଁ ମଥୁରାପୁର ପକାଇବି ତାଡ଼ି ।

ସମୁଦ୍ରରେ ମଥୁରାକୁ ନେଇ ପକାଇବି

କଂସର ସବଂଶେ ନାଶ ଆଜ ମୁଁ କରିବି ।

ଭୀମମୂର୍ତ୍ତି ହୋଇ ରାମ ଧଇଲେ ଲଙ୍ଗଳ

ତାହାଙ୍କ କ୍ରୋଧେ ମେଦିନୀ ହୁଏ ଟଳମଳ ।

ଏମନ୍ତ ଦେଖି ଗୋପାଳେ ହୋଇଲେ ସ୍ତବଧ

ବତ୍ସା ଧେନୁମାନଙ୍କର ନ ଚଳଇ ପାଦ ।

ରେରେକାର କରି ରାମ ଗରଜି ଉଠିଲେ

ବଳରାମଙ୍କ କ୍ରୋଧକୁ ଦେଖି ଦିଗପାଳେ ।

ଥରହର ହେଲେ ସର୍ବେ ମନେ ଭୟକରି

ଭାବିଲେ କି ରସାତଳ ହେବ ବସୁନ୍ଧରୀ ।

ମହାପ୍ରଳୟ କି ଆଜି ହେଲା ଉପସ୍ଥିତ

କେବଣ କାରଣୁ କିବା ଘଟିବ ଉତ୍ପାତ ।

ଶୂନ୍ୟେ ଥାଇ ଦେବଗଣ କରନ୍ତି ବିଚାର

ବଳରାମ କ୍ରୋଧେ ଆଜି ମରିବ ଅକ୍ରୂର ।

ଅକ୍ରୂର ମଲେ ନ ଯିବେ ଦେବ ହୃଷୀକେଶ

କୃଷ୍ଣ ଯୋଗୁ ନ ଗଲେ ତ ନ ମରିବ କଂସ ।

କଂସ ଆଦି ଯେତେକ ଅସୁର ଛନ୍ତି ରହି

ତାଙ୍କୁ ଯେବେ ନାଶ ନ କରିବେ ଭାବଗ୍ରାହୀ ।

ତେବେ ନିଶ୍ଚେ ଧରାର କଷଣ ନ ସରିବ

ଆମ୍ଭ ଦେବଗଣଙ୍କୁ ତ ଠାବ ନ ମିଳିବ ।

ଏହିପରି ଦେବଗଣ ମନରେ ଭାବିଲେ

ଇନ୍ଦ୍ର ସହ ଯାଇ ଧାତା ଆଗରେ କହିଲେ ।

ଦେବଙ୍କ ବଚନେ ବ୍ରହ୍ମା ହୋଇଲେ ମଉନ

ଧ୍ୟାନେ ଜାଣିଲେ କରନ୍ତି କ୍ରୋଧ ବଳରାମ ।

ଦେବତାମାନଙ୍କୁ ଧରି ବ୍ରହ୍ମା ଯେ ଉଠିଲେ

ଗୋପପୁର ନିକଟରେ ଯାଇ ସେ ମିଳିଲେ ।

ଶୂନ୍ୟରେ ରହି ଡାକନ୍ତି ଶୁଣ ଭାବଗ୍ରାହୀ

ଅସୁର ବିନାଶିବାକୁ ଜନମିଲ ମହୀ ।

ବଳରାମ କ୍ରୋଧେ ଏବେ ମରୁଛି ଅକ୍ରୂର

ଯାହାର କ୍ରୋଧରେ ନାଶଯିବ ତିନିପୁର ।

ଯାହାର କ୍ରୋଧକୁ କାହିଁ ଅକ୍ରୂର ସମର୍ଥ

ନ ଜାଣୁ କି ପ୍ରଭୁ ତୁହି ଆମ୍ଭର ଆରତ ।

ଗୋପ ଛାଡ଼ି ଯେବେ ନ ଯିବୁଟି ଭାବଗ୍ରାହୀ

ଆମ୍ଭେ ଦେବତାଏ ସର୍ବେ ନ ପାରିବୁ ରହି ।

ସ୍ଵର୍ଗ ମର୍ତ୍ତ୍ୟ ପାତାଳକୁ ଅସୁରେ ନାଶିବେ

ନିର୍ଦ୍ଦୟ ସ୍ଵଭାବେ ସେ ତ ଦୟା ନ କରିବେ ।

ଏବେ ବଳରାମ ବେଗେ କ୍ରୋଧ ଶାନ୍ତ କର

ଅକ୍ରୂର ସଙ୍ଗତେ ରଥେ ଯାଅ ମଧୁପୁର ।

ଏସନ ଧାତା ବଚନ ଶୁଣି ଦଇତାରୀ

ବିଷ୍ଣୁ ମାୟା ଲଗାଇଲେ ମନରେ ବିଚାରି ।

ବୋଇଲେ ହେ ହଳପାଣି ଶୁଣ ମୋ ବଚନ

ଗୋପରୁ ଗୋପୀଏ ଆସିଥିଲେ ଏହିକ୍ଷଣ ।

ଯାହା କହିଗଲେ ତାହା ଶୁଣିଅଛି ମୁହିଁ

ନ ଜାଣି କିମ୍ପାଇ ଦେବ କ୍ରୋଧ କଲୁ ତୁହି ।

ଗୋପେ ଯହିଁ ପାଇଁ ଆଜି ଲାଗିଛି ଚହଳ

କ୍ରୋଧ ନିବାରଣ କରି ଶୁଣ କାମପାଳ ।

ମଧୁପୁର ଯଦୁବଂଶୀ ଅକ୍ରୂର ଆସିଛି

ତବ ଦରଶନ ଇଚ୍ଛି ରଥରେ ବସିଛି ।

ଗୋପକୁ ଯାଉଛି ବୋଲି କଂସକୁ କହିଲା

ପତ୍ର ଖଣ୍ଡେ ଦିଅ ବୋଲି କଂସକୁ ବୋଇଲା ।

ଗୋପକୁ ଯେବେ ତୁ ଆଜ ଯିବୁ ହେ ଅକ୍ରୂର

ନନ୍ଦ ଆଗରେ କହିବୁ ବାରତା ମୋହର ।

ବୋଲିବୁ ହୋ ଧନୁଯାତ୍ରା କରୁଛି ରାଜନ

ନାନାଦେଶୁ ରାଜା ଆସିଛନ୍ତି ମଧୁବନ !

କରିଛନ୍ତି ରାଜାମାନେ କଂସକୁ ଦର୍ଶନ

ବିଧିମତେ କଂସ ତାଙ୍କୁ ଦିଅଇ ସମ୍ମାନ ।

କଂସର କୁଶଳ ରାଜାମାନେ ପଚାରିଲେ

ବୋଇଲେ ଶ୍ରୀଅଙ୍ଗ ତବ ଅଛିଟି କୁଶଳେ ।

ପୁତ୍ର ନାତି ଦୁହିତା ଯେ ଅନ୍ତଃପୁର ନାରୀ

ଉଆସ ବାସ ଭଣ୍ଡାର ଯେତେ ପରିବାରୀ ।

ଗଜାରୋହୀ ଅଶ୍ଵାରୋହୀ ରଥୀ ପଦାତିକେ

ମଥୁରାର ଜନେ ସୁଖେ ଛନ୍ତିଟି ପ୍ରତ୍ୟେକେ ।

ଏମନ୍ତ କୁଶଳ ଯହୁଁ ରାଜାଏ ପୁଚ୍ଛିଲେ

ଶ୍ରବଣେ କଂସ ରାଜନ ଆନନ୍ଦେ କହିଲେ ।

ବୋଇଲେ ହେ ରାଜାମାନେ ପଚାରିଲ ଯାହା

କୁଶଳେ ଅଛନ୍ତି ଯେଣୁ ତୁମ୍ଭେ ହେଲ ସାହା ।

ରାଜାମାନେ ବୋଇଲେଟି ଶୁଣ ହେ ରାଜନ

ସକଳ କୁଶଳ ଯେବେ ଏ ମଧୁ ଭୁବନ ।

ତବ ପୁତ୍ର ସୋଦରାଦି ନୟନେ ଦେଖିବୁ

ତୁମ୍ଭର ପିତାମାତାଙ୍କୁ ଦର୍ଶନ କରିବୁ ।

ତୁମ୍ଭ ଜ୍ୟେଷ୍ଠ ଭଗିନୀଙ୍କୁ ଦେଖିବୁ ନୟନେ

ଦୁଇ ଭଣଜାଙ୍କୁ ଦେଖିବାକୁ ଇଚ୍ଛୁ ମନେ ।

ରାଜାଙ୍କ ବଚନେ କଂସ ଆନନ୍ଦ ବୋଇଲା

ଭଣଜା ଦେଖିବା କଥା ବିଡ଼ମ୍ବନା ହେଲା ।

ସକଳେ ଅଛନ୍ତି ଶୁଭେ ଶୁଣ ନୃପଗଣେ

କାଲି ତୁମ୍ଭେମାନେ ତାକୁ ଦେଖିବ ନୟନେ ।

ଭଣଜା ଏହା ମୋହର ଏ ପୁରେ ନାହାନ୍ତି

କିପରି ତାହାଙ୍କୁ ତୁମ୍ଭେ ଦେଖିବ ନୃପତି ।

ଶୁଣି ନୃପତି ବୋଇଲେ ହେଁ ରାଜାଧିରାଜ

ଭଣଜା ଦୁହିଁଙ୍କୁ ତୁମେ ଡାକିଆଣ ଆଜ ।

ଆନନ୍ଦେ ଧନୁ ଉତ୍ସବ ଯାତ୍ରା ଭିଆଇଲୁ

କୃଷ୍ଣ ବଳରାମଙ୍କୁ କିମ୍ପାଇ ନ ଆଣିଲୁ ।

ବୋଲୁଛି ଅଛନ୍ତି ଦୁଇ ଭଣଜା ମୋହର

ନ ଆଣିଲୁ ତାଙ୍କୁ ଏ କି ଉଚିତ ବେଭାର ।

ଏବେ କୃଷ୍ଣ ବଳରାମ ଆଣ ହୋ ଡକାଇ

ଦେଖିବେ ଧନୁ ଉତ୍ସବ ଯାତ୍ରା ଦୁଇଭାଇ ।

ଦେବଙ୍କୁ ଦୁର୍ଲଭ ଧନୁ ଉତ୍ସବକୁ କରୁ

ଆମ୍ଭମାନଙ୍କୁ ତ ଡାକି ଆଣିଛ ଦୂରରୁ ।

ସେ ବେନି ପୋଏ ଦେଖିବେ ଏ ଧନୁ ଉତ୍ସବ

କୃଷ୍ଣ ବଳାରାମ ତାଙ୍କୁ ଅନ୍ତର ନ ଭାବ ।

ରାଜାମାନଙ୍କର କଥା ଭାଙ୍ଗି ନ ପାରିଲେ

ଆମ୍ଭଙ୍କୁ ନେବାକୁ ଅକ୍ରୂରକୁ ପଠାଇଲେ ।

ମାମୁଁଙ୍କର ଶରଧା ଯେ ଅଛି ଆମ୍ଭ ପରେ

ତୁମ୍ଭଙ୍କୁ ଲୋଡ଼ିଲା ତାର ଧନୁ ଉତ୍ସବରେ ।

ଅକ୍ରୂରକୁ ବୋଇଲା ନେଇଣ ରହୁବର

ବହନ ହୋଇଣ ଚଳିଯାଅ ଗୋପପୁର ।

ନନ୍ଦକୁ କହିବୁ ମୋର କଥା ତୁ ସକଳ

କୃଷ୍ଣ ବଳରାମଙ୍କୁ ଆଣିବୁ ସଙ୍ଗତର ।

ବୋଲିବୁ ତୁ ଧନୁଯାତ୍ରା କରେ କଂସବୀର

ନବଦିନ ରହି ତହିଁ ଫେରିବେ ତୋ ପୁର ।

ତୁ ହୋ ନନ୍ଦ ମନେ ଆନ କଥା ନ ବିଚାର

ରାମ କୃଷ୍ଣଙ୍କୁ ପଠାଅ ମୋର ସଙ୍ଗତର ।

କଂସର ନିଜ ଭଣଜା ଅଟନ୍ତି ତୋ ପୋଏ

ସେ ନ ଗଲେ ଯାତ୍ରା ଶୋଭା ନ ଦିଶିବ ରାଏ ।

ରାଜାମାନେ ଦେଖିବାକୁ ଶ୍ରଦ୍ଧା କରିଛନ୍ତି

ଭଣଜାକୁ ଦେଖି ମାମୁଁ ଲଭିବେ ତୃପତି ।

ଜନ୍ମ ହେଲା ଦିନୁ ତାଙ୍କୁ ନ ଦେଖିଲି ମୁହିଁ

ଆଠ ବରଷ ହେଲାଣି ଗୋପେ ଛନ୍ତି ରହି ।

ସୋଦର ଭଣଜା ମୋର କୃଷ୍ଣ ହଳଧର

ଆଜିଯାଏ ନ ଦେଖିଲି ବଦନ ତାଙ୍କର ।

ମୋ ଘରେ ଅଟନ୍ତି ଇଷ୍ଟ ସେହି ବେନି ଭାଇ

ଭଣଜାକୁ ବିଷ୍ଣୁ ବୋଲି ଶାସ୍ତ୍ରେ ଅଛି କହି ।

ମୋ ପୁତ୍ର ଭଣଜା ଯେବେ ହେଲେ ବଳୀୟାର

ବୃଦ୍ଧକାଳେ ବହିବି ମୁଁ କିମ୍ପା ରାଜ୍ୟଭାର ।

ବୃଦ୍ଧ ହୋଇଲେ ଯେଣୁ ମୋ ପିତା ଉଗ୍ରସେନ

ମଥୁରାପୁରରେ ମୋତେ କଲେ ସେ ରାଜନ ।

ପୁତ୍ର ମୋହର ବାଳକ ଭଣଜା ସମର୍ଥ

ସେ ପାଳିବ ମଥୁରା ମୁଁ ଯିବି ନାନା ତୀର୍ଥ

ଭଣଜାକୁ ଦେଖିଲେ ପବିତ୍ର ହେବ ଆଖି

ସମ୍ଭାଳିବେ ରାଜ୍ୟଭାର ମୁଁ ହୋଇବି ସୁଖୀ ।

ହଂସକ ଡିମ୍ବକ ବେନି କୁମର ମୋହର

ମଥୁରା ପାଳିବେ ତାଙ୍କୁ ଘେନି ହଳଧର ।

କ୍ରୋଧ ଛାଡ଼ି ପ୍ରଭୁ ଚାଲ ଯିବା ମଧୁପୁର ।

ଅକ୍ରୂର ମୁଖରୁ ଶୁଣି କରିବା ଗୋଚର

ତେବେ ସିନା ଆମ୍ଭେ କିଛି କରିବା ବିଚାର ।

ଜନନୀ ପିଅରେ ଆମ୍ଭେ ପ୍ରବୋଧ କରିବା

ଅକ୍ରୂର ମୁଖରୁ ମାମୁଁ କୁଶଳ ଶୁଣିବା ।

ଗୋପୀ ଗୋପାଳଙ୍କୁ ଆମ୍ଭେ କହିବା ବୁଝାଇ

ଦେଖିବା ଧନୁ ଉତ୍ସବ ଯାତ୍ରା ଦେଖି ନାହିଁ

ମାମୁଁ ଯେବେ ଶ୍ରଦ୍ଧା କରି ଅଛଇ ଡକାଇ ।

ମାୟାରେ ମୋହିତ ହୋଇ ରୋହିଣୀ ନନ୍ଦନ

କ୍ରୋଧ ଛାଡ଼ି ଗୋପାଳଙ୍କୁ କହନ୍ତି ବଚନ ।

ବେଗରେ ଗୋପାଳ ଧେନୁ ବତ୍ସଙ୍କୁ ଅଡ଼ାଅ

କଂସ ଦୂତ ବୋଲି ଗୋପେ କରୁଥିବେ ଭୟ ।

ବଳରାମଙ୍କ ବଚନେ ଗୋପାଳେ ଚଳିଲେ

ତକ୍ଷଣେ ଗୋପରେ ଯାଇ ପ୍ରବେଶ ହୋଇଲେ ।

ଦେଖି ରାମକୃଷ୍ଣ ଗୋପୀ ହୋଇଲେ ବିକଳ

ତାଙ୍କୁ ଦୁଃଖେ ଦୁଃଖୀ ହେଲେକୃଷ୍ଣ କାମପାଳ ।

ଧେନୁ ଘେନି ରାମକୃଷ୍ଣ ହୋଇଲେ ପ୍ରବେଶ

ଦେଖିଲେ ଗୋପୀ ଗୋପାଳେ ସକଳେ ବିରସ ।

ସିଂହଦ୍ଵାରେ ପ୍ରବେଶ ଯେ କଲେ ହଳୀ ହରି

ରଥ ଉପରୁ ଅକ୍ରୂର ଦେଖେ ନେତ୍ର ଭରି ।

ବିଚାରିଲା ଆସିଲେ ତ ଏବେ ଚକ୍ରଧର

ଆଉ କିମ୍ପା ବସିବି ମୁଁ ଏ ରଥ ଉପର ।

ଏତେ ବିଚାରି ରଥରୁ ମନ୍ତ୍ରୀ ଓହ୍ଲାଇଲା

ବେନିକର ଯୋଡ଼ି ରାମ ପାଦରେ ପଡ଼ିଲା ।

ପୁଣି ଯାଇ କୃଷ୍ଣ ପାଦପଦ୍ମରେ ଲୋଟିଲା

ଶିରେ କର ଦେଇ ଖଣ୍ଡେଦୂରେ ଉଭା ହେଲା ।

କୃଷ୍ଣ ବୋଲନ୍ତି ଅକ୍ରୂର ଶୁଣ ସାବଧାନେ

ଯଦୁବଂଶେ ଜାତ ହୋଇ ପଡ଼ୁଛି ଚରଣେ ।

ରାଜଦୂତ ସିନା ତୁମ୍ଭେ ବୟସରେ ବଡ଼

କ୍ଷୀଣ କରିବାକୁ ଆୟୁ ଆମ୍ଭ ପାଦେ ପଡ଼ ।

ଏମନ୍ତ ସମୟେ ନନ୍ଦ ଯଶୋମତୀ ରାଣୀ

ଦୂରୁ ଦେଖିଲେ ଆସନ୍ତି କୃଷ୍ଣ ହଳପାଣି ।

ବେଢ଼ି ଦେଖନ୍ତି ସକଳ ଗୋପ ଗୋପୀମାନେ

ପୁରି ରହିଅଛି ଅଶ୍ରୁ ସବୁରି ନୟନେ ।

ଧେନୁ ବତ୍ସାମାନେ ମଧ୍ୟ ବିକଳ ହୁଅନ୍ତି

ନୀରବ ହୋଇଣ ନେତ୍ରୁ ଲୋତକ ମୁଞ୍ଚନ୍ତି ।

ଏହା ଦେଖି ଯଶୋମତୀ ହୋଇଲେ ବିକଳ

ଉଚ୍ଚେ ଡାକ ଦିଅନ୍ତିରେ କୃଷ୍ଣ କାମପାଳ ।

ଅକ୍ରୂର ଆସିଛି ଧରିନେବ ମଧୁପୁରୀ

ଭୁଞ୍ଜାଇବି ଲବଣୀ ମୁଁ କାହାକୁ ରେ ଧରି ।

କେ ଅବା ଗୋପେ ଲବଣୀ କରିବରେ ଚୋରୀ

କାହା ମୁଖ ଚାହିଁ ମୁଁ ରେ ଥିବି ଗୋପପୁରୀ ।

ଗୋରଚନା ଚିତା କାହା କପାଳେ ମୁଁ ଦେବି

କାହାକୁ ମୁଁ ନେଇ ରତ୍ନ ଖଟେ ଶୁଆଇବି ।

କାହାର ଚିକ୍‌କଣ କେଶେ ପାରିବି ମୁଁ ବେଣୀ

କାହା ଅଙ୍ଗ ଧୂଳି ଛାଡ଼ି ଧରିବି ରେ ଆଣି ।

କେହୁ ମାଟି ଖାଇ ମୋତେ ଦେଖାଇବ ତୁଣ୍ଡ

କାହା ଗର୍ଭେ ଦେଖିବି ମୁଁ ଅଶେଷ ବ୍ରହ୍ମାଣ୍ଡ ।

କେ ଆକାଶ ଚାନ୍ଦ ଦେଖି କରିବରେ ଅଳି

କେ କାଳୀୟ ଦର୍ପ ଧ୍ୱଂସି ଫୁଲ ଦେବ ତୋଳି ।

କେ ନାଟୁଆ ବେଶ ହୋଇ କରିବ କୀର୍ତ୍ତନ

କେହି ଅନ୍ଧ ବ୍ରାହ୍ମଣକୁ ଦେବ ଚକ୍ଷୁଦାନ ।

କାହା ଲାଗି ଗୋପପୁରେ ଲାଗିବରେ କଳି

କେ ରଖିବ ଅଜଗର ମୁଖୁଁ ବନମାଳୀ ।

କାହାକୁ ଯାମଳାର୍ଜ୍ଜୁନେ କରିବି ବନ୍ଧନ

ଯାମଳା ସହିତେ ରକ୍ଷ କେ ନାଶିବ ପୁଣ ।

ଅଗ୍ନି ମୁଖରୁ କେ ଅବା ରଖିବ ଗୋପାଳ

ଗୋପୀଙ୍କ ବସ୍ତ୍ର ବାନ୍ଧିବ କେ କଦମ୍ବ ଡାଳ ।

କେ କରିବ ଘରେ ଘରେ ପଶି ହୁରି ଜୁରି

କା ଘେନି ଗୋପୀଏ ଆସି କରିବେ ଗୁହାରି ।

କେହୁ କରିବ ମୋର ସ୍ତନରୁ କ୍ଷୀର ପାନ

ଏମନ୍ତ କହି ଯଶୋଦା କରନ୍ତି ରୋଦନ ।

ନୟନ ପିତୁଳା ମୋର ଦୁଃଖିନୀ ରତନ

ତୁ ଗଲେ ମଥୁରା ମୁଁ କି ରଖିବି ଜୀବନ ।

ଅନ୍ଧର ଲଉଡ଼ି ମୋର ହୃଦୟ ଚନ୍ଦନ

ବୃଦ୍ଧକାଳେ ଗର୍ଭେ ମୋର ଲଭିଲୁ ଜନମ ।

ଏବେ ପୁତ୍ରକଷ୍ଟ ମୋତେ ଦେଉ ଭାବଗ୍ରାହୀ

ମଧୁପୁର ଗଲେ ଆଉ ଫେରିବୁକି ତୁହି ।

ତୋ ମୁଖ ନ ଦେଖି ମୋର ପୁରିବଟି କାଳ

ବୃଦ୍ଧକାଳ ଦେଖି ଛାଡ଼ି ଯିବୁରେ ଦୁଲାଳ ।

ମୁଖେ ଅଗ୍ନି ଦେବ କେହୁ ମୋ ମରଣ ପରେ

ପୁତ୍ର ଥାଉଁ ଅପୁତ୍ରିକ ବୋଲିବେ ସକଳେ ।

ଅପୁତ୍ରିକ ବୋଲି ନ ଚାହିଁବେ ମୋ ବଦନ

ଭୋଗିବି ପୁତ୍ର ଜନମ କରି ଅପମାନ ।

ରାମଙ୍କୁ କୋଳ କରିଣ କାନ୍ଦେ ନନ୍ଦରାୟେ

ହା ହା ରାମ ବୋଲି ତଳେ ପଡ଼ି ମୂର୍ଚ୍ଛା ଯାଏ

ଅଧୀର ଭାବରେ ନନ୍ଦ ହୁଏ ଅଚେତନ

ବଳରାମ କରୁଥାନ୍ତି ଯତ୍ନେ ସଚେତନ ।

ସୁବାସିତ ଜଳ ନେଇ ମୁଖରେ ସିଞ୍ଚିଲେ

ସଚେତ ହୋଇଣ ନନ୍ଦ ରାମେ କୋଳ କଲେ ।

ନନ୍ଦ ଅଚେତନ ଦେଖି ଯଶୋମତୀ ରାଣୀ

ହା ହା କୃଷ୍ଣ ବୋଲି ମୂର୍ଚ୍ଛା ଲୋଟଇ ଧରଣୀ

ଭୂମିରେ ପଡ଼ିଲା ରାଣୀ ହୋଇ ଅଚେତନ

କୃଷ୍ଣ ଦେଖି ଯଶୋଦାଙ୍କୁ କରନ୍ତି ଚେତନ ।

କିଛି କ୍ଷଣେ ଚେତା ପାଇ ଯଶୋଦା ବୋଲଇ

ତୋତେ ନ ଦେଖି ଜୀବନ ହାରିବି ଯେ ମୁହିଁ ।

ପୁଣିହିଁ ବୋଲନ୍ତି କୃଷ୍ଣ କହିଅଛି ତୋତେ

ଅକ୍ରୂର ଆସିଛି ତୋତେ ଘେନିଯିବ ରଥେ ।

ବଳରାମଙ୍କୁ ତ ସଙ୍ଗେ ନେବୁ ବେଣୁଧର

ଯିବ ଯେବେ ବେନିଭାଇ ମୁଁ ହେବି କାହାର ।

ତୋତେ ଛାଡ଼ି ଗୋପଜନେ କାହାର ହୋଇବେ

କେମନ୍ତ ପ୍ରକାରେ ତୋତେ ଛାଡ଼ି ସେ ଚଳିବେ

ଧେନୁ ବତ୍ସାମାନେ ସବୁ ହେବେ ନାରଖାର

କରଯୋଡ଼ି ମାଗୁଛି ତୁ ନ ଯା ମଧୁପୁର ।

ଏମନ୍ତ ବୋଲି ଯଶୋଦା କାନ୍ଦନ୍ତି ବିକଳେ

ବଳରାମଙ୍କୁ ଦେଖିଣ କହନ୍ତି ଆକୁଳେ ।

ଦେଖାଅରେ ବାବୁ ଥରେ ତୋ ଚନ୍ଦ୍ରବଦନ

ନିରାଶ କରିଣ ମୋତେ ଯାଉ ମଧୁବନ ।

ରାମକୃଷ୍ଣ ବେନିଭାଇ ମଧୁପୁର ଯିବ

ଏ ଗୋପ ଭୁବନ ଆଉ ଶୋଭା ନ ପାଇବ ।

କାହାକୁ ଧରିଣ ଆଉ କରିବିରେ ଗେଲ

ଲୀଳା କେ କରିବ ଯାଇ କଦମ୍ବର ତଳ ।

କେ ମୋତେ ଡାକିବ ଆଉ ମାତା ମାତା ବୋଲି

ପୁତ୍ର ଥାଉ ଏଡ଼େ ନାମ ହରାଇ ବସିଲି ।

ତୁହି ପରା ରାମ କେଭେ ଅସତ୍ୟ ନ କହୁ

କୃଷ୍ଣ ଧୂର୍ତ୍ତପଣ ଦେଖି ଆସି ମୋତେ କହୁ ।

ତୁହି ପରା ଧନ ଅଟୁ ବଳେ ବଳୀୟାର

ତୋହର ବୁଦ୍ଧି କି ସମ ନୁହେଁ ବେଣୁଧର ।

ଯେହୁ କ୍ରୋଧ କଲେ ବ୍ରହ୍ମା ଶଙ୍କର ଡରନ୍ତି

ତୋର କ୍ରୋଧ ଦେଖି ଭୟେ କମ୍ପେ ବସୁମତୀ ।

କିମ୍ପାଇ ଅକ୍ରୂର ତୋତେ ନ କରଇ ଭୟ

ଭୟ ନାହିଁ ତୋତେ କଂସ ବୋଲେ ନନ୍ଦପୁଅ ।

କାଳୀୟ ଦଂଶିଲା ଦିନ ଦେଖିଲା ତୋ କୋପ

ନନ୍ଦ ବୁଡ଼ିଗଲେ ଜଳେ ଦେଖିଲି ପ୍ରତାପ ।

ନୟନ ପିତୁଳା ରାମକୃଷ୍ଣ ତୁମ୍ଭେ ଦୁଇ

ଅକ୍ରୂର ଖୋଳି ନେଉଛି ଅନ୍ଧ ହେବି ମୁହିଁ ।

ଯଶୋଦା ବିକଳ ଦେଖି ପ୍ରଭୁ ହଳଧର

ବୋଲନ୍ତି ଜନନୀ ଆଉ ରୋଦନ ନ କର ।

ଜନମ କାଳରୁ ଆମ୍ଭେ ଯାତ୍ରା ଦେଖି ନାହୁଁ

ଅକ୍ରୂର ଆସିଛି ଡାକି ତେଣୁ ସିନା ଯାଉ ।

କୃଷ୍ଣଙ୍କୁ ବୋଲନ୍ତି ଆସ ଆସ ବେଗକରି

ନବଦିନ ଯାତ୍ରା ଦେଖି ଫେରିବା ଏ ପୁରୀ ।

କରିବେ ଶ୍ରଦ୍ଧା ଆମ୍ଭଙ୍କୁ ମାମୁଁ ମାଈଁମାନେ

ଅଛନ୍ତି ବହୁତ ରାଜା ଦେଖିବା ନୟନେ ।

ଜନମ କାଳରୁ ଏହି ଗୋପପୁରେ ରହି

ଯାତ୍ରା ଉତ୍ସବ କିପରି ଦିନେ ଦେଖା ନାହିଁ ।

ତୁହି ଯେବେ ନ ଯିବୁଟି ଗୋପ ସ୍ନେହ ଧରି

ସତ୍ୟ ମୁଁ କରୁଛି ନିଶ୍ଚେ ଯିବି ମଧୁପୁରୀ ।

ବୋଲନ୍ତି ରାମ ବଚନ ଶୁଣି ନାରାୟଣ

ଶୁଣ ଶୁଣ ଅକ୍ରୂର ହେ ମୋହର ବଚନ ।

ବଳରାମଙ୍କ ବଚନ ଅନ୍ୟଥା ନୁହଇ

ନିଶ୍ଚେ ଯିବେ ଯାତ୍ରା ଦେଖି ସତ୍ୟ କଲେ ସେହି

ସେ ଯାହା କହନ୍ତି କେବେ ନୁହଇଟି ଆନ

ମିଥ୍ୟା ନୁହଇ କଦାପି ତାହାଙ୍କ ବଚନ ।

ବଳରାମ ଗଲେ ମୁଁ କି ରହିପାରେ ଏଥି

ଏ କଥାକୁ ମନ ମଧ୍ୟେ ନ କରି ଗୋ ଭ୍ରାନ୍ତି ।

କ୍ଷଣେ ମାତ୍ର ବଳରାମ ମୋତେ ନ ଛାଡ଼ନ୍ତି

ଯହିଁ ଗଲେ ତହିଁ ମୋତେ ସଙ୍ଗେ ନେଇଯାନ୍ତି ।

ଗୋପାଳେ ତ ଦଧି ଘୃତ ସର ଘେନି ଯିବେ

ରାଜା ପାଶେ ଭେଟି ଧନୁ ଉତ୍ସବ ଦେଖିବେ ।

ନବଦିନ ଯାତ୍ରା ମଧୂପୁରରେ ଦେଖିବୁ

ଗୋପକୁ ଆସିଣ ପୁଣି ବତ୍ସା ଚରାଇବୁ ।

ଗୋପୀମାନେ ତ ମୋହର ହୃଦୟର ହାର

କେମନ୍ତେ ଛାଡ଼ିବି ତାଙ୍କୁ କହ ମନ୍ତ୍ରୀବର ।

ଏ ଗୋପ ନଗର ପିଣ୍ଡ ମୁଁ ତାର ଜୀବନ

ନବଦିନ ହେବ ନବ ଯୁଗର ସମାନ ।

ନ ଗଲେଟି ବଳରାମ ସତ୍ୟ ଭଗ୍ନ ହେବେ

ପ୍ରଜ୍ୱଳିତ କୋପାନଳେ ଗୋପକୁ ଦହିବେ ।

ପୁଣିହିଁ ବୋଲନ୍ତି ଉଚ୍ଚେ ଡାକି ହଳପାଣି

ଏ ଗୋପ ନଗରେ ଛନ୍ତି ଯେତେକ କାମିନୀ ।

ଆବର ବୃଦ୍ଧ ଗୋପାଳ ରହିଥାନ୍ତୁ ପୁରେ

ଯାତ୍ରା ସ୍ଥାନେ ଗୋଳମାଳ ଲାଗେ ନିରନ୍ତରେ ।

ବହୁ ବଳିଷ୍ଠ ଅସୁରେ ତହିଁ ଥିବେ ରହି

ନାରୀଙ୍କ ମହତ ଯାତ୍ରା ପୂର୍ବେ ନ ରହଇ ।

ଅବଳା ଜାତି ଯେ ତାଙ୍କୁ କରେ ବଳାତ୍କାର

ତା ସଙ୍ଗେ ରହିଣ ସେହୁ କରନ୍ତି ବିହାର ।

ନାରୀମାନେ ଯିବା ପାଇଁ ହେବେ ଅଗ୍ରସର

ନ କରନ୍ତି ଭଲ ମନ୍ଦ କଥାକୁ ବିଚାର ।

ଆମ ଗୋପୀମାନେ ସର୍ବେ ବୟସେ ଷୋଡ଼ଶୀ

ମତ୍ତଗର୍ବେ ସବୁକଥା କହୁଥାନ୍ତି ହସି ।

କଂସ ନୃପତିର ଆମ୍ଭେ ଅଟୁ ତ ବଇରୀ

ମହତ ସାରିବେ ନିଶ୍ଚେ ନ ଶୁଣି ଗୁହାରି ।

ଅନେକ ଦେଶରୁ ଆସିଥିବେ ରାଜାମାନେ

ଗୋପୀମାନଙ୍କୁ ଦେଖିଲେ ହସିବେ ସେମାନେ

ନ ଯାନ୍ତୁ ସେମାନେ ନିଜ ପୁରେ ଥାନ୍ତୁ ରହି

କହିଲେ କୃଷ୍ଣଙ୍କୁ ଏହା ଯହୁଁ ହଳସାଇଁ ।

ରାମ କୃଷ୍ଣଙ୍କ ବଚନ ଶୁଣି ଯଶୋବନ୍ତୀ

ବିଚାରଇ ରାମ ସତ୍ୟ ଆଜି କରିଛନ୍ତି ।

ମଧୁପୁରେ ଯିବେ ନିଶ୍ଚେ କୃଷ୍ଣ ସଙ୍ଗେ ଧରି

କାହା ମୁଖ ଅନାଇ ମୁଁ ଥିବି ଗୋପପୁରୀ ।

ହା ହା ରାମକୃଷ୍ଣ ବୋଲି ଢଳିଣ ପଡ଼ିଲେ

ତାହା ଦେଖି ନନ୍ଦ ଢଳି ପଡ଼ିଲେ ଭୂତଳେ ।

ଅଚେତ ହୋଇ ପଡ଼ିଲେ ରାଜାରାଣୀ ଦୁଇ

ଦେଖି ଗୋପୀମାନେ ଆହା ଆହା କରି ଧାଇଁ ।

କୃଷ୍ଣ ଦେଖି ମନେ ମନେ କରନ୍ତି ଭାଳେଣି

ନନ୍ଦ ଯଶୋଦା ଯେ ଲୋଟୁଅଛନ୍ତି ଧରଣୀ ।

ହା ହା ମାତା ବୋଲି ଯେ କାନ୍ଦନ୍ତି ଉଚ୍ଚସ୍ୱରେ

ନ ଶୁଣଇ ରାଣୀ ପଡ଼ିଅଛି ଅଜ୍ଞାନରେ ।

ଦେଖି ଗୋପୀମାନେ ସବୁ ହୁଅନ୍ତି ବିକଳ

ଗୋପୀନାଥ ନାମ ପରା ବହୁ ନନ୍ଦବାଳ ।

ଗୋପୀଙ୍କି ମାରି ଅର୍ଜିବୁ ଅବା କେଉଁ ଦୋଷ

ସ୍ତିରୀ ହତ୍ୟାକୁ କି ଭୟ ନାହିଁ ପୀତବାସ ।

ଗୋପୀଏକ ଥାଇ ତହିଁ ବୋଲେ କ୍ରୋଧଭରେ

କୃଷ୍ଣ ବଡ଼ ନିର୍ଭୟ ଗୋ ଦେଖିଲି ନେତ୍ରରେ ।

ଅନ୍ତୁଡ଼ିଶାଳେ ପୂତନା ରାକ୍ଷସୀ ମାଇଲା

ନାରୀହତ୍ୟା ତାହାକୁ ଗୋ କେଉଁଠି ଲାଗିଲା ।

ପୁଣି ଗୋପୀଏ କ୍ରୋଧରେ କହୁଅଛି ବାଣୀ

କୃଷ୍ଣ କଥାମାନ କେହି ନ କୁହ ଗୋପିନୀ ।

ଗୋଷ୍ଠରେ କଚାଡ଼ି ଦେଲା ସେ ଷଣ୍ଢ ଗୋଟାଏ

ଗୋରୁହତ୍ୟା ଦୋଷକୁ ସେ ନ କରିଲା ଭୟେ

ତୁମ୍ଭେମାନେ ମଲେ ଏବେ କିସ ଯିବ ତାର

ମାତ୍ର କଥା ଏକ ମୋତେ ଦିଶୁଛି ବିଚାର ।

ଆମ୍ଭେ ଯେତେ ଗୋପୀ କୃଷ୍ଣ ପାଦରେ ପଡ଼ିବା

ବିନୟ ଭାବରେ ତାର ଆଗେ ଜଣାଇବା ।

ବୋଲିବା ହେ କୃଷ୍ଣ ତୁମ୍ଭେ ନ ଯା ମଧୁପୁର

ବାହୁଡ଼ାଇ ଅକ୍ରୂର ଯେ ନେଉ ରହୁବର ।

ଆମ୍ଭର ବିନୟ ଭାବ ନ ଘେନିଲେ ହରି

ଅକ୍ରୂରକୁ ମାରିବା ଗୋ ବେଢ଼ି ଗୋପନାରୀ ।

ଅକ୍ରୂର ନିମନ୍ତେ ଯେବେ କରିବେ ସେ ରୋଷ

ଯେତେ ଗୋପୀ ଖାଇଗୋ ମରିବା ସର୍ବେ ବିଷ

ଆମ୍ଭେ ମଲେ ମରିବ ସେ ରାଣୀ ଯଶୋମତୀ

ସେ ମଲେ ମରିବ ନନ୍ଦ ସରିବ ସମ୍ପତ୍ତି ।

ଶୂନ୍ୟ ହୋଇବ ଏ ଗୋପ ମରିବେ ସକଳେ

ଅପମୃତ୍ୟୁ ଘୋଟିବ ଗୋ ମରିବେ ଗୋପାଳେ

ନାରୀ ନିଃଶ୍ୱାସ ଆମ୍ଭର ଅଟେ ବଳୀୟାର

ପୋଡ଼ିଯିବ ତହିଁ ବୃନ୍ଦାବନ ଗୋପପୁର ।

ଯମୁନା କାଳିନ୍ଦୀ ସବୁ କ୍ଷଣେ ଯିବ ନାଶ

କଦମ୍ବ ତରୁ ଜଳିଣ ହୋଇବ ପାଉଁଶ ।

ଶୂନ୍ୟ ଦେହେ ଗୋପେ କୃଷ୍ଣ ରହିଥିବେ ଏକା

ରୋହିଣୀନନ୍ଦନ ହଳୀ ହୋଇଥିବେ ସଖା ।

ଛାରଖାର ହୋଇଯିବ ଏ ଗୋପ ଭୁବନ

କୃଷ୍ଣ ଗଲେ ସର୍ବେ ନିଶ୍ଚେ ହାରିବେ ଜୀବନ ।

ନୋହିଲେ ଅନ୍ଧୁଣୀ ହୋଇ ବସିବାକ ବୋଲେ

ଅନ୍ୟ ବୋଲେ ଚକ୍ଷୁ ଫୁଟିଯିବଟି ଗୋ ବଳେ ।

ଗୋପୀଏ ଏପରି ନାନା ପ୍ରକାରେ ଭାବନ୍ତି

ଏକକୁ ଆରେକ ଚାହିଁ କୁହାକୁହି ହୋନ୍ତି ।

ଜାଣିଲେ ଗୋପୀଙ୍କ ମନ ଦେବ ଜନାର୍ଦ୍ଦନ

ନେତ୍ରରେ ଦେଖିଲେ ଗୋପୀମାନଙ୍କ କଷଣ

ଘଡ଼ିଘଡ଼ି ନନ୍ଦ ଯଶୋଦାଙ୍କ ମୂର୍ଚ୍ଛା ଦେଖି

ବିଚାରିଲେ ଗୋପଜନେ ନିଶ୍ଚେ ହେଲେ ଦୁଃଖୀ

କଟାଳ କରି ଗୋପୀଏ ଯେବେ ନ ଛାଡ଼ିବେ

ମୁଁ ନ ଗଲେ ମଧୁପୁରେ ରକ୍ଷେ ନ ମରିବେ ।

ମାୟାଧର କୃଷ ମାୟା ଜାଣନ୍ତି ବହୁତ

ବିଷ୍ଣୁମାୟାରେ ଗୋପୀଙ୍କି କଲେ ସେ ମୋହିତ ।

ନନ୍ଦ ଯଶୋଦାଙ୍କ ସ୍ନେହ ଦେଖିଲେ ଅକ୍ରୂର

ଗୋପୀଙ୍କର ଭାବ ଦେଖି କରନ୍ତି ବିଚାର ।

କେମନ୍ତ ଉପାୟେ କୃଷ୍ଣ ଯିବେ ମଧୁପୁର

କୃଷ୍ଣ ନ ଦେଖିଲେ କଂସ ଛେଦିବ ମୋ ଶିର ।

ମୂର୍ଖ ଅଟେ ବିଚାର ତା ତିଳେମାତ୍ର ନାହିଁ

ଚିହ୍ନି ନ ପାରି କୃଷ୍ଣଙ୍କୁ ମାରିବ ବୋଲଇ ।

ସାକ୍ଷାତେ ବ୍ରହ୍ମା ଅଟନ୍ତି ଯେଉଁ ଗୋପୀନାଥ

ଅସୁର ମାରିବା ପାଇଁ ହୋଇଛନ୍ତି ଜାତ ।

ଗୋପାଳୁଣୀ ନୁହନ୍ତି ଏ ଗୋପକନ୍ୟାମାନେ

ନାନାରୂପେ କମଳିନୀ ଜାତ କି ଏ ସ୍ଥାନେ ।

ତେଣୁକରି ପ୍ରଭୁଙ୍କୁ ସେ କରନ୍ତି ବନ୍ଧନ

ନନ୍ଦ ଯଶୋଦା ପ୍ରଭୁଙ୍କ ତାତ ମାତ ପୁଣ ।

ପୂର୍ବେ ବିଷ୍ଣୁ ଚରଣେ ସେ କରିଥିଲେ ତପ

ତେଣୁ ସାକ୍ଷାତେ ଧଇଲେ କୋଳେ ବ୍ରହ୍ମରୂପ

ଗୋପୀଙ୍କର ଭାବ ଦେଖିଣ ବୁଦ୍ଧି ନ ଦିଶଇ

ଗୋପୀଙ୍କ ଭାବରେ ବସିଛନ୍ତି ଭାବଗ୍ରାହୀ ।

ଏମନ୍ତ ଭାବି ଅକ୍ରୂର କୃଷ୍ଣ ମୁଖ ଚାହିଁ

କୃଷ୍ଣ ଭାବି ଭାବି ନେତ୍ରୁ ଅଶ୍ରୁ ବରଷଇ ।

ପଞ୍ଚମନ ତାର କୃଷ୍ଣ ପାଦପଦ୍ମ ଦେଇ

ମନେ ମନେ ନାନା କଥା ବିଚାର କରଇ ।

ଗୋପୀମାନେ ଦେଖିଲେ ଯେ ଅକ୍ରୂର ବଦନ

କେ ବୋଲେ ଅକ୍ରୂର ଦେଖ କରଇ ରୋଦନ ।

ଆମ୍ଭମାନଙ୍କ ବିଚାର ଜାଣିଲା ବା କାହୁଁ

ମାରିବେ ଗୋପୀଏ ବୋଲି କାନ୍ଦୁଅଛି ସେହୁ ।

ଦେଖ ରାମକୃଷ୍ଣ କରୁ ନାହାନ୍ତି ପ୍ରବୋଧ

ମନେ ହେଉଛି ପରତେ ହେବ ସେ କି ବୋଧ

ଏମନ୍ତ ସମୟେ କୃଷ୍ଣ ନନ୍ଦ ପାଶେ ଗଲେ

ପିତା ମାତା ପାଦ ତଳେ ଯାଇଣ ପଡ଼ିଲେ ।

ମାୟାରେ ମୋହିତ ନନ୍ଦ ଯଶୋଦାଙ୍କୁ କରି

ଯାହାର ମାୟାରେ ଭ୍ରମି ହୋନ୍ତି ଶୂଳଧାରୀ ।

ନର ଦେହ ବହି କାହୁଁ ସେ ମାୟା ଜାଣିବେ

ବ୍ରହ୍ମା ରୁଦ୍ର ଯା ମାୟାକୁ ନ ଜାଣନ୍ତି ଲବେ ।

ନନ୍ଦ ଯଶୋଦା ଯେ ସେ ମାୟାରେ ବଶ ହେଲେ

ଭଲମନ୍ଦ କିଛିମାତ୍ର ଜାଣି ନ ପାରିଲେ ।

କୃଷ୍ଣ ବୋଲନ୍ତି ହେ ତାତ ଶୁଣ ମୋ ବଚନ

ଅକ୍ରୂର ଆଣିଛି କଂସ ରାଜାର ଲିଖନ ।

ଭିତର ପୁରକୁ ନେଇ ଗୌରବ କରିବା

ନାନା ଦ୍ରବ୍ୟ ଉପହାରେ ତା ସେବା କରିବା ।

ଭୋଜନ କରି ଅକ୍ରୂର ତୋଷୁ ପଞ୍ଚମନ

ରାଜାର ଶ୍ରୀମୁଖ ବାକ୍ୟ କରିବା ପଠନ ।

ଏକାନ୍ତ ସ୍ଥାନରେ ତାକୁ ବିନୟେ କହିବା

ବହୁତ ଧନ ରତନ ତାକୁ ଲାଞ୍ଚ ଦେବା ।

ତହିଁରେ ତାହାର ମନ ହୋଇବ ସନ୍ତୋଷ

ଧନ ପାଇ ଦୂତମାନେ ହୁଅନ୍ତିଟି ବଶ ।

ବିଶ୍ଵାସ କରାଇ ତାକୁ ସବୁ ପଚାରିବା

ତାଠାରୁ ଶୁଣିଲେ ସିନା ଉପାୟ କରିବା ।

ଲାଞ୍ଚ ପାଇ ଅକ୍ରୂର ଯେ ଯେବେ ବାହୁଡ଼ିବ

ରାଜାକୁ ମନାଇ ତେବେ ସକଳ କହିବ ।

ଅକ୍ରୂର କଥାକୁ ରାଜା କରି ଅବିଶ୍ଵାସ

ପୁଣି କହେ ନ ଆସିବେ ଆଉ ଗୋପଦେଶ ।

ଗୋମତ ଋଷିର ଶାପ ଅଛିଟି ତାହାକୁ

ତେଣୁକରି କଂସରାଜା ନ ଆସେ ଗୋପକୁ ।

ଋଷିଙ୍କ ଶାପ ନମାନି ଯେବେ ନ ଆସିବ

ମୁର୍ଦ୍ଧନୀ ଫାଟିଣ ତାର ଜୀବନ ଯେ ଯିବ ।

ସେ ମହାଋଷିଙ୍କ ଅଭିଶାପ ନୁହେଁ ଆନ

ସେ କଥା ନିଶ୍ଚୟ ଥିବ କଂସରାଜା ମନ ।

ଆହୁରି କଥାଏ ଶୁଣ କହୁଅଛି ତାତ

ସେ କଂସ ବ୍ରହ୍ମାଙ୍କୁ ତପେ କରିଲା ମୋହିତ ।

ଅମର ହୋଇବ ବୋଲି ବର ସେ ମାଗିଲା

ସନ୍ତୁଷ୍ଟ ହୋଇଣ ବ୍ରହ୍ମା ତାକୁ ବର ଦେଲା ।

ବୋଇଲା ଅମର ତୁରେ ହୋଇଲୁଟି କଂସ

ଏକା ତୋ ଭଣଜା ହସ୍ତେ ତୁହି ହେବୁ ନାଶ ।

ସେହି କଥା କଂସ ହୃଦ ପକାଉଛି ହାଣି

ବନ୍ଦୀକରି ରଖିଛି ସେ ଭିଣୋଇ ଭଉଣୀ ।

ସେ ଭଉଣୀ ଗର୍ଭୁ ଯେତେ ହେଉଛନ୍ତି ଜାତ

ସେମାନଙ୍କୁ କଂସରାଜା କରୁଛି ନିପାତ ।

ଏବେ ଶୁଣିଅଛି କୃଷ୍ଣ ଗୋପେ ହେଲେ ଜାତ

ତେଣୁ ସିନା ଗୋପକୁ ସେ ପେଶୁଅଛି ଦୂତ ।

ନବୁଝି କରିବା କିମ୍ପା ତା ସଙ୍ଗରେ ଦ୍ୱନ୍ଦ୍ୱ

କୃଷ୍ଣର ବଚନ ଶୁଣି ଶାନ୍ତ ହେଲେ ନନ୍ଦ ।

କୃଷ୍ଣ ଯେତେ କହିଲେ ତା ଶୁଣିଲା ଅକ୍ରୂର

ମନେ ବିଚାରିଲା ଏ ସାକ୍ଷାତେ ଚକ୍ରଧର ।

କହିଲେ କଂସର ମୃତ୍ୟୁ କଥା ନନ୍ଦ ଆଗେ

ଜାଣିଲେ ନିଶ୍ଚୟ କୃଷ୍ଣ କଂସକୁ ମାରିବେ ।

ମାତା ପିତାଙ୍କର ପାଦ ତଳେ କୃଷ୍ଣ ପଡ଼ି

ଉଭା ହୋଇଛନ୍ତି ତହିଁ କରପତ୍ର ଯୋଡ଼ି ।

ସାକ୍ଷାତେ ଅଟନ୍ତି ବ୍ରହ୍ମା ସେହି ବନମାଳୀ

ନନ୍ଦ ନର ହୋଇଥିଲେ ଯାଇଥାନ୍ତା ଜଳି ।

ମନୁଷ୍ୟ ନୁହଇ ଏହୁ ମନେ ବିଚାରିଲା

କୃଷ୍ଣର ମୁଖକୁ ପୁଣି ନିରେଖି ଚାହିଁଲା ।

ମନେ ମନେ ପ୍ରଶଂସା ଯେ କରଇ ଅକ୍ରୂର

ବୋଲେ ଧନ୍ୟ ଯଶୋମତୀ ନନ୍ଦ ନରେଶ୍ଵର ।

ଯାର ପୁତ୍ର ରାମକୃଷ୍ଣ ସେ କି ମର୍ତ୍ତ୍ୟ ନର

ଧନ୍ୟ ଗୋପୀମାନେ ତୁମ୍ଭେ ଧନ୍ୟ ଏ ନଗର ।

ଧନ୍ୟ ତୁମ୍ଭେ ଏ ପୁରୀରେ ଜନ୍ମିଅଛ ଯେତେ

ସାକ୍ଷାତେ ଦେଖିଲ ତୁମ୍ଭେ ବ୍ରହ୍ମ ଚର୍ମ ନେତ୍ରେ

ଏମନ୍ତ ବୋଲି ଅକ୍ରୂର ନନ୍ଦ ପାଦଧୂଳି

ନିସ୍ତରିଲି ବୋଲି ଅଙ୍ଗେ ହୋଇଲା ସେ ବୋଳି

ଭାବ ଦେଖି ତାକୁ ନନ୍ଦ କୋଳାଗ୍ରତ କଲେ

ହସ୍ତ ଧରି ଅନ୍ତଃପୁର ଭିତରକୁ ନେଲେ ।

ରାମକୃଷ୍ଣ ବେନିଭାଇ ଅଛନ୍ତି ଗୋଡ଼ାଇ

ତାହାଙ୍କ ପଛେ ଗୋପାଳେ କାନ୍ଦି କାନ୍ଦି ଧାଇଁ

ତହିଁ ପଛେ ଗୋପପୁର ଯେତେ ନରନାରୀ

ଠେଲାଠେଲି ହୋଇ ସର୍ବେ ଗଲେ ନନ୍ଦପୁରୀ ।

ନନ୍ଦ ସଙ୍ଗେ ଅକ୍ରୂର ଯେ ଅନ୍ତଃପୁର ଗଲା

ପୁର ଶୋଭାଦେଖି ମନ୍ତ୍ରୀ ମୋହିତ ହୋଇଲା ।

ଦ୍ୱିତୀୟ ବୈକୁଣ୍ଠ ପ୍ରାୟେ ଦିଶେ ନନ୍ଦପୁର

ଯହିଁ ନାରାୟଣ ନିତ୍ୟ କରନ୍ତି ବିହାର ।

ଯେଉଁ ପୁରେ ମହାଲକ୍ଷ୍ମୀ ଲୀଳା ଯେ କରନ୍ତି

ସେ ପୁରେ ଯମ କିଙ୍କର ପାଦ ନ ପକାନ୍ତି ।

ସେ ପୁର ଦେଖି ଅକ୍ରୂର ମନରେ ଚକିତ

ବିଚାରେ ପବିତ୍ର ଆଜି ହୋଇଲା ମୋ ନେତ୍ର ।

ଯେ ପୁର ବ୍ରହ୍ମା ଇନ୍ଦ୍ରାଦି ଦେବେ ଅଗୋଚର

ସେ ପୁର ଦେଖିଲି ନେତ୍ରେ କେଡ଼େ ଭାଗ୍ୟ ମୋର

କୋଟି ଜନ୍ମ ପାପ ଗଲା ହୋଇଲି ମୁକତ

ଯହୁଁ ଦୟା କଲେ ମୋତେ ଦେବକୀର ସୁତ ।

ଏମନ୍ତ ଭାବି ଅକ୍ରୂର ଭାବେ ଗଦଗଦ

ପୁଣି ଆନନ୍ଦେ ଧରଇ ନନ୍ଦରାଜା ପାଦ ।

ଦେଖି ନନ୍ଦ ହସ୍ତ ଧରି ଅକ୍ରୂରେ ଉଠାଇ

ଅନ୍ତଃପୁରେ ନେଇ ରତ୍ନ ପଲ୍ୟଙ୍କେ ବସାଇ ।

ରାମକୃଷ୍ଣ ନନ୍ଦ ଆଉ ଅକ୍ରୂରେ ଅନାଇ

ଯଶୋଦା ବୋଲନ୍ତି ବାବୁ ଶୁଣରେ କହ୍ନାଇଁ ।

ଅନେକ ବେଳୁ ଅକ୍ରୂର ଆସିଅଛି ରହି

ଧଉତ କରାଅ ପାଦ ଅନ୍ନ ଭୁଞ୍ଜ ଯାଇ ।

ତୁମ୍ଭେ ମଧ୍ୟ ବନୁ ଆସିଅଛରେ କୁମର

ନନ୍ଦ ମଧ୍ୟ କିଛି କରି ନାହାନ୍ତି ଆହାର ।

ଏବେ ତୁ ଅକ୍ରୂର ରାମ ନନ୍ଦ ସଙ୍ଗ ଧରି

ଭୋଜନ କରିବା ପାଇଁ ଚାଲ ଦଇତ୍ୟାରୀ ।

ମାତାଙ୍କ ବଚନେ କୃଷ୍ଣ କରନ୍ତି ଉତ୍ତର

କଂସ ନୃପତିର ମନ୍ତ୍ରୀ ଅଟଇ ଅକ୍ରୂର ।

ଯଦୁବଂଶେ ଜାତ ବହୁ ଲୋକରେ ଗଣିତା

ଆମ ଘରେ ଅନ୍ନ କିମ୍ପା ଭୁଞ୍ଜାଇବ ମାତା ।

ଗଉଡ଼ ବାଉଡ଼ ଆମ୍ଭେ ବଡ଼ ହୀନ ଜାତି

ଆମ ଘରେ ଅନ୍ନ କି ଭୁଞ୍ଜିବ ରାଜା ମନ୍ତ୍ରୀ ।

କଂସ ଶୁଣି ଅକ୍ରୂରକୁ କରିବ ଧିକ୍‌କାର

କୁଳରୁ ଯେ ଅକ୍ରୂରକୁ କରିବ ବାହାର ।

ମାତା ପିତା ବନ୍ଧୁଜନେ ଧିକ୍‌କାରି କହିବେ

ଗଉଡ଼ ଘରେ କେମନ୍ତେ ଖାଇଲୁ ବୋଲିବେ ।

ଆମ୍ଭ ଘରେ ବେଳେ ଖାଇ ନେବ ଅପମାନ

ଜାଣୁ ଜାଣୁ ଆମ୍ଭେ କିମ୍ପା ଭୁଞ୍ଜାଇବା ଅନ୍ନ ।

କୃଷ୍ଣ ବଚନେ ଯଶୋଦା ହୋଇଲେ ସ୍ତବଧ

ହୃଦେ ଭାବ ଜନମିଲା ସ୍ମରିଲେ ଗୋବିନ୍ଦ ।

ଭାବରେ ଯହୁଁ ଦେବୀ ଗୋବିନ୍ଦ ସୁମରିଲେ

ଅଜ୍ଞାନ ଯିବାରୁ ଜ୍ଞାନମାର୍ଗରେ ଭାଷିଲେ ।

ବିଷ୍ଣୁମାୟା ଛାଡ଼ିଲା ସେ ଗୋବିନ୍ଦ ସୁମରି

ସୁଜ୍ଞାନ ପବନ ହୃଦେ ବହିଲା ସଞ୍ଚରି ।

ବୋଲଇ ଗୋବିନ୍ଦ ଏବେ କହୁଅଛି ଶୁଣ

ସଂଶୟ ଜନ୍ମିଲା ମନେ ଶୁଣି ତୋ ବଚନ ।

ବୋଇଲୁ ଅକ୍ରୂର ଅଟେ ଜାତିରେଟି ବଡ଼

ଅନ୍ନ ନ ଖାଇବ ତୁ ଯେ ଜାତିରେ ଗଉଡ଼ ।

ଏକଥା ଶୁଣି ତୋର ମୁଁ ହୋଇଲି ଚକିତ

ଗୋପପୁରେ ଯାହା କଲୁ ଅତି ଆଚମ୍ବିତ ।

 

କୃଷ୍ଣଙ୍କ ବ୍ରାହ୍ମଣୀ ଦତ୍ତ ଅନ୍ନ ଭୋଜନ

ଦେବେ ଅଗୋଚର ତାହା ନର ଭେଦେ କାହୁଁ

ବିଷ୍ଣୁ ମାୟାଧର ତୁହୋ ନାନାକଥା କହୁ ।

ଗୋପସୁତ ସଙ୍ଗେ ଦିନେ ରଖିଗଲୁ ଗାଈ

ବନରେ ହଜିଲେ ଧେନୁ ନ ପାଇଲେ କେହି ।

ଖୋଜି ଖୋଜି ବନେ ଗୋରୁ ଯେଣୁ ନ ପାଇଲ

ଗୋପାଳଙ୍କୁ ଘେନି ବେନିଭାଇ ବଣା ହେଲ ।

ବାଟ ନ ପାଇ ଗୋପାଳେ ଆକୁଳ ହୋଇଲେ

କ୍ଷୁଧା ତୃଷା ଲାଗି ଆଉ ଚରଣ ନ ଚଳେ ।

ଭୋଜରାଜ ବ୍ରାହ୍ମଣ ଶାସନେ ପ୍ରବେଶିଲେ

ବୃନ୍ଦାବନ ଗୋବର୍ଦ୍ଧନ ଚିହ୍ନି ନ ପାରିଲେ ।

ଗୋପାଳେ ଡାକିଲେ କୃଷ୍ଣ ଶୁଣ ଦେଇ ମନ

କ୍ଷୁଧାରେ ଆକୁଳ ହେଲୁ ନ ଚଳେ ଚରଣ ।

ଧେନୁବତ୍ସା ହଜିଲେ ତ ଖୋଜି ନ ପାଇଲୁ

ଏବେ କ୍ଷୁଧା ତୃଷାରେଟି ଜୀବନ ହାରିଲୁ ।

ପୁଣି ତୁହି ଡାକିନେଇ ପାଶକୁ ଗୋପାଳ

ବୋଇଲୁ ଶୁଭଇ କାହିଁ ମାନବ ଚହଳ ।

ଶୁଭୁଅଛି ବେଦଧ୍ଵନି ବ୍ରାହ୍ମଣ ବଚନ

ଜଣାଯାଏ ଅଛି ଏଥି ବ୍ରାହ୍ମଣ ଶାସନ ।

ଯାଅରେ ଗୋପାଳେ ତାଙ୍କ ପାଖେ ପ୍ରବେଶିବ

ବିନୟ ଭାବରେ ସର୍ବେ ବଚନ କହିବ ।

ବ୍ରାହ୍ମଣ ଦେଖିବ ଯେବେ ଅପସରି ଯିବ

ବ୍ରାହ୍ମଣୀମାନଙ୍କୁ ଏକା ଦେଖିଲେ କହିବ ।

ବୋଲିବ ଶ୍ରୀକୃଷ୍ଣ ଆଜି ବଣାହୋଇ ବନେ

ଗୋଧନ ହରାଇ ବୁଲୁଛନ୍ତି ଏଣେ ତେଣେ ।

ଖୋଜି ଖୋଜି ବତ୍ସା ଧେନୁ ଯହୁଁ ନପାଇଲେ

କ୍ଷୁଧା ତୃଷା ହେତୁ ବଡ଼ ଆକୁଳ ହୋଇଲେ ।

ଆମ୍ଭଙ୍କୁ ଅଛନ୍ତି ପେଶି ତୁମ୍ଭ ସନ୍ନିଧାନ

ତୁମ୍ଭ ଅନ୍ନ ଖାଇ କୃଷ୍ଠ ତୋଷିବେ ଜୀବନ ।

ବହୁତ ଧର୍ମ ତୁମ୍ଭର ହୋଇବ ଗୋ ନାରୀ

ବିନୟ ଭାବରେ ଅନ୍ନ ମାଗୁଛନ୍ତି ହରି ।

ତୁମ୍ଭ ଅନ୍ନ ଖାଇ ଶାନ୍ତି କରିବେ ପରାଣ

ଗୋରୁଙ୍କୁ ଖୋଜିଣ ସେହ କରିବେ ଦୋହନ ।

ତୁମ୍ଭ ପାଇଁ ବହୁ କ୍ଷୀର ଦେବେ ପଠିଆଇ

ଧେନୁ ଘେନି ଗୋପକୁ ଯେ ଯିବେ ବେନିଭାଇ

ନନ୍ଦ ଯଶୋଦାଙ୍କ ଆଗେ କହିବ ସେ ଯାଇ

ତୁମ୍ଭ କଥାମାନ ଆଦ୍ୟ ପ୍ରାନ୍ତ ସେ ବୁଝାଇ ।

ଶୁଣି ରାଜନ ତୁମ୍ଭଙ୍କୁ ବହୁ ଧନ ଦେବେ

ବୋହିଆଣି ତୁମ୍ଭ ଘରେ ଦେଇଯିବୁ ସର୍ବେ ।

ଏମନ୍ତ ପ୍ରକାରେ ସର୍ବେ କହିବ ବୁଝାଇ

ଉପହାସ କଥା ନ କହିବ କେହି ତହିଁ ।

ମନ୍ଦ କଥା ନ କହିବ କିଛିରେ ଗୋପାଳ

ବ୍ରାହ୍ମଣେ ଶୁଣିଲେ ତାହା କରିବେଟି ଗୋଳ ।

ବ୍ରାହ୍ମଣେ ଯଦ୍ୟପି ଥିବେ କିଛି ନ କହିବ

ହେଲେ ହେଉ କ୍ଷୁଧା ତୃଷା ବାହୁଡ଼ି ଆସିବ ।

ବ୍ରାହ୍ମଣ କୋପକୁ ସଦାକାଳେ ମୁଁ ଡରଇ

ବ୍ରାହ୍ମଣର ଅଭିଶାପେ ସର୍ବନାଶ ହୋଇ ।

ଯାଅରେ ଗୋପାଳେ ଆଉ ବିଳମ୍ବ ନକର

ଶୁଣି ଗୋପ କୁମରେ ଚଳିଲେ ତତକାଳ ।

ଭୋଜପୁର ଶାସନରେ ପ୍ରବେଶ ହୋଇଲେ

ବ୍ରାହ୍ମଣମାନଙ୍କ ଗୃହ ଯାଇଣ ଦେଖିଲେ ।

ନାହାନ୍ତି ବ୍ରାହ୍ମଣମାନେ ଅଛନ୍ତି ବ୍ରାହ୍ମଣୀ

ତାହାଙ୍କୁ ଦେଖି କହନ୍ତି ଗୋପପୁଏ ବାଣୀ ।

ଆଗୋ ବିପ୍ରନାରୀ ସର୍ବେ ମନଦେଇ ଶୁଣ

ଗୋପରେ ଜନମ ଲଭିଛନ୍ତି ଭଗବାନ ।

କ୍ଷୁଧାରେ ଆକୁଳ ହୋଇ ନନ୍ଦର ନନ୍ଦନ

ହଜାଇଣ ଧେନୁ ବତ୍ସା ବୁଲି ବନ ବନ ।

ନ ପାଇଣ ଧେନୁ ବତ୍ସା ଆକୁଳ ହୋଇଲେ

ତୁମ୍ଭ ନିକଟକୁ ଆମ୍ଭମାନଙ୍କୁ ପେଶିଲେ ।

ଦିଅ ଗୋ ବ୍ରାହ୍ମଣୀମାନେ ଅନ୍ନ ବେଗ ହୋଇ

ତୁମ୍ଭ ଅନ୍ନ ଖାଇ ତୁଷ୍ଟ ହେବେ ଭାବଗ୍ରାହୀ ।

ଆମ୍ଭେ ଗୋପପୁଏ ଖାଇ ରଖିବୁ ଜୀବନ

କାହୁଁ ନ ପାଇଲେ ଅନ୍ନ ଗଲା ଆମ୍ଭ ପ୍ରାଣ ।

ଗୋପାଳ ବାଳ ପୁଅଙ୍କୁ ଦେଖି ବିପ୍ରନାରୀ

ବିଚାରନ୍ତି ଏମାନେ କି ଦେବ ମୂର୍ତ୍ତିଧାରୀ ।

କିପରି ଏହାଙ୍କୁ ମୁରୁଛିଲେ ପିତାମାତା

ବନେ ପଠାଇ ଦେଲେ ନ କରିଣ ଚିନ୍ତା ।

ସୁନ୍ଦର ଦିଶନ୍ତି କେଡ଼େ ଏ ଗୋପ ନନ୍ଦନ

ତ୍ରିପୁରେ ଏହାଙ୍କ ସଙ୍ଗେ କେ ଅଛି ସମାନ ।

ମନେ ମନେ ଏହିପରି ଭାବିଲେ ବ୍ରାହ୍ମଣୀ

ଏକକୁ ଆରେକ କୁହାକୁହି ହୋନ୍ତି ପୁଣି ।

ଯେ ଯାହା ଅପୂର୍ବ ଦ୍ରବ୍ୟ ଗୃହେ ଅଛ ରଖି

ବେଗକରି ଆଣ ସର୍ବେ ଯିବା କୃଷ୍ଣ ଦେଖି ।

ଶୁଣିଥିଲେ ରାମକୃଷ୍ଣ ଗୋପେ ହେଲେ ଜାତ

ସୁନ୍ଦରପଣରେ ମୋହୁଅଛନ୍ତି ଜଗତ ।

ଗୋପୀଗଣ ଘେନି ବୃନ୍ଦାବନେ ବିହରନ୍ତି

କଦମ୍ବ ମୂଳରେ ନିତି ରାସ ସେ କରନ୍ତି ।

ଶୁଣିଥିଲେ ଯାହା ତାହା ନୟନେ ଦେଖିବା

ବିଳମ୍ବ ନକରି ସଖୀ ଚାଲ ବେଗେ ଯିବା ।

ଏତେ ବୋଲି ବ୍ରାହ୍ମଣୀଏ ସଜାଡ଼ିଲେ ଅନ୍ନ

ବୋଲନ୍ତି ଗୋପାଳ ପୁଏ ଶୁଣରେ ବଚନ ।

ତୁମ୍ଭେ ସବୁ ବସି ଏହିଠାରେ ଭୁଞ୍ଜି ଅନ୍ନ

ଉଦର ପୁରାଇ ଖାଅ ଯେତେ ଯାର ମନ ।

କଳା ପଡ଼ିଛି ବଦନ ଯାଇଅଛି ଶୁଖି

ଜନ୍ମ ସୁକୁମାର ପୁତ୍ର ହୋଇଲରେ ଦୁଃଖୀ ।

ଯେବେ ଆମ୍ଭ ଗର୍ଭେ ତୁମେ ହୋଇଥାନ୍ତ ଜାତ

କରିଥାନ୍ତୁ ଗଳାହାର ତୁମ୍ଭଙ୍କୁରେ ସୁତ ।

ବ୍ରାହ୍ମଣୀ ବାକ୍ୟେ ବୋଲନ୍ତି ସେ ଗୋପାଳପୁଏ

ବିଧି ତ ଗଉଡ଼ ଘରେ ଜନ୍ମ ଦେଲା ମାଏ ।

ବାଳୁତ କାଳରୁ ଗାଈ ବାଛୁରୀ ଚରାଉଁ

ବନ ପର୍ବତରେ ବୁଲି ବୁଲି ଭାତ ଖାଉ ।

ବଡ଼ ନିଷ୍ଣୁର ଗଉଡ଼େ ଦୟା ନ ବହନ୍ତି

ନ ଜାଣନ୍ତି ଧର୍ମ କର୍ମ ପାଠ ନ ପଢ଼ନ୍ତି ।

କହନ୍ତି କଟୁବଚନ କରୁଥାନ୍ତି ଆଣ୍ଟ

ଦୁଧଭାତ ଖାଇ ପେଟ କରୁଥାନ୍ତି ମୋଟ ।

ବଳବନ୍ତ ପଣେ ଆଗ ପଛ ନ ବିଚାରି

ନ ବୁଝି କଥାର ସାର ଧାଉଁଥାନ୍ତି ମାରି ।

କରୁଥାନ୍ତି ପର ସଙ୍ଗେ ଦ୍ୱନ୍ଦ୍ୱ ନିରନ୍ତର

କଂସକୁ ଯାହାଙ୍କ ମନେ ତିଳେ ନାହିଁ ଡର ।

ବାଳକ ବୋଲି ଆମ୍ଭଙ୍କୁ ଦୟା କି କରିବେ

ଆମ୍ଭେ ନ କଲେ ସେ ରାଜାକର କାହୁଁ ଦେବେ

ଆବର କଥାଏ ତୁମ୍ଭେ ଶୁଣ ଗୋ ଆମର

ରାମକୃଷ୍ଣ ଛାଡ଼ି ଆମ୍ଭେ ନ କରୁ ଆହାର ।

କେଭେ ନ ଖାଇବୁ ଏଥେ ଶୁଣ ଗୋ ଜନନୀ

ଦୟାକରି ଯେବେ ଦିଅ ସଙ୍ଗେ ଯିବୁ ଘେନି ।

କୃଷ୍ଣ ସଙ୍ଗେ ବସି ଆମ୍ଭେ କରିବୁ ଆହାର

କ୍ଷୁଧାରେ ତ ରାମକୃଷ୍ଣ ହେବେଣି କାତର

ଆମ୍ଭର ବାଟକୁ ଚାହିଁଥିବେ ଅନୁକ୍ଷଣେ

ସଖାମାନେ ଅନ୍ନ ଆଣୁଥିବେ ଭାବି ମନେ ।

ବିଳମ୍ବ ନ କରି ଅନ୍ନ ଦିଅ ଗୋ ସତ୍ୱରେ

ବ୍ରାହ୍ମଣୀ ବୋଇଲେ କ୍ଷଣେ ରହରେ କୁମରେ ।

ବାଳୁତ କୁମର ତୁମ୍ଭେ ନ ପାରିବ ବହି

ଆମ୍ଭେ ଯିବୁଟି ତୁମ୍ଭର ସଙ୍ଗେ ଅନ୍ନ ନେଇ ।

ଦେଖିବୁ ରାମକୃଷ୍ଣଙ୍କୁ ଶ୍ରଦ୍ଧା ଅଛୁ କରି

ବାଳକେ କଢ଼ାଅ ବାଟ କିଛି ନ ବିଚାରି ।

ଏମନ୍ତ ବେଳେ ବ୍ରାହ୍ମଣ ହୋଇଲେ ପ୍ରବେଶ

ଗୋପାଳ ପୁଅକୁ ଦେଖି ମନେ କଲେ ରୋଷ ।

ବୋଇଲେ ଗଉଡ଼େ ତୁମ୍ଭେ ଆସିଛ କିମ୍ପାଇ

ଶୁଣି ବ୍ରାହ୍ମଣୀ କହିଲେ ଆଗଭର ହୋଇ ।

ଶୁଣ ହେ ବ୍ରାହ୍ମଣମାନେ ଆମ୍ଭର ଏ ବାଣୀ

ଗୋପପୁରେ ଜାତ ରାମକୃଷ୍ଣ ଭାଇ ବେନି ।

ବନେ ଆଜି ଗାଈ ଆଣି ପଥବଣା ହେଲେ

ବୁଲି ବୁଲି କ୍ଷୁଧାରେ ସେ ଅସ୍ଥିର ହୋଇଲେ ।

ଏ ବାଳକମାନଙ୍କୁ ସେ ଅଛନ୍ତି ପଠାଇ

ବ୍ରାହ୍ମଣଙ୍କ ଘରୁ ଅନ୍ନ ମାଗିଆଣ ଯାଇ ।

ତାଙ୍କ ବଚନେ ବାଳକେ ଆସିଛନ୍ତି ଧାଇଁ

ଯାଚିଲୁ ଏଠାରେ ଅନ୍ନ ନ ଖାଇଲେ କେହି ।

ବୋଇଲେ ଏ ରାମକୃଷ୍ଣ ନ କଲେ ଭୋଜନ

କେମନ୍ତେ ଭୁଞ୍ଜିବୁ ଆମ୍ଭେ ତୁମ୍ଭ ଘରେ ଅନ୍ନ ।

ବାଳକ ନନ୍ଦନ ଦେଖ ଏହାଙ୍କ ବିଚାର

ଏଣୁ ଅନ୍ନ ନେଇଯିବୁ ଏହାଙ୍କ ସଙ୍ଗର ।

ଅନ୍ନ ଦେଇଣ କୃଷ୍ଣଙ୍କୁ ଦେଖିବୁ ନୟନେ ।

ଭୁବନ ମୋହନ ସେହି ଯଶୋଦାନନ୍ଦନେ ।

ଗୋପକୁ ତ କେବେ ତୁମେ ନ ଛାଡ଼ିବ ନାଥ

କାହୁଁ ଦେଖିବୁଟି ଆମ୍ଭେ ଯଶୋଦାଙ୍କ ସୁତ ।

ଦେବଯୋଗେ ବଣାହୋଇ ସେ ଦୁଇ ସୋଦର

କ୍ଷୁଧାରେ ଅନ୍ନ ମଗାଇଛନ୍ତି ଆମ୍ଭ ଘର ।

ବ୍ରାହ୍ମଣ ବୋଲି ଆମ୍ଭଙ୍କୁ ଅନ୍ନ ସେ ମାଗନ୍ତି

ଆମ ଅନ୍ନ ଖାଇ ମନ କରିବେ ତୃପତି ।

ଏ ବାଳକ ପୋଏ ଅନ୍ନ ବୋହି ନ ପାରିବେ

ଅନ୍ନ ନେଲେ ଶ୍ରୀକୃଷ୍ଣଙ୍କୁ ଦେଖିବୁଟି ଆମ୍ଭେ ।

ବ୍ରାହ୍ମଣୀଙ୍କ ବଚନକୁ ବ୍ରାହ୍ମଣେ ଶୁଣିଲେ

କ୍ରୋଧଭରେ ଗୋପାଳଙ୍କୁ ନାନା ଗାଳିଦେଲେ

ଆରେ ଗୋପାଳେ ତୁମ୍ଭଙ୍କୁ ତିଳେ ଭୟ ନାହିଁ

ଜଳନ୍ତା ଅନଳେ ଆସି ପଶିଲ ଝସାଇ ।

ଜାତିରେ ବ୍ରାହ୍ମଣ ଆମେ ସବୁ ବର୍ଣ୍ଣେ ରାଜା

କରନ୍ତି ସକଳ ଜନେ ଆମ୍ଭ ପାଦ ପୂଜା ।

ଦେବତାମାନେ ଆମ୍ଭର ପୂଜାରେ ତୃପତି

ନ ହୁଅନ୍ତି ତୃପ୍ତ ଯେବେ ପୂଜେ ଅନ୍ୟ ଜାତି ।

ଆମ୍ଭେ ଦେଲେ ସେମାନେ ଯେ କରିବେ ଭୋଜନ

ନ ଭୁଞ୍ଜନ୍ତି ଆନ ଜାତି ଦେଲେ ନାରାୟଣ ।

ଆମ୍ଭ ଅନ୍ନ ନିତି ବିଷ୍ଣୁ କରନ୍ତି ଭକ୍ଷଣ

ଆମ୍ଭ କ୍ରୋଧକୁ ଡରନ୍ତି ସୁର ନରଗଣ ।

ଜାତିରେ ଗଉଡ଼ ତୁମ୍ଭେ ବୁଦ୍ଧି ତୁମ ହୀନ

ବୋଲୁଛ ଯେ ରାମକୃଷ୍ଣ ଅଟେ ବଡ଼ଜନ ।

ଆମ୍ଭ ନାରୀମାନଙ୍କୁ ରେ କହ ଭଣ୍ଡକରି

ଆମ୍ଭର କ୍ରୋଧରେ ତୁମ୍ଭେ ଯିବ ଯମପୁରୀ ।

ଶୁଣିଛୁ କୃଷ୍ଣର ଆମେ ବାଳକାଳ କୀର୍ତ୍ତି

ଅନ୍ତୁଡ଼ିଶାଳେ ମାଇଲା ପୁତନା ଯୁବତୀ ।

ନାରୀହତ୍ୟା ହେବ ବୋଲି ବିଚାରିଲା ନାହିଁ

ପୁଣି ଶୁଣିଛୁ ଷଣ୍ଢେକ ମାରିଥିଲା ସେହି ।

ଗୋପରେ ଜ୍ଞାତିବାନ୍ଧବମାନଙ୍କ ଘରଣୀ

ବଳେ ହରଣ କରିଛି ତାହା ଅଛୁ ଶୁଣି ।

କଂସ ଯେତେ ଦୈତ୍ୟକୁ ପେଶିଲା ଗୋପପୁର

ଶୁଣିଲୁ ମାଇଲା ସବୁ ନନ୍ଦର କୁମର ।

ଏବେ ବନେ ବଣା ହୋଇ ମଗାଇଛି ଭାତ

ଆମ୍ଭ ନାରୀମାନଙ୍କର ନେବ ସେ ମହତ ।

ସୁନ୍ଦରପଣ ଶୁଣି ସେ ତୁମ୍ଭଙ୍କୁ ପେଶିଛି

ଆମ ନାରୀଏ ସୁନ୍ଦରୀ ବୟସେ ଷୋଡ଼ଶୀ ।

କେ କହିଲା ତାକୁ ଆମ୍ଭ ନାରୀ କଥାମାନ

କୂଟେ ପେଶିଛି ତୁମ୍ଭଙ୍କୁ ନନ୍ଦର ନନ୍ଦନ ।

ଦେଖ ଆମ୍ଭ ନାରୀଙ୍କର ଶୋଭାକୁରେ ପୋଏ

ଉପମା ଦେବାକୁ ଗୋପେ ନ ଥିବେ ଗୋଟିଏ ।

ସୁନ୍ଦରପଣକୁ ଲୋଭ କରି ନନ୍ଦସୁତ

ଆମ ଲାଗି କଂସ ହସ୍ତେ ହୋଇବ ସେ ହତ ।

ଗୋପପୁର ଭାବିକି ଆସିଛ ଗୋପପୁଅ

ଏ ଭୋଜପୁର ଶାସନ ନାହିଁ ତୁମ୍ଭ ଭୟ ।

ଭୋଜ ନବରର ଏହି ଆସନ ଅଟଇ

ଏଠାରେ କାହାର ଆଜ୍ଞା ପାଳିତ ନୁହଇ ।

ଏ ଶାସନ ସୀମାକୁ ଯେ ନ ପେଶଇ ଦୂତ

ବଂଶରେ ତାହାର ଯେତେ ହୋଇବେଟି ଜାତ

କେହି ଏ ଶାସନେ ଜଳ ନ କରନ୍ତି ପାନ

ଶାସନ ପଦାର୍ଥ ତାକୁ ଗରଳ ସମାନ ।

ତୁମ କୃଷ୍ଣ କିମ୍ପା ରାଜଧର୍ମ କରେ ନାଶ

ବ୍ରାହ୍ମଣ ଶାପରେ ନିଶ୍ଚେ ବଂଶ ଯିବ ନାଶ ।

ବ୍ରହ୍ମ ପତ୍ନୀ ହରିବାକୁ ଆଶା ବଳାଇଲା

ଯହିଁ ନାଶଯିବ ସେହି ବୁଦ୍ଧିକି ପାଞ୍ଚିଲା ।

ପଳାଅ ଗୋପାଳେ ଏଥୁ ନ ରହରେ କ୍ଷଣେ

ନିଷ୍ଠୁର ବଚନ ଯହୁଁ କହିଲେ ବ୍ରାହ୍ମଣେ ।

ଗୋପାଳେ ଶୁଣିଣ ତାହା ବୋଇଲେ ଉତ୍ତର

ବ୍ରାହ୍ମଣ ବୋଲି ଆସିଲୁ ସିନା ତୁମ ଘର ।

ମାଗି ଖାଇଲେ କିମ୍ପାଇ ଦୋଷ ହେ ଲାଗିବ

ଚୋରୀ ନାରୀ କଲେ ସିନା କଳଙ୍କ ରଟିବ ।

ଶୁଣ ହୋ ବ୍ରାହ୍ମଣଗଣେ ଶୁଣିଛ ପୁରାଣେ

ଦାନ ପ୍ରତିଗ୍ରହ କରୁଥାନ୍ତି ଯେ ବ୍ରାହ୍ମଣେ ।

ମହାପାତକୀ ହୁଅନ୍ତି ସେ ଏହୁ ଜଗତେ

ଦରିଦ୍ରରେ ଲେଖା ହୁଅନ୍ତି ସେ ଜନ୍ମ ସାତେ ।

ତୁମେ ତ ବ୍ରାହ୍ମଣ ଆଗ ପଛ ନ ବିଚାର

ଯେ ଦାନ ଦିଅଇ ବଳେ ନିଅ ତୁମ ଘର ।

ଆମେ ଭାତ ମାଗିବାରୁ କୁହ କ୍ରୋଧକରି

ନ ଦିଅ ପଛକେ ଭାତ ଯାଉଅଛୁ ଫେରି ।

ବଣା ହୋଇ କୃଷ୍ଣ ହେଲେ କ୍ଷୁଧାରେ ଆରତ

ତେଣୁ ତୁମ ଘରକୁ ସେ ମଗାଇଲେ ଭାତ ।

ଏଥିକି କିମ୍ପାଇ ଏତେ କରୁଅଛ ରୋଷ

ଥାଉ ତୁମ ଅନ୍ନ ଯାଉଅଛୁ କୃଷ୍ଣ ପାଶ ।

କୃଷ୍ଣ କଥା କହୁଅଛ ପରିହାସ କରି

ଜାତିରେ ବ୍ରାହ୍ମଣ ତୁମେ ଜନମ ଭିକାରୀ ।

ଯେତେହେଲେ ତୁମର ତ ଶାନ୍ତି ନୁହେଁ ମନ

ଜଗତେ ବୋଲନ୍ତି ବିପ୍ରେ ଅଟନ୍ତି ଦୁର୍ଜନ ।

ଫେରି ଯାଉଅଛୁ ବିପ୍ରେ କ୍ରୋଧ ଯେ ନ କର

ଏମନ୍ତ ବୋଲି ଗୋପାଳେ ହୋଇଲେ ବାହାର ।

ପୁଅଙ୍କ ଫେରିବା ଦେଖି ବ୍ରାହ୍ମଣୀ ଡାକିଲେ

ଫେରି ନ ଯାଅରେ ପୁଅ ବ୍ରାହ୍ମଣଙ୍କ ବୋଲେ ।

ଶୁଣିଣ ଗୋପାଳ ପୁଅ ସ୍ଥକିତ ରହିଲେ

ବ୍ରାହ୍ମଣୀଙ୍କ ଭାବ ଦେଖି ଚଳି ନ ପାରିଲେ ।

ପୁଣି ବୋଇଲେରେ ତୁମ୍ଭେ ଫେରିଲେ ନନ୍ଦନ

କୃଷ୍ଣଦ୍ରୋହୀ ହେବ ନିଶ୍ଚେ ତୁମ୍ଭେମାନେ ଜାଣ ।

ପଡ଼ିଲେ ବ୍ରାହ୍ମଣଙ୍କର ପାଦେ ବ୍ରାହ୍ମଣୀଏ

କରପତ୍ର ଯୋଡ଼ିଣ ସେ କହନ୍ତି ବିନୟେ ।

ବାଟବଣା ହୋଇବାରୁ ଆସିଲେ କୁମର

ଅନ୍ନ ଦେବୁ ବୋଲି ତାଙ୍କୁ ରଖାଇଛୁ ଘର ।

ନିରାଶ ହୋଇ ସେ ଯେବେ ଆମ୍ଭ ଦ୍ଵାରୁଯିବେ

ଆମ ଉପରେ ନିଃଶ୍ୱାସ ପଡ଼ିବଟି ତେବେ ।

ଅନ୍ନପାଣି ନ ଦିଏ ଯେ ଦେଖି ଭୋକୀଶୋଷୀ

ତା ପରି ଜଗତେ କାହିଁ ଅଛି ଆଉ ଦୋଷୀ ।

ଧନ ଅଛି ତୁମ୍ଭ ଘରେ ବ୍ରାହ୍ମଣ ବହୁତ

କିମ୍ପା ଭୋକୀ ଶୋଷୀଙ୍କର ତୋଷୁ ନାହଁ ଚିତ୍ତ ।

ବ୍ରାହ୍ମଣ ଅନ୍ନକୁ ସିନା ସବୁଙ୍କର ଆଶ

ଘରେ ଥାଉ ଥାଉ ତୁମେ କରୁଛ ନିରାଶ ।

ଏକଥାରେ ପାଇବ ହେ ତୁମେ ବଡ଼ ଦୋଷ

ନ ଥିବା ଲୋକର କିଛି ହୁଏ ନାହିଁ ଦୋଷ ।

ତୁମେ ଆମକୁ ନ ବାର ଯିବୁ ବନ ଘୋର

ଦେଖି ଯେ ରାମ କୃଷ୍ଣଙ୍କୁ ଫେରିବୁଟି ଘର ।

ବ୍ରାହ୍ମଣୀଙ୍କ ବଚନରେ ବ୍ରାହ୍ମଣେ ଅଜ୍ଞାନ

ବୋଇଲେ ତୁମ୍ଭେମାନେଲୋ ଅଟ ଅଲକ୍ଷଣ ।

ନବୀନ ବୟସୀ ତୁମେ କୁଳ ଭୁଆସୁଣୀ

ଘରୁ ବାହାରିବା ନୁହେ କହୁଛ କି ବାଣୀ ।

କହନ୍ତି ଶାଶୁ ନଣନ୍ଦ ହୋଇ ଆଗଭର

କୃଷ୍ଣ ଦେଖିବାକୁ ତୁମେ ହେଉଛ ଆତୁର ।

ଶୁଣିଲେ କରିବେ ସିନା ଲୋକେ ଜାତିହୀନ

ଯହିଁ ଗଲେ ପାଇବଟି ତହିଁ ଅପମାନ ।

ତୁମ ଯୋଗୁ ଆମ୍ଭେମାନେ ହୋଇବୁ ଲୋ ନଷ୍ଟ

ଜାତିରେ ବ୍ରାହ୍ମଣ ଆମେ ସବୁଠାରୁ ଶ୍ରେଷ୍ଠ ।

ଶୁଣିଲେ ବୋଲିବେ ଲୋକେ ବ୍ରାହ୍ମଣ ଯୁବତୀ

ଗଉଡ଼ଙ୍କ ସଙ୍ଗେ ପ୍ରେମ କରିଲେ ସେ ମାତି ।

ଦୋଚାରି ବ୍ରାହ୍ମଣୀ ବୋଲି ଶୁଭିବ ଜଗତେ

ତୁମେ କହିଲେ ତ କେହି ନ ଯିବେ ପରତେ ।

ବ୍ରାହ୍ମଣମାନେ ବୋଲନ୍ତି କ୍ରୋଧଭର ହୋଇ

ଆଜି କିଲୋ ଗଉଡ଼ଙ୍କୁ ଦେଖି ହୋଇ ବାଇ ।

ତୁମେ ଯେବେ କୃଷ୍ଣ ଆଶା ଅଛଲୋ ବଢ଼ାଇ

ତେବେ ଆମ ଘରୁ ନିଶ୍ଚେ ଦେବୁ ଘଉଡ଼ାଇ ।

ଗଉଡ଼ଙ୍କ ସଙ୍ଗେ ପଡ଼ି ଜାତିଭ୍ରଷ୍ଟା ହେଲ

ବ୍ରାହ୍ମଣ କୁଳରେ ତୁମେ କାଳି ଲଗାଇଲ ।

ବ୍ୟଭିଚାରିଣୀ ହୋଇଲ ଆମକୁ ଛାଡ଼ିଣ

ଆମ ଘରେ ଆଉ ତୁମେ ନ ପଶିବ ଜାଣ ।

ଘରକୁ ଗଲେ ସେଠାରୁ ଦେବୁଁ ଘଉଡ଼ାଇ

ତୁମ ମୁଖ ଏବେ ଆଉ ଚାହିଁ ନ ଯୋଗାଇ ।

ନାନା ପ୍ରକାର କଷଣ ନିଶ୍ଚୟ ଭୋଗିବ

ଧିକ ଏ କୁଳରେ ଜାତ କରିଲା ଦଇବ ।

ମୁଣ୍ଡରୁ ସିନ୍ଦୂର କେଶ ନିର୍ମୂଳ କରିବୁ

ଆବର ଅସ୍ତ୍ରରେ ନାସା ଶ୍ରବଣ ଛେଦିବୁ ।

ତୁମ ମୁଖେ ଚୂନକଳା ଦେଇ ତତପର

ଘଉଡ଼ାଇ ଦେବୁ ଶୀଘ୍ର ପୁରରୁ ଆମର ।

ଗଉଡ଼ଙ୍କୁ ନେଇ ଯେବେ ଦେବଟି ଆହାର

ତେବେ ଖାଇବ ଠେଙ୍ଗାରେ ଅସଂଖ୍ୟ ପାହାର ।

ପୁଣି କଂସ ରାଜା ଆଗେ କହିବୁ ଲୋ ଯାଇ

ନିଶ୍ଚେ ଆମ ଗୁହାରିକୁ ଶୁଣିବେଟି ସେହି ।

କଂସର ଅଟୁ ଲୋ ଆମେ ଦାନୁଆଁ ବ୍ରାହ୍ମଣ

ଶାସନେ ରଖି ଆମକୁ କରିଛି ପାଳନ ।

ଆମମାନଙ୍କର କଥା ନ ଟାଳିବ ସେହି

ତୁମ୍ଭଙ୍କୁ ମାରିଣ ରାଜ୍ୟୁ ଦେବ ଘଉଡ଼ାଇ ।

ପିତାମାତା ତୁମର ଯେ ମୁଖ ନ ଚାହିଁବେ

ଦେଖିଲେ ମୁଖରେ ବାସ ଦେଇଣ ହସିବେ ।

ନାରୀରେ ଜନ୍ମି କଳଙ୍କ ରଖିଲ କୁଳର

ଆଗପଛ ଭଲମନ୍ଦ ବିଚାର ନ କଲ ।

ପର ପୀରତିରେ ମନ କରି ଛନ୍ନ ଛନ୍ନ

ନିଜ ପତି ଛାଡ଼ି ଅନ୍ୟେ ଦିଅ ଯଉବନ ।

ଏ କଥା ଶୁଣିଲେ କଂସ କରିବଟି ରୋଷ

ତୁମ ଯୋଗେ ଗୋପପୁର ନିଶ୍ଚେ ହେବ ନାଶ ।

ରାମ କୃଷ୍ଣ ଦୁହେଁ ସିନା ବଇରୀ ରାଜାର

ତେଣୁ ସେ ଦୁହିଁଙ୍କୁ କେବେ ଜୀବନେ ନ ମାର

କଂସ ନୃପବର ଜାଣ କେଡ଼େକ ପ୍ରତାପୀ

ନିଶ୍ଚେ ଦଣ୍ଡ ଭୋଗିବଟି ଏ ଗଉଡ଼ ପାପୀ ।

ଏହାଙ୍କର କଥା ଯେବେ ଶୁଣିବ ନରେଶ

ସମସ୍ତଙ୍କୁ ବାନ୍ଧିନେଇ କରିବଟି ନାଶ ।

ଗୋପପୁର ରକ୍ଷକକୁ ବଳେ ଧରି ନେବ

କଏଦୀ ଗୃହରେ ନେଇ ବାନ୍ଧିଣ ରଖିବ ।

ଗୋପୀ ଗୋପାଳଙ୍କୁ ନାନାରୂପେ ଦଣ୍ଡ ଦେବ

ତେଣୁକରି ଗୋପପୁର ନଷ୍ଟଭ୍ରଷ୍ଟ ହେବ ।

କଦାପି ନ କର ତୁମ୍ଭେ ଏମନ୍ତ ବିଚାର

ଅନ୍ନ ଘେନି ଫେରିଆସ ଗୃହକୁ ଆମ୍ଭର ।

ବ୍ରାହ୍ମଣଙ୍କଠାରୁ ଯହୁଁ ଏମନ୍ତ ଶୁଣିଲେ

ବ୍ରାହ୍ମଣୀମାନେ ଯେ ବହୁ ବିକଳ ହୋଇଲେ ।

ମନ ମଧ୍ୟେ ଚିନ୍ତିଲେ ରଖ ହେ ନନ୍ଦବାଳ

କି ବୁଦ୍ଧି କରିବୁ ନାହିଁ ଉପାୟ ଆମ୍ଭର ।

ତୁମର ଶ୍ରୀମୁଖ ଆଜି ନ ଦେଖିବୁ ଯେବେ

ଜୀବନ ହାରିବୁ ସତ୍ୟ କହୁଅଛୁ ଆମ୍ଭେ ।

ଦୁର୍ଜ୍ଜନ ବ୍ରାହ୍ମଣ ଏ ଯେ ଅଟନ୍ତି ଭିକାରୀ

ବୁଝାଇ କହିଲେ କ୍ରୋଧ ଲୋଡୁଛନ୍ତି ମାରି ।

ସକଳ ବ୍ରାହ୍ମଣୀ ନାରୀ ଆମ୍ଭେ ଶୁଣୁଅଛୁ

ପାପ ପୁଣ୍ୟ ଭଲମନ୍ଦ ବିଚାରି ବୁଝିଛୁ ।

ଶୁକମୁନି କହନ୍ତି ଶୁଣ ହୋ ପରୀକ୍ଷିତ

ବ୍ରାହ୍ମଣୀମାନେ ପୂର୍ବରୁ କୃଷ୍ଣ ନାମେ ରତ ।

ବ୍ରାହ୍ମଣେ ତ ଚାରିବେଦ ନିତ୍ୟେ ଉଚ୍ଚାରନ୍ତି

ବ୍ରାହ୍ମଣୀମାନେ ତ ବସି ସବୁ ଶୁଣିଛନ୍ତି ।

ଶ୍ରୀକୃଷ୍ଣଙ୍କ କଥା ସବୁ ଅଛନ୍ତି ସେ ଶୁଣି

ତେଣୁ ଅତି ଜ୍ଞାନବତୀ ଅଟନ୍ତି ବ୍ରାହ୍ମଣୀ ।

ଅନ୍ତର୍ଗତେ କୃଷ୍ଣପାଦ କଲେ ସେ ଭାବନା

କୃଷ୍ଣଭାବେ ମଜ୍ଜି ସର୍ବେ ହାରିଲେ ଚେତନା ।

ପୁଣି କ୍ଷଣେ ଚେତା ଲଭି ଧ୍ୟାନ ଲଗାଇଲେ

ହେ ନନ୍ଦ କୁମର ରକ୍ଷା କରନ୍ତୁ ବୋଇଲେ ।

ଆହେ ଚକ୍ରଧର ଦୟାନିଧି ଦୟାକର

କାରୁଣ୍ୟ ସାଗରୁ କୃପା ନାବରେ ଉଦ୍ଧାର ।

ତୁମ୍ଭେ ନ ରଖିଲେ ଆମ୍ଭେମାନେ ଭାସିଗଲୁ

ରଖ ବା ନ ରଖ ପାଦେ ଶରଣ ପଶିଲୁ ।

ତ୍ରେତାଯୁଗେ ହୋଇଥିଲ ଦଶରଥ ସୁତ

ଏବେ ଦ୍ଵାପରେ ହୋଇଛ ତୁମ୍ଭେ ନନ୍ଦସୁତ ।

ମନ୍ଦୋଦରୀ ରାଣୀକି ଯେ ମହାସତୀ କଲ

ତାରାକୁ କରିଣ ସତୀ କୀରତି ରଖିଲ ।

ଅହଲ୍ୟା ମୁକତ ହେଲା ଲାଗି ତୁମ୍ଭ ପାଦ

କୁନ୍ତୀକି କରିଛ ମହାସତୀ ହେ ଗୋବିନ୍ଦ ।

ଭାରା ନିବାରଣ କରିବାକୁ ଗୋପୀନାଥ

ଏବେ ଦେବକୀ ଗର୍ଭରୁ ହୋଇଅଛ ଜାତ ।

ହେ ପ୍ରଭୁ ଯଶୋଦା ସୁତ ନ କର ନିରେଖ

ମରିବୁ କହୁଛୁ ସତ୍ୟ ନ ଦେଖି ତୋ ମୁଖ ।

ଏମନ୍ତ ବୋଲି ବ୍ରାହ୍ମଣୀ ହୋଇଲେ ବିକଳ

ଚିତ୍ତ ନିବେଶିଲେ ନେଇ କୃଷ୍ଣ ପାଦତଳ ।

ଅନ୍ତର୍ଯ୍ୟାମୀ ନାଥ ବ୍ରାହ୍ମଣୀଙ୍କ ମନ ଜାଣି

ମାୟା ପ୍ରକାଶିଲେ ତହୁଁ ଦେବ ଚକ୍ରପାଣି ।

ଯାହାର ମାୟାରେ ବଶ ହୋନ୍ତି ତିନିଲୋକ

ଧାତା ତ୍ରିଲୋଚନ ଯହିଁ ଭ୍ରମନ୍ତି ପ୍ରତ୍ୟକ୍ଷ ।

ଇନ୍ଦ୍ର ଚନ୍ଦ୍ର ସୂର୍ଯ୍ୟ ଆଦି ସେ ମାୟା ଅଧୀନ

ନାଗ ନରେ ଏଡ଼ିବାକୁ କି ଅବା ଭାଜନ ।

ସେ ମାୟାରେ ବିପ୍ରଙ୍କର ଚିତ୍ତକୁ ମୋହିଲେ

ତେଣୁ ସକଳ ବ୍ରାହ୍ମଣ ମୋହରେ ବୁଡ଼ିଲେ ।

ଦନ୍ତ ନ ଥିଲାର ସର୍ପ ଯେପରି ଅଟଇ

ନଖହୀନ ବ୍ୟାଘ୍ର ପରି ନିସ୍ତେଜତା ହୋଇ ।

କିଛି ନ କହିଣ ତୁନି ହୋଇ ସେ ରହିଲେ

ବ୍ରାହ୍ମଣୀଗଣ ତାହାଙ୍କୁ ପୁଣିହିଁ କହିଲେ ।

ସର୍ବେ ବୋଲୁଛନ୍ତି ତୁମ୍ଭେ ଶୁଣ ହେ ବ୍ରାହ୍ମଣ

ପାପ କଥାକୁ ଭାବୁଛ କିମ୍ପା ତୁମ ମନ ।

ସାକ୍ଷାତେ ଅଟନ୍ତି କୃଷ୍ଣ ସ୍ୱୟଂ ଭଗବାନ

ମହୀଭାରା ଉଶ୍ୱାସିବା ପାଇଁ ତାଙ୍କ ଜନ୍ମ ।

କର୍ଣ୍ଣରେ ନହଁକି ଶୁଣି ତାହାଙ୍କର ଗୁଣ

କହିଲେ ପରତେ ଯିବ ନାହିଁ ତୁମ୍ଭ ମନ ।

ଶୁଣି ନାହଁ କଂସଭଗ୍ନୀ ପୁତନା ରାକ୍ଷସୀ

ସ୍ତନରେ ବିଷ ଭରିଣ ଥିଲା ସେହୁ ଆସି ।

ଅନ୍ତୁଡ଼ିଶାଳାରେ ଯାଇ କୃଷ୍ଣଙ୍କୁ ଧଇଲା

ବଳେ ଶ୍ରୀକୃଷ୍ଣଙ୍କୁ କ୍ଷୀର ପାନ କରାଇଲା ।

କ୍ଷୀର ସଙ୍ଗେ ତା ପ୍ରାଣକୁ ଶୋଷିଲେ କହ୍ନାଇ

ପୁତନା ସେଠାରେ ମଲା ନ ଜାଣ କି କେହି ।

ସେ ରାକ୍ଷସୀ ଭାବିଥିଲା କୃଷ୍ଣଙ୍କୁ ମାରିବ

ତାଙ୍କୁ ଯେ ମାରିବ ସେହି ସ୍ଵୟଂ ବାସୁଦେବ ।

ଦିନେ ଗୋଗୋଷ୍ଠେ ଅସୁର ବତ୍ସା ରୂପ ହେଲା

ଧେନୁଙ୍କ ସଙ୍ଗରେ ମିଶିକରି ସେ ରହିଲା ।

କୃଷ୍ଣ ତାକୁ ଚିହ୍ନି ନାଶ କଲେ କ୍ଷଣିକରେ

କି ଆଶ୍ଚର୍ଯ୍ୟ କଥା ଏହା ନ ଭାବ ମନରେ ।

ଦିନେ ବ୍ରହ୍ମା ହରିନେଲା ବତ୍ସା ବାଳମାନ

ଜାଣି ନିଜ ଅଙ୍ଗୁ ଜାତ କଲେ ସେ ବହନ ।

ସପତ ଦିବସ ଇନ୍ଦ୍ର ଘୋର ବୃଷ୍ଟି କଲା

ଗୋବର୍ଦ୍ଧନ ଟେକି କୃଷ୍ଣ ଗୋପକୁ ରଖିଲା ।

ଏକ ରାକ୍ଷସ ମାୟାରେ ଗୋପକୁ ଆସିଲା

ଅଜଗର ରୂପେ ବୃନ୍ଦାବନରେ ରହିଲା ।

ରାମକୃଷ୍ଣ ବତ୍ସା ବାଳକାଦିଙ୍କୁ ଗିଳିଲା

ତା ଗର୍ଭରୁ ବାହାରନ୍ତେ ତାର ପ୍ରାଣଗଲା ।

ଏ କଥା ତ କର୍ଣ୍ଣେ ଶୁଣିଅଛ ତୁମ୍ଭେମାନେ

ଆବର କହୁଛୁ ସର୍ବେ ଶୁଣ ଏକମନେ ।

ବତ୍ସାସୁରକୁ ଚିହ୍ନିଣ ମାଇଲେ ଶ୍ରୀହରି

ବକାସୁର ବେନି ପାଟି ପକାଇଲେ ଚିରି ।

କାଳୀ ସର୍ପ ଫଣାରେ ଶ୍ରୀକୃଷ୍ଣ ନୃତ୍ୟ କଲେ

ଶୁଣିଛ ବ୍ରାହ୍ମଣ ଥୋକେ ଦେଖିଛନ୍ତି ଡୋଳେ ।

ଯାମଳାର୍ଜ୍ଜୁନ ବୃକ୍ଷରେ ଅସୁରେକ ଥିଲା

ଶ୍ରୀକୃଷ୍ଣ ମାରିଲେ ତାକୁ ଯାଇ ନ ପାରିଲା ।

ନନ୍ଦ ବୁଡ଼ି ଯାଇଥିଲା କୃଷ୍ଣ ବଞ୍ଚାଇଲେ

ଶକଟାସୁରକୁ ଚିହ୍ନି ସେ କୃଷ୍ଣ ମାଇଲେ ।

ଅନ୍ଧ ପୁଅକୁ ଶ୍ରୀକୃଷ୍ଣ ଧୂଳି ଖେଳେ ମାରି

କୃଷ୍ଣଙ୍କୁ ସେ ଅନ୍ଧ ପୁଅ ଦେଲା ନାନା ଗାଳି ।

ତାର ଅପରାଧ ସବୁ ଶ୍ରୀକୃଷ୍ଣ ଖଣ୍ଡିଲେ

ଦେବତାର ପୁଅ ମୋତେ ମାରିଲା ବୋଇଲେ ।

ଏ ରୂପେ ନନ୍ଦ ଆଗରେ ଅନ୍ଧ ଜଣାଇଲା

କୃଷ୍ଣଙ୍କୁ ଡାକିଣ ନନ୍ଦ ଆକଟି ବୋଇଲା ।

ଆଉ ଦିନେ ଏପରି ନ କରିବୁ ଯେ ତୁହି

ଶୁଣିକରି କୃଷ୍ଣ ଗଲେ ହସ ହସ ହୋଇ ।

ଅନ୍ଧ ପରେ ଦୟା କଲେ ପ୍ରଭୁ ଦଇତାରି

ନବରଙ୍ଗେ ପଚାରିଲେ ନାନା ଭଙ୍ଗୀ କରି ।

କେମନ୍ତେ ଦେଖିଲୁ ତୋର ପୁତ୍ରକୁ ମାଇଲି

ଅନ୍ଧ ବୋଲେ ଚକ୍ଷୁହୀନ ଦେଖିବି କିପରି ।

ଅନ୍ଧ ବୋଇଲାରେ କୃଷ୍ଣ ହୋଇଲୁ କି ବାଇ

ବେନି ଆଖି ନାହିଁ ମୋର ଦେଖିବିରେ କାହିଁ ।

ପୁଅକୁ ମାରି ଟାପରା କରୁଅଛୁ ମୋତେ

ଆଖି ଥିଲେ ଆଜ କିରେ ଛାଡ଼ିଦ୍ୟନ୍ତି ତୋତେ ।

ପିତା ମାତାଙ୍କର ତୁହି ଏକ ପୁତ୍ର ହୋଇ

ଗେହ୍ଳାପଣେ ବଢ଼ିଅଛୁ ମୁଖେ ଲାଜ ନାହିଁ ।

ଏ ଗୋପ ନଗରେ ତୁରେ ଷଣ୍ଢ ହୋଇଅଛୁ

ଘରେ ଘରେ ପଶି ଦଧି ଲବଣୀ ଖାଉଛୁ ।

ବାଟେ ଗୋପୀ ତୋହ ଲାଗି ଚାଲି ନ ପାରନ୍ତି

ହଟହଟା ନିତି ଗୋପୀ ତୋ ଲାଗି ହୁଅନ୍ତି ।

କେ ତୋହର ଭଉଣୀ କେ ଅବା ମଉଳାଣୀ

କେ ତୋର ଭାଉଜ କେହୁ ତୋର ଖୁଡ଼ୀ ପୁଣି ।

ତାହାକୁ ତୁ ପରିହାସ କରୁ ନିରନ୍ତର

ଗଉଡ଼ ଜାତି ତୁମର ନାହିଁରେ ବିଚାର ।

ବୃଦ୍ଧକାଳେ ଯଶୋଦାର ଗୁର୍ଭୁ ହେଲୁ ଜାତ

ତେଣୁ ଅତି ଗେହ୍ଲାଇ ତୁ ହେଲୁ ନନ୍ଦ ସୁତ ।

ତୋର ପିତା ମାତାଙ୍କୁ ତୁ ଅଟୁ ସିନା ବଡ଼

ମୋ ପୁଅକୁ କାହିଁ ପାଇଁ ମାଇଲୁ ଗଉଡ଼ ।

ବୟସ ଗଲାଣି ମୋର ବୃଦ୍ଧ ହେଲି ମୁହିଁ

ଏକା ଏହା ଭିନ୍ନ ମୋର ଅନ୍ୟ ସଖା ନାହିଁ ।

ଜାତିରେ ବ୍ରାହ୍ମଣ ଆମେ ଆନ ସ୍ତ୍ରୀ ନ ହରୁ

ପୁତ୍ର କାହିଁ ପାଇବି ତୁ ମୋ ପୁତ୍ରକୁ ମାରୁ ।

ଆରେରେ ଦୁର୍ଜନ ମୋର ପୁଅ ମୋତେ ବଡ଼

ତୋତେ ଆଜି ବାନ୍ଧି ମାଡ଼ ଦେବିରେ ଗଉଡ଼ ।

ମୋତେ ପଛେ ଗୋପୁ ନନ୍ଦ କରନ୍ତା ବାହାର

ଆନ ଦେଶେ ଭିକ୍ଷା ମାଗି ପୋଷନ୍ତି ଉଦର ।

ଦରିଦ୍ର ମୁଁ ଅଟେ ମୋତେ ନ ମିଳଇ ଅନ୍ନ

ଭିକ୍ଷା ମାଗି ଆଣିଲେ ମୁଁ କରଇ ଭୋଜନ ।

ତେଣୁ ମୋର ପୁତ୍ର ସିନା ଦୁର୍ବଳ ଅଟଇ

ଦୁଧଭାତ ଖାଇ ମୋଟା ହୋଇଅଛୁ ତୁହି ।

ତୋହ ଲାଗି ଦୁଃଖୀଲୋକ ଗୋପେ ନ ରହିବେ

ଯେ ତୋର ମାଡ଼ ସହିବେ ଗୋପେ ସେ ରହିବେ ।

ବୋଲନ୍ତି ଅନ୍ଧ ବଚନ ଶୁଣି ବନମାଳୀ

ନ ବୁଝି ଦେଉଛ ଅନ୍ଧ କିମ୍ପା ମୋତେ ଗାଳି ।

ସମସ୍ତ ନନ୍ଦନ ବସି ଖେଳୁଥିଲୁ ଧୂଳି

ତୋ ପୁଅ ମାଇଲା ମୋତେ ଲଗାଇଣ କଳି ।

ପଚାର ପିଲାଙ୍କୁ ଆରେ କେ ମାଇଲା ଆଜ

ଭଲକରି ଏମାନଙ୍କଠାରୁ ତୁମେ ବୁଝ ।

କାହାର ନୁହନ୍ତି ଏଇ ବାଳୁତ ନନ୍ଦନ

ଏହାଙ୍କ ପାଖରୁ ତୁମ୍ଭେ ବୁଝ ହେ ବ୍ରାହ୍ମଣ ।

ତୋ ପୁଅ ଚାପୋଡ଼ା ଚିହ୍ନ ମୋର ଅଙ୍ଗଦେଖ

ଅନ୍ଧକୁ ଏପରି ବୋଲୁଛନ୍ତି ପଦ୍ମମୁଖ ।

ଦେଖ ଦେଖ ବୋଲନ୍ତେଣ ନୟନ ଫିଟିଲା

ଜନ୍ମ ଅନ୍ଧ ତାଙ୍କ ଯୋଗେ ନୟନ ପାଇଲା ।

ଏ କଥା ତ ତୁମ୍ଭେମାନେ କର୍ଣ୍ଣେ ଅଛ ଶୁଣି

ଜାଣିଶୁଣି କୃଷ୍ଣେ ନିନ୍ଦାକର କିମ୍ପା ପୁଣି ।

ଦିନେ ମାଟି ଖାଉଥିଲେ କୃଷ୍ଣ ଦାଣ୍ଡେ ବସି

କହିଲେ ଯଶୋଦା ଆଗେ ରାମ ଦେଖି ଆସି ।

ବୋଇଲେ ଗୋ ମାତା ମାଟି ଖାଉଛି କହ୍ନାଇ

ମନା କଲାରୁ ମୋ କଥା ମାନିଲା ସେ ନାହିଁ ।

ଶୁଣନ୍ତେ ଯଶୋଦା ଘରୁ ହୋଇଲେ ବାହାର

କୃଷ୍ଣଙ୍କର ଧଇଲେ ସେ ଯାଇ ବେନି କର ।

ନିତି ମାଟି ଖାଉ ତୁ ତ କହିଲେ ନ ମାନୁ

ଛାଟେ ପିଟି ଖଣ୍ଡ ଖଣ୍ଡ କରିବି ତୋ ତନୁ ।

ଏମନ୍ତ ଭାବେ ଡରାଇ ଯଶୋଦା କହିଲେ

ଅନ୍ତରେ ସେନେହ ଏତେ କହିଲେ ମୁଖରେ ।

ରାମ କହିଲେ ଗୋ ମାତ ଧର ତାର ତଣ୍ଟି

ଦେଖାଉ ସେ ତୁଣ୍ଡ ପରା ଖାଇ ନାହିଁ ମାଟି ।

କାନ୍ଦ କାନ୍ଦ ହୋଇ କୃଷ୍ଣ ବୋଲନ୍ତି ମା ଶୁଣ

ମାଟି ଖାଇ ନାହିଁ ମିଛ କହୁଛନ୍ତି ରାମ ।

ଦେଖ ଦେଖ ମାତା ମୋର ତୁଣ୍ଡେ ନାହିଁ ମାଟି

ଏମନ୍ତ ବୋଲିଣ କୃଷ୍ଣ ମେଲା କଲେ ପାଟି ।

କୃଷ୍ଣର ଗର୍ଭକୁ ରାଣୀ ଅନାଇ ଦେଖିଲେ

ସ୍ଵର୍ଗ ମର୍ତ୍ତ୍ୟ ପାତାଳାଦି ରହିଛି ତହିଁରେ ।

ଗ୍ରହ ନକ୍ଷତ୍ରାଦି ହେଉଛନ୍ତି ଯାତାୟାତ

ଦର୍ଶନେ ଯଶୋଦାରାଣୀ ହେଲେ ଆଚମ୍ବିତ ।

ପୁଣି କୃଷ୍ଣ ଗର୍ଭକୁ ସେ ଧୀରେ ଦେଲେ ଚାହିଁ

ଦେଖିଲେ ଯଶୋଦା ରାମକୃଷ୍ଣ ଛନ୍ତି ରହି ।

ପୁଣିହିଁ ଦେଖିଲେ ତହିଁ କଂସାସୁର ବଧ

ରକ୍ତବୀର୍ଯ୍ୟ ବଧ ଦେଖି ଭୟେ କମ୍ପେ ହୃଦ ।

କିଛି ନ କହିଣ ରାଣୀ ହୋଇଲେ ମଉନ

ମନେ ବିଚାରିଲେ ଏତ ନୁହେଁ ମୋ ନନ୍ଦନ ।

ସାକ୍ଷାତରେ ବ୍ରହ୍ମ ଏତ ନୁହଇ ମନୁଷ୍ୟ

ଦେଖିଲେ ଗର୍ଭେ ଏହାର ବ୍ରହ୍ମାଣ୍ଡ ଅଶେଷ ।

କୃଷ୍ଣଙ୍କୁ ଅଭାଗିନୀ ମୁଁ ଚିହ୍ନି ନ ପାରିଲି

ବ୍ରହ୍ମକୁ ମୁଁ ପୁତ୍ର ପ୍ରାୟ ମଣି ଗାଳିଦେଲି ।

ନୁହଇ ମୋ ପୁତ୍ର ସେହୁ ଅଟେ ନାରାୟଣ

ଦୁଷ୍ଟଙ୍କୁ ନାଶିବ ଏ ଯେ ପାଳି ସାଧୁଜନ ।

ଆଜିଠାରୁ ତର୍ଜନା ମୁଁ କେବେ ନ କରିବି

ଏ କୃଷ୍ଣ ପାଦ ତଳେ ମୁଁ ନିରତେ ଖଟିବି ।

ଏମନ୍ତ ଭାବୁ ରାଣୀର ଜନମିଲା ଜ୍ଞାନ

ମନକଥା ତାହାର ଜାଣିଲେ ଭଗବାନ ।

ତେଣୁ ଯଶୋଦାଙ୍କୁ କୃଷ୍ଣ ମାୟା ଲଗାଇଲେ

ମାୟାରେ ପଡ଼ନ୍ତେ ଦେବୀ ସବୁ ପାଶୋରିଲେ ।

କୃଷ୍ଣଙ୍କୁ କୋଳରେ ଧରି ନିଜ ପୁରେ ଗଲେ

ପୁତ୍ର ପ୍ରାୟ ମଣି ପୁତ୍ର ସ୍ନେହ ଲଗାଇଲେ ।

ଶୁଣୁଛ ବିପ୍ରେ ଏମନ୍ତ ତୁମ୍ଭେ କୃଷ୍ଣଲୀଳା

କିପରି ବୋଲୁଛ କୃଷ୍ଣ ଧୂର୍ତ୍ତପଣ କଲା ।

ବ୍ରାହ୍ମଣ ପତ୍ନୀକି କିମ୍ପା ସେ କୃଷ୍ଣ ହରିବେ

ଦୂରୁ ଦେଖି ଆମ ପାଦତଳେ ସେ ପଡ଼ିବେ ।

ବ୍ରହ୍ମପତ୍ନୀ ତାହାଙ୍କର ଯଶୋଦା ସମାନେ

ପାପୀରେ ଭାଗୀ ହୋଇଲୁ କହିଣ ବଦନେ ।

ତୁମ୍ଭମାନଙ୍କୁ କହୁଛୁ ଏବେ କରଯୋଡ଼ି

ଗୋପାଳ ପୁଅଙ୍କ ସଙ୍ଗେ ଯିବୁ ଦିଅ ଛାଡ଼ି ।

କୃଷ୍ଣଙ୍କୁ ଅନ୍ନ ଦେଇଣ ସକଳେ ଫେରିବୁ

ତୁମ୍ଭ ପାଦତଳେ ସେବା କରିଣ ବଞ୍ଚିବୁ ।

ତୁମ୍ଭ ପାଦ ଛୁଇଁ ଆମେ ନିୟମ କରୁଛୁ

କଦାଚ ନୋହିବୁ ଭ୍ରଷ୍ଟ ସତ୍ୟ କରୁଅଛୁ ।

ବିନୟ ନ ଘେନି ଯେବେ କରିବଟି ରୋଷ

ନ ମାନିବୁ ତୁମ କଥା ଯିବୁ ଅନ୍ୟ ଦେଶ ।

ନ କହ ଆମ୍ଭଙ୍କୁ ତୁମ୍ଭେ ନିଷ୍ଠୁର ବଚନ

କୃଷ୍ଣଙ୍କୁ ଦେଖିବା ପାଇଁ କରିଅଛୁ ମନ ।

ଏଥିକି ଆଣିବ ତୁମ୍ଭେ ଯେବେ ଆନ ନାରୀ

କର ପଛେ ତାହା ଆମେ ଦେଖିଯିବୁ ହରି ।

ଯାହାଙ୍କୁ ଆଣିବ ତୁମ୍ଭେ ତା ପାଶେ ଖଟିବୁ

ସତ୍ୟ କହୁଅଛୁ ନିଶ୍ଚେ କୃଷ୍ଣ ଦେଖିଯିବୁ ।

ଜାତି କୁଳରୁ ପଛକେ କରିବ ବାହାର

ରାଜାର ଦଣ୍ଡକୁ ଆମେ କଲୁ ସୀଉକାର ।

ଶାଙ୍କୋଳୀ ପିନ୍ଧାଇ ଯେବେ ଆମ୍ଭଙ୍କୁ ରଖିବ

ଫାଶି ଲଗାଇ ମରିବୁ ସ୍ତିରୀହତ୍ୟା ହେବ ।

ନାରୀଙ୍କ ବଚନେ ବିପ୍ରେ ହୋଇଲେ ମଉନ

ବିଷ୍ଣୁ ମାୟାକୁ କେମନ୍ତେ କାଣିବେ ବ୍ରାହ୍ମଣ ।

ବିପ୍ରେ ବୋଇଲେ ଗୋପାଳ ବାଳମାନେ ଶୁଣ

ଏମାନେ କଦାପି ଦେଖି ନାହାନ୍ତିଟି ବନ ।

ଯେତେ ରୂପେ ଆମ୍ଭେମାନେ କହିଲୁ ବୁଝାଇ

କେବେହେଁ ଆମ୍ଭର କଥା ଶୁଣିଲେ ସେ ନାହିଁ ।

ଡରାଇ କହିଲାକ୍ଷଣି ବୋଇଲେ ମରିବୁ

କୃଷ୍ଣଙ୍କୁ ନ ଦେଖିଲେ ତ ଗରଳ ଖାଇବୁ ।

ଅବୁଝା ଅବଳା ଜାତି କଥା ନ ମାନନ୍ତି

ବୁଝାଇ କହିଲେ ଯେତେ କେଭେ ନ ଶୁଣନ୍ତି ।

ଶ୍ରଦ୍ଧା କଲେ ରାମକୃଷ୍ଣ ଦରଶନ ପାଇଁ

ବିଳମ୍ବ ନ କରି ବେଗେ ଯିବ ଛାଡ଼ିଦେଇ ।

ଏକା ହୋଇ ଆସିଲେ ସେ ନ ପାଇବେ ବାଟ

ସୁନ୍ଦରୀ ଦେଖିଣ କାଳେ ଘେନିଯିବ ଖଣ୍ଟ ।

ସଂସାରେ ରମଣୀମାନେ ନୁହନ୍ତି କାହାରି

ଯେ ଡାକେ ବିଶ୍ଵାସେ ତାକୁ ବୋଲନ୍ତି ମୋହରି

ମିଛ ସତ କରି ପରପୁରୁଷ ରମନ୍ତି

ନିଜ ପତି ପୁତ୍ର ତେଜି ଅନ୍ୟକୁ ଭଜନ୍ତି ।

ଏ ନାରୀ ଜାତି ଯେମନ୍ତେ ହୋନ୍ତି ମତ୍ତଭୋଳ

ଜାତି ପତି କୁଳ ଧର୍ମ ନାଶନ୍ତି ସକଳ ।

ନରଖନ୍ତି କୁଳ ମାନ ନାଶଯାଏ କୁଳ

କାହାରି ନୁହନ୍ତି ଏହୁ ଶୁଣରେ ଗୋପାଳ ।

ଏମନ୍ତ ଶୁଣି ଗୋପାଳେ କହନ୍ତି ବଚନ

ତୁମ୍ଭେ ତ ବ୍ରାହ୍ମଣମାନେ ବେଦଶାସ୍ତ୍ର ଜାଣ ।

ବ୍ରହ୍ମପତ୍ନୀ କୃଷ୍ଣଙ୍କର ଗର୍ଭଧାରୀ ମାତା

କୃଷ୍ଣ ଥିଲେ ତାହାଙ୍କର ନାହିଁ କିଛି ଚିନ୍ତା ।

ସେ କୃଷ୍ଣର କଥାମାନ ଶୁଣୁଥିବ କର୍ଣ୍ଣେ

ସର୍ବଜ୍ଞ ହୋଇ କୃଷ୍ଣଙ୍କୁ ପାପ ଚିନ୍ତ ମନେ ।

ଗଜମୂର୍ଖ ଦ୍ୱିଜ ମୂର୍ଖ ବୋଲନ୍ତି ସଂସାରେ

ଦ୍ୱିଜ ମୂର୍ଖ ଆମେ ଏକା ଦେଖିଲୁ ଏଠାରେ ।

ବ୍ରାହ୍ମଣଙ୍କ ପାଦେ ନିତି ସେବା କରେ ନନ୍ଦ

ବ୍ରାହ୍ମଣ ଦେଖିଲେ ଦୂରୁ ପ୍ରଣମେ ଗୋବିନ୍ଦ ।

ସେହି କୃଷ୍ଣ ବଣା ହୋଇ ମଗାଇଲେ ଭାତ

କାନନରେ ରହି ହେଉଥିବେ ସେ ଆରତ ।

ନ ନେବୁ ତୁମ୍ଭର ଅନ୍ନ ଯିବୁ ଆମେ ଫେରି

କୃଷ୍ଣଙ୍କୁ ଜଣାଇ ଘେନିଯିବୁ ଗୋପପୁରୀ ।

ପୁତ୍ରଙ୍କ ବାକ୍ୟେ ବ୍ରାହ୍ମଣୀ ହୋଇଲେ ତଟସ୍ଥ

ବୋଇଲେ ବାଳକୁମର ନ କହ ଏମନ୍ତ ।

ଅନ୍ନ ଘେନିଯିବୁ ଆମେ କୃଷ୍ଣଙ୍କୁ ଦେଖିବୁ

ସଙ୍ଗରେ ନ ନେଲେ ନିଶ୍ଚେ ଜୀବନ ହାରିବୁ ।

ଯା କହିଲେ ବିପ୍ରମାନେ ଶୁଣିଲ ତ କର୍ଣ୍ଣେ

ଯାଅ କୃଷ୍ଣ ଦେଖ ବୋଲି ବୋଇଲେ ସେମାନେ ।

ଏବେ ତୁମ୍ଭେ ଆନ କଥା ମନେ ନ ବିଚାର

ଆମ୍ଭେ ମଲେ କେଉଁ ଯଶ ଅର୍ଜିବ କୁମର ।

ଏ ଖବର ପାଇ କୃଷ୍ଣ କରିବେଟି ରୋଷ

ବୋଲିବେ ବ୍ରାହ୍ମଣୀ କିମ୍ପା ପ୍ରାଣେ କଲ ନାଶ ।

କାହିଁ ପାଇଁ ନ ଆଣିଲ ହାରିଲ ଜୀବନ

ଏହା କହି ନ ଚାହିଁବେ ତୁମ୍ଭର ବଦନ ।

ବୋଲିବେରେ ନାରୀହତ୍ୟା କଲ କିମ୍ପା ପୁଏ

ଚକ୍ଷୁ ଥାଉଁ ଥାଉଁ ଅନ୍ଧ ହୋଇଲ ସଭିଏଁ ।

କାହାରି ବିବେକ ତିଳେ ଆସିଲାରେ ନାହିଁ

ସେମାନଙ୍କୁ ସଙ୍ଗରେ ନ ଆଣିଲ କିମ୍ପାଇଁ ।

ଏମନ୍ତ ଶୁଣି ଗୋପାଳେ ବୋଲନ୍ତି ବଚନ

ଅନ୍ନ ଘେନି ଆସ ସର୍ବେ ଯିବା ଗୋ ବହନ ।

ଫେରିବ ସକଳେ କରି କୃଷ୍ଣ ଦରଶନ

ଆମ୍ଭେ ଛାଡ଼ିଦେଇ ଯିବୁ ଅଣ୍ଟିବ କି ଦାନ ।

କ୍ଷୁଧାରେ ଆରତ କୃଷ୍ଣ ହେଉଥିବେ ତେଣେ

ବିଳମ୍ବରେ ଏଣେ ରୋଷ ବହିବେ ବ୍ରାହ୍ମଣେ ।

ଶୁଣିଣ ବ୍ରାହ୍ମଣୀମାନେ ବେଗ ହୋଇଗଲେ

ଯେ ଯାହାର ଘରୁ ଅନ୍ନ ବହି ସେ ଆଣିଲେ ।

ଅପୂର୍ବ ପଦାର୍ଥମାନ ଘେନିଲେ ଶ୍ରଦ୍ଧାରେ

ବୋଲନ୍ତି ପୁତ୍ର ସକଳେ ଚାଲରେ ଆଗରେ ।

ଆଦେଶ ପାଇ ଗୋପାଳେ ଆଗରେ ଚଳିଲେ

ବ୍ରାହ୍ମଣୀମାନେ ଗମନ୍ତି ତାହାଙ୍କ ପଛରେ ।

କୃଷ୍ଣ ଥିବା ସ୍ଥାନେ ଯାଇ ପ୍ରବେଶ ହୋଇଲେ

ଦୂରରୁ ଶ୍ରୀକୃଷ୍ଣ ଦେଖି ଆନନ୍ଦ ହୋଇଲେ ।

ଭାବିଲେ ବ୍ରାହ୍ମଣୀଗଣ ଅନ୍ନ ଆଣୁଛନ୍ତି

ମୋ ଯୋଗେ ଏମାନେ କଷ୍ଟ ଲଭିଣ ଆସନ୍ତି ।

ଉଠି ଶ୍ରୀକୃଷ୍ଣ ପଡ଼ିଲେ ବ୍ରାହ୍ମଣୀଙ୍କ ପାଏ

ବୋଲନ୍ତି ମୋ ଲାଗି ଦୁଃଖ ଲଭିଲ ଗୋ ମାଏ

ଏ କଣ୍ଟାବଣ ବାଟରେ ଅନ୍ନଭାଣ୍ଡ ବହି

କି ଦେବି ତୁମ୍ଭଙ୍କୁ ମୁହିଁ ଆସିଲ ଗୋ ଧାଇଁ ।

ଏତେ ବୋଲି ଅନ୍ନଭାଣ୍ଡ ଧରିଣ ଶ୍ରୀକରେ

ଓହ୍ଲାଇଲେ ବ୍ରାହ୍ମଣୀଙ୍କ ମସ୍ତକରୁ ଧୀରେ ।

ମହାନନ୍ଦେ ବ୍ରାହ୍ମଣୀଏ ଅନ୍ନଭାଣ୍ଡ ରଖି

ଅପଲକ ନେତ୍ରେ କୃଷ୍ଣ ରୂପକୁ ନିରେଖି ।

ଭାବେ ନୟନୁ ତାଙ୍କର ବହେ ଅଶ୍ରୁଧାର

ବିଚାର କରନ୍ତି ହେଲା ଜୀବନ ସଫଳ ।

କର୍ଣ୍ଣେ ଶୁଣିଥିଲୁ ଏବେ ଦେଖିଲୁ ନୟନେ

ସାକ୍ଷାତରେ ବ୍ରହ୍ମା ଜାତ ଏ ଗୋପ ଭୁବନେ ।

ମାନବ ନୁହନ୍ତି ଏହୁ ସ୍ଵୟଂ ନାରାୟଣ

ଏ ନିଶ୍ଚେ ଅସୁରକୁଳ କରିବେ ନିଧନ ।

ଆନ କେହି କଂସକୁରେ ପାରନ୍ତେ କି ମାରି

ଦେଖ କୃଷ୍ଣ ମୋହୁଛି ରୂପେ ଏ ତିନିପୁରୀ ।

ନାରୀଜାତି ଆମ୍ଭେ ତାଙ୍କୁ ଚିହ୍ନିବା ଗୋ କାହୁଁ

ଦର୍ଶନ ମିଳିଲା ତାଙ୍କ ଦୟା ହେଲା ଯହୁଁ ।

ନ ଯିବା ଘରକୁ ଆଉ କୃଷ୍ଣଙ୍କୁ ସେବିବା

ତେବେ ସିନା ନାରୀ ଜନ୍ମୁ ଉଦ୍ଧାର ପାଇବା ।

ଭାବଭରେ କୃଷ୍ଣ ପାଦେ କରିଲେ ସେ ଧ୍ୟାନ

ଅନ୍ତର୍ଯ୍ୟାମୀ କୃଷ୍ଣ ଜାଣି ତାହାଙ୍କର ମନ ।

 

ଚିତ୍ତବୋଧ ବା ଚିତ୍ତବିନୋଦ ପ୍ରଥମ ଭାଗ

କୃଷ୍ଣଙ୍କର ବ୍ରାହ୍ମଣୀ ଦାନ ଅନ୍ନ ଭକ୍ଷଣ, ବ୍ରାହ୍ମଣୀଙ୍କୁ ଜ୍ଞାନ ଦାନ

ଗୋପାଳଙ୍କୁ ବୋଇଲେ ସେ ଆଣ ସବୁ ଅନ୍ନ

ସବୁ ଏକଠାବ କରି କର ହେ ମିଳନ ।

ଏହା ଶୁଣି ଗୋପାଳେ ଯେ ଅନ୍ନଭାଣ୍ଡ ଧରି

କୃଷ୍ଣ ବଳରାମ ଯହିଁ ଥିଲେ ବିଜେ କରି ।

ସେଠାରେ ସକଳ ଅନ୍ନ ଏକ ଠାବ କଲେ

ଶ୍ରୀକୃଷ୍ଣ ଦେଖିଣ ମହା ଆନନ୍ଦ ହୋଇଲେ ।

ବଳରାମଙ୍କୁ ଦେଖାଇ ଏମନ୍ତ ବୋଇଲେ

ଦେଖ ହେ ବ୍ରାହ୍ମଣୀମାନେ କି ସାହସ କଲେ ।

ବଣକୁ ନ ଡରି ଅନ୍ନ ବହି ସେ ଆଣିଲେ

ଅନ୍ନଦାନ କରି ଆମ୍ଭ ଜୀବନ ରଖିଲେ ।

ସ୍ଵାମୀମାନଙ୍କ ବଚନ ନ ମାନିଲେ କେହି

ଆମ୍ଭ ଦୁଃଖ ଶୁଣି ଅନ୍ନ ଆଣିଲେ ଏଠାଇଁ ।

କ୍ଷୁଧା ତୃଷାରେ ଆକୁଳ ଦେଖ ଆମ୍ଭ ପ୍ରାଣ

ଅନ୍ନ ଭୁଞ୍ଜିଲେ ଆମ୍ଭର ରହିବ ଜୀବନ ।

ଏବେ ତାଙ୍କ ଅନ୍ନ ଆମେ ଭୁଞ୍ଜିବା ସତ୍ଵରେ

କ୍ଷୁଧା ବାଧା ହେଉଅଛି ଆମ୍ଭର ଶରୀରେ ।

କ୍ଷୁଧାନଳେ ଉଦର ତ ଜଳୁଅଛି ଜାଣ

ଜୀବନ ରଖିବା ଏବେ ଖାଇ ତାଙ୍କ ଅନ୍ନ ।

ଖାଇବା ତାଙ୍କର ଅନ୍ନ ଦେବା ତାଙ୍କୁ କିସ

ନ ଦେଲେ ଋଣୀ ହୋଇ ରହିବା ତାଙ୍କ ପାଶ ।

ଅନ୍ନ ଜଳ ଦାନୁ ବଳି କିଛି ଦାନ ନାହିଁ

କୋଟିଏ ଯଜ୍ଞ ତାହାକୁ ସମାନ ନୁହଇ ।

କୋଟି ଧେନୁ ଯେବେ ନିତି କରୁଥିବ ଦାନ

କୋଟି ମାଢ଼ ଦାନ ଯେବେ କରିବ ସୁବର୍ଣ୍ଣ ।

ନାନା ତୀର୍ଥ ଜଳସେବା ନିତି ଯେ କରଇ

ଗଙ୍ଗାଜଳେ କେହି ଅବା ଝାସ ଯେ ଦିଅଇ ।

ଅନ୍ନ ବସ୍ତ୍ର ଦାନକୁ ସେ ନୁହଇ ସମାନ

ଅନ୍ନ ଦେଇ ବ୍ରାହ୍ମଣୀଏ ରଖିଲେ ଜୀବନ ।

ଦେବକୀ ଜନନୀ ମୋତେ ଗର୍ଭେ ଥିଲେ ଧରି

ଯଶୋଦା ଜନନୀ ମୋତେ ରଖିଛନ୍ତି ପାଳି ।

ଅନ୍ନ ଦେଇ ଆମର ଏ ରଖିଲେ ଜୀବନ

ତେଣୁ ଏମାନେ ହୋଇବେ ଜନନୀ ସମାନ ।

ଏତେ କହି ରାମ କୃଷ୍ଣ ମଉନ ହୋଇଲେ

ମଧ୍ୟେ ଅନ୍ନ ରଖି ସର୍ବେ ବେଢ଼ିଣ ବସିଲେ ।

ବୋଇଲେ ବଣା ହେବାରୁ ଆଜି ଏ ବନର

ପବିତ୍ର ହୋଇଲା ସିନା ଜୀବନ ଆମ୍ଭର ।

ବ୍ରାହ୍ମଣଙ୍କ ଅନ୍ନ ଆମେ କରିବା ଭୋଜନ

ସାକ୍ଷାତେ ବିଷ୍ଣୁ ନିର୍ମାଲ୍ୟ ବ୍ରାହ୍ମଣଙ୍କ ଅନ୍ନ ।

ବିଷ୍ଣୁଦ୍ରୋହୀ ଜନକୁ ଯେ ଅନ୍ନ ନ ମିଳଇ

ଜନ୍ମ ଜନ୍ମ ଦରିଦ୍ର ସେ ନିଶ୍ଚୟ ହୁଅଇ ।

ବ୍ରାହ୍ମଣଙ୍କ ଅନ୍ନ ନିତ୍ୟେ କରେ ଯେ ଭୋଜନ

ଅନ୍ତକାଳେ ଲଭଇ ସେ ବିଷ୍ଣୁର ଚରଣ ।

ବିପତ୍ତି ତାହାକୁ କେବେ ନ ପାରଇ ଛୁଇଁ

ଭାଗ୍ୟବନ୍ତ ପଣେ ତାକୁ ସମ ନୁହେଁ କେହି ।

ବ୍ରାହ୍ମଣଙ୍କ ଅନ୍ନ ନିତି ସେବା ଯେ କରଇ

ମହାପୁଣ୍ୟବନ୍ତ ପ୍ରାଣୀ ସେ ନିଶ୍ଚେ ଅଟଇ ।

ବ୍ରାହ୍ମଣ ଅନ୍ନ ମହିମା ନୁହଇଟି କେହି

ସେ ଅନ୍ନକୁ ଭୋଜନ କରନ୍ତି ଭାବଗ୍ରାହୀ ।

ଗୋପାଳମାନଙ୍କୁ କୃଷ୍ଣ କହିଲେ ଏପରି

ବ୍ରାହ୍ମଣ ଅନ୍ନ ସଙ୍ଗରେ ନୁହଇ କେ ସରି ।

ଭାଗ୍ୟରୁ ସେ ଆଜି ଅନ୍ନ ଗୋପାଳେ ପାଇଲ

ଅଙ୍ଗେ ଯେତେ ପାପ ଥିଲା ସକଳ ନାଶିଲ ।

ଭୁଞ୍ଜ ହେ ଗୋପାଳ ତୁମ୍ଭେ ମନ କରି ତୋଷ

କୃଷ୍ଣ ବଚନେ ଗୋପାଳେ ହୋଇଲେ ହରଷ ।

ହୃଦୟରେ କୃଷ୍ଣ ନାମ ସୁମରଣା କଲେ

ଉଚ୍ଚେ ହରିହରି ବୋଲି ବୋଇଲେ ଗୋପାଳେ

ବସିଲେ ରାମ କୃଷ୍ଣଙ୍କ ସଙ୍ଗେ ଗୋଷ୍ଠୀ ହୋଇ

କେହି କୃଷ୍ଣ ମୁଖେ ଅନ୍ନ ମୁଠିମୁଠି ଦେଇ ।

କୃଷ୍ଣର ଉଚ୍ଛିଷ୍ଟ ଅନ୍ନ କରଇ ଆହାର

ଉଚ୍ଚସ୍ୱରେ ଶୁଭେ ହରିନାମର ଚହଳ ।

ଗୋପାଳଙ୍କ ମୁଖେ କୃଷ୍ଣ ଦିଅନ୍ତି ବ୍ୟଞ୍ଜନ

ରାମ ମୁଖୁଁ ଅନ୍ନ କେହି କରନ୍ତି ଭୋଜନ ।

ଗୋପାଳଙ୍କ ମୁଖୁଁ ନେଇ ଭୁଞ୍ଜନ୍ତି କହ୍ନାଇ

ଭାବରେ ଭୋଳ ହୋଇଣ ହୋନ୍ତି କୁହାକୁହି ।

ମାୟାରେ ସକଳ ମୋହ କଲେ ମାୟାଧର

ବିଷ୍ଣୁର ମାୟାରେ ମୋହ ହେଲେ ହଳଧର ।

ଗୋପାଳଙ୍କ ଦେହେ ଆଉ ନାହିଁ କିଛି ଜ୍ଞାନ

ହରିହରି ବୋଲି ପ୍ରେମେ କରନ୍ତି ଭୋଜନ ।

ବିଷ୍ଣୁଙ୍କୁ ଭୁଞ୍ଜାଏ କେହି ନିଜେ ବା ଭୁଞ୍ଜଇ

ରାମ ମୁଖୁଁ ନେଇ କେହି ଆପଣେ ଭୁଞ୍ଜଇ ।

ଦୂରୁ ଦେଖନ୍ତି ବ୍ରାହ୍ମଣୀ ଗୋପେ କୃଷ୍ଣ ଭାବ

ଭୁଞ୍ଜନ୍ତି ଗୋପାଳେ ରାମ କୃଷ୍ଣ ଏକ ଠାବ ।

ଭାବେ ବ୍ରାହ୍ମଣୀଙ୍କ ଅଙ୍ଗ କମ୍ପେ ଥରହର

ବେନି ନୟନରୁ ଅଶ୍ରୁ ବହେ ଧାରଧାର ।

ହା କୃଷ୍ଣ ହା କୃଷ୍ଣ ବୋଲି ଅଜ୍ଞାନ ହୋଇଲେ

ବିହ୍ୱଳିତ ହୋଇ ତଳେ ଢଳି ସେ ପଡ଼ିଲେ ।

ଲୋଟନ୍ତି ସେ କୃଷ୍ଣ କୃଷ୍ଣ ବୋଲି ଭାବଭୋଳେ

କେଶ ବାସ ଅସମ୍ଭାଳ ଲଜ୍ଜା ଦୂର କଲେ ।

କାହାରି ଦେହରେ ନାହିଁ ଚେତା ଚଇତନ

ପ୍ରେମଭରେ ସକଳେ ହୋଇଲେ ହତଜ୍ଞାନ ।

ମୃତଶବ ପ୍ରାୟେ ସର୍ବେ ଢଳି ଯେ ପଡ଼ିଲେ

ଗୋପାଳେ ଦେଖିଣ ରାମ ଆଗରେ କହିଲେ ।

ବୋଇଲେ ବ୍ରାହ୍ମଣୀମାନେ ଥିଲେ ଉଭାହୋଇ

ଦେଖୁ ଦେଖୁ ସର୍ବେ ଢଳି ପଡ଼ିଗଲେ ମହୀ ।

ଦେହରେ ତାଙ୍କର ନାହିଁ ଚେତା ଚଇତନ

ନ ଚଳଇ କର ପୁଣି ନ ଚଳେ ଚରଣ ।

ମଲେ କି ଜୀବନେ ଛନ୍ତି ଜଣା ତ ନ ଯାଇ

ଗୋପାଳଙ୍କ ମୁଖୁଁ ଏହା ଶୁଣି ହଳସାଇଁ ।

ଭୁଞ୍ଜିଲେ ଅନ୍ନ ବ୍ୟଞ୍ଜନ ନ ହୋଇଲା ଶେଷ

ରାମ ଡାକିଲେ ତୁ ଶୁଣ ଆରେ ପୀତବାସ ।

ଯେଉଁ ବିପ୍ରନାରୀମାନେ ଅନ୍ନ ଆଣି ଦେଲେ

ଦେଖ ସେ ବ୍ରାହ୍ମଣୀମାନେ ପଡ଼ିଛନ୍ତି ତଳେ ।

କାହାରି ଦେହରେ ନାହିଁ ଚେତା ଚଇତନ

କେଜାଣି ଅଛିକି ଗଲା ତାହାଙ୍କ ଜୀବନ ।

ଏତେ କହି ବଳରାମ ଆକୁଳେ ଧାଇଁଲେ

ବ୍ରାହ୍ମଣମାନଙ୍କ ପାଶେ ଯାଇ ପ୍ରବେଶିଲେ ।

ମୁଖେ ଜଳ ସିଞ୍ଚି ତାଙ୍କ କର୍ଣ୍ଣକୁ ଫୁଙ୍କିଲେ

ତଥାପି ସେମାନେ କେହି ଚେତା ନ ପାଇଲେ ।

ପୁଣି ରାମ ସେମାନଙ୍କୁ ବସାଇଲେ ଟେକି

ବୃକ୍ଷ ପ୍ରାୟ ବ୍ରାହ୍ମଣୀଏ ରହିଲେ ସଳଖି ।

ବୋଇଲେ ବ୍ରାହ୍ମଣୀମାନେ ମଲେଣି ନିଶ୍ଚିତ

ଏକାବେଳରେ ଏହାଙ୍କୁ କଲା ସର୍ପାଘାତ ।

ଆଚମ୍ବିତ କଥା ଏହୁ ଦେଖା ନାହିଁ କାହିଁ

ଏତେ ବୋଲି ଡାକଦେଲେ ପୁଣି ହଳସାଇଁ ।

ବୋଇଲେ ବ୍ରାହ୍ମଣୀମାନେ ଅନ୍ନ ଆଣିଦେଲ

କେମନ୍ତ ପ୍ରକାରେ ତୁମ୍ଭେ ଜୀବନ ହାରିଲ ।

ବ୍ରାହ୍ମଣେ ଶୁଣି ଆମ୍ଭଙ୍କୁ ଅଭିଶାପ ଦେବେ

ତାହାଙ୍କ ଶାପରୁ ଆମ୍ଭ ବଂଶ ନାଶଯିବେ ।

ଜଗତ ଜନଙ୍କ ମୁଖୁଁ ନେବୁ ଅପବାଦ

ବ୍ରାହ୍ମଣୀ ମାଇଲେ ବୋଲି ଶୁଭିବ ଶବଦ ।

ବଣାହେଲୁ କ୍ଷୁଧା ହେଲା ମାଗିଗଲୁ ଭାତ

ତୁମ୍ଭ ଅନ୍ନ ଖାଇ ଆମ୍ଭ ଦେହ କରୁ ସୁସ୍ଥ ।

ଆମ୍ଭ ଜୀବ ରଖି ତୁମ୍ଭେ ହରାଇବ ପ୍ରାଣ

ତୁମ୍ଭେ ଯେବେ ମଲ ତେବେ ଯାଉ ଏ ଜୀବନ

ପୁଣି ଭାବିଲେ କେମନ୍ତ ଘଟଣା ବା ଏହି

କେ କହିବ ମୋତେ ଏହା ଜାଣିବି ମୁଁ କାହିଁ

କିଅବା ଦେବେ ଚକ୍ରାନ୍ତ କଲେ ଭାବ ଦେଖି

ସ୍ଵର୍ଗପୁରେ ଆଜି ତାଙ୍କୁ ନ ଦେବି ଯେ ରଖି ।

ଏତେ ବୋଲି ରାମ ଉଚ୍ଚ ସ୍ୱରରେ ଡାକିଲେ

ଉଠ ଉଠ ମାତାମାନେ ବୋଲି ଯେ ବୋଇଲେ

ନଶୁଣି ସେ ରାମ ଡାକେ ହୋଇଛନ୍ତି ଭୋଳ

ଦେଖି ହଳଧର ତାହା ହୋଇଲେ ବିକଳ ।

ରାମ ଯହୁଁ ଉଚ୍ଚେ ଡାକ ଦେଲେ ନାମ ଧରି

ବ୍ରହ୍ମଲୋକେ ତାହା ଜାଣିପାରି କୁଶଧାରୀ ।

ଭୟେ ସେ ଆସନ ତେଜି ଶୂନ୍ୟରେ ଦେଖିଲା

ଗୋପାଳଙ୍କ ସଙ୍ଗେ କୃଷ୍ଣ କରି ଗୋଷ୍ଠଲୀଳା ।

ଆନନ୍ଦରେ ଧେନୁ ଗୋପାଳଙ୍କ ସଙ୍ଗତରେ

ଲୀଳା କରୁଛନ୍ତି କୃଷ୍ଣ କାନନ ମଧ୍ୟରେ ।

କେମନ୍ତ ଭାବେ ତାହା ମୁଁ ଦେଖିବି ନେତ୍ରରେ

ଏତେ ବୋଲି ବେଦବର କହିଲେ ଶୂନ୍ୟରେ ।

ପୁଣି ବଳରାମ ବ୍ରାହ୍ମଣୀଙ୍କ କର୍ଣ୍ଣ ବିଳେ

ବୋଇଲେଗୋ ଉଠ କୃଷ୍ଣ ଦେଖି ବେନିଡୋଳେ

କୃଷ୍ଣନାମ ଧରି ଯହୁଁ ଡାକିଲେ ମୂଷଳୀ

ଉଠିଲେ ସଚେତ ହୋଇ ସର୍ବ ବିପ୍ରବାଳୀ ।

ବିହ୍ୱଳିତେ ରାମ ପାଦ ଧରି ତୋଷଭରେ

ବୋଲନ୍ତି ଉଦ୍ଧର ପ୍ରଭୁ କୃପାକର ବାରେ ।

ରାମ ପାଦ ଧୂଳି ନେଇ ଅଙ୍ଗେ ହେଲେ ବୋଳି

ଭାବଭରେ ରାମଙ୍କୁ ସେ କୋଳାଗ୍ରତ କରି ।

କଠିନହୃଦୟ ରାମ ଭକ୍ତି ଭାବ ନାହିଁ

କୃଷ୍ଣର ମାୟାରେ ଭୋଳ ହେଲେ ହଳସାଇଁ ।

ବ୍ରାହ୍ମଣୀଙ୍କ ପାଦଧୂଳି ଅଙ୍ଗେ ହେଲେ ବୋଳି

ଭାବେ ବ୍ରାହ୍ମଣୀଙ୍କ ପାଦେ ପଡ଼ିଲେ ସେ ଢଳି

କୃଷ୍ଣ ଦେଖିଣ ମନରେ କରନ୍ତି ବିଚାର

ବୋଇଲେ ବ୍ରାହ୍ମଣୀ ଧନ୍ୟ ଜନ୍ମଗୋ ତୁମ୍ଭର ।

ଭୟ କରନ୍ତି ଯା ରୂପ ଦେଖି ଦିଗପାଳେ

ଯାହାର ରୂପକୁ ଦେଖି ସୁରପତି ଡରେ ।

ଯାର ରୂପ ଦେଖି ବ୍ରହ୍ମା କମ୍ପେ ଥରହର

ଯା ରୂପକୁ ଦେଖି ଭୟକରେ ଶୂଳଧର ।

ଯା ରୂପକୁ ଦେଖି ଦେବଗଣ ଭୟ କରି

ଯାର ପାଦ ଭାରରେ କମ୍ପଇ ବସୁନ୍ଧରୀ ।

ସେ ପାଦରୁ ଧୂଳି ଆଣି ଅଙ୍ଗେ ହେଲ ବୋଳି

ଧନ୍ୟ ଗୋ ବ୍ରାହ୍ମଣୀ ତୁମେ ବଶ କଲ ହଳୀ ।

ବ୍ରାହ୍ମଣୀଙ୍କ ପାଦଧୂଳି ଅଙ୍ଗେ ହେଲେ ବୋଳି

ସମସ୍ତ ଗୋପାଳ ପୁତ୍ର ତହିଁ ମେଳ ହେଲେ

ବ୍ରାହ୍ମଣୀଙ୍କ ପାଦେ ରାମ କୃଷ୍ଣ ଯେ ପଡ଼ିଲେ ।

ଯହିଁ ଭୁଞ୍ଜୁଥିଲେ ରାମ ଶ୍ରୀକୃଷ୍ଣ ଗୋପାଳ

ବ୍ରାହ୍ମଣୀମାନେ ଯାଇଣ ତହିଁ ହେଲେ ଠୁଳ ।

ଅବଶେଷେ ଯାହା ଥିଲା ବ୍ରାହ୍ମଣୀ ଧଇଲେ

କୃଷ୍ଣ କୃଷ୍ଣ ବୋଲି ତାହା ଗର୍ଭକୁ କ୍ଷେପିଲେ ।

ଗୋପାଳ ବ୍ରାହ୍ମଣୀ ରାମ କୃଷ୍ଣ ହେଲେ ମେଳ

ସବୁରି ମୁଖରେ ହରି ଶବଦ ଚହଳ ।

ଅଜ୍ଞାନତା ତେଜି ସର୍ବେ ଜ୍ଞାନମତ୍ତ ହେଲେ

ସୁଜ୍ଞାନେ ଗୋବିନ୍ଦ ପାଦେ ଚିତ୍ତ ନିବେଶିଲେ ।

ସବୁରି ହୃଦରେ ଦିବ୍ୟଜ୍ଞାନ ଉପୁଜଇ

କାହାରି ହୃଦରେ ମାୟା ମୋହ ଲେଶ ନାହିଁ ।

ଶୂନ୍ୟରେ ଥାଇଣ ଧାତା ଦେଖନ୍ତି ନୟନେ

ବୋଇଲେଗୋ ଧନ୍ୟ ତୁମ୍ଭେ ବିପ୍ରନାରୀମାନେ

ଧନ୍ୟ ଗୋ ତୁମ୍ଭର ଜନ୍ମ ଧନ୍ୟ ଗୋ ଜୀବନ

କରନ୍ତି ଯେଉଁ ନିର୍ମାଲ୍ୟ ପାଇଁ ଯୋଗୀ ଧ୍ୟାନ ।

ଆଜି ସେ ବିଷ୍ଣୁ ନିର୍ମାଲ୍ୟ ତୁମ୍ଭେ ଗୋ ପାଇଲ

କୋଟି କୋଟି ଜନ୍ମର ଯେ କଳୁଷ ନାଶିଲ ।

ତୁମ୍ଭର ଭାବକୁ ମୁଁ ତ ନୁହଇ ସମାନ

ଧନ୍ୟ ଗୋ ବ୍ରାହ୍ମଣୀ ବଶ କଲ ଭଗବାନ ।

ଏତେ ବୋଲି ଶୂନ୍ୟେ ଥାଇ ଦେଖେ ବେଦପତି

ଅନ୍ନ ଭୁଞ୍ଜି ସର୍ବେ କର ଶିରରେ ପୋଛନ୍ତି ।

ଅଧରାମୃତ ପାଇଣ ସର୍ବେ ଭୋଳ ହେଲେ

ଗୋଷ୍ଠୀ ଖୋଳୁ ଖୋଳୁ ମହାଭାବରେ ମଜ୍ଜିଲେ ।

ଶ୍ରୀକୃଷ୍ଣର ପାଦପଦ୍ମେ ଚିତ୍ତ ଅଛି ଜଡ଼ି

ଭବସାଗରରେ ସର୍ବେ ରହିଛନ୍ତି ବୁଡ଼ି ।

କେଶ ବାସ ଅସମ୍ଭାଳ ଭୂମିରେ ଲୋଟଇ

ପ୍ରେମରେ କହନ୍ତି ତ୍ରାହି ତ୍ରାହି ଭାବଗ୍ରାହୀ ।

ଏ ରୀତି ଦର୍ଶନ କରି କୃଷ୍ଣ କାମପାଳ

ବସିଲେ ଗୋପାଳ ସଙ୍ଗେ ମିଳି ଜାମୁ ମୂଳ ।

କୃଷ୍ଣ ଭାବେ ବ୍ରାହ୍ମଣୀ ଲୋଟନ୍ତି ସାଧୁସ୍ଥଳୀ

ସେ ସ୍ଥଳୀ ପବିତ୍ର ଧୂଳି ଶିରେ ଅଙ୍ଗେ ବୋଳି ।

କିଛିକ୍ଷଣେ ସର୍ବ ବାଳୀ ଚେତନା ପାଇଲେ

ଗୋଷ୍ଠୀ ମଧ୍ୟରେ ଶ୍ରୀକୃଷ୍ଣରାମ ନ ଦେଖିଲେ ।

କାହିଁ ଛାଡ଼ିଗଲେ ବୋଲି ଜୀବନ ବିକଳେ

ନିରୀକ୍ଷଣ କରନ୍ତେ ଦେଖିଲେ ଜାମୁମୂଳେ ।

ଚଉପାଶେ ସର୍ବ ଗୋପ ସୁତଙ୍କୁ ବସାଇ

ଆନନ୍ଦେ ଦେଖନ୍ତି ନୃତ୍ୟ ବସି ବେନି ଭାଇ ।

ଶ୍ରୀକୃଷ୍ଣ ପଙ୍କଜ ମୁଖ କରି ନିରୀକ୍ଷଣ

ଲଜ୍ଜାଭରେ ବ୍ରାହ୍ମଣୀଏ ହୋଇଲେ ମଉନ ।

କେଶ ବାସ ସବୁ ହୋଇଗଲା ଅସମ୍ଭାଳ

ଭାବରେ ବିପ୍ରନାରୀଏ ହୋଇଥିଲେ ଭୋଳ ।

ବିଷ୍ଣୁର ମାୟାରେ କିଛି ନ ପାରିଲେ ଜାଣି

କେଶ ବାସ ସମ୍ଭାଳି ସେ ବୋଲୁଛନ୍ତି ବାଣୀ ।

ଭାବେ ଗଦଗଦ ହୋଇ ବେନିକର ଯୋଡ଼ି

ବୋଲନ୍ତି ମୋହନ କେବେ ଯିବୁ ନାହିଁ ଛାଡ଼ି ।

ଗୋପପୁର ଯାଇ ତୁମ ପାଦ ସେବୁଥିବୁ

ତୁମ୍ଭ ଗୋପୀମାନଙ୍କର ଦାସୀ ଆମ୍ଭେ ହେବୁ ।

କରୁଥିବୁ ସେବା ରାଣୀ ଯଶୋଦା ଚରଣ

ତୁମ୍ଭ ଅନ୍ନ ଆମ୍ଭେ ନିତି କରିବୁ ଭୋଜନ ।

ମରଣ କାଳେ ତୁମ୍ଭର ଶ୍ରୀମୁଖ ଦେଖିବୁ

ତେବେ ଆମ୍ଭେମାନେ ନାରୀଜନ୍ମୁ ପାରି ହେବୁ ।

ତବ ଛଡ଼ା ତୁଳସୀକି ଗଳେ ଥିବୁ ଭରି

ଦେଖି ଯମଦୂତେ ଦୂରୁ ପଳାଇବେ ଡରି ।

ଏଡ଼େ ସୁଖ ଛାଡ଼ି କିମ୍ପା ମାୟାରେ ପଶିବୁ

ଅମୃତ ଛାଡ଼ି କିମ୍ପାଇଁ ବିଷକୁ ପିଇବୁ ।

ବ୍ରାହ୍ମଣୀ ବଚନେ କୃଷ୍ଣ କହୁଛନ୍ତି ବାଣୀ

ଲୋକହସାକୁ ତୁମ୍ଭର ଭୟ ନାହିଁ ପୁଣି ।

ଜାତିରେ ତୁମ୍ଭେ ବ୍ରାହ୍ମଣ ଆମ୍ଭେ ତ ଗୋପାଳ

ନିରତେ ଖଟିବା ଆମ୍ଭେ ତବ ପାଦତଳ ।

ତୁମ୍ଭ ପାଦେ ଦେବଗଣ କରନ୍ତି ଅର୍ଚ୍ଚନ

ବିଷ୍ଣୁ ନିର୍ମାଲ୍ୟ ସେବା କରନ୍ତି ଯେତେ ଜନ ।

କୃଷ୍ଣ ନାମ ଗୁଣି ଯେହୁ କରୁଛି ଗାୟନ

ନିରନ୍ତରେ କରୁଥାଇ ଯେ ବିଷ୍ଣୁ ସ୍ମରଣ ।

ତାଙ୍କଠାରୁ ପୁଣ୍ୟବନ୍ତ ନାହିଁ ଏ ମହୀରେ

ସେ ଅଟନ୍ତି ଶ୍ରେଷ୍ଠ ପୁଣି ଯୁଗଯୁଗାନ୍ତରେ ।

ତୁମେ ତ ବ୍ରାହ୍ମଣ ଜାତି ସର୍ବପରେ ସାର

ଏମନ୍ତ ଭାବ କିମ୍ପାଇ ବହିଛ ମନର ।

ତୁମ୍ଭେ କହିଲ ସେ ଆମ ସେବା କରିବାକୁ

ଆମ ଶକ୍ତି ନାହିଁ ତାହା ମୁଖେ ଧରିବାକୁ ।

ସହଜେ ନିର୍ବୋଧ ଆମେ ଜାତିରେ ଗୋପାଳ

ମୂର୍ଖପଣେ ରହିଥାଉ ଜାଣ ଚିରକାଳ ।

ଗଉଡ଼ କଥାକୁ କାହିଁ ଆମର ଶକତି

ଏମନ୍ତ ବାଉଡ଼ ଆମେ ଅଟୁ ମନ୍ଦ ଜାତି ।

ତୁମ୍ଭ ପଦ ସେବାକାରୀ ଅଟୁ ଆମ୍ଭେ ଜାଣ

କେମନ୍ତ ଭାବରେ କୁହ ଏମନ୍ତ ବଚନ ।

ନନ୍ଦ ଯଶୋଦା ଦେଖିଲେ ଉପୁଜିବ ବିଷ

ଦେଖି ଗୋପୀମାନେ ପୁଣି କରିବେ ରହସ୍ୟ ।

ଗୋପରୁ ବାହାର କରିଦେବେ ମାମୁଁ ଶୁଣି

ବ୍ରାହ୍ମଣ ତ ଆଉ ନ ଘେନିବେ ଗୋ ବ୍ରାହ୍ମଣୀ ।

ତୁମ୍ଭ ସ୍ଵାମୀ କ୍ରୋଧେ ଆମ ବଂଶ ଯିବ ନାଶ

ଏକା ବ୍ରାହ୍ମଣଙ୍କୁ ମୋର ନାହିଁ ଗୋ ବିଶ୍ଵାସ ।

ଯେ ବ୍ରାହ୍ମଣେ ଚାରିବେଦେ ଅଟନ୍ତି ନିପୁଣ

ମନେ କରୁଥିବେ ଅବା ହେଲା କି ଘଟଣ ।

ତୁମେ ବନେ ଆସିବାକୁ ମନା କରୁଥିଲେ

କିସ ବୋଲି ଭାବୁଥିବେ ସେହି ହୃଦୟରେ ।

ନିରତେ ଲୋକ ନିନ୍ଦାକୁ ଡରଇ ଯେ ମୁହିଁ

ଗୋପପୁରେ ନିତି ହଟହଟା ମୁଁ ହୁଅଇ ।

ବ୍ରହ୍ମପତ୍ନୀ ଗୁରୁପତ୍ନୀ ରାଜପତ୍ନୀମାନ

ଅନ୍ନଦାତ୍ରୀ ଆଦି ସର୍ବ ଜନନୀ ସମାନ ।

ପର ନାରୀ ଦେଖିଲେ ଗୋ ମନ ନ ବଳାଇ

ଗୁରୁପତ୍ନୀ ଦେଖି ଦୂରୁ ମୋ ମନ ଡରଇ ।

ଯାଅ ଗୋ ବ୍ରାହ୍ମଣୀମାନେ ଆନ ନ ବିଚାର

ଜୀବନର ଅନ୍ତେ ଯିବ ବଇକୁଣ୍ଠପୁର ।

ସ୍ୱାମୀଙ୍କ ଚରଣ ସେବା କରୁଥିବ ନିତି

ଅନେକ ହେବ ତୁମ୍ଭର ସନ୍ତାନ ସନ୍ତତି ।

ଅତିଥି ଆସି ଗୋ ଯେବେ ମିଳିବେ ମନ୍ଦିରେ

ନିରାଶ ନ କରି ଯାହା ଥିବ ଦେବ ଘରେ ।

ତୃଷାର୍ତ୍ତ ଜନକୁ ଦେଖି ଦେବ ଜଳଦାନ

କ୍ଷୁଧାର୍ତ୍ତ ଦେଖିବ ଯେବେ ଦେଉଥିବ ଅନ୍ନ ।

ପର ଉପକାର କଥା କରୁଥିବ ନିତି

ବିଷ୍ଣୁର ସେବାରେ ସଦା ଦେଇଥିବ ମତି ।

ଗୁରୁ ବା ବ୍ରାହ୍ମଣ ନିନ୍ଦା ନ ଶୁଣିବ କର୍ଣ୍ଣେ

ପୁଣି ବିଷ୍ଣୁ ନିନ୍ଦା ହେଉଥିବ ଯେଉଁ ସ୍ଥାନେ ।

ସେ ସ୍ଥାନକୁ ଦେଖି ଦୂରୁ ଅପସରି ଯିବ

କହିବାର କଥା କେବେ ଆନ ନ ହୋଇବ ।

ସମନେତ୍ରେ ଦେଖିବ ଗୋ ନିଜ ପର ଦୁଇ

ଧେନୁକୁ ପୂଜିଲେ କୋଟି ଦେବତା ପୂଜଇ ।

ବିଷ୍ଣୁ ଅଙ୍ଗେ ଲୀନ ହୋଇବଟି ତୁମ୍ଭେମାନେ

ରହିବ ଗୋ ତୁମେ ପୂର୍ବ ଅର୍ଜିଲାର ସ୍ଥାନେ ।

ଯାଅ ଯା ନିଜ ସଦନେ ନ ଥାଅଟି କ୍ଷଣେ

ତୁମ୍ଭେ ଗଲେ ଆମ୍ଭେ ଯିବୁ ବରଜ ଭୁବନେ ।

ଲୋଡୁଥିବେ ଆମକୁ ଗୋ ଜନନୀ ପିଅର

କରିବେ କାହିଁ ଆମକୁ ନ ଦେଖି ଆହାର ।

ଏମନ୍ତ ଶୁଣି ବ୍ରାହ୍ମଣୀ ହୋଇଲେ ସ୍ତବଧ

ନେତ୍ରୁ ବହେ ଅଶ୍ରୁଜଳ ଭାବେ ଗଦଗଦ ।

କୃଷ୍ଣଙ୍କ ଚରଣ ତଳେ ପଡ଼ିଲେ ବ୍ରାହ୍ମଣୀ

ଅତି ବିନୟ ଭାବରେ କହିଲେକ ବାଣୀ ।

ନିରାଶ କରିଣ କୃଷ୍ଣ ଦେଲେ ଯେ ଆମ୍ଭଙ୍କୁ

ପଥ ନ ଦିଶଇ ଆମ୍ଭେ ଯିବୁ କେଉଁଠାକୁ ।

ଆମକୁ ଦିଶୁଛି ଦଶ ଦିଗ ଅନ୍ଧକାର

ତମ ବିନା ନାହିଁ ଆମ ଅନ୍ୟ ପ୍ରତିକାର ।

ବ୍ରାହ୍ମଣଙ୍କ ବାକ୍ୟେ କୃଷ୍ଣ ଗୋପାଳେ ହକାରି

ବୋଇଲେ ହେ ଛାଡ଼ିଆସ ବ୍ରାହ୍ମଣୀଙ୍କ ନାରୀ ।

ବ୍ରାହ୍ମଣମାନଙ୍କ ପାଶେ ସମର୍ପିବ ନେଇ

କିଛି ନ କହି ଆସିବ ତୁମ୍ଭେ ତୁନି ହୋଇ ।

କୃଷ୍ଣଙ୍କ ବାକ୍ୟେ ଗୋପାଳେ ହୋଇ ତରତର

ବୋଇଲେବେଗେ ବ୍ରାହ୍ମଣୀ ହୁଅ ଗୋ ବାହାର ।

ଭାବରେ ବଶ ସର୍ବଦା ଅଟେ ଭାବଗ୍ରାହୀ

ବ୍ରାହ୍ମଣୀମାନଙ୍କ ପାଦେ ପଡ଼ିଲେ ସେ ଯାଇ ।

ବେନିକର ଯୋଡ଼ି କୃଷ୍ଣ ବୋଇଲେ ଗୋ ଯାଅ

କିଛିଦିନ ନିଜ ଗୃହେ ଆନନ୍ଦରେ ରୁହ ।

କୃଷ୍ଣ ବାକ୍ୟ ବ୍ରାହ୍ମଣୀଏ ହୋଇ ଗଦଗଦ

ବୋଲନ୍ତି ଦେଖିବୁ କାହିଁ ତବ ପଦ୍ମପାଦ ।

ଚଳିଲେ ବ୍ରାହ୍ମଣୀମାନେ କାନ୍ଦ କାନ୍ଦ ହୋଇ

ଲେଉଟି ଲେଉଟି କୃଷ୍ଣ ମୁଖକୁ ଅନାଇ ।

ଗୋପାଳେ ଚଳିଲେ ଆଗଭର ହୋଇକରି

ବନରେ ପଶନ୍ତେ ହେଲେ ଅଦୃଶ୍ୟ ଶ୍ରୀହରି ।

ନ ଶୁଣି ଗୋପାଳମାନେ ଗଲେ ପଥବାହି

ନିବିଡ଼ କାନନ ମଧ୍ୟେ ତରତର ହୋଇ ।

ନ ଦେଖି ତାହାଙ୍କୁ ବିପ୍ରନାରୀ ଭୟକରି

ମନେ ବିଚାରନ୍ତି କିମ୍ପା ଗୃହେ ଯିବା ଫେରି ।

ଶ୍ରୀକୃଷ୍ଣ ଆମ୍ଭମାନଙ୍କୁ ଗୋପକୁ ନ ନେଲେ

ଗୋପାଳଙ୍କୁ ସଙ୍ଗେ ଦେଇ ଗୃହେ ପଠାଇଲେ

ଏବେ ସେ ଗୋପାଳେ ଆଗ ଆଗ ଗଲେ କାହିଁ ।

ଆଉ ଗୃହକୁ ଗୋ ଆମେ ଯିବା କାହିଁ ପାଇଁ ।

ଘରେ ବା ଆମର କାର୍ଯ୍ୟ ଆଉ ଅଛି କିସ

ଦେଖିଲେ ବ୍ରାହ୍ମଣମାନେ କରିବେଟି ରୋଷ ।

ମାରି ସେ ଆମ୍ଭଙ୍କୁ ଘରୁ ଘଉଡ଼ାଇ ଦେବେ

ବନପଥେ କାହା ସଙ୍ଗେ ଆସିଲ ବୋଲିବେ ।

ଏପରି ନିର୍ଲ୍ଲଜ ଭାବେ ଯିବା ଗୋ କିମ୍ପାଇଁ

କୃଷ୍ଣହିଁ ନ ନେଲେ ସ୍ଵାମୀ ରଖିବେ ତ ନାହିଁ ।

ଏ ବନ ବୃକ୍ଷରେ ଆସି ଫାଶୀ ଲଗାଇବା

କୃଷନାମ ଧରି ଆମ୍ଭେ ଜୀବନ ହାରିବା ।

ଯେବେ ଏ ଜୀବନ ଯିବ ଶୁଣ ଗୋ ମିତଣୀ

କୃଷ୍ଣ ଅଙ୍ଗେ ଲୀନ ହେବା ସକଳ ବ୍ରାହ୍ମଣୀ ।

ଏମନ୍ତ ବ୍ରାହ୍ମଣୀମାନେ ମନରେ ଭାଳିଲେ

ଶିଆଳି ଲତାମାନ ସେ ଖୋଜିଣ ଆଣିଲେ ।

ସ୍ଥିର କଲେ ଖୋଜିବାକୁ କୃଷ୍ଣନାମ ଧରି

ଜାମୁବୃକ୍ଷ ମୂଳେ ଥାଇ ଜାଣିଲେ ଶ୍ରୀହରି ।

ଅନ୍ତର୍ଯ୍ୟାମୀ ନାଥ କୃଷ୍ଣ ମନ ମଧ୍ୟେ ଜାଣି

ତକ୍ଷଣେ ମିଳିଲେ ଯହିଁ ଥିଲେ ସେ ବ୍ରାହ୍ମଣୀ ।

ଦର୍ଶନେ ବ୍ରାହ୍ମଣୀମାନେ ହେଲେ ସ୍ତମ୍ଭୀଭୂତ

ବିଚାରିଲେ ଏ ନିଶ୍ଚୟ ଅନ୍ତର୍ଯ୍ୟାମୀ ନାଥ ।

କୃଷ୍ଣ ବୋଲନ୍ତି ଗୋ ମାଏ ଏବେ ବେଗେ ଚାଲ

ଗୋପାଳେ ତୁମ୍ଭଙ୍କୁ ଚାହିଁଛନ୍ତି ବୃକ୍ଷମୂଳ ।

ନ ଦେଖି ତୁମ୍ଭର ସ୍ୱାମୀ ହେବେଣି ଅସ୍ଥିର

ଗୋପାଳେ ଫେରିଲେ ଆମେ ଯିବୁ ଗୋପପୁର

ନକର ଗୋ ଭୟ ତୁମ୍ଭେ ଘୋର ବନ ଦେଖି

ତୁମ୍ଭର ଭାବ ଦେଖି ମୁଁ ତୁମ୍ଭ ପଛେ ଅଛି ।

ବିଳମ୍ବ ନ କରି ଏବେ ଯାଅ ବେଗ ହୋଇ

ଶଙ୍କା ନ କରିଣ ଏବେ ଯାଅ ପଥ ବାହି ।

କୃଷ୍ଣ ମାୟାରେ ବ୍ରାହ୍ମଣୀ ହୋଇଲେ ମୋହିତ

ଉଚ୍ଚେ ଡାକିଲେ ଗୋପାଳେ ନିଅରେ ସଙ୍ଗତ ।

ନ ନେଲେଟି ଫେରିଯାଇ କୃଷ୍ଣଙ୍କୁ କହିବୁ

ନିଜେ କୃଷ୍ଣ ସଙ୍ଗେ ଆମ୍ଭେ ସ୍ଵପୁରକୁ ଯିବୁ ।

ବ୍ରାହ୍ମଣୀଙ୍କ ମୁଖୁଁ କୃଷ୍ଣ ଏମନ୍ତ ଶୁଣିଲେ

ତକ୍ଷଣେ ସେଠାରୁ ଅନ୍ତର୍ଦ୍ଧାନ ହୋଇଗଲେ ।

ବିପ୍ରନାରୀଙ୍କର ଡାକ ଶୁଣିଣ ଗୋପାଳେ

ବୋଇଲେ ଗୋ ଅପେକ୍ଷାରେ ଅଛୁ ବୃକ୍ଷମୂଳେ ।

ଦିଶିଲାଣି ତୁମ୍ଭ ଘର ଆସ ବେଗ ହୋଇ

ତୁମ୍ଭେ ନାରୀଜାତି ବାଟ ଚାଲିପାର ନାହିଁ ।

ଗୋପାଳଙ୍କ ବଚନରେ ବ୍ରାହ୍ମଣୀ ଆସିଲେ

ସକଳ ଗୋପାଳ ପୁଅମାନଙ୍କୁ ଦେଖିଲେ ।

ଦେଖନ୍ତି ସର୍ବ ଗୋପାଳ ପୁଅ କୃଷ୍ଣ ପ୍ରାୟ

ଦେଖିଣ ବ୍ରାହ୍ମଣୀମାନେ ମନୁ ତେଜି ଭୟ ।

ଗୋପାଳଙ୍କ ସଙ୍ଗେ ସେହୁ ଗଲେ ନିଜ ଘରେ

ଫେରିଲେ ଗୋପାଳେ କୃଷ୍ଣ ଥିଲେ ଯେଉଁଠାରେ ।

କୃଷ୍ଣ ମାୟାରେ ବ୍ରାହ୍ମଣୀ ସବୁ ପାଶୋରିଲେ

ନିଜ ନିଜ ଗୃହକର୍ମ ଆଦରି ରହିଲେ ।

ରାମ ଶ୍ରୀକୃଷ୍ଣ ଗୋପାଳ ବତ୍ସାବୃନ୍ଦ ଘେନି

ଗୋପପୁରେ ପ୍ରବେଶ ହୋଇଲେ କାଳ ଜାଣି

ଶୂନ୍ୟେ ଥାଇ ବେଦବର ଦେଖିଲେ ନୟନେ

ଯହୁଁ ଶ୍ରୀକୃଷ୍ଣ ବ୍ରାହ୍ମଣୀ ଗଲେ ସ୍ଵଭୁବନେ ।

ତହୁଁ ବ୍ରହ୍ମା ଆସି ପ୍ରବେଶିଲେ ସେହି ସ୍ଥାନ

ଶ୍ରୀକୃଷ୍ଣ ଉଚ୍ଛିଷ୍ଟ ପଡ଼ିଥିଲା ଯେତେ ଅନ୍ନ ।

ବ୍ରାହ୍ମଣୀ ଭୁଞ୍ଜିବା ଅନ୍ତେ ବାକି ଥିଲା ଯାହା

ଆନନ୍ଦରେ ବେଦବର ଗୋଟାଇଲେ ତାହା ।

ସବୁ ଅନ୍ନ କମଣ୍ଡଳୁ ଭିତରେ ରଖିଲେ

ଯେଉଁ ଅନ୍ନମାନ ତହିଁ ପଡ଼ିଥିଲା ତଳେ ।

ଶୁଷ୍କ ହୋଇ ମଧ୍ୟ ଯେତେ ଅନ୍ନ ଥିଲା ପଡ଼ି

ଖୋଜି ତାହା ଅଷ୍ଟନେତ୍ର ରଖେ ଧୂଳି ଝାଡ଼ି ।

ଦେଖିଲେ ଅନ୍ନ ଗୋଟିଏ ଆଉ ପଡ଼ି ନାହିଁ ।

ଭୁଞ୍ଜିଲେ ସେ ସ୍ଥାନେ ଅନ୍ନ ମନେ ତୋଷ ବହି ।

ଅବଶିଷ୍ଟ କମଣ୍ଡଳୁ ଭିତରେ ରହିଲା

କୃଷ୍ଣ ଗୋଷ୍ଠସ୍ଥଳ ବୋଲି ବ୍ରହ୍ମା ବିଚାରିଲା ।

ରାମ ଶ୍ରୀକୃଷ୍ଣ ଗୋପାଳ ବିପ୍ର ପଦଧୂଳି

ଅଷ୍ଟଭୁଜେ ଧରି ବ୍ରହ୍ମା ଅଙ୍ଗେ ହେଲେ ବୋଳି ।

ଚତୁର୍ମୁଖେ କୃଷ୍ଣନାମ ଗୁଣି ଭୋଳ ହେଲେ

କରଯୋଡ଼ି କରି ବ୍ରଜଭୂମିରେ ଲୋଟିଲେ ।

କମଣ୍ଡଳୁ ଧରି ତହୁଁ ହୋଇଲେ ବାହାର

ସୁରସଭାରେ ପ୍ରବେଶ ହେଲେ ବେଦବର ।

ସକଳ ଅମରଗଣ ଛନ୍ତି ତହିଁ ରହି

ଧାତାଙ୍କୁ ଦେଖିଣ ଦୂରୁ ଉଠି ଶଚୀସାଇଁ ।

ଗଙ୍ଗାଜଳେ ପାଦ ଧୋଇ ଆସନେ ବସାଇ

କରପତ୍ର ଯୋଡ଼ିଣ ସେ ବଚନ କହଇ ।

କୃପାକରି କହ କାହିଁ ଥିଲ ବେଦବର

ଆଜି ସୁରସଭା ଦିଶୁ ନଥିଲା ସୁନ୍ଦର ।

ଏ ସମୟେ ଶଚୀଦେବୀ କଲା ନମସ୍କାର

ଧୂପଦୀପେ ପୂଜାକରି ତାହାଙ୍କ ପୟର ।

ଧାତା ବୋଇଲେ ହେ ତୁମ୍ଭେ ଶୁଣ ସଚୀସାଇଁ

କୃଷନାମ ଏହି ଏବେ ବିଷ୍ଣୁ ଜାତ ହୋଇ

ସେ କୃଷ୍ଣ ଆଜି ଶାସନେ ବାଟ ଭୁଲିଗଲେ

କ୍ଷୁଧାରେ ଆରତ ହୋଇ ଖାଦ୍ୟ ମଗାଇଲେ ।

କ୍ଷୁଧାର୍ତ୍ତ ଗୋପାଳେ ଶାସନକୁ ଗଲେ ଧାଇଁ

ଦେଖିଲେ ବ୍ରାହ୍ମଣ ମଧ୍ୟୁଁ ଘରେ କେହି ନାହିଁ ।

କୃଷ୍ଣର ସନ୍ଦେଶ ନାରୀମାନଙ୍କୁ କହିଲେ

ଶୁଣନ୍ତେ ବ୍ରାହ୍ମଣୀମାନେ ଅନ୍ନ ଘେନିଗଲେ ।

ଯହିଁ କୃଷ୍ଣ ଥିଲେ ତହିଁ ହେଲେ ସେ ପ୍ରବେଶ

ଅନ୍ନ ଦେଖି ରାମକୃଷ ହୋଇଲେ ହରଷ ।

ମଧ୍ୟରେ ଅନ୍ନକୁ ରଖି ବସି ଚଉପାଶ

ବୋଇଲେ ଗୋପାଳ ଭୁଞ୍ଜ ହୋଇଣ ହରଷ ।

ଶୁଣିଣ ଗୋପାଳ ପୁଏ ହୋଇଲେ ହରଷ

ହରି ହରି ବୋଲି ମୁଖେ କରନ୍ତି ପ୍ରକାଶ ।

ଭାବେ ଭୋଳହୋଇ ଯେଣୁ ସମସ୍ତେ ଭୁଞ୍ଜିଲେ

ରାମଙ୍କ ମୁଖରୁ ନେଇ ଭୁଞ୍ଜିଲେ ଗୋପାଳେ

କେ କୃଷ୍ଣ ମୁଖରୁ ନେଇ ଆପଣେ ଭୁଞ୍ଜଇ

ଗୋପାଳଙ୍କ ମୁଖୁ କୃଷ୍ଣ ନିଅନ୍ତି ଛଡ଼ାଇ ।

ବ୍ରାହ୍ମଣୀଏ ଦେଖି ତାଙ୍କ ଭାବେ ହେଲେ ଭୋଳ

କରାଇଲେ ସଚେତ ଯେ ତାଙ୍କୁ କାମପାଳ ।

ଶ୍ରୀକୃଷ୍ଣ ଗୋପାଳ ଅନ୍ନ ଭୋଜନ ସାରିଲେ

ବ୍ରାହ୍ମଣୀମାନଙ୍କ ଭାବେ ରାମ ଭୋଳ ହେଲେ ।

ସେ ବ୍ରାହ୍ମଣୀମାନେ ଗୋଷ୍ଠୀ ତଳକୁ ଆସିଲେ

ଯେତେ ଅନ୍ନ ଥିଲା ତାହା ସାଉଁଟି ଖାଇଲେ ।

ବ୍ରାହ୍ମଣୀଙ୍କ ଅନ୍ନ ବିଷ୍ଣୁ କରିଲେ ଭୋଜନ

ଗୋପାଳଙ୍କ ସଙ୍ଗେ ଗୋଷ୍ଠୀ ପ୍ରେମେ କଲେ ପୁଣ

ସେ ଅନ୍ନ ମହିମା ମୁଖେ କେ ପାରିବ କହି

ବ୍ରାହ୍ମଣୀଏ ଭୁଞ୍ଜୁଥିଲେ ଦେଖୁଥିଲି ମୁହିଁ ।

ଗୋଷ୍ଠୀଲୀଳା ସାରି ଶେଷେ ଯେଝାପୁରେ ଗଲେ

ଶୁନ୍ୟ ଥାଇଣ ସକଳ ଦେଖୁଥିଲି ଡୋଳେ

ନୟନେ ଯହୁଁ ସେ ସ୍ଥାନ ଶୂନ୍ୟ ମୁଁ ଦେଖିଲି

ସେ ପବିତ୍ର ସ୍ଥାନେ ଯାଇ ଗୋପନେ ମିଳିଲି ।

ଯେତେ ଯେତେ ଅନ୍ନ ସବୁ ପଡ଼ିଥିଲା ତହିଁ

କମଣ୍ଡଳୁରେ ସକଳ ରଖିଲି ଗୋଟାଇ ।

କୃଷ୍ଣ ନିର୍ମାଲ୍ୟ ଭୁଞ୍ଜି ମୁଁ ଲଭିଲି ସନ୍ତୋଷ

ଶୁଣ ଅମର ରାଜନ କହୁଛି ତୋ ପାଶ ।

ବ୍ରାହ୍ମଣଙ୍କ ଅନ୍ନ ବିଷ୍ଣୁ କରିଲେ ଭୋଜନ

ସେ ଅନ୍ନ ମହିମା କେହୁ କରିବ ବର୍ଣ୍ଣନ ।

ନିଜେ ଚାରିମୁଖେ ମୁଁ ତ ନ ପାରିବି କହି

ଭାଗ୍ୟ ଥିଲା ଆଜି ଭୁଞ୍ଜିଅଛି ତାହା ମୁହିଁ ।

ସେ କୃଷ୍ଣ ବ୍ରାହ୍ମଣ ଅନ୍ନ ସେବାକରେ ନିତି

ସେ ତ ନ ଜାଣନ୍ତି ନିଜେ ସେ ଅନ୍ନର ଗତି ।

ସେ ନିର୍ମାଲ୍ୟ ଆଣିଛି ମୁଁ ଆଜ ଦେବଗଣେ

ପାଇଛୁ ଯାହାକୁ ସେବା କରି ଶ୍ରୀଚରଣେ ।

ସେ ନିର୍ମାଲ୍ୟ ସେବା ଫଳେ ପ୍ରାପ୍ତ ବ୍ରହ୍ମପଦ

ସେ ନିର୍ମାଲ୍ୟ ସେବାଯୋଗୁ ଦେଖେ ବିଷ୍ଣୁପାଦ

ସେ ନିର୍ମାଲ୍ୟ ସେବା ଯେହୁ କରେ ନିତିଦିନ

ମହାପାପ ଯାଏ ତାର ପାଏ ଶ୍ରୀଚରଣ ।

ବ୍ରହ୍ମାଙ୍କ ବଚନେ ଦେବେ ବେନିକର ଯୋଡ଼ି

ଶଚୀ ସହ ଶଚୀନାଥ ତାଙ୍କ ପାଦେ ପଡ଼ି ।

ବୋଇଲେ ତାତ ଆମ୍ଭଙ୍କୁ ଦୟା ତୁ ନ କଲୁ

ଏକା ହୋଇ ନାରାୟଣ ନିର୍ମାଲ୍ୟ ସେବିଲୁ ।

ଆମ୍ଭେ ସର୍ବ ଦେବଗଣେ ନୋହୁ କି ତୁମ୍ଭର

ତୁ ସିନା ଆମ୍ଭଙ୍କୁ ଜାତ କଲୁ ବେଦବର ।

ଏବେ ଆମ୍ଭର ବିନୟ ଘେନ ବେଦପତି

ବିଷ୍ଣୁଙ୍କ ନିର୍ମାଲ୍ୟ ଦିଅ ଲଭିବୁ ମୁକତି ।

ଯେବେ ପିତା ଆମ୍ଭଙ୍କୁ ହୋ କରିଅଛୁ ଜାତ

ଆମ୍ଭେ ଦେବଗଣେ ତୁମ୍ଭ ଚରଣର ଭୃତ୍ୟ ।

ତୁମ୍ଭେ ତ ଦର୍ଶନ କଲ ଶ୍ରୀକୃଷ୍ଣ ପୟର

ଆମ୍ଭେ ତୁମ୍ଭ ପାଦ ଦେଖି ହୋଇଲୁ ଉଦ୍ଧାର ।

ଗୋଷ୍ଠୀ କଲେ ଗୋପାଳଙ୍କୁ ରାମକୃଷ୍ଣ ହରି

ସେ ଅନ୍ନ ଆଣିଛ ତୁମ୍ଭେ କମଣ୍ଡଳେ ଭରି ।

ତୁମେ ସେବାକଲ କୃଷ୍ଣ ଗୋପୀଙ୍କର ମେଳେ

ଆମେ ସେବା କରିବୁ ଯା ଅଛି କମଣ୍ଡଳେ ।

କିମ୍ପାଇ ଆମ୍ଭଙ୍କୁ ଭଣ୍ଡି କହ ବେଦବର

ଅନୁଗ୍ରହ କରି ବିଷ୍ଣୁ ଅନ୍ନ ଦାନ କର ।

ଆମ୍ଭେ ଦେବଗଣ ତାହା ସେବନ କରିବୁ

ଜନ୍ମ ଜନ୍ମାନ୍ତର ପାପ ସକଳ ନାଶିବୁ ।

ଦେବଙ୍କ ବଚନ ଶୁଣି କମଣ୍ଡଳୁ ଆଣି

ଥୋଇଲେ ଆନନ୍ଦେ ସଭା ମଧ୍ୟେ କୁଶପାଣି ।

ତତକ୍ଷଣେ କମଣ୍ଡଳୁ ମଘବା ଧଇଲେ

ବିଷ୍ଣୁ ନିର୍ମାଲ୍ୟ ସକଳ ଦେବତାଙ୍କୁ ଦେଲେ ।

ହରି ହରି ଧ୍ୱନି କଲେ ସର୍ବ ଦେବଗଣ

ବିଷ୍ଣୁର ନିର୍ମାଲ୍ୟ ସେବି ତୋଷ କଲେ ମନ ।

କମଣ୍ଡଳୁରେ ନିର୍ମାଲ୍ୟ ଯେତେ ଆଣିଥିଲେ

ସବୁ ସେବା କଲେ ଦେବେ କିଛି ନ ରଖିଲେ ।

ପଖାଳିଲେ କମଣ୍ଡଳୁ ଅତି ଯତ୍ନ କରି

ସେ ଜଳକୁ ସେବା କଲେ ବିଷ୍ଣୁଙ୍କୁ ସୁମରି ।

ବ୍ରହ୍ମାଏ ସକଳ ଦେବ କରି ଦରଶନ

ଆନନ୍ଦରେ ଚଳିଗଲେ ଯେ ଯାହା ସଦନ ।

ନିଜ ସଦନରେ ଧାତା ହୋଇଲେ ପ୍ରବେଶ

ଏସବୁ ଦେଖି ନାରଦ ଗଲେ କଇଳାସ ।

ହର ପାର୍ବତୀଙ୍କ ପାଦେ କରି ଦରଶନ

ନାରଦଙ୍କୁ ପଚାରିଲେ ଦେଖି ତ୍ରିଲୋଚନ ।

କହ କହ ବତ୍ସ ଆଜି ରହିଥିଲୁ କାହିଁ

ନାରଦ ବୋଲନ୍ତି ଶୁଣ ଦେବ ଉମାସାଇଁ ।

ସୁଧର୍ମା ସଭାକୁ ଆଜି ଯାଇଥିଲି ମୁହିଁ

ସର୍ବ ଦେବଗଣ ମେଳେ ଥିଲା ଶଚୀସାଇଁ ।

ସେଠାରେ ଦେଖିଲି ମୁହିଁ ଅତି ଆଚମ୍ବିତ

ଯେ କଥା ନ ଥିଲି ଶୁଣି ଦେଖିଲି ପ୍ରତ୍ୟକ୍ଷ ।

ବ୍ରହ୍ମା ଯେ ମର୍ତ୍ତ୍ୟପୁରକୁ ଆଜି ଆସିଥିଲେ

ବିଷ୍ଣୁର ନିର୍ମାଲ୍ୟ ବୃନ୍ଦାବନୁ ଘେନିଗଲେ ।

ପ୍ରବେଶିଲେ ହେଉଥିଲା ତହିଁ ସୁର ସଭା

ଦେବତାଙ୍କୁ ସେ ନିର୍ମାଲ୍ୟ କରାଇଲେ ସେବା ।

କମଣ୍ଡଳୁ ଧୋଇ ସୁଦ୍ଧା କଲେ ଜଳପାନ

ତହିଁ ହରି ହରି ଧ୍ୱନି କଲେ ଦେବଗଣ ।

ସେଠାରେ ସର୍ବ ଦେବଙ୍କୁ ନୟନେ ଦେଖିଲି

ତୁମ୍ଭଙ୍କୁ ନ ଦେଖି ଦେବ କୈଳାସ ଆସିଲି ।

ଏ କଥା ତୁମ୍ଭଙ୍କୁ ମୁହଁ କହିବାର ପାଇଁ

ଆସିଲି କେବଳ ଆନ କାର୍ଯ୍ୟ କିଛି ନାହିଁ ।

ଏମନ୍ତ କହି ନାରଦ ତହୁଁ ଗଲେ ଚଳି

ଶୁଣି ମହା କ୍ରୋଧଭରେ ଉଠିଲେ ତ୍ରିଶୂଳୀ ।

ବୃଷଭ ଆରୋହୀ ସେହୁ ବ୍ରହ୍ମା ପାଶେ ଗଲେ

ଦୂରୁ ଦେଖି ବେଦବର ଆସନ ତେଜିଲେ ।

ସୁଦିବ୍ୟ ଆସନେ ନେଇ ବସାଇଲେ ହର

ବିନୟେ କହନ୍ତି କରଯୋଡ଼ି ବେଦବର ।

ଆଜି ବଡ଼ ଶୁଭଦିନ ମୋର ତ୍ରିଲୋଚନ

ଯେଣୁ ତବ ପାଦପଦ୍ମ କଲି ଦରଶନ ।

ଶୁଣି କ୍ରୋଧଭର ହୋଇ କହନ୍ତି ଶଙ୍କର

ବିଷ୍ଣୁର ନିର୍ମାଲ୍ୟ ତୁ ହୋ ଆଣି ବେଦବର ।

ଦେବତାମାନଙ୍କୁ ତୁ ହୋ ସେ ନିର୍ମାଲ୍ୟ ଦେଲୁ

ମୋତେ କାହିଁକି ଯେ ମହା ନିର୍ମାଲ୍ୟ ନ ଦେଲୁ ।

ଷଣ୍ଢ ଗୋଟାଏ ବାହନ ଦେଲୁ ବେଦପତି

ଅଙ୍ଗର ଭୂଷଣ କରି ଦେଉଛୁ ବିଭୂତି ।

ସର୍ବ ଦେବ ମେଳ ହୋଇ ସମୁଦ୍ର ମନ୍ଥିଲ

ଅମୃତକୁ ନେଇ ମୋତେ କାଳକୂଟ ଦେଲ ।

ସବୁ ଦେବଙ୍କୁ ଖଞ୍ଜିଲୁ ମନୋହର ବାସ

ମୋହ ପାଇଁ ଥିଲା ହିମମୟ କଇଳାସ ।

ନାନା ରତ୍ନ ହାରେ ପୂର୍ଣ୍ଣ ଦେବଙ୍କର ଗଳା

ମୋହର ଗଳାରେ ଶୋଭାପାଏ ହାଡ଼ମାଳା ।

ତୁହି ବେଦପତି ସବୁ କରିଛୁ ଭିଆଣ

ସକଳେ କରନ୍ତି ଭୋଗ ତୋହରି ଲିଖନ ।

ମୋହ ଭାଲପଟେ କିମ୍ପା ଲେଖିଲୁ ଏମନ୍ତ

ବଡ଼ ଅତ୍ୟାଚାରୀ ତୁ ହୋ ସାବିତ୍ରୀର ନାଥ ।

ଏବେ ତୁଚ୍ଛାକରି ମୋତେ ମାୟା କଲୁ ତୁହି

ଆଣି ତୁ ବିଷ୍ଣୁ ନିର୍ମାଲ୍ୟ ରଖିଅଛୁ କାହିଁ ।

ନିର୍ମାଲ୍ୟ ନ ଦେଲେ ମୋତେ ଆଜି ତିନିପୁର

ଭାଙ୍ଗି ସମୁଦ୍ରେ ପକାଇ ଦେବି ବେଦବର ।

ଦେବତା ସକଳେ ଆଜ ନିଶ୍ଚେ ଯିବେ ନାଶ

ନ ପାରିବୁ ରକ୍ଷାକରି ସାବିତ୍ରୀର ଈଶ ।

କହୁ କହୁ ମହାକ୍ରୋଧ ହୃଦୟେ ଜନ୍ମିଲା

ସଜ ସ୍ଫଟିକ ବରଣ ରକ୍ତବର୍ଣ୍ଣ ହେଲା ।

କୁମ୍ଭକାର ଚକ୍ର ପ୍ରାୟେ ବୁଲଇ ନୟନ

ଝଞ୍ଜା ନୀର ପ୍ରାୟେ ବହେ ନାସାର ପବନ ।

ଯୁଗାନ୍ତର ନାଥ ଉଚ୍ଚେ କରଇ ଗର୍ଜନ

ତ୍ରିଶୂଳ ଉଞ୍ଚାଇ ତଥା ଗର୍ଜେ ତ୍ରିଲୋଚନ ।

ଶିବ କୋପ ଦେଖି ଧାତା କାତର ହୋଇଲେ

ଚାରିମୁଖେ ଶିବ ସ୍ତବ ଉଚ୍ଚାରଣ କଲେ ।

ସ୍ତୁତି ପାଠ ଅନ୍ତେ କରଯୋଡ଼ି ବେଦବର

ବୋଲେ ଦେବ ତ୍ରିଲୋଚନ କୋପ ଶାନ୍ତ କର ।

ବୋଇଲେ ଦେବଙ୍କୁ ବିଷ୍ଣୁ ନିର୍ମାଲ୍ୟ ତୁ ଦେଲୁ

ସବୁ ଦେବତାଙ୍କଠାରୁ ମୋତେ ଭିନ୍ନ କଲୁ ।

ବିଷ୍ଣୁ ନିର୍ମାଲ୍ୟକୁ ମୁଁ କି ନୁହଇ ଭାଜନ

ଏହାର କାରଣ ତୁମ୍ଭେ ଶୁଣ ତ୍ରିଲୋଚନ ।

ସକଳ ଦେବରେ ତୁମ୍ଭେ ନୁହଁ ଯେ ଗଣତା

ତୋର ଅଙ୍ଗୁ ଜାତ ଯେଣୁ ସକଳ ଦେବତା ।

ଦେବତାମାନଙ୍କ ପରେ ଅଟ ତୁମ୍ଭେ ଶ୍ରେଷ୍ଠ

ସର୍ବ ଦେବ ତୁମ୍ଭଠାରୁ ଅଟନ୍ତି କନିଷ୍ଠ ।

କେଉଁ ପରି ହେବ ତୁମ୍ଭେ ତାହାଙ୍କ ସମାନ

ଦେବଙ୍କର ପରେ ଦେବ ଅଟ ତ୍ରିଲୋଚନ ।

ତେଣୁ ସିନା ତୁମ୍ଭେ ବଡ଼ ପାର୍ବତୀର ପତି

ବିଷ୍ଣୁ ସିନା ତହୁଁ ସାନ ପାଦରେ ନମନ୍ତି ।

ଆଜି ବୃନ୍ଦାବନୁ କୃଷ୍ଣ ଉଚ୍ଛିଷ୍ଟ ଆଣିଲି

ବିଷ୍ଣୁଙ୍କଠାରୁ ଯେ ସାନ ତାହାଙ୍କୁ ମୁଁ ଦେଲି ।

ତୁମ୍ଭେ ବଡ଼ ଅଟ ବିଷ୍ଣୁ ତୁମ ସାନଭାଇ

ତାଙ୍କର ଅନ୍ନ ଆପଣ ଯୋଗ୍ୟ ହେବ କାହିଁ ।

ବଡ଼ ଯେଣୁ ସବୁଠାରେ ଅଟ ତୁମେ ପୂଜ୍ୟ

ତୁମ୍ଭର ଅନ୍ନ ଅଟଇ ବିଷ୍ଣୁଙ୍କର ଭୋଜ୍ୟ ।

ବିଷ୍ଣୁ ନିର୍ମାଲ୍ୟ ଜଗତେ ହେବ ଉତପତି

ବ୍ରାହ୍ମଣ ଚଣ୍ଡାଳ କାର ନ ରଖିବ ଜାତି ।

ସବୁ ଜାତି ଏକ ଠାବେ କରିବେ ଭୋଜନ

ଉଚ୍ଚ ନୀଚ ବଡ଼ ସାନ ନ କରି ଗଣନ ।

ଶ୍ଵାନ ଶୃଗାଳ ଶୂକର ଆଦି ଜନ୍ତୁ ଯେତେ

ବିଷ୍ଣୁର ନିର୍ମାଲ୍ୟ ଦେଖି ଭୁଞ୍ଜିବେ ସମସ୍ତେ ।

ନୀଚର ଉଚ୍ଛିଷ୍ଟ ବୋଲି ନ କରିବେ କେହି

ପ୍ରାପ୍ତିମାତ୍ରେ ଭୁଞ୍ଜିବେ ସେ ମନେ ତୋଷ ବହି

ଆମେ ତାହାକୁ କରିଛୁ ଜାତ ଭୂମିଭାଗେ

ସେ ଯାହା ଦେବ ଆସିବ ତାହା ଆମ ଭୋଗେ ।

ତୁମ୍ଭର ଆଜ୍ଞାରେ ଶୁଦ୍ଧ କରିଲି ଜଗତ

ଛପନ କୋଟି ଜୀବଙ୍କୁ କରିଛି ମୁଁ ଜାତ ।

ଦାନବ ମାନବ ଯହୁଁ ପ୍ରବଳ ହୋଇଲେ

ସହି ନ ପାରି ପୃଥିବୀ ବିଷ୍ଣୁ ସୁମରିଲେ ।

ତାର ଦୁଃଖ ଦେଖି ବିଷ୍ଣୁ ମର୍ତ୍ତ୍ୟେ ହେଲେ ଜାତ

ତେଣୁ ତାଙ୍କ ଅନ୍ନ ହେଲା ଜଗତେ ବିଖ୍ୟାତ ।

ମୋର ଦୋଷ କେଉଁ ପରି ହେଲା ବିଶ୍ୱନାଥ

ନ ବୁଝି କିମ୍ପାଇ ତୁମ୍ଭେ କରୁଛ ଅନର୍ଥ ।

ବିଷ୍ଣୁ ଅନ୍ନଠାରୁ ତୁମ ଅନ୍ନ ବଡ଼ ହୋଇ

ଶୂଦ୍ର ପତିତ ଚାଣ୍ଡାଳେ ନ ଛୁଇଁବେ କେହି ।

ଶିବ ନିର୍ମାଲ୍ୟ ବୋଲିଣ ବୋଲିବେ ଜଗତେ

ଦୂରୁ ତାକୁ ଦେଖି ଭୟ କରିବେ ସମସ୍ତେ ।

ବ୍ରାହ୍ମଣମାନେ ସେ ଅନ୍ନ ରନ୍ଧନ କରିବେ

ସେବକମାନେ ତା ଭୋଗ ଲଗାଇ ଭୁଞ୍ଜିବେ

ଯେ କରିବ ତୁମ୍ଭ ସେବା ହେବ ଭାଗ୍ୟବନ୍ତ

ଦରିଦ୍ର ନୋହିବେ ଯେତେ ତୁମ୍ଭର ଭକତ ।

କୁଷ୍ଠ ଆଦି ଚଉଷଠି ରୋଗ ବ୍ୟାଧିମାନ

ତୋତେ ସେବା କରି ପ୍ରାଣୀ କରିବେ ଖଣ୍ଡନ ।

ଯେବା ଅନ୍ଧ ଅପୁତ୍ରିକ ତୋ ପାଦେ ସେବିବ

ତାହାର ଦୁଃଖ ଅନ୍ଧାର ଦୂରେ ପଳାଇବ ।

କାୟମନୋବାକ୍ୟେ ଯେ ତୋ ନାମକୁ ଘୋଷିବ

ଅବିରତେ ଯେହୁ ତୋର ଚରଣ ସେବିବ ।

ଘୁଞ୍ଚିବ ତାହାର ଦୁଃଖ ଅଜ୍ଞାନତିମିର

ତୋର ଆଜ୍ଞା ତିନିପୁରେ ହୋଇବ ପ୍ରଚାର ।

ଦୁଃଖିଜନେ ସୁଖୀ ହେବେ ତୋ ଚରଣ ଧ୍ୟାୟି

କଦାପି ତୁମ୍ଭର ଆଜ୍ଞା ବ୍ୟର୍ଥ ହେବ ନାହିଁ ।

ମୋ ଲେଖା ଅକ୍ଷର ପଛେ ବିଫଳ ହୋଇବ

ତୋର ବଚନ କେବେହେଁ ଅନ୍ୟଥା ନୋହିବ ।

ଏହି ରୂପେ ବେଦବର ଶିବଙ୍କୁ ତୋଷିଲେ

ତାହାଙ୍କ ବଚନେ ରୁଦ୍ର କୋପ ଶାନ୍ତି କଲେ ।

ବିଷ୍ଣୁ ସାନ ବୋଲିଣ କହନ୍ତେ ବେଦବର

ତହୁଁ କୋପ ଶାନ୍ତି କଲେ ପ୍ରଭୁ ମହେଶ୍ଵର ।

ବିଚାରିଲେ ବିଷ୍ଣୁ ଅଟେ ସାନଭାଇ ମୋର

ତା ଅନ୍ନ ଭୁଞ୍ଜିବା ମୋର ଅଟେ ଅବେଭାର ।

ବଡ଼ ହୋଇ ସାନ ଅନ୍ନ ଭୁଞ୍ଜିବି କେମନ୍ତେ

ସତ୍ୟ ଅଟେ ବ୍ରହ୍ମା ଯାହା କହିଲେଟି ମୋତେ ।

କହିଲା ଆଉ କଥାଏ ମୋତେ ବେଦପତି

ବିଷ୍ଣୁ ନିର୍ମାଲ୍ୟ ଜପରେ ନେବ ସିନା ଜାତି ।

ବ୍ରାହ୍ମଣ ଚାଣ୍ଡାଳ ଉଚ୍ଚ ନୀଚ ଆଦିକରି

ଶ୍ଵାନ ଶୃଗାଳ ଯେତେକ ଛନ୍ତି ଦେହ ଧରି ।

ସକଳେ ମେଳ ହୋଇଣ କରିବେ ଆହାର

ବିଷ୍ଣୁ ନିର୍ମାଲ୍ୟ ବୋଲିଣ ନ କରିବେ ଦୂର ।

ବ୍ରହ୍ମାର ବଚନ କେଭେ ନୁହଇଟି ଆନ

କେମନ୍ତେ ବିଷ୍ଣୁ ନିର୍ମାଲ୍ୟ କରିବ ଭୋଜନ ।

ଆହୁରି କହିଲେ ଏକ କଥା ବେଦବର

ତବ ପ୍ରସାଦ ବିଖ୍ୟାତ ହେବ ତିନିପୁର ।

ତା କଥା କେମନ୍ତେ ଆଜ ଜାଣିବଇଁ ମୁହିଁ

ବ୍ରହ୍ମାଙ୍କୁ ପୁଚ୍ଛିଲେ ମୋତେ ସେ କହିବେ ନାହିଁ ।

ଦେଖିବି ମୁଁ ଗୋଷ୍ଠୀମାନ ଯାଇ ବୃନ୍ଦାବନ

ଯେ ସ୍ଥାନରୁ ବେଦବର ଆଣିଥିଲେ ଅନ୍ନ ।

ମୋର ଅନ୍ନ କଥା ମୁଖୁଁ କୃଷ୍ଣଙ୍କୁ ପୁଚ୍ଛିବି

ଶୁଣିଲେ ତାହାର ମୁଖୁଁ କଇଳାସେ ଯିବି ।

ଯେମନ୍ତେ ମୋ ଅନ୍ନ ହେବ ଜଗତେ ବିଖ୍ୟାତ

ଜଣାଇ ଶ୍ରୀକୃଷ୍ଣ ପାଶେ କରିବି ତେମନ୍ତ ।

ଏମନ୍ତ ବିଚାରି ହର ତହୁଁ ଚଳିଗଲେ

ବୃନ୍ଦାବନେ ଗୋଷ୍ଠୀସ୍ଥାନେ ପ୍ରବେଶ ହୋଇଲେ ।

ଗୋଷ୍ଠୀସ୍ଥାନ ଦେଖି ହର ହୋଇଲେ ମୋହିତ

ମନେ ଭାବିଲେ ବୈକୁଣ୍ଠପୁର କିବା ଏତ ।

କୃଷ୍ଣଙ୍କୁ ଚିନ୍ତିଲେ ତହିଁ ଧ୍ୟାନେ ତ୍ରିଲୋଚନ

ଗୋପପୁରେ ଥାଇ ତାହା ଜାଣି ନାରାୟଣ ।

ବିଚାରିଲେ ମୋତେ କିମ୍ପା ଶଙ୍କର ଚିନ୍ତିଲେ

ତତକ୍ଷଣେ ଶିବଙ୍କର ପାଶେ ପ୍ରବେଶିଲେ ।

କରପତ୍ର ଯୋଡ଼ି କହୁଛନ୍ତି ନାରାୟଣ

କଇଳାସ ତେଜି କିମ୍ପା ଏଥେ ଆଗମନ ।

ଏହା ଶୁଣି କହୁଛନ୍ତି ଦେବ ତ୍ରିଲୋଚନ

ପଚାରିବି କଥା ଏକ କୁହ ଭଗବାନ ।

ଗୋଷ୍ଠୀସ୍ଥାନ ତୋର ଅନ୍ନ ବେଦବର ନେଲା

ସକଳ ଦେବଙ୍କୁ ଦେଇ ମୋତେ ସେ ନ ଦେଲା ।

ପଚାରନ୍ତେ ବୋଇଲା ସେ ତୋର ସାନଭାଇ

ଶ୍ରୀକୃଷ୍ଣ ଯେଣୁ ଅଟନ୍ତି ତେଣୁ ଦେଲି ନାହିଁ ।

ପୁଣି ବୋଇଲା ତୋ ଅନ୍ନ ନିର୍ମାଲ୍ୟ ହୋଇବ

ଏ କଥା ସଂଶୟ ମୋତେ ଲାଗେ ବାସୁଦେବ ।

ଶିବ ନିର୍ମାଲ୍ୟ ବୋଲି ତ ନ ଛୁଇଁବେ କେହି

କେମନ୍ତେ କରିବି ସେବା କହ ଭାବଗ୍ରାହୀ ।

ଶିବଙ୍କ ବଚନେ କୃଷ୍ଣ ବିଚାରିଲେ ମନ

ଆଜି କ୍ରୁଦ୍ଧ ହୋଇଛନ୍ତି ଦେବ ତ୍ରିଲୋଚନ ।

ଶ୍ରୀକୃଷ୍ଣ ବୋଇଲେ ଶୁଣ ପାର୍ବତୀର ସାଇଁ

ନାମ ଅବତାର ତୁମେ ମର୍ତ୍ତ୍ୟେ ଅଛ ହୋଇ ।

ଦେବଙ୍କ ସଙ୍ଗରେ ମିଳି ଅମୃତ ମନ୍ଥିଲ

ଲକ୍ଷ୍ମୀ ଅମୃତ ଗରଳ ତହୁଁ ଜନ୍ମାଇଲ ।

ଲକ୍ଷ୍ମୀଙ୍କି ସମର୍ପି ମୋତେ ସୁଧା ନେଲେ ଦେବ

ତୁମ୍ଭଙ୍କୁ ଗରଳ ପାନ କରାଇଲେ ଶିବ ।

ବିଷ ଜ୍ୱାଳାରେ ପଡ଼ିଲ ଯହୁଁ ଅଜ୍ଞାନରେ

ଦେଖି ଦେବଗଣ ଭୟ କରିଣ ମନରେ ।

କହି ଜାହ୍ନବୀଙ୍କି ସ୍ଥାନ ଦେଲେ ଜଟା ପରେ

ଚନ୍ଦ୍ରମା ରହିଲେ ଯାଇ ମସ୍ତକ ଉପରେ ।

ଗଙ୍ଗାଦେବୀ ଯହୁଁ ତୁମ୍ଭ ମସ୍ତକେ ରହିଲେ

ତେଣୁ ଗଙ୍ଗାଧର ନାମ ଦେବଗଣ ଦେଲେ ।

ଚନ୍ଦ୍ରମା ରହିଲେ ଯହୁଁ ଶେଖର ଉପର

ଚନ୍ଦ୍ରଶେଖର ନାମକୁ ଦେଲେ ବେଦବର ।

ଶୀତଳ ହୋଇଲା ବିଷଜ୍ୱାଳା ହେଲା ଦୂର

ଅପୂର୍ବ ସୁନ୍ଦର ମୂର୍ତ୍ତି ହେଲ ଶୂଳଧର ।

ଯେ ଦ୍ରବ୍ୟ ଚନ୍ଦ୍ରଶେଖର ନାମେ ସମର୍ପିବେ

ସକଳେ ଆନନ୍ଦେ ତାହା ଗ୍ରହଣ କରିବେ ।

ଶିବ ନାମେ ଯେଉଁ ଦ୍ରବ୍ୟ ଅର୍ପିତ ହୋଇବ

ଗରଳ ସଙ୍ଗେ ସମାନ ହୋଇବ ସେ ଦ୍ରବ୍ୟ

ତେଣୁ ଶିବ ନାମେ ଭୋଗ ଲାଗିଥିବା ଅନ୍ନ

ଶିବ ଗରଳ ବୋଲି କେ ନ କରିବେ ପାନ ।

ଏଣୁ ତବ ଅନ୍ନ ଶିବ ନାମରେ ନିଷେଧ

ସେବକ କେବଳ ଦେଖି ହେଉଥିବେ ବୋଧ ।

ଏକ ମନ ହୋଇ ଏବେ ଶୁଣ ହେ ଶଙ୍କର

ନୀଳାଦ୍ରିରେ ହେବି ମୁହିଁ ବୌଦ୍ଧ ଅବତାର ।

ବଳଭଦ୍ର ରୂପେ ତୁମ୍ଭେ ବିଷ୍ଣୁ ମୂର୍ତ୍ତି ହୋଇ

ସୁଭଦ୍ରା ରୂପରେ ତୁମ୍ଭ ଆଦ୍ୟା ଥିବ ରହି ।

ଆମ୍ଭେ ତିନି ତହିଁ ଦାରୁବ୍ରହ୍ମ ରୂପେ ଥିବା ।

ସେଠାରେ ଗୁଣ୍ଡିଚା ନାମେ ଯାତ୍ରା ଭିଆଇବା

ଦେବଗଣ ଆସି ତହିଁ କରୁଥିବେ ସେବା

କରପତ୍ର ଯୋଡ଼ି ବ୍ରହ୍ମା ହୋଇବେ ତ ଉଭା ।

ତାଳଧ୍ୱଜ ରଥେ ତୁମ୍ଭେ ହୋଇବ ବାହାର

ଦେବତା ତେତିଶି କୋଟି ଥିବେ ସଙ୍ଗତର ।

ବିଜୟା ରଥେ ସୁଭଦ୍ରା ବାହାର ହୋଇବେ

ବହୁ ପାପୀ ଦୁଷ୍ଟଜନ ସଂହାର କରିବେ ।

ତୁମ୍ଭ ପଛେ ପଛେ ଥିବି ମୁଁ ନନ୍ଦିଘୋଷରେ

ହରି ହରି ଧ୍ୱନି ଶୁଭୁଥିବ ନିରନ୍ତରେ ।

ଚଣ୍ଡାଳ ପାତକୀ ଠୁଳ ହୋଇବେ ବହୁତ

ଥିବେ ମଧ୍ୟ ତହିଁ ବହୁ ଆମ୍ଭରି ଭକତ ।

ଦୁଷ୍ଟଜନମାନେ ତହିଁ କରିବେଟି ଗୋଳ

ସୁଭଦ୍ରା ନୟନୁ ଜାତ ହୋଇବ ଅନଳ ।

ଦୁଷ୍ଟ ପାତକୀ ଜନଙ୍କୁ କରିବେ ଦହନ

ପିଶାଚୀଗଣ ତା ସବୁ କରିବେ ଭୋଜନ ।

ଛନ୍ଦ କୂଟ କପଟ ଯେ ମାୟା ମନଧାରୀ

ନ ଦେଖି ତୁମ୍ଭ ବଦନ ଯିବେ ଯମପୁରୀ ।

ସେ ସମୟେ ତୁମ୍ଭ ଅନ୍ନ ହୋଇବ ପ୍ରଚାର

କରିବେ ସେ ଅନ୍ନସେବା ସର୍ବ ସୁର ନର ।

ତୋ ରୂପକୁ ଦେଖି ଜନେ ନ କରିବେ ଶଙ୍କା

ତୋହର ଅନ୍ନକୁ ସର୍ବେ କରୁଥିବେ ଭିକ୍ଷା ।

ମରଣ କାଳରେ ପୁତ୍ର ପତ୍ନୀ ବନ୍ଧୁଭାଇ

ତୋହର ଅନ୍ନକୁ ମୁଖେ ଦେଉଥିବେ ନେଇ ।

ତୋର ନାମ ଧରି ଉଚ୍ଚ କଣ୍ଠରେ ଡାକିବେ

ହରି ମନ୍ଦିର ଚିତାକୁ ଲଲାଟେ ଲିହିବେ ।

ତୁମ୍ଭର ଛଡ଼ା ତୁଳସୀ ଗଳେ ଦେବ ତାର

ତୁମ୍ଭ ନାମ ଧରି ଘରୁ କରିବେ ବାହାର ।

ହରିବୋଲ ଦେଇ ତାକୁ ଶ୍ମଶାନକୁ ନେବେ

ତାହା ଦେଖି ଯମଦୂତେ ଦୂରୁ ପଳାଇବେ ।

କରିବେ ସେ ଜନମାନେ ଆମ୍ଭ ପାଦେ ଆଶ

ତୁମ୍ଭ ଅନ୍ନ ଭୁଞ୍ଜି ନେବେ ବଇକୁଣ୍ଠେ ବାସ ।

ବଳଭଦ୍ର ନାମେ ତୁମ୍ଭେ ହୋଇବ ବିଖ୍ୟାତ

ବଡ଼ଠାକୁର ବୋଲିଣ ବୋଲିବେ ଜଗତ ।

ତୁମ୍ଭର ଅନ୍ନ ନିର୍ମାଲ୍ୟ ବିଖ୍ୟାତ ହୋଇବ

ପାପୀ ଚଣ୍ଡାଳ ପତିତ ଉଦ୍ଧାର କରିବ ।

ସାନଭାଇ ହୋଇଥିବି ମୁଁ ତୁମ୍ଭ ସଙ୍ଗର

ଏଣୁ ନ ଦେଲା ତୁମ୍ଭଙ୍କୁ ଅନ୍ନ ବେଦବର ।

ଆଦ୍ୟା ମଧ୍ୟ ରହିଥିବ ବିଜୟା ରଥର

ଘୋଟିବ ତୁମ୍ଭର ଅନ୍ନ ତେବେ ତିନିପୁର ।

ସ୍ଵର୍ଗ ମର୍ତ୍ତ୍ୟ ପାତାଳରେ ନିର୍ମାଲ୍ୟ ହୋଇବ

କେବେ ସେବା କରିବେ ତା ଶୁଣ ସଦାଶିବ ।

ଏକା ଶିବ ତୁମ୍ଭଙ୍କୁ ସେ ନୋହିବ ଯେ ଯୋଗ

ତେଣୁ ସିନା ତୁମ୍ଭେ ତାକୁ ନ କରିବ ଭୋଗ ।

କୃଷ୍ଣ ମୁଖୁଁ ଏହା ଶୁଣି ପାର୍ବତୀର ସାଇଁ

ବୋଇଲେ ଗୋପକୁ ଏବେ ଯାଅ ଭାବଗ୍ରାହୀ ।

ଆମେ କୈଳାସକୁ ଯାଉଅଛୁ ଚକ୍ରଧର

ଗୋପଲୀଳା ସାରି ତୁମ୍ଭେ ଦେବକାର୍ଯ୍ୟ କର ।

ଏମନ୍ତ ବୋଲିଣ ଶିବ କୈଳାସକୁ ଗଲେ

କୃଷ୍ଣ କଥାମାନ ଦୁର୍ଗା ଆଗେ ଜଣାଇଲେ ।

ଯଶୋଦା କହିଲେ କୃଷ୍ଣ ଆଗେ ଜ୍ଞାନଭରେ ।

ଶୁଣିଅଛି ଏହା ମୁହିଁ ନାରଦ ମୁଖରେ ।

ପୁଣିହିଁ ଗୋପାଳ ସୁତେ ମୋତେ କହିଛନ୍ତି

ତୁ କିମ୍ପା ଭଣ୍ଡାଇବାକୁ ଲୋଡୁ ଶିରୀପତି ।

ରାମ ତ ତୋହର ସଙ୍ଗ କ୍ଷଣେ ନ ଛାଡ଼ଇ

ଯାହା ଯହିଁ ଦେଖେ ତାହା ମୋଆଗେ କହଇ

ସେ କହିଛି ସବୁକଥା ଶୁଣିଛିରେ ମୁହିଁ

ତୁହି ସିନା ବାବୁ ମୋତେ କିଛି କହୁ ନାହିଁ ।

ତାର ଅନ୍ନକୁ ତ ବ୍ରହ୍ମା ଆଦି ଦେବଗଣେ

ସର୍ବଦା କରନ୍ତି ସେବା ତୋଷ ବହି ମନେ ।

ତାହାଙ୍କଠାରୁ ଅକ୍ରୂର ହୋଇଲାକି ବଡ଼

ଭ୍ରମେ ବୋଲୁଅଛ ଆମେ ଜାତିରେ ଗଉଡ଼ ।

କିପରି ବ୍ରହ୍ମାଦି ଦେବଗଣେ ବା ଭୁଞ୍ଜିଲେ

ବିପ୍ରନାରୀମାନେ କିମ୍ପା ଜାତି ନ ଖୋଜିଲେ ।

ଅନ୍ୟ ବର୍ଣ୍ଣମାନେ ଯେତେ ଛନ୍ତି ଜାତ ହୋଇ

କିମ୍ପାଇ ସେ ଜାତି କୁଳ ବିଚାରିବେ ନାହିଁ ।

ଯୋଗୀନ୍ଦ୍ରମାନେ କିମ୍ପାଇ ଦିବାନିଶି ଧ୍ୟାୟି

ତୋହ ଉଚ୍ଛିଷ୍ଟକୁ ଅବିରତ ଛନ୍ତି ଚାହିଁ ।

ଯେ ବା ଯେଉଁଠାରେ ସେହି ପ୍ରସାଦ ଦେଖଇ

ଜାତି କୁଳ ନ ବିଚାରି ବଳେ ସେ ଭୁଞ୍ଜଇ ।

ନିର୍ବିଘ୍ନରେ ସର୍ବଜନ କରନ୍ତି ଭୋଜନ

ତୁ ବୋଲୁ ଅକ୍ରୂର ଅଟେ ଜାତିରେ ପ୍ରଧାନ ।

ଯଶୋଦା ଭକ୍ତି ଅକ୍ରୂର ଶୁଣିଲା କର୍ଣ୍ଣରେ

କରଯୋଡ଼ି ପଡ଼ିଲା ସେ କୃଷ୍ଣ ପାଦ ତଳେ ।

ବୋଲନ୍ତି ଶ୍ରୀକୃଷ୍ଣ ମୋତେ ନିର୍ଦ୍ଦୟ ହୋଇଲୁ

ଅପରାଧ ଯେବେ କଲି କ୍ଷମା ତୁ ନ ଦେଲୁ ।

ବୋଲୁ ଯେ ଗଉଡ଼ ଆମ୍ଭେ ଅଟୁ ଜାତି ହୀନ

ଭୁଞ୍ଜିବ ନାହିଁ ଅକ୍ରୂର ଆମ ହସ୍ତେ ଜାଣ ।

ଏମନ୍ତ ଶୁଣିଲି ତୋର ମୁଖୁଁ ଭାବଗ୍ରାହୀ

ଜାଣିଲି ତୋହର ଦୟା ମୋହଠାରେ ନାହିଁ ।

କିମ୍ପାଇ ରଖିବି ମୁହିଁ ଆଉ ଏ ଜୀବନ

ତବ ଶ୍ରୀମୁଖୁ ଶୁଣିଲି ଯେବେ ଏ ବଚନ ।

ଅକ୍ରୂର ବଚନ ଶୁଣି ଦେବ ଭାବଗ୍ରାହୀ

ମାୟା ଲଗାଇଣ ଦେଲେ ମନକୁ ଭୁଲାଇ ।

ବୋଇଲେ ଅକ୍ରୂର ତୁମ୍ଭେ ଛାଡ଼ ଅଭିମାନ

ତୁମେ ଆମ ଜାତି ଆମେ ତୁମର ନନ୍ଦନ ।

ରାନ୍ଧ ଗୋ ଜନନୀ ଅନ୍ନ ନ କର ଉଛୁର

କ୍ଷୁଧାରେ ଅସ୍ଥିର ମୋର କମ୍ପୁଛି ଶରୀର ।

ଅକ୍ରୂର ସଙ୍ଗରେ ମୁହଁ କରିବି ଭୋଜନ

ଦୁହିଁଙ୍କ ନିମନ୍ତେ ଏକ ପାତ୍ରେ ବାଢ଼ି ଆଣ ।

କ୍ଷୀର କ୍ଷୀରୀସା ଲବଣୀ ଘୃତ ରସମାନ

ଛତିଶ ପ୍ରକାର ଯାହା କରିଛି ରନ୍ଧନ ।

ଦେବଙ୍କୁ ଦୁର୍ଲଭ ଅଟେ ଯେଉଁ ଦ୍ରବ୍ୟମାନ

କୃଷ୍ଣ ବଚନେ ଯଶୋଦା ବାଢ଼ିଲେ ବହନ ।

ସକଳ ବାଢ଼ି ଡାକନ୍ତି କୃଷ୍ଣ ବେଗେ ଆସ

ରାମ ଅକ୍ରୂର ନନ୍ଦକୁ ଘେନି ଭୁଞ୍ଜି ବସ ।

ଯଶୋଦାର ବଚନରେ ଚରଣ ପଖାଳି

ବସିଲେ ରତନ ପୀଢ଼ା ମାଡ଼ି ବନମାଳୀ ।

ମଧ୍ୟରେ ଅକ୍ରୂର ରାମ କୃଷ୍ଣ ବେନି ପାଶେ

ନନ୍ଦହିଁ ଅକ୍ରୂର ପାଶେ ବସିଲେ ହରଷେ ।

ଆନନ୍ଦ ମନରେ ବସି କରିଲେ ଭୋଜନ

ସୁବାସ ଜଳରେ ତହୁଁ କଲେ ଆଚମନ ।

ରତ୍ନପଲଙ୍କରେ ସେହୁ ଯାଇଣ ବସିଲେ

ଭୁଞ୍ଜିବାକୁ ଅକ୍ରୂରକୁ ତାମ୍ବୁଳ ଯେ ଦେଲେ ।

ଆନନ୍ଦେ ଅନାଇ କୃଷ୍ଣ ଅକ୍ରୂରର ମୁଖ

ବୋଇଲେ ତୁ ଅକ୍ରୂର ହେ ଆଣ ରାଜା ଲେଖ

ରାଜାଙ୍କ ଛାମୁରେ ଦିଅ ଶୁଣିବା ବହନ

କିସ କିସ କଂସ ମାମୁଁ କରିଛି ଲିଖନ ।

ଆଜ୍ଞା ପାଇ କଂସ ଲେଖା ଅକ୍ରୂର କାଢ଼ିଲେ

ନନ୍ଦ ହସ୍ତେ ଦେଇ ବେନିକର ସେ ଯୋଡ଼ିଲେ

କଂସର ଲେଖାକୁ ନନ୍ଦ ଧରି ଯତ୍ନକରି

ଦେଖ ଦେଖ ମହାଭରା କରି ଦଣ୍ଡଧାରୀ ।

କୃଷ୍ଣଙ୍କୁ ବୋଇଲେ ଲେଖା ଫେଡ଼ ଭାବଗ୍ରାହୀ

କି କି ଲେଖିଅଛି କଂସ ଶୁଣେ ତାହା ମୁହିଁ ।

ନନ୍ଦଙ୍କ ବଚନ ଶୁଣି ମୂଷଳୀ ଉଠିଲେ

କଂସର ଚିଟାଉ ତାଙ୍କ ଶ୍ରୀହସ୍ତୁ ଆଣିଲେ ।

ମୁଦ ଫିଟାଇ ମନରେ କରିଲେ ପଠନ

ନନ୍ଦ ବୋଲେ ଉଚ୍ଚସ୍ୱରେ ପଢ଼ ଶଙ୍କର୍ଷଣ ।

କି କି ଲେଖିଅଛନ୍ତି କଂସ ସେ ଦୁଷ୍ଟ ରାଜନ

ନନ୍ଦ ବାକ୍ୟେ ରାମ ଉଚ୍ଚେ କରନ୍ତି ପଠନ ।

କଂସରାଜା ନାମ ସେହୁ ଉଚ୍ଚାରି ବହନ

ଏ ନିମନ୍ତେ ଚିଟାଉ ମୁଁ କଲି ଯେ ଲିଖନ ।

ଦେବକୀ ଅଷ୍ଟମ ଗର୍ଭ ହୋଇଲା ସମ୍ପୂର୍ଣ୍ଣ

ଏଣିକି ହୋଇବେ ଯେତେ ନାହିଁ ପ୍ରୟୋଜନ

ଭୋଜବଂଶ ପ୍ରତାପୀ ମୁଁ ଅଟେ କଂସାସୁର

ବାହୁବଳେ ସ୍ଵର୍ଗ ମର୍ତ୍ତ୍ୟେ ହେଲି ଅଧୀଶ୍ଵର ।

ଜରାସନ୍ଧ ଦୁହିତାକୁ ବିଭା ହେଲି ବଳେ

ହଂସକ ଡିମ୍ବକ ବେନି ପୁତ୍ର ଜାତ ହେଲେ ।

ମାଲ ଯେ ମାହୁନ୍ତ ଗଜ ଛନ୍ତି ସିଂହଦ୍ୱାରେ

ବ୍ରହ୍ମା ଆଦି ସୁରଗଣ ସେବନ୍ତି ପୟରେ ।

ବସୁଦେବଙ୍କୁ ଭଗିନୀ ଦେଇଅଛି ବିଭା

ନିତି ଲକ୍ଷେ ରାଜା ମୋତେ କରୁଥାନ୍ତି ସେବା ।

ଦେବକୀ ଅଷ୍ଟମ ଗର୍ଭେ ଯେଉଁ ପୁତ୍ର ଜାତ

ସେ ମୋତେ ମାରିବ ବୋଲି କହିଲେ ବିଧାତା ।

ଏଣୁ ଭଗ୍ନୀ ଭିଣୋଇଙ୍କି ଦେଲି ମୁଁ ଶାଙ୍କୋଳି

ଦେବକୀ ଅଷ୍ଟମ ଗର୍ଭ ପକାଇଲି ମାରି ।

ଦେବକୀ ଅଷ୍ଟମ ଗର୍ଭ ଯହୁଁ ଶେଷ ହେଲା

ତେଣୁ ମୁଁ ଜାଣିଲି ମୋର ଶତ୍ରୁ ନାଶଗଲା ।

ଏଣୁ ଧନୁଯାତ୍ରା ଗୋଟି କରିଛି ଭିଆଣ

ତୋଠାକୁ ଚିଟାଉ ମୁଁ ଯେ କରୁଛି ଲିଖନ ।

ଅନେକ ଦେଶର ରାଜା ଆଣିଛି ହକାରି

କରିବି ଉତ୍ସବ ନବଦିନ ମଧୁପୁରୀ ।

ନୃତ୍ୟ କରିବେଟି ଦେବଗଣ ଆସି ଏଥି

କଇଳାସରୁ ଆସିବେ ଶଙ୍କର ପାର୍ବତୀ ।

ବାସୁକୀ ଆସିବ ରସାତଳୁ ଯାତ୍ରା ଦେଖି

ସମସ୍ତେ ସୁଖାଦ୍ୟ ଭୁଞ୍ଜି ହୋଇବେଟି ସୁଖୀ ।

ରାମ କୃଷ୍ଣଙ୍କୁ ମୋହର ଦେବୁ ପଠିଆଇ

ରଥରେ ଅକ୍ରୂର ଗଲା ଆଣିବାର ପାଇଁ ।

ମୋହର ଭଣଜା ତୋର ସେହି ବେନି ସୁତ

ଦେବି ମୁଁ ଧନ ବସନ ତାହାଙ୍କୁ ବହୁତ ।

ମଥୁରା କଟକେ ମନ୍ତ୍ରୀପଣେ ଶାଢ଼ୀ ଦେବି

ମୋ ଭଣଜା ବୋଲି ରାଜାମାନଙ୍କୁ କହିବି ।

ଗୋପାଳ କୁମରେ ଆଜିଠାରୁ ହେବେ ସୁଖୀ

ଦିଗବିଜେ କରିବି ମୁଁ ରାମ କୃଷ୍ଣ ରଖି ।

ଏ ଯେବେ ତୋର ମନକୁ ନ ଆସିବ ନନ୍ଦ

ନବଦିନ ଯାତ୍ରା ଦେଖି ଫେରିବେ ଗୋବିନ୍ଦ ।

ଧେନୁବତ୍ସା ବହୁତ ଯେ ଦେବି ମୁଁ ତାହାଙ୍କୁ

ଗୋଧନ ଘେନିଣ ସେହୁ ଫେରିବେ ଗୋପକୁ ।

କର କଉଡ଼ି ଆମ୍ଭଙ୍କୁ ଆଜହୁଁ ନ ଦେବେ

ଦଧି ଲବଣୀ ବିକି ସେ ଉଦର ପୋଷିବେ ।

ବାଳକ କାଳୁ ଗୋପରେ ଦୁହେଁ ଛନ୍ତି ରହି

ଯାତ୍ରା ଉତ୍ସବ ତାଙ୍କର ମନେ ପଡ଼ି ନାହିଁ ।

ଆସିବେ ଶ୍ରୀକୃଷ୍ଣ ରାମ ଯେବେ ମୋର ପୁର

ସୁନ୍ଦର ଦିଶିବ ଧନୁ ଉତ୍ସବ ମୋହର ।

କୃଷ୍ଣଙ୍କୁ ଦେଖିଣ ଲୋକେ ହୋଇଲେ ହରଷ

ସକଳ ଜନଙ୍କୁ ଦେଖି କୃଷ୍ଣ ହେବେ ତୋଷ ।

ବିଳମ୍ବ ନ କରି ରାମ କୃଷ୍ଣ ଛାଡ଼ିଦେବୁ

ବିଳମ୍ବ ଘଟିବ ଯେବେ ତେବେ ଆମେ ଯିବୁ

ମୁଁ ଗଲେ ଗୋପର ନିଶ୍ଚେ ସରିବ ସଙ୍ଖାଳି

ତୁ ନନ୍ଦ ଗଉଡ଼ କାହୁଁ ହୋଇବୁ ମୋ ଭଳି ।

ଅପ୍ରଚେତ ଋଷିର ଯେ ଶାପ ଅଛି ମୋତେ

ତେଣୁ ଗୋପପୁରକୁ ମୁଁ ନ ଦେଖଇ ନେତ୍ରେ ।

ସେ ଦିନୁ ଦେଇଛି ତୋତେ ମୁହିଁ ଗୋପପୁର

ରାମ କୃଷ୍ଣ ନ ଆସିଲେ ଭାଙ୍ଗିବି ସେ ପୁର ।

ଗୋବର୍ଦ୍ଧନ ଭାଙ୍ଗିବି ମୁଁ ଭାଙ୍ଗି ବୃନ୍ଦାବନ

ସମୁଦ୍ରରେ ପକାଇବି ତୋ ଗୋପ ଭୁବନ ।

ଏମନ୍ତ ଚିଟାଉ ରାମ ଉଚ୍ଚରେ ପଢ଼ିଲେ

ଶୁଣିଣ ନନ୍ଦ ଯଶୋଦା ଢଳି ଯେ ପଡ଼ିଲେ ।

ଦେଖି ନନ୍ଦକୁ ଧଇଲେ ରାମ କୋଳକରି

ଅଞ୍ଚଳରେ ବିଞ୍ଚି ମୁଖେ ସିଞ୍ଚି ଶୀତବାରି ।

କର୍ଣ୍ଣ ଫୁଙ୍କି ସଚେତ ଯେ କଲେ ହଳଧର

ବୋଇଲେ ହେ ତାତ ତୁମ୍ଭେ ନ ହୁଅ କାତର ।

ମିଛ ନ କହଇ ମୁହିଁ କହେ ସବୁ ସତ

ଜନମକାଳୁ ମୋ କଥା ତୁମ୍ଭେ ଜାଣ ତାତ ।

ମଧୁବନ ଯିବି ଦେଖିବାକୁ ଧନୁଯାତ

ଅକ୍ରୂର ଆଗରେ କରିଅଛି ମୁହିଁ ସତ୍ୟ ।

ମୁଁ ନୁହଇ କୃଷ୍ଣ ତୁମ୍ଭେ ଶୁଣ ହେ ରାଜନ

ଯାହା ମୁଁ କହଇ ତାହା ନୁହଇଟି ଆନ ।

ମିଥ୍ୟା ସିନା ସବୁ ଦିନ କହଇ କହ୍ନାଇ

ବଳରାମ ମୁଖେ ମିଥ୍ୟା କେବେ ନ ଆସଇ ।

ବିକଳ ନ ହୁଅ ଯାତ୍ରା ଦେଖିଣ ଫେରିବୁ

ନୋହିଲେ ତୁମ୍ଭକୁ ଯହିଁ ଯିବୁ ତହିଁ ନେବୁ ।

କୃଷ୍ଣ ଯାଇ ଯଶୋଦାଙ୍କୁ ସଚେତ କରାଇ

ବୋଇଲେ ଗୋ ମାତା ତୁମ୍ଭେ କାନ୍ଦୁଛ କିମ୍ପାଇଁ

ନ ଫେରିବା କଥା ହେଲେ ଆମ୍ଭଙ୍କୁ ସେ ନେବେ

ମିଥ୍ୟା କଥା ବଳରାମ ନ କହଇ କେବେ ।

ତୁମ୍ଭ ପାଦ ଛୁଇଁ କୃଷ୍ଣ ପଣ କରିଛନ୍ତି

ଫେରିବାକୁ ଗୋପପୁରେ ଶୁଣ ଯଶୋମତୀ ।

ନନ୍ଦ ବଚନରେ ରାଣୀ ହୋଇଲେ ହରଷ

ଡାକିଲେ ଅକ୍ରୂର ତୁ ରେ ଆସ ମୋର ପାଶ ।

ଯଶୋଦା ବଚନ ଶୁଣି ଅକ୍ରୂର ଆସିଲା

ବେନିକର ଯୋଡ଼ି ରାଣୀ ଆଗେ ଉଭା ହେଲା ।

ଅକ୍ରୂରକୁ ଦେଖି ରାଣୀ ବୋଲନ୍ତି ବଚନ

ଯାତ୍ରା ଦେଖିବାକୁ ରାମକୃଷ୍ଣ କଲେ ମନ ।

ରାମ କୃଷ୍ଣ କର ନେଇ ତାର କରେ ଦେଇ

କାନ୍ଦ କାନ୍ଦ ହୋଇ ରାଣୀ ବଚନ ବୋଲଇ ।

ଏ ବେନି ପୁତ୍ରଙ୍କୁ ତୋତେ ଦେଲିରେ ଅକ୍ରୂର

ନ ଜାଣଇ କିଛି ଏହୁ ବାଳୁତ କୁମର ।

ରାମ କୃଷ୍ଣଙ୍କୁ ଅକ୍ରୂର ତୋ ଘରେ ରଖିବୁ

ରାଜା ଆଜ୍ଞା ହେଲେ ତୋର ସଙ୍ଗେ ଘେନିଯିବୁ

ମାଈଁମାନେ ଦେଖିବାକୁ ଶ୍ରଦ୍ଧା ବଳାଇଲେ

ଛାଡ଼ିବୁ ତୋ ପୁର ନାରୀମାନଙ୍କର ତୁଲେ ।

ଆନ ଲୋକ ସଙ୍ଗେ ତହିଁ ନ ଯିବ ଗୋବିନ୍ଦ

ମିଛେ ଦିଅନ୍ତି ତାହାକୁ ଲୋକେ ଅପବାଦ ।

କ୍ଷୁଧାର୍ତ୍ତ ହୋଇଲେ ଦେବୁ ଉତ୍ତମ ଭୋଜନ

ଲବଣୀ ବିନା ଶ୍ରୀକୃଷ୍ଣ ନ କରେ ଗ୍ରହଣ ।

ଯେତେ ଯେତେ ହୋଇଥିବ ତୁମେ କିଣିକରି

ମୋହଠାରୁ ନେବ ତାହା ଦୁଇଗୁଣ ଧରି ।

ନ ପାଇବେ ମୋ ନନ୍ଦନେ ଯେହ୍ନେ ଅପମାନ

ତେମନ୍ତ ଭାବେ ରଖିବ ସଫଳାନନ୍ଦନ ।

କହନ୍ତି ମଧୁନଗର ସର୍ବ ନରନାରୀ

ଦେବକୀ ବସୁଦେବର ପୁତ୍ର ରାମ ହରି ।

ସେ ଦେବକୀ ବସୁଦେବ ଛନ୍ତି ବନ୍ଦୀ ହୋଇ

ଦେଖିବାକୁ ଇଚ୍ଛୁଥିବେ କୃଷ୍ଣ ହଳସାଇଁ ।

ଯେତେ ତୁ ନୃପତି ଆଗେ କହିବୁ ଅକ୍ରୂର

ନୃପତି କହିବ ନିଅ ୟାଙ୍କୁ ବନ୍ଦୀଘର ।

ଦେଖିବେ ଦେବକୀ ବସୁଦେବ ଦୁଇ ସୁତ

ରାମ କୃଷ୍ଣ ତାଙ୍କୁ ଦେଖି ହେବେ ମଧ୍ୟ ତୃପ୍ତ ।

ନନ୍ଦ ସିନା ବସୁଦେବଙ୍କର ଯେ ମଇତ୍ର

ମୁହିଁ ବସିଅଛି ମିତ ଦେବକୀ ସହିତ ।

ଦେବକୀ ଯେ ବସୁଦେବ ନନ୍ଦ ଯଶୋମତୀ

ପୃଥକ୍ ନୁହନ୍ତି ଏହୁ ବାଳୁତ ନନ୍ଦନ

ଯାଇ ତ ନାହାନ୍ତି ଏହି ମଥୁରା ଭୁବନ ।

ଯାତ୍ରା ଉତ୍ସବ ଗହଳ ବଡ଼ ବଳୀୟାର

କେବେ ଯାତ୍ରାପର୍ବ ଦେଖି ନାହାନ୍ତି କୁମର ।

ମଧୁପୁରେ ଅସୁରେ ତ ଅତି ବଳୀୟାର

ଅନେକ ଜାଗାରୁ ଆସିଥିବେ ନରେଶ୍ଵର ।

ଅପୂର୍ବ ପଦାର୍ଥ ଦେଖି ଶରଧା କରିବେ

ନ ଦେଲେ ତହିଁରେ କୃଷ୍ଣ ଦ୍ୱନ୍ଦ୍ୱ ଭିଆଇବେ ।

ଆକାଶର ଚାନ୍ଦ କୃଷ୍ଣ ଧରି ଲୋଡ଼େ କରେ

ସେ କୃଷ୍ଣ କି ସ୍ଥିର ହୋଇ ରହେ ମଧୁପୁରେ

ହଳଧର କ୍ରୋଧ ବାବୁ ଅଟେ ବଳୀୟାର

ଆଗ ପଛ କଥାକୁ ସେ ନ କରେ ବିଚାର ।

ମଧୁପୁର ନାରୀଙ୍କର ରୂପ ଆଲୋକିତ

ତାଙ୍କୁ ଦେଖି ଢଗ କୃଷ୍ଣ ବୋଲିବ ନିଶ୍ଚିତ ।

ବାଳୁତ ନନ୍ଦନ ମୋର କିଛି ନ ଜାଣଇ

ରାଜାକୁ କହିବ ଯେହ୍ନେ ଦୋଷ ନ ଧରଇ ।

ଦୂରୁ ଦେଖି କଂସଦୂତେ ପଳାନ୍ତି ମୋ ପୁଅ

ନିରତେ ତାହାଙ୍କୁ ସେତ କରୁଥାନ୍ତି ଭୟ ।

କୃଷ୍ଣର ଜନମ ଶୁଣି ଆସିଲା ପୁତନା

ଚିହ୍ନି ନ ପାରି ଡାକିଲେ ତାକୁ ଗୋପାଙ୍ଗନା ।

ପଚାରିଲେ ପୁତନାକୁ ଯାଉଅଛୁ କାହିଁ

ନ କହୁ କାହାକୁ କିଛି କାନ୍ଦୁଛୁ କିମ୍ପାଇ ।

ପୁତନା ବୋଇଲା ମୋର ପୁତ୍ର କାଲି ମଲା

କ୍ଷୀରଭରେ ସ୍ତନେ ମୋର ବହୁ ପୀଡ଼ା ହେଲା ।

କା ଘରେ ବାଳକ ସଖୀ ହୋଇଅଛି ଜାତ

କ୍ଷୀର ଦିଅନ୍ତି ମୁଁ ତାକୁ କହୁଅଛି ସତ୍ୟ ।

ପୁତନା ବଚନେ ଗୋପୀ କହିଲେଟି ମୋତେ

ଗୋପୀଙ୍କ ବଚନେ ଶୁଣି ଗଲି ମୁଁ ପରତେ ।

ବୋଇଲି ଯେ ଗୋପୀମାନେ ତୁମ୍ଭେ ଏବେ ଶୁଣ

କ୍ଷୀର ନାହିଁ ମୋହଠାରେ କାନ୍ଦଇ ନନ୍ଦନ ।

ଦେଖିବା ଗୋ ଯେବେ କ୍ଷୀର ହୋଇବ ତାହାର

ଧାଈ କରି ରଖି ଧନ ଦେବି ମୁଁ ଅପାର ।

ଏଥେ ଯାଇ ତାହାକୁ ଗୋ ଆଣ ଡାକିକରି

କୃଷ୍ଣଙ୍କୁ କ୍ଷୀର ଖୁଆଇ ରହୁ ଆମ୍ଭ ପୁରୀ ।

ଶୁଣି ଗୋପୀମାନେ ତହୁଁ ବେଗ ହୋଇଗଲେ

ଗୋପଦାଣ୍ଡରୁ ପୁତନା ହକାରି ଆଣିଲେ ।

ଅନ୍ତୁଡ଼ିଶାଳେ କୃଷ୍ଣଙ୍କୁ ଥିଲି କୋଳେ ଧରି

ପୁତନାକୁ ନେଇ ତହିଁ ଗଲେ ଗୋପନାରୀ ।

ପୁତନାକୁ ଦେଖି ମୁହିଁ ମନେ ବିଚାରିଲି

ନିଶ୍ଚେ ଉତ୍ତମ କୁଳରେ ଜାତ ଏହୁ ନାରୀ ।

ନ ଥିବେ ସୁନ୍ଦରୀ ଏହାଠାରୁ ବଳି କେହି

ଜନ୍ମ ବଧି ଏପରି ମୁଁ ଜଣେ ଦେଖି ନାହିଁ ।

କ୍ଷୀରରେ ଏହାର ସ୍ତନ ହୋଇଛି ପୂରିତ

ଧାର ଧାର ହୋଇ ବହିଯାଉଛି ବହୁତ ।

ନିଶ୍ଚୟେ ନନ୍ଦନ ୟାର ଯାଇଅଛି ମରି

ସ୍ତିରୀଜାତି ସ୍ତନର ନ ସହିପାରୁ ଭାରି ।

ପୁତନାକୁ ଡାକି ମୁହିଁ ବୋଲଇ ବଚନ

ବେନି ବରଷ ତୁ ରହ ଆମ୍ଭର ଭୁବନ ।

ବୃଦ୍ଧକାଳେ ଏହାକୁ ଲୋ ପାଇଅଛି ମୁହିଁ

ଦେଖ ମୋହର ସ୍ତନରୁ କ୍ଷୀର ନ ସ୍ରବଇ ।

ତୁ ହୋଇବୁ ଧାତ୍ରୀ ତୋର ହେବ ଏ ନନ୍ଦନ

ତୋହଠାରୁ କ୍ଷୀର ପିଇ ରଖିବ ଜୀବନ ।

ଗୋପରେ ବୋଲିବେ ତୋତେ କୃଷ୍ଣ ଧାଈମାତ

ସମ୍ମାନ ପାଇବୁ ଜନ ସମାଜେ ବହୁତ ।

ମୋର ବଚନେ ପୁତନା ମାୟାରେ କାନ୍ଦଇ

କରେ ଲେଖିଛି ବିଧାତା ଧାଈ ହେବା ପାଇଁ ।

ମୋର ପୁତ୍ର ମଲା ହେବି କାହା ଧାଈମାତା

ମୋ ସମାନ ଆଉ ତ ନ ଗଢିବୁ ତୁ ଧାତା ।

ଗର୍ଭେ ଦଶମାସ ବହି ପୁତ୍ର ଜାତ କଲି

ଦିନେ ମାତ୍ର କୋଳେ ଆଉ ଧରି ନ ପାରିଲି ।

ଏତେ ବୋଲି କୃଷ୍ଣ ମୁଖ ଚାହିଁ ସେ ବିକଳେ

ଅତି ଉଚ୍ଚସ୍ୱରେ କାନ୍ଦି ଲୋଟେ ମହୀତଳେ ।

ବୋଲଇ ଏହାରି ପରି ପୁତ୍ର ପାଇଥିଲି

ଦଇବ ବିପାକେ ତାକୁ ହରାଇ ବସିଲି ।

ପୁତନା ବିକଳ ଦେଖି ଗଲି ମୁଁ ପରତେ

ଶ୍ରୀକୃଷ୍ଣଙ୍କୁ ଦେଲି ନେଇ ମାୟାବିନୀ ହାତେ ।

ତା ସଙ୍ଗେ କୃଷ୍ଣ କ୍ଷୀର ତା ଶୋଷିଲେ ପରାଣ

ଡାକିଲେ ପୁତନା ସ୍ତନ ଛାଡ଼ରେ ନନ୍ଦନ ।

ନ ଛାଡ଼ନ୍ତେ ପୁତନା ଯେ କଲା ଘୋର ନାଦ

ଶୁଣି ଗୋପପୁର ଜନେ ହୋଇଲେ ସ୍ତବଧ ।

ପୁତନା ମରନ୍ତେ କୃଷ୍ଣ ଆଣିଲି ମୁଁ ତହୁଁ

ସେ କଥାକୁ କଂସ ଶୁଣି ନ ଥିବ କି କାହୁଁ ।

ଆବର ପେଶିଲା କଂସ ଚାରଗଣ ଯେତେ

ଗୋଟି ଗୋଟି ହୋଇ ସର୍ବେ ମଲେ କୃଷ୍ଣ ହାତେ

ସେହି କଥାମାନ କଂସ ନ ଥିବ କି ଶୁଣି

କୋପ ବହି ଡାକୁଛି କି କଂସ ନୃପମଣି ।

ବନ୍ଦୀ କରି ରଖିବ କି ମୋ ବେନି କୁମର

କପଟ ନ କରି ସତ୍ୟ କହ ତୁ ଅକ୍ରୂର ।

ଶୁଣିଣ ଅକ୍ରୂର ଯଶୋମତୀଙ୍କର ବାଣୀ

ପାଦ ଛୁଇଁ ବୋଲେ ଶୁଣ ଶ୍ରୀକୃଷ୍ଣ ଜନନୀ ।

ଆଦେଶିଲା କଂସ ମୋତେ ଯାଅ ଗୋପପୁର

ନନ୍ଦକୁ କହି ଆଣିବୁ କୃଷ୍ଣ ହଳଧର ।

ଆସି ବେନି ଭାଇ ଧନୁ ଉତ୍ସବ ଦେଖିବେ

ଯାତ୍ରା ଶେଷ ହେଲେ ଗୋପପୁରେ ଫେରିଯିବେ

ଏହି କଥା ବିନେ ଆନ ମୋତେ କହି ନାହିଁ

ନିୟମ କରି କହୁଛି ତବ ପାଦ ଛୁଇଁ ।

କପଟ କରିଣ ଯେବେ ଡାକିଛି ରାଜନ

କୃଷ୍ଣଙ୍କୁ ଦେଖିଲେ ତାର ଛାଡ଼ିବ ଜୀବନ ।

ଅକ୍ରୂର ବଚନ ଶୁଣି ତୁଷ୍ଟ ହେଲେ ରାଣୀ

ଭଣ୍ଡାରୁ ଅକ୍ରୂରେ ରତ୍ନ ବସ୍ତ୍ର ଦେଲେ ଆଣି ।

ରାମ କୃଷ୍ଣ କର ନେଇ ଦେଲେ ତାର ହସ୍ତ

ବୋଇଲେ ଅକ୍ରୂର ତୋତେ ଲାଗିଲେ ମୋ ସୁତ

ଏ ରାମ କୃଷ୍ଣର ତୁହି ଅଟୁ ଧର୍ମତାତ

ଅଜ୍ଞାନ ଅଟନ୍ତି ମୋର ଏ ବେନି ବାଳୁତ ।

ଏମନ୍ତ କହିଣ ତହୁଁ ହୋଇଲେ ବାହାର

ଚାଲନ୍ତି ଯଶୋଦା ନନ୍ଦ ପଛେ ଧୀର ଧୀର ।

ଦୂରୁ ଦେଖି ଗୋପୀମାନେ ହୋଇଲେ ତରସ୍ତ

ବୋଲନ୍ତି ଗୋପରେ ଆଜି ପଡ଼ିବ ନିର୍ଘାତ ।

ରାମ କୃଷ୍ଣ ଦୁହେଁ ଯିବେ ଯେବେ ମଥୁରାକୁ

ସମ୍ଭାଳି ରଖିବ କିଏ ଆଉ ଏ ଗୋପକୁ ।

ବ୍ରଜପୁରୀ ଗୋଟି ସିନା ଅନ୍ଧାର ହୋଇବ

ନନ୍ଦ ଯଶୋଦାଙ୍କୁ ନିଶ୍ଚେ ଛାଡ଼ିବ ଦଇବ ।

ଆମ୍ଭେ ଗୋପୀମାନେ ସବୁ ଜୀବନ ତେଜିବା

ପିଣ୍ଡରେ ପରାଣ ଆଉ କାହିଁକି ରଖିବା ।

ଯାହା ଯୋଗେ ଗୋକୁଳ ଗୋ ଦିଶଇ ସୁନ୍ଦର

ସେ ଯେବେ ଛାଡ଼ିଣ ଏଥୁ ଯିବେ ମଧୁପୁର ।

ନିଶ୍ଚେ ଜାଣ ସକଳ ସମ୍ପଦ ଯେ ସରିଲା

ଏବେ ନନ୍ଦ ଯଶୋଦାଙ୍କୁ ଦଇବ ଛାଡ଼ିଲା ।

ଦେଖୁ ଦେଖୁ ନନ୍ଦରାଜା ହୋଇଲେକ ବାଇ

ଆଗ ପଛ କଥାକୁ ସେ ତିଳେ ନ ଭାବଇ ।

ଅକ୍ରୂର କହିବା କଥା ଭାବୁଛି ଏ ସତ୍ୟ

ମଥୁରାକୁ ଛାଡ଼ିଦିଏ କିମ୍ପା ବେନି ସୁତ ।

ମଥୁରାପୁରକୁ ରାମ କୃଷ୍ଣ ଯେବେ ଯିବେ

ଗୋପପୁର କଥା ଆଉ ମନେ ନ ଭାବିବେ

ମଧୁପୁର ନାରୀ ଭାଗ୍ୟବତୀ ଯେ ଅଟନ୍ତି

ରାମ କୃଷ୍ଣଙ୍କୁ ନୟନେ ଯେବେ ତ ଦେଖନ୍ତି ।

କଦାପି ଜୀବନ ଥିବାଯାଏ ନ ଛାଡ଼ିବେ

ଆଉ କି ସେ ରାମକୃଷ୍ଣ ଗୋପକୁ ଆସିବେ ।

ଯଶୋଦାର ମନ ଦେଖି କେମନ୍ତ ଅଟଇ

ଚାଲଇ ସେ ବେଗ ବେଗ କାହାକୁ ନ ଚାହିଁ ।

କେ ବୋଲଇ ଯଶୋଦାକୁ ବିଧି ବାମ ହେଲା

କେ ବୋଲେ ନନ୍ଦର ମନ ଭ୍ରମ ଗୋ ହୋଇଲା

ବୃଦ୍ଧକାଳେ କୃଷ୍ଣର ଏ ହୋଇଅଛି ତାତ

ମଲାକାଳେ ପାଶେ ନ ଥିବେଟି ବେନି ସୁତ ।

ଦେବକୀକୁ ଦେଖି କୃଷ୍ଣ ହୋଇବେ ଆନନ୍ଦ

ମାତା ପିତାଙ୍କୁ ନିଶ୍ଚୟ କରିବେ ପ୍ରବୋଧ ।

କଂସକୁ କହିବେ ରାମ କୃଷ୍ଣ ବେନି ଭାଇ

ନିଶ୍ଚୟ ରଖିବ କୃଷ୍ଣ କଥା ନରସାଇଁ ।

ବନ୍ଦୀ ଘରୁ ମାତା ପିତା ଉଦ୍ଧାର କରିବେ

କରିବ ରାଜନ ତାହା କୃଷ୍ଣ ଯା କହିବେ ।

ତାଙ୍କୁ ନେବା ପାଇଁ କଂସ ପେଶିଛି ଅକ୍ରୂର

ବସାଇ ନେବାକୁ ଆଣିଅଛି ରହୁବର ।

ସୋଦର ଭଣଜା ତାର ରାମ ଭାବଗ୍ରାହୀ

ପିଟିଲେ ପାଣିକି ଦୁଇଭାଗ ନ ହୁଅଇ ।

ମାମୁଁ ଭଣଜା ହୋଇବେ ପୁଣି ଏବେ ଏକ

ଆମ୍ଭେମାନେ ସିନା ସଖୀ ଅଟୁ ବାଜେ ଲୋକ

ଏହି କଥା ବ୍ରହ୍ମା କହିଅଛନ୍ତି କଂସକୁ

ନିଶ୍ଚୟ ଭୟ କରିବ କଂସ ଏ କୃଷ୍ଣଙ୍କୁ ।

ମର୍ତ୍ତ୍ୟପୁର ଜିଣି କଂସ ସ୍ଵର୍ଗପୁରେ ଗଲା

ତପବଳେ ବ୍ରହ୍ମାଙ୍କୁ ସେ ଭୟ ଦେଖାଇଲା ।

କଂସର ତପରେ ବ୍ରହ୍ମା ପ୍ରସନ୍ନ ହୋଇଲେ

ବର ଦେବୁ କଂସାସୁର ମାଗ ହେ ବୋଇଲେ ।

ଶୁଣନ୍ତେ କଂସ ରାଜନ ଯୋଡ଼ି ବେନିକର

ବୋଇଲା ତ୍ରିପୁର ଜିଣି ହୋଇବି ଅମର ।

ବଳବନ୍ତ ପଣେ ମୁହିଁ ହେବି ବଳୀୟାର

ଯେବେ କି ପ୍ରସନ୍ନ ମୋତେ ହେଲୁ ବେଦବର

ନୀଳଭୁଜ ବ୍ରହ୍ମଶର ଆଦି ଯେତେ ଶସ୍ତ୍ର

ମୋ ଅଗେ ବାଜି ସମସ୍ତେ ହୋଇବେ ବିଅର୍ଥ

ଯହିଁକି ଇଚ୍ଛା କରିବି ତହିଁକି ମୁଁ ଯିବି

ଅନଳେ ପଶିଲେ ସୁଦ୍ଧା ଦହନ ନୋହିବି ।

ଶୁଣିଲେ ବ୍ରହ୍ମା କଂସର ଯହୁଁ ଏ ବଚନ

ବୋଇଲେ ମାଗିଲୁ ଯେଉଁ ବର କଂସରାଣ ।

ହେଉ ତୋତେ ପ୍ରାପତ ସେ ଦେଲି ଆଜ ବର

ଏକା ରଖିଥିବ ମନେ କଥାଏ ମୋହର ।

ଦେବକୀ ଜ୍ୟେଷ୍ଠ ଭଗିନୀ ତୋହର ଯେ ଜାଣ

ତାହାର ଅଷ୍ଟମ ଗର୍ଭେ ହୋଇବ ନନ୍ଦନ ।

କେଭେ ନ କରିବୁ ତୁହି ତାହାକୁ ବିଶ୍ଵାସ

ଭଣଜା ହସ୍ତେ ନିଶ୍ଚୟ ତୁହି ହେବୁ ନାଶ ।

ତାହାକୁ ଦେଖିଲେ ନିଶ୍ଚେ ମୃତ୍ୟୁ ହେବ ତୋର

ଆନ ରୂପେ ମୃତ୍ୟୁ ତୋର ନାହିଁ କଂସାସୁର ।

ଏହି ବର ଦେଇ ବ୍ରହ୍ମା ହେଲେ ଅନ୍ତର୍ଦ୍ଧାନ

ସେହିଠାରୁ ଭାଳେ ବସି ଦୃମିଳା ନନ୍ଦନ ।

ବ୍ରହ୍ମା ବର ପାଇ ସେ ଯେ ହେଲା ବଳୀୟାର

ରଖିଲା ଦେବକୀ ବସୁଦେବ ବନ୍ଦୀଘର ।

ବନ୍ଦୀଘରେ ଦେବକୀ ଯେ ହେଲେ ଗର୍ଭବାସ

ମୂର୍ଖ କଂସ ପ୍ରାଣ ଭୟେ ସବୁ କଲା ନାଶ ।

ଦେବଙ୍କ ବଚନେ କୃଷ୍ଣ ଦେବକୀ ଉଦର

ଜନମ ଲଭିଲେ ସେହୁ ଆସି ମଧୁପୁର ।

ଯଶୋଦା ଗର୍ଭେ ବିଜୁଳି କନ୍ୟା ହେଲା ଜାତ

ଦେବକୀ ଯଶୋଦା ହେଲେ ନିଦ୍ରାରେ ଅଚେତ

ବସୁଦେବର ଚରଣୁ ଶାଙ୍କୋଳି ଫିଟିଲା

ସ୍କନ୍ଧରେ କୃଷ୍ଣଙ୍କୁ ଘେନି ଗୋପକୁ ଚଳିଲା ।

ବାଟେ ଦେଖି ଉଗ୍ରସେନ ଓଗାଳିଲା ଯାଇ

ବିଷ୍ଣୁରୂପ ଦେଖି ଗଲା ଅଲଗା ସେ ହୋଇ ।

ବିଚାରଇ ହେଲା ନିଶ୍ଚେ କଂସର ମରଣ

ଦେବକୀର ଗର୍ଭେ ଜାତ ହେଲେ ନାରାୟଣ ।

ପ୍ରବେଶିଲା ବସୁଦେବ ଯମୁନା କୂଳର

କୂଳ ଲଙ୍ଘି ଯମୁନା ହେ ବହଇ ପ୍ରଖର ।

ତାହା ଦେଖି ବସୁଦେବ ମନେ ଭୟ କଲା

ଆତଙ୍କେ ସେ ଯମୁନାକୁ ନାନା ସ୍ତୁତି କଲା ।

କୃଷ୍ଣଙ୍କୁ ଦେଖି ଯମୁନା ଛାଡ଼ିଦେଲା ବାଟ

ନିରାପଦେ ମିଳିଲା ସେ ଯଶୋଦା ନିକଟ ।

ନିଦ୍ରାରେ ମୋହିତ ହୋଇ ଅଛନ୍ତି ସକଳେ

ଅଜ୍ଞାନେ ଯଶୋଦା ରାଣୀ ପଡ଼ିଛି ଭୂତଳେ ।

ବିଜୁଳି କନ୍ୟା ତା କୋଳ ମଧ୍ୟରେ ଶୋଇଛି

ନ କରଇ ରୋଦନ ସେ ମଉନେ ରହିଛି ।

ସେଠାବରେ ବସୁଦେବ କୃଷ୍ଣଙ୍କୁ ରଖିଲା

ବିଜୁଳି କନ୍ୟାକୁ ଧରି ତହୁଁ ଚଳିଗଲା ।

ବିଷ୍ଣୁମାୟାରେ ସକଳେ ମୋହେ ପଡ଼ିଥିଲେ

ବସୁଦେବଙ୍କୁ ନୟନେ କେହି ନ ଦେଖିଲେ ।

ବିଜୁଳି କନ୍ୟାକୁ ତହୁଁ ବସୁଦେବ ଧରି

ଦେବକୀର କୋଳେ ନେଇ ଦେଲେ ଯତ୍ନକରି ।

ଅଚେତନେ ପଡ଼ିଛନ୍ତି ଦେବକୀ ମହୀରେ

ବିଷ୍ଣୁ ମାୟାରେ ସକଳେ ଛନ୍ତି ଅଜ୍ଞାନରେ ।

ବସୁଦେବଙ୍କ ଚରଣେ ଲାଗିଲା ଶାଙ୍କୋଳି

ଦେବକୀ କୋଳରେ କନ୍ୟା ଛାଡ଼ିଲା ବୋବାଳି

ଦୁର୍ଗାର କ୍ରନ୍ଦନ ଶୁଣି ସକଳେ ଚେତିଲେ

ଦେବକୀ ପ୍ରସବ କଲା ବୋଲି ସେ ଧାଇଁଲେ ।

ଉଠିଲେ ଚେତନା ପାଇ ଦୁଃଖିନୀ ଦେବକୀ

ଦୁହିତା ଦେଖି ପିଛାଡ଼ି ନ ପାରନ୍ତି ଆଖି ।

କଂସ ଆଗେ ମୁଦୁସୁଲୀମାନେ ବେଗେ ଯାଇ

ଡାକିଲେ ହେ ମହାରାଜ ଉଠ ବେଗ ହୋଇ ।

ଦେବକୀ ପ୍ରସବ କଲେ ଶୁଭୁଛି ରୋଦନ

ଶୁଣନ୍ତେ କଂସ ଉଠିଲା ପଲ୍ୟଙ୍କୁ ତକ୍ଷଣ ।

ଦେବକୀର ବନ୍ଦୀଘର କିଳିଣୀ ଫିଟାଇ

ଭିତରେ ଯାଇ ଦେଖିଲା କନ୍ୟା ଅଛି ଶୋଇ ।

ବିଜୁଳି କନ୍ୟାକୁ ଦେଖି ହୋଇଲା ଚକିତ

ଅପୂର୍ବ ଏ କନ୍ୟା ଗୋଟି ଏହା ଗର୍ଭୁ ଜାତ ।

ପୁତ୍ର ଜାତ ହେବ ବୋଲି କହୁଥିଲେ ଧାତା

ପ୍ରତ୍ୟକ୍ଷେ ଦେଖିଲି ଜାତ ହୋଇଛି ଦୁହିତା ।

ବ୍ରହ୍ମାର ବଚନ ଏବେ ହୋଇଲା ତ ଆନ

ଦୁହିତା ଏ ଜାତ ହେଲା ନୋହିଲା ନନ୍ଦନ ।

ପୁତ୍ର ହେଲେ ଅଷ୍ଟବର୍ଷେ କରନ୍ତା ବିନାଶ

ଆନ ମତେ ମୃତ୍ୟୁ ନାହିଁ କହିଛି ଲୋକେଶ ।

ଏହିରୂପେ ନାନା କଥା ମନେ ଭାବି ସେହି

ଦେବକୀକୁ ବୋଇଲା ଲୋ କନ୍ୟା ଦିଅ ତୁହି ।

କଂସର ବାକ୍ୟେ ଦେବକୀ କହେ ଶୋକଭରେ

ଏ ଦୁହିତା ବଇରୀ ନୋହିବ ତୋହଠାରେ ।

ଏହାକୁ ନ ମାରି ଘରେ ରଖ ତୋର ନେଇ

ଦେବକୀ ବଚନ ଶୁଣି କଂସାସୁର କହି ।

ବ୍ରହ୍ମା କହିଛି ତୋହର ହୋଇବ ନନ୍ଦନ

ତାହାର ବଚନ କେବେ ନୁହଇଟି ଆନ ।

ଦୁହିତା ବା ପୁତ୍ର ତୋର ଯାହା ହେଲା ଜାତ

ସେ ତ ତୋ ଅଷ୍ଟମ ଗର୍ଭ କହିଛି ବିଧାତ ।

ମାରିବି ତାକୁ କହୁଛି ମୁହିଁ ସତ୍ୟ କରି

ଦେବକୀ ମୋହର ତୁହି ଅଟୁ ଗୋ ଭଗାରୀ ।

ଏମନ୍ତ କହିଣ କଂସ କ୍ରୋଧଭର ହୋଇ

ବୋଇଲା ଲୋ ବେଗେ ଦିଅ ଦୁହିତାକୁ ତୁହି ।

ତୋହର ଅଷ୍ଟମ ଗର୍ଭ ମୋହର ବଇରୀ

ଦୁହିତାର ରୂପ ଦେଖି ଲୋଭ ଅଛୁ କରି ।

ଏହାକୁ ତୁ ଏତେ ସ୍ନେହ କରୁଛୁ କିମ୍ପାଇ

ନ ମାଗୁ ତା ମୋତେ ତାକୁ ଦେଉଛୁ ବଢ଼ାଇ ।

ଏବେ ଗୋ ଦେବକୀ ତୋର ଯେତେ ହେବ ସୁତ

ନ ମାରିବି କାହାକୁ ମୁଁ କହୁଅଛି ସତ୍ୟ ।

ଏବେ ଏ କନ୍ୟାକୁ ଦେଖି ଲୋଭ ତୁହି କରୁ

ମୋ ଭଲ କଥାକୁ ତୁ ତ ମନେ ନ ବିଚାରୁ ।

ଦିଅ ଦୁହିତାକୁ ଆଉ ବିଳମ୍ବ ନ କର

ଏତେ ବୋଲିକରି କଂସ କ୍ରୋଧେ ଥରହର ।

ଦେଖିଣ ଦେବକୀ ହୃଦ କମ୍ପିଗଲା ଭୟେ

ଶୁଣି ବସୁଦେବ ଏହା ଦେବକୀକି କହେ ।

ଦୁହିତା ଦିଅ ଦେବକୀ ଭୟ ଗୋ ନ କର

ଯାହା ଲେଖିଅଛି ବିହି କର୍ମରେ ଆମ୍ଭର ।

ଅବଶ୍ୟ ତ ତାହା ଭୋଗ କରିବାରେ ସହୀ

ଏଥିରେ କଂସକୁ କିମ୍ପା ଦୋଷ ଦେଉ ତୁହି ।

ସତ୍ୟ କଲା ଆଉ ନ ମାରିବ ତୋର ସୁତ

ଏତେ ଦିନେ ଫେଡ଼ିଲେ ତୋ ଦୁଃଖ ଜଗନ୍ନାଥ

ଶୁଣ ଗୋ ଦେବକୀ ମୁହିଁ ଦେଖିଲି ସ୍ୱପନ

ଅତି କ୍ଷୀଣ ହୋଇ ଏକ ଆସିଲେ ବ୍ରାହ୍ମଣ ।

ବୋଇଲେ ସେ ଦେବକୀର କଷ୍ଟ ଆଜୁଁ ଗଲା

ଆଜ ସତ୍ୟ କରିବ ସେ ଦୃମିଳାର ବଳା ।

ଆଜୁ ତୋହର ଦେବକୀ ଯେତେ ପୁତ୍ର ଜାତ

କଂସ ରାଜା ଆଉ ତାଙ୍କୁ ନ କରିବ ହତ ।

ଦେବକୀ ବସୁଦେବର ଶାଙ୍କୋଳି ଫିଟାଇ

ଆପଣାର ଅନ୍ତଃପୁରେ ରଖାଇଲା ନେଇ ।

ପୁଣି ସେ ବ୍ରାହ୍ମଣ ସଖୀ କହିଲେ ଗୋ ମୋତେ

ବ୍ରହ୍ମା ବର କଂସକୁ ନ ଦେଲା ଯୁକ୍ତିଯୁକ୍ତେ ।

କଂସ ତପ ବଳେ ବ୍ରହ୍ମା ବିହ୍ୱଳିତ ହେଲା

ଚିତ୍ତ ଭ୍ରମେ ଅମର ତୁ ହେବୁ ସେ ବୋଇଲା ।

ସ୍ଵର୍ଗ ମର୍ତ୍ତ୍ୟ ଜୟ କରି ହେବୁ ବଳବନ୍ତ

ତିନିପୁରେ ତୋ ସଙ୍ଗେ କେ ନୋହିବ ସମର୍ଥ ।

ଯହିଁକି ତୋ ମନ ହେବ ତହିଁକି ତୁ ଯିବୁ

ଶସ୍ତ୍ର ନ ଭେଦିବ ଏକ କଥାକୁ ଡରିବୁ ।

ଦେବକୀ ଅଷ୍ଟମ ଗର୍ଭେ ହୋଇବ କୁମର

ସେ ତୋତେ ମାରିବ ଶୁଣିଥାଅ କଂସାସୁର ।

ଚିତ୍ତ ଭ୍ରମ ଗଲା ଯହୁଁ ଜ୍ଞାନରେ ଭାଷିଲା

ଯାହା ବର ଦେଲା ତାକୁ ମନରେ ପାଞ୍ଚିଲା ।

ଦେଖିଲା କଂସ ମରଣ ପୋଥି ହେବ ସାର

କୋଟି କୋଟି କଂସ ଯହିଁ ଗଲେ ଯମପୁର ।

ଦେବକୀ ଅଷ୍ଟମ ଗର୍ଭେ କୃଷ୍ଣ ହେବେ ଜାତ

ସେହି କୃଷ୍ଣ ହସ୍ତେ କଂସ ହେବ ପ୍ରାଣେ ହତ ।

ଯହୁଁ ସେ ଦେଖିଲା ତହିଁ ଅଛି ଏହା ଲିହି

ପୁଣି ଚାରିବେଦ ବ୍ରହ୍ମା ଦେଖିଲା ଆଡ଼େଇ ।

ବେଦବର ବୋଲେ କଂସ ହେବ ପ୍ରାଣେ ନାଶ

ଦେଖନ୍ତେ ମନରେ ତାର ଭଜିଲା ବିରସ ।

ବିଚାରିଲା କଂସକୁ ମୁଁ ଆଜି ଦେଲି ବର

ତିନିପୁର ଜିତିଣ ସେ ହୋଇବ ଅମର ।

ଦେବକୀ ଅଷ୍ଟମ ଗର୍ଭେ ହେବ ଯେଉଁ ସୁତ

ତାହାକୁ ଦେଖିଣ ସେ ଯେ ହେବେ ପ୍ରାଣେ ହତ

ଏବେ ତ ଦେବକୀ ଜନ୍ମ କରିଛି ଦୁହିତା

ବ୍ୟର୍ଥ ହୋଇବ କି ଏବେ ମୋ କହିବା କଥା

ଯାହା ମୁଁ ଲିହିଛି ତାହା ଆନ ତ ନୁହଇ

ଦୁହିତାଏ ଜାତ ହେଲା ଅଷ୍ଟମ ଗର୍ଭେହିଁ ।

କଂସକୁ କହିଛି ତୁରେ ହେବୁ ସାବଧାନ

ଦେବକୀ ଅଷ୍ଟମ ଗର୍ଭେ ହୋଇବ ନନ୍ଦନ ।

ଅଷ୍ଟମ ବରଷେ ତୋତେ ସେ ସୁତ ମାରିବ

ସତର୍କ ଥିବୁ ତହିଁକି ମଥୁରାର ଧବ ।

ସକଳ ବେଦ ଶାସ୍ତ୍ରାଦି ଫିଟାଇ ଦେଖିଲି

ଅମର ହୋଇବ କଂସ କାହିଁ ନ ଦେଖିଲି ।

ଏବେ ତ ଦେବକୀ ଗର୍ଭେ କନ୍ୟା ହେଲା ଜାତ

ଦେଖିଣ କଂସ ମନରେ ହୋଇବ ଉଷତ ।

ବ୍ରହ୍ମାର ବଚନ ଏବେ ହୋଇଲା ତ ଆନ

ଦେବକୀ ଅଷ୍ଟମ ଗର୍ଭେ ନୋହିଲା ନନ୍ଦନ ।

କେମନ୍ତେ ମରିବ ବୋଲି ଭାଳିଣ ସେ ମନେ

ଏ ବଡ଼ ବିଷମ କଥା କହିଲି ଗୋପନେ ।

ଏମନ୍ତ ବିଚାରି ବ୍ରହ୍ମା ମନର ବିଷାଦେ

ପୁଣି ଏକ କଥା ତାର ବିଚାରଇ ହୃଦେ ।

ଯେବେ ନ ଜାଣିଲା କଂସ ତାହାର ମରଣ

ତେବେ ମୋ କହିବା କଥା ହୋଇବଟି ଆନ ।

ଦେବକୀ ଗର୍ଭରୁ ଯେଉଁ କନ୍ୟା ଜାତ ହେବ

ସେହି କନ୍ୟା ମୁଖୁ କଂସ ମରଣ ଶୁଣିବ ।

ଯହିଁରେ ମରିବ କଂସ ତାହା ଦେବ କହି

ତେବେ ମୋ କହିବା କଥା ଆନ ହେବ ନାହିଁ ।

ତେବେ ସେ ଜାଣିବ ସତ୍ୟ ବ୍ରହ୍ମାର ବଚନ

ବୁଝିବ ନିଶ୍ଚୟ କରି ତାହାର ମରଣ ।

କଂସ ଯେବେ କନ୍ୟା ମୁଖୁଁ ମରଣ ଶୁଣିବ

ତେବେ ଦେବକୀର ଭାଗ୍ୟଫଳ ଦେଖାଯିବ ।

ମୋ କହିଲା କଥାକୁ ସେ ନ ମଣିବ ଆନ

ଦୁହିତା ମୁଖରୁ ଶୁଣି ହେବ ସାବଧାନ ।

ତୁହି ଗୋ ଦେବକୀ ଏବେ ଶୁଣ ମୋ ବଚନ

ଆଜି ନିଦ୍ରାକାଳେ ମୁହିଁ ଦେଖିଲି ସ୍ୱପନ ।

ବସୁଦେବ ବଚନେ ସେ ଦେବକୀ ଉଠିଲେ

ଦୁହିତାକୁ ନେଇ କଂସ ହସ୍ତେ ସମର୍ପିଲେ ।

ସ୍ଵପ୍ନକଥା ବସୁଦେବ କହିଲାର କାଳେ

ସ୍ଥିରେ ବସି କଂସ ଶୁଣିଥିଲା କର୍ଣ୍ଣବିଳେ ।

କନ୍ୟାର ମୁଖକୁ କଂସ ନିରେଖି ଚାହିଁଲା

ଚାହିଁ ନ ପାରିଣ ବେନି ନୟନ ବୁଜିଲା ।

ବିଚାରିଲା ସ୍ୱପନ ଦେଖିଲା ବସୁଦେବ

ସେ ସ୍ୱପନ କଥା ଆଜି ସତ କି ହୋଇବ ।

ଏପରି ମୂରତି ନେତ୍ରେ ଦେଖି ନାହିଁ କେବେ

ଜଗତମାତା ଏ ଜାତ ହୋଇଅଛି ଭବେ ।

ଏ ମୋହର ମୃତ୍ୟୁ କଥା କହିବ ପ୍ରମାଣ

ଏମନ୍ତ ବୋଲିଣ କଂସ ବିଚାରଇ ମନ ।

ପୁଣି ବିଚାରଇ କଂସ ସ୍ୱପ୍ନ ନୁହେଁ ସତ

କେମନ୍ତେ କହିବ କନ୍ୟା ମୋହର ନିହତ ।

ଏକ୍ଷଣି ହୋଇଛି ଜାତ ମୁଖ ନ ଫିଟଇ

ସ୍ଵପନ କଥାକୁ ସତ କେମନ୍ତେ ଯିବଇଁ ।

ଯେବେ ମୁଁ ପାଞ୍ଚ ବରଷ ଏହାକୁ ରଖିବି

ମୋହର ମୃତ୍ୟୁ ଏହାର ମୁଖରୁ ଶୁଣିବି ।

ପୁଣି ବିଚାରେ ଦେବକୀ ନ ମାର ବୋଲଇ

ଏ ବସୁଦେବ କପଟ କରି କି କହଇ ।

ଭାବିଲି ଏପରି ମିଥ୍ୟା କହିଦେଲି ମୁହିଁ

ନ ମାରିବ କନ୍ୟା କଂସ ହୃଦେ ଦୟା ବହି ।

ପାଳିବ ଏହାକୁ ନେଇ କନ୍ୟାକୁ ମୋହର

ବଡ଼ ହେଲେ କଂସ ମୃତ୍ୟୁ ପଚାରିବ ତାର ।

ଯେବେ କଂସ ମୃତ୍ୟୁ କଥା ନ କହିବ ଏହୁ

ସୁନ୍ଦରପଣକୁ ଦେଖି ମାରିବଟି କାହୁଁ ।

ଏମନ୍ତ ସେ ବସୁଦେବ ମନେକ ପାଞ୍ଚିଲା

ସ୍ଵପନ ଦେଖିଲି ବୋଲି ଜାୟାକୁ କହିଲା ।

ମନେ ଏହିପରି ଭାବି କଂସ ନରସାଇଁ

ମାରିବି କନ୍ୟାକୁ ବୋଲି ବାହାରକୁ ନେଇ ।

ଶିକାର ଉପରେ ଯାଇଁ ହୋଇଲା ସେ ଉଭା

ମୁଦୁସୁଲୀମାନେ ଦେଖି ହୋଇଲେ ଯେ ଲୋଭା

କଂସ ବୋଇଲା ଅଷ୍ଟମ ଗର୍ଭ ମୋ ବଇରୀ

ଯାଅ ଯାଅ ଗୋ ଦୁହିତା ଏବେ ଯମପୁରୀ ।

ଏତେ ବୋଲି କଂସ ବେନି ଚରଣ ଧଇଲା

କୁରାଳ ଚକ୍ର ପରାୟେ କରି ବୁଲାଇଲା ।

ସୁମର ଇଷ୍ଟ ଦେବତା ଦୁହିତା ତୋହର

ଏମନ୍ତ ବୋଲିଣ କଂସ କ୍ରୋଧେ ଥରହର ।

ମର ବୋଲି କଂସ ବେନି ପାଦ ଛାଡ଼ିଦେଲା

କଂସର ହସ୍ତରୁ କନ୍ୟା ଶୂନ୍ୟକୁ ଚଳିଲା ।

ଅନ୍ତରୀକ୍ଷେ ରହି ଦେବୀ ବୋଲନ୍ତି ବଚନ

ଶୁଣ ଆହେ କଂସ ତୋର ଯହିଁରେ ମରଣ ।

ଗୋପପୁର ନନ୍ଦ ଘରେ ଜନ୍ମିବ କୁମର

ସେ ତୋତେ ପେଶିବ ଅଷ୍ଟବର୍ଷେ ଯମପୁର ।

ଆଠ ବରଷ ସେ ବ୍ରଜପୁରରେ ବଢ଼ିବ

ତଦନ୍ତେ ମଥୁରା ଆସି ତୋତେ ବିନାଶିବ ।

ଆଜିଠାରୁ ଅଷ୍ଟମ ବରଷେ ହେବୁ ନାଶ

ନିଜ ପୁରେ ବସି ଦିନ ଗଣୁଥାଅ କଂସ ।

ଯେ ତୋତେ ମାରିବ ଗୋପେ ହେଲାଣି ସେ ଜାତ

ଏହା କହି ଶୂନ୍ୟେ ଗଲେ ଜଗତର ମାତ ।

ଦେବୀ ବାକ୍ୟ ଶୁଣି କଂସ ଭାବେ ମନେ ମନ

ସତ୍ୟ ହୋଇଲା ତ ବସୁଦେବର ସ୍ଵପନ ।

ମୋର ତପ ବଳେ ବ୍ରହ୍ମା ବିହ୍ୱଳିତ ହେଲା

ତେଣୁ ଭ୍ରମବଶେ ମୋତେ ବର ଦେଇଗଲା ।

ପ୍ରଥମେ ଦେବକୀ ଭାଳେ ଲିହିଲା ବିଧାତା

କନ୍ୟା ଜାତ ହୋଇବାରୁ ବିଚାରିଲା ଧାତା ।

ସ୍ଵପ୍ନ ଛଳେ ବସୁଦେବ ଆଗରେ କହିଲା

ଦୁହିତାର ମୁଖେ ମୋର ମୃତ୍ୟୁ ଶୁଣାଇଲା ।

ସ୍ୱପନ ସତ ହୋଇଲା ଆନ ତ ନୋହିଲା

ପ୍ରତ୍ୟକ୍ଷରେ କହି କନ୍ୟା ସ୍ଵର୍ଗପୁରେ ଗଲା ।

ଏମନ୍ତ ବିଚାରି କଂସ ନିଜ ପୁରେ ଯାଇ

ପେଶିଲା ଅନେକ ଦୂତ ଦେଖି ଆସ ଯାଇ ।

ସେମାନେ ଶ୍ରୀକୃଷ୍ଣ ହସ୍ତେ ଭଜିଲେ ନିଧନ

ମୁନିମାନେ ଧ୍ୟାନେ ଜାଣି ଗାଇଲେ ପୁରାଣ ।

ତାଙ୍କ ମୁଖୁଁ ଏମାନ ମୁଁ ଥିଲି ସିନା ଶୁଣି

ଏତେ କାଳେ କହିଲି ତା ଶୁଣ ଗୋ ମିତଣି ।

ପୁଣି ଏକ ଗୋପୀ ଆସି ବୋଲଇ ବଚନ

ଦିନେ ଗଲି ଦଧି ବିକି ମୁଁ ମଧୁଭୁବନ ।

ଦେବକୀର ବନ୍ଦୀଘର ପାଶେ ପ୍ରବେଶିଲି

ମୋତେ ଦେଖି ଡାକିଲା ସେ ଦଧି ଆଣ ବୋଲି

ଦଧି ଘେନି ଗଲି ମୁହିଁ ଦେବକୀର ପାଶ

ମୋତେ ଦେଖି ଦେବକୀ ଯେ କାନ୍ଦିଲେ ବିଶେଷ

ଆବର ବୋଇଲେ ମୋତେ ଶୁଣ ଗୋ ସଜନି

କଥାଏ ପୁଚ୍ଛିବି ମୋତେ କହ ସତ୍ୟବାଣୀ ।

ଗୋପର କୁଶଳ ବାର୍ତ୍ତା କହ ଆଗ ସଖୀ

କୁଶଳେ ନନ୍ଦ ଯଶୋଦା ରହିଛନ୍ତିଟିକି ।

ନନ୍ଦସୁତ କୁଶଳରେ ଅଛିଟିକି କହ

ବଳରାମର କୁଶଳ ଅଛିଟିକି ଦେହ ।

କୃଷ୍ଣଙ୍କୁ ନ ଦେଖି ମୋର ଫୁଟିଯାଏ ଆଖି

ଗର୍ଭରେ ଧରି ତାକୁ ମୁଁ ନ ପାରିଲି ଦେଖି ।

ଶୁଣିଛି ଗୋପକୁ କଂସ ପେଶିଛି ଅକ୍ରୂର

କୃଷ୍ଣଙ୍କୁ ମାରିବା ପାଇଁ କରୁଛି ବିଚାର ।

ଏ କଥାମାନ ଶୁଣି ମୋ ହୃଦ ହୁଏ ଦହି

କହୁଁ କହୁଁ ଦେବକୀ ପଡ଼ିଲେ ମୂର୍ଚ୍ଛା ଯାଇ ।

ତାହାଙ୍କୁ ସଚେତ କରି ପ୍ରବୋଧି କହିଲି

ଭୟକରି କଂସକୁ ମୁଁ ବାହୁଡ଼ି ଅଇଲି ।

ଫିଟାଇ କହିଲି ସଖୀ ଆସି ଏତେ ଦିନେ

ଦେବକୀ ମୁଖରୁ ଶୁଣିଅଛି ବେନି କର୍ଣ୍ଣେ ।

ନିଶ୍ଚେ ଦେବକୀର କୃଷ୍ଣ ଅଟନ୍ତି ଗୋ ସୁତ

ଅଷ୍ଟବର୍ଷ ହୋଇଲା ସେ ରହିବେ କେମନ୍ତ ।

ମଥୁରାକୁ ଯିବେ କୃଷ୍ଣ କଂସକୁ ମାରିବେ

ଦେବକୀ ବସୁଦେବଙ୍କ ବନ୍ଧନ ଫେଡ଼ିବେ ।

ମଧୁପୁର ନାରୀମାନେ ଅତ୍ୟନ୍ତ ସୁନ୍ଦରୀ

ତାହାଙ୍କ ସଙ୍ଗରେ କ୍ରୀଡ଼ା କରିବେ ଶ୍ରୀହରି ।

ତାଙ୍କ ସଙ୍ଗେ ଯହୁଁ କୃଷ୍ଣ କରିବେ ବିହାର

ଆମ୍ଭେ କିମ୍ପା କୃଷ୍ଣର ଗୋ ପଡ଼ିବା ମନର ।

ରାଜକନ୍ୟାଙ୍କର ଭକ୍ତି ଘେନିବ ଶ୍ରୀହରି

ଆମ୍ଭେ ଗୋପାଳୁଣୀ କାହୁଁ ତାଙ୍କୁ ହେବା ସରି

ଶୁଣି ଗୋପୀଏ ବୋଇଲେ ଶୁଣ ଆଗୋ ସଖି

ଏବେ ଅକ୍ରୂରକୁ ବାନ୍ଧି ଏଥି ଥିବା ରଖି ।

ଯେବେ ଗୋ ଅକ୍ରୂର ଆସି ଗୋପରେ ରହିବ

ତେବେ ତାକୁ ଛାଡ଼ି କୃଷ୍ଣ ମଥୁରା ନ ଯିବ ।

ପୁଣି ଏକ ଗୋପୀ ଆସି ବୋଲଇ ବଚନ

କଥାଏ ଦିଶୁଛି ମୋତେ ଶୁଣ ଗୋପୀଗଣ ।

ଟାଣିକରି ଅକ୍ରୂରକୁ ଯେବେ ଗୋ କହିବା

ରାଜାର ସେ ଦୂତ ଆମ୍ଭେ ମାରି ନ ପାରିବା ।

ଯଶୋଦା ନନ୍ଦ ଯାହାକୁ ଭୟେ ଛନ୍ତି ରହି

ଆମ୍ଭେମାନେ ତାକୁ ଆଣ୍ଟ କରିବା ଗୋ କାହିଁ

ଚାଲ ସକଳ ଗୋପୀଏ ଏକତ୍ରିତ ହୋଇ

ନନ୍ଦ କୁମର ପାଶରୁ ନେବା ଅଲଗାଇ ।

ନନ୍ଦ ପାଦେ ପଡ଼ି ସର୍ବେ ନମ୍ର ଭାବ ବହି

ବୋଲିବା ତାହାଙ୍କୁ କହି ଅକ୍ରୂରେ ବୁଝାଇ ।

ନାନା ଜାତି ରତ୍ନ ଭେଟି ଅକ୍ରୂରକୁ ଦେବା

ରାଜଭଣ୍ଡାରେ ନ ଥିଲେ ଆମ୍ଭ ଘରୁ ଦେବା ।

ଯହିଁରେ ଅକ୍ରୂର ମନ ହୋଇବ ଆନନ୍ଦ

ସେ ପଦାର୍ଥ ଦେଇ ଆମ୍ଭେ ଧରିବା ତା ପାଦ ।

ରାଜଦୂତମାନେ ଧନ ପାଇଲେ ସନ୍ତୋଷ

ଲାଞ୍ଚ ପାଇଲେ ଅକ୍ରୂର ହୋଇବ ହରଷ ।

ତାହାକୁ ଘେନି ଅକ୍ରୂର ମଥୁରା ଫେରିବ

ଆମ୍ଭ କୃଷ୍ଣ ଆମ୍ଭ ଗୋପପୁରେ ରହିଥିବ ।

ଏହି କଥାମାନ ଶୁଣି ଗୋପୀଏ ବୋଇଲା

ଏସବୁ ବିଚାର ମୋତେ ଭଲ ନ ଦିଶିଲା ।

କଥାଏ କହଇ ମୁହିଁ ଶୁଣ ଗୋପୀମାନେ

ଦଉଡ଼ି ଧରିଣ ଚାଲ ଯିବା ଜଣେ ଜଣେ ।

ଅକ୍ରୂରର ରଥେ ଆମ୍ଭେ ବାନ୍ଧିବା ଗୋ ନେଇ

ଗଳାରେ ଲଗାଇ ମାଳା ପ୍ରାୟ ଥିବା ବହି ।

ଦେଖିଣ ଅକ୍ରୂର ଭୟ କରିବ ତା ମନେ

କୃଷ୍ଣ ଯିବା ଦେଖି ମଲେ ବୋଲି ଗୋପୀମାନେ

କୃଷ୍ଠ ଛାଡ଼ି ମଥୁରାକୁ ବାହୁଡ଼ି ସେ ଯିବ

କଂସ ଆଗେ ଯଦି ଆମ୍ଭ ମରଣ କହିବ ।

ପୁଣି ଗୋପୀଏ ବୋଇଲା ହୋଇଲ କି ବାଇ

ଏମନ୍ତ କଲେ ଅକ୍ରୂର ଡରିବ ଗୋ ନାହିଁ ।

କଥାଏ କହୁଛି ସଖି ମୋର ବୋଲ କର

ଭାଙ୍ଗି ଆଣିବା ଗୋ ଚାଲ ଯେ ଯାହାର ଘର ।

ଅକ୍ରୂରର ରଥ ଆଗେ ନେଇ ଜଳାଇବା

ରାମ କୃଷ୍ଣ ଦେଖୁଥିବେ ଅନଳେ ପଶିବା ।

କୃଷ୍ଣ କୃଷ୍ଣ ବୋଲି ସର୍ବେ ତେଜିବା ଜୀବନ

ମଲେ ଆମ୍ଭେ ଶ୍ରୀକୃଷ୍ଣର ଅଙ୍ଗେ ହେବା ଲୀନ

ଯେବେ କି ଜୀଇଁବା କୃଷ୍ଣ କରିବେଟି ଦୟା

ମଥୁରାପୁର ନ ଯିବେ ତେଜି ଆମ୍ଭ ମାୟା ।

ଅକ୍ରୂର ଛାର ଆମ୍ଭଙ୍କୁ କରିବ ଗୋ କିସ

କୃଷ୍ଣ ବୋଧ କଲେ କ୍ଷଣେ ଭଜିବ ବିନାଶ ।

ପୁଣି ଗୋପୀଏ ବୋଇଲା ଶୁଣ ସହଚରୀ

କଥାଏ କହିବି ମୁହିଁ ରଖିଛି ବିଚାରି ।

ଚାଲ ଆମ୍ଭମାନଙ୍କର ପୁଅଙ୍କୁ ଆଣିବା

ଅକ୍ରୂରର ପଦତଳେ ନେଇ କଚାଡ଼ିବା ।

ମରିବେ ବାଳକମାନେ ଦେଖୁଥିବେ ହରି

ତାଙ୍କୁ ଦେଖୁ ଦେଖୁ ଆମ୍ଭେ ଗଳେ ଦେବା ଛୁରୀ

ଆବର ଯେତେକ ଗୋପୀ ତହିଁରୁ ବଞ୍ଚିବା

ଘରେ ପଶି ଅନଳକୁ ଲଗାଇଣ ଦେବା ।

ଜଳିଯିବ ଘରଦ୍ୱାର ଆମ୍ଭେ ଯିବା ଜଳି

ଅକ୍ରୂର ପାଖରୁ ଆମ୍ଭ ତୁଟିଯିବ କଳି ।

ଆମ୍ଭେ ମଲେ ଗୋପପୁର ହୋଇବ ଦହନ

କଂସ ଶୁଣିବ ହୋଇଲା ଗୋପପୁର ଶୂନ୍ୟ ।

ନନ୍ଦ ଯଶୋଦା କୃଷ୍ଣଙ୍କୁ ନ ଦେଖି ଝୁରିବେ

କୃଷ୍ଣ ଲାଗି ଗୋପୀ ମଲେ ଜଗତେ ବୋଲିବେ

ଶୁଣ ଗୋ ଗୋପୀ ସାକ୍ଷାତେ ବ୍ରହ୍ମା ଦାମୋଦର

ଜନ୍ମ ମରଣ ଏହାର ନୁହଇ ଗୋଚର ।

ପ୍ରତ୍ୟକ୍ଷେ ଦେଖିଲେ ସଖୀ ଯେତେ କଂସଚର

ଆସିଲେ ଗୋପକୁ ସବୁ ମାଇଲେ ଶ୍ରୀଧର ।

ନନ୍ଦ ବୁଡ଼ିମଲା ଜଳୁ ଆଣିଲେ ଜୀଆଇଁ

ଫିଟିଲା ଅନ୍ଧର ଚକ୍ଷୁ ଦେଖିଲ ଗୋ ସହି ।

ମନୁଷ୍ୟ ହୋଇ କି ଏହା କେବେ ପାରେ କରି

ସେ ଶ୍ରୀକୃଷ୍ଣ କାହୁଁ ବଶ ହେବ ଗୋ ଆମ୍ଭରି ।

କଥାଏ କହୁଛି ମୁହିଁ ଶୁଣ ଆହେ ସଖି

ଯେବେ ଛାଡ଼ିବ ଜୀବନ କୃଷ୍ଣ ମୁଖ ଦେଖି ।

ତେବେ ଆମର କାରଣ ହେବ ସଖୀମାନେ

ଆନ ନ ବିଚାରି ଘେନ ମୋ କଥାକୁ ମନେ ।

ନିର୍ଲ୍ଲଜ ଆମ୍ଭ ଜୀବନ ଅଟଇ ଗୋ ସଖି

ମରିବା କଥାଟି ଭଲ ମୋତେ ଦିଶୁଅଛି ।

ଶ୍ରୀକୃଷ୍ଣ ଫେରିବେ ବୋଲି କରିଛ ଯା ଆଶା

ନ ଫେରିବେ କୃଷ୍ଣ ଗୋପେ ନ କର ଭରସା ।

କୃଷ୍ଣ ଗୁଣ ଗୁଣି ଗୋପୀ ହୋଇଲେ ସ୍ତବଧ

ଚାଲନ୍ତି ଶ୍ରୀରାମ କୃଷ୍ଣ ହୋଇଣ ଆନନ୍ଦ ।

 

କୃଷ୍ଣଙ୍କ ବିହୁନେ ରାଧାଙ୍କର ଶୋକ

କୃଷ୍ଣ ଯିବା ଦେଖି ରାଧା ହୋଇଲେ ବିକଳ

ପଡ଼ିଲେ ସେ ଶୋକଭରେ ତାଙ୍କ ପାଦତଳ ।

ରାଧାଙ୍କୁ ଦେଖିଣ କୃଷ୍ଣ ସ୍ଥକିତେ ରହିଲେ

ସମସ୍ତେ ଚିତ୍ର ପ୍ରତିମା ପ୍ରାୟ ଉଭାହେଲେ ।

ଅତି ବ୍ୟାକୁଳିତ ହୋଇ କାନ୍ଦେ ଚନ୍ଦ୍ରାନନୀ

କୃଷ୍ଣ ପାଦଧୂଳି ନେଇ ବୋଳଇ ମୂର୍ଦ୍ଧନୀ ।

ଫିଟିଲା କେଶ ବସନ ହେଲେ ହତଜ୍ଞାନ

ହା ହା କୃଷ୍ଣ ବୋଲି ଉଚ୍ଚେ କରନ୍ତି ରୋଦନ ।

ତୁମ୍ଭେ କୃଷ୍ଣ ଗୋପୀକୁଳ ଯାଉଛ ସଂହାରି

ଜଗତରେ ଅବା ଅରଜିବ କେଉଁ ଶିରୀ ।

ବୃଦ୍ଧ ପିତା ମାତାଙ୍କୁ ଯେ ଛାଡ଼ି ଚାଲିଯିବ

ମୃତ୍ୟୁକାଳେ ତାଙ୍କ ମୁଖେ ଅନଳ କେ ଦେବ ।

ପୁତ୍ର ଥାଉଁ ଅପୁତ୍ରିକା ହେଲେ ଯଶୋମତୀ

ଗୋପାଳ ନିରେଖ ହେଲେ କରୁଛ ଅନୀତି ।

ବଞ୍ଚିବି ମୁଁ କାହା ମୁଖ ଚାହିଁ ନିଶିଦିନ

କେ ମୋତେ କରିବ ବେନି ଭୁଜେ ଆଲିଙ୍ଗନ ।

କେ ମୋ ଶାଢ଼ୀ ମାଗିନେଇ ହୋଇବଟି ବେଶ

କେ ମୋର ମୁଖେ ଚୁମ୍ବନ ଦେବ ପୀତବାସ

କାହାକୁ ମୁଁ ମାନ କରି ମୁରୁଛିବି ହରି

କେ ମୋତେ ମନାଇ କରି ନେବ ହାତ ଧରି ।

କେ ମୋର ନବ ଯୌବନ ଭୋଗଟି କରିବ

କୋଳେ ବସାଇଣ ମୋତେ କେ ବେଶ କରିବ ।

କାହା ଲାଗି ହଟହଟା ହେବି ଗୋପପୁରେ

ମୁରଲୀ କେ ବଜାଇବ ନିକୁଞ୍ଜ ବନରେ ।

କେ ଗୋପୀ ପାଲଟା ଶାଢ଼ୀ କଦମ୍ବେ ବାନ୍ଧିବ

କେ ଗୋପୀ ଯୌବନ ନେତ୍ରେ ନିରେଖି ଦେଖିବ ।

କେହୁ ମୂଷା ହୋଇ କରି କବରୀ କାଟିବ

କେ ମୋ ପୁରେ ଭୁତ ହୋଇ ଦର୍ପଣ ମାଗିବ ।

ମଞ୍ଜରୀ ହୋଇ କେ ଦଧି ଲବଣୀ ଭୁଞ୍ଜିବ

ବ୍ୟାଘ୍ର ରୂପ ହୋଇ କେହୁ ବନେ ଡରାଇବ ।

ନାଟୁଆ ରୂପରେ କେହୁ ଦାଣ୍ଡରେ ନାଚିବ

ଯଶୋଦାକୁ ବ୍ରହ୍ମାଣ୍ଡ କେ ଗର୍ଭେ ଦେଖାଇବ ।

ଆକାଶରେ ଚାନ୍ଦ କେହୁ ଧରିବ ହେ ଲୋଡ଼ି

ଘାଟ ଜଗି ଆମ୍ଭଠାରୁ କେ ନେବ କଉଡ଼ି ।

ମୋ ଅଙ୍ଗ କୁଙ୍କୁମ କଳା କା ଦେହେ ଲାଗିବ

ଅଧରୁ ଅମୃତ ପାନ କେ ମୋର କରିବ ।

ମୋ ମଥା ସିନ୍ଦୂର ଆଉ ଲାଗି କାହା ହୃଦେ

ଦିଶିବ ଅରୁଣ ଯଥା ଦିନ ମେଘେ ଉଦେ ।

ତୋ ଟୋପି ଚନ୍ଦନ ଚିତା ମୋ ଅଙ୍ଗେ ଲଗାଇ

ଦ୍ୱିତୀୟା ଚାନ୍ଦର ପ୍ରାୟ ଶୋଭାକୁ ଧରଇ ।

ଏବେ କେ କରିବ ମୋତେ ଭୋଗ ଦାମୋଦର

ଛାଡ଼ି ନ ଯାଅ ଅନାଥ କରି ମଧୁପୁର ।

ତୁମ୍ଭେ ଛାଡ଼ିଗଲେ ମୁହିଁ ହୋଇବି ଅନାଥ

ରାଧାକୁ ଛାଡ଼ି କିପରି ହେବ ରାଧାନାଥ ।

କେମନ୍ତେ ତୁମ୍ଭର ଦାସୀ ହୋଇବି ହେ ମୁହିଁ

ଛାଡ଼ି ଯାଉଅଛ ମୋତେ କାହା ପାଶେ ଦେଇ

ମଥୁରାକୁ ଯେବେ ଯିବ ମୋତେ ସଙ୍ଗେ ନିଅ

ନନ୍ଦ ଯଶୋଦାକୁ ଗୋପପୁରୁ ଘେନିଯାଅ ।

ଯାତ୍ରା ଉତ୍ସବ ଦେଖିବ ତୁମେ ଦୁଇଭାଇ

କେଡ଼େ କ୍ଷତି ହେବ ଆମ୍ଭେ ଗଲେ ଗୋପଗୋଈ

ତୁମେ ଯହିଁ ରହିବ ହେ ଆମ୍ଭେ ତହିଁ ଥିବୁ

ତୁ ନାଥ ମଥୁରା ନାରୀ ସଙ୍ଗେ ଯେବେ ଥିବୁ ।

ନ କହିବୁ ଆମ୍ଭେ କିଛି ରହିବୁ ନିଶ୍ଚଳେ

ସେବା କରୁଥିବୁ ଆମ୍ଭେ ତାଙ୍କ ପାଦତଳେ ।

ମଧୁନାରୀ ସଙ୍ଗେ ଆମ୍ଭେ କରିବୁ ବିହାର

ଆନନ୍ଦ ହୋଇବୁ ଦେଖି ନୋହିବୁ ବିକଳ ।

କେବଳ ତୁମ୍ଭର ପାଦତଳେ ସେବୁଥିବୁ

ମଥୁରାନାରୀଙ୍କ ଦାସୀ ହୋଇଣ ରହିବୁ ।

ତାଙ୍କର ପାଲଟା ଲୁଗା ପ୍ରତ୍ୟହ ଧୋଇବୁ

ମନ ଜାଣିକରି ତାଙ୍କ ପାଦ ମଞ୍ଚାଳିବୁ ।

ତାହାଙ୍କ ଉଚ୍ଛିଷ୍ଟ ନିତ୍ୟେ କରିବୁ ଭୋଜନ

ତାହାଙ୍କୁ ଦେଖିବୁ ଆମେ ପ୍ରଭୁର ସମାନ ।

ତୁମ୍ଭେ ଆମ୍ଭ ଠାକୁର ହେ ଆମ୍ଭେ ତୁମ୍ଭ ଦାସୀ

ତୁମ୍ଭ ପଦେ ଖଟୁଥିବୁ ଆମ୍ଭେ ଦିବା ନିଶି

ମଧୁନାରୀ ହୋଇବେ ଆମର ଠାକୁରାଣୀ

ତାଙ୍କ ପାଦ ସେବା ଆମେ କରିବୁ ଗୋପିନୀ ।

ତୁମେ ଆମ ଠାକୁର ହେ ତାଙ୍କ ବଶ ହେବ

ଆମେ ଦାୟୀ ନୋହିଲେ କି ସୁନ୍ଦର ଦିଶିବ ।

ରାଧାନାମ ମୋର ବୋଲି ନ କହିବ ହରି

ଗୋପୀନାଥ ନାମ ତୁମ ଥିବ ଗୋପ୍ୟ କରି ।

ଅକ୍ରୂରକୁ କହିଯାଅ ଆଗୁଁ ଚକ୍ରଧର

ବୁଝାଇ କହିବେ ମଧୁନାରୀଙ୍କ ଆଗର ।

ବୋଲିବେ ଅକ୍ରୂର ଗୋପଙ୍କର ଦାସୀଗଣ

ଯାତ୍ରା ଦେଖି ଆସି ରହିଛନ୍ତି ମଧୁବନ ।

ମନା କରି କୃଷ୍ଣ କେତେ ନ ମାନିଲେ କେହି

ମୋର କଥା ମାନି ମଧ୍ୟ ଆସିଛନ୍ତି ଧାଇଁ ।

ଅକ୍ରୂର କଥାକୁ ସତ କରିବେ ସେ ସିନା

ଦାସୀ ରୂପେ ତାଙ୍କ ପାଶେ ଥିବୁ ଗୋପାଙ୍ଗନା

ହିଂସା ନ କରିବୁ ଆମେ କହୁଅଛୁ ସତ

ତୁମେ ତ ମନ ବେଦନା ଜାଣ ଗୋପୀନାଥ ।

ଥରେ ମୋ ବିନୟ ତୁମ୍ଭେ ରଖ ଦଇତାରୀ

ସଙ୍ଗତରେ ଘେନିଯାଅ ଯେତେ ଗୋପନାରୀ ।

ମୋତେ ନ ନିଅନ୍ତୁ ପଛେ ରହିବି ମୁଁ ଏକା

ଏତେ ବୋଲି ଭୂମି ପରେ ଲୋଟନ୍ତି ରାଧିକା ।

ଅକ୍ରୂରକୁ ଦେଖି ରାଧା କହନ୍ତି ବଚନ

ପିଣ୍ଡ ରଖି କିମ୍ପା ଘେନି ଯାଉଛୁ ଜୀବନ ।

ନାରୀହତ୍ୟା ହେବ ବୋଲି ନ କରୁ ବିଚାର

ନୟନର ତାରା ଖୋଳି ନେଉଛୁ ଆମର ।

ନାରୀଜାତି ଆମ୍ଭ ପ୍ରାଣକୁରେ ନାହିଁ ଭୟ

କ୍ରୋଧ ଉପୁଜିଲେ ଦହିପାରୁ ଆମ୍ଭ ଦେହ ।

ନୟନୁ ଅନଳ ଆମ୍ଭ ହୁଅଇରେ ଜାତ

ଆମ୍ଭ ଅଭିଶାପେ ପୋଡ଼ି ଯାଏରେ ଜଗତ ।

ଆମ୍ଭେ ଯାହାକୁରେ ଯାହା ବୋଲିବୁଁ ଅକ୍ରୂର

ଅନ୍ୟଥା ନୋହିବ ନିଶ୍ଚେ ଜୀବନ ତାହାର ।

ଆମ୍ଭେ ସିନା ପୃଥୀ ଧରିଅଛୁ ହୋ ଅକ୍ରୂର

ମହାଶକ୍ତି ରୂପେ ଜାତ ହୋଇ ଏ ସଂସାର ।

ଆମ୍ଭଠାରୁ ସିନା ଜାତ ହୋଇଛି ସଂସାର

ଆସ୍ତେ କୋପ କଲେ କାହିଁ ହୋଇବ ଏ ଛାର

ଆମ୍ଭଠାରୁ ଜାତ ସିନା ହେଲେ ଦେବଗଣ

ଆମ୍ଭରି ଉଦରୁ ସିନା ଜାତ ନାରାୟଣ ।

ଆମ୍ଭର ବଚନ କେବେ ନୋହିବରେ ଆନ

ଆମ୍ଭ କ୍ରୋଧ ଅନଳେ ତୁ ହୋଇବୁ ଦହନ ।

ରାଜଦୂତ ବୋଲି ତୋତେ ନ କରିବୁ ନାଶ

ଦୂତକୁ ବଧିଲେ ହୁଏ ନରକେ ନିବାସ ।

ଏତେ ବୋଲି ବନମାଳୀ କୃଷ୍ଣ ମୁଖ ଦେଖି

ହା ହା ପ୍ରାଣନାଥ ବୋଲି ପଡ଼େ ଚନ୍ଦ୍ରମୁଖୀ ।

ପୁଣି କୃଷ୍ଣ ମୁଖକୁ ସେ ବିକଳେ ଅନାଇ

ବୋଲେ ଚନ୍ଦ୍ରସେଣା ଘରେ ରଖିବ ତ ନାହିଁ ।

ଜଗତେ ବୋଲିବେ ରାଈ ଅଟେ ଦୋଚାରୁଣୀ

ମୋତେ ଦେଖିଲେ ତ ଢଗ ମେଲନ୍ତି କାମିନୀ ।

ବୋଲିବେ କୃଷ୍ଣଙ୍କୁ ଯାଇଁ କର ଯା ଗୁହାରି

ମୁଁ ଯେବେ କହିବି ମୋତେ ଗୋଡ଼ାଇବେ ମାରି

ବଡ଼ପଣ ଥିଲା ସିନା କୃଷ୍ଣ ଥିବାଯାଏ

ଏବେ ତୋତେ କିମ୍ପା ଭୟ କରିବ ଲୋ କିଏ ।

ଶାଶୁ ନଣନ୍ଦ ମୋହର ମୁଖ ନ ଚାହିଁବେ

ନନ୍ଦ ଯଶୋଦା ହିଁ ମୁଖ ପୋତିଣ ଚାଲିବେ ।

ଗୋପୀ ଗୋପାଳେ ଦେଖିଲେ ଦୂରରୁ ହସିବେ

ସାଧୁସନ୍ଥମାନେ ମୋତେ ଦର୍ଶନ ନ ଦେବେ ।

ବରଜ ଦାଣ୍ଡରେ ମୋତେ ଦେଖି ବ୍ରଜସୁତ

ମୁଖରେ ହସ୍ତ ଦେଇଣ ହସିବେ ସମସ୍ତ ।

ଚଣ୍ଡାଳ ସହିତେ ଯେତେ ହୀନ ଜାତିମାନେ

କହିବେ ସେ ନାନା କଥା ମୋତେ ପ୍ରତିଦିନେ ।

ଦୁର୍ଘଟଣା କଥା ମୁହିଁ କା ଲାଗି ସହିବି

ଗୋପପୁରେ କାହା ମୁଖ ଚାହିଁ ମୁଁ ବଞ୍ଚିବି ।

 

ରାଈର ବଚନେ କୃଷ୍ଣ ହୋଇଲେ ମଉନ ।

କିଛି ନ କହି ଚାହିଁଲେ ତାହାଙ୍କ ବଦନ ।

 

ଚିତ୍ତବୋଧ ବା ଚିତ୍ତବିନୋଦ ପ୍ରଥମ ଭାଗ

କୃଷ୍ଣ ବିରହେ ରାଧା ସନ୍ନ୍ୟାସିନୀ

ଦେଖି ରାଈ ତାହାଙ୍କର ମନେ ବିଚାରିଲେ

ନିଶ୍ଚେ କୃଷ୍ଣ ମୋହଠାରେ ଦୟା ବରଜିଲେ ।

ଗୋପେ କାର୍ଯ୍ୟ ନାହିଁ ମୋର ଯିବି ଘୋରବନେ

ସନ୍ନ୍ୟାସିନୀ ହୋଇବି ମୁଁ କୃଷ୍ଣ ଧ୍ୟାୟି ମନେ ।

ଏମନ୍ତ ବିଚାରି ରାଈ ନିଜ ପୁରେ ଗଲେ

ଆଳଙ୍କାରମାନ ନିଜ ଦେହରୁ କାଢ଼ିଲେ ।

ସର୍ବାଙ୍ଗରେ ବିଭୂତି ସେ କରିଲେ ଲେପନ

ନାସାର ବସଣୀ ମୋହୁଅଛି ତ୍ରିଭୁବନ ।

କର୍ଣ୍ଣରୁ କାଢ଼ିଲେ କାପ ତକ୍ଷଣେ ସୁନ୍ଦରୀ

ଖଞ୍ଜିଲେ ତାମ୍ର କୁଣ୍ଡଳ ତହିଁ ଯତ୍ନ କରି ।

ବେନି ହସ୍ତେ ପଟେ ପଟେ କରିଣ ରାଜଇ

ନିକାଞ୍ଚନ ହେବ ବୋଲି ରଖିଲେ ତା ରାଈ ।

ସୁନ୍ଦର ଶାଙ୍କୋଳୀ ବେନି ପୟରୁ କାଢ଼ିଲେ

ତାଡ଼ ବିଦ ମୁଦି ଆଦି ଭୁଜରୁ ଥୋଇଲେ ।

ଯେଉଁ କଟି ପରେ ସୁନା ସୂତା ଝଲମଲ

କଷାବାସ ବାଛି ରାଈ ପିନ୍ଧିଲେ ତା ପର ।

ଉରଜରୁ ଜାନୁ ଯାଏ କଷା ବାସ ଭିଡ଼ି

ଯହିଁରେ ମାଳତୀ ଫୁଲମାଳା ଥାଏ ପଡ଼ି ।

ଲଲାଟେ ସିନ୍ଦୂର ଟୋପି ଦେଲେ ସେ କାମିନୀ

ମେରୁଗିରି ପରେ ଯଥା ବିଜେ ଦିନମଣି ।

ପାଦରେ ରତ୍ନପାଦୁକା ହସ୍ତେ ଆଶାବାଡ଼ି

କୃଷ୍ଣ ନାମେ ପଦକ ଯେ ବକ୍ଷେ ଅଛି ପଡ଼ି ।

ଦଶନ ଡାଳିମ୍ବବୀଜ ପରାୟେ ଦିଶଇ

ତାମ୍ବୁଳରାଗେ ଅଧର ଶୋଭା ବିରାଜଇ ।

ଲୋହିତ ବର୍ଣ୍ଣ ନୟନ ମୋହୁଛି ଜଗତ

କୃଷ୍ଣର ବିଚ୍ଛେଦେ ହୋଇ ଲୋତକ ପୂରିତ ।

ଗୋଳି କର୍ପୂର କସ୍ତୁରୀ ଅଗୁରୁ ଚନ୍ଦନ

ବୋଳିହେଲେ ଶ୍ରୀହସ୍ତରେ ଶ୍ରୀଅଙ୍ଗେ ତକ୍ଷଣ ।

ତପ୍ତ କାଞ୍ଚନ ବରଣ ଧବଳ ଦିଶିଲା

ଚନ୍ଦନ ଲାଗି ଶ୍ରୀଭୁଜ ମଳିନ ପଡ଼ିଲା ।

ପୂର୍ଣ୍ଣିମା ଶଶୀଙ୍କ ପ୍ରାୟେ ରାଧା ଅଙ୍ଗ ଦିଶି

କୃଷ୍ଣ ଗୁଣ ଗୁଣେ ମନେ ନବୀନା ସନ୍ନ୍ୟାସୀ ।

ମାଳତୀ ମାଳାକୁ ଗଳେ ଲମ୍ବାଇଲେ ନେଇ

ସନ୍ନ୍ୟାସିନୀ ରୂପେ ରାଧା ଜଗତ ମୋହଇ ।

ଧୀରେ ଧୀରେ ରାଧା ତହୁଁ ହୋଇଲେ ବାହାର

ଦେଖି ଗୋପପୁର ଜନେ ହେଲେ ଚମତ୍କାର ।

କେ ବୋଲେ ସନ୍ନ୍ୟାସୀ ଦେଖ କାହୁଁ ଏ ଅଇଲା

ଜନମ କାଳରୁ କେବେ ଦେଖା ତ ନ ଥିଲା ।

କେହୁ ବୋଲେ ଆସିଅଛି ଏକା କାହିଁ ପାଇଁ

କୃଷ୍ଣ ଗମନ ଶୁଣି ଆସିଛି କି ଧାଇଁ ।

ଥୋକାଏ ବୋଇଲେ ସଖୀ ରାଧା ଗଲେ କାହିଁ

ବହୁତ କାଳରୁ ତାଙ୍କ ରୂପ ଦେଖା ନାହିଁ ।

ଏମନ୍ତ ବୋଲିଣ ଗୋପୀ ମନରେ ଭାଳିଲେ

ଜଳକା ପରାୟେ ସନ୍ନ୍ୟାସିନୀଙ୍କି ଚାହିଁଲେ ।

ଚାହୁଁ ଚାହୁଁ ସନ୍ନ୍ୟାସିନୀ କୃଷ୍ଣ ପାଶେ ଯାଇ

ତାହାଙ୍କ ପଛରେ ପୁଏ ଅଛନ୍ତି ଗୋଡ଼ାଇ ।

କୃଷ୍ଣ ଦେଖି ସନ୍ନ୍ୟାସିନୀ ବିଚାରିଲେ ମନେ

ଏ କୃଷ୍ଣ ନିଶ୍ଚୟ ଯିବେ ମଥୁରା ଭୁବନେ ।

କୃଷ୍ଣ ଥିବାଯାଏ ମୁଁ ଏଠାରେ ଥିବି ରହି

କୃଷ୍ଣ ମଧୁପୁର ଗଲେ ବନେ ଯିବି ମୁହିଁ ।

ଏମନ୍ତ ବିଚାରି ରାଈ କୃଷ୍ଣ ପାଦ ଚିନ୍ତି

ରାଧାକୁ ନ ଚିହ୍ନି ସର୍ବେ ସନ୍ନ୍ୟାସୀ ବୋଲନ୍ତି ।

କୃଷ୍ଣ ଯହିଁ ଥିଲେ ରାଈ ସେ ସ୍ଥାନେ ରହିଲେ

କୃଷ୍ଣଙ୍କୁ ଦେଖିଣ ହୃଦୁ ଜ୍ଞାନ ହଜାଇଲେ ।

କୃଷ୍ଣ ଭାବେ ଶ୍ରୀଅଙ୍ଗରେ ନାହିଁ କିଛି ଜ୍ଞାନ

ବିହ୍ୱଳିତ ହୋଇ ରାଈ କହଇ ବଚନ ।

କେବଳ ସେ କୃଷ୍ଣ ଗୁଣ ମନେ ଚିନ୍ତି ରାଈ

ଧାର ଧାର ହୋଇ ନେତ୍ରୁ ଅଶ୍ରୁ ପଡ଼େ ବହି ।

ବୁଜିଛନ୍ତି ବେନି ନେତ୍ର ଦେହେ ଜ୍ଞାନ ନାହିଁ

କୃଷ୍ଣ ପାଦପଦ୍ମ ମୁକ୍ତଭାବେ ହୃଦେ ଧ୍ୟାୟି ।

ସନ୍ନ୍ୟାସିନୀ ଦେଖି ଜ୍ଞାନ ହାରି ଦାମୋଦର

ବେନି ନେତ୍ରୁ ଅଶ୍ରୁ ବହି ପଡ଼େ ଧାର ଧାର ।

ଅନ୍ତର୍ଯ୍ୟାମୀ ନାଥ ରାଧା ମନକୁ ଜାଣିଲେ

ମୋହ ଲାଗି ରାଧା ଏବେ ସନ୍ନ୍ୟାସିନୀ ହେଲେ ।

ରାଈଭାବେ କୃଷ୍ଣଚନ୍ଦ୍ର ହେଲେ ହତଜ୍ଞାନ

ଭାବି ପୂର୍ବ ସ୍ନେହମାନ ବୁଜିଲେ ନୟନ ।

ବୋଇଲେ ଗୋ ସନ୍ନ୍ୟାସିନୀ ରାଧା କାହିଁ ଗଲେ

ସନ୍ନ୍ୟାସିନୀ ରୂପେ ମୋତେ ଭଣ୍ଡୁଛ ବୋଇଲେ ।

ହା ହା ରାଧେ ତୁ ମୋହର ଜୀବର ଜୀବନ

ମଥୁରା ନ ଯିବି ତେଜ ଏ ବେଶ ବହନ ।

ତୋ ରୂପ ଦେଖି ମୋହର ହୃଦ ଯାଏ ଜଳି

ଛାଡ଼ ଛାଡ଼ ଏ ରୂପକୁ ଲାବଣ୍ୟ ପିତୁଳି ।

ମୋହ ଲାଗି ସଖୀ ନିତି ଗୋପେ ଗାଳି ଖାଉ

ମୋତେ ଦେଖିଲେ ଦୂରରୁ ଆଡ଼ ହୋଇଯାଉ ।

ମୋ ଲାଗି ଦିଅନ୍ତି ଲଜ୍ଜା ତୋତେ ଗୋପନାରୀ

ସେଦିନୁ ସନ୍ନ୍ୟାସୀ କିମ୍ପା ନ ହେଲୁ ସୁନ୍ଦରୀ ।

ମୋ ବିରହେ ସନ୍ନ୍ୟାସିନୀ ହୋଇଥିଲୁ ଦିନେ

ସେ ବେଶ କି ଆଜି ତୋର ପଡ଼ିଲାଗୋ ମନେ

ଭାବେ ଗଦଗଦ ରାଧା ନ କହନ୍ତି ବାଣୀ

କେବଳ ଶ୍ରୀକୃଷ୍ଣ ଭାବ ହୃଦ ମଧ୍ୟେ ଗୁଣି ।

ମଉନେ ବିହ୍ୱଳ ହୋଇ ହେଲେ ଅଚେତନ

ନ ଫିଟେ ନୟନୁ ଅଶ୍ରୁ ବହେ ଘନ ଘନ ।

ଭାବରେ ହୋଇଲେ ବଶ ନନ୍ଦର ନନ୍ଦନ

ରାଧାର ଭାବରେ ଆଉ ନ ଚଳେ ଚରଣ ।

ନ ଚଳେ ଚରଣ ପ୍ରଭୁ ହୋଇଣ ସ୍ତବଧ

ଭାବାବେଶେ ତନମୟ ହୋଇ ଗଦ ଗଦ ।

ଜୀବନ ନ ଥିଲା ପ୍ରାୟ ଦେହ ହେଲା ଶୂନ୍ୟ

ଶୁଖିଲା ପାଦପ ପ୍ରାୟ ହେଲେ ଭଗବାନ ।

କେବଳ ଲୋତକ ଧାରା ନୟନୁ ଗଳଇ

ଶ୍ରୀମତୀର ରୂପ ମାତ୍ର ତା ଆଗେ ଝୁଲଇ ।

ସନ୍ନ୍ୟାସିନୀ ରୂପେ ରାଧା ତହିଁ ଛନ୍ତି ରହି

କେବଳ ହୃଦରେ କୃଷ୍ଣ ପାଦ ପରେ ଧ୍ୟାୟି ।

ରାଧାକୃଷ୍ଣ ରୂପ ଦେଖି ବିଚାରନ୍ତି ହଳୀ

ଯାତ୍ରା ଦେଖିବାକୁ ବାହାରିଲା ବନମାଳୀ ।

ରାଧା ଭାବ ଦେଖି ତାର ପାଦ ନ ଚଳଇ

ସନ୍ନ୍ୟାସିନୀ ହେଲେ କୃଷ୍ଣ ଯିବା ଦେଖି ରାଈ

ରାଧା ସନ୍ନ୍ୟାସିନୀ ବେଶେ ଜଗତ ମୋହନ୍ତି

କେବେହେଁ ରାଧାକୁ ଛାଡ଼ି ନ ଯିବେ ଶ୍ରୀବତ୍ସୀ

ରାଧା କୃଷ୍ଣ ନୟନରୁ ବହେ ଅଶ୍ରୁଧାର

ସ୍ତମ୍ଭୀଭୂତ ଭାବେ ରଖିଅଛନ୍ତି ଶରୀର ।

ନ କହନ୍ତି ବାଣୀ କର ନ ଚଳେ ଚରଣ

କାହାରି ହୃଦରେ ନାହିଁ ଚେତା ଚଇତନ ।

ଶ୍ରୀକୃଷ୍ଣ ହୋଇ ଅଛନ୍ତି ରାଧା ଭାବେ ବଶ

ବେଢ଼ି ରହିଛନ୍ତି ଗୋପୀ ତାଙ୍କୁ ଚଉପାଶ ।

ଦୁହିଁଙ୍କର ଭାବେ ଦୁହେଁ ହତଜ୍ଞାନ ହୋଇ

ନ ଚିହ୍ନନ୍ତି କାହାକୁ ସେ ମଉନରେ ରହି ।

ମୁଁ କିମ୍ପା ରହିବି ଏବେ ଯିବି ମଧୁପୁର

ଦେଖିବି ଧନୁ ଉତ୍ସବ ଯାତ୍ରା ମାମୁଁଙ୍କର ।

ମୋତେ ଏକା ଦେଖି ଦ୍ୱନ୍ଦ୍ୱ କରିଲେ ଅସୁର

ଲଙ୍ଗଳେ ତାଡ଼ି ଭାଙ୍ଗିବି ନିଶ୍ଚେ ମଧୁପୁର ।

ଭାଙ୍ଗିବି ଧନୁ ଉତ୍ସବ ମରିବେ ସକଳେ

କଂସ ମରିବ ପୃଥିବୀ ଯିବ ରସାତଳେ ।

ମୋର ତହୁଁ ବଳବନ୍ତ ନୁହଇ କହ୍ନାଇ

ମୋହର ସିନା ଅଟଇ ସେହୁ ସାନଭାଇ ।

ଏକା ମୋର ଦେହେ ଛନ୍ଦ କୂଟ ନାହିଁ କିଛି

ମିଥ୍ୟା ନ କହଇ ମୁଁ ଯେ ସତ୍ୟରେ ରହିଛି ।

ମାୟା ନ ଜାଣଇ ମୋର ନାହିଁ ଅହଙ୍କାର

ପରନାରୀ ଦେଖି ଦୂରୁ ଥରେ ମୋ ଶରୀର ।

କୃଷ୍ଣ ମାୟାଧର ମାୟା ଜାଣଇ ବହୁତ

କୂଟ ଛନ୍ଦ ମାୟା ତାର ହୃଦୁ ହୁଏ ଜାତ ।

ପୁଣିହିଁ ସେ ବଳରାମ ମନରେ ବିଚାରି

କେମନ୍ତେ କୃଷ୍ଣଙ୍କୁ ଛାଡ଼ି ଯିବି ମଧୁପୁରୀ ।

ଅଜ୍ଞାନ ସମୟେ ତାକୁ କେହ୍ନେ ଛାଡ଼ିଯିବି

ଏକା ହୋଇଣ ଯାତ୍ରା ମୁଁ କେମନ୍ତେ ଦେଖିବି ।

ଛାଡ଼ି ନ ଯିବି କୃଷ୍ଣଙ୍କୁ କେବେ ମଧୁପୁର

ନୋହୁ ପଛେ ଧନୁଯାତ୍ରା ଦେଖିବା ମୋହର ।

ପିଲା ଭାଇ କୃଷ୍ଣ ମୋର ତାକୁ ଯିବି ଛାଡ଼ି

ଏକାକୀ ଦେଖି ଅସୁରେ ପଡ଼ିବେ ଯେ ମାଡ଼ି ।

ଏହି କୃଷ୍ଣ ଶୂନ୍ୟ ଦେହେ ଅଛି ଉଭା ହୋଇ

ଚେତା ଚଇତନ୍ୟ ତାର କିଛି ଦେଖା ନାହିଁ ।

ଧନ୍ୟ ସେ ରାଧିକା ଭାବେ ଅଛି ବଶ କରି

ଯାହା ଚରଣକୁ ଯୋଗୀଜନେ ଧ୍ୟାନ କରି ।

ସେ ଚରଣ ରେଣୁ ରାଈ ଅଙ୍ଗେ ଅଛି ବୋଳି

ସନ୍ନ୍ୟାସିନୀ ବେଶ ବହିଅଛି ବନମାଳୀ ।

ଅଙ୍ଗୁ ବାସ କାଢ଼ି ଲଜ୍ଜା କରିଅଛି ଦୂର

ଫୁଟିଣ ଦିଶୁଅଛି ଯେ ଯୌବନ ତାହାର ।

ବହଇ ବେନି ନୟନୁ ଅଶ୍ରୁ ଧାର ଧାର

ନ ଚଳଇ ପାଦ ତାର କମ୍ପେ ଥରହର ।

କୃଷ୍ଣ ବଶ କଲୁ ରାଈ ଧନ୍ୟ ତୋର ଭାବ

ତୋର ସନ୍ନ୍ୟାସିନୀ ବେଶ ଦେବଙ୍କୁ ଦୁର୍ଲ୍ଲଭ ।

ଧନ୍ୟ ସନ୍ନ୍ୟାସିନୀ ବେଶ ରଖିଥିଲୁ କାହିଁ

ଗୋପରେ ରହି ମୁଁ ଦିନେ ତୋତେ ଦେଖି ନାହିଁ ।

ଏବେ କୃଷ୍ଣ ମଧୁପୁରେ ଯିବାର ତୁ ଦେଖି

ସନ୍ନ୍ୟାସିନୀ ବେଶ ଦେଖାଇଲୁ ଚନ୍ଦ୍ରମୁଖୀ ।

ଶାଶୁ ନଣନ୍ଦ ଜନକ ଜନନୀ ତେଜିଲୁ

ଚନ୍ଦ୍ରସେଣା ମାତୁଳରୁ ସ୍ନେହ ବରଜିଲୁ ।

ପର ସିନା କୃଷ୍ଣ ତାର ସଙ୍ଗେ କଲୁ ପ୍ରୀତି

ତୋର ପ୍ରୀତିଭାବେ ବଶ ହୋଇଲେ ଶ୍ରୀପତି ।

ପର ପ୍ରୀତି କରି ମନେ ଆନ ନ ଧରିଲୁ

ସକଳ ବରଜି ଏବେ ସନ୍ନ୍ୟାସିନୀ ହେଲୁ ।

କୃଷ୍ଣ ଲାଗି ଏବେ ସିନା ତେଜିବୁ ଜୀବନ

ତୋର ସ୍ନେହ ଭାବି ସେ ଯେ ହୋଇଛି ଅଜ୍ଞାନ

ଏତେ ବୋଲି ବଳରାମ କୃଷ୍ଣ ପାଶେ ଯାଇ

କୃଷ୍ଣ କୃଷ୍ଣ ବୋଲି ଡାକ ଦେଲେ ହଳସାଇଁ ।

କାହୁଁ ବା ଶୁଣିବେ କୃଷ୍ଣ ଦେହେ ନାହିଁ ଜ୍ଞାନ

ରାଧା ଭାବେ ଅଚେତନ ନ ଶୁଭଇ କର୍ଣ୍ଣ ।

ପୁନଃ ପୁନଃ ଡାକ ଦ୍ୟନ୍ତି ଉଚ୍ଚେ ହଳଧର

କୃଷ୍ଣ ନ ଶୁଣନ୍ତେ ଦେଖି ହୋଇଲେ କାତର ।

ହା ହା କୃଷ୍ଣ ବୋଲି ରାମ କାନ୍ଦନ୍ତି ଉଚ୍ଚରେ

ମୋ ଡାକ କିପାଇଁ ଭାଇ ନ ଶୁଣ କର୍ଣ୍ଣରେ ।

ଅଜ୍ଞାନ ହୋଇଲୁ ଆଜ କିମ୍ପାଇ ରେ ତୁହି

ବିପତ୍ତି କାଳେ ତୋ ମୁଖେ ବିରସ ନ ଥାଇ ।

ଅସୁରେ ଯେ ଧାଡ଼ି ଦେଲେ ଅଇଲା ପୁତନା

ବତ୍ସ ବାଳ ନେଲା ବ୍ରହ୍ମା ନ କଲୁ ଶୋଚନା ।

ବିବାଦ କରିଣ ଇନ୍ଦ୍ର ବଜ୍ର ବରଷିଲା

ପର୍ବତ ବହିଲୁ କରେ ଲଜ୍ଜା ସେ ପାଇଲା ।

ନନ୍ଦ ବୁଡ଼ି ମଲେ ଜଳୁ ଆଣିଲୁ ବଞ୍ଚାଇ

ଅନ୍ଧକୁ ନୟନ ଦାନ ଦେଲୁ ରେ କହ୍ନାଇ ।

କାଳୀ ବିଷରେ ତୁ ଏକା ହୋଇଲୁ ଅଜ୍ଞାନ

ସେ ଦିନ ଦେଖିଥିଲୁ ତୋ ବିରସ ବଦନ ।

ଆଜି ଦେଖିଲି ରେ ତୋର ଦେହେ ଜ୍ଞାନ ନାହିଁ

ରାଧା ସନ୍ନ୍ୟାସିନୀ ଦେଖିଗଲୁ ମୋହ ହୋଇ ।

କହୁଁ କହୁଁ ରାମ ହୃଦେ ହେଲା କୋହ ଜାତ

ବେନି ନୟନୁ ତାଙ୍କର ହୁଏ ଅଶ୍ରୁପାତ ।

ବଳରାମ ଶୋକ ଦେଖି କାନ୍ଦେ ନନ୍ଦରାଣୀ

ହା ହା ପୁତ୍ର ବୋଲି ଢଳି ପଡ଼ିଲେ ଅବନୀ ।

ଦେଖି ଗୋପୀମାନେ ଉଚ୍ଚେ କରନ୍ତି ରୋଦନ

ହା ହା ରବେ ଉଛୁଳଇ ବରଜ ଭୁବନ ।

ଧେନୁ ବତ୍ସାମାନେ ଶୁଣି ଉଚ୍ଚେ ରାବ ଦେଲେ

କୀଟ ପତଙ୍ଗ ଯେତେକ ସକଳେ କାନ୍ଦିଲେ ।

ପଲ୍ଲବ ପାଦପମାନେ ମଳିନ ଦିଶିଲେ

ଗୋବର୍ଦ୍ଧନ ଗିରି ଶିଖୁଁ ପାଷାଣ ଖସିଲେ ।

ଗୋପପୁର ଶୋକ ଶୁଣି ଯମୁନା ଶୁଖିଲା

କାଳିନ୍ଦୀ ଶୁଖି କଦମ୍ବ ପଲ୍ଲବ ଝଡ଼ିଲା ।

ମୂଷାକୁ ଦେଖି ମଞ୍ଜାରୀ ଶୋକେ ବୋକ ଦେଇ

ମଣ୍ଡୁକ ସର୍ପ ସଙ୍ଗରେ ଆକୁଳେ ଲୋଟଇ ।

ଜଳ ତେଜି ମୀନକୁଳ କୂଳରେ ପଡ଼ନ୍ତି

ଏ ଭାବେ ସକଳ ପ୍ରାଣୀ ଅଜ୍ଞାନେ ଲୋଟନ୍ତି ।

ସ୍ଵର୍ଗ ମର୍ତ୍ତ୍ୟ ପାତାଳ ଯେ କମ୍ପେ ଥରହର

ଦେଖି ଶୂନ୍ୟରେ ସ୍ଥକିତେ ରହେ ଦିବାକର ।

ସୁରପତି ଆକୁଳରେ ବ୍ରହ୍ମା ପାଶେ ଯାଇ

ବୋଇଲେ ହୋ ତାତ ଗୋପେ ଚହଳ ଶୁଭଇ

ବ୍ରହ୍ମା ତାଙ୍କ ଧ୍ୟାନ ବଳେ ଜାଣିଲେ ସକଳ

ବୋଇଲେ ହେ ଇନ୍ଦ୍ର ଶୁଣ କାରଣ ତହିଁର

ମଥୁରା ଯିବାକୁ କୃଷ୍ଣ ଅକ୍ରୂର ଆସିଛି

କୃଷ୍ଣ ଯିବା ଦେଖି ରାଧା ସନ୍ନ୍ୟାସୀ ହୋଇଛି ।

ତେଣୁକରି ଗୋପ ଲୋକେ ଛାଡ଼ନ୍ତି ବୋବାଳି

ସନ୍ନ୍ୟାସିନୀ ରାଧା ଦେଖି ମୋହ ବନମାଳୀ ।

ବ୍ରହ୍ମାର ବଚନେ ଇନ୍ଦ୍ର କରକୁ ଯୋଡ଼ିଲା

ଦେଖିବା ଚାଲନ୍ତୁ ତାର ଆଜ ଗୋପଲୀଳା ।

ସନ୍ନ୍ୟାସିନୀ ବେଶ ରାଧା କେହ୍ନେ ଛନ୍ତି ଧରି

ଏ କଥା ଶୁଣି ସଂଶୟ ମୋର କୁଶଧାରୀ ।

ଦେବଙ୍କୁ ଘେନିଣ ବ୍ରହ୍ମା ଗୋପପୁରେ ଗଲେ

ଶୂନ୍ୟେ ଥାଇଣ ରାଧାର ସନ୍ନ୍ୟାସ ଦେଖିଲେ

ଦେଖିଲେ ରାଧିକା ହୋଇଛନ୍ତି ସନ୍ନ୍ୟାସିନୀ

ସେ ରୂପେ ମୋହିତ ହୋଇଛନ୍ତି ପୁର ତିନି ।

ତ୍ରିଭୁବନ ମୋହିନୀ ସେ ରାଧା ଅବତାର

କୃଷ୍ଣ ଭାବ ଜନେ ଚିନ୍ତି ହୋଇଛନ୍ତି ଭୋଳ ।

ଗୋପୀମାନଙ୍କର ମଧ୍ୟେ ହୋଇଛନ୍ତି ଉଭା

ତାରା ମଧ୍ୟେ ଯେଉଁପରି ଦିଶେ ଚନ୍ଦ୍ର ଶୋଭା ।

ବିଜୁଳି ଯେସନେ ନୀଳମେଘେ ଝଟକଇ

ତେସନେ ଶ୍ରୀକୃଷ୍ଣ ପାଶେ ଶୋଭା ଦିଶେ ରାଈ ।

ରାଈ ସନ୍ନ୍ୟାସିନୀ ବେଶ ବିଶ୍ଵକର୍ମା ଦେଖି

ବିଚାରଇ ଭାଲପଟେ ନ ପାରିଲି ଲେଖି ।

ପୁଣି ବିଚାରଇ ଏ ସାକ୍ଷାତେ ଠାକୁରାଣୀ

ଏ ରାଧା ଆତ୍ମାକୁ କାହୁଁ ପାରିବି ମୁଁ ଜାଣି ।

ଏହାକୁ ସନ୍ନ୍ୟାସୀ ବେଶ କିଞ୍ଚିତ ଅଟଇ

ଯାର ଲୋମମୂଳୁ ଜାତ ହୋଇଅଛି ମହୀ ।

ସନ୍ନ୍ୟାସିନୀ ରାଧାଦେଖି ଗୋପ ଗୋପୀମାନେ

ଭାବଭରେ ଗୋପେ ପଡ଼ିଅଛନ୍ତି ଅଜ୍ଞାନେ ।

ପୁଣି ଗୋପୀ ମାୟାରେ ସେ ଗୋପୀନାଥ ପଡ଼ି

ମଥୁରା ନ ଯିବେ କୃଷ୍ଣ ଗୋପୀଗଣ ଛାଡ଼ି ।

ମାତା ପିତା ସ୍ନେହ ଆଉ ଛାଡ଼ି ନ ପାରିବେ

ଏ ଗୋପପୁରରୁ ଯେବେ ଶ୍ରୀକୃଷ୍ଣ ନ ଯିବେ ।

ରାଧା ଭାବ ତେଜି ଯେବେ ଯାଇ ନ ପାରିବେ

କେମନ୍ତେ ଅସୁରକୁଳ ନିପାତ ହୋଇବେ ।

ଏ ତିନିପୁରେ ଅସୁରେ ହୋଇଲେ ପ୍ରବଳ

ଶ୍ରୀକୃଷ୍ଣ ଯେବେ ଗୋପରେ କଟାଇବେ କାଳ

ଏତେ ବିଚାରି କୃଷ୍ଣଙ୍କୁ ବ୍ରହ୍ମା କଲେ ଧ୍ୟାନ

ଶୂନ୍ୟେ ଡାକେ ପ୍ରଭୁ ଯାଅ ମଥୁରାଭୁବନ ।

ମଥୁରା ନ ଗଲେ ପ୍ରଭୁ ହୋଇଲୁ ଅନାଥ

ଭାରା ନାଶିବାକୁ ତୁମ୍ଭେ ହୋଇଅଛ ଜାତ ।

ଅସୁରେ ପ୍ରବଳ ହେଲେ ମେଦିନୀରେ ରହି

ସ୍ଵର୍ଗପୁରଟିକୁ ଧାଡ଼ି ଦେଉଛନ୍ତି ସେହି ।

ଅମର ଭଣ୍ଡାରପୁର ହରନ୍ତି ସେ ବଳେ

ଭୟରେ ପଳାଇ ଆମ୍ଭେ ଲୁଚୁ ଯେ ପାତାଳେ ।

କରନ୍ତି ପାତାଳେ ପଶି ପୁଣି ନାରଖାର

ରାକ୍ଷସଙ୍କ ପାଦାଘାତେ କମ୍ପେ ତିନିପୁର ।

ଏବେ ଋଷି ବଂଶ ଧ୍ୱଂସ କରିବାର ପାଇଁ

ଦେବତାଙ୍କ ହିତେ ନର ରୂପେ ଜାତ ତୁହି ।

ତୋର ଖେଳଘର ସିନା ଜଗତ ଅଟଇ

ଏବେ ତା ରାକ୍ଷସମାନେ ଦେଉଛନ୍ତି ଦହି ।

ରାଧା ପରମ ଲକ୍ଷ୍ମୀ ତୁ ଅଟୁ ନାରାୟଣ

ସନ୍ନ୍ୟାସିନୀ ଦେଖି ତାଙ୍କୁ କଲୁ ମନଭ୍ରମ ।

କେବେ ଦେଖି ନଥିଲେ ଏ ରୂପ ଦେବଗଣେ

ଏହା ନେତ୍ର ଦେଖି ତୋଷ ଭଜିଲେ ସେମାନେ

ରାଧାକୁ ସନ୍ନ୍ୟାସୀ ଦେଖି ନ ଚଳେ ଚରଣ

କେବେ ତ ଏ ରୂପ ଦେଖି ନଥିଲା ନୟନ ।

ସନ୍ନ୍ୟାସିନୀ ଦେଖି ଆମ୍ଭେ ରହିଛୁ ମଉନେ

ସ୍ଥକିତ ଭାବେ ସକଳେ ଅଛୁ ଶୂନ୍ୟସ୍ଥାନେ ।

ଏବେ ହେ ପ୍ରଭୁ ଆମ୍ଭର ଶୁଣନ୍ତୁ ଗୁହାରି

ମୌନଭାବ ତେଜି ବୋଧକର ଗୋପନାରୀ ।

ବ୍ରହ୍ମାଙ୍କ ବଚନ ଶୁଣି ଅନ୍ତର୍ଯ୍ୟାମୀ ନାଥ

ବିଚାରିଲେ ଧ୍ୟାନ କରି ଜଗତର ତାତ ।

ନ ଶୁଣି ବ୍ରହ୍ମ ବଚନ ରାଧାଭାବେ ହରି

ପୂର୍ବର ସକଳ କଥା ହୃଦପଦ୍ମେ ସ୍ମରି ।

ବିହ୍ୱଳ ଭାବେ ଡାକନ୍ତି ଆଗୋ ରାଈ ରାଈ

ଦେଖା ତୋ ଚନ୍ଦ୍ରବଦନ ଲୁଚାଇଛୁ କାହିଁ ।

ତୋ ମୁଖ ନ ଦେଖି ସଖୀ ଆକୁଳ ମୋ ମନ

ଦେଖାଅ ଦେଖାଅ ଧନ ତୋ ଚନ୍ଦ୍ରବଦନ ।

କି ଗୋ ସନ୍ନ୍ୟାସିନୀ ତୁହି ଆସିଛୁ କିମ୍ପାଇ

କେଣେ ଅଛି ରାଧା ମୋର ଦେଖିଛୁ କି ତୁହି ।

କିଗୋ ଗୋପୀମାନେ ତୁମ୍ଭେ କାନ୍ଦୁଛ କିମ୍ପାଇଁ

ସକଳେ ତ ଅଛ ଏଥି ରାଧା କିମ୍ପା ନାହିଁ ।

କହ ହୋ ଗୋପାଳେ ତୁମ୍ଭ ରାଧା ଗଲେ କାହିଁ

କି ହୋ ଚନ୍ଦ୍ରସେଣା ରାଧା ଅଛକି ଲୁଚାଇ ।

କି ହୋ ବଳଦେବ କିମ୍ପା ହେଉଛ ବିମୁଖ

ଅଶ୍ରୁଜଳେ ସିକ୍ତ କିମ୍ପା ତବ ପଦ୍ମମୁଖ ।

ମାତା ଯଶୋମତୀ କିମ୍ପା ପଡ଼ୁଛ ଗୋ ଢଳି

କିପାଇଁ ନ କହ କାହିଁ ଗଲେ ରାଧାବାଳୀ ।

କି ହୋ ତାତ କାହିଁ ପାଇଁ ହେଲ ହତଜ୍ଞାନ

ସତ କୁହ ରାଧା ରହିଛନ୍ତି କେଉଁ ସ୍ଥାନ ।

କି ହେ ଅକ୍ରୂର ତୁ ଆସିଅଛୁ କାହିଁ ପାଇଁ

ରଥ ମଧ୍ୟେ ରାଧିକାକୁ ଅଛୁ କି ଲୁଚାଇ ।

ଆହେ ସୁଦାମା ସୁବଳ ଶୁଣ ମୋ ବଚନ

ରାଧା ଲୁଚିଅଛନ୍ତି କି ନିକୁଞ୍ଜ କାନନ ।

ସକଳେ ତ ଅଛ ରାଧା କେଣେ ଗଲେ ମୋର

ନ ଦେଖି ରାଧାକୁ ଦଶଦିଗ ମୋ ଅନ୍ଧାର ।

ପୁଣିହିଁ ସନ୍ନ୍ୟାସିନୀକି କହୁଛନ୍ତି ଯାଇ

କି ଗୋ ସନ୍ନ୍ୟାସିନୀ କଥା ନ କହ କିମ୍ପାଇଁ ।

ଯୋଗୀ ସନ୍ନ୍ୟାସିନୀ ମିଥ୍ୟା କେବେହେଁ ନ କହ

ଆମ୍ଭେମାନେ ସିନା ଅଟୁ ତୁମ୍ଭ ଶିକ୍ଷାପୁଅ ।

କିମ୍ପାଇଁ ମଉନବ୍ରତ ତୁମ୍ଭେ ଅଛ କରି

କେଉଁ ଦିନୁ ସନ୍ନ୍ୟାସିନୀ ବେଶ ଅଛ ଧରି ।

ବିହ୍ୱଳିତ ଭାବେ କୃଷ୍ଣ ବୋଲୁଛନ୍ତି ବାଣୀ

ସତ୍ୟକରି କୁହ ମୋତେ ତୁମ୍ଭେ ସନ୍ନ୍ୟାସିନୀ ।

ମୋଠାରେ ତୁମ୍ଭେ କରିବ ନାହିଁଟି କପଟ

ମୁହିଁ ସିନା ତୁମ୍ଭର ଗୋ ଅଟେ ବଡ଼ ଚାଟ ।

ନିଜ ଗଳାରୁ ତୁଳସୀମାଳ କୃଷ୍ଣ ଫେଇ

ସନ୍ନ୍ୟାସିନୀ ଗଳାରେ ସେ ଲମ୍ବାଇଲେ ନେଇ ।

ଦେଖି ସନ୍ନ୍ୟାସିନୀ ରୂପ ହୋଇଲେ ସେ ଭୋଳ

ଯହୁଁ ନିଜ ଅଙ୍ଗୁ ଦେଲେ ତୁଳସୀର ମାଳ ।

ବିହ୍ୱଳିତଚିତ୍ତ ପ୍ରଭୁ ହୃଦେ ଚେତା ନାହିଁ

ରାଧାଭାବେ ରହିଛନ୍ତି ସେ ଅଜ୍ଞାନ ହୋଇ ।

କାନ୍ଦି ସନ୍ନ୍ୟାସିନୀ ପାଦେ ପଡ଼ିଲେ ସେ ଯାଇଁ

ବୋଇଲେ ଗୋ ସନ୍ନ୍ୟାସିନୀ ରାଧା ଗଲେ କାହିଁ ।

ଚରଣ ଧରି ବୋଲନ୍ତି ଦେବ ଦାମୋଦର

ସନ୍ନ୍ୟାସିନୀ ତୁମ୍ଭେ ଭବିଷ୍ୟତ ବାର୍ତ୍ତା ଜାଣ ।

ରାଧା ଗଲେ କାହିଁ କହ ଘେନି ମୋ ବଚନ ।

ଗୋପପୁର ଶିରୋମଣି ସେହି ଯେ ଅଟଇ

ସମସ୍ତେ ଅଛନ୍ତି ଏକା ରାଧା କିମ୍ପା ନାହିଁ ।

ସତ୍ୟକରି କୁହ ତୁମ୍ଭେ ଏ କଥାକୁ ମୋର

ତୁମ ପାଦେ ଶରଣ ମୁଁ କୋଟି କୋଟି ବାର ।

ଏତେ କହି ସନ୍ନ୍ୟାସିନୀ ଚରଣ ତଳରେ

ଶ୍ରୀକୃଷ୍ଣ ପଡ଼ିଲେ ଯାଇ ଅତ୍ୟନ୍ତ ବେଗରେ ।

ପଡ଼ିଲେ ରାଧା ଚରଣେ ଯହୁଁ ଭାବଗ୍ରାହୀ

ଅକ୍ରୂର ଦେଖି ମନରେ ଆଶ୍ଚର୍ଯ୍ୟ ହୁଅଇ ।

କୃଷ୍ଣର ବିନୟ ଦେଖି ସୁରେନ୍ଦ୍ର ଆରତ

ପଚାରଇ ବ୍ରହ୍ମାଙ୍କୁ ସେ ଯୋଡ଼ି ବେନି ହସ୍ତ ।

ବୋଲଇ ହେ ବେଦବର ଦେଖ ଏ ଅନୀତି

ସନ୍ନ୍ୟାସିନୀ ବେଶ ଧରି ଅଛନ୍ତି ଶ୍ରୀମତୀ ।

ଏ ସ୍ଵୟଂ ବ୍ରହ୍ମାଣ୍ଡ ନାଥ ନର ଅବତାର

ଭାରା ନିବାରିବା ପାଇଁ ଜନମ ଏହାର ।

ପୂର୍ଣ୍ଣାନନ୍ଦ ମୂରତି ଏ ନନ୍ଦ ଗୃହେ ସ୍ଥିତ

ଆର୍ତ୍ତତ୍ରାଣ ଦୀନବନ୍ଧୁ ଦେବକୀର ସୁତ ।

ଶ୍ରୀମଧୁସୂଦନ ଗୋପୀମାନଙ୍କର ଧନ

କେଡ଼େ ନୀଚକର୍ମ କଲେ କି ଭାବିଣ ମନ ।

ରାଧାଙ୍କର ପାଦତଳେ ପଡ଼ିଛନ୍ତି ହରି

ଅଟନ୍ତି ଯେ ଶ୍ରୀକୃଷ୍ଣର ରାଧା ମନୋହାରୀ ।

ଅନ୍ତର୍ଯ୍ୟାମୀ ନାଥ କୃଷ୍ଣ ବୋଲନ୍ତି ଜଗତେ

ରାଧାଙ୍କୁ ଚିହ୍ନୁ ନାହାନ୍ତି କିମ୍ପା ଜଗନ୍ନାଥେ ।

ଏ କେଡ଼େ ଅନୀତି କଥା ଅଟେ ବେଦବର

ଶୁଣି ସେ କହନ୍ତି ଏବେ ଶୁଣ ସୁରେଶ୍ଵର ।

ସନ୍ନ୍ୟାସୀ ଦୀକ୍ଷାର କଥା ତୋ ଆଗେ କହଇ

ସନ୍ନ୍ୟାସ ଆଚରେ ଯେହୁ ଶୁଣ ଶଚୀସାଇଁ ।

ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ଚାରିଜାତି

ଛତିଶ ବର୍ଣ୍ଣର ଜାତି ତହିଁ ରହିଛନ୍ତି ।

ପତିତ ଚଣ୍ଡାଳ ଆଦି ଅଛନ୍ତି ବହୁତ

ନିଜ କର୍ମ ଛାଡ଼ି ଯେହୁ ଯୋଗେ ଉପଗତ ।

ଏ ସନ୍ନ୍ୟାସ ଦୀକ୍ଷାକୁ ଯେ ଆଚରନ୍ତି ନର

ସକଳ ମାନବେ ତାର ପଡ଼ନ୍ତି ପୟର ।

ସନ୍ନ୍ୟାସ ଦୀକ୍ଷା ସକଳ ଦୀକ୍ଷାଠାରୁ ଶ୍ରେଷ୍ଠ

ସେ ସନ୍ନ୍ୟାସ ଦୀକ୍ଷା ସର୍ବ କର୍ମ କରେ ନଷ୍ଟ ।

ଅହଙ୍କାର କ୍ରୋଧ ତମ ଲୋଭ ଦୂର କରେ

ନାରୀ ବା ପୁରୁଷ ଯେହୁ ସନ୍ନ୍ୟାସ ଆଚରେ ।

ଜାତି କୁଳ ଗୋତ୍ର ମାୟା ମୋହ ଛାଡ଼ି ତେବେ

ସନ୍ନ୍ୟାସ ଦୀକ୍ଷାକୁ ଆଶ୍ରା କରିଥାଇ ଯେବେ ।

ଯେ ଯାହା ଦିଅଇ ତାହା କରଇ ଭୋଜନ ।

ନ କରଇ ଜାତି ଗୋତ୍ର କୁଳ ସେ ବାରଣ ।

ବ୍ରାହ୍ମଣ କ୍ଷତ୍ରିୟ ଶୂଦ୍ର ଯେ ତାହାକୁ ଦେବେ

ମାୟା ନ ରଖି ସକଳ ଘରେ ସେ ଭୁଞ୍ଜିବେ ।

ନାନା ଜାତି କୁସୁମରେ ସେ ହେବେ ମଣ୍ଡନ

ସିନ୍ଦୂର କଜ୍ଜଳ କଷାବାସ ପରିଧାନ ।

ନିରନ୍ତରେ ତୀର୍ଥାଟନ ସେମାନେ କରିବେ

ସାଧୁସନ୍ଥ ସଙ୍ଗେ ରହି ଧୂନି ଲଗାଇବେ ।

ନାରୀକୁ ଦେଖିଲେ ମାତା ସମାନ ମଣିବେ

ଧେନୁ ଦେଖିଲେ ତାଙ୍କର ଚରଣେ ନମିବେ ।

ଭକତଙ୍କ ପାଦଧୂଳି ଅଙ୍ଗେ ହେବେ ବୋଳି

ଯହିଁ କୃଷ୍ଣ ନାମ ଶୁଣେ ତହିଁ ଯାଏ ମିଳି ।

ଖରା ବର୍ଷା ଶୀତ ସବୁ ତାହାର ସମାନ

ନିଜ ଜୀବ ପରି ମଣେ ସକଳ ଜୀବନ ।

କୃଷ୍ଣ ପାଦେ ଚିତ୍ତ ରଖିଥାଇ ନିରନ୍ତରେ

ଅହର୍ନିଶି ରହିଥାଏ ପର ଉପକାରେ ।

ଜୀବ ହିଂସାରେ ତାହାର ନ ବଳଇ ଚିତ୍ତ

ପର ହିଂସା ନ କରଇ ନ କହେ ଅସତ ।

କେବଳ ନିରତେ ହରିଧ୍ୱନି କରୁଥିବେ

ହରି ନାମାମୃତ ପାନେ ପ୍ରମୋଦିତ ହେବେ ।

ଏ ରାଧା ଶ୍ରୀହରି ନାମେ ହୋଇଅଛି ଭୋଳ

ଶୁଣିଲ ତ ସୁରପତି କହେ ବେଦବର ।

ଦେଖ ସନ୍ନ୍ୟାସିନୀ ବେଶ ହୋଇଛନ୍ତି ରାଈ

ମନକୁ କେବଳ କୃଷ୍ଣ ପାଦପଦ୍ମେ ଦେଇ ।

ସନ୍ନ୍ୟାସିନୀ ହୋଇଅଛି ଯେଣୁଟି ସୁନ୍ଦରୀ

ତେଣୁ ତାର ପାଦତଳେ ପଡ଼ିଛନ୍ତି ହରି ।

ଆବର କଥାଏ ତୁହୋ ଶୁଣ ସୁରପତି

ଗଳାମାଳା ଦେଲେ କୃଷ୍ଣ ପିନ୍ଧିଲେ ଶ୍ରୀମତୀ ।

ତୁଳସୀ ମାଳାକୁ ତେଣୁ ରାଈ ଗଳେ ଦେଲେ

ତେଣୁକରି ରାଧା ପାଦତଳରେ ପଡ଼ିଲେ ।

ଆବର କଥାଏ ତୁହୋ ଶୁଣ ଶଚୀସାଇଁ

ରାଧାକୃଷ୍ଣ ବେନି ଅଙ୍ଗ ବିଭିନ୍ନ ନୁହଇ ।

ଭିନ୍ନ ଭିନ୍ନ ନୁହଇ ସେ ରାଧାକୃଷ୍ଣ ବେନି

ଯେ ରାଧା ସେ ଅଟେ କୃଷ୍ଣ ଶୁଣ ସୁରମଣି ।

ଜୀବ ପରମ ଯେ ବେନି ଅଟନ୍ତି ସେ ଦୁଇ

ଭୋଗ କରନ୍ତି ସର୍ବଦା ଏକା ସଙ୍ଗେ ରହି ।

ଜୀବ ନ ଥିବ ପରମ ରହିବଟି କାହୁଁ

ଜୀବ ରାଧା ପୁଣି ପରମଟି ମହାବାହୁ ।

ତେଣୁକରି ରାଧା ପାଦେ ପଡ଼ିଛନ୍ତି ହରି

ସକଳ ଘଟରେ ସେହି ରହିବେଟି ପୁରି ।

ବ୍ରହ୍ମାବାକ୍ୟେ ସୁରପତି ଭଜିଲେ ଆନନ୍ଦ

ପୁଣିହିଁ ଦେଖନ୍ତି ଯହିଁ ଅଛନ୍ତି ଗୋବିନ୍ଦ ।

ପଚାରଇ ଧନ୍ୟ ବ୍ରହ୍ମା ସଙ୍ଗେ ମୁଁ ଆସିଲି

ରାଧା କୃଷ୍ଣ ଏକ ଆତ୍ମା ତା ମୁହିଁ ଶୁଣିଲି ।

ପୁଣି ସେ ଅକ୍ରୂର ତାଙ୍କୁ ନିରେଖି ଚାହିଁଲା

ରାଧା ପାଦେ କୃଷ୍ଣ ପଡ଼ିଅଛନ୍ତି ଦେଖିଲା ।

ବିଚାରେ ଏ କୃଷ୍ଣ ବ୍ରହ୍ମ କେମନ୍ତେ ହୋଇଲା

ରାଧିକା କିପରି ଲକ୍ଷ୍ମୀମତେ ପ୍ରକାଶିଲା ।

ଲକ୍ଷ୍ମୀ ନାରାୟଣ ବୋଲି ବୋଲନ୍ତି ଜଗତେ

ଲକ୍ଷ୍ମୀ ପାଦେ ଶ୍ରୀକୃଷ୍ଣ ପଡ଼ିଅଛନ୍ତି ଏଥେ ।

ପୁଣି ବିଚାରଇ ରାଧା କୃଷ୍ଣ ଭିନ୍ନ ନୋହି

ଯେହୁ ରାଧା ସେହୁ ସିନା ଅଟେ ଭାବଗ୍ରାହୀ ।

ଲକ୍ଷ୍ମୀଙ୍କି କୋଳରେ ଧରିଛନ୍ତି ନାରାୟଣ

ସେହି ଲକ୍ଷ୍ମୀ ନାରାୟଣ ନୁହେ ଭିନ୍ନାଭିନ୍ନ ।

ପ୍ରତ୍ୟକ୍ଷେ ଶୁଣିଲି ଆଜ ଆକାଶର ବାଣୀ

ରାଧା ରୂପ ବହିଛନ୍ତି ଲକ୍ଷ୍ମୀ ଠାକୁରାଣୀ ।

ବ୍ରହ୍ମାଣ୍ଡର ନାଥ କୃଷ୍ଣ ଅବତାର ଜାତ

ଶୂନ୍ୟରୁ ଶୁଭିଲା ବାଣୀ ମାରିବେ ଦଇତ ।

ଅକ୍ରୂର ଶୁଣି ବିଚାର କରଇ ମନର

ନ ପାରିବେ ଛାଡ଼ି ଗୋପୀ ସ୍ନେହ ଦାମୋଦର

କୃଷ୍ଣ ନ ଦେଖି କଂସ ହୋଇବ ମୋତେ ରୋଷ

ଏମନ୍ତ ଭାଳି ଅକ୍ରୂର ହୋଇଲା ବିରସ ।

କୃଷ୍ଣଙ୍କୁ ଦେଖି ମନରେ କରଇ ଭାବନା

ରାମଙ୍କୁ ଦେଖିଲା ଦେହେ ନାହିଁକି ଚେତନା ।

ମୂର୍ଚ୍ଛା ଯାଇ ଯଶୋଦା ଯେ ପଡ଼ିଛି ଭୂମିର

ମୋହ ଭଜିଛନ୍ତି ମଧ୍ୟ ନନ୍ଦ ନରବର ।

ହା କୃଷ୍ଣ ବୋଲି ଗୋପରେ ପଡ଼ିଛି ଚହଳ

ଘରେ ଘରେ ଶୋକ ଧ୍ୱନି ଉଠଇ ପ୍ରବଳ ।

ଯାହାକୁ ଅନାଏ ସେହୁ ବୋଲେ କୃଷ୍ଣ ରହ

ସକଳେ କୃଷ୍ଣର ଭାବେ ହୋଇ ଜଡ଼ ମୋହ ।

ଦେଖିଣ ଅକ୍ରୂର ନିଜ ମନେ ବିଚାରଇ

ଗୋପ ଗୋପୀଙ୍କର ଭାବକାହିଁ ଦେଖା ନାହିଁ ।

ଏବେ ମୁଁ ଦେଖିଲି ଯାହା ଗୋପପୁର ଭାବ

ଯୋଗୀ ଋଷିଙ୍କର ପକ୍ଷେ ସେ ଅଟେ ଦୁର୍ଲ୍ଲଭ ।

କହୁଁ କହୁଁ ଅକ୍ରୂର ଯେ ଭାବେ ହେଲା ଭୋଳ

ବେନି ନୟନରୁ ତାର ବହେ ଅଶ୍ରୁଜଳ ।

ହା ହା କୃଷ୍ଣ ବୋଲିଣ ସେ ଲୋଟିଲା ମହୀରେ

ରାମ ପାଦପଦ୍ମ ଧରି କାନ୍ଦଇ ବିକଳେ ।

ହା ହା ହଳଧର ବୋଲି ଲୋଟେ ମହୀତଳେ

ଯହୁଁ ବଳଦେବ ତାର ରୋଦନ ଶୁଣିଲେ ।

ଭାଜିଲା ମୋହ ତାଙ୍କର ବସିଲେ ନିରୋଳେ

କୃଷ୍ଣ ପଡ଼ିଛନ୍ତି ସନ୍ନ୍ୟାସିନୀ ପାଦତଳେ ।

ବିଷ୍ଣୁ ମାୟାରେ ମୋହିତ ହୋଇ ହଳସାଇଁ

ପଚାରନ୍ତି ସନ୍ନ୍ୟାସିନୀ କାହିଁର ଅଟଇ ।

କୃଷ୍ଣ ତାର ପାଦପଦ୍ମ କରଇ ଦର୍ଶନ

କହୁ ପ୍ରଭୁ ରାମ ତହିଁ ହେଲେ ହତଜ୍ଞାନ ।

ବଳରାମ ମୂର୍ଚ୍ଛା ଦେଖି ଅକ୍ରୂର କାନ୍ଦଇ

ବୋଇଲେ ହେ ରାମ ତୋର ବୁଦ୍ଧି ଗଲା କାହିଁ

ବୁଦ୍ଧି ଭ୍ରମ ହେଉ ହେଉ କହୁ ଆନ ଆନ

ଦେଖିଲୁ କୃଷ୍ଣ ଶରୀରେ ନାହିଁ ଚଇତନ୍ୟ ।

କେ ରାଧା କେ କୃଷ୍ଣ ବୋଲି ନପାରିଲୁ ଚିହ୍ନି

ପଚାରୁ ମୋତେ ଆସିଛି କାହିଁ ସନ୍ନ୍ୟାସିନୀ ।

ବହୁତ ବେଳରୁ କୃଷ୍ଣ ହୋଇଛନ୍ତି ଭୋଳ

ତାହାଙ୍କୁ ଚେତନା ଏବେ କର କାମପାଳ ।

ଅକ୍ରୂର ବଚନେ ରାମ ନୟନ ଫେଡ଼ିଲେ

ମତି ଭ୍ରମ ହୋଇ ନାନା କଥା ସେ କହିଲେ ।

ଅକ୍ରୂରକୁ କୋଳକରି ବୋଲେ ହଳଧର

ତୁହି ପରା ଭାଇ କୃଷ୍ଣ ସୋଦର ମୋହର ।

କିମ୍ପାଇଁରେ ଭାଇ ତୁହି କାନ୍ଦୁଛୁ ବୋଇଲେ

ଆଜି ନନ୍ଦ ଯଶୋଦା କି ଜୀବନ ହାରିଲେ ।

ବୃଦ୍ଧକାଳ ଆସି ହୋଇଥିଲା ରେ ତାଙ୍କର

ଚାଲ କୃଷ୍ଣ ଅକ୍ରୂର ହୋ କରିବା ସଂସ୍କାର ।

କାନ୍ଦୁଅଛୁ କିମ୍ପା କୃଷ୍ଣ ବ୍ୟାକୁଳିତ ହୋଇ

ପିତାମାତା ସଙ୍ଗ କେବେ ଚିର ତ ନୁହଇ ।

କେତେ ପାପ କରିଥିଲୁ ଆମ୍ଭେ ବେନି ଭାଇ

ବାଳକାଳୁ ଛେଉଣ୍ଡ ତ କଲା ତେଣୁ ବିହି ।

ଏମନ୍ତ ବିକଳ ହୋଇ କାନ୍ଦେ ହଳଧର

କୃଷ୍ଣ ବୋଲି ଅକ୍ରୂରକୁ କରିଛନ୍ତି କୋଳ ।

ରାମଙ୍କର ଚିତ୍ତ ଭ୍ରମ ଦେଖି ସେ ଅକ୍ରୂର

ବିଚାରଇ ଏତ ଅଟେ ବଡ଼ ଚମତ୍କାର ।

ଯାହାର ଅଙ୍ଗରେ କାମ କ୍ରୋଧ କିଛି ନାହିଁ

ଯାହାକୁ ବିଷ୍ଣୁର ମାୟା ନ ପାରଇ ଛୁଇଁ ।

ଯେଉଁ ରାମ କୋପ କଲେ ଅଗ୍ନି ହୁଏ ଜାତ

ଯେଉଁ ରାମର କ୍ରୋଧରେ ଦହଇ ଜଗତ ।

ସେ ବଳରାମଙ୍କୁ କୃଷ୍ଣ ମାୟା ଲଗାଇଲେ

ବିଷ୍ଣୁ ମାୟାରେ ପଡ଼ି ସେ ଭ୍ରମଯୁକ୍ତ ହେଲେ ।

ବିକଳରେ କାନ୍ଦୁଛନ୍ତି ଦେହେ ନାହିଁ ଜ୍ଞାନ

କୃଷ୍ଣ ବୋଲି କରୁଛନ୍ତି ମୋତେ ଆଲିଙ୍ଗନ ।

ଧନ୍ୟ କୃଷ୍ଣ ତୋର ମାୟା ଘୋଟିଛି ଜଗତ

ରାମ ନନ୍ଦ ଯଶୋଦା ଯେ ମାୟାରେ ମୋହିତ ।

ଗୋପୀ ଗୋପାଳ ଯେତେକ ଛନ୍ତି ଗୋପପୁରେ

ହୋଇଛନ୍ତି ତୋ ମାୟାରେ ମୋହିତ ସକଳେ

ତୋର ମାୟା ତୋତେ ଭ୍ରାନ୍ତ କରିଅଛି ହରି

ଚିତ୍ତ ଭ୍ରମେ ରାଧା ପଦ କରେ ଅଛୁ ଧରି ।

ତୋ ମାୟାରେ ହତଜ୍ଞାନ ହେଲେ ତ୍ରିଲୋଚନ

ତୋର ମାୟାରେ କରିଛୁ ଜଗତ ବନ୍ଧନ ।

ଏମନ୍ତ କହି ଅକ୍ରୂର ରାମେ କୋଳକରି

କିମ୍ପାଇ ଅଜ୍ଞାନ ହେଉଅଛୁ ହଳଧାରୀ ।

ତୁ ଯେବେ ଅଜ୍ଞାନ ହେବୁ ଦେବ ହଳଧାରୀ

ନାଶ ଯିବ ସ୍ୱର୍ଗ ମର୍ତ୍ତ୍ୟ ଆଦି ତିନିପୁରୀ ।

ଅକ୍ରୂର ବଚନ ଶୁଣି ରାମ ହେଲେ ସ୍ତବ୍‌ଧ

ଦେଖିଲେ ସକଳ ମୁଖେ ପୁରିଛି ବିଷାଦ ।

ଶୁକ କହୁଛନ୍ତି ଶୁଣ ପରୀକ୍ଷ ନୃପତି

ଗୋପିନୀ ମଧ୍ୟେ ଅଚେତ ହୋଇଥିଲେ ଦୂତୀ ।

କେତେବେଳେ ସେ ଦୂତିକା ଚେତନା ପାଇଲା

ଚକିତ ହୋଇଣ କୃଷ୍ଣ ମୁଖକୁ ଚାହିଁଲା ।

କୃଷ୍ଣ ହତଜ୍ଞାନ ଦେଖି ନ ଚଳଇ ପାଦ

ଦେଖି ନନ୍ଦ ନନ୍ଦରାଣୀ ଲଭିଲେ ବିଷାଦ ।

ଦେଖନ୍ତି ସେ ଗୋପୀମାନେ କାନ୍ଦନ୍ତି ବିକଳେ

ପଡ଼ିଛନ୍ତି କୃଷ୍ଣ ସନ୍ନ୍ୟାସିନୀ ପାଦତଳେ ।

ବିଚାରନ୍ତି ସନ୍ନ୍ୟାସିନୀ ହୋଇଛନ୍ତି ରାଈ

ଚିତ୍ତଭ୍ରମେ ତାଙ୍କ ପାଦେ ପଡ଼ନ୍ତି କହ୍ନାଇ ।

କୃଷ୍ଣ ଯିବା ଦେଖି ରାଧା ହେଲେ ହତଜ୍ଞାନ

ରାଧା ସନ୍ନ୍ୟାସିନୀ ଦେଖି କୃଷ୍ଣ ହତଜ୍ଞାନ ।

ମୁଁ ଏବେ ରାଧାକୃଷ୍ଣଙ୍କ ପାଦରେ ପଡ଼ିବି

ବିନୟେ କହି ଚେତନା ତାଙ୍କୁ କରାଇବି ।

ଏମନ୍ତ ବିଚାରି ଦୂତୀ କୃଷ୍ଣ ପାଶେ ଗଲେ

ସନ୍ନ୍ୟାସିନୀ ତେଜେ ତହିଁ ରହି ନ ପାରିଲେ ।

ବେନି ପାଦ ଘୁଞ୍ଚିଯାଇ ବିଚାରିଲେ ମନ

ରାଧା ସନ୍ନ୍ୟାସିନୀ ବେଶେ ହରାଇଛି ଜ୍ଞାନ ।

ଶ୍ରୀକୃଷ୍ଣଙ୍କ ପାଦପଦ୍ମ ମନରେ ଚିନ୍ତିଲେ

ପୁଣି ଶ୍ରୀକୃଷ୍ଣଙ୍କ ପାଶେ ଯାଇ ଉଭାହେଲେ ।

ପୁଣି ସନ୍ନ୍ୟାସିନୀ ତେଜେ ହେଲେ ହତଜ୍ଞାନ

ଯାହା ତେଜେ ହୋଇଛନ୍ତି କୃଷ୍ଣ ଅଚେତନ ।

ରହି ନ ପାରିଣ ଦୂତୀ ପୁଣି ହିଁ ଘୁଞ୍ଚିଲା

ମନେ ମନେ କୃଷ୍ଣ ପାଦପଦ୍ମ ଲୟ କଲା ।

ବେନିକର ଯୋଡ଼ି କୃଷ୍ଣ ପାଦରେ ପଡ଼ିଲା

ସନ୍ନ୍ୟାସୀ ତେଜେ ରାଧାଙ୍କୁ ଚାହିଁ ନ ପାରିଲା ।

ଡାକିଲା ହେ ଦାମୋଦର ନୁହଁ ହତଜ୍ଞାନ

ସନ୍ନ୍ୟାସିନୀ ବେଶେ ରାଈ ହୋଇଛି ମଉନ ।

ଉଠ ଚକ୍ରଧର ରାଧା ପାଇଲେ ଚେତନା

ନୁହଇ ସେ ସନ୍ନ୍ୟାସିନୀ ରାଧା ଅଟେ ସିନା ।

ଉଠ ହେ ଶ୍ରୀକୃଷ୍ଣ ଦେଖ ରାଧାର ବଦନ

ସନ୍ନ୍ୟାସିନୀ ଭ୍ରମେ ପଡ଼ିଅଛ ତା ଚରଣ ।

ଦୂତୀର ବଚନ କୃଷ୍ଣ କର୍ଣ୍ଣରେ ବାଜିଲା

ସ୍ଵପନ ପରାୟେ ତାହା ମଣି ନନ୍ଦବଳା ।

ନ ଶୁଣି ଦୂତୀର ଡାକ ହୋଇଛନ୍ତି ଭୋଳ

ରାଈଭାବେ ନୟନରୁ ବହେ ଅଶ୍ରୁଜଳ ।

ପୁଣି ଡାକଇ ସେ ଦୂତୀ ଉଠ ହେ କହ୍ନାଇ

କାନ୍ଦନ୍ତି ଯଶୋଦା ନନ୍ଦ ବ୍ରଜ ନରସାଇଁ ।

ବଳରାମ ହୋଇଛନ୍ତି ହତଜ୍ଞାନ ଦେଖ

ଗୋପୀଙ୍କି ଦେଖ ବିଷାଦେ ପୁରିଅଛି ମୁଖ ।

ନ ଶୁଣନ୍ତି କୃଷ୍ଣଚନ୍ଦ୍ର ଦୂତିକା ବଚନ

ପୁଣି ଡାକଇ ଦୂତିକା ଉଠ ଭଗବାନ ।

ବୋଲଇ ସେ ରାଧା ମୁହିଁ ଉଠ ମୋତେ ରଖ

କିମ୍ପାଇଁ ନ କହ କଥା ନ ଚାହିଁ ମୋ ମୁଖ ।

ଉଠ ଉଠ ବନ୍ଧୁ ଯିବା କଦମ୍ବର ମୂଳ

ବୃନ୍ଦାବନେ ବିହରିବା ଉଠ ନନ୍ଦବାଳ ।

ଦୂତୀର ବଚନେ ଶୋକଭରେ ଉଠି ହରି

ରାଧାର ଚରଣ ବେନି ଛାଡ଼ି ଦଇତ୍ୟାରି ।

ବୋଲନ୍ତି ଗୋ ଦୂତୀ ରାଧା ସନ୍ନ୍ୟାସିନୀ ହେଲେ

କା ସଙ୍ଗେ ମୁଁ ବିହରିବି ରହି ଗୋପପୁରେ ।

ନ ଯିବି ମୁଁ ମଧୁପୁର ଗୋପେ ନ ରହିବି

ଏକା ସେ କିଶୋରୀ ଲାଗି ଜୀବନ ତେଜିବି ।

ସେ ରାଧାକୁ ନ ଦେଖିଲେ ଗଙ୍ଗାରେ ଝାସିବି

ତା ବିହୁନେ ସଖୀ ମୁହିଁ ଅନଳେ ପଶିବି ।

ତୁହି ସିନା ଦୂତିକା ଗୋ ସବୁ କଥା ଜାଣୁ

ରାଧାର କହିବା କଥା ମୋ ପାଶେ ବଖାଣୁ ।

ଦେଖ ଗୋ ଦୂତିକା ରାଈ ସନ୍ନ୍ୟାସିନୀ ହେଲା

ନିଷ୍ଠୁର ହୃଦୟ ତାର ମୋତେ ମୁରୁଛିଲା ।

ପାଦେ ପଡ଼ିଣ ବିନୟ ଭାବରେ କହିଲି

ନ କହିଣ କଥା ଉଭା ହୋଇଅଛି ବାଳୀ ।

ଏବେ ଗୋ ଦୂତିକା ଯାଇ ତାକୁ ଚେତା କର

ଯାହା ସେ କହିବ ତାହା କରିବ ନିକର ।

ଯହିଁ ବସାଇବ ମୁହିଁ ତହିଁରେ ବସିବି

ମୁଁ ଯହିଁକି ଯିବି ତହିଁ ତାକୁ ସଙ୍ଗେ ନେବି ।

ଯାହା ଦେବ ତାହା ମୁହିଁ କରିବି ଭୋଜନ

ଏମାନ କହିଲେ ଯହୁଁ ନନ୍ଦର ନନ୍ଦନ ।

ଦୂତୀ ଯାଇ ରାଧା ପାଶେ ପ୍ରବେଶ ହୋଇଲା

ସନ୍ନ୍ୟାସିନୀ ତେଜେ ପାଶେ ରହି ନ ପାରିଲା ।

ଦିଶିଲା ସକଳ ଦିଗ ତାକୁ ଅନ୍ଧକାର

ହୃଦେ ସୁମରିଲା ଦୂତୀ ରଖ ଚକ୍ରଧର ।

ଏମନ୍ତ ବୋଲି ଦୂତିକା ଯାଇ ରାଧା ପାଶ

ବୋଲଇ ଗୋ ସଖୀ କିମ୍ପା ହେଲୁ ତୁ ସନ୍ନ୍ୟାସ

ତୁହି ରାଜକନ୍ୟା କିମ୍ପା ହେବୁ ସନ୍ନ୍ୟାସିନୀ

କିପରି ମୂର୍ଚ୍ଛିବୁ ଆମ୍ଭେ ତୋତେ ବିନୋଦିନୀ ।

ଦେଖ ଏଣେ ରାମ ନନ୍ଦ ଯଶୋମତୀ ରାଣୀ

ଗୋପପୁରେ ଯେତେକ ଗୋପାଳ ଗୋପାଳୁଣୀ

ନଗ୍ର ନରନାରୀମାନେ ହୋଇଛନ୍ତି ଠୁଳ

ଲଜ୍ଜାହୀନ ହୋଇ ତୁହି ତେଜିଲୁ ସକଳ ।

ତୋର ନବ ଯଉବନ କେମନ୍ତେ ରଖିବୁ

କେମନ୍ତେ ନିଗମ ବନ ପର୍ବତ ଭ୍ରମିବୁ ।

କେମନ୍ତେ ବନରେ ବନଚର ସଙ୍ଗୀ ହେବୁ

ତୃଣ ଶଯ୍ୟାରେ କେମନ୍ତେ ନିଦ୍ରା ତୁହି ଯିବୁ ।

ଝୀନବସନକୁ ତେଜି ସକଳ ପିନ୍ଧିବୁ

କଜ୍ଜ୍ୱଳ ସିନ୍ଦୁରମାନ ଆଉ ନ ଘେନିବୁ ।

ତଇଳ ଲଗାଇ ଖୋସା ଖୋସିବୁ ତ ନାହିଁ

ନ ଘେନିବୁ କୁଙ୍କୁମ ତୁ ଦେଶେ ଯିବୁ ନାହିଁ ।

ଲୋଡ଼ିଲେ କୃଷ୍ଣ ବଦନ ଆଉ ନ ଦେଖିବୁ

ଗୋପୀମାନଙ୍କ ସଙ୍ଗକୁ ସ୍ୱପ୍ନେ ନ ପାଇବୁ ।

ବାଇ କଲା କେହୁ ତୋତେ ଶୁଣ ଆରେ ସହୀ

କାହା ବୋଲେ ସନ୍ନ୍ୟାସିନୀ ହୋଇଲୁ ଗୋ ତୁହି

ଏମନ୍ତ କହି ଡାକଇ ଦୂତୀ ଉଚ୍ଚସ୍ୱରେ

ନ ଶୁଣଇ ରାଈ ତାହା ବାଜଇ କର୍ଣ୍ଣରେ ।

ମନରେ ଶ୍ରୀକୃଷ୍ଣ ପାଦେ ଅଛି ଧ୍ୟାନ ଦେଇ

ଯେତେ ଡାକିଲେ ହେଁ ଦୂତୀ କର୍ଣ୍ଣେ ନ ଶୁଣଇ

ଦେଖି ଦୂତିକା ମନରେ ବିଚାର କରଇ

କୃଷ୍ଣଭାବେ ରାଧା ଅଛି ଅଚେତନ ହୋଇ ।

ରାଧା ରାଧା ବୋଲି ଦୂତୀ ଉଚ୍ଚରେ ଡାକିଲା

ବେନି ଭୁଜେ ରାଈକି ସେ ଯାଇ କୋଳ କଲା ।

ଯେତେ ମୁଁ ଡାକିଲି ଏତ ନ ଦିଏ ଉତ୍ତର

ଏମନ୍ତ ବିଚାରି ଦୂତୀ ରାଧିକା କର୍ଣ୍ଣର ।

ଡାକେ ହରେକୃଷ୍ଣ ହରେକୃଷ୍ଣ କର୍ଣ୍ଣ ପାଶେ

କୃଷ୍ଣ କୃଷ୍ଣ ହରେ ହରେ ବୋଲଇ ହରଷେ ।

ରାଈ କର୍ଣ୍ଣେ ଯହୁଁ ଦୂତୀ ମହାମନ୍ତ୍ର ଦେଲା

ସେ ମନ୍ତ୍ର ପ୍ରସାଦେ ରାଈ ସଚେତ ହୋଇଲା ।

କୃଷ୍ଣ ଭାବେ କାତରେ ଯେ କମ୍ପଇ ଶରୀର

ବଦନୁ ନ ସ୍ଫୁରେ ଆଉ ବଚନ ତାହାର ।

ଉତ୍କଣ୍ଠିତେ ଶୁଷ୍କ କଣ୍ଠ ଚୌଦିଗ ଅନ୍ଧାର

କୃଷ୍ଣ ଗୁଣ ଗୁଣି ତାର ନ ଚଳେ ପୟର ।

କାନ୍ଦି କାନ୍ଦି ଲଳିତାର ମୁଖକୁ ଅନାଇ

ବେନି ନୟନରୁ ଅଶ୍ରୁ ଯାଉଅଛି ବହି ।

ବୋଲନ୍ତି ଗୋ ଦୂତୀ ଦେଖ ଶ୍ରୀକୃଷ୍ଣ ବଦନ

କେଡ଼େ ହରଷରେ ଯାଉଛନ୍ତି ମଧୁବନ ।

କାହିଁ ପାଇଁ ଆମ୍ଭଠାରେ ସ୍ନେହ ଲଗାଇଲେ

ଆଶା ଦେଇଣ ନିରାଶା କିମ୍ପାଇଁ ଗୋ କଲେ ।

ନ ରହିବି ଗୋପେ ମୁଁ ଗୋ ଯିବି ବୃନ୍ଦାବନ

ବଞ୍ଚିବି ମୁଁ ସନ୍ନ୍ୟାସିନୀ ହୋଇ ନିଶିଦିନ ।

ଦୂତୀକି ଏମନ୍ତ କହି କୃଷ୍ଣ ପାଶେ ଗଲେ

ବେନିକର ଯୋଡ଼ି ଶୋକେ ପାଦରେ ପଡ଼ିଲେ ।

ବୋଲନ୍ତି ରାଧା କାତର ଦେଖି ବନମାଳୀ

କା ସଙ୍ଗେ ନିକୁଞ୍ଜ ବନେ କରିବି ମୁଁ କେଳି ।

କାହାକୁ ମୁଁ ସଙ୍ଗେ ଧରି ଯିବି ବୃନ୍ଦାବନେ

ପ୍ରଦକ୍ଷିଣ କରିବି କା ସଙ୍ଗେ ଗୋବର୍ଦ୍ଧନେ ।

ଏମନ୍ତେ ରାଧା ମୁଖରୁ ଶୁଣି ଚକ୍ରପାଣି

ବୋଇଲେ ଶୁଣ ଗୋ ବୃଷଭାନୁର ନନ୍ଦିନୀ ।

ରାମ ନାମ ଏ ପୃଥ୍ୱୀରେ ଥିବ ଯେତେ କାଳ

ଯେତେ କାଳ ଥିବ ଜଳ ପବନ ଅନଳ ।

ବୃନ୍ଦାବନ ନ ତେଜିବି କଦାଚ ଗୋ ମୁହିଁ

ତବ ସଙ୍ଗେ ନିତି ଲୀଳା କରିବି ଗୋ ସହୀ ।

ନିତି ରାସକ୍ରୀଡ଼ା ବୃନ୍ଦାବନେ କରୁଥିବି

ଯେ ମୋର ଭକତ ତାକୁ ସିନା ଦେଖାଯିବି ।

ନିତି ବଂଶୀ ସ୍ଵନ ବୃନ୍ଦାବନେ ହେଉଥିବ

ମୋହର ଭକତ ସିନା କର୍ଣ୍ଣରେ ଶୁଣିବ ।

ତୋତେ ଧରି ରାଧା ମୁଁ ଗୋ ଥିବି ବୃନ୍ଦାବନ

ସତ୍ୟ କହୁଅଛି ମୁଁ ଗୋ ସାକ୍ଷୀ ବଂଶୀସ୍ଵନ ।

ଯହିଁ ଥିବ ରାଧା ଆଗେ ତହିଁ ଥିବି ମୁହିଁ

ରାଧାକୃଷ୍ଣ ଭିନ୍ନାଭିନ୍ନ କେବେହେଁ ନୁହଇ ।

ଶରୀର ଥାଏଟି ଯହିଁ ଛାୟା ଥାଏ ତହିଁ

ଶରୀର ନ ଥିଲେ ଛାୟା ରହିବ ଗୋ କାହିଁ ।

ତୁ ଅଟୁ ଲବଣୀ ସର ମୁଁ ମୀନ ଅଟଇ

ଜଳ ତେଜି ମୀନ କାହିଁ ବଞ୍ଚିଛି ଗୋ ସହୀ ।

ତୋତେ ଛାଡ଼ି ରହିପାରେ ମୁଁ କି ମଧୁପୁର

ଛାଡ଼ ସନ୍ନ୍ୟାସିନୀ ବେଶ ନିଜ ରୂପ ଧର ।

ଏମନ୍ତ ବୋଇଲେ ଯହୁଁ ଦେବ ଚକ୍ରଧର

ଶୁଣି ଚନ୍ଦ୍ରମୁଖୀ ରାଈ ନ ଦେଲେ ଉତ୍ତର ।

କୃଷ୍ଣ ମାୟା କଲେ ଯହୁଁ ଚିତ୍ତଭ୍ରମ ଗଲା

ସବୁରି ହୃଦରେ ବିଷ୍ଣୁମାୟା ପ୍ରକଟିଲା ।

ଛାଡ଼ିଲେ ସନ୍ନ୍ୟାସୀବେଶ ରାଈ ଶୋକ ତେଜି

ନିଜରୂପ ପ୍ରକାଶି ସେ କୃଷ୍ଣପାଦ ଭଜି ।

ଦୁହିତାକୁ ଚାହିଁ କୃଷ୍ଣ ବୋଲନ୍ତି ବଚନ

ନିତି ରାଧା ସଙ୍ଗେ ଘେନି ଯିବୁ ବୃନ୍ଦାବନ ।

 

କୃଷ୍ଣଙ୍କର ଗୋପୀ ପ୍ରବୋଧ

ଶ୍ରୀକୃଷ୍ଣ ଗୋପୀମାନଙ୍କୁ କହିଲେ ବୁଝାଇ

ଶୁଣ ଆଗୋ ଗୋପୀମାନେ ଯାହା ମୁଁ କହଇ ।

ମାମୁଁ ମୋର ଧନୁଯାତ୍ରା ଉତ୍ସବ କରୁଛି

ତେଣୁ ସିନା ଆନନ୍ଦେ ସେ ମୋତେ ଡକାଇଛି

ନବଦିନ ପରେ ମୁଁ ଫେରିବି ଗୋପପୁର

ତୁମ୍ଭେ ଗୋପୀମାନେ ଆଉ ନ ହୁଅ ଅଧୀର ।

ଗୋପୀମାନଙ୍କୁ ଏମନ୍ତ କହି ପ୍ରବୋଧିଲେ

ମାତା ପିତାଙ୍କୁ ବୁଝାଇ ରାମ ପାଶେ ଗଲେ ।

ବୋଇଲେ ହେ ହଳଧର ଶୁଣିମା ଗୋସାଇଁ

ମଥୁରା ଯିବାକୁ ସତ୍ୟ କରିଅଛୁ ତୁହି ।

ଏବେ ପାଶୋରିଣ ତାହା ହେଉଛି ଅଜ୍ଞାନ

ସଚେତ ହୁଅ ହେ ପ୍ରଭୁ ଯିବା ମଧୁବନ ।

କୃଷ୍ଣ ବଚନେ ସେ ରାମ ହୋଇଲେ ସଚେତ

କୃଷ୍ଣଙ୍କୁ ସେ କୋଳକରି କଲେ ଅଶ୍ରୁପାତ ।

ବୋଇଲେ ଶ୍ରୀକୃଷ୍ଣ ଜାଣୁ ମାୟା ତୁ ବହୁତ

ତୋ ମାୟାରେ ହେଉଅଛି ଜଗତ ଚାଳିତ ।

ଚାଲ ଚାଲ ତେବେ ଭାଇ ଯିବା ମଧୁବନ

ଏମନ୍ତ ବୋଲିଣ ରାମ ଉଠିଲେ ବହନ ।

ଉଛୁର ହୋଇଲେ କ୍ରୋଧ କରିବଟି କଂସ

ମାମୁଁ ବୋଲି ତାକୁ ତୁ ରେ ନ କର ବିଶ୍ଵାସ ।

ରାମ ବଚନେ ଯଶୋଦା ଚାଲନ୍ତି ଆଗରେ

ତହିଁ ପଛେ ନନ୍ଦରାଜା ଚାଲେ ଧୀରେ ଧୀରେ ।

ତାହାଙ୍କ ପଛେ ଅକ୍ରୂର କରଇ ଗମନ

ସବୁରି ଆଗେ ଚାଲନ୍ତି ରୋହିଣୀ ନନ୍ଦନ ।

ସବୁରି ପଛେ ଚାଲନ୍ତି କୃଷ୍ଣ ଢଳି ଢଳି

କୃଷ୍ଣର ପଛେ ଚାଲନ୍ତି ଯେତେକ ଗୁଆଳୀ ।

ଶ୍ରୀକୃଷ୍ଣ ଗୋପୀଙ୍କୁ ବୋଧି କହିଲେ ବଚନ

ରହୁବର ପାଶେ ଯାଇଁ ମିଳିଲେ ତକ୍ଷଣ ।

ବିକଳରେ ଅକ୍ରୂରକୁ ଡାକି ଯଶୋମତୀ

ରାମ କୃଷ୍ଣ କର ଧରି ଶୋକରେ କହନ୍ତି ।

ହେ ମନ୍ତ୍ରୀ ଅକ୍ରୂର ରାମ କୃଷ୍ଣଙ୍କୁ ପାଇଲୁ

ଆଜହୁଁ ତୁ ଏହାଙ୍କର ଧର୍ମପିତା ହେଲୁ ।

ରାମ କୃଷ୍ଣ ବାଳକଟି କିଛି ନ ଜାଣନ୍ତି

ଯାତ୍ରା ଉତ୍ସବ କିପରି ଦେଖି ତ ନାହାନ୍ତି ।

ଏ ବେନି ଭାଇଙ୍କି ଆଶ୍ଵାସନା କରିଥିବୁ

କର୍କଶ ଭାବେ ବଚନ କେବେ ନ କହିବୁ ।

ଯଶୋଦା ବଚନ ଶୁଣି ସଫଳାର ସୁତ

ବୋଲେ ମୁଁ ଅଟେ ଶ୍ରୀକୃଷ୍ଣ ଭୃତ୍ୟର ମୁଁ ଭୃତ୍ୟ

ତୁମ୍ଭେ ମାତା ପିତା ମୁଁ ତ ସେବକ ଅଟଇ

ସେ କୃଷ୍ଣ ମୋହର ପ୍ରଭୁ ଶୁଣ ମହାଦେଈ ।

ଯଶୋଦା କହିବା କଥା ରାମ କର୍ଣ୍ଣେ ଶୁଣି

ରହୁବରକୁ ବିଜୟ କଲେ ତତକ୍ଷଣି ।

କୃଷ୍ଣଙ୍କୁ ବୋଇଲେ ଆସ ବିଳମ୍ବ ନ କର

ମଥୁରା ଯିବାକୁ ବେଳ ହେଉଛି ଉଛୁର ।

ରାମ ବାକ୍ୟେ ମାତା ପାଦେ ପଡ଼ି ବେଣୁପାଣି

ଉଠି ବେନିକର ଯୋଡ଼ି ମାଗନ୍ତି ମେଲାଣି ।

କୋଳ କରି ଯଶୋମତୀ ଦିଅନ୍ତି ଚୁମ୍ବନ

ବୋଲନ୍ତି ଯାଉଛି ଛାଡ଼ି ରଙ୍କୁଣୀ ରତନ ।

ଯାତ୍ରା ଦେଖି ଫେରିବୁ ତୁ ନବଦିନ ପର

ସେ ଯାଏ କି ପିଣ୍ଡେ ପ୍ରାଣ ଥିବରେ କୁମର ।

ଶ୍ରୀକୃଷ୍ଣ ବୋଇଲେ ମାତ ନ ହୁଅ କାତର

ଯହିଁ ତହିଁ ଥିଲେ ମୁହିଁ ଯଶୋଦା କୁମର ।

ମାତାଙ୍କୁ ବୋଧ କରିଣ କୃଷ୍ଣ ଶୋକଭରେ

ମେଲାଣି ମାଗନ୍ତି ପଡ଼ି ନନ୍ଦ ପାଦତଳେ ।

କୃଷ୍ଣଙ୍କୁ କୋଳ କରିଣ ନନ୍ଦ କହେ ବାଣୀ

କଥାଏ କହୁଛି ଏବେ ଶୁଣ ନୀଳମଣି ।

ବସୁଦେବ ସଙ୍ଗେ ମିତ ହୋଇଥିଲି ମୁହିଁ

ବହୁଦିନୁ ତାଙ୍କ ସଙ୍ଗେ ମୋର ଦେଖା ନାହିଁ ।

ବହୁତ ଲବଣୀ ସର ଦଧି ମୁହିଁ ଦେବି

କିପରି ତାହାଙ୍କୁ ଥରେ ଦର୍ଶନ କରିବି ।

ନନ୍ଦ ବଚନେ ଶ୍ରୀକୃଷ୍ଣ ବୋଲନ୍ତି ଭୋ ତାତ

ବନ୍ଦୀଘରେ ରହିଛନ୍ତି ମୋର ତାତ ମାତ ।

ବହୁତ ଅସୁର ତାଙ୍କୁ ଜଗାଇ ଅଛଇ

ଚରଣେ ଶାଙ୍କୋଳୀ ଦେଇ କଂସ ନରସାଇଁ ।

କେମନ୍ତ ଦେଖିବ ତୁମ୍ଭେ କହ ଆହେ ତାତ

ଶ୍ରୀକୃଷ୍ଣ ବଚନେ ନନ୍ଦ ବୋଇଲେରେ ସୁତ ।

ତୁ ଯେବେ ମଧୁପୁରକୁ ଯିବୁରେ କହ୍ନାଇ

ନିଶ୍ଚେ ତୋତେ ଦେଖିବାକୁ ଆସିବେରେ ସେହି

ଅବଶ୍ୟ ପାଦୁ ତାଙ୍କର ଶାଙ୍କୋଳି ଫିଟିବ

ତୋତେ ଦେଖି ମନ କଷ୍ଟ ତାଙ୍କର ଘୁଞ୍ଚିବ ।

ସଙ୍ଗେ ଯେବେ ନେବୁ ପୁତ୍ର ଯିବିଟିରେ ମୁହିଁ

କହୁ କହୁ ନୃପବର କାନ୍ଦେ କଇଁ କଇଁ ।

ନନ୍ଦଙ୍କୁ ଦେଖି ଶ୍ରୀକୃଷ୍ଣ ବୋଲନ୍ତି ବଚନ

ଗୋପାଳଙ୍କ ସଙ୍ଗେ ପିତା ଆସ ହୋ ବହନ ।

ପୁଣି ଗୋପାଳଙ୍କୁ କହୁଛନ୍ତି ବେଣୁପାଣି

ନନ୍ଦଙ୍କ ସଙ୍ଗରେ ଆସ ଘେନିଣ ଲବଣୀ ।

ଯାଆରେ ଗୋପାଳେ ଏବେ ଯେ ଯାହାର ଘର

ଦଧି ସର ଲବଣୀକୁ ଯତ୍ନକରି ଧର ।

ପିତାଙ୍କ ସଙ୍ଗରେ ତୁମ୍ଭେ ଆସ ବେଗକରି

ନବଦିନ ଯାତ୍ରା ସାରି ଫେରିବା ଏ ପୁରୀ ।

ଏ ଗୋପୀମାନଙ୍କୁ ସର୍ବେ କହରେ ବୁଝାଇ

ଯାତ୍ରା ପରବେ ନାରୀଏ ସଙ୍ଗରେ ନ ରହି ।

ଏଣୁକରି ରାମ କୃଷ୍ଣ ସଙ୍ଗେ ନେଲେ ନାହିଁ

ଯଶୋଦାଙ୍କ ସଙ୍ଗେ ତୁମ୍ଭେ ଥାଅ ଗୋପେ ରହି

ଆମ୍ଭେ ସମସ୍ତେ ଗୋପାଳ ନନ୍ଦ ସଙ୍ଗେ ଯିବୁ

କୃଷ୍ଣ ସଙ୍ଗେ ରହି ଧନୁ ଉତ୍ସବ ଦେଖିବୁ ।

ଯେମନ୍ତେ ବୁଝିବେ ଗୋପୀ ତେହ୍ନେ ବୁଝାଇବ

ନନ୍ଦଙ୍କୁ ସଙ୍ଗେ ଧରିଣ ବେଗରେ ଆସିବ ।

ଆମ୍ଭେ ତୁମ୍ଭଙ୍କୁ ବାଟରେ ଚାହିଁଥିବୁ ରହି

ବିଳମ୍ବ ନ କର ବାବୁ ଆସ ବେଗେ ଯାଇ ।

ଏମନ୍ତ କହିଣ କୃଷ୍ଣ ରଥରେ ଚଢ଼ିଲେ

ଗୋପୀମାନଙ୍କ ମନକୁ ମାୟାରେ ମୋହିଲେ ।

କୃଷ୍ଣର ଆଦେଶ ପାଇ ମନ ତୋଷ କରି

ଡାକିଲେ ଗୋପାଳେ ବେଗେ ଆସ ଗୋପନାରୀ

ନନ୍ଦ ଯଶୋଦାଙ୍କ ପାଦେ ଅକ୍ରୂର ପଡ଼ିଲା

ଉଠି ମେଲାଣି ମାଗି ସେ ରଥରେ ବସିଲା ।

ପୁଣି ବୋଇଲ ଗୋପାଳେ ଆସ ଗୋପାଳୁଣୀ

ଶୁଣିଲ ତ କୃଷ୍ଣ ମୁଖୁ କି ଭାବୁଛ ପୁଣି ।

ଦଧି ସର ଲବଣୀ ଗୋ ଦିଅ ବେଗକରି

କୃଷ୍ଣ ଛାଡ଼ିଯିବେ ଆମ୍ଭେ ଯିବୁ ମଧୁପୁରୀ ।

ଅନେକ ଦେଶରୁ ଆସିଛନ୍ତି ରାଜାମାନେ

କଂସ ଆଜ୍ଞାରେ ଥିବେ ଏ ଆଣ୍ଟ କରି ମନେ

ଯୁବନାରୀ ଦେଖିଲେ ସେ ସକଳ ହରିବେ

ଗୁହାରି କଲେ ତ କଂସ କର୍ଣ୍ଣେ ନ ଶୁଣିବେ ।

କୃଷ୍ଣ କହିଲେ ତାହାଙ୍କୁ ଦେବ ଅପମାନ

ମାନହାନି ହେଲେ କୃଷ୍ଣ କରିବେଟି ରଣ ।

ଏଣୁ ଗୋପୀମାନେ ଆମ୍ଭେ କହୁଛୁ ବୁଝାଇ

ନ କର ରୋଦନ ତୁମ୍ଭେ ଥାଅ ଗୋପେ ରହି ।

ଦଶ ଦିନକୁ ଗୋ ବାଟ ଚାହିଁଥିବ ତୁମ୍ଭେ

ଯାତ୍ରା ସାରି କୃଷ୍ଣ ସଙ୍ଗେ ଆସିବୁଟି ଆମ୍ଭେ ।

ତୁମ୍ଭେ ଗୋପୀ ଯଶୋଦାଙ୍କୁ ସେବା କରୁଥିବ

ଶ୍ରୀକୃଷ୍ଣ ଫେରିଲେ ସର୍ବେ ସମ୍ମାନ ପାଇବ ।

ଭଣ୍ଡାରରୁ ଅଳଙ୍କାରମାନ ନେବ ବାଛି

ନ ଆସିବେ କୃଷ୍ଣ ବୋଲି ନ ଭାବିବ କିଛି ।

ତୁମ୍ଭମାନଙ୍କର ପାଇଁ କୃଷ୍ଣଙ୍କୁ କହିବୁ

ମଥୁରା ହାଟରେ ଯାହା ଅପୂର୍ବ ଦେଖିବୁ ।

ଟଙ୍କା ସୁନା ଦେଇ ଆମ୍ଭେ ତା କିଣି ଆଣିବୁ

ଯାହାକୁ ଯାହା ସୁନ୍ଦର ତାହା ଆମ୍ଭେ ଦେବୁ ।

ତୁମ୍ଭଠାରୁ ବଳିବ ଯା ଆନଲୋକ ନେବେ

ହରଷ ହୋଇବେ ସିନା ଗାପୀମାନେ ତେବେ ।

ଗୋପାଳଙ୍କ ମୁଖୁ ଏହା ଶୁଣନ୍ତେ ଗୋପିନୀ

ଯେ ଯାହା ଘରୁ ଗୋରସମାନ ଦେଲେ ଆଣି

ନାନାପ୍ରକାରେ ଗୋପାଳପୁତ୍ରେ ବେଶ ହେଲେ

ବେଣୁ ସିଙ୍ଘା କାହାଳୀ ଯେ ହସ୍ତରେ ଧଇଲେ

ଦଧି ସର ଲବଣୀ ଯେ ଭାର ଭାର କରି

ହସ୍ତରେ କେନ୍ଦୁ ଲଉଡ଼ିମାନ ଛନ୍ତି ଧରି ।

ନନ୍ଦ ସିଂହଦ୍ୱାରେ ସର୍ବେ ହୋଇଲେ ପ୍ରବେଶ

ଅନ୍ତପୁରେ ପଶି ନନ୍ଦ ହେଲେ ଦିବ୍ୟବେଶ ।

ନାନା ଜାତିର ବାଜଣାମାନ ସେ ବଜାଇ

ଅନ୍ତପୁରୁ ବାହାରିଲେ ନନ୍ଦ ନରସାଇଁ ।

ଯହୁଁ ସେ ବାଜଣାମାନ କର୍ଣ୍ଣରେ ଶୁଣିଲେ

ଗୋପାଳେ ଗୋପୀମାନଙ୍କୁ କହି ବାହାରିଲେ ।

 

ଅକ୍ରୂର ରାମ-କୃଷ୍ଣଙ୍କୁ ରଥରେ ନେଇ ମଧୁପୁର ଗମନ କାଳରେ
ଶ୍ରୀକୃଷ୍ଣଙ୍କୁ ସ୍ନାନ ବେଳେ ଦେଖି ଚିନ୍ତିତ

ଗୋପୀ ଗୋପାଳଙ୍କୁ ବୋଧ କରି ଗୋପୀନାଥ

ଠାରିଦେଲେ ଅକ୍ରୂରକୁ ବାହ ବେଗେ ରଥ ।

ଶ୍ରୀକୃଷ୍ଣଙ୍କ ଆଜ୍ଞା ଯହୁଁ ପାଇଲା ଅକ୍ରୂର

ବାଗଧରି ଅଶ୍ୱେ କଲା ଛାଟେଣୀ ପ୍ରହାର ।

ଚଳିଲା ସ୍ୟନ୍ଦନ ଘୋର ଗରଜନ କରି

କାଳିନ୍ଦୀ କୂଳେ ପ୍ରବେଶ ହେଲେ ରାମ ହରି ।

ଦେଖି ସେ ନଦୀ ଅକ୍ରୂର ବିଚାରେ ମନର

ଆସିବି ନାହିଁ କେଜାଣି ମୁହିଁ ଏହି ପୁର ।

ଏ କାଳିନ୍ଦୀ ଅଟେ କୃଷ୍ଣ ଜଳକ୍ରୀଡ଼ା ସ୍ଥାନ

ଏଥି ସ୍ନାନ କଲେ ପାପ ହୋଇବ ଖଣ୍ଡନ ।

ଗଲାବେଳେ କାଳିନ୍ଦୀରେ ପଶି ମୁଁ ପାଞ୍ଚିଲି

ମୋ ସଙ୍ଗେ ଆସିବେ ମଧୁପୁରେ ବନମାଳୀ ।

ଦେଖିଲେ ଶ୍ରୀକୃଷ୍ଣ ମୋତେ ସୁଦୟା କରିବେ

ମୋ ସଙ୍ଗେ ଆସିବେ ମଧୁପୁରକୁ ଆସିବେ ।

ପୁଣି ବିଚାରିଲି ମାତା ତୁ ଗୋ ଦୟାକର

ମାରନ୍ତୁ ମଧୁନଗରେ କୃଷ୍ଣ କଂସାସୁର ।

ଏହିପରି କଥାମାନ ମନରେ ପାଞ୍ଚିଲି

ଏହାଙ୍କ ଦୟାରୁ ଏବେ କୃଷ୍ଣଙ୍କୁ ଆଣିଲି ।

ଧନ୍ୟ ଗୋ କାଳିନ୍ଦୀ ତୋର ଚରଣେ ଶରଣ

ତୋର ଦୟାରୁ କୃଷ୍ଣଙ୍କୁ କଲି ଦରଶନ ।

ତୋ ଦୟାରୁ କୃତାର୍ଥ ମୁଁ ହୋଇଲି ଗୋ ମାତ

ତୋ ଦୟାରୁ ପବିତ୍ର ମୋ ହେଲା ବେନି ନେତ୍ର ।

ଏମନ୍ତ ବେଳେ ଅକ୍ରୂର ମନେ ବିଚାରିଲା

ବେନି କର ଯୋଡ଼ିଣ ସେ କୃଷ୍ଣଙ୍କୁ କହିଲା ।

ଭୋ ପ୍ରଭୁ ଏ କାଳିନ୍ଦୀରେ ସ୍ନାନ ମୁଁ କରିବି

ସକଳ ପାପରୁ ମୁହିଁ ଆଜ ନିସ୍ତରିବି ।

କ୍ଷଣେ ମାତ୍ର ରହୁବରେ ବିଜେ କରିଥାଅ

କାଳିନ୍ଦୀ ସ୍ନାନେ ପବିତ୍ର ହୋଇବ ମୋ ଦେହ ।

ବୋଲନ୍ତି ଅକ୍ରୂର ବାକ୍ୟ ଶୁଣି ଦାମୋଦର

ଅକ୍ରୂର ତୁ କାଳିନ୍ଦୀରେ ପଶି ସ୍ନାନ କର ।

ଆମ୍ଭେ ରହୁବର ପରେ ବସିଅଛୁ ରହି

ସ୍ନାନ ସାରିଣ ଅକ୍ରୂର ଆସ ବେଗ ହୋଇ ।

କୃଷ୍ଣ ବଚନେ ଅକ୍ରୂର ରଥୁ ଉତୁରିଲା

କାଳିନ୍ଦୀ ଜଳେ ପଶି ସେ ମନେ ବିଚାରିଲା ।

ରାମ କୃଷ୍ଣ ଯେବେ ଏଥୁ ଗୋପକୁ ଫେରିବେ

ମଥୁରା ନାରୀଏ ମୋତେ ଦେଖିଣ ହସିବେ ।

ପ୍ରତିଜ୍ଞା କରିଣ ରାଜା ଆଗେ ସେ କହିଲା

କୃଷ୍ଣଙ୍କୁ ଡରି ଜୀବନ ଘେନି ବାହୁଡ଼ିଲା ।

ପୁଣି ବିଚାରଇ କୃଷ୍ଣ ନ ଯିବେ ପଳାଇ

ମୋ ଆଗରେ ସତ୍ୟ କହିଛନ୍ତି ହଳସାଇଁ ।

ସେଇ ରାମ ସତ୍ୟ ଭିନ୍ନ ନ କହନ୍ତି ମିଛ

ଯାହା ଦେଖି ଯିବା ପାଇଁ କରିଛନ୍ତି ସତ୍ୟ ।

ପୁଣି ବିଚାରେ ଅଟନ୍ତି କୃଷ୍ଣ ମାୟାଧର

ମୋତେ ମାୟା କରି ଯେବେ ଯିବେ ଗୋପପୁର

ସଂଶୟ ମନେ ଅକ୍ରୂର ବୁଡ଼େ କାଳିନ୍ଦୀରେ

ଜାଣିଲେ ତା ଅନ୍ତର୍ଯ୍ୟାମୀ କୃଷ୍ଣ ରହୁବରେ ।

ଛନ ଛନ ମନ ହୋଇ ଜଳେ ସେ ବୁଡ଼ିଲା

ବୁଡ଼ି ଯଦୁବୀର ତହିଁ ନୟନେ ଦେଖିଲା ।

ଦେଖିଲା ସାକ୍ଷାତେ କୃଷ୍ଣ ହଳଧର ଦୁଇ

ଜଳର ମଧ୍ୟେ ଯେ ରହିଛନ୍ତି ଉଭା ହୋଇ ।

ବିଚାରେ ଜଳରେ ରାମ କୃଷ୍ଣ ବେନି ଭାଇ

ରଥର ଉପରେ ରହିଛନ୍ତି ଉଭା ହୋଇ ।

ବିଚାରେ ଜଳରେ ରାମ କୃଷ୍ଣଙ୍କୁ ଦେଖିଲି

ରଥରେ ଛନ୍ତି କୂଳରେ ପୁଣି ତ ଦେଖିଲି ।

କି ଅବା ମୋ ମନେ ଭ୍ରମ ହୋଇଅଛି ଜାତ

ସ୍ଥଳକୁ ଜଳ ଭାବନା କରେ ଅନ୍ତର୍ଗତ ।

ନୟନ ଝଲସି କିବା ଯାଉଛି ମୋହର

ରଥରେ ସେ ଦେଖିଛି ଯେ କୃଷ୍ଣ ହଳଧର ।

କିଂଭୂତ କଥାଏ ବୋଲି ବିଚାରେ ମନରେ

ଦେଖିବି ମୁଁ ଆଉ ଥରେ ପୁଣି ପଶି ଜଳେ ।

ଏମନ୍ତ ଭାବିଣ ପୁଣି ଜଳରେ ବୁଡ଼ିଲା

ପୁଣି ପୂର୍ବ ପରକାରେ କୃଷ୍ଣଙ୍କୁ ଦେଖିଲା ।

ରାମ କୃଷ୍ଣ ଦୁହେଁ ବିଜେ ସିଂହାସନ ପରେ

ପୁଣି ଦେଖଇ ନିରୋପି ନୟନେ ନିଶ୍ଚଳେ ।

ରାମ କୃଷ୍ଣ ଦୁଇ ଭାଇ ଜଳର ଭିତରେ

ଗୋପିମାନେ ତାଙ୍କୁ ବେଢ଼ି କାନ୍ଦନ୍ତି ବିକଳେ

ଯଶୋଦା କାନ୍ଦନ୍ତି କାନ୍ଦେ ରାଈ ବିନୋଦିନୀ

ସେହି ବିନୋଦିନୀ ହୋଇଛନ୍ତି ସନ୍ନ୍ୟାସିନୀ ।

ଅଛନ୍ତି ରାମ ଅକ୍ରୂର ହୋଇ ହତଜ୍ଞାନ

ଗୋପପୁରେ ଯେତେଜନ କରନ୍ତି ରୋଦନ ।

ରାଧା କର ଧରି ଦୂତୀ କହନ୍ତି ବଚନ

କାଳିନ୍ଦୀ ମଧ୍ୟେ ଅକ୍ରୂର ଦେଖି ଛନ ଛନ ।

ମନରେ ବିଚାରେ ଏତ ଅଦଭୂତ କଥା

ବିସ୍ମୟ ଭଜି ଅକ୍ରୂର ମନେ କରେ ଚିନ୍ତା ।

ପୁଣି କାଳିନ୍ଦୀ କୂଳକୁ ଅନାଇ ଦେଖିଲା

ରାମ କୃଷ୍ଣଙ୍କୁ ଦେଖିଣ ବୁଦ୍ଧି ହରାଇଲା ।

ଜଳେ ଦେଖେ ହରି ପୁଣି ସ୍ଥଳେ ଦେଖେ ହରି

ଯେଣେ ଚାହେଁ ତେଣ ଦେଖେ କୃଷ୍ଣ ହଳଧାରୀ ।

ପୁଣିହିଁ ବୀର ଅକ୍ରୂର ମନେ ବିଚାରିଲା

ଆଉ ଥରେ କାଳିନ୍ଦୀରେ ବୁଡ଼ିବି ବୋଇଲା ।

ପୁଣି ବୁଡ଼ି ତହିଁ ମନ୍ତ୍ରୀ ଦେଖିଲା ନେତ୍ରରେ

କୃଷ୍ଣ ସଙ୍ଗେ ବଳରାମ ଅଛନ୍ତି ରଥରେ ।

ରଥର ଉପରେ ବିଜେ କରି ରାମ ହରି

ଡାକନ୍ତି ଅକ୍ରୂର ଆସ ଯିବା ମଧୁପୁରୀ ।

ବହୁତ ବାଟ ରହିଛି ବେଗେ ସ୍ନାନ କର

କେତେ ତୁହି ଜଳେ ବୁଡୁଅଛୁ ହୋ ଅକ୍ରୂର ।

କୃଷ୍ଣ ଡାକ ଜଳ ମଧ୍ୟେ ଅକ୍ରୂର ଶୁଣିଲା

କାଳିନ୍ଦୀ ଭିତରେ ଥାଇ କୂଳକୁ ଚାହିଁଲା ।

କୂଳରେ ଦେଖିଲା ରାମ କୃଷ୍ଣ ବେନି ଭାଇ

ଡାକନ୍ତି ହୋ ମନ୍ତ୍ରୀମଣି ଆସ ବେଗ ହୋଇ ।

ମଥୁରା ଯିବାକୁ ଆଉ ଉଛୁର ନ କର

କୃଷ୍ଣ ଡାକ କର୍ଣ୍ଣେ ଯହୁଁ ଶୁଣିଲା ଅକ୍ରୂର ।

କୃଷ୍ଣ ପାଦେ ଦ୍ରୋହ ମୁହିଁ ଚିନ୍ତିଲି ବୋଇଲା

ତେଣୁ କରି ପ୍ରଭୁ ମୋତେ ଜଳେ ଦେଖାଦେଲା ।

ଅନ୍ତର୍ଯ୍ୟାମୀ ଭଗବାନ ଜାଣିଲେ ମୋ ଚିତ୍ତ

କ୍ରୋଧ ନିତି କରିବେ ସେ ମୋତେ ନନ୍ଦସୁତ ।

ମୁଁ ମୂଢ଼ ଅଧମ ମନ୍ଦ ଚିନ୍ତିଲି ଯା ମନେ

ମାୟାକରି ଫେରିଯିବେ ସେ ଗୋପଭୁବନେ ।

ମାୟାଧର କୃଷ୍ଣ ମାୟା ଜାଣନ୍ତି ବହୁତ

ଯାହାର ମାୟାରେ ବନ୍ଧା ହୋଇଛି ଜଗତ ।

ଜାଣିଲେ ମୋହର ମନ ଅନ୍ତର୍ଯ୍ୟାମୀ ଯହୁଁ

କାଳିନ୍ଦୀ ଜଳରେ ମୋତେ ଦେଖାଦେଲେ ତହୁଁ ।

କୂଳରେ ଚାହିଁଲି ରଥପରେ ଛନ୍ତି ରହି

ଜଳରେ ଦେଖିଲି ରହିଛନ୍ତି ବେନିଭାଇ ।

ଏତେ ବିଚାରି ଅକ୍ରୂର କୃଷ୍ଣ ପାଶେ ମିଳି

ଭାବେ ବେନି ନୟନରୁ ଅଶ୍ରୁ ଯାଏ ଗଳି ।

କୃଷ୍ଣ ପାଦପଦ୍ମ ତଳେ ପଡ଼ିଲା ସେ ଯାଇଁ

ବୋଲେ କ୍ଷମାକର ଦେବ ବ୍ରହ୍ମାଣ୍ଡ ଗୋସାଇଁ

ତା ପାଦପଦ୍ମେ ଶରଣ ପଶିଲି ଯେ ମୁହିଁ

ଶରଣ ପଞ୍ଜର ବାନା ଯେଣୁ ଅଟୁ ତୁହି ।

ତୋର ପାଦେ ଅପରାଧ କଲି ଦଇତାରୀ

ମୁଁ ତୋର ଭୃତ୍ୟର ଭୃତ୍ୟ ସଙ୍ଗେ ନୁହେଁ ସରି ।

ଭାଷନ୍ତି ଶ୍ରୀ ହରି ଶୁଣି ଅକ୍ରୂରେ ବଚନ

ଧର୍ମର ତୁ ତାତ ଅଟୁ ସଫଳାନନ୍ଦନ ।

ଛାଡ଼ ତୁ ମନରୁ ଚିନ୍ତା ବାହା ରହୁବର

ମଥୁରା ଯିବାକୁ ବେଳ ହେଉଛି ଉଛୁର ।

ଧନୁଯାତ୍ରା ଉତ୍ସବ ଯେ ହେଉଛି ସେଠାରେ

ସତ୍ଵରେ ଗଲେ ଦେଖିବୁ ନୟନ ଯୁଗଳେ ।

ଭଲ କାର୍ଯ୍ୟେ ଆଗମନ ଯେବେଟି କରିବ

ପଥ ମଧ୍ୟରେ କଦାପି କାହିଁ ନ ରହିବ ।

ଏହା ଶୁଣି ଅକ୍ରୂର ଯେ ତର ତର ହୋଇ

କରଯୋଡ଼ି ରଥ ପରେ ବସିଲା ସେ ଯାଇ ।

ବିଳମ୍ବ ନ କରି ତହିଁ ହରଷେ ଅକ୍ରୂର

ଧୀର ଧୀର କରିଣ ବାହିଲା ରହୁବର ।

ଚାଲଇ ଅଚ୍ୟୁତ ଦାସ କବି ଧୀର ଧୀର

ରହୁବର ପଛେ ଚିନ୍ତି ହୃଦେ ଦାମୋଦର ।

 

ମଥୁରାକୁ ରଥ ବାହିବା

କରଯୋଡ଼ି ପଚାରେ ପରୀକ୍ଷ ନରମଣି

କହନ୍ତି ଏ ଭାଗବତ ଗ୍ରନ୍ଥ ଶୁକମୁନି ।

ଗୋପରୁ ନନ୍ଦଗୋପାଳେ ହୋଇଲେ ବାହାର

ଯେଉଁ ପଥେ ରାମ ହରି ନେଉଛି ଅକ୍ରୂର ।

ଗୋପାଳେ ସୁମରି କୃଷ୍ଣ ଚଳନ୍ତି ଆନନ୍ଦେ

କାନ୍ଦନ୍ତି ସକଳ ଗୋପୀ ଦେଖି ଗଦଗଦେ ।

ପୁଣି ସେ ଲେଉଟି ଚାହିଁ ବରଜ ଭୁବନ

ଗୋପୀଙ୍କି ପ୍ରବୋଧ ଦେଇ ଚାଲନ୍ତି ବହନ ।

ଚାଲନ୍ତି ଚକ୍ର ଚିହ୍ନକୁ ଦେଖି ଗୋପସୁତେ

ତାହାଙ୍କ ସଙ୍ଗରେ ନନ୍ଦ ଚାଲନ୍ତି ସୁଚିତ୍ତେ ।

ଯେଉଁ ପଥେ କୃଷ୍ଣ ଘେନିଯାଉଛି ଅକ୍ରୂର

ସେ ପଥେ ଗୋପାଳସଙ୍ଗେଚଳେ ବ୍ରଜେଶ୍ଵର ।

ନନ୍ଦ ଗୋପାଳଙ୍କୁ ଦୂରୁ ଦେଖି ଦାମୋଦର

ବୋଲନ୍ତି ଅକ୍ରୂର କ୍ଷଣେ ରଖ ରହୁବର ।

ଅକ୍ରୂରକୁ ଯହୁଁ ଆଜ୍ଞା ଦେଲେ ଚକ୍ରଧର

ବଳରାମ ବୋଲୁଛନ୍ତି ଶୁଣ ହେ ଅକ୍ରୂର ।

ଆମ୍ଭ ତାତ ନନ୍ଦ ପାଦେ କରିବେ ଗମନ

ଆମେ କେଉଁପରି ଚଢ଼ି ଯାଉଥିବୁ ଯାନ ।

ଚାଲ ଆଗ ହୋଇ ଆମ୍ଭେ ମଥୁରାକୁ ଯିବା

ମଧୁନଗ୍ର ଉପକଣ୍ଠେ ଅପେକ୍ଷା କରିବା ।

ରାମ ବଚନେ ଶ୍ରୀକୃଷ୍ଣ ବୋଲନ୍ତି ଉତ୍ତର

ବେଗ ବେଗ ରହୁବର ବାହା ହୋ ଅକ୍ରୂର ।

ଯା କହିଲେ ଭାଇ ତାହା ଉଚିତ ଅଟଇ

ନନ୍ଦ ଚାଲିବେ ପାଦରେ ଆମ୍ଭେ ରଥାରୋହୀ ।

କଦାଚ ଏ କଥା ବାବୁ ନୁହଇଁ ଶୋଭନ

ବେଗ ବେଗ କରି ତୁମ୍ଭେ ବାହିଯାଅ ଯାନ ।

କୃଷ୍ଣ ବଚନେ ଅକ୍ରୂର ରହୁବର ନେଇ

ପ୍ରବେଶ କଲା ମଥୁରା ଉପକଣ୍ଠେ ଯାଇ ।

ଖଣ୍ଡେ ଦୂରୁଁ ମଥୁରାକୁ ଦେଖି ଭାବଗ୍ରାହୀ

ବୋଲନ୍ତି ବୈକୁଣ୍ଠ ଏହା ସଙ୍ଗେ ସମ ନୋହି

ପୁଣି ବୋଲନ୍ତି ମୋ ବାକ୍ୟ ଶୁଣ ହୋ ଅକ୍ରୂର

ନଗର ବାହାରେ ନେଇ ରଖ ବହୁବର ।

ସୁନ୍ଦର ଉଦ୍ୟାନ ଯହିଁ ଅଛି ରମ୍ୟସ୍ଥାନ

ସେହିଠାରେ ରହି ଆମ୍ଭେ ତୋଷିବୁ ହେ ମନ ।

ଚାହିଁ ଚାହିଁ ନନ୍ଦ ସହ ଗୋପାଳେ ମିଳିଲେ

ଉତ୍ତମ ସ୍ଥାନକୁ ରଥ ନିଅ ହେ ବୋଇଲେ ।

କୃଷ୍ଣ ଆଦେଶେ ଅକ୍ରୂର କହେ ଯୋଡ଼ିକର

ମଧୁବନ ତୋଟା ମଧ୍ୟେ ଆଜି ବସା କର ।

ଏତେ କହି ମଧୁବନେ ନେଲ ବହୁବର

ରଖିଣ ଅକ୍ରୂର ବୋଲେ ଶୁଣ ଚକ୍ରଧର ।

ଏ ଯେ ମଧୁବନ ତୋଟା ଅଟେ ଭାବଗ୍ରାହୀ

ଏହି ବନେ କଂସ ରାଜା ବିହାର କରଇ ।

ଦେବଙ୍କୁ ଦୁର୍ଲଭ ଅଟେ ଏହି ମଧୁବନ

ଏହା ସଙ୍ଗେ ସମ ଏକା ହେବ ବୃନ୍ଦାବନ ।

ଏହିଠାରେ ରାମ ସଙ୍ଗେ ରହ ହେ ଗୋବିନ୍ଦ

ପୁଣି ବୋଲଇ ଅକ୍ରୂର ଧରି କୃଷ୍ଣ ପାଦ ।

ବୋଲଇ ମୋର ପୁରକୁ ବିଜେ କର ହରି

ସୁଦୟା କର ହେ ମୋତେ ଯେବେ ମୁଁ ତୁମରି

ସେଠାରୁ ରାଜଭବନ ଅଟେ ଖଣ୍ଡେ ଦୂର

ନିକଟ ଅଟେ ତହିଁକି ମଧ୍ୟ ଧନୁଘର ।

ମଥୁରା ହାଟ ତହିଁକି ନିକଟ ଅଟଇ

ବାମ୍ଫୀ କୂପ ତଡ଼ାଗାଦି ତହିଁ ଅଛି ରହି ।

ରାଜା ଅନ୍ତଃପୁରେ ଯିବା ପାଇଁ ଅଛି ବାଟ

ମାଈଁମାନଙ୍କର ସଙ୍ଗେ ନିତି ହେବ ଭେଟ ।

ଯେତେକ ମୋ ନାରୀ ତବ ପାଦେ ଖଟିଥିବେ

ତୋହର କହିଲା କଥା କେଭେ ନ ଭାଙ୍ଗିବେ

ଦଧି ସର ଲବଣୀ ଯେ ଦିବ୍ୟଶାଳି ଅନ୍ନ

ପ୍ରଭାତୁ ନନ୍ଦରାଜାଙ୍କୁ ଦେବେ ସେ ଭୋଜନ ।

ବସୁଦେବ ବନ୍ଦୀଘର ରହିଛି ତା ପାଶ

ହରି ଦେଖିଣ ଦେବକୀ ହୋଇବେ ହରଷ ।

ମୋ ଗୃହକୁ ବିଜେ କର ଆହେ ଭାବଗ୍ରାହୀ

ରାମାନନ୍ଦ ଗୋପାଳକୁ ସଙ୍ଗତରେ ନେଇ ।

ସକଳ ଆନନ୍ଦ ହୋଇ ରହିବେ ମୋ ଘରେ

ଯାହାକୁ ଯେପରି ସ୍ଥାନ ଅଛି ମୋ ମନ୍ଦିରେ ।

ସେ ସ୍ଥାନେ ରହିଲେ ଗୋପ ମୂର୍ଚ୍ଛିବ କୁମର

ତବ ପାଦ ପଡ଼ିବ ହେ ଭାଗ୍ୟ ଥିଲେ ମୋର ।

ବିଜୟ କର ଯେ ପ୍ରଭୁ ମୋ ପୁରକୁ ତୁହି

ମୁଁ ଯେବେ ତୋହର ଭୃତ୍ୟ ଅଟଇ ଗୋସାଇଁ ।

ଶୁଣି ବଳରାମ ତହୁଁ ବୋଲନ୍ତି ବଚନ

ଆସ ହୋ ଗୋପାଳ ସୁତେ ଯିବା ସେହି ସ୍ଥାନ ।

ଏମନ୍ତ ସମୟେ ସବୁ ଗୋପାଳେ ମିଳିଲେ

ରାମ କୃଷ୍ଣ ଦେଖି କୃଷ୍ଣ ପୁଚ୍ଛେ ଗୋପ କଥା

କହରେ ଗୋପାଳେଏବେ ଗୋପୀଙ୍କ ବ୍ୟବସ୍ଥା

ଭଲେ ଛନ୍ତିଟିକି ଗୋପେ ସର୍ବ ନରନାରୀ

ଭଲେ ଛନ୍ତିଟି ଯଶୋଦା ମୋର ଗର୍ଭଧାରୀ ।

ଶୁଣି ଗୋପାଳେ କହନ୍ତି ଆନନ୍ଦିତ ମନେ

ତୁମ୍ଭଙ୍କୁ ନ ଦେଖି କାନ୍ଦୁଛନ୍ତି ଗୋପୀମାନେ ।

ଯଶୋଦା ଶୋକ କେ ପ୍ରଭୁ ଦେଖିବ ନୟନେ

ମାନବ ଦେହ ବହି କେ ଶୁଣିବ ତା କର୍ଣ୍ଣେ ।

ଗୋପାଳଙ୍କ ମୁଖୁ କୃଷ୍ଣ ଶୁଣି ଏ ବଚନ

ବୋଲନ୍ତି ଗୋପାଳେ ତୁମ୍ଭେ ମୋର କଥା ଶୁଣ

ମଧୁପୁରେ ଥିବାଯାକ ଗୋପୀଙ୍କର ଭାବ

ନ କହିବ କହିଲେ ମୋ ଜୀବନଟି ଯିବ ।

ଯେତେବେଳେ ଗୋପୀଭାବ ମୋ ମନେ ପଡ଼ଇ

ନ କହେ କାହାକୁ ସିନା ହୃଦରେ ପଡ଼ଇ ।

ତୁମ୍ଭଠାରୁ ବଳି ମୋତେ କରିଥାନ୍ତି ସ୍ନେହ

ମୋଠାରେ ତାଙ୍କର ତିଳେ ନାହିଁ ମାୟା ମୋହ ।

ପର ପ୍ରୀତି ପ୍ରଥମରେ ଦିଏ ବଡ଼ ସୁଖ

ଏ ପୁଣି ପଛକୁ ନାନା ରୂପେ ଦିଏ ଦୁଃଖ ।

ଶୁଣରେ ଗୋପାଳେ ମୁହିଁ ମନ୍ଦକୃତ୍ୟ କଲି

ଗୋପୀଙ୍କର ସଙ୍ଗେ ଯାହା ସ୍ନେହ ବଢ଼ାଇଲି ।

ଏବେ ତାଙ୍କ ସ୍ନେହ ମୋତେ କରେ ନାରଖାର

କୃଷ୍ଣ ମୁଖରୁ ଏସନ ଶୁଣି ହଳଧର ।

ବୋଲନ୍ତି ଅକ୍ରୂର ତୁହୋ ମୋ ବଚନ ଶୁଣ

ବେଗେ ନିଅ ରହୁବର ତୋହର ଭୁବନ ।

ତୋ ଘର ଆମ୍ଭର ସିନା ଅଟଇ ଅକ୍ରୂର

ତୋ ଘରେ ଆମ୍ଭଙ୍କୁ ନିଶ୍ଚେ ମିଳିବ ଆହାର ।

ନନ୍ଦଘର ବୃଦ୍ଧକାଳେ ନ ପାଇବେ କଷ୍ଟ

ତୋ ଅନ୍ନ ଖାଇ ଗୋପାଳେ ହୋଇବେଟି ତୁଷ୍ଟ

ତୋର ଘରେ ରହି ରାଜଦର୍ଶନ କରିବୁ

ତୋର ଘରେ ରହି ଧନୁ ଉତ୍ସବ ଦେଖିବୁ ।

ଚାଲ ଚାଲ ତୋ ଘରକୁ ଯିବା ବେଗକରି

ରାମଙ୍କ ବଚନ ଶୁଣି କହନ୍ତି ଅଘାରି ।

ଶୁଣ ହୋ ଅକ୍ରୂର ଆଜି ତୋ ଘରେ ନ ଯିବୁ

ମଧୁବନେ ଥାଇ ମାମୁଁ ଦର୍ଶନ କରିବୁ ।

ମାମୁଁ ସିନା ଅଣାଇଛି ଆମ୍ଭଙ୍କୁ ଡକାଇ

ସେ ଯହିଁ ରଖିବ ଆମ୍ଭେ ରହିବୁ ଗୋ ତହିଁ ।

ସେ ଦେଲାର ସଞ୍ଚା ଆମ୍ଭେ କରିବୁ ଭୋଜନ

ଧନୁଯାତ୍ରା ସାରି ଆମ୍ଭେ ଯିବୁ ତୋ ଭୁବନ ।

ଆଗ ହୋଇ ନ ଯିବୁ ହୋ ତୋହର ଭୁବନ

ଆଗ କରି ନ କରିବୁ ତୋ ଅନ୍ନ ଭୋଜନ ।

ତୋ ଘରେ ରହିଲେ ରାଜା କରିବେଟି ରୋଷ

ଆମ୍ଭ ଲାଗି କାହିଁକି ତୁ ନେବୁ ଅପଯଶ ।

କଂସ ବୋଲଇ ଅକ୍ରୂର କୃଷ୍ଣଙ୍କୁ ଆଣିଲା

ଆପଣାର ଘରେ ରଖି କି କି ଶିଖାଇଲା ।

ବାଳକାଳୁ ଯେତେ ଦୂତ ଗୋପକୁ ପେଶିଲି

ମାଇଲା ସବୁ ତାହାଙ୍କୁ ଫେରି ନ ଦେଖିଲି ।

ଏବେ ଅକ୍ରୂର ତାହାଙ୍କୁ କି କି କଥା କହି

ଗୋପରୁ ଆଣି ତ ଘରେ ରଖାଇଛି ନେଇ ।

ଏମନ୍ତ ଭାବି ମନରେ ଅକ୍ରୋଶ ରହିବ

ଆମ୍ଭ ଲାଗି ତୁମ୍ଭଙ୍କୁ ହେ ବହୁ ଝିଙ୍ଗାସିବ ।

ମହାଦୁଷ୍ଟ କଂସରାଜା ନାହିଁ ତ ବିଚାର

ଯେ ଭଲ କହଇ ସେହୁ ମନ୍ଦ ପାଞ୍ଚେ ତାର ।

ସେ ଅଜ୍ଞାନ ତାର ଚେତା ଚଇତନ୍ୟ ନାହିଁ

ମାରିବା ନିମନ୍ତେ ମୋତେ ଆଣିଛି ଡକାଇ ।

କହ ଆରେ ରାମ ଭାଇ କି କଥା କରିବା

ଯିବା କି ଅକ୍ରୂର ଘରେ ମଧୁବନେ ଥିବା ।

କୃଷ୍ଣ ବାକ୍ୟେ କହନ୍ତି ସେ ଦେବ ନୀଳାମ୍ବର

ମଧୁବନକୁ ଅକ୍ରୂର ବାହା ରହୁବର ।

 

ମଧୁବନରେ ଗୋପାଳଙ୍କ ସହ ରାମ କୃଷ୍ଣଙ୍କ ଗମନ

ରାମ ବଚନେ ଅକ୍ରୂର ମଧୁବନେ ନେଲା

ମୁହୂର୍ତ୍ତକେ ରଥ ତହିଁ ପ୍ରବେଶ ସେ କଲ। ।

ଗୋପସୁତେ ନାନା ରଙ୍ଗେ ନାଟ ଯେ କରନ୍ତି

ମଧୁବନ ଦେଖି କୃଷ୍ଣ ବହୁ ପ୍ରଶଂସନ୍ତି ।

ବୋଲନ୍ତି ଧନ୍ୟରେ କଂସ ମଥୁରା ରାଜନ

ତୋ ମଧୁବନକୁ ସମ ନୁହେଁ ବୃନ୍ଦାବନ ।

ଏବେ ବିଭୂତିକି ତୁ ରେ କ୍ଷଣକେ ନାଶିଲୁ

ମଥାର ଲକ୍ଷ୍ମୀକି ଏବେ ପାଦେ ଫିଙ୍ଗିଦେଲୁ ।

ଦେବକୀ ଯେ ବସୁଦେବ ଭଉଣୀ ଭିଣୋଇ

ତାହାଙ୍କୁ ଶୃଙ୍ଖଳେ ବନ୍ଦୀ କରିଛୁରେ ତୁହି ।

ଦେବକୀର ଷଡ଼ଗର୍ଭ ସ୍ୱ କରେ ନାଶିଲୁ

ସୋଦର ଭଣଜା ବୋଲି ବିଚାର ନ କଲୁ ।

ସୋଦର ଭଣଜା ସିନା କୃଷ୍ଣଙ୍କ ସମାନ

ଭଣଜାକୁ ସ୍ନେହଭରେ ପାଳେ ଯେଉଁ ଜନ ।

ସାକ୍ଷାତରେ ବିଷ୍ଣୁଙ୍କୁ ସେ କରଇ ଦର୍ଶନ

ସନ୍ତୋଷେ ବସନ୍ତି ପିତୃ ଅମର ଭୁବନ ।

ବାଳହତ୍ୟା ହେବ ବୋଲି ଭୟ ତୁ ନ କଲୁ

ଅକାରଣେ ଏତେ ବଡ଼ ସମ୍ପଦ ନାଶିଲୁ ।

ବାଳହତ୍ୟା ପାପୁ ପ୍ରାଣେ ହୋଇବୁରେ ନାଶ

ସୋଦର ଭଣଜାଠାରେ କଲୁ ଅବିଶ୍ୱାସ ।

ଏଡ଼େ ବଡ଼ ସମ୍ପଦ ତୁ ବିଅର୍ଥେ ନାଶିଲୁ

ଅମର ହୋଇବୁ ବୋଲି ମନେ ବିଚାରିଲୁ ।

ନିଜ ପିତାକୁ ପାମର ରଖୁ ଭୃତ୍ୟ ପଣେ

ସୋଦରେ ଚିନ୍ତିଲୁ ମନ୍ଦ ତୁରେ ଅନୁକ୍ଷଣେ ।

ମୋତେ କପଟରେ ଡାକି ଆଣିଛୁ ଅସୁର

ମାରିବା ପାଇଁକି ତୁରେ କରିଛୁ ବିଚାର ।

ଦୁର୍ଗାର କହିବା କଥା ମନୁ ପାଶୋରିଲୁ

ନାରଦ କହିଲେ ଯାହା କର୍ଣ୍ଣରେ ଶୁଣିଲୁ ।

ଗୋପପୁରେ ନନ୍ଦଘରେ ଜନ୍ମି ଭାବଗ୍ରାହୀ

ତା ହାତେ ମରିବ ବୋଲି ଦୁର୍ଗା ଗଲେ କହି ।

ଦୁର୍ଗାର ବଚନ ଏବେ ହୋଇଲା ପ୍ରମାଣ

ନିଶ୍ଚୟ ଯିବୁରେ କଂସ ଶମନ ଭୁବନ ।

କ୍ଷଣକେ ଏଡ଼େ ବିଭୂତି ଗଲା ତୋର ନାଶ

ଜାଣିଲି ମାମୁଁର ମୋର ବୁଦ୍ଧି ହେଲା ଭ୍ରଂଶ ।

କୃଷ୍ଣ ମୁଖରୁ ଅକ୍ରୂର ଏମନ୍ତ ଶୁଣିଲା

ନିଶ୍ଚେ କଂସ ମଲା ବୋଲି ମନେ ବିଚାରିଲା ।

ଏମନ୍ତ ସମୟେ ମଧୁବନ ରଖୁଆଳି

ରାମ କୃଷ୍ଣ ଛନ୍ତି ଯହିଁ ତହିଁ ଗଲା ମିଳି ।

ଦୂରୁ ଦେଖିଣ ଡାକଇ ଶୁଣରେ ଗୋପାଳ

ମଧୁବନ ତୋଟାରେ ହେ କିମ୍ପା ବସା କର ।

ରାଜା ଆଜ୍ଞା ନାହିଁରେ ନ ରହି ଏହିଠାରେ

ବସା କରରେ ଗଉଡ଼ ତୁମ୍ଭେ ଅନ୍ୟଠାରେ ।

ଏ ମଧୁବନ ରାଜାଙ୍କ ଅଟେ ରମ୍ୟସ୍ଥାନ

ଫଳମୂଳ ଦେଖି ଲୋଭେ ରହ କିରେ ଜାଣ ।

ତୁମେ ଗଉଡ଼େ ଭଉଣୀ ମଉଳାଣୀ ହର

ଖୁଡ଼ୀ ଜେଠାଉଣୀ ଆଦି କର ଏକାକାର ।

ବୁହା ଭାତ ଖାଇ ତୁମ୍ଭେ ବନେ ରଖି ଗାଈ

ପାପ ପୁଣ୍ୟକୁ ତୁମ୍ଭର ବିଚାର ତ ନାହିଁ ।

ଏ ମଧୁବନେ ତୁମ୍ଭର ଦେଖା ତ ନ ଥିଲା

ରମ୍ୟସ୍ଥାନ ଦେଖି କିବା ମନେ ଲୋଭ ହେଲା ।

ଯେବେ ତୁମ ଜୀବନକୁ ଅଛିରେ ଭରସା

ମଧୁବନ ଛାଡ଼ି ଆନଠାରେ କର ବସା ।

କହନ୍ତି ରକ୍ଷକ ବାକ୍ୟ ଶୁଣି ଭାବଗ୍ରାହୀ

କିମ୍ପା ଗାଳି ଦେଉଛ ରେ ତୋଟାଳିଆ ଭାଇ ।

ଆମ୍ଭର ସୋଦର ମାମୁଁ ଅଟେ ରାଜା କଂସ

ଡକାଇ ଆଣିଛି ସେ ତ କିମ୍ପା କରୁ ରୋଷ ।

ଆମ୍ଭ ପାଇଁ ଧନୁଯାତ୍ରା କରିଛି ରାଜନ

ଆମ୍ଭେ ସିନା କରିବାରେ ଭୋଗ ମଧୁବନ ।

କରିବୁ ପାଳନ ମଧୁପୁର ପ୍ରଜାଜନ

ଆମ୍ଭର ସେବକ ତୁ ରେ ହେବୁ ସିନା ଜାଣ ।

ରାଜା ସୋଦର ଭଣଜା ଆମ୍ଭେ ଅଟୁ ଦୁଇ

ହଂସକ ଡିମ୍ବକ ଆମ ମାମୁଁ ପୁଅ ଭାଇ ।

ଯେବେ ଦ୍ୱନ୍ଦ୍ୱ କରିବୁରେ ତୁହି ଆମ୍ଭ ସଙ୍ଗେ

ପଠାଇବି ଯମପୁର କହି ରାଜା ଆଗେ ।

ତୁମ୍ଭ ରାଜା ଚର ମୋହ ପାଶେ ଯେତେ ଗଲେ

ଶୁଣି ନାହୁଁ ତୁହିକି ରେ ଜଣେ ନ ଫେରିଲେ ।

ମାରିବି ଚାପୁଡ଼େ ମୁଣ୍ଡ ଛିଣ୍ଡାଇଣ ତୋର

ନୋହିଲେ ତୁ କହ ଯାଇ କଂସର ଆଗର ।

କୃଷ୍ଣର କ୍ରୋଧେ ଅକ୍ରୂର ରଥରୁ ଉତୁରି

ମଧୁବନ ରଖୁଆଳି ଡାକି ଧୀରେ କରି ।

ବୋଇଲେରେ ରଖୁଆଳ ଯାଅ ବେଗ ହୋଇ

କଂସକୁ କହ ଅକ୍ରୂର ରାମ କୃଷ୍ଣ ଦୁଇ ।

ଆଣି ମଧୁବନରେ ସେ ବସା କରି ଦେଲା

ମୁଁ ମନା କରନ୍ତେ ମୋର କଥା ନ ମାନିଲା ।

ଅକ୍ରୂର ବଚନ ଶୁଣି ରଖୁଆଳ ଗଲା

ରାଜା ସିଂହଦ୍ୱାରେ ଯାଇ ପ୍ରବେଶ ହୋଇଲା

ଦ୍ଵାରୀକି କହିଲା ଯାଅ କହ ରାଜା ଆଗେ

ଅକ୍ରୂର କହିଲା କଥା କହିବି ମୁଁ ବେଗେ ।

ରଖୁଆଳ ବାର୍ତ୍ତା ଦ୍ଵାରୀ କହେ ମନ୍ତ୍ରୀଠାର

ତକ୍ଷଣେ କହିଲା ମନ୍ତ୍ରୀ କଂସର ଆଗର ।

ମନ୍ତ୍ରୀ ମୁଖୁ ଶୁଣି ରାଜା ବଚନ ବୋଲଇ

ଆଣ ତୋଟାଳିଆକୁ ତୁ ବେଗ କରି ଯାଇ ।

ରାଜା ଆଜ୍ଞାରେ ସେ ମନ୍ତ୍ରୀ ବେଗ ହୋଇ ଗଲା

ତୋଟାଳିଆ ବେଗେ କଂସ ଛାମୁକୁ ଚଳିଲା ।

କଂସରାଜା ଛାମୁରେ ସେ ହୋଇଲା ପ୍ରବେଶ

ପାଦେ ପଡ଼ି ଅକ୍ରୂରର କହଇ ସନ୍ଦେଶ ।

ବୋଲେ ଭୋଦେବ ଶୁଣିମା ହେଉ ନୃପମଣି

ଅକ୍ରୂର ଆଣିଛି ଯାଇ ରାମ କୃଷ୍ଣ ବେନି ।

ବହୁତ ଗୋପାଳ ପୁଅ ଛନ୍ତି ସଙ୍ଗତର

ଭାର ଭାର କରି ଆଣିଛନ୍ତି ଘୃତ ସର ।

ନନ୍ଦ ସଙ୍ଗତରେ ଅଛି ଦେଖିଲି ନୟନେ

ନାଚୁଅଛନ୍ତି ଗଉଡ଼େ ଆନନ୍ଦିତ ମନେ ।

ମଧୁବନରେ ଆସି ସେ କରୁଥିଲେ ବସା

ଦୂରୁ ଦେଖିଣ ମୁଁ ତାଙ୍କୁ କହିଲି କୁଭାଷା ।

ସେ ବୋଇଲେ ଆମ୍ଭଙ୍କୁ ତ ଆଣିଛି ଡକାଇ

ତୁ କିମ୍ପାଇଁ ମନା କରୁ ରଖୁଆଳ ଭାଇ ।

ସୋଦର ଭଣଜା ଆମ୍ଭେ ଅଟୁ ଯେ ରାଜାର

କାଲି ତ ମାମୁଁ ଆମକୁ ଦେବେ ମଧୁପୁର ।

ମାମୁଁ କାଲି ଦିଗ୍‌ବିଜୟେ କରି ସ୍ୱର୍ଗ ଯିବେ

ସଙ୍ଗତରେ ସୁଦାମା ଭାଇଙ୍କୁ ଘେନିଯିବେ ।

କୁବଳୟା ଚାଣୁର ମୁଷ୍ଟିକ ମାଲ ବେନି

ସ୍ଵର୍ଗେ ନେଇ ଯିବେ ବୋଲି ତୁମ ନୃପମଣି ।

କିଛିଦିନ ହଂସକ ଡିମ୍ବକ ଥିବେ ରହି

ପଛରେ ମାମୁଁ ତାହାଙ୍କୁ ନେବେରେ ଡକାଇ ।

ପିତା ପୁତ୍ର ସୁଖେ ସ୍ଵର୍ଗ ଭୋଗରେ ରହିବେ

ମଥୁରାର ଭାର ମୋତେ ମାମୁଁ ଦେଇଯିବେ ।

ମାମୁଁଙ୍କୁ ଦେଖିଣ ଦେବଗଣ ହେବେ ସୁଖୀ

କାଲି ମାମୁଁ ମୁକ୍ତ ହେବେ ମୋର ମୁଖ ଦେଖି ।

ଧନୁଯାତ୍ରା ଆମ୍ଭେମାନେ ଦେଖିବୁ ନୟନେ

ଆମ୍ଭଙ୍କୁ ଦେଖିଲେ ମାମୁଁ ନ ରହିବେ କ୍ଷଣେ ।

ନନ୍ଦପୁଏ ବୋଇଲେ ଏମନ୍ତ କରି ମୋତେ

କହିଲେ ଅକ୍ରୂର ଆସି ବୁଝାଇଣ କେତେ ।

ତେଣୁ ସିନା ଛାମୁଙ୍କୁ ଆସିଲି କହିବାକୁ

ତାହା ଶୁଣି ଦମ ଦମ ହେଲା କଂସ ବୁକୁ ।

ବୋଇଲାରେ ରଖୁଆଳ ସତ କହ ତୁହି

ଦେଖି ଆସିଛୁକି ରାମ କୃଷ୍ଣ ବେନିଭାଇ ।

କିବା ଅକ୍ରୂର କହିଲା ଶୁଣିଲୁ କର୍ଣ୍ଣରେ

ସତ କହ ରଖୁଆଳ ମୋହର ଆଗରେ ।

କହଇ କଂସ ବଚନ ଶୁଣି ରଖୁଆଳ

ପ୍ରତ୍ୟକ୍ଷେ ମୁଁ ଦେଖି ଆସିଅଛି ନନ୍ଦବାଳ ।

ରାମ କୃଷ୍ଣ ନନ୍ଦନଙ୍କୁ ମୁଁ ନୟନେ ଦେଖିଲି

ଅକ୍ରୂର କହିଲା ଯେଣୁ ମୁଁ ତାହା ବୁଝିଲି ।

ନୋହିଲେ ରାମ କୃଷ୍ଣଙ୍କୁ କରିଥାନ୍ତି ନାଶ

ତେଣୁ ତୁମ୍ଭର ଆଦେଶ ନାହିଁ ନରଈଶ ।

ଅକ୍ରୂର ମନା କଲାରୁ ନ କଲି ମୁଁ ରଣ

ତାହାର ବୋଲେ ଆସିଲି ସତ୍ୟ ମୋ ବଚନ

ଚାର ମୁଖୁ ଶୁଣି କଂସ ମନେ ଭୟ କଲା

ଶାଢ଼ୀ ଦେଇଣ ତାହାକୁ ଯାଅରେ ବୋଇଲା ।

ରାମ କୃଷ୍ଣ ଗୋପାଳେ ସେ ମଧୁବନେ ଥିଲେ

ନ କହିବୁ କିଛି ସ୍ୱେଚ୍ଛାମତେ ବିହରିଲେ ।

ଯାହା ବୋଲିବ ଅକ୍ରୂର ତା କଥା ମାନିବୁ

କଂସ ମୁଖୁ ଶୁଣି ଚାର ବିଚାରେ ମନର

ନିଶ୍ଚୟ କଂସର ବୁଦ୍ଧି ବଳ ହେଲା ଦୂର ।

ଶ୍ରୀକୃଷ୍ଣଙ୍କୁ ମାରିବାକୁ ମନେ ବିଚାରଇ

ଗୋପକୁ ସେ ନିତି ନିତି ଚାର ପେଶୁଥାଇ ।

ସେ ଶ୍ରୀକୃଷ୍ଣ ଆଜି ମଧୁପୁରକୁ ଆସିଲା

ଦ୍ୱନ୍ଦ୍ୱ ନ କରିବୁ ବୋଲି ମୋତେ ଆଜ୍ଞା ଦେଲା ।

ଏମନ୍ତ ବିଚାରି ମନେ ଚାର ତହୁଁ ଗଲା

ଅକ୍ରୂର ପାଶରେ କଂସ ବାରତା କହିଲା ।

ଚାର ମୁଖରୁ ଅକ୍ରୂର ଶୁଣି କୃଷ୍ଣେ ଚାହିଁ

ମଧୁବନେ ବସା କର ରାଜା ଅଛି କହି ।

ଅକ୍ରୂର ବଚନେ କୃଷ୍ଣ ରଥରୁ ଉତୁରି

ବୋଇଲେ ହେ ମନ୍ତ୍ରୀମଣି ଯାଅ ମଧୁପୁରୀ ।

ମାମୁଁଙ୍କୁ କହ ଆସିଲେ କୃଷ୍ଣ ହଳଧର

ନନ୍ଦ ଗୋପାଳ ଅଛନ୍ତି ତାଙ୍କ ସଙ୍ଗତର ।

ମଧୁବନେ ବସା କରିଛନ୍ତି ବେନିଭାଇ

କାଲି ଦର୍ଶନ କରିବେ ତୋତେ ଭୋଜସାଇଁ ।

ତୋ ମୁଖୁ ଶୁଣିଲେ ରାଜା ଯିବ ହୋ ପରତେ

କୃଷ୍ଣଙ୍କୁ ଆଣିଲୁ ବୋଲି ଶାଢ଼ୀ ଦେବ ତୋତେ ।

ଆମ୍ଭେ ମାମୁଁଙ୍କୁ ଦର୍ଶନ କାଲି ହେ କରିବୁ

ପିତାମାତାଙ୍କ ଚରଣୁ ଶାଙ୍କୋଳି ଫେଡ଼ିବୁ ।

କରିବୁ ଉଗ୍ରସେନକୁ ରାଜା ମଧୁପୁରେ

କାହାକୁ କିଛି ନକହି ଥିବ ମଉନରେ ।

ଆଜିକ ମାତ୍ର ସମ୍ଭାଳି ଥାଅ ହେ ଅକ୍ରୂର

କାଲି କଂସକୁ ପେଶିବୁ ଆମେ ଯମପୁର ।

କୃଷ୍ଣ ବଚନେ ଅକ୍ରୂର ଶୁଣି ତୁଷ୍ଟ ହୋଇ

ପାଦପଦ୍ମେ ପଡ଼ି ରଥେ ବସିଲା ସେ ଯାଇଁ ।

ବାହିଲା ମଧୁପୁରକୁ ରଥ ଘନ ଘନ

କୃଷ୍ଣ ବିଜୟ ଆନନ୍ଦେ ପୂର୍ଣ୍ଣ ତାର ମନ ।

 

ରାଧାଙ୍କ ନାମର ଚରିତ

ଏଥୁଅନ୍ତେ ପରୀକ୍ଷିତ ନୃପକୁଳ ମଣି

ଶୁକମୁନି ପାଦତଳେ ନମି ପୁଣି ପୁଣି ।

ବୋଇଲେ ହେ ମୁନିବର ମୁଁ ଭାଗବତରେ

ରାଧା ବେନି କର୍ଣ୍ଣ କଥା ନ ଶୁଣେ କର୍ଣ୍ଣରେ ।

ମନରେ ବହୁ ସଂଶୟ ଜନ୍ମିଛି ମୋହର

ଏବେ ସେହି କଥା କୁହ ଭ୍ରାନ୍ତି ହେଉ ଦୂର ।

ନ ଶୁଣିଲା ଚିତ୍ତ ମୋର ଅବୋଧ ହୋଇଲା

ରାଧା ନାମ ଶୁଣିବାକୁ ଉତ୍କଣ୍ଠିତ ହେଲା ।

ମୁନି କହନ୍ତି ହୋ ରାଜା ଶୁଣ ଦେଇ ମନ

ଆରାଧନ ଶବ୍ଦୁ ରାଧା ନାମ ହେଲା ଜନ୍ମ ।

ନିତ୍ୟର ସୁନ୍ଦରୀ ବିଷ୍ଣୁଙ୍କର ଅର୍ଦ୍ଧପ୍ରାଣ

ସେହି ଠାକୁରାଣୀ ମର୍ତ୍ତ୍ୟେ ହେଲେ ଆସି ଜନ୍ମ

ଗୋପୀଙ୍କ ସହିତ ସେହି ହୋଇଲେ ମିଳିତ

ଗୋପ ଭାବେ ଆରାଧନା କଲେ ସେ ସତତ

ତେଣୁ ଭାଗବତେ ରାଧା ନାମ ଯେ ନ ରହି

ଗୋପୀ ଭାବ ଭକ୍ତିରସେ ଗ୍ରନ୍ଥ ହୋଇଛଇଁ ।

ଚିତ୍ତବୋଧ ଗ୍ରନ୍ଥ ଏହା କର୍ଣ୍ଣେ ଯେ ଶୁଣଇ

ବନ୍ଦୀରୁ ପାର କରନ୍ତି ତାକୁ ଭାବଗ୍ରାହୀ ।

ଅନ୍ଧକୁ ଦିଅନ୍ତି ଚକ୍ଷୁଦାନ ରାଧାକାନ୍ତ

ରାଧା ନାମ ସ୍ମରି ବୋଧ ହୁଅନ୍ତି ଭକତ ।

ବନ୍ଦୀ ହୋଇ ଯେବେ ଚିତ୍ତବୋଧ ଯେ ଶୁଣଇ

ସଙ୍ଗେ ସଙ୍ଗେ ବନ୍ଧନରୁ ମୁକତି ଲଭଇ ।

ଏ ଗ୍ରନ୍ଥର କଥା ଯାହା କର୍ଣ୍ଣରେ ବାଜିବ

ସକଳ ପାତକ ତାର ଅଙ୍ଗରୁ ନାଶିବ ।

ଅଚ୍ୟୁତ ଦାସ ମୁଁ ରାଧା ନାମ ଭାବି ଭାବି

ତାହାଙ୍କ ପ୍ରସନ୍ନ ଚିତ୍ତବୋଧ ମୁଁ କରିବି ।

ଶ୍ରୀରାଧାଙ୍କ ନାମ ପ୍ରେମ ଅମୃତ ଅଟଇ

ପାପୀ ଜନଙ୍କୁ ଯେ ବିଷ୍ଣୁ ପ୍ରାୟ ଜଣା ହୋଇ ।

ରାଧା ମନ୍ତ୍ର ଯେହୁ ଜପ କରେ ପ୍ରତିଦିନ

କି ଅବା ମନ ମଧ୍ୟରେ କରିବ ସ୍ମରଣ ।

ତାହାର ସବୁ ଦୂରିତ ହୋଇଯାଏ କ୍ଷୟ

ଅନ୍ତେ ରାଧା ଅଙ୍ଗେ ଲୀନ ହୁଅଇ ନିଶ୍ଚୟ ।

ରା କାରରୁ ଯାଇଁ ନାମ ରୂପେ ପ୍ରବେଶିଲା

ତେଣୁକରି ନାମ ରାଧା ପ୍ରକାଶ ପାଇଲା ।

ରାଧା ନାମାମୃତ ପାନ କର ସୁଜ୍ଞନର

ନିଶ୍ଚେ ଭବ ଜଳଧିରୁ ହୋଇଯିବ ପାର ।

 

ରାଧା ମନ୍ତ୍ର ଏବେ ସୁଜ୍ଞ ଶୁଣ ମନଦେଇ

ଉପଚାର ବିଧି ଏବେ କହିବା ବୁଝାଇ ।

 

ରାଧା ମନ୍ତ୍ର

ଓଁ ଶ୍ଳା ଶ୍ଳୀଂ ଶ୍ଳୀ ରାଧା ନମଃ ସ୍ୱାହା ହରେହରେ

ଏହି ମନ୍ତ୍ର ପ୍ରତିଦିନ ହୃଦୟ ମଧ୍ୟରେ

ଏକଶତ ଆଠବାର ଜପି ନିଶ୍ଚଳରେ ।

ରାଧା ରୂପେ ଧ୍ୟାନ କରି ଚଳିବ ଯେ ଜନ

ଏ ଦେହ ଅନ୍ତରେ ନାହିଁ ଜନମ ମରଣ ।

ଭବବନ୍ଧନରେ ସେହୁ କେବେ ନ ପଡ଼ଇ

ନିତ୍ୟଧାମେ ଶ୍ରୀରାଧାଙ୍କ ଅଙ୍ଗେ ଲୀନ ହୋଇ ।

ରାଧା ମନ୍ତ୍ରର ମହିମା ଅଟଇ ଅପାର

ଶୁଣିଲ ତ ରାଧାଭାବ ସାଧୁସୁଜ୍ଞନର ।

ଅଚ୍ୟୁତ ଦାସ କହଇ ତାକୁ ଅନୁସରି

ଭବାବ୍‌ଧି ଜଳରୁ ହୋଇଯିବା ପାଇଁ ପାରି ।

 

ବୃନ୍ଦା ସଖୀର ଭାବନା ଓ ମୋହ

ଏବେ ଶୁଣ ବୃନ୍ଦା ସଖୀ ଭାବି ସୁଜ୍ଞନରେ

ଶୁଣିଲେ ହରଷ ଜନମିବ ଯେ ହୃଦରେ ।

ଅକ୍ରୂର ସଙ୍ଗରେ କୃଷ୍ଣ ମଧୁପୁର ଗଲେ

କୃଷ୍ଣ ଯିବାରୁ ଅମରେ ସ୍ୱପୁରେ ଚଳିଲେ ।

ମଳୟ ନ ବହି ଶିରୀ ତୁଟିଲା ଗୋପର

ଚାହୁଁ ଚାହୁଁ ଗୋପପୁର ହେଲା ଅସୁନ୍ଦର ।

ଗୋପୀମାନେ ନ କରନ୍ତି ଅଙ୍ଗ ସମାର୍ଜନ

ରାତ୍ରଦିନେ କୃଷ୍ଣ ନାମେ କରନ୍ତି ରୋଦନ ।

କୃଷ୍ଣ ଗୁଣ ଗୁଣି କ୍ଷୀଣ ହେଲେ ଯଶୋମତୀ

କୃଷ୍ଣ ଚିନ୍ତାକରି ବାଇ ହୋଇଲେ ଶ୍ରୀମତୀ ।

ଆସନ ବସନମାନ ତେଜିଲେ ସକଳ

ଯାହାଙ୍କ ଭାବରେ ବଶ ହେଲେ ନନ୍ଦବାଳ ।

ବୃନ୍ଦାବତୀ ବୃନ୍ଦାବନେ ଫୁଲ ତୋଳୁଥିଲା

କୃଷ୍ଣ ମଥୁରା ଗଲେ ସେ ଜାଣି ନ ପାରିଲା ।

ବୃନ୍ଦାବନରୁ ସୁବାସ ଫୁଲମାନ ତୋଳି

ଅଞ୍ଚଳେ ଧରି କାଳିନ୍ଦୀ ଜଳରେ ପ୍ରକ୍ଷାଳି ।

ଅଙ୍ଗରେ କୁଙ୍କୁମ ବୋଳି ଜଳରେ ବୁଡ଼ିଲା

ଯତ୍ନରେ ପ୍ରକ୍ଷାଳି ଫୁଲ କୂଳରେ ଥୋଇଲା ।

ଘନ ଘନ ତା ଦକ୍ଷିଣ ନୟନ ସ୍ଫୁରଇ

କୂଳରେ ଉଭା ହୋଇ ସେ ମନେ ବିଚାରଇ ।

ବାମେତର ନେତ୍ର କିମ୍ପା ସ୍ଫୁରେ ଘନ ଘନ

ନ ଜାଣେ କି ଦୁଃଖ ଆଜି ଦେବ ଭଗବାନ ।

ପୁଣି ବୃନ୍ଦାବତୀ ଲଳିତାର ପାଶେ ଗଲା

କିମ୍ପାଇଁ କାନ୍ଦୁଛୁ ସଖୀ ବୋଲି ପଚାରିଲା ।

ନନ୍ଦ ଯଶୋଦା କି ଦେଖି କରିଛନ୍ତି ରୋଷ

କି ଅବା ଶ୍ରୀକୃଷ୍ଣ ତୋତେ ନ ଡାକିଲେ ପାଶ ।

କହ ଗୋ କିମ୍ପାଇ କାନ୍ଦୁଅଛୁ ତୁ ଲଳିତା

ତୋ କାନ୍ଦଣା ଶୁଣି ମୋର ବୁଡ଼ିଲାଣି ଚେତା

ଶୁଣିଣ ଲଳିତା ବୃନ୍ଦାବତୀର ବଚନ

କହେ ନ ଥିଲୁ କି ତୁହି ଏ ଗୋପ ଭୁବନ ।

ଗରବ ପଣରେ ମୋତେ ପରିହାସେ କହୁ

ଦହିଲା ଉପରେ ମୋତେ ତୁ ଗୋ କିମ୍ପା ଦହୁ

ପରିହାସ କରି ମୋତେ କହୁଅଛୁ କେତେ

ଏବେ ଝୁରି ମରିବୁ ତୁ କୃଷ୍ଣ ଭାବି ଚିତ୍ତେ ।

କୃଷ୍ଣଙ୍କୁ ଆଜହୁଁ ସଖୀ ଦେଖିବୁ ଗୋ କାହୁଁ

ଯହିଁର କୃଷ୍ଣ ତହିଁର ଭାଳେଣି ଆଜହୁଁ ।

ଆଜି ଗୋ ଅକ୍ରୂର ମଧୁପୁରୁ ଆସିଥିଲା

କଂସ ଆଜ୍ଞା ଲେଖା ନନ୍ଦ ଛାମୁରେ ସେ ଦେଲା

ବୋଇଲା ସେ ଧନୁଯାତ୍ରା କରିଛି ରାଜନ

ଡକାଇଛି ଛାଡ଼ିଦିଅ ତୋ ବେନି ନନ୍ଦନ ।

ରାମ କୃଷ୍ଣ ମଥୁରାକୁ ଯିବେ ଦିନ ଚାରି

ଆସିବେ ସେ ଧନୁଯାତ୍ରା ଶେଷେ ଗୋପପୁରୀ ।

କେତେ ପରକାରେ ନନ୍ଦ ଯଶୋଦା କହିଲେ

ଆମ୍ଭେ ଗୋପୀମାନେ କେତେ କହିଲୁ ବିକଳେ

କାହାର କଥା ଅକ୍ରୂର ମାନିଲା ଗୋ ନାହିଁ

ମଧୁପୁରେ ନେଲା ରାମ କୃଷ୍ଣ ବେନି ଭାଇ ।

ଯହୁଁ ରାମକୃଷ୍ଣ ଦୁହେଁ ଗଲେ ମଧୁପୁର

ନନ୍ଦ ଗୋପାଳଙ୍କୁ ଘେନିଗଲେ ସଙ୍ଗତର ।

ଲଳିତା ମୁଖରୁ ବୃନ୍ଦା ଏ ବଚନ ଶୁଣି

ହା ହା କୃଷ୍ଣ ବୋଲି ଢଳି ପଡ଼ିଲା ଅବନୀ ।

କ୍ଷଣକେ ସଚେତ ହୋଇ ପୁଣି ପଚାରିଲା

କୃଷ୍ଣଙ୍କୁ ଅକ୍ରୂର କି ଗୋ ସତେ ଘେନିଗଲା ।

ଏବେ କି ଗୋ ଗୋପୀନାଥ ଗଲେ ମଧୁପୁର

ସତ୍ୟ କହ ସଖୀ ତୋତେ ଶପଥ ମୋହର ।

ଶୁଣିଣ ଲଳିତା ବୃନ୍ଦାବତୀ କୋଳ କଲେ

ସତେ ଗୋ ସଜନୀ କୃଷ୍ଣ ମଥୁରାକୁ ଗଲେ ।

ତବ ପାଦ ଛୁଇଁଣ ମୁଁ ନିୟମ କରୁଛି

ସତ୍ୟ ଗୋ କୃଷ ଆମଙ୍କୁ ଗଲେଣି ମୁରୁଛି ।

ଶୁଣି ବୃନ୍ଦାବତୀ ଏହା ଢଳିଣ ପଡ଼ିଲା

ଆଉ ମୁଁ କୃଷ୍ଣଙ୍କୁ କାହିଁ ଦେଖିବି ବୋଇଲା ।

କେଉଁ କଥା ମୋତେ କୃଷ୍ଣ କହିଛନ୍ତି ସଖୀ

ଗଲାବେଳେ ଶ୍ରୀମୁଖ ମୁଁ ନ ପାରିଲି ଦେଖି ।

ନିରାଶ କରିଣ ମୋତେ ଗଲା ଭାବଗ୍ରାହୀ

ଗୋପପୁରେ କାହା ମୁଖ ଦେଖିବି ଗୋ ମୁହିଁ

କାହା ସଙ୍ଗେ ରତିରସ କ୍ରୀଡ଼ା ମୁଁ କରିବି

କୁଞ୍ଜବନେ ଆନନ୍ଦେ କା ସଙ୍ଗେ ବିହରିବି ।

କିଏ ଆଉ ମୋହଠାରେ କରିବ ବିଶ୍ଵାସ

କିଏ ଖଣ୍ଡେ ଦୂରୁ ଦେଖି ହେବ ହସ ହସ ।

କାହାକୁ ମୁଁ ଭୁଞ୍ଜାଇବି ଦଧି ଦୁଗ୍‌ଧ ସର

କେ ଲୁଚି ଅନ୍ନ ବ୍ୟଞ୍ଜନ ଭୁଞ୍ଜିବ ମୋ ପୁର ।

କା ମୁଖ ଅଧରାମୃତ ପାନ ମୁଁ କରିବି

କାହା ମୁଖ ଶ୍ରମ ଝାଳ ଅଞ୍ଚଳେ ପୋଛିବି ।

କିଏ ମୋତେ ଗୋପୀଙ୍କର ମଧ୍ୟୁ ଠାରି ନେବ

ଫୁଲ ତୋଳି ଯିବ ବୋଲି କାନ୍ଧେ ବସାଇବ

କେହୁ ମୋତେ କୁଞ୍ଜବନେ ଦେବ ଗୋ କଚାଡ଼ି

କାହାକୁ ମୁଁ ନ ଦେଖିଣ ପକାଇବି ରଡ଼ି ।

କେ କରିବ ଚାନ୍ଦ ଦେଖି ମତେ ବିବସନ

ଚଉଷଠି ବନ୍ଧରେ କେ ତୋଷିବ ମୋ ମନ ।

ଆଲିଙ୍ଗନ କରି ମୋତେ ଦେବ କେ ଚୁମ୍ବନ

କେହୁ ଖଣ୍ଡେ ଦୂରୁ ଦେଖି ଠାରିବ ନୟନ ।

କାହାକୁ ଦେଖିଣ କରିବି ଗୋ ଆଉ ମାନ

କେ ବିନୟ ହୋଇ ମୋତେ କହିବ ବଚନ ।

କାହାକୁ ରୁଷି ବସିବି ମୋତେ ମାନ କରି

କେହୁ ଚାଟୁ ଭାଷି ମୋତେ ନେବ କର ଧରି ।

ପଲଙ୍କ ଉପରେ ମୁହିଁ ହୋଇଲେ ମୋହିତ

କେ ପାହାନ୍ତି ହେଲେ ମୋତେ କରିବ ସଚେତ ।

କିପାଇଁ ଲଳିତା ଯିବି ମୁଁ ଗୋପ ଭୁବନ

କୃଷ୍ଣ ଥିବା ସ୍ଥାନମାନ ହୋଇଥିବ ଶୂନ୍ୟ ।

ଯହିଁ ଯଶୋଦା କୃଷ୍ଣଙ୍କୁ କାଖରେ ବୁଲାନ୍ତି

ରତ୍ନ ଖଟ ଦୋଳିପରେ ଝୁଲାଇ ଖେଳାନ୍ତି ।

ସେହି ସ୍ଥାନମାନ ହୋଇଥିବ ନାରଖାର

କୃଷ୍ଣ ବିନା ଶୂନ୍ୟ ହୋଇଥିବ ଗୋପପୁର ।

କୃଷ୍ଣ କଥାମାନ ମୋର ହୃଦୟ ଦହିଲା

ଏକାନ୍ତ ପ୍ରୀତି କିମ୍ପାଇଁ କୃଷ୍ଣ ମୋର କଲା ।

ଗୁପତ ପ୍ରୀତି ତାର ମୋ ହୃଦୟ ଦହୁଛି

କା ଆଗେ କହିବି ତାହା ମୋ ମନ ଜାଣୁଛି ।

କାଲି ମୋ ପୁରକୁ କରିଥିଲେ ଗୋ ଗମନ

ବୋଇଲା ଲୋ ବୃନ୍ଦାବତୀ ଯିବୁ ବୃନ୍ଦାବନ ।

ସୁବାସ କୁସୁମମାନ ତୋଳି ଗୋ ଆଣିବୁ

ନ ଜାଣିବେ ଗୋପୀ ତୋର ପୁରେ ରଖିଥିବୁ ।

ତାଙ୍କ କଥା ନ ମାନି ତୋ ଆଗରେ କହିଲି

ବିଶାଖା ସଙ୍ଗରେ ଥିଲୁ ପ୍ରକାଶ ମୁଁ କଲି ।

ମଧୁପୁରେ ଯିବା କଥା ଆଗୁ ଜାଣିଥିଲେ

ତେଣୁକରି ମୋତେ ବୃନ୍ଦା ବିପିନେ ପେଶିଲେ ।

ଦର୍ଶନ ପାଇଲ ତୁମ୍ଭେ ଗୋପୀଗଣ ଯେତେ

କପଟରେ ବୃନ୍ଦାବନେ ପଠାଇଲେ ମୋତେ ।

ମୁଁ ଅଭାଗିନୀ କୃଷ୍ଣଙ୍କୁ ଦେଖି ନ ପାରିଲି

ତାଙ୍କ ବୋଲ ମାନିଣ ମୁଁ ଫୁଲ ତୋଳିଗଲି ।

ଯାଇ ନ ଥିଲେ ମୁଁ ତାଙ୍କୁ ନିଶ୍ଚେ ଦେଖିଥାନ୍ତି

ମନର ବେଦନା ସବୁ ଜଣାଇ ଥାଆନ୍ତି ।

କହ ଗୋ ଲଳିତା କୃଷ୍ଣ ଗଲେ ଯେତେବେଳେ

କାହାକୁ କି କଥାମାନ କହିଗଲେ ଭଲେ ।

ରାଧାକୁ ସଙ୍ଗେ ନେଲେ କି ପୁରେ ଛନ୍ତି ବାଳୀ

ମୋ କଥା କି କିଛି କହିଛନ୍ତି ବନମାଳୀ ।

ବୃନ୍ଦାବତୀ ବଚନରେ ଲଳିତା କହଇ

ଯେ ଘର ପୋଡ଼ଇ ସେ କି ଦିଅଇ ତୋଳାଇ ।

ଯହୁଁ ଅକ୍ରୂରକୁ କୃଷ୍ଣ ଦେଖିଲେ ଗୋ ସଖୀ

ଆମ୍ଭମାନଙ୍କୁ ଗୋ ଆଉ ନୟନେ ନ ଦେଖି ।

ରାଧା ସନ୍ନ୍ୟାସିନୀ ହୋଇ ଯିବାକୁ ବସିଲେ

ତେବେ ସେ ହୃଦରେ ତିଳେ ଦୟା ନ କରିଲେ

କିମ୍ପାଇଁ ମନରେ ତୁ ଗୋ ପଡ଼ିଥାନ୍ତୁ ସହୀ

ଆମ୍ଭେ ତ ପାଶରେ ଥିଲୁ କଥା ପଦେ ନାହିଁ ।

ଲଳିତା ବଚନେ ବୃନ୍ଦା କହେ ଶୋକ କରି

କେତେ ଦିନ କଣ୍ଟକରି ଗଲେ ଚକ୍ରଧାରୀ ।

ଏ ଜନ୍ମରେ ଆଉ କାହିଁ ଦେଖିବି ତା ମୁଖ

କରିଥିଲେ ସୁଖୀ ଏବେ ଦେଇଗଲେ ଦୁଃଖ ।

ସ୍ୱପନେ କୃଷ୍ଣଙ୍କୁ ସୁଦ୍ଧା ଦେଖିବି ଗୋ କାହୁଁ

ପିଣ୍ଡରୁ ପରାଣ ଗଲେ ନ ଆସଇ ଆଉ ।

ଏତେ ବୋଲି ଲଳିତାକୁ ବୃନ୍ଦା କୋଳ କରି

କୃଷ୍ଣ କୃଷ୍ଣ ବୋଲି ମୁଖେ ପଡ଼ିଲେ ସେ ଢଳି

ହା ହା ପ୍ରାଣନାଥ ବୋଲି ହେଲେ ହତଜ୍ଞାନ

ପିଣ୍ଡରୁ ତାଙ୍କର କିବା ଛାଡ଼ିଲା ଜୀବନ ।

ବୃନ୍ଦାର ଅବସ୍ଥା ଦେଖି ଲଳିତା ବିକଳେ

ବୋଲେ ଉଠ ସଖୀ କିବା ପଡ଼ି ମହୀତଳେ ।

ବିଧାତା ଆମ୍ଭର ଭାଲେ ଦୁଃଖ ଅଛି ଲିହି

ଲୋଡ଼ିଲେ କୃଷ୍ଣଙ୍କୁ ଆଉ ପାଇବା ଗୋ କାହିଁ

ଏମନ୍ତ କହି ଲଳିତା ବୃନ୍ଦାକୁ ଯେ ଧରି

କୋଳ କରି ବସାଇଲେ ନ ବସେ ସୁନ୍ଦରୀ ।

ଶରୀରେ ତ ଜ୍ଞାନ ନାହିଁ ବସିବ ସେ କାହୁଁ

କୃଷ୍ଣଙ୍କୁ ସୁମରି ହତଜ୍ଞାନ ହେଲା ଯହୁଁ ।

ବୃନ୍ଦାର ଏ ହତଜ୍ଞାନ ଲଳିତା ଦେଖିଲା

ହା ହା ପ୍ରିୟସଖୀ ବୋଲି ଭୁମିରେ ଲୋଟିଲା ।

ଉଠି ଯମୁନାର ଜଳ ଆଣିଲା ଲଳିତା

ବୃନ୍ଦାର ମୁଖେ ମାରିଣ କରାଏ ସଚେତା ।

ବାମକର୍ଣ୍ଣେ ଫୁଙ୍କିଣ ଯେ ଅଞ୍ଚଳେ ବିଞ୍ଚିଲା

ଉଠ ଉଠ ବୋଲି ଆଗୋ ବୃନ୍ଦେ ବସାଇଲା ।

ଶରୀରେ ତ ଜ୍ଞାନ ନାହିଁ ବସିବ ସେ କାହୁଁ

ହତାଶ ହୋଇ ଲଳିତା ଶୋକ କଲା ତହୁଁ ।

ବୃନ୍ଦାବନୁ ସୁକୋମଳ ପଲ୍ଲବ ଆଣିଲା

ତହିଁ ପରେ ବୃନ୍ଦାକୁ ଯେ ଶୁଆଇଣ ଦେଲା ।

ତାହାର ଅଞ୍ଚଳ ତାର ମୁଖେ ଘୋଡ଼ାଇଲା

କୋମଳ ଜମ୍ବୁ ପଲ୍ଲବ ତହିଁରେ ଢାଙ୍କିଲା ।

ବୃନ୍ଦାକୁ ଛାଡ଼ି ଲଳିତା ଚଳେ ଗୋପପୁର

ବେନି ନୟନରୁ ଅଶ୍ରୁ ଗଳେ ଧାର ଧାର ।

କାନ୍ଦି କାନ୍ଦି ଲଳିତା ଯେ ଗୋପକୁ ଆସଇ

ବାଟରେ ଭେଟିଲେ ସର୍ବ ଗୋପୀ ସହ ରାଈ ।

କୃଷ୍ଣ ଗୁଣମାନ ସବୁ କାନ୍ଦନ୍ତି ବାହୁନି

ବାତୁଳ ପରାଏ ହୋଇ ଆସନ୍ତି ଗୋପିନୀ ।

ଦୂରୁ ଦେଖି ଲଳିତା ଯେ ଅଧିକ କାନ୍ଦଇ

କୃଷ୍ଣ ଚିନ୍ତା ବୃନ୍ଦାବନୁ ଫେରି ସେ ଆସଇ ।

ଲଳିତା ରୋଦନ ଦେଖି ରାଧିକା କାନ୍ଦିଲେ

ଲଳିତାକୁ ହା ହା କୃଷ୍ଣ ବୋଲି କୋଳ କଲେ ।

ଲଳିତା ବୋଇଲେ ବୃନ୍ଦା ତପ କରିଥିଲା

କୃଷ୍ଣ ଗୁଣ ଗୁଣି ମୁଖେ ଜୀବନ ତେଜିଲା ।

ଫୁଲ ଆଣ ବୋଲି କୃଷ୍ଣ ବୃନ୍ଦାକୁ କହିଲେ

ନ କହି ଅକ୍ରୂର ସଙ୍ଗେ ମଥୁରାକୁ ଗଲେ ।

ବୃନ୍ଦାବତୀ ବୃନ୍ଦାବନେ ଫୁଲ ତୋଳୁଥିଲା

କୃଷ୍ଣ ଗଲେ ମଥୁରା ସେ ଜାଣି ନ ପାରିଲା ।

ଯାଇଥିଲି ଯମୁନାକୁ ଆଜି ମୁଁ ଗାଧୋଇ

ସୁମରି କୃଷ୍ଣର ଗୁଣ କାନ୍ଦୁଥିଲି ମୁହିଁ ।

ବୃନ୍ଦାବତୀ ବୃନ୍ଦାବନୁ ଫେରି ଆସୁଥିଲା

ମୋ କାନ୍ଦଣା ଶୁଣିଣ ସେ ମୋତେ ପଚାରିଲା

କୃଷ୍ଣ ମଥୁରାକୁ ଯିବା କଥା ମୁଁ କହିଲି

ଜୀବ ଗଲା ଛାଡ଼ି ତାର ହା ହା କୃଷ୍ଣ ବୋଲି ।

ସଚେତ କରାନ୍ତେ କେବେ ନୁହଇ ସଚେତ

ନିଶ୍ଚେ ବୃନ୍ଦା ଗଲା ମୁଁ ଗୋ କହୁଅଛି ସତ୍ୟ ।

ଲଳିତା ବଚନେ ବୋଲେ ରାଧା ଚନ୍ଦ୍ରମୁଖୀ

ଯହିଁ ବୃନ୍ଦା ଅଛି ମୋତେ ତହିଁ ନିଅ ସଖୀ ।

ଆଗରେ ଚଳେ ଲଳିତା ପଛେ ଗୋପୀଗଣ

ବୃନ୍ଦା ସୁମରି ବିକଳ ରାଈ ପଞ୍ଚପ୍ରାଣ ।

ଦେଖିଣ ଶୋକେ ବୃନ୍ଦାକୁ ରାଈ କୋଳ କରି

ହା ହା ବୃନ୍ଦାବତୀ ମୋତେ ଗଲୁ ଏକା କରି ।

ତୁହି ସିନା କୃଷ୍ଣର ଗୋ ଅଟୁ ପ୍ରିୟବତୀ

ରତି ସାରି ତୋର ପୀତବାସ ଯେ ପିନ୍ଧନ୍ତି ।

ପାଲଟା ହେଲା ବୋଲି ସେ ନ ପାରନ୍ତି ଜାଣି

ତୋ ଅଙ୍ଗ କୁଙ୍କୁମ କୃଷ୍ଣ ଅଙ୍ଗେ ଲାଗେ ପୁଣି ।

ମୋ ପୁରେ ପ୍ରବେଶ କଲେ ମୁଁ କରେ ଝିଙ୍ଗାସ

ହସି କୃଷ୍ଣ ବୋଲନ୍ତି ଏ ବୃନ୍ଦାର ଗୋ ବାସ ।

ତୁହି ସିନା କୃଷ୍ଣର ଅନ୍ତର ଆଗୋ ସହୀ

ସେ ତ ଗଲେ ତୁ ବା ଏଥି ରହନ୍ତୁ କିମ୍ପାଇ ।

ତୁ କିମ୍ପା ଛାଡ଼ିଣ ମୋତେ ଜୀବନ ତେଜିଲୁ

ଏତେ ସ୍ନେହ ଲଗାଇ ତୁ ଏବେ ଛାଡ଼ିଗଲୁ ।

କରିଛି ତୋ ପରି ଭାଗ୍ୟ କିଏ ବୃନ୍ଦାବତୀ

ମୋ ପରି ଦୁଃଖିନୀ କିଏ ନ ଥିବ ଧରିତ୍ରୀ ।

ତୁ ଏବେ ଗୋ ବୃନ୍ଦାବତୀ ଜୀବନ ତେଜିଲୁ

ପୂର୍ବରେ ତୁ ସଖୀ ବହୁ ତପ କରିଥିଲୁ ।

କୃଷ୍ଣ ଯିବା ଶୁଣି ତୁ ଗୋ ତେଜିଲୁ ଜୀବନ

ଧନ୍ୟ ଧନ୍ୟ ବୃନ୍ଦାବତୀ ଧନ୍ୟ ତୋର ମନ ।

କୃଷ୍ଣ ସଙ୍ଗେ ପ୍ରୀତି କରି ଦିନ ମୋ ନ ଗଲା

ଗୋପେ ହଟହଟା କରି ଏବେ ଛାଡ଼ିଗଲା ।

ଯାହା ଲାଗି ଭୋଗିଲି ମୁଁ ନାନା ଅପବାଦ

ସେ ଦୁଷ୍ଟ ମଥୁରା ଗଲେ ହୋଇଣ ବିଷାଦ ।

ଯା ଲାଗି ଶାଶୁ ନଣନ୍ଦ ସଙ୍ଗେ ଲାଗେ କଳି

ଯା ଲାଗି ଯଶୋଦା ନିତ୍ୟ ଦିଅନ୍ତି ଗୋ ଗାଳି ।

ଚନ୍ଦ୍ରସେଣା ଯାହା ଲାଗି ନିତ୍ୟ ବୋଲୁଥାଇ

କୃଷ୍ଣ ସଙ୍ଗେ ପଡ଼ି ରାଧା ହୋଇଲୁ ଗୋ ବାଇ

ଏବେ ବୃନ୍ଦାବତୀ ମୋତେ କଲୁ ଗୋ ନିରାଶ

ତୁ ଯେବେ ମଲୁ ଗୋ ମୋତେ ନିଅ ତୋର ପାଶ

ତୋର ନାମ ବୃନ୍ଦାବତୀ ମୋ ନାମ ଶ୍ରୀମତୀ

ଏକା ହୋଇଗଲୁ ଯାହା କଲୁ ତୁ ଅନୀତି ।

କୃଷ୍ଣଙ୍କୁ ନ ଦେଖି ତୁ ଗୋ ଜୀବନ ହାରିଲୁ

ଏ ଗୋପପୁରରେ ମୋତେ ଏକା ଛାଡ଼ିଗଲୁ ।

ଏମନ୍ତ ବୋଲି ରାଧିକା ହୃଦେ କର ମାରି

ହା ହା ବୃନ୍ଦାବତୀ ବୋଲି ପକାଇଲେ ରଡ଼ି ।

ବୃନ୍ଦାର ମୁଖରେ ଚାଲ ଜଳ ଆମ୍ଭେ ଦେବା

କର୍ଣ୍ଣ ପୁଙ୍କି ବୃନ୍ଦାଙ୍କୁ ଗୋ ସଚେତ କରିବା ।

ରାଧାର ବଚନେ ବୃନ୍ଦା ମୁଖେ ଜଳ ଦେଲେ

ବେନି କର୍ଣ୍ଣ ଫୁଙ୍କି ତାଙ୍କୁ ବହୁ ଯତ୍ନ କଲେ ।

ଉଠ ଉଠ ବୃନ୍ଦା ବୋଲି କାନ୍ଦନ୍ତି ସକଳେ

ଗୁଣକୁ ବାହୁନି ରାଈ କାନ୍ଦନ୍ତି ବିକଳେ ।

ଦେଖିଲେ ବୃନ୍ଦା ଦେହରେ ନାହିଁଟି ଚେତନ

କୃଷ୍ଣ ଗୁଣ ଗୁଣି ସେ ହୋଇଛି ହତଜ୍ଞାନ ।

ରାଧା ବୋଇଲେ ଗୋ ଗୋପୀ କି ବୃଦ୍ଧି କରିବା

ଗୋପାଳେ ନାହାନ୍ତି ଗୋପେ କା ଆଗେ କହିବା ।

ଯେବେ ଗୋ ବୃନ୍ଦାବତୀ କି ଛାଡ଼ିଯିବା ଆଜ

କୁଳକୁ ହୋଇବ ନିନ୍ଦା ପାଇବା ଗୋ ଲାଜ ।

ଗୋପାଳେ ଶୁଣିଲେ ନନ୍ଦ ଆମ୍ଭଙ୍କୁ କହିବେ

କୃଷ୍ଣ ଶୁଣିଲେ ଆମ୍ଭର ମୁଖ ନ ଚାହିଁବେ ।

ବୃନ୍ଦାବତୀକି ଦହନ ଯେବେ ନ କରିବା

ଗୋପପୁରେ ଆମ୍ଭେ ଆଜି ଯଶ ନ ପାଇବା ।

ଏହାକୁ ଧରି ଯମୁନା ବାଲିକି ଗୋ ନେବା

ବୃନ୍ଦାବନୁ କାଷ୍ଠ ଆଣି ଦହନ କରିବା ।

ଦେଖ ଗୋ ସଖୀ ହୋଇଲା କି ବିପତ୍ତିପାତ

ମଥୁରା ଗଲେ ଶ୍ରୀକୃଷ୍ଣ ବୃନ୍ଦା ହେଲେ ହତ ।

ଏତେ ବୋଲି ହରି ଧ୍ୱନି କରି ସେ ବୃନ୍ଦାକୁ

କନ୍ଧେ ବହି ଘେନିଗଲେ ଯମୁନା କୂଳକୁ ।

ବାଲିକୁଦେ ଥୋଇଣ ଯେ କରି ହରି ଧ୍ୱନି

ଥୋକାଏ ବୃନ୍ଦାବନକୁ ଗଲେ କାଷ୍ଠ ଆଣି ।

ବୃନ୍ଦାବନୁ ଚନ୍ଦନର କାଷ୍ଠମାନ ଖୋଜି

ବହି ଆଣନ୍ତି ଗୋପୀଏ ବୃନ୍ଦା ନାମ ହେଜି ।

ହା ହା ବୃନ୍ଦାବତୀ ବୋଲି ରାଧା କୋଳ କରେ

ଅଜ୍ଞାନ ହୋଇଣ ଢଳିପଡ଼ିଲେ ଭୂମିରେ ।

କ୍ଷଣେ ଅଚେତନ ହୋଇ ପୁଣି ସେ ଉଠିଲେ

ବୃନ୍ଦାକୁ କୋଳ କରିଣ ଉଚ୍ଚେ ଶୋକ କଲେ ।

ଥୋକାଏ ଗୋପୀ ଚନ୍ଦନକାଷ୍ଠ ବହିଆଣି

ରାଈଙ୍କ କ୍ରନ୍ଦନ ଶୁଣି କାନ୍ଦିଲେ ବାହୁନି ।

ବସିଲେ ବୃନ୍ଦାକୁ ମଧ୍ୟେ ରଖି ଚଉପାଶ

ତହିଁ ବେନି ସଖୀ ବାହାରିଲେ ବୃନ୍ଦା ପାଶ ।

ନବୀନ ପଟ୍ଟବସନ ରତ୍ନ ଅଳଙ୍କାର

ଯେଉଁ ଅଳଙ୍କାର ବୃନ୍ଦା ଦେହକୁ ସୁନ୍ଦର ।

ରତ୍ନଚୂଡ଼ୀ ଗବ୍ୟଘୃତ ଚନ୍ଦନକୁ ଧରି

ତକ୍ଷଣେ ଆସିଲେ ଯହିଁ ଛନ୍ତି ସର୍ବନାରୀ ।

ଖଣ୍ଡେ ଦୂରୁ ଡାକିଲେ ସେ ଶୁଣ ଆଗୋ ସହୀ

ସଚେତନ ହେଲେ କି ବୃନ୍ଦା କହ ଆଗୋ ସହୀ

ଏହା ଶୁଣି ରାଈ ବୋଲେ ନ ଶୁଣଇ ସହୀ

ଗୋପକୁ ଯାଇ ସପନ ଦେଖିଲୁ କି ତୁହି ।

ପିଣ୍ଡୁ ପ୍ରାଣ ଗଲେ ଆଉ ଆସିବ ଗୋ କାହୁଁ

ବାଇ କି ହୋଇଲୁ ସଖୀ କିମ୍ପା ଏହା କହୁ ।

ଏମନ୍ତ ବୋଲି ସକଳ ଗୋପୀ ଠୁଳ ହୋଇ

ବୃନ୍ଦାବତୀକୁ ସୁବେଶ ନିଜେ କଲେ ରାଈ ।

ଅଚେତନ ହୋଇଣ ସେ ଛନ୍ତି ବୃନ୍ଦାବତୀ

ରାଈ ଆଦି ସେହି କଥା ନ ଜାଣି ଭ୍ରମନ୍ତି ।

ଏଥୁ ଅନ୍ତରେ ଚରିତ ଦ୍ୱିତୀୟ ଖଣ୍ଡରେ

ବର୍ଣ୍ଣନା ହୋଇଛି ଶୁଣିବ ହେ ସନ୍ଥ ନରେ ।

ସାଧୁ ସୁଜ୍ଞଜନମାନେ ମୋ ଦୋଷ ନ ଧର

ଅଚ୍ୟୁତ ଦାସ ଶ୍ରୀପଦେ କରେ ନମସ୍କାର ।

ଅଲେଖ ପୁରୁଷ ଗୋଲୋକ ବୈକୁଣ୍ଠ ସ୍ୱାମୀ

ସେହି ମୋର ଗୁରୁଦେବ ତାଙ୍କ ଭାବେ ଭ୍ରମି ।